Unknown

 

 

 

 

 

 

 

 

 

ବିବାସିନୀ

ଶ୍ରୀ ରାମଶଙ୍କର ରାୟ

 

ସୂଚୀପତ୍ର

 

୧.

ପ୍ରଥମ ପରିଚ୍ଛେଦ

ମନ୍ତ୍ରଣା

୨.

ଦ୍ୱିତୀୟ ପରିଚ୍ଛେଦ

କି ମନ୍ତ୍ରଣା ?

୩.

ତୃତୀୟ ପରିଚ୍ଛେଦ

ନୌକାଯାତ୍ରୀ

୪.

ଚତୁର୍ଥ ପରିଚ୍ଛେଦ

ସମ୍ଭାଷଣ

୫.

ପଞ୍ଚମ ପରିଚ୍ଛେଦ

ଦୁଇଭଗିନୀ

୬.

ଷଷ୍ଠ ପରିଚ୍ଛେଦ

ନବଗ୍ରାମ ଚୌଧୁରୀ

୭.

ସପ୍ତମ ପରିଚ୍ଛେଦ

କୃପଣର ସଂସାର

୮.

ଅଷ୍ଟମ ପରିଚ୍ଛେଦ

ବିଧବାର ସଂସାର

୯.

ନବମ ପରିଚ୍ଛେଦ

ପଥିମଧ୍ୟେ

୧୦.

ଦଶମ ପରିଚ୍ଛେଦ

ବୁଢ଼ାଲିଙ୍ଗ

୧୧.

ଏକାଦଶ ପରିଚ୍ଛେଦ

ଗୋବର୍ଦ୍ଧନ ଦାସ

୧୨.

ଦ୍ୱାଦଶ ପରିଚ୍ଛେଦ

ଭାଣ୍ଡେଶ୍ୱର

୧୩.

ତ୍ରୟୋଦଶ ପରିଚ୍ଛେଦ

ପୁଣି ଦୁଇଭଗିନୀ

୧୪.

ଚତୁର୍ଦ୍ଦଶ ପରିଚ୍ଛେଦ

ରୋଷନୀ

୧୫.

ପଞ୍ଚଦଶ ପରିଚ୍ଛେଦ

ନାଟ

୧୬.

ଷୋଡ଼ଷ ପରିଚ୍ଛେଦ

ସର୍ଦ୍ଦାର ସିଂହ

୧୭.

ସପ୍ତଦଶ ପରିଚ୍ଛେଦ

ଜଟିଆକୁଦ

୧୮.

ଅଷ୍ଟାଦଶ ପରିଚ୍ଛେଦ

ନାଟରସ

୧୯.

ଊନବିଂଶ ପରିଚ୍ଛେଦ

ମିଳନ

୨୦.

ବିଂଶ ପରିଚ୍ଛେଦ

ଲାଲବାଗ

୨୧.

ଏକବିଂଶ ପରିଚ୍ଛେଦ

ନାଟସ୍ଥାନ

୨୨.

ଦ୍ୱାବିଂଶ ପରିଚ୍ଛେଦ

ସନ୍ୟାସୀଦ୍ୱୟ

୨୩.

ତ୍ରୟୋବିଂଶ ପରିଚ୍ଛେଦ

ପାରାଦ୍ୱୀପ

୨୪.

ଚର୍ତୁବିଂଶ ପରିଚ୍ଛେଦ

ମହୋତ୍ସବ

୨୫.

ପଞ୍ଚବିଂଶ ପରିଚ୍ଛେଦ

କୃପଣର ପରିଣାମ

୨୬.

ଷଡ଼ବିଂଶ ପରିଚ୍ଛେଦ

ସଦ୍‌ଗତି

୨୭.

ସପ୍ତବିଂଶ ପରିଚ୍ଛେଦ

ଡୁମନ ସର୍ଦ୍ଦାର

୨୮.

ଅଷ୍ଟାବିଂଶ ପରିଚ୍ଛେଦ

ରୋଗ–ଶଯ୍ୟା

୨୯.

ଊନତ୍ରିଂଶ ପରିଚ୍ଛେଦ

ଅନ୍ତଃପୁର

୩୦.

ତ୍ରିଂଶ ପରିଚ୍ଛେଦ

ମାୟାଧର

୩୧.

ଏକତ୍ରିଂଶ ପରିଚ୍ଛେଦ

ଆମନ୍ତ୍ରଣ

୩୨.

ଦ୍ୱାତ୍ରିଂଶ ପରିଚ୍ଛେଦ

ଖାଡ଼ଙ୍ଗା

୩୩.

ତ୍ରୟତ୍ରିଂଶ ପରିଚ୍ଛେଦ

ସୁସଂଯୋଗ

୩୪.

ଚତୁତ୍ରିଂଶ ପରିଚ୍ଛେଦ

ଏକାକିନୀ

୩୫.

ପଞ୍ଚତ୍ରିଂଶ ପରିଚ୍ଛେଦ

ହୃଦୟୋଦ୍‌ଘାଟନ

୩୬.

ଷଟ୍‌ତ୍ରିଂଶ ପରିଚ୍ଛେଦ

ପୁଣି ଦୁଇ ଭଗିନୀ

୩୭.

ସପ୍ତତ୍ରିଂଶ ପରିଚ୍ଛେଦ

ଦୁର୍ଭିକ୍ଷ

୩୮.

ଅଷ୍ଟତ୍ରିଂଶ ପରିଚ୍ଛେଦ

ସୁବାଦାର

୩୯.

ଊନଚତ୍ୱାରିଂଶ ପରିଚ୍ଛେଦ

ଶାନ୍ତି

୪୦.

ଚତ୍ୱାରିଂଶ ପରିଚ୍ଛେଦ

ବିବାହ ଓ ବିସର୍ଜ୍ଜନ

୪୧.

ଏକଚତ୍ୱାରିଂଶ ପରିଚ୍ଛେଦ

ପ୍ରୀତ୍ତ୍ୱପହାର

Image

 

ପ୍ରଥମ ପରିଚ୍ଛେଦ

ମନ୍ତ୍ରଣା

 

ଆଜି ପୌଷ ପୂର୍ଣ୍ଣିମା । ନିଶାକାର ଆକାଶ-ମାର୍ଗର ପ୍ରାୟ ଷଷ୍ଠାଂଶ ପଥ ଅତିକ୍ରମ କରି ଧୀରଭାବରେ ଶୀତକିରଣ ଚତୁର୍ଦ୍ଦିଗରେ ସଞ୍ଚାର କରୁଅଛନ୍ତି । ତେଣେ ଶୀତକାଳ ଯୋଗୁଁ ସ୍ୱାଭାବିକ ଶୈତ୍ୟ ମାୟାମୟୀ ପ୍ରକୃତିକି ଅଭିଭୂତ କରି ଯେଉଁ ଜାଡ଼୍ୟ ସମ୍ପାଦନ କରିଅଛି ତହିଁରେତ ଚତୁର୍ଦ୍ଦିକ ଗମ୍ଭୀରମୂର୍ତ୍ତି ଧରି ରହିବାର କଥା, ମାତ୍ର ତହିଁରେ ଶୀତାଂଶୁଙ୍କ ସୁଶୀତଳ କିରଣଜାଲ ନିପତିତ ହୋଇ ସୌମ୍ୟଭାବ ଜନ୍ମାଇଥିବାରୁ ଶୋଭାଟି ବିଚିତ୍ର ହୋଇଅଛି ।

 

ଦୁଇ ଚାରି ଦିନ ହେଲା ଆକାଶମାର୍ଗରେ ମେଘମାଳ ଦେଖା ଯାଉଥିବା ହେତୁ ଶୀତ ଯାହା ଛାଡ଼ି ଯାଇଥିଲା, ଆଜି ପୂର୍ଣ୍ଣିମାତିଥି ଯୋଗୁଁ ଇନ୍ଦ୍ରଦେବଙ୍କ ଅଭିଷେକକ୍ରିୟାସମାରୋହ ସନ୍ଦର୍ଶନାର୍ଥ ମେଘମାଳ ଫେରି ଯାଇଥିବା ହେତୁ ପୁଣି ଶୀତ ଦେଖା ଦେଲା ଏବଂ ଦକ୍ଷିଣଦେଶରୁ ପ୍ରବାହିତ ହେଉଥିବା ଅନିଳକୁ ଉତ୍ତରାନିଳ ପୁନର୍ବାର ପରାଭୂତ କରି ମନ୍ଦ ମନ୍ଦ ବହୁଥିବାରୁ ସେ ଶୀତ କିଞ୍ଚିତ୍‌ ଅଧିକଭାବେ ଅନୁଭୂତ ହେଉଅଛି । କଳାକର ଦୁଇ ଚାରି ଦିନ, ମେଘମାଳା ଯୋଗେ, ଆପଣାର କ୍ଷମତା ବିସ୍ତାର କରି ପାରୁ ନ ଥିବା ଯୋଗୁଁ ଯେପରି ମନୋଦୁଃଖରେ ମଳିନ ହୋଇ ରହିଥିଲେ ଆଜି ମେଘମାଳା ବାଟରୁ ଅପସୃତ ହୋଇଥିବା ଦେଖି ତୁହିନ-ଦୀଧିତି ଆହ୍ଲାଦରେ ଗଦ୍‍ ଗଦ୍‍ ହୋଇ ତୁହିନ-ଜାଲ ପୃଥିବୀକି ଆଚ୍ଛନ୍ମ କରିଥିଲେ ସୁଦ୍ଧା ନିଜ ତୁହିନ-ଜାଲରେ ତାହାକୁ ଭେଦ କରି ଚରାଚରକୁ ଅପୂର୍ବ ଶୋଭାରେ ଅବଗାହିତ କରାଇ ଅଛନ୍ତି । ଆହା ! କି ମଧୁରଭାବ ! ସତେକି ପ୍ରକୃତିସତୀ ସ୍ନାନ କରି ଶୀତଯୋଗେ ଧବଳବସନାବୃତା ହୋଇ ସ୍ନିଗ୍ଧଗମ୍ଭୀରଭାବରେ ସୁଧାକରଙ୍କ ସୁଧାଜ୍ୟୋସ୍ନା ସେବନ କରୁଅଛନ୍ତି ! ସତେକି ଚନ୍ଦ୍ରଦେବ ଆପଣାର ସୁଧାକର ନାମର ସର୍ଥକତା ଦେଖି ଦ୍ୱିଗୁଣଭାବେ ଉଜ୍ଜ୍ୱଳ ହୋଇଅଛନ୍ତି । ବାସ୍ତବରେ ଶୀତକାଳରେ ବେଳେ ବେଳେ ଅଭାବନୀୟରୂପେ ଏପରି ରମଣୀୟ ସମୟ ଉପସ୍ଥିତ ହୋଇ ମନରେ ଅଭୁତପୂର୍ବ ଭାବ ଜନ୍ମାଇ ଦିଏ, ଆଉ ଅନୁଭବୀ ସେ ଭାବ ହୃଦୟରେ ଅନୁଧାବନ କରୁ କରୁ ଯେ ବିମୁଗ୍ଧ ହୁଅନ୍ତି ତାହା କିଛି ଆଶ୍ଚର୍ଯ୍ୟର ବିଷୟ ନୁହେ ।

 

ପାଠକେ ! ଥରେ ଏହି ରମଣୀୟ ସମୟରେ ସୁଦୂର ପ୍ରବାହିନୀ କଳଭାଷିଣୀ ଗମ୍ଭୀରବାହିନୀ ମହାନଦୀର ମଧ୍ୟସ୍ଥିତ ନନ୍ଦିକେଶ୍ୱରୀ ପଠାକୁ ଆସନ୍ତୁ । ପଠାଟି ଉପରୋକ୍ତ ପ୍ରକୃତିର ଏକ ଅଂଶ, ସୁତରାଂ ତାହା ଯେ ସେହିପରି ଶୋଭାରେ ସ୍ନିଗ୍ଧଗମ୍ଭୀରଭାବ ଧାରଣ କରିଅଛି ବୋଲିବା ଦ୍ୱିରୁକ୍ତି ମାତ୍ର । ପଠାଟିରେ ଜନମାନବର ବାସ ନାହିଁ । କେବଳ କ୍ଷୂଦ୍ର କ୍ଷୂଦ୍ର ତଣ୍ଡିବୁଦା ଏବଂ ଠାବେ ଠାବେ ବୃହଦାକାର ବୃକ୍ଷମାନଙ୍କରେ ଆବୃତ ହୋଇ ଅରଣ୍ୟମୟ ଏବଂ ଭୟାବହ ହୋଇଅଛି । ପ୍ରସ୍ତରମୟ ଗୋଟିଏ ସମାଧି ପଶ୍ଚିମାଂଶରେ ଶୋଭା ପାଉଅଛି ଏବଂ ତନ୍ନିକଟରେ ମହାବୀର ମୂର୍ତ୍ତି ପ୍ରତିଷ୍ଠିତ ହୋଇ ସ୍ଥାନଟି ଶାସନ କରୁଅଛନ୍ତି । ଏଛଡ଼ା ଆଉ କିଛି ନାହିଁ ।

 

ଦେବାଳୟ ଶୁଣି ପାଠକେ ମନେ କରିଥିବେ ନଦୀ ମଧ୍ୟବର୍ତ୍ତିନୀ ପଠାରେ ଦେବାଳୟ ଥିବାସ୍ଥଳେ ଅବଶ୍ୟ ଜଣେ ହେଲେ ସେବକ କିମ୍ୱା ଅପର କେହି ସେଠାରେ ବାସ କରୁଥିବେ; କିନ୍ତୁ ସେ ଆଶା ପୃଥିବୀର ସମସ୍ତ ଆଶାପ୍ରାୟ ଅଲୀକ ମାତ୍ର । ନନ୍ଦିକାର ଆଶା ମାୟାବିନୀ ରୂପେ ଛଳନା କରି ଯେପରି ଲୋକରେ ଶିକ୍ଷାଦେବା କାରଣ ସମାଧିରୂପ ଧାରଣ କରତଃ ପଠାଟିକି ଅଧିକତର ଗମ୍ଭୀର କରିଅଛି, ସେହିପରି ଲୋକାଳୟବିହୀନ ପଠାସ୍ଥିତ ଦେବାଳୟରେ ମହାବୀର ମୂର୍ତ୍ତି ପ୍ରତିଷ୍ଠିତ ହୋଇ ଲୋକରେ ମୟାମୟ ଅନିଶ୍ଚିତ ସଂସାରରେ କୀର୍ତ୍ତିପ୍ରଭାବହିଁ ସାର ବୋଲି ଶିକ୍ଷା ଦେଉଅଛନ୍ତି । ସେବକ ସେଠାରେ କେହି ନାହିଁ । ଯାହାଙ୍କ ଭକ୍ତି ଜନ୍ମିଲା ସେ ଦିନାକେତେ ଆସି ମହାବୀରଙ୍କୁ ଉପାସନା ବା ପୁଜା କଲେ ଅଥବା ସାଧନାଦ୍ୱାରା ତତ୍ତ୍ୱ ଘେନିବାରେ ବ୍ରତୀ ହେଲେ । ସେତକ ଗଲାରୁ ମହାବୀରଦେବ ନିର୍ଜନରେ ପୂଜାବିହୀନ ହୋଇ ପଡ଼ି ରହିଲେ । ସେହିପରି ଅନିତ୍ୟସଂସାରରେ ଅନିତ୍ୟଖେଳା ! ମହାବୀର କାର୍ତ୍ତିଯୋଗେ ଲୋକରେ ପୂଜା ପାଉଅଛନ୍ତି । ତାଙ୍କର ବିନାଶ ନାହିଁ; କୀର୍ତ୍ତି ଯାହାର ନାହିଁ ତାହାର ସିନା ବିନାଶ ହୁଏ । କୀର୍ତ୍ତି ଥିଲେ ଆଜି ନ ହେଲେ କାଲି ପୂଜା ପାଇବେ, ମାତ୍ର ମରଣ ନାହିଁ ଏକଥା ନିଶ୍ଚୟ । ତେଣୁ କବିବାଣୀ କହିଅଛି ‘‘କୀର୍ତ୍ତିର୍ଯସ୍ୟ ସ ଜୀବତି’’ ।

 

ପାଠକେ ! ମନେ କରୁଥିବେ ଏଭଳି ପଠାକୁ ଶୀତଋତୁର ରାତ୍ରିକାଳରେ ଡାକିବାର କି ପ୍ରୟୋଜନ । ବସନ୍ତ ବା ଗ୍ରୀଷ୍ମକାଳରେ ବାୟୁସେବନ ବା ଆମୋଦପ୍ରମୋଦ ନିମିତ୍ତ ଏସ୍ଥାନ ପ୍ରଶସ୍ତ ଅଟେ । ସେ ଋତୁମାନଙ୍କରେ ସେତେବେଳେ ପୂର୍ଣ୍ଣଚନ୍ଦ୍ର ପ୍ରଭାବରେ ସ୍ଥାନଟି ଅଚିନ୍ତନୀୟ ଭାବ ଧାରଣ କରି ଲୋକମାନଙ୍କୁ ସେଠାକୁ ଯାଇ ଆରାମ ଉପଭୋଗ ଅଥବା ଆମୋଦ-ପ୍ରମୋଦ କରିବାକୁ ଡାକୁଥିବ ସେତେବେଳେ ଅବା ସେଠାକୁ ଗଲେ କିଛି ଲାଭ ଅଛି, ମାତ୍ର ତୁଚ୍ଛାକୁ ଶୀତକାଳର ଶୀତରେ ନଦୀମଧ୍ୟଗତା ଶୀତ-ବାୟୁପୀଡ଼ିତା ପଠାକୁ ଯାଇ କି ଲାଭ ଅଛି ?

 

ତାହା ସତ । ସେପରି ଲାଭ କିଛି ନାହିଁ, ଲୀଳାମୟ ବିଶ୍ୱକର୍ତ୍ତାଙ୍କ ବିଶ୍ୱସଂସାରରେ ସବୁପ୍ରକାର ଲୀଳା ଚଳୁଅଛି । ପଠା ଚତୁର୍ଦ୍ଦିଗସ୍ଥ ମହାନଦୀର ସୁଗଭୀର ପବିତ୍ର ବାରି ଚନ୍ଦ୍ରଜ୍ୟୋସ୍ନରେ ପ୍ରଫୁଲ୍ଲ ହୋଇ ଚକ୍‌ଚକ୍‌ ଦିଶୁଅଛି । ଆମ୍ଭେ ତାହାକୁ ଦେଖିବାକୁ ଡାକୁନାହୁଁ । ପଠାସ୍ଥିତ ଗଛପତ୍ର ଋତୁପ୍ରଭାବ ଅନୁଧାବନ କରି ଗମ୍ଭୀର ଭାବରେ ସୁଧାକରଙ୍କ କିରଣ-ସୁଧା ସେବନ କରୁଅଛନ୍ତି ତାହା ସୁଦ୍ଧା ଦେଖିବାକୁ ଡାକୁ ନାହୁଁ । ଅଥବା ବେଳେ ବେଳେ ଶୃଗାଳାଦି ହିଂସ୍ର ଜନ୍ତୁମାନଙ୍କର ବିକଟ ନିନାଦ କି ଯାହା ସ୍ଥାନଟିର ସ୍ନିଗ୍ଧଗମ୍ଭୀରଭାବଯୁକ୍ତ ନୀରବତାକୁ କର୍କଶଭାବରେ ଭଗ୍ନ କରୁଅଛି ତାହା ମଧ୍ୟ ଶୁଣିବାକୁ ଡାକୁ ନାହୁଁ ।

 

ଡାକିଲୁ ଏଭଳି ଶୀତ ସମୟରେ ପ୍ରକାଣ୍ଡମୁର୍ତ୍ତି ଦୁଇଜଣ ଲୋକ ମହାବୀରଙ୍କ ସମ୍ମୁଖରେ ଉପବିଷ୍ଟ ହୋଇ ମହାନଦୀ ପରିବ୍ୟାପ୍ତ ପ୍ରଗାଢ଼ ଶୀତକୁ ନ ମାନି କି ମନ୍ତ୍ରଣା କରୁଅଛନ୍ତି ଶୁଣନ୍ତୁ ।

 

ସନ ୧୮୯୧ ଖ୍ରୀଷ୍ଟାବ୍ଦରେ ଉତ୍କଳ ପ୍ରଭାସକାଶେ ଲିଖିତ ଓ ପୁରଷ୍କୃତ ।

Image

 

ଦ୍ୱିତୀୟ ପରିଚ୍ଛେଦ

କି ମନ୍ତ୍ରଣା ?

 

କି ମନ୍ତ୍ରଣା ? ଏ ମନ୍ତ୍ରଣାରେ କି ଏହିମାନେ ଏକା ସଂଲିପ୍ତ ଅଛନ୍ତି କି ଏହାଙ୍କ ସଙ୍ଗରେ ଆଉ କିଏ ଅଛି ? ଏ ପ୍ରଶ୍ନର ଉତ୍ତର ଅତି ସହଜ–ମନ୍ତ୍ରଣା ଗୁରୁତର । ଏ ମନ୍ତ୍ରଣାରେ ଜଣକର ସର୍ବନାଶ ହେବ ଏବଂ ଏହି ମନ୍ତ୍ରଣାରେ ଏ ଦୁଇଜଣଙ୍କୁ ଘେନି ପ୍ରାୟ ଜ ୫୦ ଣ ଲୋକ ଲିପ୍ତ ଅଛନ୍ତି-

 

ଯେ ଦୁଇଜଣଙ୍କର କଥା ଉପରେ ଉଲ୍ଲେଖ କଲୁଁ ସେମାନଙ୍କ ମଧ୍ୟରେ ଜଣେ ବାହାବଳୀନ୍ଦ୍ର ଏବଂ ଆଉ ଜଣେ ବଳୀୟାର ସିଂହ ବୋଲି ପରିଚିତ । ତାଙ୍କ ଦଳର ସମସ୍ତ ଲୋକଙ୍କ ପରି ଏମାନେ ମହାବୀର–ଉପାସକ–ବୃତ୍ତି ଡକାଇତୀ ।

 

ଲୋକ ଦୁହିଙ୍କି ଦେଖିଲେ ଯେପରି ସିଂହବ୍ୟାଘ୍ରାଦି ଦେଖି ମନରେ ଭୟ ଜାତ ହୁଏ ସେହିପରି ଏମାନଙ୍କର କାର୍ଯ୍ୟଗତିରୁ ମନରେ ଆଶ୍ୱାସ ନ ଜନ୍ମିବା ପର୍ଯ୍ୟନ୍ତ ଭାବୀ ଆଶଙ୍କାରେ ହୃତ୍‍କମ୍ପ ଜାତ ହେଉଥିବ । ସୁଦୀର୍ଘ ଶରୀର, ପ୍ରଶସ୍ତ ବକ୍ଷ, ସୁଦମ୍ଭ ଜାନୁ, ପ୍ରସ୍ତରପ୍ରାୟ କଠିନ ସ୍ଥୂଳବାହୁ ବିକଟାକାର ହସ୍ତଚର୍ଚ୍ଚିତ ଶୃଶ୍ରୁ, ବଡ଼ ବଡ଼ ଲୋହିତ ଚକ୍ଷୁ, ଉନ୍ନତ–ଭ୍ରୁ ଏବଂ ଗମ୍ଭୀର କଠିନ–ଲଲାଟ–ବିଶିଷ୍ଟ ଲୋକ ଦେଖି କାହା ମନରେ ଭୟ ନ ହେବ ? ଏମାନେ ଏଡ଼େ ବଳୀୟାନ ଯେ ବଡ଼ ବଡ଼ ପଥରଘରମାନ ବାହୁ ପିଟି ଦୋହଲାଇ ଦେଇ ପାରନ୍ତି । ସୁରାମାଂସ ପ୍ରଧାନ ଭୋଜନ । ଆପଣମାନଙ୍କ ମଧ୍ୟରେ ଯେପରି ରନ୍ଧନ ପ୍ରଣାଳୀ ପ୍ରଚଳିତ ଅଛି ତାହାକୁ ଏମାନେ ଗ୍ରାହ୍ୟ କରନ୍ତି ନାହିଁ–ପାଇଲେ ସମୟରେ କଞ୍ଚାମାଂସ ଚୋବାଇ ଯିବେ । ସିଂହ ବ୍ୟାଘ୍ରାଦି ହିଂସ୍ରକ ଜନ୍ତୁମାନଙ୍କ ପରି ଏମାନଙ୍କର ବୁଦ୍ଧି–ମନୁଷ୍ୟ ଅବୟବ ଯାହା ଧାରଣ କରିଅଛନ୍ତି ସେତିକି ।

 

ଏଭଳି ଲୋକଙ୍କ ତେଜ କିପରି, ପାଠକେ, ତହିଁର ଅବା ଅନ୍ୟ ପରିଚୟ କି ଦେବୁ ? ଏଭଳି ଶୀତରାତ୍ରରେ କୌଣସି କଷ୍ଟ ଅନୁଭବ ନ କରି ବସ୍ତ୍ରବିହୀନ ହୋଇ ଯାହା ବସିଅଛନ୍ତି ତହିଁରୁ ଆପଣମାନେ ଜାଣି ପାରିବେ–ଆମ୍ଭର ବୋଲିବା ଅଧିକ ।

 

ବାହାବଳୀନ୍ଦ୍ର କହିଲେ ‘‘ମହାବୀରଙ୍କ ଛାମୁରେ ବସି କହୁଛି ଆଜି ଯେବେ ମୁଁ ଏକାକେ କାମ ଉଠାଇ ନ ନେବି ତେବେ ଏ ମୁଛ କାଟି ପକାଇବି ।’’ ଏହା କହି ମୁଛରେ କରମର୍ଦ୍ଦନ କରି ବାହୁ ପିଟି ବିକଟ ଆନନ୍ଦ ପ୍ରକାଶ କଲେ ।

 

ବଳୀୟାର ସିଂହ ଗମ୍ଭୀର ଭାବରେ ଶୁଣୁଥିଲେ । ବାହାବଳୀନ୍ଦ୍ରଙ୍କ ଏ ଦର୍ପ ଶୁଣି ଥୟ ହୋଇ ରହି ପାରିଲେ ନାହିଁ । ଚକା ପକାଇ ବସିଥିଲେ, ଜାନୁରେ ହାତ ମାରି କହିଲେ ‘‘ବାହାବଳୀନ୍ଦ୍ରେ ! ଆମ୍ଭେ କି କୁଜଙ୍ଗ ଷଣ୍ଢଙ୍କର ଜଣେ ମାଲ ନୋହୁଁ ? ବାହାବଳୀନ୍ଦ୍ରେ ଯେବେ ଏକ ଧକାରେ ଏକ ଆଡ଼େ ପାଚେରି ଭାଙ୍ଗି ବାଟ ସଳଖ କରିଦେବେ ବଳୀୟାର ସିଂହ ଅନ୍ୟ ଆଡ଼େ ଏକ କୁଦା ମାରି ପାଚେରି ଡେଇଁଯିବେ । ବାହାବଳୀନ୍ଦ୍ରେ ! ଆମ୍ଭେ ଦିହେଁ ଥାଉଁ କେଉଁ ଶତ୍ରୁ ଏଡ଼େ ବଳୀୟାନ ଅଛି ଯେ ଜଣିଜିବେ ?

 

ଏହା ଶୁଣି ବାହାବଳୀନ୍ଦ୍ର ବଡ଼ ସନ୍ତୁଷ୍ଟ ହେଲେ । କହିଲେ–‘‘ଆସ ବଳୀୟାର ସିଂହେ, ପଞ୍ଝା ଲଢ଼େଇବା । ଶୀତ କି ଆମର କିଛି କରିପାରେ ? ଏହା କହି ମହାବୀରଙ୍କ ସମ୍ମୁଖରେ ହାତ ଘସି ଧୂଳି କପାଳରେ ଲଗାଇ ଏକ ଲମ୍ପରେ ତଳେ ଆସି ଠିଆ ହେଲା । ବଳୀୟାର ସିଂହ ମଧ୍ୟ ତାଙ୍କର ଅନୁକରଣ କରି ଆସି ଠିଆ ହେଲେ । କିଛିକ୍ଷଣ ଉଭୟଙ୍କର ପଞ୍ଝାଲଢ଼ାଇ ଓ ମାଲଖେଳ ହୋଇ ପୁଣି ଆସି ଉଭୟେ ପୂର୍ବନିର୍ଦ୍ଦିଷ୍ଟ ସ୍ଥାନରେ ଉପବେଶନ କଲେ ।

 

ବଳୀୟାର ସିଂହ ପଚାରିଲେ ‘‘ବାହାବଳୀନ୍ଦ୍ରେ ! ତୁମ୍ଭେ ନିଜେ ଯାଇ ଦେଖି ଆସି’ଛତ ?’’ ବାହାବଳୀନ୍ଦ୍ରେ ଉତ୍ତରକଲେ ‘‘ମୁଁ ନିଜେ ଯାଇ ଦେଖି ଆସି’ଛି । ଏଭଳି ଶିକାର, ତୁମ୍ଭେ ଦେଖିବ, ଆମ୍ଭେ ପରା କେବେ ପାଇ ନାହୁଁ । ଯେପରି ଗଛରେ ଅନେକ ଚଢ଼େଇ ଥିଲେ ବାଣୁଆ ବନ୍ଧୁକର ଏକ ଶବ୍ଦରେ ଅନେକ ଗୁଡ଼ିଏ ଚଢ଼େଇ ଲାଭ କରେ ସେହିପରି ଆମର ଏଥରକର ଶିକାରରେ ଅନେକ ପ୍ରକାର ଭୋଗ ମିଳିଯିବ ।’’

 

ବଳୀୟାର ସିଂହ କିଛିକ୍ଷଣ ନୀରବ ଥାଇଁ କହିଲେ ‘‘ତା ହେଲେତ ଅତି ଭଲ କଥା–ଏକା ଯାଗାକେ ସବୁ ଜିନିଷ ପ୍ରଚୁର ପରିମାଣରେ ପାଇଲେ ତହୁଁ ବଳି ଆଉ ଆନନ୍ଦର ବିଷୟ କି ଅଛି ?’’

 

ବାହାବଳୀନ୍ଦ୍ରେ ଉତ୍ତର କଲେ ‘‘ବଳୀୟାର ସିଂହେ ! ଏତେ ପାଇବ ଯେ ଷଣ୍ଢେ ତହିଁରୁ ଛ’ ପଣ ନେଲେବି ବାକୀ ଯାହା ରହିବ ତାହା ବ୍ରାହ୍ମଣ ବୈଷ୍ଣବଙ୍କୁ ଦାନ କରି ସୁଦ୍ଧା ସରିବ ନାହିଁ ।’’

 

ଏହା ଶୁଣି ବଳୀୟାର ସିଂହେ ବିକଟ ହାସ୍ୟ କରି ଚତୁର୍ଦ୍ଦିକ କମ୍ପାଇ ଦେଲେ ଏବଂ ତହିଁ ସଙ୍ଗେ ବାହାବଳୀନ୍ଦ୍ରଙ୍କ ହାସ୍ୟ ମିଳିତ ହୋଇ ଆହୁରି ଭୟାନକ ହୋଇ ଉଠିଲା ।

 

ଏହି ସମୟରେ ଦୁରରୁ ନୌକା ବାହି ଆସିବାର ଶବ୍ଦ ଶୁଣାଗଲା । ବାହାବଳୀନ୍ଦ୍ରେ ସେ ଶବ୍ଦ ଶୁଣି ହଠାତ୍‌ ଉଠି ‘‘ଜୟ ମହାବୀରଙ୍କ ଜୟ’’ ଶବ୍ଦ କରି ବାହାରକୁ ଆସିଲେ । ବଳୀୟାର ସିଂହ ମଧ୍ୟ ତାଙ୍କର ଅନୁକରଣ କରି ବାହାରକୁ ଚାଲି ଆସିଲେ । ତହୁଁ ଉଭୟେ ଧରାଧରି ହୋଇ ଲମ୍ପ ପ୍ରଦାନ କରୁ କରୁ ଯେଉଁ ଆଡ଼ୁ ସେ ଶବ୍ଦ ଶୁଣାଗଲା ସେହି ଆଡ଼କୁ ଆସି ପଠାର ଶେଷ ସୀମାରେ ଦଣ୍ଡାୟମାନ ହେଲେ ।

Image

 

ତୃତୀୟ ପରିଚ୍ଛେଦ

ନୌକାଯାତ୍ରୀ

 

ପ୍ରଥମେ ଶବ୍ଦ ଶୁଣା ଯାଉଥିଲା, କ୍ରମେ କ୍ରମେ କ୍ଷୀଣଭାବରେ ନୌକା ଦୃଷ୍ଟିପଥଗାମିନୀ ହେଲା । ନିର୍ଜ୍ଜନପଠାରେ ନିଃଶବ୍ଦ ରାତ୍ରରେ ଆହୁଲାର ଛପ ଛପ ଶବ୍ଦ ବଡ଼ ସୁନ୍ଦର ଶୁଭୁ ଥିଲା । ପରେ ନୌକା ସଳଖ ବାଟେ ପହୁଞ୍ଚି ଦେଖାଯିବାରୁ ଶ୍ରବଣେନ୍ଦ୍ରିୟର ସେହି ସୁମଧୁର ଭାବ ସଙ୍ଗେ ଉଭୟ ପାର୍ଶ୍ୱସ୍ଥ ଆହୁଲାଦ୍ୱାରା ଉତ୍‌କ୍ଷିପ୍ତ ତରଳ–ରଜତ–ସନ୍ନିଭ ଜଳରାଶି ଧବଳଜ୍ୟେସ୍ନାବାରିରେ ଆପ୍ଳୁତ ହୋଇ ଅଗ୍ନି ଉଦ୍‍ଗୀରଣ କରି ଆସିଲାପ୍ରାୟ ଯେ ଶୋଭା ବିସ୍ତାର କରିଥିଲା ତଦ୍ଦ୍ୱାରା ଦର୍ଶନେନ୍ଦ୍ରିୟ ସୁଦ୍ଧା ଚରିତାର୍ଥ ହେବାରୁ ସେହି ନୌକା ପ୍ରତି ବାହାବଳୀନ୍ଦ୍ର ଓ ବଳୀୟାର ସିଂହଙ୍କ ମାୟା ଚତୁର୍ଗୁଣ ବୃଦ୍ଧି ହେଲା ।

 

ପାଠକେ ବୋଧହୁଏ ଭାଳୁଥିବେ ଏହି ନୌକାରେ ଅବା କେହି ନିତାନ୍ତ ଆମୋଦପ୍ରମୋଦଶୀଳ ଧନୀବ୍ୟକ୍ତି ସଙ୍ଗିଜନ–ସମବୃତ ହୋଇ ପଠାକୁ ଆସୁଅଛନ୍ତି–ଆମୋଦ–ଆହ୍ଲାଦରେ ଦୁଇଘଣ୍ଟା ଅତିବାହିତ କରି ପ୍ରକୃତିର ମନୋହାରିଣୀ ଶୋଭା କଥଞ୍ଚିତ୍‌ପାନ କରତଃ ନୌକାଯାନରେ ନିଜାବାସକୁ ପ୍ରତ୍ୟାବୃତ୍ତ ହେବେ । ବାସ୍ତବରେ ପଠାଟି ଏଡ଼େ ସୁନ୍ଦର ଏବଂ ବନଭୋଜୀ ଓ ଐକାନ୍ତିକ ଆମୋଦପ୍ରମୋଦ ନିମିତ୍ତ ଏଡ଼େ ଉପଯୁକ୍ତ ଯେ ଶୀତକାଳର ଶୀତଳ-ଚନ୍ଦ୍ର-କିରଣସଂଯୁତ ଶୀତ-ରାତ୍ରରେ ସୁଦ୍ଧା କୌଣସି କୌଣସି ପ୍ରମୋଦଶୀଳ ଲୋକକୁ ଭୁଲାଇ ଆଣିବା ବିଚିତ୍ର ନୁହେ । ମଧ୍ୟ ଏଭଳି ସମୟରେ ବେଳେ ବେଳେ ଏପରି ଲୋକଙ୍କୁ ବନ୍ଧୁଜନ ସମାବୃତ ହୋଇ ଏଠାକୁ ଆସି ପାନଭୋଜନ ଓ ସଙ୍ଗୀତଚର୍ଚ୍ଚାରେ ଉନ୍ମତ୍ତ ହୋଇ କ୍ଷଣକାଳ ପାଇଁ ସଂସାର ମାୟାବନ୍ଧନ ଭୁଲିଯିବା ଦେଖା ଯାଇଅଛି । ସେ ଯାହା ହେଉ ଏ ନୌକାରେ ଯଦି ଏଭଳି କେହି ଆସୁଥାନ୍ତି ତାହାହେଲେ ଆମ୍ଭମାନଙ୍କର ଶିକାର ଅନ୍ୱେଷଣକାରୀ ବାହାବଳୀନ୍ଦ୍ର ଓ ବଳୀୟାର ସିଂହଙ୍କ ହାବୁଡ଼େ ପଡ଼ି ଏମାନଙ୍କୁ ବୋଧହୁଏ ଘରକୁ ଆଉ ଫେରି ଯିବାକୁ ହେବ ନାହିଁ । ଦେଖାଯାଉ ନୌକାଯାତ୍ରୀ ମାଲଦୁହିଙ୍କର ଶତ୍ରୁ କି ମିତ୍ର ।

 

ନୌକା ଅତି ଲମ୍ୱ ନୁହେ କି ଅତି ପରିସୃତ ନୁହେ । ମଳଙ୍ଗୀ ନୌକା ପ୍ରାୟ ଏଥିର ଗଠନ, ମାତ୍ର ମଳଙ୍ଗୀନୌକାର ସାଧାରଣ ଚଉଡ଼ାରୁ ଏଥିର ଓସାର ଊଣା । ନଦୀବିଷମ ଏବଂ ପାର୍ବତୀୟ ଅପ୍ରଶସ୍ତ ନଦୀସ୍ରୋତରେ ସ୍ୱଚ୍ଛନ୍ଦରେ ବହିଯିବା ହେତୁ ଅଳ୍ପପରିସର ହୋଇ ଏହା ଗଢ଼ା ଯାଇଅଛି । ଗର୍ଭ ଊଣା ନୁହେ, ବରଂ ସାଧାରଣରେ ମଳଙ୍ଗୀନୌକାର ଯେ ଗର୍ଭ ଦେଖାଯାଏ ଏ ନୌକାର ଗର୍ଭ ତହିଁରୁ କିଛି ଅଧିକ । ଉପରେ ସମୁଦାୟ ପଟତନ ହୋଇଅଛି । ଅନ୍ୟ କୌଣସି ଆବରଣ ନାହିଁ ଏବଂ ନାଉରି ଚାରିଜଣଙ୍କୁ ଛାଡ଼ି ଦଶଜଣ ଲୋକେ ପଟାଉପରେ ବସିଅଛନ୍ତି ।

 

ଯେପରି ଭାବରେ ଆହୁଲା ଭିଡ଼ା ହେଉଅଛି ତହିଁରୁ ସ୍ପଷ୍ଟ ଦେଖାଯାଏ ଯେ ତରଣୀ ତରତର ହୋଇ ଆସୁଅଛି । ଆମ୍ଭେମାନେ ଏତେ କଥାର ଅବତାରଣା କରୁ କରୁ ନୌକା ପଠାର ସନ୍ନିକଟବର୍ତ୍ତିନୀ ହୋଇ ଯାଇଅଛି । ପଠାର ପଶ୍ଚିମପ୍ରାନ୍ତ ଆଉ ପଞ୍ଚାଶ ହାତ । ଏହି ସମୟରେ ନୌକାର ଆହୁଲା ବନ୍ଦ ହେଲା ଏବଂ ନୌକାରୁ ‘‘ଜୟ ମହାବୀରଙ୍କ ଜୟ’’ ଶବ୍ଦ ଉଥିତ ହେଲା ।

 

ସେହି ଶବ୍ଦ କର୍ଣ୍ଣକୁହରରେ ପହୁଞ୍ଚିବା ମାତ୍ରକେ ବାହାବଳୀନ୍ଦ୍ର ଓ ବଳୀୟାର ସିଂହ ଜୋର୍‍ରେ ଲମ୍ପ ପ୍ରଦାନ କରି ‘’ଜୟ ମହବୀର କି ଜୟ’’ ଶବ୍ଦ କଲେ । ତହିଁର ଅବ୍ୟବହିତପରେ ପୁନର୍ବାର ସେହି ଜୟଧ୍ୱନି ନୌକାରୁ ଉଥିତ ହେଉଁ ହେଉଁ ନୌକା ପଠାପାର୍ଶ୍ୱେ ଉପନୀତା ହେଲା । ନାଉରିମାନେ ନୌକା ଉପରୁ ଦଉଡ଼ି ପକାଇ ଦିଅନ୍ତେ ଆମ୍ଭମାନଙ୍କର ପରିଚିତ ମାଲଦ୍ୱୟ ସେ ଦଉଡ଼ି ଧରି ନୌକାକୁ କୂଳେ କୂଳେ ନେଇ ପଠାର ଉତ୍ତର ଦିଗସ୍ଥ ବଟବୃକ୍ଷ ମୂଳେ ବାନ୍ଧି ଦେଲେ ।

 

ପାଠକଙ୍କର ଆଉ ସନ୍ଦେହ ନାହିଁ; ଏମାନେ ଆମ୍ଭମାନଙ୍କର ପୂର୍ବ ପରିଚିତ ମାଲଦ୍ୱୟଙ୍କର ଦଳଭୁକ୍ତ । ଯେଉଁ ଦଶଜଣ ଲୋକେ ତହିଁଉପରେ ବସିଥିଲେ ସେମାନଙ୍କ ମଧ୍ୟରୁ ଆଠ ଜଣ ମାଲ, ଏବଂ ସେମାନେ ବଳରେ ବାହାବଳୀନ୍ଦ୍ର ଓ ବଳୀୟାର ସିଂହଙ୍କର ସମ୍ପୂର୍ଣ୍ଣ ସମକକ୍ଷ ନ ହେଲେ ସୁଦ୍ଧା ଘଣ୍ଟାଏ କାଳ ତାଙ୍କୁ ଅଟକାଇ ପାରିବାର ଶରୀରରେ ବଳ ରଖି ଅଛନ୍ତି; ଦେଖିବାକୁ ସେହିପରି–କେହି କେହି ଆଉ ବର୍ଷେ ଛମାସ ଉତ୍ତାରୁ ଉପରୋକ୍ତ ମାଲଦ୍ୱୟଙ୍କ ସଙ୍ଗେ ସମ୍ପୂର୍ଣ୍ଣରୂପେ ଲଢ଼ିବାକୁ ସକ୍ଷମ ହେବେ ।

 

ଆଉ ନାଉରି ? ସାକ୍ଷାତ୍‌ ଦିକ୍‌ପାଲ୍‌ ମୂର୍ତ୍ତି । ଆପଣମାନେ ବିଦ୍ୟାର୍ଜନ କରି ରୁଗ୍ଣଶଯ୍ୟା ଅଥବା କ୍ଷୀଣକଳେବରରେ ଦିନପାତ କରୁଅଛନ୍ତି । ଖାଇବାକୁ ଗଲେ କ୍ଷୁଧା ନାହିଁ । ବନ୍ଧୁସୁହୁନ୍ନିମିତ୍ତ ପର୍ବରେ ଆମନ୍ତ୍ରଣ ହେଲେ ବେଳସୁଁ ଯାଇ ଶରୀର ଅସୁସ୍ଥ ଥିବା କହି କ୍ଷମା ପ୍ରାର୍ଥନା କରି ଆସିବେ-। ଚାଲିବାର ତେତେ ପରାକ୍ରମ ନାହିଁ । କୋଶକ ବେଟେ ବନ୍ଧୁ ମରି ଯାଉଥିଲେ ସୁଦ୍ଧା ଯାନାଭାବେ ଯାଇ ଦେଖି ଆସିପାରିବେ ନାହିଁ । କବିରାଜ ପରାମର୍ଶ ମତେ ସକାଳସନ୍ଧ୍ୟା ନଦୀକୂଳକୁ ଯାଇ ଅଥବା ଫୁଲବଗିଚା ଇତ୍ୟାଦିରେ ଟିକିଏ ବୁଲି ଆସିଲେ ସେହିଟା ସୁଦ୍ଧା ସ୍ପର୍ଦ୍ଧାର ବିଷୟ ହୋଇଯାଏ-। ପୁଷ୍କରିଣୀରେ ଜଳକେଳି କରିବାକୁ ଯାଇ ସମାନ୍ୟ ହୁଲି ଖଣ୍ଡକରେ କାତ ପକାଇ ଚାରିଦିନ ଶଯ୍ୟାଗତ ହେବେ । ନାଉରି କି ସେଭଳି ? ପାଠକେ ! ଏହିଠାରେ କାୟିକ ଓ ମାନସିକ ପରିଶ୍ରମର ତାରତମ୍ୟ ଦେଖି ନିଅ । ଆଜିକାଲି ପ୍ରାୟ ସ୍କୁଲରେ ପାଠ ପଢ଼ି ଘ୧୮ଣ୍ଟା ପାଠ ଘୋଷି ସାରିଲା ଉତ୍ତାରୁ ଘଣ୍ଟାଏ କାଳ ସ୍କୁଲସଂଲଗ୍ନ ଖେଳଘରେ କ୍ରିକେଟ ଇତ୍ୟାଦି ଖେଳି ଯେଉଁ ବାଳକ କାୟିକ ପରିଶ୍ରମର ସ୍ପର୍ଦ୍ଧା କରେ ସେ କି ଏ ବଳ ପାଇବ ? ଯେ ଲାଜୁକ-ବଦନ ଚାଉଳର ଭାତ ଖାଇ ଲମ୍ୱକୁଞ୍ଚ ପକାଇ ବୁଲେ ତାକୁ ଏ ବଳ ମିଳିବ ? ଏ ନାଉରିମାନଙ୍କର ଏତେ ବଳ ଯେ ଚାରିଜଣ ଲୋକ ଦୁଇ ଖଣ୍ଡି ଆହୁଲାରେ ବେଳେ ବେଳେ ଅଗ୍ନିବୋଟଠାରୁ ଦ୍ରୁତବେଗରେ ସ୍ରୋତହୀନ ସ୍ଥାନରେ ନୌକା ଚଳାଇ ପାରନ୍ତି । କେବଳ ମୋଟ ଖାଇ ମୋଟ ପନ୍ଧି ଏତକ ବଳ ସଞ୍ଚୟ କରି ଦୀର୍ଘଜୀବନ ଭୋଗ କରୁଅଛନ୍ତି । ତାହା କାମ୍ୟ କି ନା ସେ କଥା ଆମ୍ଭର କହିବାର ପ୍ରୟୋଜନ ନାହିଁ । ଆଉ ଦୁଇଜଣ ରହିଗଲେ । ଏହାଙ୍କ ମଧ୍ୟରୁ ଜଣେ ଦଳପତି–ନାମ ରଘୁନାଥ, କରଣ କୂଳରେ ମହାନ୍ତି ଘରେ ଜନ୍ମଗ୍ରହଣ କରି ଷଣ୍ଢଙ୍କଠାରୁ ପଟ୍ଟନାୟକ ଉପାଧି ଘେନି ଡକାଇତଙ୍କ ଦଳପତି ପଦରେ ବରିତ ହୋଇଅଛନ୍ତି । ରୂପ ଦେଖିବାକୁ ସୁନ୍ଦର; ଚମ୍ପକ ପୁଷ୍ପ ପ୍ରାୟ ଶରୀର କାନ୍ତି, ଉନ୍ନତ ଲଲାଟ, ସୁଗାଲ-ଉନ୍ମତ-ନାସିକାର ଅଗ୍ରଭାବ କବିବର୍ଣ୍ଣିତ ଶୁକ-ଚଞ୍ଚୁ ପ୍ରାୟ, ଚକ୍ଷୁ ଦେଖିଲେ ଯେପରି କାନ ଆଡ଼କୁ ଈଷତ୍‌ଟଣା ହେଲାପରି ଜଣା ଯାଇ ସେ ମୁଖମଣ୍ଡଳକୁ ଦିବ୍ୟସୌନ୍ଦର୍ଯ୍ୟ ପ୍ରଦାନ କରୁଅଛି । ପୁଣି ତହିଁ ଉପରେ ସୁନ୍ଦର ହୃଦୟ ତାହାକୁ ଆହୁରି ଅଲୌକିକ କରିଅଛି । ତାଙ୍କର ଦୀର୍ଘ ବାହୁ, ନାତି-ସ୍ଥୂଳ ବକ୍ଷ ଏବଂ ସୁନ୍ଦର ଶୁଶ୍ରୁରାଜି ଦେଖିବାକୁ ବଡ଼ ସୁନ୍ଦର । ସ୍ଥୂଳରେ ତାଙ୍କର ବର୍ଣ୍ଣ ଯେପରି ମନୋହର ଶରୀରର ଗଠନ ତହିଁକି ଶୋଭନୀୟ ହୋଇଅଛି ଏବଂ ଦେଖିଲେ ବ ୩୦ ର୍ଷ ବୟସରୁ ଅଧିକ ବୋଲି କଦାଚ ବୋଲା ଯିବନାହିଁ । ସ୍ୱଭାବ ଅତି ଅମାୟିକ-। କେବଳ ପାଞ୍ଚବର୍ଷ ହେଲା ପତ୍ନୀ-ବିୟୋଗଜନିତ ଦୁଃଖ ଘଟିଥିବାରୁ ମନରେ ଯେ ଗଭୀର ଦୁଃଖ ଜାତ ହୋଇଥିଲା ତହିଁର କଳଙ୍କରେଖା ଈଷତ୍‌ ସ୍ପଷ୍ଟଭାବେ ଉନ୍ନତ ଲଲାଟରେ ଟଣା ହେଲାପରି ଦେଖାଯାଏ । ଏଭଳି ସୁନ୍ଦର ପୁରୁଷ ଡକାଇତ-ଦଳପତି ହୋଇ ଲୋକନିନ୍ଦିତ ବୃତ୍ତିରେ ପରିଚାଳିତ ହେବା ଅବଶ୍ୟ ଆଶ୍ଚର୍ଯ୍ୟର ବିଷୟ ଅଟେ । ତେବେ ‘‘କାଳସ୍ୟକୁଟିଳା ଗତିଃ’’ । ସେଥିକି ଆୟତ୍ତ କାହାର ?

 

ଅପର ଜଣକର ନାମ ମାୟାଧର । ମାୟାଧର ରଘୁନାଥଙ୍କ ସହକାରୀ । ସେ ମଧ୍ୟ କରଣକୁଳରେ ଜନ୍ନଗହଣ କରିଅଛନ୍ତି । ଷଣ୍ଢଙ୍କଠାରୁ ଉପାଧି ପାଇବାର କଥା କି ବୋଲିବୁ ତାଙ୍କୁ ଠକ ଶିରୋମଣି ପଦ ସ୍ୱଚ୍ଛନ୍ଦରେ ଦିଆା ଯାଇପାରେ । ଷଣ୍ଢେ ଏହାଙ୍କୁ ମାମୁ ବୋଲି ଡାକନ୍ତି–ଅର୍ଥାତ୍‌ ଦୁର୍ଯ୍ୟୋଧନଙ୍କ ଶକୁନି ମାମୁ ! ବର୍ଣ୍ଣ ତ୍ରିପଣ୍ଡକୃଷ୍ଣ ଅଥଚ କରଣକୁଳରେ ଭଦ୍ରବଶରେ ଜାତ ହୋଇଥିବାରୁ ସେ କୃଷ୍ଣବର୍ଣ୍ଣର ସୁଦ୍ଧା ଲାଳିତ୍ୟ ବିଦ୍ୟାମନ ଅଛି । ମୁଖଭଙ୍ଗୀ ଅଧିକ ବର୍ଣ୍ଣନା କରିବାର କୌଣସି ପ୍ରୟୋଜନ ନାହିଁ–ତାହା ଦେଖିଲେ କୁଟିଳାନ୍ତଃକରଣର ସ୍ପଷ୍ଟ ପରିଚୟ ମିଳଇ । ବିଧାତା ପ୍ରକୃତରେ ଯାହାକୁ ଯେପରି ମନ ଦେଇ ଅଛନ୍ତି ତାହାକୁ ସେହିପରି ସୌନ୍ଦର୍ଯ୍ୟା ସୌନ୍ଦର୍ଯ୍ୟ ସୁଦ୍ଧା ପ୍ରଦାନ କରିଅଛନ୍ତି । ବୈଲକ୍ଷଣ୍ୟ ଯାହା ବେଳେ ବେଳେ ସଂସାରରେ ଦେଖାଯାଏ ତାହା ଅତି ଅଳ୍ପ ।

 

ପାଠକେ ଆମ୍ଭମାନଙ୍କ ଉପରେ ବଡ଼ କ୍ରୋଧପରବଶ ହୋଇଥିବେ । କେବଳ ବର୍ଣ୍ଣନ ବର୍ଣ୍ଣନାରେ ଗୋଟିଏ ପରିଚ୍ଛେଦ ଚାଲି ଗଲା ଅଥଚ ଯେ ବିଷୟର ଅବତାରଣା ହୋଇଥିଲା । ତାହା ଫେଡ଼ା ହେବା ପକ୍ଷେ ବିଳମ୍ୱ ହେଲା ଆମ୍ଭେ ଅବା କି କରିବୁଁ ? ଏ ବର୍ଣ୍ଣନାଗୁଡ଼ିକ ଯେ କେବଳ ଉପନ୍ୟାସର ଅଙ୍ଗ ପୂରଣ କରିବା ନିମିତ୍ତ ଲିପିବଦ୍ଧ ହେଲା ତାହା ନୁହେ । ଆଗକୁ ଯାହା ବୋଲାଯିବ ତାହା ପାଠକମାନଙ୍କୁ ବିଶେଷ ବୋଧଗମ୍ୟ କରାଇବା ଅଭିପ୍ରାୟରେ ଏ ସବୁ କହିବାକୁ ପଡ଼ିଲା ।

Image

 

ଚତୁର୍ଥ ପରିଚ୍ଛେଦ

ସମ୍ଭାଷଣ

 

ସମ୍ଭାଷଣ ? ଡକାଇତଙ୍କ ମଧ୍ୟରେ ପୁଣି ସମ୍ଭାଷଣ ? ପାଠକେ ଆପଣମାନଙ୍କ ନିକଟରେ ଯେଉଁ ସାଦରସମ୍ଭାଷଣ ସୁପରିଚିତ ଏହା ସେପରି ସମ୍ଭାଷଣ ନୁହେ ସତ୍ୟ, ମାତ୍ର ପ୍ରବାଦ ଅଛି ଚୋରରେ ଚୋରରେ ଭାରୀ ମନମିଳେ, ସୁତରାଂ ଡକାଇତମାନେ ପରସ୍ପର ମନକୁ ମନ ମିଳାଇ ଯେଉଁ କଥୋପକଥନ କଲେ ତହିଁକି ଅବା ସମ୍ଭାଷଣ ଶବ୍ଦ କାହିଁକି ଅନୁପଯୁକ୍ତ ହେବ ? ତେବେ ଅବଶ୍ୟ ସେ ଶବ୍ଦଟାପ୍ରତି ଆପଣଙ୍କର ଯେ ମାୟାଅଛି ତହିଁରେ ଆପଣମାନେ ଆମ୍ଭଙ୍କୁ ଏପରି ଭାବରେ ତାହାକୁ ବ୍ୟବହାର କରିବାକୁ ଅନୁମତି ଦେବେ ନାହିଁ-ଆମ୍ଭେ ଏହା ବୁଝିଅଛୁଁ ।

 

ଗଛରେ ନୌକା ବନ୍ଧା ହେଲା ଉତ୍ତାରୁ ସମସ୍ତେ ତହିଁରୁ ଅବତୀର୍ଣ୍ଣ ହେଲେ । ରଘୁନାଥ ଓହ୍ଳାଇ ଆସି ବାହାବଳୀନ୍ଦ୍ରଙ୍କ ହାତ ଧରି ଆଗଭର ହୋଇ ମହାବୀରଙ୍କ ଦେଉଳ ଆଡ଼କୁ ଚାଲିଗଲେ । ଯିବା ସମୟରେ ଉଭୟଙ୍କ ମଧ୍ୟରେ ଏହିରୂପ କଥାବାର୍ତ୍ତ ହୋଇଥିଲା :–

 

ରଘୁ–ବାହାବଳୀନ୍ଦ୍ର ! ଆମ୍ଭେ ତୁମ୍ଭଙ୍କୁ ଅତ୍ୟନ୍ତ କାର୍ଯ୍ୟଦକ୍ଷ ବୋଲି ମନେ କରୁଁ, ମଧ୍ୟ ତୁମ୍ଭେ ସର୍ବଦା ସେଥିର ସୁନ୍ଦର ପରିଚୟ ଦେଇ ଆସିଛ । ଆଜି ଯେପରି ବନ୍ଦୋବସ୍ତ ହେବାର ପରାମର୍ଶ ହୋଇଥିଲା ତାହା ସବୁ ଠିକ୍‌ ଅଛି ତ ?

 

 

ବାହା–ପରାମର୍ଶ ଅନୁଯାୟୀ ସବୁ ବନ୍ଦୋବସ୍ତ ଠିକ୍‌ ଅଛି । ତରିତୋ ଏବଂ ରଘୁନାଥପୁର ଠାରେ ଯେପରି ଆୟୋଜନ ହେଉଥିବାର ଆମ୍ଭେ ଦେଖି ଆସିଛୁଁ ଆମ୍ଭର ସମ୍ପୂର୍ଣ୍ଣ ବିଶ୍ୱାସ ଆମ୍ଭେମାନେ ପହୁଞ୍ଚିଲା ବେଳକୁ ସମସ୍ତ ପ୍ରସ୍ତୁତ ହୋଇ ରହିଥିବ ।

 

ରଘୁ–ତୁମ୍ଭେ ଆଜି ରଘୁନାଥପୁରରୁ କେତେବେଳେ ବାହାରିଥିଲ ?

 

ବାହା–ବେଳ ଦୁଇଘଡ଼ି ବାକୀ ଥିଲା । ଛଞ୍ଚାଣ ସିଂହେ କହିଲେ ରଘୁବାବୁ ଆସି ଯେବେ ତାଙ୍କର ବିଳମ୍ବ ହୋଇଥିବା ନ କହିବେ ତେବେ ମୁଁ ମୁଛ କାଟି ପକାଇବି ।

 

ରଘୁ–ଉତ୍ତମ । ଚଞ୍ଚାଣ ସିଂହେ ବଡ଼ ନିପୁଣ । ଆମ୍ଭର କାହିଁକି ବିଳମ୍ୱ ହେବ ? ତୁମ୍ଭେ ଅବଶ୍ୟ ତରିତୋ ହୋଇ ଆସିଥିବ ।

 

ବାହା–ଆପଣଙ୍କ ଆଦେଶ କି ବ୍ୟର୍ଥ ହେବାର ? ଆମ୍ଭେ ସେହି ବାଟେ ଆସିଲୁଁ ।

 

ରଘୁ–ସର୍ଦ୍ଦାର ସିଂହେ କି କହିଲେ ?

 

ବାହା–ସର୍ଦ୍ଦାର ସିଂହ ବଡ଼ ପ୍ରଭୁଭକ୍ତ; ଆପଣଙ୍କର ବନ୍ଦୋବସ୍ତ ଶୁଣି ସେ ଭାରୀ ଖୁସି ହୋଇଥିଲେ । ଆମ୍ଭଙ୍କୁ ଦେଖି କୁଦାଟାଏ ମାରି କହିଲେ ‘ଦେଖ ରଘୁବାବୁଙ୍କ ପରି ପରାମର୍ଶ ଆମ୍ଭେମାନେ କାହାରିଠାରୁ ପାଇ ପାରିବା ନାହିଁ । ନୋହିଲେ କି ଷଣ୍ଢେ ତାଙ୍କୁ ଏଡ଼େ ବଡ଼ ପଦ ଦେଇଥାନ୍ତେ ?’ ସେ କହିଲେ ରାତ୍ର ପ୍ରହରକ ସରିକି ତାଙ୍କ ଉପରେ ଯେ ସବୁ ଦ୍ରବ୍ୟ ସଂଗ୍ରହ କରିବାର ଭାର ଅଛି ସବୁ ଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହୁଞ୍ଚିଥିବ-

 

ରଘୁ–ଲୋକବାକ ?

 

ବାହା–ସେ କଥା ମୁଁ ସର୍ଦ୍ଦାର ସିଂହଙ୍କୁ ପଚାରିଥିଲି ସେ କହିଲେ ସେଥିପାଇଁ ଭାବନା ନାହିଁ । ସେ ନିଜେ ଯାଇ ଛଞ୍ଚାଣ ସିଂହଙ୍କ ସଙ୍ଗେ ସାକ୍ଷାତ୍‌ କରି ଊଣା ଅଧିକ ସବୁ ତୁଲ କରିଦେବେ-

 

ରଘୁ–ତେବେ ଆମ୍ଭମାନଙ୍କର ଏଆଡ଼ୁ କୌଣସି ଆୟୋଜନ କରିବାର ଆବଶ୍ୟକ ନାହିଁ-?

 

ବାହା–ନା, ଉଭୟ ଛଞ୍ଚାଣ ସିଂହେ ଓ ସର୍ଦ୍ଦାର ସିଂହେ ମନା କରିଛନ୍ତି । ସେମାନେ କହିଲେ ଆମ୍ଭ ଘାଟ ନିକଟରେ ନାଟ ହେବ । ଆମ୍ଭେ ସେଥିର ସବୁ ଆୟୋଜନ ନ କରିବା କାହିଁକି-? ରଘୁ ବାବୁ ଯେବେ ଆମ୍ଭର ତିଳେ ଦୋଷ ବାହାର କରିଦେବେ ତେବେ ଆମ୍ଭେ ଆପଣା ହାତେ ବାହୁ କାଟି ପକାଇବୁଁ ।

 

ରଘୁ–ଭଲ, ତୁମ୍ଭେ ଆସି ଏଠି କେତେବେଳେ ପହୁଞ୍ଚିଲ ?

 

ବାହା–ରାତ୍ର ତିନିଘଡ଼ିଠାରେ ।

 

ରଘୁ–ନାଟ ସ୍ଥାନକୁ ଯାଇଥିଲ ? ସେଠିତ କିଛି ଅଡ଼ୁଆ ଦେଖିନାହ ?

 

ବାହା–ରଘୁନାଥପୁରରୁ ଆସିବା ସମୟରେ ଲୋଭ ସମ୍ଭାଳି ହେଲା ନାହିଁ । ନାଟ ସ୍ଥାନକୁ ଯାଇଁ ପୁଣି ଥରେ ଉତ୍ତମରୂପେ ସବୁ ଦେଖି ପରୀଷା କରିଆସିଛି–କିଛି ଅଡ଼ୁଆ ନାହିଁ ।

 

ରଘୁ–ବଳୀଆର ସିଂହଙ୍କୁ କହିଥିଲ ? ତାଙ୍କର କି ମତ ?

 

ବାହା–ତାଙ୍କର ଆଉ କି ମତ ? ଆପଣଙ୍କର ବନ୍ଦୋବସ୍ତରେ କି କାହାରି ଦୋଷ ବାଛିବାର କ୍ଷମତା ଅଛି ? ବଳୀୟାର ସିଂହଙ୍କୁ ଆମ୍ଭେ ସବୁ କହି’ଛୁଁ । ସେ ଶୁଣି ବାହୁରେ ତାଳ ଠୁଙ୍କି ନାଚି ଉଠିଲେ–ଶିକାର ଧରିବାକୁ ଏକାନ୍ତ ପ୍ରସ୍ତୁତ ।

 

ଠିକ୍‌ ସଳଖ ବାଟେ ମହାବୀରଙ୍କ ମନ୍ଦିରକୁ ଯାଇଥିଲେ ଏତେ କଥା ହେବାକୁ ବାଟ ନିଅଣ୍ଟ ଥିଲା । ପଠାର ପଶ୍ଚିମ କୂଳେ କୂଳେ ବୁଲି ବୁଲି ଆଗେ ଆଗେ ରଘୁନାଥ ଓ ବାହାବଳୀନ୍ଦ୍ର ଓ କିଛି ଛଡ଼ାରେ ତାଙ୍କ ପଛେ ଦଳର ଅନ୍ୟାନ୍ୟ ସମସ୍ତ ଲୋକେ ଯାଇ କ୍ରମେ କ୍ରମେ ମହାବୀରଙ୍କ ମନ୍ଦିରରେ ପହୁଞ୍ଚିଲେ । ସେଠାରେ ପହୁଞ୍ଚିଲାରୁ ରଘୁନାଥ ସମସ୍ତଙ୍କୁ ବସାଇ କହିଲେ ‘‘ଦେଖ ଆଉ ସମୟ ନାହିଁ । ଶୀଘ୍ର ଭୋଜନ ସାର । ତେଣେ ବନ୍ଦୋବସ୍ତ ଠିକ୍‌ଅଛି । ବିଳମ୍ୱ ହେଲେ କାର୍ଯ୍ୟରେ ବ୍ୟଘାତ ହେବ ।’’

 

ନୌକାରେ ଖାଦ୍ୟର ଅଭାବ ନ ଥିଲା । ଚୁଡ଼ା ଠାରୁ ଚାଉଳ ପର୍ଯ୍ୟନ୍ତ ଏବଂ ଲୁଣ ଠାରୁ ମରୀଚ ପର୍ଯ୍ୟନ୍ତ ସମସ୍ତ ସଂଗୃହୀତ ହୋଇ ରହିଅଛି । ଡକାଇତମାନଙ୍କର ଆଜି ଆଉ ରନ୍ଧା ହେଲା ନାହିଁ । ଅଭିଷେକ ପୂର୍ଣ୍ଣିମା ରାତ୍ରରେ ଭାତ ଖାଇବାଟା ଭଲ ନୁହେ, ଏହା ଆଗହୁଁ ସିଦ୍ଧାନ୍ତ ହୋଇଥିଲା । ତହୁଁ ନୌକାରୁ ଜଳପାନ ଅଣାଇ ସମସ୍ତେ ଉଦର ପୂରାଇ ଭୋଜନ କଲେ । ଭୋଜନ ସମୟରେ କେତେ ରଙ୍ଗ ରହସ୍ୟ ହେଲା । ବିନା ପ୍ରଦୀପରେ ଚନ୍ଦ୍ରାଲୋକରେ ବିଜନସ୍ଥାନରେ ଏକତ୍ର ବସି ଏ ଯେଉଁ ଆମୋଦ–ପରିପୂର୍ଣ୍ଣ ଭୋଜନ ହେଲା ତହିଁକି ଦୀପମାଳା–ଖଚିତ ପ୍ରଶସ୍ତ ଦ୍ୱିତଳଗୃହରେ ଧନାଢ଼୍ୟ ବ୍ୟକ୍ତିଙ୍କର ଭୋଜନ କି କେବେ ସରି ହୋଇ ପାରେ ? ପ୍ରକୃତରେ ଉପଯୁକ୍ତ କ୍ଷୂଧା ନିବାରଣଦ୍ୱାରା ଭୋଜନରେ ଯେଉଁ ଅମୁଲ୍ୟତୃପ୍ତି ଜନ୍ମେ ତାହା ଧନବାନ୍‌ ବ୍ୟକ୍ତି କାହୁଁ ପାଇବେ ? ରତ୍ନମୟୀ ପୃଥିବୀରେ ଇନ୍ଦ୍ରିୟସୁଖଭୋଗ ନିମିତ୍ତ ନାନାପ୍ରକାର ଦ୍ରବ୍ୟମାନଙ୍କରେ ପରିପୂରିତା ହୋଇ ରହିଅଛି । ଲୋକଙ୍କ ରୁଚି ଓ କଳ୍ପନା ମଧ୍ୟ ସେ ସବୁ ସଂଗ୍ରହକରି ନାନାପ୍ରକାରରେ ଭୋଗ କରିବାର ବିଧି ନିର୍ଦ୍ଧିଷ୍ଟ କରିଅଛି, ମାତ୍ର ତହିଁକି ମନ ନୋହିଲେ ସେ ସବୁ ଅତି ତୁଚ୍ଛକର । ଯେଉଁମାନେ ଖଟପଲଙ୍କରେ ଶୋଇ ସର୍ବଦା ସୁଖାନ୍ୱେଷଣ କରିବେ ସେମାନେ ତାହା କାହୁଁ ପାଇବେ ? ପୃଥିବୀର ନିୟମ କି ଏଡ଼େ ସରଳ ! ସୁଖ ଖୋଜି ନେବା ଏତେ ସହଜ ହୋଇଥିଲେ ଭାବନା କି ଥିଲା ? ବାସ୍ତବରେ ପରିଶ୍ରମ ମଧ୍ୟରେ ସମୁଦାୟ ସୁଖ ନିହିତ ଅଛି-। ବିନା ପରିଶ୍ରମରେ କୌଣସି ସୁଖ ଆୟତ୍ତ ହେବାର ନୁହଇ । ଡକାଇତି ହେଲେ କି ହେଲା–ବର୍ତ୍ତମାନ ସେମାନେ ମୋଟ ଚୂଡ଼ା ଇତ୍ୟାଦି ଖାଇ ଯେଉଁ: ସ୍ୱର୍ଗୀୟ ସୁଖ ଉପଭୋଗ କଲେ ଧନବାନ ବ୍ୟକ୍ତି ପ୍ରିୟତମା ଭାର୍ଯ୍ୟାର କମନୀୟକରସଞ୍ଚାଳିତ ବ୍ୟଜନ ସାହାଯ୍ୟରେ ମନୁଷ୍ୟ–କଳ୍ପନା–ସୃଷ୍ଟ ଅଭତ୍କୃଷ୍ଟ ଦ୍ରବ୍ୟ ଖାଇ ସୁଦ୍ଧା ସେ ସୁଖର କଣିଚାଏ ପାଇ ନ ପାରନ୍ତି ।

 

ଭୋଜନ ଶେଷ ହେଲା । ପଠାର ପ୍ରାନ୍ତ ସୀମାସ୍ଥ ପଥରକୁ ଯାଇ ସମସ୍ତେ ଆଗମନ ଓ ଜଳପାନ କଲେ । ତହୁଁ ପୁନର୍ବାର ଆସି ମହାବୀରଙ୍କ ସମ୍ମୁଖରେ ଠିଆ ହୋଇ ‘‘ଜୟ ମହାବୀରକି ଜୟ’’ ଶବ୍ଦ ଉଚ୍ଚାରଣ କରି ମହାବୀରଙ୍କୁ ଦଣ୍ଡବତ୍‌ ପ୍ରଣାମ କଲା ପରେ ତାଙ୍କ ସମ୍ମୁଖରୁଁ ଧୂଳି ନେଇ କପାଳରେ ଲଗାଇ ମାଲଖେଳ କରୁ କରୁ ନୌକାକୁ ଆସିଲେ ।

 

ନୌକାରେ ବସି ଇଚ୍ଛାମତ କେହି ପାନ କେହି ତମାଖୁ ସେବାରେ ନିରତ ହେଲେ । ଦଳପତି ପଟ୍ଟନାୟକ ମହାଶୟ ନାଉରିମାନଙ୍କୁ ନୌକା ଖୋଲି ଦେଇ ସେ ରାତ୍ରର ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବା ପାଇଁ ଆଦେଶ ପ୍ରଦାନ କଲେ ।

 

ଆଦେଶ ପ୍ରଦାନ କରିବା ମାତ୍ରକେ ନୌକା ଖୋଲା ହେଲା । ଡକାଇତମାନେ ନୌକା ଉପରେ ଥାଇ ପୁନର୍ବାର ‘‘ଜୟ ମହାବୀରକି ଜୟ’’ ଶବ୍ଦ କରି ଆକାଶ କମ୍ପାଇ ଦେଲେ ଏବଂ ନାଉରିମାନେ ନୌକାକୁ ପଠାରୁ କିଞ୍ଚତ୍‌ ଛଡ଼ାଇ ନେଇ ଗୀତ ଗାଇ ସଜୋରେ ଆହୁଲା ପକାଇଲେ-। ନୌକା ତୀରବେଗରେ ଧାବିତ ହେଲା ।

Image

 

ପଞ୍ଚମ ପରିଚ୍ଛେଦ

ଦୁଇଭଗିନୀ

 

‘‘ଅପା, ଶୁଣିଚୁ ଆଜି ରୋଷନି ଏବାଟେ ଯିବ ?’’

 

‘‘ହଁ ଲୋ ଶୁଣିଚି । –ତୁ କା’ଠୁ ଶୁଣିଲୁ ?’’

 

‘‘ବାପା କହୁଥିଲେ ଆମ ଦାଣ୍ଡ ବାଟେ ରୋଷନି ଯିବ । ଭଲ ଭଲ ବାଣ ମାରିବ । କେତେ ଜାତି ବାଇଦ ବାଜିବ । –ଅପା, ପୁଷ ମାସଟାରେ କାହାର ବାହାଘର ?’’

 

‘‘ବାହାଘର ? ତୋର ପରା ବର ଆସିବ ?’’

 

‘‘ହଁ ସତେ କହନି ଅପା, କେମନ୍ତେ ଅଡ଼ୁଆ ଲାଗୁନାହିଁ ?’’

 

‘‘ନାହିଁ ଲୋ ବର ନୁହେ କି ବାହାଘର ରୋଷନି ନୁହେ । ସୁବାଦାରଘର ଅଭିଷେକ ହେବ ।’’

 

‘‘ଅଭିଷେକ କ’ଣ ହବ ମ ?’’

 

‘‘କି ଲୋ ଆଜି ପୁଷ ପୁନେଇଁ ? ତୋର ମନେ ନାହିଁକି ? ରାଜାଙ୍କ ଘରେ ଗଦିରେ ବସିବାର ମଉଛୁବ ହୁଏ । ରୋଷନି ନାଟରଙ୍ଗ, କେତେଭଳି ହୁନ୍ଦର କରନ୍ତି ?’’

 

‘‘ଏଠି ସୁବାଦାର ଅଛନ୍ତି ?’’

 

‘‘ମୁ ତୋତେ ବୁଝେଇ ପାରିବି ନାହିଁ । ସୁବାଦାର ଥିଲେ ନିଜେ ବୁଲନ୍ତେ । ତାଙ୍କ ଚିଟାଉ ଆସିଚି । ନାଏବ ପାଲିଙ୍କି ଚଢ଼ି ରୋଷନି କରି ବୁଲିବେ–ଦେଖିବୁ ସେ କେମନ୍ତ ସୁନ୍ଦର । ତୋର ପରା ତାଙ୍କୁ ବାହା ହବାକୁ ମନ ହେବ !’’

 

‘‘ହଁ କେତେ ଟାହୁଲି କରୁଚୁ । ଅପା, ରୋଷନି କେତେ ରାତିରେ ଆସିବ ?’’

 

‘‘ଆସୁ ଆସୁ ଦଶଘଡ଼ି ତିନି ପହର ରାତି ହବ ।’’

 

‘‘ତେବେ ମୁଁ ଯାଉଚି । ଖାଇ ଆସି ତୋ’ରି କତିରେ ଶୋଇବି । ମୋତେ ଉଠେଇବୁ ତ-?’’

 

‘‘ହଉ ।’’

 

ଯେତେବେଳେ ରଘୁନାଥ ପଟ୍ଟନାୟକଙ୍କ ଆଦେଶକ୍ରମେ ଡକାଇତମାନେ ନନ୍ଦିକେଶରୀ ପଠାରୁ ସଜୋରେ ନୌକା ଚଳାଇ ଦେଲେ ଠିକ୍‍ ସେହି ସମୟରେ ନବଗ୍ରାମନିବାସି ରାଧାଗୋବିନ୍ଦ ଚୌଧୁରୀଙ୍କ ଘରେ ଏକ ନିଭୃତ ସ୍ଥାନରେ ବସି ଦୁଇଗୋଟି ଅଳ୍ପବୟସ୍କା ରମଣୀ ଏହିପରି କଥାବାର୍ତ୍ତା କରୁଥିଲେ । ପଲ୍ଲିଗ୍ରାମମାନଙ୍କରେ ରାତ୍ରପ୍ରହରକ ମଧ୍ୟରେ ପ୍ରାୟ ଖିଆପିଆ ଶେଷ ହୋଇ ଯାଏ । ତହି ଉତ୍ତାରୁ ପଲ୍ଳିଗ୍ରାମର ଦୃଶ୍ୟ ଭୟାନକ ହୋଇ ପଡ଼େ । ପ୍ରହରେ ପାଞ୍ଚଘଡ଼ି ରାତ୍ରକୁ ଗଲେ ଦେଖିବ ଗ୍ରାମଟି ଜନମନୁଷ୍ୟ-ଶବ୍ଦ-ବିହୀନ ଗୃହମୟ ଶଶାନ ଯେମନ୍ତ କୌଣସି ମାୟାବିନୀର ମାୟାମନ୍ତ୍ରରେ ମୁଗ୍ଧ ହୋଇ ଲୋକେ ଘରେ ଅଚେତନବତ୍‌ପଡ଼ି ଅଛନ୍ତି, ଆଉ ଦାଣ୍ଡକୁ ବାହାରିବାର ଶକ୍ତି ନାହିଁ ଯେମନ୍ତ ମାୟାବିନୀ ପ୍ରକୃତି ଘୋରମାୟାବିସ୍ତାର କରି ଦୂରନ୍ତ କାଳର ଅପ୍ରତିହତ ପ୍ରଭାବ ଦେଖାଇବା ସକାଶେ ଏ ଦୃଶ୍ୟ ରଚନା କରିଅଛି । ଦେଖିବ କେବଳ ଘର, ଦ୍ୱାର, ବାଟ, ଗଳି, ବଣ ଆଉ କିଛି ନାହିଁ । ଯାହା ଦେଖିବ ସବୁ ଅଚେତନ । କେହି ଯଦି କୌଣସି ବିଶେଷ କାରଣରୁ ଶୋଇ ନପଡ଼ି ଚେଇଁ ଥାଏ ତାହାହେଲେ ସେ ମଧ୍ୟ ଗ୍ରାମର ଠାବେ ଠାବେ ଭୁତ-ପ୍ରେତଙ୍କ କ୍ରୀଡ଼ା ସ୍ମରଣ କରି ଭୟରେ କାତରଭାବେ ନିଦ୍ରାଦେବୀଙ୍କି ଡାକୁଥାଏ । କୌଣସି ଅନିବାର୍ଯ୍ୟ କାର୍ଯ୍ୟରେ ଯଦି ଦୁଇ ବା ତତୋଽଧିକ ବ୍ୟକ୍ତି ଲାଗିଥାନ୍ତି ତେବେ ସେମାନେ ଏଡ଼େ ଧୀରଭାବରେ କଥାବାର୍ତ୍ତା କରୁଥାନ୍ତି ଯେ, ବାହାରେ ଠିଆହେଲେ ତାଙ୍କ କଥା ଶୁଣାଯିବ ନାହିଁ ଶବ୍ଦ ଯାହା କିଛି ବେଳେ ବେଳେ ଶ୍ରୁତିଗୋଚର ହୁଏ ତାହା ଶୁଗାଳ କୁକୁରାଦି ନିଶାଚର ପ୍ରାଣୀମାନଙ୍କର, ଏବଂ ସେ ଶବ୍ଦ ନିଃଶବ୍ଦଗ୍ରାମର ନାନାସ୍ଥାନରେ ପ୍ରତିହତ ହୋଇ ପ୍ରତିଧ୍ୱନି ସହିତ ଭୟଙ୍କରଭାବ ଧାରଣକରି ଗ୍ରାମର ଭୀଷଣଭାବକୁ ଅଧିକ ଭୟଜନକ କରାଇ କାଳର ନିଦାରୂଣ ବିକଟ ଡାକ ପ୍ରାୟ ଆକାଶରେ ବିଚରଣ କରୁ କରୁ ଗ୍ରାମକୁ କମ୍ପାଇଦିଏ । ବାସ୍ତବରେ ପଲ୍ଲୀଗ୍ରାମମାନଙ୍କର ଏ ଦୃଶ୍ୟ ବଡ଼ ଭୟାନକ । ଯେଉଁମାନେ ଆଜିକାଲି ସହରରେ ବାସ କରୁଅଛନ୍ତି ସେମାନେ ଏହା ବୁଝିପାରିବେ ନାହିଁ । ମାତ୍ର ଏହା ଯେ ନିତାନ୍ତ ସତ୍ୟକଥା ତହିଁରେ ସନ୍ଦେହ ନାହିଁ । ମଧ୍ୟ ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ ସେ ସମୟରେ ପ୍ରହରକ ପୂର୍ବରୁ ସୁଦ୍ଧା ଗ୍ରାମମାନ ନିଃଶବ୍ଦ ହୋଇଯାଉଥିଲା । ତେବେ କୌଣସି କୌଣସି ବିଶେଷ ପର୍ବଦିନରେ ଏଥିର ବୈଲକ୍ଷଣ୍ୟ ଘଟିଥାଏ । ଆଜି ପୌଷପୁର୍ଣ୍ଣିମା ଯୋଗେ ଠାକୁରଙ୍କର ଭୋଗରାଗ ହେଉଁ ହେଉଁ ବିଳମ୍ୱ ହୋଇଅଛି-। ତେଣୁ ଏତେ ରାତ୍ରରେ ଚୌଧୁରୀଙ୍କ ଘରେ କିମ୍ୱା ଗ୍ରାମର ଅପର କାହାରି କାହାରି ଘରେ ପହଡ଼ ପଡ଼ିନାହିଁ । ନୋହିଲେ ଏତେବେଳେ ଦୁଇଭଗିନୀ ବସି କି କଥାବାର୍ତ୍ତା କରୁଥାନ୍ତେ ?

 

ଉପରୋକ୍ତ କଥୋପକଥନରୁ ପାଠକେ ଜାଣି ପାରିଥିବେ ସେହି ଦୁଇ ରମଣୀଙ୍କ ମଧ୍ୟରୁ ଗୋଟିଏ କନିଷ୍ଠା, ଅପରାଟି ବୟୋଜ୍ୟୋଷ୍ଠା । ଜ୍ୟୋଷ୍ଠାର ବୟସ ଷୋ’ଳ ବର୍ଷ । ଦେଖିବାକୁ ସାକ୍ଷାତ୍‌ ପୁରାଣକଥିତା ବରବର୍ଣ୍ଣିନୀ ତିଲୋତ୍ତମା । ଯେଡ଼େ ବଡ଼ ଇନ୍ଦ୍ରିୟସଂଯମଶୀଳ ମନୁଷ୍ୟ ହେଉ ପଛକେ ଏହାଙ୍କୁ ଦେଖିଲା ମାତ୍ରକେ ତାହାର ଚକ୍ଷୁ ସେହିଠାରେ ଲାଖିରହିବ–ଫେରିଆସିପାରିବ ନାହିଁ ଏବଂ ବଳକରି ଫେରାଇ ଆଣିଲେ ସୁଦ୍ଧା କାଳକାଳକୁ ମାନସ-ପଟରେ ସେ ଚିତ୍ର ଆଙ୍କିତ କରି ଛଳପୂର୍ବକ ଦେଖାଉଥିବ । କେହି କବି ରମଣୀର ଅନୁପମ ରୂପରେ ମୋହିତ ହୋଇ ବର୍ଣ୍ଣନା କଲେ କାନ୍ତି ବିଦ୍ୟୁତ୍‌ କ୍ଷଣପ୍ରଭା ହେଲା, ବଦନମଣ୍ଡଳ ଦେଖି ଚନ୍ଦ୍ର ପକ୍ଷକେ କ୍ଷୀଣ ହୋଇଗଲା, କେଶରୁଚି ଦେଖି ମେଘ ଆପଣା ଜୀବନରୁ ଅଗ୍ନି ଜନ୍ମାଇ ପୋଡ଼ି ହୋଇ ଧୂଆଁପରି ବିବର୍ଣ୍ଣ ହେଲା, ନାସା ଦେଖି ଗରୁଡ଼ ସର୍ପ ଭକ୍ଷଣ କଲା ବକ୍ଷ ଦେଖି ମନ୍ଦର ପର୍ବତ ମନ୍ଦ ଶବ୍ଦକୁ ବହିଲା, ବାହୁ ଦେଖି ମୃଣାଳ କଣ୍ଟକ ଧାରଣ କଲା, ଓଷ୍ଠ ଦେଖି ବିମ୍ୱଫଳ ଭସ୍ମ ବିଲୋପିତ ହେଲା ଅଧର ଦେଖି ଜବାପୁଷ୍ପ ମ୍ଳାନ ହୋଇଗଲା, ଜାନୁ ଦେଖି କଦଳୀବୃକ୍ଷ ଫଳରେ ଅଧୋମୁଖ ହେଲା, ଦେହ-ଶୀତଳତା ଦେଖି ଚନ୍ଦନ ଖେଦରେ ଇନ୍ଧନ ହେଲା, ଦନ୍ତ ଦେଖି ମୁକୁତା ଶାମୁକାରେ ଘର କରି ରହିଲା, ବାକ୍ୟୋଚ୍ଚାରଣକୁ ବୀଣା ସରି ନୋହି ପରବଶରେ ନାଦ କଲା, କଟି ଦେଖି ସିଂହ କେଉଁଠାରେ ଲୁଚିରହିଲା ଠିକଣା ମିଳିଲା ନାହିଁ ଏବଂ ଗତି ଦେଖି ରାଜହଂସ ମୃଣାଳର ବିଷ ନାମ ଥିବାରୁ ତହା ଭକ୍ଷଣ କରି ମୃତ୍ୟୁ ବାଞ୍ଚା କଲା । ଆମ୍ଭେ ମଧ୍ୟ କହିପାରୁଁ ଚକ୍ଷୁ ଦେଖି ହରିଣୀ ବନକୁ ପଳାୟନ କଲା ଭ୍ରୂଭଙ୍ଗୀ ଦେଖି ହର-ଧନୁ ଶ୍ରୀରାମଚନ୍ଦ୍ରଙ୍କ ହସ୍ତେ ଭଗ୍ନ ହେଲା ଆଉ କଣ୍ଠ ଦେଖି ଶଙ୍ଖ ସମୁଦ୍ର ଗର୍ଭରେ ଲୁଚିରହିଲା ! ମାତ୍ର ଏ ସବୁ କହିବାର ପ୍ରୟୋଜନ ନାହିଁ । ଫଳତଃ ରମଣୀର ଯେମନ୍ତ ଚକ୍ଷୁ ତେମନ୍ତ ନାସିକା, ଯେମନ୍ତ ବକ୍ଷ ତେମନ୍ତ ବାହୁ ଯେମନ୍ତ କଟିଦେଶ ତେମନ୍ତ ଜାନୁ, ଯେମନ୍ତ ଗ୍ରୀବା ତେମନ୍ତ ମୁଖଭଙ୍ଗୀ, ଏବଂ ଯେମନ୍ତ ଛଟା ତେମନ୍ତ କଟିଲମ୍ୱିତ କୁଞ୍ଚିତ କେଶ-ଦାମ । କାହାରି ଶୋଭା କାହାରିକି ଊଣା ନୁହେ ଏବଂ ସେ ସମସ୍ତ ପରସ୍ପରରେ ପରସ୍ପର ଏମନ୍ତ ଗଛି ହୋଇ ଯାଇଅଛି ଯେ ଟିକିଏ ଏଣେତେଣେ ହୋଇଥିଲେ ବାରି ହୋଇ ପଡ଼ନ୍ତା । ସୁଷମାଙ୍ଗୀର ପ୍ରତ୍ୟେକ ଅଙ୍ଗ-ସୌଷ୍ଠବ ଦେଖିଲେ ଏମନ୍ତ ବୋଧହୁଏ ବିଧାତା ଏହାଙ୍କୁ ଗଢ଼ିବା କାଳରେ ତିଳେ ମାତ୍ର ଯତ୍ନରେ ତ୍ରୁଟିକରି ନାହାନ୍ତି ଏବଂ ସତେ ଯେମନ୍ତ ସୃଷ୍ଟି କୌଶଳର ଶେଷ ସୀମା ଦେଖାଇବା ନିମନ୍ତେ ଏହଙ୍କୁ ସର୍ଜ୍ଜି ଅଛନ୍ତି । ମାତ୍ର ଗୋଟିଏ କଥା–ପରିଧାନ ଅଯତ୍ନରକ୍ଷିତ ବସ୍ତ୍ର ଏବଂ ଦେହ ଅଳଙ୍କାର-ବିହୀନ । ତଥାପି ଶୋଭାର କିଛିମାତ୍ର ଲାଘବ ହୋଇନାହିଁ । ପ୍ରକୃତରେ ଯେ ସୌନ୍ଦର୍ଯ୍ୟପୂର୍ଣ୍ଣତା ଲାଭ କରିଅଛି ତାହାକୁ ବସ୍ତ୍ରାଳଙ୍କାରର ଆଡ଼ମ୍ୱର କେତେ ଅବା ବଢ଼ାଇପାରେ ? ସେଠାରେ ବସ୍ତ୍ରାଳଙ୍କାରର ଆଡ଼ମ୍ୱରର ଅବା ପ୍ରୟୋଜନ କିସ ?

 

ଅପରା ରମଣୀ ଏହାଙ୍କଠାରୁ ଦୁଇ ବର୍ଷ ସାନ । ସୁତରାଂ କନିଷ୍ଠା ବର୍ତ୍ତମାନ କବି–ବର୍ଣ୍ଣିତ ବୟଃସନ୍ଧିରେ ପଡ଼ି ଅଛନ୍ତି । କଥାଟା ବୋଧହୁଏ ଟିକିଏ ଗୁରୁତର ହେଲା । ମାତ୍ର ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଆଶା ଅଛି ପାଠକେ କ୍ଷମା କରିବେ । ଉପନ୍ୟାସ ଲେଖକକୁ ସ୍ୱରୂପ କଥା କହିବାକୁ ହେବ ଏବଂ ସ୍ୱରୂପକଥା କହିବାକୁ ଗଲେ ଯଦି କେତେବେଳେ କଠିନ ନୀତିଶାସ୍ତ୍ର ସହିତ ଅଳ୍ପକେ ବିରୋଧ ଜାତ ହୋଇପଡ଼େ ତେବେ ବଡ଼ ବିପଦର କଥା । ସେ ବିପଦରୁ ଉଦ୍ଧାର ପାଇବା ମଧ୍ୟ ସହଜ କଥା ନୁହେ । ଟିକିଏ ଊଣା ହେଲେ ଉପନ୍ୟାସର ଅଙ୍ଗହୀନ ହେଲା ବୋଲି ଚହଳ ପଡ଼ିଯିବ ଏବଂ ଟିକିଏ ବହକି ଗଲେ ନୀତିଶାସ୍ତ୍ରର ବରଶିଷ୍ୟ କ୍ରୋଧପରବଶ ହୋଇ ଉପନ୍ୟାସ ଖଣ୍ଡିକ ସଜୋରେ ଦୂରକୁ ନିକ୍ଷେପ କରିବେ । ଅଗତ୍ୟା ବାଧ୍ୟ ହୋଇ ଆମ୍ଭମାନଙ୍କୁ ପାଠକଙ୍କଠାରେ କ୍ଷମା ଭିକ୍ଷା କରିବାକୁ ପଡ଼ୁଅଛି । ତେବେ ଆମ୍ଭମାନଙ୍କ କବିବରଙ୍କ ପ୍ରାୟ ଆମ୍ଭେ କହୁନାହୁଁ ଯେ, ଯୌବନରାଜା ଲଜ୍ଜାପାଟମହିଷୀଙ୍କି ସଙ୍ଗେ ଘେନି ଆସି ରମଣୀର ଅଙ୍ଗଦେଶମାନ ଆକର୍ଷଣ କଲେ ଓ ନିତମ୍ୱ, ଜଘନ, ଉରୁ, ପ୍ରଭୃତି ପାତ୍ରମନ୍ତ୍ରୀ ପ୍ରାୟ ଶାଢ଼ୀ ପାଇ କୃତକୃତ୍ୟ ହେଲେ ଏବଂ ହୃଦୟ-ବେଦିରେ ଅଭିଷେକ-କୁମ୍ଭର ସଂସ୍ଥାପନ ହେଲା ଇତ୍ୟାଦି । ତଥାପି ଆମ୍ଭେମାନେ ଏତିକି ବିନା ଦୋଷରେ ସାହସ କରି କହିପାରୁ ଯେ ଯୌବନର ଆବିର୍ଭାବରେ ରମଣୀର ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗ କ୍ରମେ କ୍ରମେ ପୁଲକିତ ହୋଇ ପୂର୍ଣ୍ଣତା ଲାଭ କରୁଅଛି ଏବଂ ଦେହଛଟା ଓ ରୂପଲାବଣ୍ୟ ଅତି କମନୀୟ ଭାବରେ ସଂବର୍ଦ୍ଧିତ ହୋଇ ମନୋହରଣର ଅବ୍ୟର୍ଥ ପାଶ ବିସ୍ତାର କରୁଅଛି । ରମଣୀର ଶରୀରର ଗଠନ ଅତି ସୁନ୍ଦର । ପ୍ରଥମୋକ୍ତ ବୟୋଜ୍ୟେଷ୍ଠାର ଶରୀରଭଙ୍ଗୀ ସହିତ ସମ୍ପୂର୍ଣ୍ଣ ସମାନ ନ ହେଲେ ସୁଦ୍ଧା ଦୁହେଁ ଦେଖିବାକୁ ପ୍ରାୟ ଏକଭଳି ଏବଂ ଏହି ହେତୁରୁ ସେହି ଗ୍ରାମ ଏବଂ ତନ୍ନିକଟବର୍ତ୍ତୀ କେତେ ଖଣ୍ଡି ଗ୍ରାମରେ ବିଧାତା ଏମାନଙ୍କୁ ଏକା ମାପରେ ନିର୍ମାଣ କରିଥିବାର ଖ୍ୟାତି ହୋଇଅଛି । ପୁଣି ଏହାଙ୍କର ଶରୀର-ସୌନ୍ଦର୍ଯ୍ୟ ଉତ୍ତମରୂପେ ବିଦ୍ୟମାନ ଥିବାସ୍ଥଳେ ତହିଁ ଉପରେ ଯୌବନର ଆବିର୍ଭାବ ହୋଇଥିବାରୁ ତାହା ଦ୍ୱିଗୁଣ ବଢ଼ିଅଛି ଏବଂ ଯୌବନାବିର୍ଭାବ-ଜନିତ ସ୍ତ୍ରୀଜନ-ସ୍ୱଭାବ-ସୁଲଭ-ବସ୍ତ୍ରାଳଙ୍କାର-ଆଡ଼ମ୍ୱର-ପ୍ରିୟତା ବିଶେଷରେ ଏହାଙ୍କ ମନରେ ଜାଗରୂପ ହୋଇଥିବାରୁ ଉତ୍ତମ ବସ୍ତ୍ରାଳଙ୍କାର ଯୋଗେ ସେ ଶୋଭା ଚତୁର୍ଗୁଣ ହୋଇଅଛି । ରୂପଚ୍ଛଟାରେ କନିଷ୍ଠାର ଯାହା କିଛି ଊଣା ଥିଲା ତାହା ବସ୍ତ୍ରାଳଙ୍କାର ଯୋଗେ ପୂର୍ଣ୍ଣ ହୋଇଥିବାରୁ ଏହାଙ୍କୁ ଦେଖିଲେ ଯତିଙ୍କ ମତି ଯେ ନ ଟଳିବ ତାହା କିଏ କହିପାରେ ?

 

ଉଭୟ ରମଣୀଙ୍କର ସ୍ୱଭାବ ଅତି ସୁନ୍ଦର । ସେମାନେ ଯେମନ୍ତ ଲଜ୍ଜାଶୀଳା ତେମନ୍ତ ପ୍ରିୟଭାଷିଣୀ ଏବଂ ଯେମନ୍ତ ବିନୟ-ସ୍ୱଭାବ-ସମ୍ପନ୍ନା ତେମନ୍ତ ଅନବରତ ଗୃହକର୍ମ-ନିରତା । ଦାଣ୍ଡଘାଟରେ ଏମାନଙ୍କୁ କେବେ ବୁଲିବାକୁ ଦେଖାଯାଏ ନାହିଁ । ପାଶ୍ଚାତ୍ୟ ଶିକ୍ଷାର ସୁବିସ୍ତାର ଯୋଗେ ଆଜି କାଲି ରମଣୀମାନଙ୍କ ମଧ୍ୟରେ ଏ ସବୁ ଗୁଣର ଆଦର କ୍ରମେ ଊଣା ହୋଇ ଆସୁଅଛି ଏବଂ ରମଣୀମାନେ ଯେ ପରିମାଣରେ ସେ ସବୁ ଗୁଣ ପାସୋରି ଯାଉଅଛନ୍ତି ସେହି ପରିମାଣରେ ସେମାନେ ସ୍ୱାମୀର ଆଦର ପାଉଅଛନ୍ତି । ପାଠକେ ହୁଏତ ମନେ କରିବେ ଯେଉଁ ରମଣୀ ଆକାଶସ୍ଥଚନ୍ଦ୍ରର ଜ୍ୟୋସ୍ନା-ବିକୀର୍ଣ୍ଣ କରିବା ଗୁଣର ଆଦର ନ କରି ଆପଣାର ବଦନମଣ୍ଡଳର ସୌନ୍ଦର୍ଯ୍ୟ ବାହାରକୁ ନ ଦେଖାଇ ଘରେ ବସି ଓଢ଼ଣା ଟାଣି ନଷ୍ଟ କରେ ସେ ତ ରମଣୀ ମଧ୍ୟରେ ଗଣ୍ୟା ନୁହେ କିମ୍ୱା ଯେଉଁ ରମଣୀ କେବଳ ସୁଚିକର୍ମ୍ମାଦି ନ କରି ରନ୍ଧନଶାଳରେ ଆବଦ୍ଧ ଥାଇ ସକାଳସନ୍ଧ୍ୟା ହାଣ୍ଡି ଧରି ଆପଣାର ବୁଦ୍ଧି ବିବେଚନା ଏବଂ ଶରୀର ନଷ୍ଟ କରେ ସେ ରନ୍ଧନ ଗୁଣରେ ପିତାମାତା ଅଥବା ଶାଶୁଶ୍ୱଶୁରଙ୍କର ତୃପ୍ତି ବିଧାନ କଲେ ସୁଦ୍ଧା ଆଜିକାଲି ପାଶ୍ଚାତ୍ୟ-ଶିକ୍ଷା-ବିଧୌତା ନୀତି ଅନୁଯାୟୀ ପଶୁ ମଧ୍ୟରେ ଗଣ୍ୟା । କେହି କେହି କହନ୍ତି ଯେବେ ସ୍ତ୍ରୀ ହୋଇ ସ୍ନାମୀ ହେଲେ କି ହେଲା ଟିକିଏ ଊଣା ଅଧିକ ଦେଖିଲେ ଦି-ପଦ ଭଲ ମନ୍ଦ ଶୁଣାଇ ନ ଦେବ କିମ୍ୱା ବନ୍ଧୁ ଅବା ସଙ୍ଗମେଳରେ ସ୍ୱାଧୀନ ଓ ତେଜୋଭାବରେ ସ୍ପଷ୍ଟ ସ୍ପଷ୍ଟ କଥା ନ କହିବ, ସେ କି ରମଣୀ ମଧ୍ୟରେ ଗଣା ହେବାର ଯୋଗ୍ୟ ଅଟେ ? ଆଜିକାଲି ଯେପରି ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ ବଢ଼ିଅଛି ଏବଂ ସେହି ସଭ୍ୟତାର ଛାଞ୍ଚରେ ପଡ଼ି ପୁରାତନ ଯେପରି ଶୀଘ୍ରଶୀଘ୍ର ଅଭିନବ ଆକାର ଧାରଣ କରତଃ ଲୋକଙ୍କର ମନକୁ ଭୁଲାଇବା ସତତ ଦେଖା ଯାଉଅଛି, ଯେତେବେଳେ ନବୀନ ରସିକମାନେ ବାୟୁସେବନାର୍ଥ ଆଶ୍ୱରଥ ଯୋଗେ ନଦୀତୀରାଗତା ଯୁବାଜନ-ରଞ୍ଜନ-ବେଶଭୂଷାଧାରିଣୀ ସଦ୍‌ଗୁଣବିହୀନା କୁରୂପା ରମଣୀଠାରେ ସୁଦ୍ଧା ଆସକ୍ତ ହେଉଅଛନ୍ତି ଯେତେବେଳେ ଗୁଣବତୀ ଭାର୍ଯ୍ୟା ନୃତ୍ୟଗୀତାଦିରେ ଅପଟୁ ଥିବା କିମ୍ୱା ନାଟକ–ଉପନ୍ୟାସାଦି ପଢ଼ି ରସାସ୍ୱାଦନ କରି ଜାଣୁ ନ ଥିବାରୁ ଆମ୍ଭମାନଙ୍କର ନବୀନ ଯୁବକମାନେ ବିରକ୍ତ ହୋଇ ଯାଉଅଛନ୍ତି ଏବଂ ଯେତେବେଳେ ଭାର୍ଯ୍ୟା ସୁରାମାଂସ ଭୋଜନ କରି ନ ପାରେ ବୋଲି ଆମ୍ଭମାନଙ୍କର ନବୀନ ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ଯୁବକ ନୀରବେ ବସି ମନୋଦୁଃଖ ବେଗ ମନରେ ମାରି ସଭ୍ୟାଲୋକ ପରିଚାଳିତା ସେପରି ରମଣୀମାନଙ୍କର କେତେ ପ୍ରଶଂସା କରୁଅଛନ୍ତି, ସେତେବେଳେ ଅବଶ୍ୟ ଏଭଳି ଯୋଡ଼ିଏ ରମଣୀର ଚିତ୍ର ପାଠକମାନଙ୍କ ଆଗରେ ଉପସ୍ଥିତ କରାଇ ପାଶ୍ଚାତ୍ୟ ଶିକ୍ଷାର ଅଧିକାର ପ୍ରବଳ ଥିବା ସମୟରେ ସମସ୍ତଙ୍କର ସନ୍ତୋଷ ବିଧାନ କରିବାର ଆଶା ବିଡ଼ମ୍ୱନା ମାତ୍ର । ସେ ଯାହା ହେଉ ଆମ୍ଭେମାନେ ବିଦ୍ୟୁତର ଦ୍ୟୁତିରେ ମେଘର ଦ୍ୟୁତି ଅନୁମାନ କରି ନ ପାରୁ କିମ୍ୱା ମେଘପ୍ରସୂତ ବଜ୍ରନିର୍ଘୋଷ ଶୁଣି ତହିଁର କମନୀୟତାରେ ଭୁଲି ପାରୁଁ । ଯେ ଗୁଣ ଅଚିରସ୍ଥାୟୀ, ହିତକର, ଏବଂ ଉପଯୁକ୍ତ ସେ ଗୁଣ ମଧ୍ୟରେ ଗଣ୍ୟ ଅଟେ । ଯାହା ଚିରସ୍ଥାୟୀ, ଅହିତକର ଏବଂ ଅନୁପଯୁକ୍ତ ତାହା ଅଳ୍ପକେ ମନ ଭୁଲାଇଲେ ସୁଦ୍ଧା ବିବେଚନା ପୂର୍ବକ ତାହାକୁ ତ୍ୟାଗ କରିବା କର୍ତ୍ତବ୍ୟ । ସେ ଯାହା ହେଉ ପାଠକେ ଭଲ ପାଉନ୍ତୁ ଅବା ନ ପାଉନ୍ତୁ ଆମ୍ଭେମାନେ ଯାହା ପ୍ରକୃତ ଥିଲା ତାହା କହି ଉଲ୍ଲିଖିତା ରମଣୀମାନଙ୍କୁ ପାଠକଙ୍କ ସମ୍ମୁଖରେ ଉପସ୍ଥିତ କଲୁଁ । ସେମାନେ ଯଦି ପାଠକଙ୍କ ମନକୁ ଭୁଲାଇ ନ ପାରିବେ ସେ ଦୋଷ ଆମ୍ଭର ନୁହେଁ ।

 

ଉପରୋକ୍ତ ମତେ କନିଷ୍ଠାର ପ୍ରସ୍ତାବରେ ବୟୋଜ୍ୟେଷ୍ଠା ସମ୍ମତ ହେବା ସମୟରେ ବାହାରୁ ଶୁଣାଗଲା ‘ରସ ! ଖାଇବୁ ନାହିଁ କି–ଏତେ ରାତି ଯାକେ ଏଠି ବସିବୁ ?’

 

ବୟୋଜ୍ୟେଷ୍ଠା ତତ୍‌କ୍ଷଣାତ୍‌ କନିଷ୍ଠାକୁ ସମ୍ଭୋଧନ କରି କହିଲେ ‘ଯା, ବଉ ଡାକୁଚି ଖାଇବୁ । ଉଛୁର ହେଲାଣି ।’

 

କନିଷ୍ଠା ଉଠିବାରେ ଉଦ୍ୟୋଗ କରି କହିଲେ ‘ମୁଁ ଯାଉଚି ଏହିକ୍ଷଣି ଖାଇ ଆସିବି ।’

 

ଏହା କହି ସେ ଚାଲିଗଲେ । ବୟୋଜ୍ୟେଷ୍ଠା ଧୀରେ ଧୀରେ ଉଠି ଭୋଜନକ୍ରିୟା ସମାପନାର୍ଥ ତଳଖଞ୍ଜାକୁ ଗମନ କଲେ ।

Image

 

ଷଷ୍ଠ ପରିଚ୍ଛେଦ

ନବଗ୍ରାମ ଚୌଧୁରୀ

 

ପୂର୍ବ ପରିଚ୍ଛେଦରେ ଯେଉଁ ନବଗ୍ରାମର ଉଲ୍ଲେଖ କରାଗଲା ତାହା ନନ୍ଦିକେଶ୍ୱରୀ ପଠାର ପ୍ରାୟ ଦଶକ୍ରୋଶ ତଳକୁ ମହାନଦୀର ଦକ୍ଷିଣ ତୀରରେ ଅବସ୍ଥିତ । ଗ୍ରାମଟି ଦେଖିବାକୁ ବଡ଼ ସୁନ୍ଦର-। ନଦୀର ଅତଡ଼ାକାନ୍ଥି ଉପରେ ଗ୍ରାମଟି ନିର୍ମିତ ବୋଲି କହିଲେ ଅତ୍ୟୁକ୍ତ ହେବ ନାହିଁ ଏବଂ ଯଦିଚ ପୂରାକାଳରୁ ଗ୍ରାମଟି ନଦୀଦ୍ୱାରା ନଷ୍ଟ ହୋଇଯିବାର ଭୟ ରହିଅଛି ମାତ୍ର ନଦୀ ଅନୁଗ୍ରହ ବଶରୁ ହେଉ ଅଥବା ଗ୍ରାମଦେବତାଙ୍କ ଆଜ୍ଞା ବଶରୁ ହେଉ ତହିଁର ବିଶେଷ କିଛି କ୍ଷତି କରି ନାହିଁ । ଉପରେ ବଡ଼ ବଡ଼ ବୃକ୍ଷ ଏବଂ ଘରମାନଙ୍କରେ ଗ୍ରାମଟି ସୁଶୋଭିତ ହୋଇ ରହିଅଛି ଏବଂ ନିମ୍ନରେ ନଦୀ ଗଭୀରଜଳରେ ପରିପୂରିତା ହୋଇ ଅତୁଳ ଶୋଭା ବିସ୍ତାର କରିଅଛି । ଇଂଲଣ୍ଡୀୟ କୀର୍ତ୍ତିସ୍ତମ୍ଭରୂପୀ ଆନିକଟ ମହାନଦୀର ଜଳ ସେତେବେଳେ ଅଟକାଇ ରଖି ନ ଥିଲା । ସେ ଜଳ ଆଜିକାଲି ପରି ନାଳରେ ନାନା ଆଡ଼େ ବାହାରି ନ ଯାଇ ନଦୀରେ ଚଳି ଅତୁଳ ଉପକାର ସାଧନ କରୁଥିଲା । ଲୋକେ ବର୍ଷ ମଧ୍ୟରେ ଯେତେବେଳେ ଇଚ୍ଛା ସେତେବେଳେ ନୌକାଯାନରେ ନାନା ଦିଗକୁ ଯାଇ ପାରୁଥିଲେ ଏବଂ ସ୍ୱଳ୍ପାୟାସ ଓ ସ୍ୱଳ୍ପବ୍ୟୟରେ ବାଣିଜ୍ୟ ଉତ୍ତମରୂପେ ଦେଶରେ ଚଳୁଥିଲା । ସେହି ଆନିକଟ ବର୍ତ୍ତମାନ ଅପରାପର ଅନେକ ସ୍ଥାନ ପ୍ରାୟ ନବଗ୍ରାମ ନିକଟର ନଦୀଜଳ ଅପହରଣ କରି ଗ୍ରାମର ଶୋଭା ଏବଂ ସୁବିଧା ଉଭୟ ନଷ୍ଟ କରିଅଛି । ଗ୍ରାମର ପୂର୍ବ ପଶ୍ଚିମ ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏଁ ପୁରାତନ ବଟବୃକ୍ଷ ଅଛି । ତହିଁର ଗୋଟିକରେ ଭଗବତୀ ଏବଂ ଅପର ବୃକ୍ଷରେ ଶାରଳାଈଦେବୀ ବିରାଜିତା ଅଛନ୍ତି । ଦେବୀଙ୍କି ଖୋଜି ପାଇବ ନାହିଁ । ଅପର ଗ୍ରାମର ରୀତି ଅନୁଯାୟୀ କୌଣସି ପ୍ରସ୍ତରଖଣ୍ଡ ଅବା ପ୍ରତିମୂର୍ତ୍ତି ସେ ବଟବୃକ୍ଷ ମୂଳରେ ସଂସ୍ଥାପିତ ହୋଇ ନାହିଁ । କେବଳ ଗଛରେ ସିନ୍ଦୁର ଲାଗିଥିବାରୁ ଜଣାଯିବ ଯେ ତହିଁରେ କୌଣସି ଅକ୍ଷୟପ୍ରତାପଶାଳିନୀ ଗ୍ରାମଦେବୀ ବିରାଜିତା ଅଛନ୍ତି । ଗ୍ରାମ-ଲୋକଙ୍କର ଏମନ୍ତ ସାଧ୍ୟ ନାହିଁ ଯେ ଏ ବୃକ୍ଷ-ମୂଳରେ ପହୁଞ୍ଚି ସମ୍ମାନ ନ ଦେଖାଇ ଚାଲି ଯିବେ । ମାରୀଭୟ କିମ୍ୱା ଅନ୍ୟ ଉତ୍କଟରୋଗ ଗ୍ରାମରେ ପହୁଞ୍ଚିଲେ ଗ୍ରାମଦେବୀଙ୍କି ପୂଜା ଦିଆଯାଏ ଏବଂ ସେ ସନ୍ତୁଷ୍ଟା ହୋଇ ଆଦେଶ ନ ଦେବା ପର୍ଯ୍ୟନ୍ତ ରୋଗ ଶାନ୍ତି ହେବ ନାହିଁ ବୋଲି ଲୋକଙ୍କର ଏକାନ୍ତ ବିଶ୍ୱାସ । ଲୋକେ ସହଜରେ ଈଶ୍ୱରଙ୍କ ଶପଥ କରି ମିଥ୍ୟା କଥା କହି ଯିବେ ତଥାପି ଗ୍ରାମ-ଦେବୀଙ୍କ ନାମ ଉଚ୍ଚାରଣ କରି ସତ୍ୟ କଥା କହିବାକୁ ସୁଦ୍ଧା ସାହସ କରିବେ ନାହିଁ । ଦୁଃଖ ଉପସ୍ଥିତ ହେଲେ ଗ୍ରାମ-ଦେବୀଙ୍କ ଠାରେ ଗୁହାରି ହୁଏ ଏବଂ ସୁଖସମୟରେ ଅର୍ଥାତ୍‌ ପୁତ୍ରଜନ୍ମାଦି ଉତ୍ସବ ଓ ପର୍ବମାନଙ୍କରେ ମଧ୍ୟ ଗ୍ରାମ ଦେବୀଙ୍କର ସେବାହୁଏ । କେହି ପୁତ୍ରକାମନାରେ ତାଙ୍କର ଅର୍ଚ୍ଚନା କରନ୍ତି, କେହି ଅବା ଶତ୍ରୁନିର୍ଯ୍ୟାତନା ନିମିତ୍ତ ତାଙ୍କୁ ପୂଜା ଦିଅନ୍ତି । ଫଳତଃ ଗ୍ରାମଦେବୀ ଇଷ୍ଟାନିଷ୍ଟ ସମସ୍ତ କାର୍ଯ୍ୟର ନିୟନ୍ତ୍ରୀ । ସୁତରାଂ ଗ୍ରାମର ପୂର୍ବ ପଶ୍ଚିମ ଦୁଇ ପାର୍ଶ୍ୱରେ ଗ୍ରାମଦେବୀ ଜଗି ରହି ଅଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ମନୁଷ୍ୟ ଶାନ୍ତିପ୍ରିୟ । ଚରମରେ ସମସ୍ତେ ଶାନ୍ତି ଲୋଡ଼ନ୍ତି । ସେ ଶାନ୍ତି ଜଗନ୍ନିୟନ୍ତ ସର୍ବଶକ୍ତିମାନ୍‌ ଈଶ୍ୱର ଭିନ୍ନ ଅନ୍ୟଠାରେ ନାହିଁ । ଯେଉଁମାନେ ପରମ ଶିକ୍ଷାଲାଭଦ୍ୱାରା ତାଙ୍କୁ ପାଇଅଛନ୍ତି କିମ୍ୱା ତାଙ୍କର ତତ୍ତ୍ୱ ଜାଣିଅଛନ୍ତି ସେମାନେ ତାଙ୍କଠାରୁ ଶାନ୍ତି ପ୍ରାପ୍ତ ହୁଅନ୍ତି । ସେମାନେ ତାଙ୍କର ନାମୋଚ୍ଚାରଣ ଏବଂ ତାଙ୍କ ଇଚ୍ଛାଉପରେ ନିର୍ଭର କରି ଆଶାନ୍ତିନିକେତନ ସଂସାରରେ ଶାନ୍ତି ପାଇ ପାରନ୍ତି । ମାତ୍ର ଯେଉଁମାନେ ଅଜ୍ଞ ସେମାନେ ତାହା କେଉଁଠାରୁ ପାଇବେ ? ଏବଂ ଅଜ୍ଞାତ ପ୍ରାୟ ସମସ୍ତେ । ସୁତରାଂ ମୁନିଋଷିଙ୍କ ସୁକୌଶଳରୁ ତାଙ୍କ ନିମିତ୍ତ ସର୍ବବ୍ୟାପୀ ଈଶ୍ୱରଙ୍କର କେତେକ ବିଷୟରେ ଅସ୍ତିତ୍ୱ ଆରୋପିତ ହୋଇ ରହିଅଛି । ତଦ୍ଦ୍ୱାରା ଅଜ୍ଞ ଲୋକେ ଶାନ୍ତି ପ୍ରାପ୍ତ ହୁଅନ୍ତି । ସେହି ଆରୋପିତ ପଦାର୍ଥର କିଛି ନିୟମ ନାହିଁ କିମ୍ୱା ସେଥିନିମିତ୍ତ କୌଣସି ବିଶେଷ ପଦାର୍ଥ ନିର୍ଦ୍ଦିଷ୍ଟ ନାହିଁ । ଯାହାଙ୍କୁ ଆରୋପିତ କରାଯିବ ସେ ଯେସ୍ଥଳେ ସର୍ବବ୍ୟାପୀ ସେସ୍ଥଳେ କୌଣସି ନିୟମର ଅପେକ୍ଷା କରିବା ଅନୁଚିତ । କେବଳ ବିଶ୍ୱାସ ଉପରେ ନିର୍ଭର ରଖି ନାନାସ୍ଥାନରେ ନାନାପ୍ରକାର ପଦାର୍ଥରେ ଈଶ-ଶକ୍ତି କଳ୍ପିତ ହୋଇଅଛି ଏବଂ ସେହିସବୁ ନାନାପ୍ରକାର ନାମ ଘେନି ଗ୍ରାମଦେବତାରୂପେ ବିରାଜିତ ହୋଇ ମନୁଷ୍ୟକୁ ଶାସନ କରି ଇହକାଳ ଓ ପରକାଳର ଉପାୟ ବିଧାନ କରୁଅଛି ।

ଆମ୍ଭେମାନେ ଯେଉଁ ନବଗ୍ରାମର କଥା କହୁଅଛୁଁ ତାହା ବର୍ତ୍ତମାନ ନବଗ୍ରାମ, ରାଗପୁର ଓ ସିର୍ଲୋ ଏରୂପ ତିନି ଗ୍ରାମରେ ବିଭକ୍ତ ହୋଇଥିଲେହେଁ ଅଧିକାଂଶ ଲୋକେ ସମୁଦାୟ ଗ୍ରାମକୁ ସିର୍ଲୋ ନୁଆଗାଁ ବୋଲି ଡାକନ୍ତି ମାତ୍ର ସଭ୍ୟସମାଜରେ ସମୁଦାୟ ଗ୍ରାମ ନବଗ୍ରାମ ନାମରେ ବିଖ୍ୟାତ । ନଦୀତୀରବର୍ତ୍ତୀ ଗ୍ରାମମାନ ବିଶେଷରେ ସଭ୍ୟତା ଏବଂ ଜ୍ଞାନାଲୋକରେ ପରିମାର୍ଜିତ ଏବଂ ବାଣିଜ୍ୟବ୍ୟବସାୟର ମଧ୍ୟ ପ୍ରକୃଷ୍ଟସ୍ଥାନ ଅଟେ । ସେହି ହେତୁରେ ନଦୀଠାରୁ ଦୂରାବସ୍ଥିତ ଗ୍ରାମମାନଙ୍କ ଅପେକ୍ଷା ଅନ୍ୟାନ୍ୟ ନଦୀତୀରବର୍ତ୍ତୀ ଗ୍ରାମପରି ନବଗ୍ରାମରେ ସୁଦ୍ଧା ଅନେକ ଭଦ୍ରଲୋକେ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ଚୌଧୁରୀଘର ପ୍ରଧାନ ଅଟେ । ଏହି ଚୌଧୁରୀଙ୍କ ନାମ ପୂର୍ବ ପରିଚ୍ଛେଦୋକ୍ତ ରାଧାଗୋବିନ୍ଦ ଚୌଧୁରୀ । ସେ ଅଞ୍ଚଳରେ ଏ ମହାଶୟ ବିଶେଷରୂପେ ପରିଚିତ ଥିଲେହେଁ ଅଧିକାଂଶ ଲୋକେ ଏହାଙ୍କ ନାମ ଜାଣନ୍ତି ନାହିଁ କିମ୍ୱା ଜାଣିଲେ ଉଚ୍ଚାରଣ କରନ୍ତି ନାହିଁ । ଫଳତଃ ନବଗ୍ରାମ ଅଥବା ନୁଆଗାଁ ଚୌଧୁରୀ ନାମରେ ଏ ମହାଶୟ ଲୋକରେ ପରିଚିତ ଅଟନ୍ତି ।

ରାଧାଗୋବିନ୍ଦ ଚୌଧୁରୀଙ୍କର ବୟସ ବର୍ତ୍ତମାନ ପଞ୍ଚାଶତ୍‌ ବର୍ଷ । ଦେଖିବାକୁ ବଡ଼ ସୁନ୍ଦର । ବାର୍ଦ୍ଧକ୍ୟଜନିତ ନାନାପ୍ରକାର ଦୋଷ ଶରୀରକାନ୍ତି ଅପହରଣ କରିଥିଲେ ସୁଦ୍ଧା ଏହାଙ୍କୁ ଦେଖିଲେ ଯୌବନ ସମୟରେ ଏହାଙ୍କ ରୂପ କେଡ଼େ ସୁନ୍ଦର ଥିଲା ତାହା ଉତ୍ତମ ରୂପେ ଅନୁମାନ କରାଯାଇ ପାରେ । ବାଲ୍ୟକାଳରେ ପିତା ଓ ପିତାମହଙ୍କ ଯତ୍ନରେ କିଞ୍ଚିତ ବିଦ୍ୟାର୍ଜ୍ଜନ କରି ସାରିଲାରୁ ପଛକୁ ସରକାରୀ କାର୍ଯ୍ୟ ଶିକ୍ଷା କରିବା ସକାଶେ ପିତାଙ୍କ ନିକଟରେ ଶିକ୍ଷାନବିସି କାର୍ଯ୍ୟ କରୁଥିଲେ ଏବଂ ପିତାଙ୍କ ପରଲୋକାନ୍ତେ ତାଙ୍କର ଚୌଧୁରୀଗିରୀ କାର୍ଯ୍ୟ ପାଇ ସେହି କାର୍ଯ୍ୟ ଉତ୍ତମରୁପେ ଚଳାଇ ଆସୁଅଛନ୍ତି । ଏହି ଚୌଧୁରୀ କାର୍ଯ୍ୟ ଯୋଗୁଁ ପିତାଙ୍କ ଅମଳରୁ ଏହାଙ୍କର ମହାନ୍ତି ଶବ୍ଦଟା ଉଠି ଯାଇଅଛି ଏବଂ ସେହି ହେତୁ ରାଧାଗୋବିନ୍ଦ ମହାନ୍ତି ପରିବର୍ତ୍ତରେ ରାଧାଗୋବିନ୍ଦ ଚୌଧୁରୀ ନାମର ସୃଷ୍ଟି ହୋଇଅଛି । ଏହା ଯେ କେବଳ ଏହିଠାରେ ଘଟିଅଛି ଏମନ୍ତ ନୁହେଁ । ସରକାରୀ କାର୍ଯ୍ୟରୁ ଏହିପରି ପରିବର୍ତ୍ତନ ନାନାସ୍ଥାନରେ ନାନାପ୍ରକାରରେ ହୋଇଅଛି ।

ଅନେକ କାଳ ଶିକ୍ଷାନବିସି କରିଥିବାରୁ ଚୌଧୁରୀ-କାର୍ଯ୍ୟରେ ଏହାଙ୍କର ବିଶେଷ ପାରଦର୍ଶିତା ଲାଭ ହୋଇଅଛି । ସେହିହେତୁ ଏ ମହାଶୟ ବର୍ତ୍ତମାନ ସୁବାଦାରଙ୍କର ଅତ୍ୟନ୍ତ ପ୍ରିୟପାତ୍ର । ତଥାପି ଏମନ୍ତ ବୋଲାଯାଇ ନ ପାରେ ଯେ ସୁବାଦାରଙ୍କର ପ୍ରିୟପାତ୍ର ହେଲେ ବୋଲି ସୁବାଦାରଙ୍କର ପ୍ରାପ୍ୟ ଧନ କିଛିହିଁ ଅପହରଣ କରନ୍ତି ନାହିଁ । ମାତ୍ର ଆମ୍ଭମାନେ ଯେ ସମୟର କଥା କହୁଅଛୁଁ ସେତେବେଳେ ଯେ ରାଜକୀୟ-ଧନ ଅଧିକ ଆତ୍ମସାତ୍‌ କରୁଥିଲା ସେ ଲୋକରେ ଅଧିକ ପ୍ରଶଂସା ପାଉଥିଲା । ଆମ୍ଭମାନଙ୍କର ରାଧାଗୋବିନ୍ଦ ଚୌଧୁରୀ ଯେ ସେହି ଛାଞ୍ଚର ଲୋକ ବୋଲିବା ଅଧିକ ।

ଏହାଙ୍କ ପିତାମହ ଜଣେ ଉପଯୁକ୍ତ ଶାସ୍ତ୍ରଜ୍ଞ ଥିଲେ ସୁଦ୍ଧା ନିତାନ୍ତ ଦୁଃଖୀ ଥିଲେ । ତାଙ୍କର ପାଣ୍ଡିତ୍ୟ ତାହାଙ୍କୁ କୌଣସି ପ୍ରକାର ସୁଖର ଅଧିକାରୀ କରାଇ ନାହିଁ । ଲକ୍ଷ୍ମୀ ସରସ୍ୱତୀ ଏକାଧାରରେ ବିରାଜିତା ହୁଅନ୍ତି ନାହିଁ ବୋଲି ଯେ କବି–ବାଣୀ ଅଛି ତାହା ତାଙ୍କଠାରେ ସାର୍ଥକତା ଲଭିଥିଲା । ତଥାପି ସେହି ପାଣ୍ଡିତ୍ୟ ହେତୁ ବୃଦ୍ଧବୟସରେ ଆପଣା ପୁତ୍ରକୁ ଶିବଭଟ୍ଟ ସାମନ୍ତରାୟ ମରହଟ୍ଟାଙ୍କ ନିକଟରୁ ଓଡ଼ିଶାର ଶାସନଭାର ପାଇଲା ପର ତାଙ୍କ ନିକଟକୁ ଘେନି ଯାଇ ପାରିଥିଲେ-। କାବ୍ୟନାଟକାଦି ପଢ଼ିବାରୁ ଆପଣାର ଯେ ପାଣ୍ଡିତ୍ୟ ଲାଭ ହୋଇଥିଲା ତାହା ସୁଖପ୍ରଦ ନୋହିବାରୁ ସେ ପୁତ୍ରକୁ କାବ୍ୟନାଟକାଦି ନ ପଢ଼ାଇ କେବଳ ସରକାରୀ କାର୍ଯ୍ୟ ଆଦି କିପରି ଚଳାଇବାକୁ ହୁଏ ଏବଂ କି ନିୟମରେ ହିସାବ ଇତ୍ୟାଦି ରଖାଯାଏ ଏହିସବୁ ବିଷୟରେ ନାନାପ୍ରକାର ଲୋକଙ୍କର ସାହାଯ୍ୟ ଓ ଅନୁଗ୍ରହରୁ ଶିକ୍ଷା ଦେଇଥିଲେ । ଶିବଭଟ୍ଟ ସାମନ୍ତରାୟ ପୂର୍ବରୁ ବୃଦ୍ଧକୁ ଚିହ୍ନୁଥିଲେ ମାତ୍ର ତାଙ୍କ ପୁତ୍ରକୁ ଦେଖି ନ ଥିଲେ । ବର୍ତ୍ତମାନ ତାଙ୍କ ପୁତ୍ରକୁ ଦେଖି ସେହି ସମୟରୁ ତାଙ୍କ ମନରେ କିପରି ଏକ ଅଭୁତପ୍ରକାର ଅନୁରାଗ ଜାତ ହେଲା ଯେ ସେ ତହିଁରେ ପରିଚାଳିତ ହୋଇ ତାଙ୍କୁ ଏକାବେଳକେ ଏକ ଢାଲୁକର ଚୌଧୁରୀକର୍ମ୍ମରେ ନିଯୁକ୍ତ କଲେ-। ବୃଦ୍ଧ ପରମାନନ୍ଦିତ ହୋଇ କେତେରୂପେ ସାମନ୍ତରାୟଙ୍କର ମଙ୍ଗଳ ମନାସି ପୁତ୍ରକୁ ତାଙ୍କ ନିକଟରେ ଛାଡ଼ି ଆସିଲେ । ମାତ୍ର ଭାଗ୍ୟରେ ଯାହାର ସୁଖଭୋଗ ନ ଥାଏ ସେ କି ତାହା ଭୋଗ କରିପାରେ ? ଘରକୁ ଲେଉଟି ଆସିଲା ବେଳେ ବାଟରେ ଉତ୍କଟ ରୋଗଗ୍ରସ୍ତ ହେଲେ । କେତେଜଣ ସଦାଶୟ ଲୋକ ଖଟିଆକରି ଏହାଙ୍କୁ ଘରକୁ ପଠାଇ ଦେଲେ ମାତ୍ର ବାଟରୁ ଏହାଙ୍କ ପ୍ରାଣବାୟୁ ବର୍ହିଗତ ହୋଇଯାଇଥିଲା । ଗଉଡ଼ମାନେ ଖଟିଆ ରଖିଲା ପରେ ଲୋକେ ଏହାଙ୍କୁ ଚେତାଇବାକୁ ଆସି ଦେଖିଲେ ଯେ ବୃଦ୍ଧର କେବଳ ମୃତଦେହ ତହିଁରେ ପଡ଼ିଅଛି । ସୁଖବାର୍ତ୍ତା ଶୁଣି ଆନନ୍ଦଲାଭ କରିବାର ତେଣିକି ଥାଉ ଘରର ଲୋକେ ଶୋକସାଗରରେ ପଡ଼ି କ୍ରନ୍ଦନ ରୋଳରେ ଗ୍ରାମକୁ ଭସାଇ ଦେଲେ ।

ଏଥିର କିଛିଦିନ ଉତ୍ତାରୁ ସାମନ୍ତରାୟଙ୍କ ନିକଟରୁ ସନନ୍ଦ ପ୍ରାପ୍ତ ହୋଇ ରାଧାଗୋବିନ୍ଦଙ୍କ ପିତା ଘରକୁ ଆସିଲେ । ଉଚ୍ଚ କାର୍ଯ୍ୟ ପାଇଥିବାରୁ କ୍ରମେ ଏହାଙ୍କର ଗ୍ରାମରେ ସମ୍ମାନ ବଢ଼ିଲା, ଏବଂ ଅଚିରେ ନବଗ୍ରାମ ଅଥବା ନୂଆଗାଁ ଚୌଧୁରୀରୂପରେ ସେ ଅଞ୍ଚଳରେ ପରିଚିତ ହେଲେ । ସେ ନିତାନ୍ତ କୃପଣ ସ୍ୱଭାବର ଲୋକ ଥିଲେ । ସେହିହେତୁ ଦେଖୁଁ ଦେଖୁଁ ଅଳ୍ପକାଳ ମଧ୍ୟରେ ନାନାପ୍ରକାର ସମ୍ପତ୍ତି ଲାଭ କଲେ ମାତ୍ର ବିଧି ତାହାଙ୍କୁ ଅଧିକ ଦିନ ବଞ୍ଚାଇ ରଖିଲେ ନାହିଁ । କାର୍ଯ୍ୟ ପାଇବାର ସାତ ବର୍ଷ ମଧ୍ୟରେ ଏହାଙ୍କର ପରଲୋକ-ଗମନ ହେଲା ।

ପିତା ପରଲୋକ ଗମନ କରିବା ସମୟରେ ରାଧାଗୋବିନ୍ଦ ଚୌଧୁରୀଙ୍କର ବୟସ ଅଳ୍ପ ନ ଥିଲା ଏବଂ ପିତାଙ୍କ ଚାକିରୀ ଆରମ୍ଭ ହେବାର ଅଳ୍ପ ଦିନ ଉତ୍ତାରୁ ତାଙ୍କ ନିକଟରେ ସର୍ବଦା ଉପସ୍ଥିତ ଥାଇ ଅଥବା ଆଦେଶମତ କାର୍ଯ୍ୟ ଚଳାଉଥିବାରୁ ସାମନ୍ତରାୟଙ୍କଠାରେ ଉତ୍ତମରୂପେ ପରିଚିତ ହୋଇଥିଲେ । ସାମନ୍ତରାୟ ସୁଦ୍ଧା ଏହାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ସମୟରେ ଏହାଙ୍କୁ ମଧ୍ୟ ଗୋଟିଏ ଚାକିରୀ ଦେବାର ମନଃସ୍ଥ କରିଥିଲେ, ମାତ୍ର ସୁବିଧା ଅଭାବରେ ଏତେକାଳ ତାହା ହୋଇ ପାରି ନ ଥିଲା । ବର୍ତ୍ତମାନ ଏହାଙ୍କ ପିତାଙ୍କ ମୃତ୍ୟୁବାର୍ତ୍ତା ଶୁଣିଲା ମାତ୍ରକେ ସାମନ୍ତରାୟ ରାଧାଗୋବିନ୍ଦଙ୍କୁ ତାଙ୍କ କର୍ମ୍ମରେ ନିଯୁକ୍ତ କଲେ ଏବଂ ଶ୍ରାଦ୍ଧକ୍ରିୟାପରେ ରାଧାଗୋବିନ୍ଦ ସାମନ୍ତରାୟଙ୍କ ନିକଟକୁ ଯାଇ ସନନ୍ଦ ପ୍ରାପ୍ତ ହୋଇ କାର୍ଯ୍ୟ-କ୍ଷେତ୍ରରେ ଉପସ୍ଥିତ ହେଲେ ।

ଅନେକ ସ୍ଥଳରେ ଦେଖାଯାଏ ପିତା କୃପଣ ହୋଇ ଧନସଞ୍ଚୟ କରି ଯାଇଥିଲେ ତାଙ୍କର ଉତ୍ତରାଧିକାରୀ ଅପବ୍ୟୟରେ ସେ ଧନ ନଷ୍ଟ କରେ । ମାତ୍ର ରାଧାଗୋବିନ୍ଦ ପିତାଙ୍କର ଉପଯୁକ୍ତ ପୁତ୍ର । ପିତା ଯାହା ରଖି ଯାଇଥିଲେ ବିଚକ୍ଷଣତା ସହକାରେ ତାହା ଚଳାଇ ଏବଂ ନିଜ ଧନ ତହିଁରେ ଲଗାଇ କ୍ରମେ କ୍ରମେ ଏତେ ଏତେ ସମ୍ପତ୍ତି କଲେ ଯେ ଅତି ଅଳ୍ପକାଳ ମଧ୍ୟରେ ବଡ଼ଲୋକ ବୋଲି ତାଙ୍କର ନାମ ଚତୁର୍ଦ୍ଦିଗରେ ବାହାରି ଗଲା, ମଧ୍ୟ ସମ୍ପତ୍ତି କରିବାକୁ ଏମାନଙ୍କୁ ଉତ୍ତମ ସୁବିଧା ମଳିଥିଲା । ଓଡ଼ିଶା ଅଳ୍ପଦିନ ହେଲା ମହାରାଷ୍ଟୀୟଙ୍କ କରଗତ ହୋଇଥିଲେହେଁ ଶାସନକାର୍ଯ୍ୟ ଚଳାଇବାରେ ସେପରି ସୁବନ୍ଦୋବସ୍ତ ହୋଇ ପାରି ନ ଥିଲା । କ୍ଷିମିଡ଼ି ରାଜା ନାରାୟଣଦେବ ଆପଣାକୁ ଖୋର୍ଦ୍ଧାସିଂହାସନର ଉତ୍ତରାଧିକାରୀ ମନେ କରି ୧୭୬୧ ଖ୍ରୀଷ୍ଟାବ୍ଦରେ ବୀରକିଶୋର ଦେବଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କରି ଯୁଦ୍ଧରେ ତାହାଙ୍କୁ ହରାଇବାରୁ ସେ ମରହଟ୍ଟା ସୁବାଦାରଙ୍କ ଆଶ୍ରୟ ଘେନିଥିଲେ ଏବଂ ଶିବଭଟ୍ଟ ସାମନ୍ତରାୟ ତାଙ୍କୁ ସାହଯ୍ୟ ପ୍ରଦାନ କରି ବିଶେଷ ଭାର ରାଧାଗୋବିନ୍ଦଙ୍କ ପିତାଙ୍କ ଉପରେ ନ୍ୟସ୍ତ କରିଥିବାରୁ ତହିଁରେ ତାଙ୍କର ଉତ୍ତମ ଲାଭ ହୋଇଥିଲା ଏବଂ ପରିଶେଷରେ ବୀରକିଶୋର ଦେବ ଜୟୀ ହେବାରୁ ତାହାଙ୍କୁ ନାନାପ୍ରକାର ବହୁମୂଲ୍ଲୀ ଉପଢ଼ୌକନ ମିଳିଥିଲା । ପିତାଙ୍କ ଅମଳରେ ଏହିପରି ଗୋଟିଏ ସୁବିଧା ହୋଇଥିଲା ମାତ୍ର ଏହାଙ୍କ ଅମଳରେ ସାମନ୍ତରାୟ ପଦଚ୍ୟୁତ ହୋଇ ଉତ୍ତରୋତ୍ତର ୪ ଜଣ ନୂତନ ସୁବାଦାର ନିଯୁକ୍ତ ହେବାରୁ ଦେଶରେ ଏକପ୍ରକାର ଅରାଜକତା ଉପସ୍ଥିତ ହୋଇଥିଲା । ସୁତରାଂ ଯେଉଁମାନଙ୍କ ଉପରେ ଖଜଣା ଆଦାୟ କରିବାର ଭାରାର୍ପଣ ହୋଇଥିଲା ସେମାନଙ୍କ କପାଳ ଖୋଲିଗଲା । ତହିଁ ମଧ୍ୟରେ ରାଧାଗୋବିନ୍ଦ ବିଶେଷ ଯୋଗ୍ୟ ଥିବାରୁ ସେ ସେହି ସୁବିଧାର ଷୋଳପଣ ସୁବ୍ୟବହାର କରିଥିଲେ । ତଥାପି ନିଜର ଯୋଗ୍ୟତା ହେତୁ ସୁବାଦାରଙ୍କ ଠାରେ ସତ୍ୟମିଥ୍ୟା ନାନାପ୍ରକାର ବିବରଣୀ ଆଗତ କରି ତାଙ୍କର ପ୍ରିୟଭାଜନ ହୋଇ ରହିଥିଲେ ।

ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ ସେ ସମୟକୁ ଶମ୍ଭୁଜୀ ଗଣେଣ ଓଡ଼ିଶାକୁ ବର୍ଷେ ହେଲା ସୁବାଦାର କାର୍ଯ୍ୟରେ ନିଯୁକ୍ତ ହୋଇଆସିଅଛନ୍ତି । ଏ ମହାଶୟ ଶୀଘ୍ରପ୍ରଜାକଣ୍ଟକ ଶାସନକର୍ତ୍ତା ବୋଲି ଖ୍ୟାତି ଲଭିଥିଲେ ! ସୁବାଦାରକାର୍ଯ୍ୟରେ ନିଯୁକ୍ତ ହୋଇ ଆସିବା ସଙ୍ଗେ ସଙ୍ଗେ ଦେଶରେ ନାନାପ୍ରକାର କର ପ୍ରଚଳିତ କଲେ ଏବଂ ନିଷ୍କର ଭୂମିମାନଙ୍କୁ ସାକର କଲେ । ସୁତରାଂ ଚୌଧୁରୀମାନଙ୍କୁ ବଡ଼ ସୁପାଳକ ପଡ଼ିଗଲା ଏବଂ ରାଧାଗୋବିନ୍ଦ ଚୌଧୁରୀ ଏଭଳି ସୁସମୟ ନିମିତ୍ତ ଈଶ୍ୱରଙ୍କୁ ଶତ ଶତ ଧନ୍ୟବାଦ ଦେଇ ଆପଣାର ସଂସ୍ଥାନ ବୃଦ୍ଧି କରିବାରେ ଯତ୍ନବାନ ହେଲେ ।

ଏହିରୂପେ ରାଧାଗୋବିନ୍ଦଙ୍କର ସମ୍ପତ୍ତି ବିଶେଷ ହୋଇଥିଲା । ମାତ୍ର ଆଜିକାଲି ଯେପରି କମ୍ପାନୀ-କାଗଜର କାଳ ପଡ଼ିଅଛି ସେତେବେଳେ ସେପରି କାଳ ନ ଥିଲା । ଆଜି ଜଣେ ବଡ଼ ଲୋକ ଉତ୍ତମ ଉପାର୍କ୍ଜନ କରି ପାରିଲେ ସେ ଜମି, ଜମିଦାରୀ ମହାଜନୀ ଧାନଅମାର ଇତ୍ୟାଦିପ୍ରତି ଦୃଷ୍ଟି ନ ରଖି ଅର୍ଜିତ ଧନ କେବଳ କୁମ୍ପାନୀ-କାଗଜରେ ଖଟାଇ ଅଥବା ବେଙ୍କରେ ଜମା କରି ଛାତି ଫୁଲାଇ ବୁଲନ୍ତି ଏବଂ ବେଙ୍କ ଫେଲ ହୋଇଗଲେ ମୁଣ୍ଡରେ ହାତ ଦେଇ ନୀରବରେ ରୋଦନ କରନ୍ତି । ପୂର୍ବେ ସେପରି ନ ଥିଲା । ସେତେବେଳେ ଯହିଁରେ ଧନ ଚଳପ୍ରଚଳ ହୋଇ ସମୟରେ ଅଶେଷ ଉପକାର ସାଧନ କରି ପାରିବ ଏପରି କାର୍ଯ୍ୟରେ ପ୍ରାୟ ସମସ୍ତ ବଡ଼ଲୋକମାନେ ଅର୍ଜିତ ଧନ ଲଗାଉଥିଲେ । ରାଧାଗୋବିନ୍ଦ ତଦନୁଯାୟୀ ନାନାସ୍ଥାନରେ ଜମି ଇତ୍ୟାଦି କ୍ରୟ କରି ଚାଷ କର୍ମ୍ମର ସୁବିଧା କରିଥିଲେ ଏବଂ ଘରନିକଟରେ ଓ ଅନ୍ୟାନ୍ୟ ସ୍ଥାନରେ ବଡ଼ ଅମାରମାନ ନିର୍ମ୍ମାଣ କରି କେବଳ ଧାନ ଜମାଉଥିଲେ । ଲକ୍ଷ୍ମୀ ଯାହାଙ୍କୁ ପ୍ରସନ୍ନା ହୁଅନ୍ତି ତାଙ୍କର କେଉଁ ରୂପରେ ଯେ ଭାଗ୍ୟ ବଢ଼ିଯାଏ ତହିଁର କଳନା ହୁଅଇ ନାହିଁ । ରାଧାଗୋବିନ୍ଦଙ୍କ ଉପରେ ଲକ୍ଷ୍ମୀ ପ୍ରସନ୍ନା ଥିଲେ ଏବଂ ପିତାଙ୍କ ମୃତ୍ୟୁର ପାଞ୍ଚବର୍ଷ ମଧ୍ୟରେ ନାନାସ୍ଥାନରେ ସହସ୍ର ସହସ୍ର ଭରଣ ଧାନ ସଂଗ୍ରହ କରି ରଖି ପାରିଥିଲେ ।

କୃପଣ-ସ୍ୱଭାବର ଲୋକ ଥିବାରୁ ରାଧାଗୋବିନ୍ଦଙ୍କୁ ଦାନ କରିବା କଥା ଆଦୌ ଜଣା ନ ଥିଲା । ଯେଡ଼େ ବଡ଼ଲୋକ ହେଉ ପଛକେ ପତ୍ର କି ଟିପ ଲେଖି ନ ଦେଲେ ଧାନ କି ଟଙ୍କା ଉଧାର ପାଇ ପାରିବ ନାହିଁ ଏବଂ ଥରେ ଉଧାର ନେଲେ ରାଧାଗୋବିନ୍ଦଙ୍କ ହାତରୁ ଉଦ୍ଧରି ଯିବା ବଡ଼ କଠିନ । ରାଧାଗୋବିନ୍ଦ କଡ଼ାଗଣ୍ଡା ହିସାବ କରି ତାହାର ଶେଷ ଶୋଣିତ ପର୍ଯ୍ୟନ୍ତ ଗୋଡ଼ଇ ଆପଣାର ପ୍ରାପ୍ୟ ଆଦାୟ କରିବେ । ଖାତକ ଯାହା ଋଣ କରିଥିଲା ତହିଁର ତିନିଗୁଣ ଆଦାୟ କରିଥିଲେହେଁ ଯଦି ତାହା ଉପରେ ହିସାବରେ ପଇସାଟିଏ ବାକୀ ହୁଏ ସେ ମୁଣ୍ଡ ପିଟି ଦେଲେ ସୁଦ୍ଧା ତାହା ଛାଡ଼ ପାଇବ ନାହିଁ । ଏପରି ଅବସ୍ଥାରେ ଦୀନ-ଦୁଃଖୀ କାହାରି ଗୋଡ଼ ରାଧାଗୋବିନ୍ଦଙ୍କ ଦ୍ୱାରେ ପଡ଼େ ନାହିଁ । ପଡ଼ିବ ଅବା କାହିଁକି ? ଜୀବନ ଯାଉଥିଲେ ସୁଦ୍ଧା ଯେଉଁ ଲୋକ ହାଣ୍ଡିର ପଖାଳ ପଛକେ ସଢ଼ି ଯାଉ ତାହା ରଙ୍କିଦୁଃଖିଙ୍କି ନ ଦେବ ସେଠି ସେମାନଙ୍କର ପଦରଜ କାହିଁକି ପଡ଼ିବ ? ହୃଦୟ ଏଭଳି କଠିନ ହେଲେ ସୁଦ୍ଧା ଭାଗ୍ୟ ତାଙ୍କର ପ୍ରବଳ ଏବଂ ଲୋକେ କହନ୍ତି ଲକ୍ଷ୍ମୀ ତାଙ୍କଠାରେ ପ୍ରସନ୍ନା ହୋଇ ତାଙ୍କ ଦ୍ୱାରେ ବନ୍ଧା ଅଛନ୍ତି ।

ରାଧାଗୋବିନ୍ଦ ଦୁଇ ଥର ବିବାହ ହୋଇଥିଲେ । ପ୍ରଥମ ବିବାହରେ ସନ୍ତାନ ଜାତ ନୋହିବାରୁ ସେହି କାମନାରେ ଦ୍ୱିତୀୟ ସଂସାର କରିଥିଲେ । ମାତ୍ର ବିଧି ତାଙ୍କୁ ଏବିଷୟରେ ବାମ ଥିବାରୁ ତାଙ୍କର ସେ କାମନା ଫଳବତୀ ହୋଇପାରିଲା ନାହିଁ । ଏକ ସମୟରେ ଗ୍ରାମରେ ଭୟାନକ ମାରୀଭୟ ଉପସ୍ଥିତ ହୋଇଥିଲା । ଜଣେ ସ୍ୱଜାତୀୟ ପ୍ରତିବେଶୀ ଲୋକ ଗୋଟିଏ କନ୍ୟାକୁ ଅନାଥା କରି ଭାର୍ଯ୍ୟାସହିତରେ କାଳକବଳରେ ପତିତ ହେବାର ଶୁଣି ରାଧାଗୋବିନ୍ଦଙ୍କ ପ୍ରଥାମା ଭାର୍ଯ୍ୟ ସେହି କନ୍ୟାଟିକି ଆଣି ଆପଣା ଘରେ ରଖି ପ୍ରତିପାଳନ କଲେ । ସେତେବେଳେ ସେ କନ୍ୟାର ବୟସ କେବଳ ୬ମାସ ହୋଇଥିଲା ଏବଂ ସେ ସମୟରେ ରାଧାଗୋବିନ୍ଦଙ୍କ ଅବସ୍ଥା ନିତାନ୍ତ ମନ୍ଦ ଥିଲେହେଁ ଦୈବାଧୀନ ଏ ଭଳି ଏକ ମାୟାରେ ପଡ଼ି ସେହି କନ୍ୟାର ଲାଳନ-ପାଳନ ଓ ସ୍ନେହରେ ବିଜଡ଼ିତ ହେଲେ । କନ୍ୟାର ନାମ କଳାବତୀ ଓ ସେ ବର୍ତ୍ତମାନ ଆମ୍ଭମାନଙ୍କର ପୂର୍ବ ପରିଚ୍ଛେଦରେ ବର୍ଣ୍ଣିତ ହୋଇଥିବା ଷୋଡ଼ଶୀ ବୟୋଜ୍ୟୋଷ୍ଠା ।

Image

 

ସପ୍ତମ ପରିଚ୍ଛେଦ

କୃପଣର ସଂସାର

 

ଆମ୍ଭେମାନେ ପୂର୍ବ ପରିଚ୍ଛେଦରେ କହିଅଛୁ ରାଧାଗୋବିନ୍ଦ ବଡ଼ କୃପଣ ସ୍ୱଭାବର ଲୋକ ଥିଲେ । ତାଙ୍କ ପିତା ମଧ୍ୟ କୃପଣ ଥିଲେ । ଲୋକ ବିଷୟବାନ୍‌ ନ ହେବା ପର୍ଯ୍ୟନ୍ତ ତାହାର କୃପଣସ୍ୱଭାବର ଉତ୍ତମ ପରିଚୟ ମିଳି ନ ପାରେ, କାରଣ ଦୀନଲୋକଙ୍କଠାରେ ବେଳେ ବେଳେ ଯେଉଁ ଅତ୍ୟୁତ୍କୃଷ୍ଟ ମିତବ୍ୟୟିତା ଦେଖାଯାଏ ଲୋକେ ତାହାକୁ କୃପଣତା ବୋଲି ଥାଆନ୍ତି, ମାତ୍ର ତାହା ଯେ ନିତାନ୍ତ ଭ୍ରମପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ । ଯାହାର ଯେପରି ଆୟ ସଂସାରରେ ତାହାକୁ ସେହିଭଳି ଚଳିବାକୁ ହେବ । ଯାହାର ମାସିକ ଆୟ ପାଞ୍ଚ ଟଙ୍କା, ଯେ ନିୟମରେ ଚଳିଲେ ମାସିକ ଖର୍ଚ୍ଚ ପାଞ୍ଚ ଟଙ୍କାରୁ ଅଧିକ ନ ହେବ ତାହାକୁ ସେହି ନିୟମରେ ଚଳିବାକୁ ହେବ । ଏହାକୁ ମିତବ୍ୟୟିତା ବୋଲିବା । ମାତ୍ର ଯାହାର ଆୟ ମାସିକ ପାଞ୍ଚଶତ ଟଙ୍କା ତାହାକୁ ଅନ୍ୟ ନିୟମରେ ଚଳିବାକୁ ହେବ ଅର୍ଥାତ୍‌ ସେ ବ୍ୟକ୍ତି ମାସିକ ପାଞ୍ଚଶତ ଟଙ୍କା ଖର୍ଚ୍ଚ କରି ପାରେ । ସୁତରାଂ ପାଞ୍ଚଶତ-ଟଙ୍କିୟା ଲୋକ ନିକଟରେ ପାଞ୍ଚଟଙ୍କିୟା ଲୋକ ଅତି ନୀଚ ହେଲେହେଁ ମିତବ୍ୟୟିତାରେ ତାହାର ଶ୍ରେଷ୍ଠତ୍ୱ ରହିଅଛି । ପରନ୍ତୁ ପାଞ୍ଚଶତ ଟଙ୍କା ପାଇଲା ଭଳି ଲୋକ ଯଦି ପାଞ୍ଚଟଙ୍କା ପାଇଲା ଭଳି ଲୋକର ନିୟମାନୁଯାୟୀ ଚଳଇ ତାହାକୁ କୃପଣ ନ ବୋଲି ଆଉ କି ବୋଲାଯିବ ? ଏବଂ ଏହି କୃପଣତାରେ କି ନୀଚତ୍ୱ ବିଦ୍ୟାମାନ ନାହିଁ ? ସଂସାରରେ ସମସ୍ତେ ସମାନ ନୁହନ୍ତି । ଈଶ୍ୱରାନୁଗ୍ରହରୁ ଯେଉଁମାନେ ଧନବାନ୍‌ ଏବଂ ସମ୍ପତ୍ତିଶାଳୀ ହୋଇଅଛନ୍ତି ଦୀନଦୁଃଖିଙ୍କ ପ୍ରତି ଦୟା ଆଚରିବା ଏବଂ ସତ୍‌ପାତ୍ର ଓ ସତ୍‌କର୍ମ୍ମରେ ଦାନ କରିବା ସେମାନଙ୍କର କର୍ତ୍ତବ୍ୟ କର୍ମ୍ମ ଅଟେ । ଅବଶ୍ୟ ଏପରି କେହି ଅନୁମାନ କରିବେ ନାହିଁ ଯେ ସାଧ୍ୟ ନ ଥାଉ ପଛକେ ଦୀନଦୁଃଖୀ ଯାହା ଚାହିବେ ତାହା ଦେବାକୁ ହେବ କିମ୍ୱା ସତ୍‌ପାତ୍ର ଅବା ସତ୍କର୍ମ୍ମରେ ଯେତେ ଲାଗି ପାରିବ ସବୁ ଚଳାଇବାକୁ ହେବ । ଏହା ଆମ୍ଭେମାନେ କଦାପି କହିବୁଁ ନାହିଁ କାରଣ ତାହା କଲେ ଅମିତବ୍ୟୟତାରେ ସମ୍ପତ୍ତି ହରାଇ ଶୀଘ୍ର କଷ୍ଟ ଭୋଗ କରିବାକୁ ପଡ଼ିବ । ମିତବ୍ୟୟରେ ଥାଇଁ ସାଧ୍ୟମତ ଯଥାଯୋଗ୍ୟ ଦାନ ଇତ୍ୟାଦି ଦ୍ୱାରା ପରର ଉପକାର ସାଧନ କରିବାହିଁ ପ୍ରକୃତ ଧର୍ମ୍ମ ଏବଂ ତଦ୍ଦ୍ୱାରା ଯେପରି ଧନଲାଭର ସାର୍ଥକତା ସମ୍ପାଦିତ ହୋଇ ଇହଲୋକରେ ଅତୁଳ ସୁଖ ଲାଭ ହୁଏ ସେପରି ପରକାଳରେ ପରମ ଧର୍ମ୍ମାଚରଣ ହେତୁ ଉତ୍ତମ ଗତି ମିଳଇ । ରାଧାଗୋବିନ୍ଦ କିମ୍ୱା ତାଙ୍କ ପିତାଙ୍କଠାରେ ଏ ଧର୍ମ୍ମାଚରଣ ଆଦୌ ନ ଥିଲା । ସମ୍ପତ୍ତି ନ ଥିବା ସମୟରେ ଯେପରି ଭାବରେ ସେମାନେ ଚଳୁଥିଲେ ସମ୍ପତ୍ତି ଲାଭ ହେଲା ଉଭାରୁ ତହିଁରୁ ଅଧିକ ନ୍ୟୁନଭାବରେ ଚଳିବାକୁ ଆରମ୍ଭ କଲେ । ଦୀନଦୁଃଖୀ ଦ୍ୱାରକୁ ଆସି ମୁଷ୍ଟି ପରିମାଣ ଭିକ୍ଷା ପାଇବା ତେଣିକି ଥାଉ କେହି ଲୋକେ କିଛି କର୍ଜ୍ଜ କରିଥିଲେ ତହିଁରୁ କଡ଼ାକ୍ରାନ୍ତି ସୁଦ୍ଧା ବାକୀ ପର୍ଯ୍ୟନ୍ତ ଭିଟାମାଟିରୁ ଉଚ୍ଛନ୍ନ ହେଲେହେଁ ଉଦ୍ଧାର ପାଇବ ନାହିଁ । ଏହିହେତୁ ନବଗ୍ରାମର କୌଣସି ଲୋକ କିମ୍ୱା ଅନ୍ୟ ଯେ ଏହାଙ୍କୁ ଭଲରୂପେ ଚିହ୍ନି ଅଛନ୍ତି ସେମାନେ ଏହାଙ୍କୁ ଭଲ ପାଅନ୍ତି ନାହିଁ, ଏମନ୍ତ କି ନବଗ୍ରାମ ଅଥବା ନୁଆଗାଁଚୌଧୁରୀ ଭିନ୍ନ କେହି ନାମୋଚ୍ଚାରଣ କରନ୍ତି ନାହିଁ ଏବଂ ଏମାନେ ଦାଣ୍ଡରେ ଯାଉଥିବା ସମୟରେ ଦୁଷ୍ଟ ପିଲାଏ ହାତତାଳି ଦେଇ ‘‘କେବେ ଦେଇଛି ଧାନ ପାଏ–ଗୋଡ଼ାଇ ମାଗୁଛି ଏବ ଯାଏ’’ ଢଗ ପକାଇବାକୁ ଛାଡ଼ନ୍ତି ନାହିଁ ମାତ୍ର ତହିଁକି ଏମାନଙ୍କର ଭ୍ରୂକ୍ଷେପ ନ ଥିଲା । ଭ୍ରୂକ୍ଷେପ ଥିବ ଅବା କାହିଁକି ? ତାହା ଥିବା ମଧ୍ୟ ଉଚିତ ନୁହେ । ଯେ ଲୋକ ସଂସାର ଶୋଷିବାକୁ ଇଚ୍ଛା କରେ ତାହା ପକ୍ଷେ ଏ ଭଳି କଥାରେ କର୍ଣ୍ଣପାତ କରିବା ଅମନୁଷ୍ୟତାର କାର୍ଯ୍ୟ ଅଟେ । ଏଭଳି ଲୋକେ ମନେ କରନ୍ତି ଲୋକେ କହନ୍ତି ପଛକେ ଆମ୍ଭର ଧନତ କେହି ଘେନି ପଳାଇବେ ନାହିଁ ।

 

ସେ କଥା ସତ୍ୟ । ଲୋକେ ସୁନୀତି ଆଚରି ଚଳିଲେ କେହି ତାଙ୍କ ଧନ ଘେନି ପଳାଇବେ ନାହିଁ । ମାତ୍ର ଲୋକଙ୍କ ମନରେ ଯେଉଁ ଅସନ୍ତୋଷର ବୀଜ ରୋପିତ ହେବ ତାହା କେଉଁ ରୂପେ ଦେଖା ଦେଇ କି ଫଳ ଫଳାଇବ ତାହା କିଏ କହିପାରେ ? ଯେତେବେଳେ କୌଣସି ଲୋକର ସହାନୁଭୂତି ପାଇବାର ଆଶାନାହିଁ ସେତେବେଳେ ସଂସାରରେ ଘର କରି କେହି କି କେବେ ସୁଖରେ ଦିନ ଯାପନ କରିବାର ଆଣ୍ଟ ବାନ୍ଧି ପାରେ ? ଏହି ସବୁ କଥା ମନେ ମନେ ଆନ୍ଦୋଳନ କରି ରାଧାଗୋବିନ୍ଦଙ୍କ ପିତା ଆପଣାର ଘନ ଓ ଜମିଦାରୀ କଚେରୀ ଓ ଅମାର ଘରମାନଙ୍କର ଚତୁର୍ଦ୍ଦିଗରେ ସୁଦୃଢ଼ ପ୍ରସ୍ତରମୟ ପ୍ରାଚୀର ନିର୍ମାଣ କରିବାକୁ ଆରମ୍ଭକଲେ ମାତ୍ର ଅଳ୍ପ ଦିନ ମଧ୍ୟରେ ତାଙ୍କର କାଳ ହେବାରୁ ସେ କାର୍ଯ୍ୟ ରାଧାଗୋବିନ୍ଦଙ୍କୁ ସମ୍ପନ୍ନ କରିବାକୁ ପଡ଼ିଲା ।

 

ଆମ୍ଭେମାନେ କହିଅଛୁଁ, ସନ୍ତାନ-କାମନାରେ ରାଧାଗୋବିନ୍ଦ ଦ୍ୱିତୀୟଥର ପାଣିଗ୍ରହଣ କରିଥିଲେ । ଯେ ପର୍ଯ୍ୟନ୍ତ କୌଣସି ବିଷୟ-ଲାଭର ଉପାୟ ନ ଥିଲା ସେ ପର୍ଯ୍ୟନ୍ତ ରାଧାଗୋବିନ୍ଦଙ୍କର କୌଣସି ଚିନ୍ତା ଜାତ ହୋଇ ନ ଥିଲା, ବରଂ ସେତବେଳେ ମନେ କରୁଥିଲେ ସନ୍ତାନ ନ ହେବା ଭଲ । ସନ୍ତାନ ହେଲେ ସେମାନଙ୍କର ଭରଣପୋଷଣରେ ଅଧିକ ଖର୍ଚ୍ଚ ପଡ଼ିବ ଏବଂ ସେ ଖର୍ଚ୍ଚକୁ ତାଙ୍କର ପ୍ରକୃତରେ ବଳ ନ ଥିଲା । ମାତ୍ର ପିତାଙ୍କର ଚୌଧୁରୀକାର୍ଯ୍ୟ ହେଲା ଉତ୍ତାରୁ ଦେଖୁଁ ଦେଖୁଁ ଯେତେବେଳେ ନାନା ପ୍ରକାର ସମ୍ପତ୍ତି ଲାଭ ହେଲା ସେତେବେଳେ ତାଙ୍କ ଉତ୍ତାରୁ ସେ ସମ୍ପତ୍ତି କିଏ ଭୋଗ କରିବ ଏହି ଚିନ୍ତା କ୍ରମଶଃ ବର୍ଦ୍ଧିତ ହେଲା । ରାଧାଗୋବିନ୍ଦଙ୍କ ପିତାଙ୍କ ମନରେ ସୁଦ୍ଧା ଏହି ଚିନ୍ତା ଜାତ ହୋଇଥିଲା । ସୁତରାଂ ରାଧାଗୋବିନ୍ଦଙ୍କ ବିବାହର କଥା ପଡ଼ନ୍ତେ ପିତା ତହିଁରେ ତତ୍‌କ୍ଷଣାତ୍‌ ସମ୍ମତି ପ୍ରଦାନ କରିଥିଲେ । ଏହିରୂପେ ରାଧାଗୋବିନ୍ଦଙ୍କର ୪୦ ବର୍ଷ ବୟସ ସମୟରେ ଦ୍ୱିତୀୟ ବିବାହ ହୋଇଥିଲା ।

 

ସେ ସମୟରେ ରାଧାଗୋବିନ୍ଦଙ୍କର ପ୍ରଥମାଭାର୍ଯ୍ୟା ବଞ୍ଚିଥିଲେ । କନ୍ୟା କଳାବତୀକି ୬ବର୍ଷ ବୟସ ହୋଇଥିଲା । ଯେପରି ପିଲାକୁ ଲୋକେ କୌତୁକିୟା ପିଲା ବୋଲି କହନ୍ତି କଳାବତୀ ପିଲାଦିନରେ ସେହିପରି ଥିଲେ ଏବଂ ସେହି ସ୍ନେହମୟୀ କନ୍ୟାଠାରେ ମାତାଙ୍କର ଅପତ୍ୟନିର୍ବିଶେଷ ଅତୁଳସ୍ନେହ ଜାତ ହୋଇଥିଲା । ରାଧାଗୋବିନ୍ଦଙ୍କର ଯେ ସ୍ନେହ ଜାତ ହୋଇ ନ ଥିଲା ଏମନ୍ତ ନୁହେଁ । ପରପିଲାପ୍ରତି ସ୍ନେହ ଜାତ ହେବା ତାଙ୍କ କୋଷ୍ଠୀରେ ନ ଥିଲା । କଳାବତୀ ବାଲ୍ୟକାଳରୁ ଏହାଙ୍କ ଘରେ ବଢ଼ିଥିବା ହେତୁ ଭାର୍ଯ୍ୟା ଆଦର କରି ବେଳେ ବେଳେ କନ୍ୟାଟିକୁ ତାଙ୍କ କ୍ରୋଡ଼ରେ ଦେବାରୁ ଭାର୍ଯ୍ୟାର ଅନୁରୋଧ ରକ୍ଷା କରିବା ନିମିତ୍ତ ବଳପୂର୍ବକ କୃତ୍ରିମ ସ୍ନେହ ଦେଖାଇବାକୁ ପଡ଼ୁଥିଲା । ତାହାଯେ ତାଙ୍କର ଭାର୍ଯ୍ୟା ବୁଝିପାରୁ ନଥିଲେ ଏମନ୍ତ ନୁହେଁ, ତଥାପି କ୍ରମେ କ୍ରମେ ପିଲାପ୍ରତି ସ୍ନେହସଞ୍ଚାର କରାଇବା ଆଶାରେ ରାଧାଗୋବିନ୍ଦ ଅନ୍ତଃପୁର ମଧ୍ୟରେ ଥିବା ସମୟରେ ପ୍ରାୟ ପିଲାଟିକି ସେ ତାଙ୍କ କ୍ରୋଡ଼ରେ ଦେଉଥିଲେ । ସେ ଆଶା କିୟତ୍‌ପରିମାଣରେ ଫଳବତୀ ହୋଇଥିଲା କାରଣ ଅଭ୍ୟାସବଶରୁ ରାଧାଗୋବିନ୍ଦଙ୍କର ପିଲାଟି ପ୍ରତି କ୍ରମେ ଅଳ୍ପ ହେଉ ପଛକେ ସ୍ନେହସଞ୍ଚାର ହୋଇଥିଲା ଏବଂ ସେହି ସ୍ନେହ ଉପରେ ସଂସାରମାୟା କାର୍ଯ୍ୟ କରି ରାଧାଗୋବିନ୍ଦଙ୍କୁ ଅଭିଭୂତ କରିଥିଲା । ଦ୍ୱିତୀୟ ବିବାହର କଥା ଶୁଣି ରାଧାଗୋବିନ୍ଦଙ୍କ ଭାର୍ଯ୍ୟାଙ୍କ ମନରେ ଅତ୍ୟନ୍ତ କ୍ଷୋଭ ଜାତହେଲା । ପ୍ରଥମ କ୍ଷୋଭ ପୁତ୍ରସନ୍ତାନ ଜାତ ନ ହେବା; ଦ୍ୱିତୀୟ କ୍ଷୋଭ ସେହି ହେତୁ ସମପତ୍ନୀ ଲାଭ କରିବାକୁ ପଡ଼ିବ । ଏହିପରି ଆତ୍ୟନ୍ତିକ କ୍ଷୋଭରେ ନିତାନ୍ତ ଜଜ୍ଜରିତା ହୋଇ ରାଧାଗୋବିନ୍ଦଙ୍କର ଦ୍ୱିତୀୟ ବିବାହର କଥା ପଡ଼ିଲା ଉତ୍ତାରୁ ସେ ଦିନକରେ ସ୍ୱାମୀ ନିକଟରେ ବସି ସେହି ସମ୍ୱନ୍ଧରେ କଥା ପକାଇଲେ । କଥାବାର୍ତ୍ତା ନିମ୍ନଲିଖିତ ରୂପେ ହୋଇଥିଲା ।

 

ଭାର୍ଯ୍ୟା–ମୁ ଶୁଣୁଚି ତୁମେ ବାହା ହବ ?

 

ସ୍ୱାମୀ–ତୁମ୍ଭଙ୍କୁ ସେ କଥା କହି ନାହିଁ । ପୁଅ ନ ହେବାକୁ ସେ କଥା ମନରେ ହୋଇଛି । ବାପାଙ୍କ ଠେଇଁ କଥା ପଡ଼ିଥିଲା–ସେ ସ୍ୱୀକୃତ ଅଛନ୍ତି ।

 

ଭାର୍ଯ୍ୟା–ପୁଅ ହବା ନ ହବା କପାଳକଥା । କପାଳରେ ଥିଲେ କି ହୋଇ ନ ଥାନ୍ତା ? ଯେବେ କପାଳରେ ନ ଥିବ ତେବେ ପାଞ୍ଚୁଟା ବାହା ହେଲେ ବି ହବ ନାହିଁ ।

 

ସ୍ୱାମୀ–ତା, ସତ । ତେବେ କପାଳରେ ଅଛି କି ନାହିଁ କିଏ କହିପାରେ ? ଦେଖାଯାଉ ।

 

ଭାର୍ଯ୍ୟା–ତୁମେ ବି କଳାବତୀକି ଦେଖିପାର ନାହିଁ ? –ଏହା କହି ପ୍ରେମମୟୀ ଭାର୍ଯ୍ୟା ଅକୃତ୍ରିମ ପ୍ରେମ ପ୍ରଣୋଦିତା ହୋଇ ସ୍ନେହମୟୀ କନ୍ୟା କଳାବତୀକି ଆପଣା ପିଠିଆଡ଼ରୁ ନେଇ ସ୍ୱାମୀକ୍ରୋଡ଼ରେ ଦେଲେ । କଳାବତୀ ମାତାଙ୍କ ପିଠିରେ ଆଉଜି ପଡ଼ି ପିତାମାତାର କଥାବାର୍ତ୍ତା ଶୁଣୁଥିଲେ । ବୁଝିଥିଲେ ବୋଲି ଶୁଣୁଥିଲେ ତାହା ନୁହେ । କେବଳ ପିତାମାତାର କଥାବାର୍ତ୍ତା ହେଉଅଛି ବୋଲି କୌତୁକାତ୍ରାନ୍ତ ହୋଇ ଅନିମେଷ ଲୋଚନରେ ଶୁଣୁଥିଲେ ଏବଂ ମାତା ପିତାଙ୍କ ଆଡ଼କୁ ଚଳାଇ ଦେବାରୁ କଳାବତୀ ପିତାଙ୍କ କ୍ରୋଡ଼ରେ ବସିପଡ଼ି ତାଙ୍କ ଗଳାରେ ହାତଦେଇ ମୁଖମଣ୍ଡଳକୁ ଅପରିସୀମ ସ୍ୱର୍ଗୀୟ ସ୍ନେହଦୃଷ୍ଟିରେ ଅନାଇ ରହିଲେ । ମାତା କହିଲେ–‘ଦେଖିଲ କଳା ଆମର କେଡ଼େ କୌତୁକୀ । ତୁମେ କି କଳାକୁ ଦେଖିପାରନାହିଁ ?’’

 

ରାଧାଗୋବିନ୍ଦ ହାଠାତ୍‌ ଏକଥା ବୁଝିପାରିଲେ ନାହିଁ । ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ–‘ଏକଥା କାହିଁକି ପଚାରିଲ ? କଳାକୁ ମୁଁ ଦେଖି ନ ପାରେଁ ?’ ଏହାକହି କଳାବତୀ–ମୁଖରେ ଚୁମ୍ୱପ୍ରଦାନ କଲେ ।

 

ଭାର୍ଯ୍ୟା କହିଲେ ତୁମେ ଆଉ ଗୋଟିଏ ବାହା ହେଲେ କଳା କି ବଞ୍ଚିବ ? ଯେଉଁ ବହୂଟି ଆସିବ ସେ କି କଳାକୁ ଦେଖିପାରିବ ?

 

ସପତ୍ନୀ ପାଇବା ସ୍ତ୍ରୀମାନଙ୍କ ପକ୍ଷେ ଏକାନ୍ତ ଅସହ୍ୟ । ତହିଁରେ ପୁଣି ସପତ୍ନୀ ସୌଭାଗ୍ୟବଶତଃ ପୁତ୍ରବତୀ ହେଲେ କେବଳ ଏହାଙ୍କ ପ୍ରତି ଯେ ସ୍ୱାମୀର ସ୍ନେହ ଊଣାହୋଇ ଯିବ ତାହା ନୁହେ, କଳାବତୀ ପ୍ରତି ଯେ ଟିକିକ ସ୍ନେହ ହୋଇଅଛି ତାହା ବିଲୁପ୍ତ ହେବ । ସପତ୍ନୀ ଆସି ଯେ କଳାବତୀକି ଦେଖିପାରିବ ଏହା ଆଶା କରିବା ବିଡ଼ମ୍ୱନା ମାତ୍ର । ତଥାପି ଯଦି କୌଣସି କାରଣରୁ ତାହାର କଥଞ୍ଚିତ୍‌ ସ୍ନେହ ଜାତ ହୁଏ ତାହାହେଲେ ସୁଦ୍ଧା ପୁତ୍ରବତୀ ହେଲାପରେ ଆଉ ସେ ସ୍ନେହ ରହିବ ନାହିଁ । ଏହିରୂପ ଭାବନାରେ ଭାର୍ଯ୍ୟାର ଅନ୍ତର ବିଲୋଡ଼ିତ ହେଉଥିଲା । ସ୍ୱମୀ ଶେଷ କଥାରେ କୌଣସି ଉତ୍ତର ନ ଦେଇ ତୁନି ହୋଇ ରହିବା ଦେଖି ସେ କହିଲେ ‘ଆମେ କହୁଚୁଁ ତୁମର କପାଳରେ ଥିଲେ ଅବଶ୍ୟ ପୁଅ ହୋଇଥାନ୍ତା । ଯାହା ହଉ କଳା ଅଛି, ତାକୁ ବାହାଦେଇ ଜୁଆଇଁକି ଘରେ ରଖିବ–ସେଥିରେ ଚିନ୍ତା କି ଅଛି ?

 

କଥାଟା ରାଧାଗୋବିନ୍ଦଙ୍କ ମନକୁ ଲାଗିଲା ନାହିଁ । ‘ତା କାହିଁକି–ଦେଖାଯାଉ’ ଏହି କଥା କହି କଳାବତୀକି ଭାର୍ଯ୍ୟାକୁ ଦେଇ ଭାର୍ଯ୍ୟାର ଅନୁରୋଧ ରକ୍ଷା ନ କରି ତରତର ହୋଇ ଅନ୍ତଃପୁରରୁ ବାହାରକୁ ଚାଲି ଆସିଲେ ।

 

ଥରେ ନୁହେ, ଦୁଇଥର ନୁହେ, ଅନେକଥର ଏହିରୂପ ସ୍ତ୍ରୀ ଓ ସ୍ୱାମୀ ମଧ୍ୟରେ କଥା ପଡ଼ିଥିଲା । ମାତ୍ର ସ୍ୱାମୀ ତହିଁରେ କର୍ଣ୍ଣପାତ କଲେ ନାହିଁ । ଭାର୍ଯ୍ୟା ମଧ୍ୟ ଶେଷକୁ ଅଭିମାନବତୀ ହୋଇ ବାହାରେ ବାକ୍ୟରେ ବାକ୍ୟରେ ଅଥବା ଭଙ୍ଗୀରେ କିଛି ପ୍ରକାଶ ନକରି ମନେ ମନେ ତୁନି ହୋଇ ରହିଲେ ।

 

ତେଣେ ବିବାହର ଉଦ୍ୟୋଗ ଲାଗିଗଲା । ନିକଟବର୍ତ୍ତୀଗ୍ରାମର ଗୋଟିଏ ଧନୀଲୋକର ଷୋଡ଼ଶୀ ରୂପବତୀ କନ୍ୟାକୁ ରାଧାଗୋବିନ୍ଦ ବିବାହ ହେଲେ । ଦେଖୁ ଦେଖୁ ଏକ ଦୁଇ ହୋଇ ଚାରିବର୍ଷ ଅତୀତ ହେଲା; ମାତ୍ର ସନ୍ତାନ ପ୍ରାପ୍ତି ହେଲା ନାହିଁ । ପ୍ରଥମେ ନବପରିଣୀତା ଭାର୍ଯ୍ୟା ପ୍ରତି ଯେରୂପ ସ୍ନେହ ହୋଇଥିଲା ପୁତ୍ରପ୍ରାପ୍ତର ଆଶା ଊଣା ହେବା ସଙ୍ଗେ ସଙ୍ଗେ ସ୍ନେହ ସୁଦ୍ଧା ଊଣା ହେଲା । ସୁକୁମାରୀ ଦ୍ୱିତୀୟ ଭାର୍ଯ୍ୟା ପ୍ରତି ରାଧାଗୋବିନ୍ଦଙ୍କର ପ୍ରଥମାଭାର୍ଯ୍ୟର ଆଦୌ ସ୍ନେହ ନ ଥିଲା ଏବଂ ଦ୍ୱିତୀୟା ସର୍ବଦା ପ୍ରଥମାର ବିଷଦୃଷ୍ଟିରେ ରହିଥିଲେ । ତଥାପି ଦ୍ୱିତୀୟା ପ୍ରକୃତ ବଡ଼ଘରର ଝିଅଥିବାରୁ ନିଜ ଶିକ୍ଷାଗୁଣରୁ ସେ ସବୁ କଥା ମନରେ ଧରୁ ନ ଥିଲେ । କଳାବତୀଙ୍କ ପ୍ରତି ତାଙ୍କର ସ୍ନେହ ହୋଇ ନ ପାରିବାର ପ୍ରଥମା ଯେ ଆଶଙ୍କା କରିଥିଲେ ତାହା ଆଲୀକ ବୋଲି ପ୍ରମାଣିତ ହୋଇଥିଲେ ସୁଦ୍ଧା ପ୍ରଥମା ମନ୍ଦ ଆଶଙ୍କାରେ କଳାବତୀକି ତାଙ୍କ ନିକଟକୁ ଛାଡ଼ୁ ନ ଥିଲେ, ଦ୍ୱିତୀୟା ମଧ୍ୟ ଭୟରେ କଳାବତୀକି ପ୍ରଥମା ସମକ୍ଷରେ କିଛି କହୁ ନ ଥିଲେ । ସ୍ୱାମୀ ଦ୍ୱିତୀୟା ଭାର୍ଯ୍ୟା ପାଇ ପୃଥିବୀର ନିୟମାନୁଯାୟୀ ପ୍ରଥମାକୁ ଆଉ ସ୍ନେହ କଲେନାହିଁ ଏବଂ ପ୍ରଥମା ଭାର୍ଯ୍ୟା ଅଭିମାନରେ ଦିନପାତ କରି ଈଶ୍ୱରଙ୍କଠାରେ ଯେ ଦ୍ୱିତୀୟାର ମନ୍ଦ କାମନା କଲେ ତାହା ସ୍ତ୍ରୀ-ସ୍ୱଭାବ-ସୁଲଭ । ଏହିରୂପେ ଘରେ ଅଶାନ୍ତି ବିରାଜିତ ହେଲା ଏବଂ ଏକ ଅପରକୁ ଅବିଶ୍ୱାସ ଚକ୍ଷୁରେ ଦେଖିବାକୁ ରତ ହେଲେ ।

 

ରାଧାଗୋବିନ୍ଦଙ୍କ ଦ୍ୱିତୀୟା ଭାର୍ଯ୍ୟା ବିବାହ ସମୟରେ ସୁଖମୟ ସଂସାରର ଯେଉଁ ଅପୂର୍ବ ସ୍ୱପ୍ନ ମନେ ମନେ ଦେଖୁଥିଲେ ତାହା ସମୁଦାୟ ଅଲୀକ ବୋଲି ଦେଖାଗଲା । ସଂସାର କ୍ରମେ ତାଙ୍କୁ ବିଷମୟ ବୋଲି ପ୍ରତ୍ୟକ୍ଷ ହେଲା । ଅଶାନ୍ତିର ତୀବ୍ର-ହିଲ୍ଳୋଳଶାଳି-ବିଷମୟ ସଂସାର-ସାଗରର ତରଙ୍ଗାଘାତରେ ଶରୀର ଓ ମନ ଅବସନ୍ନ ହୋଇ ଆସିଲା ଏବଂ ଦେଖୁ ଦେଖୁ ବିବାହର ପାଞ୍ଚବର୍ଷ ଅତୀତ ନୋହୁଣୁଁ ଅତ୍ୟନ୍ତ ଉତ୍କଟ ରୋଗାକ୍ରାନ୍ତ ହେଲେ । ସ୍ୱାମୀ ତ ସହଜରେ କୃପଣ-ସ୍ୱଭାବର ଲୋକ । ତହିଁରେ ପୁଣି ସ୍ତ୍ରୀଠାରେ ତାଙ୍କର ଉଚିତ ପ୍ରେମ ଅବା ସ୍ନେହନାହିଁ । ଏପରି ସ୍ଥଳେ ସ୍ତ୍ରୀର ଉତ୍ତମ ଚିକିତ୍ସା ହେବାର ଆଶା କାହୁଁ କରାଯାଇ ପାରେ ? କ୍ରମେ ରୋଗ ଭୟଙ୍କର ଆକାର ଧାରଣ କଲା ଏବଂ ଯେତେବେଳେ ନିତାନ୍ତ ଆଉ ଜୀବନର ଆଶାନାହିଁ ଏମନ୍ତ ସମୟରେ ଅନେକ ଲୋକଙ୍କ ତିରସ୍କାର ଆଦିରେ ଟିକିଏ ପ୍ରଣୋଦିତ ହୋଇ ସ୍ୱାମୀ ଏକ ବଟୁଆଧାରୀ ଗ୍ରାମ୍ୟଭିଷକଙ୍କୁ ଚାରି ପଇସା ଦେବାର ଆଶା ଦେଖାଇ ଡାକିଆଣିଲେ । ଭିଷକ୍‍ ମହାଶୟ ରାଧାଗୋବିନ୍ଦଙ୍କଠାରୁ ଯେ ପଇସା ପାଇବେ ଏ ଆଶା ରଖି ନ ଥିଲେ କିମ୍ୱା ଚିକିତ୍ସାଶାସ୍ତ୍ରରେ ତାଙ୍କର ଯେ କିଛି ଯୋଗ୍ୟତା ଥିଲା ଏମନ୍ତ ନୁହେଁ, ତଥାପି ରୋଗର ଉତ୍କଟରୋଗ-ବାର୍ତ୍ତା ଶୁଣି ମନରେ କିଞ୍ଚତ୍‌ଦୟାଭାବ ଉପୁଜିବାରୁ ରୋଗୀକି ଦେଖି ଯାହା କରିପାରିବେ ଏହା ଭାବି ଦେଖିବାକୁ ଆସିଲେ । ରୋଗୀର ରୋଗ ଷୋଳଅଣା–ବଞ୍ଚିବାର ଆଶା କିଛି ନାହିଁ । ହାତଗୋଡ଼ ଶୀତଳ ହୋଇ ଯାଇଅଛି । ଏତେବେଳେ ସୁଦ୍ଧା ସଉତୁଣୀ ସେବା କରିବାର ତେଣିକି ଥାଉ କରୁଣାଦୃଷ୍ଟିରେ ଅନଉ ନାହାନ୍ତି ବରଂ ମରିଯିବାର ଆଶା କରି ମନେ ମନେ ଆନନ୍ଦ ଅନୁଭବ କରୁଅଛନ୍ତି । କେବଳ ରୋଗୀର ବାପଘରର ଦାସୀ ଗୋଟିଏ ଆସି ଦିବାରାତ୍ର ସେବା କରୁଥିଲା । କିନ୍ତୁ ପରମାୟୁ ନ ଥିଲେ ରୋଗୀ କାହୁଁ ବଞ୍ଚିବ ? ତହିଁରେ ପୁଣି ଔଷଧ ନାହିଁ କି ପଥ୍ୟ ନାହିଁ । ବାପଘରୁ କିଛି ଆସିଲେ ପ୍ରଥମା ନାନା କଥା କହି ବିଷମ କଳି ଭିଆଇବେ । ଏ ହେତୁ ବାପଘରୁ କିଛି ଆସିବାର କଥା ନାହିଁ ଏବଂ ବାପ ମଧ୍ୟ ବିଦେଶରେ ଥିବାର ଆସି ଦେଖି ପାରିଲେ ନାହିଁ । ଘରେ ଅନ୍ୟ କେହି ନାହିଁ ଯେ ମାତା ତାଙ୍କୁ ପଠାଇ ବାର୍ତ୍ତା ନେବେ, ତଥାପି ରୋଗବାର୍ତ୍ତା ଶୁଣି ସେବାଶୁଶ୍ରୂଷା କରିବା କାରଣ ଦାସୀକି ପଠାଇ ଦେଇଥିଲେ । ସେ ଦାସୀ ଦ୍ୱୀତୀୟାର ଧାତ୍ରୀ । ଧାଈମା ଏପରି ଅବସ୍ଥା ଦେଖି ରୋଗୀକି ମିଥ୍ୟା ଆଶା ଦେଖାଇ ନୀରବରେ ରୋଦନ କରେ । ରୋଗୀ ମଧ୍ୟ ମୃତ୍ୟୁ ଅନୁମାନ କରି ଧାଈମାକୁ କେତେ କଥା କହେ । ଭିଷକଙ୍କୁ ଦେଖି ଧାଈମାର ଟିକିଏ ସାହସ ହେଲା । ତତ୍‌କ୍ଷଣାତ୍‌ ତାଙ୍କ ଗୋଡ଼ିତଳେ ପଡ଼ି ଔଷଧ ଦେବାକୁ ପ୍ରାର୍ଥନା କଲା । ଭିଷକ ମହାଶୟ ଶେଷ ସମୟରେ ‘ହରି ରଖେ କି ହରିତାଳ ରଖେ’ ଏହା କହି ତୁଳସୀପତ୍ରର ରସ ସହିତରେ ହରିତାଳଭସ୍ନ ରୋଗୀମୁଖରେ ଢାଳିଦେଲେ । ଔଷଧ ଗଳାରେ ଅଟକି ରହିଲା ଏବଂ ରୋଗୀ ଊର୍ଦ୍ଧ୍ୱନୟନରେ ଥରେ ଅନାଇଦେଇ ଇହଳୀଳା ସାଙ୍ଗ କଲେ । ଭିଷକ୍‌ମହାଶୟ ତ ପଇସା ପାଇଲେ ନାହିଁ । ରାଧାଗୋବିନ୍ଦଙ୍କଠାରୁ କୃତଜ୍ଞତା ଉପହାର ପାଇବା ତେଣିକି ଥାଉ ତାଙ୍କରି ଦ୍ୱାରା ଗ୍ରାମରେ ରାଷ୍ଟ୍ର ହେଲା ଯେ ବୈଦ୍ୟ ମାରି ପକାଇଲେ ! ଭିଷକ୍‌ ମହାଶୟ କଳିକାଳର ସଂସାରକୁ ନିନ୍ଦା କରି କପାଳ ଆଦରି ରହିଲେ । ତେଣେ ଧାଈମା କ୍ରନ୍ଦନରୋଳରେ ଗ୍ରାମ କମ୍ପାଇ ଦେଲେ । ପ୍ରଥମା ଓ ତାଙ୍କ ପକ୍ଷପାତିନ ଶାଶୁ ମହାଶୟା ଅନୁରୋଧ ରକ୍ଷାକଲାଭଳି ଟିକିଏ ମାୟାକ୍ରନ୍ଦନ କରିଥିଲେ । ସ୍ୱାମୀ ଖର୍ଚ୍ଚ କମ୍‍ ହେବା ଅନୁମାନରେ ମନେ ମନେ ଆନନ୍ଦିତ ହେଲେ । ତଥାପି ମାୟାବଶରୁ ପୁର୍ବ ପ୍ରେମ ଭାବ ମନେ ମନେ ସ୍ୱତଃ ଜାଗରିତ ହୋଇ ତାଙ୍କ ଚକ୍ଷୁରୁ ଏକ ବିନ୍ଦୁ ଅଶ୍ରୁ ନିର୍ଗତ କରାଇଥିଲା । ସେ ତାହା ପୋଛିଦେଇ ଅନ୍ତୋଷ୍ଟିକ୍ରିୟାର ଉଦ୍ୟୋଗରେ ରହିଲେ । କଳାବତୀ ଦ୍ୱିତୀୟାର ସ୍ନେହ ଭୁଲି ପାରିବେ ନାହିଁ । ତାଙ୍କର ଅନ୍ତରାତ୍ମା ଶୋକାବେଗରେ ଆଲୋଡ଼ିତ ହେଲା ଏବଂ ଦୂରେ ନିଭୃତକକ୍ଷକୁ ଯାଇ ବିକଳେ ରୋଦନ କଲେ ।

 

ତେତେବେଳେ ବଳାବତୀଙ୍କ ବୟସ ୧୧ବର୍ଷ । ଏଥିରେ ଦୁଇବର୍ଷ ଉତ୍ତାରୁ ରାଧାଗୋବିନ୍ଦଙ୍କ ପ୍ରଥମା ଭାର୍ଯ୍ୟାର କାଳ ହେଲା । ପିତାମାତା ଆଗହୁଁ ମରିଥିଲେ । ସୁତରାଂ ପ୍ରଥମା ଭାର୍ଯ୍ୟାର ମୃତ୍ୟୁରେ ଘରେ ରହିଗଲେ କେବଳ ରାଧାଗୋବିନ୍ଦ ଓ କଳାବତୀ ।

 

ରାଧାଗୋବିନ୍ଦ ଏତେବେଳେ ପ୍ରଥମଭାର୍ଯ୍ୟାର କଥା ମନେ ମନେ ଅନୁଧାବନ କଲେ ଏବଂ ପଛକୁ ତାହା ମନକୁ ଆସିଲାରୁ ମୃତ୍ୟୁର ଏକ ବର୍ଷ ପରେ ବିବାହୋଚିତ ବୟସ ପାଇଥିବାରୁ କଳାବତୀକି ଗ୍ରାମର ଗୋଟିଏ ସୁନ୍ଦର ଗୁଣଜ୍ଞ ଅନାଥ ଯୁବକ ସଙ୍ଗେ ପରିଣୟ-ସୂତ୍ରରେ ଆବଦ୍ଧ କରି ସେ ଯୁବକକୁ ଗୃହଜାମାତା କରି ଘରେ ରଖିଲେ ।

 

ଖର୍ଚ୍ଚ ସବୁଆଡ଼ୁ ଊଣା ହୋଇ ଆସିଲା । ଖାଇବାକୁ କେବଳ ଆପେ ଓ କଳାବତୀ ଏବଂ ଜାମାତା । ଦୁଃଖାର୍ଣ୍ଣବରେ ପଡ଼ି ଦୁଃଖ କରିବାର ତେଣିକି ଥାଉ ଖର୍ଚ୍ଚ ଊଣା ହେବାର ଉପାୟ ଜଗଦୀଶ୍ୱର ଦୟା ବହି କରିଦେଇଥିବା ମନେକରି ରାଧାଗୋବିନ୍ଦ ଈଶ୍ୱରଙ୍କୁ ମନେ ମନେ ଅସଂଖ୍ୟ ଧନ୍ୟବାଦ ଦେଇଥିଲେ ।

 

ଦିନେ ଦିନେ ହୋଇ କ୍ରମେ ବର୍ଷେକାଳ ଅତୀତ ହେଲା । ଜମାତାଙ୍କୁ ଆପଣାର ବିଷୟ-କର୍ମ୍ମ ବୁଝାସୁଝାରେ ଯେ ଭାର ଦେଇଥିଲେ ତାହା ଜମାତା ସୁନ୍ଦରରୂପେ ନିର୍ବାହ କରିଥିଲେ । ତଥାପି ଜାମାତା ତାଙ୍କ ଅନୁପସ୍ଥିତି ସମୟରେ ନାନାପ୍ରକାର ଭଲ ଭଲ ଦ୍ରବ୍ୟ ପ୍ରସ୍ତୁତ କରି ଖାଇବାର ଶୁଣି ମନରେ ବିଶେଷ କ୍ରୋଧ ଜାତ ହୋଇଥିଲା । ସେ ବିଷୟରେ କେତେଥର ଜାମାତାଙ୍କୁ ଶାସନ କଲେ ସୁଦ୍ଧା ଜାମାତା ଶୁଣିଲେ ନାହିଁ । ରାଧାଗୋବିନ୍ଦ ଏଭଳି ଜାମାତାଙ୍କୁ ଗ୍ରାସାଚ୍ଛାଦନ ଦେଇ ଭିନ୍ନ କରିଦେବା ମନେ ମନେ ସ୍ଥିର କଲେ ମାତ୍ର କଳାବତୀ ବାହାରିଗଲେ ଘରେ ମୁଠାଏ ଭଲକରି ରାନ୍ଧି ଦେବାକୁ କେହି ନାହିଁ । ଏହେତୁ ତାହା କାର୍ଯ୍ୟରେ ପରିଣତ କରି ପାରୁ ନ ଥିଲେ । ଏମନ୍ତ ସମୟରେ ବିଧିନିର୍ବିନ୍ଧବଶରୁ ଜାମାତା ଏକ ଦିନର ଜ୍ୱରରୋଗରେ ମାନବଲୀଳା ସମ୍ୱରଣ କଲେ । କାଳାବତୀଙ୍କର ଯେ ଦୁଃଖ ହେଲା ତାହା କହିବାର ନୁହଇ । ଏ ଦୁଃଖସମ୍ୱାଦ ଶୁଣି ଗ୍ରାମଲୋକଙ୍କର ଛାତି ଫାଟିଗଲା ! ଅଳ୍ପବୟସ୍କା କଳାବତୀ ଶୋକ-ବିହ୍ୱଳିତା ହୋଇ ମୁର୍ଚ୍ଛା ଗଲେ ! ଗ୍ରାମର ସ୍ତ୍ରୀଲୋକମାନେ ଅତି ବ୍ୟାକୁଳିତ ଚିତ୍ତରେ ଦଉଡ଼ି ଆସି ତାଙ୍କର ସେବା କରିବାରୁ କଳାବତୀ ଦୁଇଘଣ୍ଟା ଉତ୍ତାରୁ ସଂଜ୍ଞାପ୍ରାପ୍ତ ହେଲେ, ନୋହିଲେ ସେହି ମୂର୍ଚ୍ଛିତାବସ୍ଥାରେ ତାଙ୍କର ପ୍ରାଣବାୟୁ ବାହାରି ଯାଇଥାନ୍ତା । ତାହା ବାହାରିଯିବା ତ କଳାବତୀଙ୍କ ପକ୍ଷେ ଶତଗୁଣେ ଶ୍ରେୟସ୍କର ଥିଲା ମାତ୍ର ଜନ୍ମ ହୋଇ ସଂସାରରେ ଯେ ଭୋଗ ଅଛି ତାହା ଭୋଗ ନ କଲେ କି ମନୁଷ୍ୟ ମରିପାରେ ? କଳାବତୀ ଚିରକାଳ ଏ ଦୁଃସହ ଦୁଃଖକଥା ମନେରଖି ଅପାର କଷ୍ଟ ଭୂଞ୍ଜିବା ନିମିତ୍ତ ପୁନର୍ବାର ସଂଜ୍ଞାପ୍ରାପ୍ତ ହୋଇଥିଲେ !

 

ପାଠକେ ମନେ କରିଥିବେ ଏପରି ଅବସ୍ଥାରେ ରାଧାଗୋବିନ୍ଦ ଦୁଃଖମୟ ସଂସାରର ଅସାରତା ଅନୁଭବ କରି ବୌରାଗ୍ୟଭାବ ଅବଲମ୍ୱନରେ ଉତ୍ସୁକ ହୋଇଥିବେ । ମାତ୍ର ରାଧାଗୋବିନ୍ଦଙ୍କଠାରେ ତାହା ସମ୍ଭବିବା ଅସମ୍ଭବ । ଏତେ ଦୁଃଖ ଘଟିଲା ଉତ୍ତାରୁ ତାଙ୍କର ସଞ୍ଚୟେଚ୍ଛା ତିଳେ ସୁଦ୍ଧା ତୁଟି ନ ଥିଲା ଏବଂ ଯେଉଁଠାରେ ପ୍ରସ୍ତରମୟ ପ୍ରାଚୀରଗଢ଼ା କାର୍ଯ୍ୟ ଅଦ୍ୟାପି ଶେଷ ହୋଇ ନ ଥିଲା ସେଠାରେ ତାହା ଶୀଘ୍ର ଶୀଘ୍ର ଶେଷ କରିବାରେ ସେ ବ୍ରତୀ ହେଲେ ।

 

ଏହିରୂପେ ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ ସେ ସମୟକୁ ରାଧାଗୋବିନ୍ଦଙ୍କ ଇଲାକାର ସବୁସ୍ଥାନରେ ଅମାର ଚତୁର୍ଦିକରେ ସୁଦୃଢ଼ ପ୍ରାଚୀର ଦଣ୍ଡାୟମାନ ହୋଇ ଯାଇଥିଲା ଏବଂ ସବତ୍ର ଜଣେ ଲେଖାଁଏ ସବଳକାୟ ଲୋକ ଦ୍ୱାରବାନ୍‌ କାର୍ଯ୍ୟରେ ନିଯୁକ୍ତ ଥାଇ ସେ ସବୁ ରକ୍ଷା କରୁଥିଲେ । ଘରଠାରେ ସବୁ ସ୍ଥାନରୁ ଅଧିକ ଉଚ୍ଚ ପ୍ରସ୍ତରମୟ ପ୍ରାଚୀର ଗଢ଼ା ହୋଇଥିଲା ଓ ତହିଁର ପୂର୍ବ ପଶ୍ଚିମ ଦୁଇ ଦ୍ୱାରରେ ଦୁଇଜଣ ପ୍ରଭୂତବଳଶାଳୀ ଦୌବାରିକ ରକ୍ଷାକାର୍ଯ୍ୟରେ ନିଯୁକ୍ତ ଥିଲେ । ସଂସାରଟି ଈଶ୍ୱରଙ୍କର ଏ କଥା ରାଧାଗୋବିନ୍ଦଙ୍କୁ ଜଣା ଥିଲା ଏବଂ ଈଶ୍ୱର ଏତେ ଧନ ସମ୍ପତ୍ତିର ଅଧିକାରୀ ବୋଲି ରାଧାଗୋବିନ୍ଦ ତାଙ୍କୁ ବଡ଼କରି ଦେଖୁଥିଲେ । ମାତ୍ର ଈଶ୍ୱରଙ୍କ ସଂସାରରୁ ଧନ ରୁଣ୍ଡାଇ ଏକତ୍ର କରିବାରେ ତାଙ୍କର ଯେ ଇଚ୍ଛାଥିଲା ତାହା ପ୍ରତିଦିନ ବଢ଼ିବା ଭିନ୍ନ ହ୍ରାସକୁ ଲଭି ନ ଥିଲା । ମରିଗଲେ ଯେ ସମ୍ପତ୍ତି ସ୍ୱର୍ଗକୁ ଘେନି ଯିବେ ଏ ଆଶା ତାଙ୍କର ନ ଥିଲା । କେହି କେତେବେଳେ ଧନ ଚୋରାଇ ନେଇ ଯିବ କିମ୍ୱା କେଉଁଠାରେ ଧନ ନଷ୍ଟ ହୋଇଯିବ ଏ ଚିନ୍ତାରେ ତାଙ୍କୁ ରାତ୍ରରେ ନିଦ୍ରା ହେଉ ନ ଥିଲା । ତଥାପି କେମନ୍ତ ସ୍ୱଭାବ ହୋଇପଡ଼ିଥିଲା ସେ ଧନସଞ୍ଚୟରୁ ସେ ବିରତ ହୋଇ ନ ଥିଲେ ଏବଂ ଯେତେ ଧନ ହେଲେ ସୁଦ୍ଧା ଖର୍ଚ୍ଚ କରିବାକୁ ଏକାନ୍ତ କାତର ! ପାଠକେ ! ଏଭଳି ଜୀବ ସଂସାରରେ ଅଦ୍ଭୁତ ନୁହନ୍ତି କି ?

Image

 

ଅଷ୍ଟମ ପରିଚ୍ଛେଦ

ବିଧବାର ସଂସାର

 

‘‘ତୁମେ କେତେ କଳା ଜାଣ ! ନୋହିଲେ କି ତୁମ୍ଭର ନାମ ହୋଇଥାନ୍ତା କଳାବତୀ ?’’ ବୃକ୍ଷବାଟିକାରେ ଭ୍ରମଣ କରୁ କରୁ ମାଳତୀମାଧବକୁ ବିବାହ ଦେବା ସମୟରେ କିଏ ଆଉ ଏକଥା କହି ଗଣ୍ଡସ୍ଥଳରେ ସାଦରେ ଚୁମ୍ୱନ ପ୍ରଦାନ କରିବ ? ପୁଷ୍ପକେତନର ଧ୍ୱଜା ଉଡ଼ାଇ ପୁଷ୍ପମାସ ପୃଥିବୀରେ ପରିଭ୍ରମଣ କରିବା ସମୟରେ ପ୍ରଷ୍ଫୁଟିତ ପୁଷ୍ପୋପରି ସମାସୀନ ପୁଷ୍ପଲିଟ୍‌କୁ ପୁଷ୍ପରସପାନରୁ ପ୍ରଶମିତ କରି ସ୍ୱୟଂ ପୁଷ୍ପଚୟନ ପୂର୍ବକ ଦେଖାଇବା ସମୟରେ କିଏ ଆଉ ପ୍ରେମଭରେ ଆଲିଙ୍ଗନ କରିବ ? ସ୍ୱହସ୍ତସେବିତା ପୁଷ୍ପବାଟିକାର ପୁଷ୍ପଚୟନ କରି ଚାଙ୍ଗୁଡ଼ିରେ ରକ୍ଷା କରିବା ସମୟରେ ‘‘କୁସୁମରାଶିର ସୁଗନ୍ଧ ଅଧିକ ଅଥବା କଳାବତୀର ଗୁଣରାଶିର ସୁଗନ୍ଧ ଅଧିକ’’ କିଏ ଆଉ ଏକଥା କହି ମନଃପ୍ରାଣ ବିମୋହିତ କରିବ ? ଲତାକୁଞ୍ଜ ମଧ୍ୟଗତ ପ୍ରସ୍ତରୋପରି ଉପବେଶନ କରି କୁସୁମାକର ରଚିତ କୁସୁମରାଶି ସଂଗ୍ରହ ପୂର୍ବକ ସନ୍ନିବିଷ୍ଟ ମନରେ କଳ୍ପନା ସୃଷ୍ଟ ନବବିଧ ପୁଷ୍ପଝରା ପ୍ରସ୍ତୁତ କରିବା ସମୟରେ କିଏ ଆଉ ଅତର୍କିତ ଭାବରେ ପଛରୁ ଆସି ସ୍କନ୍ଧଦେଶରେ ସ୍କନ୍ଧ ରକ୍ଷାକରି କହିବ ‘‘କଳାବତୀ ? କେତେ କଳାରେ ତୁମ୍ଭ ମନରେ ଗୁଣରାଶି ଗୁନ୍ଥା ହୋଇଛି !’’ ସ୍ୱହସ୍ତଚର୍ଚ୍ଚିତ ଅନ୍ନବ୍ୟଞ୍ଜନ ଭୋଜନକରି କିଏ ଆଉ କହିବ ‘ସୁଧା-ଆକର ସୁଧାକରର ଏଘେନି ଷୋଳକଳା ପୂର୍ଣ୍ଣ ହୋଇପାରି ନାହିଁ, କଳାବତୀ ! ଦେବଦୁର୍ଲ୍ଲଭ ଏ ସୁଧାକଣିକା ଯେ ପାଇଥିବ ଜନ୍ମଯାକ ସେ କି ତୁମ୍ଭଙ୍କୁ ଭୁଲିପାରିବ ? ସ୍ୱହସ୍ତ ପ୍ରସାରିତ ଦୁଗ୍ଧଫେନନିଭ ସୁଖଶଯ୍ୟାରେ ଶୟନକରି କିଏ ଆଉ ବକ୍ଷୋପରି ମସ୍ତକ ସ୍ଥାପନ ପୂର୍ବକ ପ୍ରେମଗଦ୍‌ଗଦ ଭାଷାରେ କହିବ ‘‘କଳାବତୀ ! କି କଳାରେ ତୁମ୍ଭେ ଜନ୍ମଗ୍ରହଣ କରିଥିଲ ଯେ ଏଥୁଁ ବଳି ତୁମ୍ଭର ହୃଦୟ ବିମଳ ଅଟଇ ?’’ କିଏ ଆଉ ଅଳତା-ସିନ୍ଦୁର ଘେନିବା ସମୟରେ ସମ୍ମୁଖସ୍ଥ ହୋଇ କହିବ ‘‘କଳାବତୀ ! ତୁମ୍ଭର ଅତୁଳ ସୌନ୍ଦର୍ଯ୍ୟ କେତେକଳାରେ ଏମାନ ବଢ଼ାଇପାରେ ?’’ ଯେତେବେଳେ ଶରତ୍‌କାଳର ମେଘବିମୁକ୍ତ ସୁବିମଳ ଆକାଶରେ ସୁନିର୍ମଳ ପୂର୍ଣ୍ଣଚନ୍ଦ୍ର ବିରାଜିତ ହୋଇ ଚରାଚର ହସାଉଥିବେ ସେତେବେଳେ କିଏ ସ୍ନେହରେ ଦୁଆରକୁ ଓଟାରି ନେଇ ଚନ୍ଦ୍ରଦର୍ଶନ କରାଇ କହିବ, ‘‘କଳାବତୀ ! ତୁମ୍ଭହେତୁ ଷୋଳକଳା ନ ପାଇ ସିନା ଶଶାଙ୍କ ନିଜାଙ୍କରେ କଳଙ୍କ ଧାରଣ କଲେ ! ତୁମ୍ଭେ ଷୋଳକଳା ଘେନି ପୃଥିବୀରେ ଉଦୟ ହୋଇଥିବାରୁ ସଂସାର ମୋତେ ଯେପରି ଶୋଭାମୟ ଦିଶୁଛି ତହିଁକି ସୁଧାକର-କିରଣ ସେବିତା ପୃଥିବୀ କାହୁଁ କାହୁଁ ସରି ହେବ !’’ ସୁନ୍ଦର ବସ୍ତ୍ରାଳଙ୍କାରରେ ସୁସଜ୍ଜିତ ହୋଇଥିବା ସମୟରେ କିଏ ଆଉ ଚିବୁକ ଧାରଣ କରି ପ୍ରେମବିମୁଗ୍ଧ ଚିତ୍ତରେ କହିବ ‘‘କଳାବତୀ ! ତୁମ୍ଭେ ଏମାନ ଖୋଜି ଆଣିନାହ–ଏମାନ ଯଥାଯୋଗ୍ୟ ପାତ୍ର ଖୋଜି ସିନା ଏଠାରେ ଆସି ପହୁଞ୍ଚିଛନ୍ତି !’’

 

ଆହା !! କଳାବତୀ ! ସେ ସୁଖ-ସୁମ୍ଭୋଗଶାଳିନୀ କଳ୍ପନାମୟୀ କବିତାର ସମୟ ଗଲାଣି । ଏ ସଂସାରରେ ତାହା କି ଆଉ ଫେରି ପାଇବ ? ଯେ ସୁଖଦୁଃଖର ଚକ୍ର କରାଳକାଳବଶରୁ ଇହସଂସାରରେ ଘୂର୍ଣ୍ଣାୟମାନ ହେଉଅଛି ତାହା ତୁମ୍ଭର ସେ ସୁଖମୟ ସମୟ ଚୋରାଇ ଘେନି ଯାଇଅଛି । ତାହା ନାମରେ କେତେମତେ ଅଭିଯୋଗ ଆଣିଲେହେଁ ତହିଁର ପ୍ରତିବିଧାନ ନାହିଁ । ଯେଉଁ କଳା-ନିୟନ୍ତା ସର୍ବଶକ୍ତିମାନ ପରମେଶ୍ୱର କାଳଚକ୍ରର ଶୀର୍ଷସ୍ଥାନରେ ବସି ସୁଖଦୁଃଖର ଚକ୍ର ଘୂରାଉ ଅଛନ୍ତି ତାଙ୍କ ନିକଟରେ ତହିଁର ଗୁହାରି ନାହିଁ । ସେ ନିଷ୍ପତ୍ତି ଚୂଡ଼ାନ୍ତ ଅଟଇ । କାନ୍ଦିବ କାନ୍ଦ । ଯେତେ ପ୍ରକାରେ କାନ୍ଦିପାରିବ କାନ୍ଦ । ତହିଁରେ ତୁମ୍ଭର ଶରୀର କ୍ଷୀଣ ହେବ, ଦେହ ନଷ୍ଟ ହେବ, ମାତ୍ର ଯାହାପାଇଁ କାନ୍ଦିବ ତାହାକୁ ଆଉ ଫେରି ପାଇବ ନାହିଁ । ତୁମ୍ଭର ବୃକ୍ଷବାଟିକା, ତୁମ୍ଭର ପୁଷ୍ପବାଟିକା–ତହିଁରେ ଆଉ ତୁମ୍ଭର ଗୋଡ଼ ପଡ଼ିବ ନାହିଁ; ସେସବୁ କଣ୍ଟକବୃକ୍ଷସମାକ୍ରାନ୍ତ ହୋଇ ଦୁର୍ଗମ ହୋଇଅଛି । ତୁମ୍ଭ ନିମିତ୍ତ ପୁଷ୍ପବାଟିକାରେ ଆଉ ପରିମଳ ପୁଷ୍ପ ପ୍ରଷ୍ଫୁଟିତ ହୋଇ ତୁମ୍ଭର ମନପ୍ରାଣ ଆମୋଦିତ କରିବ ନାହିଁ । ତୁମ୍ଭର କେତେ ଶରଧାର ଚାଙ୍ଗୁଡ଼ି ଅଯତ୍ନହେତୁ ଟିପାଇରେ ସଢ଼ି ନଷ୍ଟ ହେଉଅଛି–ତାହା ଆଉ ଉଦ୍ୟାନକୁ ଯାଇ ଫୁଲଆଣି ଫୁଲଝରା ପ୍ରସ୍ତୁତ କରିବ ନାହିଁ । ତୁମ୍ଭର ହସ୍ତ ଆଉ ତେଡ଼େ ସୁମିଷ୍ଟ ଅନ୍ନବ୍ୟଞ୍ଜନ ପ୍ରସ୍ତୁତକରି ଆପଣାକୁ ପରମ ଚରିତାର୍ଥ ମନେ କରିବ ନାହିଁ । ତୁମ୍ଭର ହସ୍ତଦ୍ୱୟ ଆଉ ସେଭଳି ସୁବିମଳଶଯ୍ୟା ପାରିବ ନାହିଁ କିମ୍ୱା ତହିଁରେ ଶାୟିତା ହୋଇ ତୁମ୍ଭର ବକ୍ଷ ସ୍ୱାମୀମସ୍ତକ ସୁଖରେ ବହନକରି ସ୍ୱର୍ଗୀୟସୁଖାନୁଭବ କରିବ ନାହିଁ । ଶରତ୍‌କାଳରେ ମେଘନିର୍ମୁକ୍ତ ଆକାଶରେ ପୂର୍ଣ୍ଣଚନ୍ଦ୍ର ତୁମ୍ଭନିମିତ୍ତ ଆଉ ସେ ଶୋଭା ଧାରଣକରି ଉଦିତ ହେବ ନାହିଁ କିମ୍ୱା ଚରାଚର ସେ ଚନ୍ଦ୍ର କିରଣରେ ଅବଗାହନକରି ତୁମ୍ଭସକାଶେ ଆଉ ହସିବ ନାହିଁ । ସୁରଙ୍ଗ ଅଳତା ଆଉ ତୁମ୍ଭର ଚରଣ ଚୁମ୍ୱନକରି ଆପଣାକୁ ଧନ୍ୟ ମନେ କରିବ ନାହିଁ କିମ୍ୱା ସୀମନ୍ତରେ ଶୁଭବ୍ୟଞ୍ଜକ ସିନ୍ଦୁର ଶୋଭିତ ହୋଇ ଆଉ ଶୁଭବାର୍ତ୍ତା ଜଣାଇବ ନାହିଁ । ଏମାନ ଯିବାଦିନୁ ସୁନ୍ଦର ବସ୍ତ୍ରାଳଙ୍କାର–ଧାରଣ ମଧ୍ୟ ବନ୍ଦ ହୋଇଅଛି–ଆଉ ସେମାନ ସୁଷମାଙ୍ଗୀର ସୁନ୍ଦର ଅଙ୍ଗ ଆଲିଙ୍ଗନ କରି ପରମାର୍ଥ ପ୍ରାପ୍ତ ହେବନାହିଁ । ହାୟ !! କଳାବତୀ ! ଜଣକ ହେତୁ ଏତେ କଥା ତ୍ୟାଗ କରିଅଛ ! ଖାଲି ତାହା ନୁହେ–ତହିଁସଙ୍ଗେ ଅଙ୍ଗମାର୍ଜ୍ଜନ ଏବଂ କେଶପାଶବନ୍ଧନ ସୁଦ୍ଧା ଚିରକାଳ ନିମିତ୍ତ ପରିତ୍ୟକ୍ତ ହୋଇଅଛି ।

 

କାହିଁକି ? କଳାବତୀ । ଏତେ ତ୍ୟାଗ ସ୍ୱୀକାର କରିବାର ପ୍ରୟୋଜନ କିସ ? ତୁମ୍ଭେ କାନ୍ଦିଲ ? ଏ ପ୍ରଶ୍ନ ଶୁଣି ତୁମ୍ଭର ଚକ୍ଷୁଦ୍ୱୟରୁ କାହିଁକି ଶୋକାଶ୍ରୁଧାରା ପ୍ରବାହିତ ହେଲା ? ପୃଥିବୀରେ ପୂର୍ବେ ଯେପରି ଚନ୍ଦ୍ରସୂର୍ଯ୍ୟ ଉଦିତ ହୋଇ କିରଣଜାଲ ବିସ୍ତାର କରୁଥିଲେ ଏବେ ସୁଦ୍ଧା ସେମାନେ ତାହା କରୁଅଛନ୍ତି । ପଶୁପକ୍ଷୀ କୀଟପତଙ୍ଗାଦି ଯେପରି ପୂର୍ବେ ପୃଥିବୀରେ ବିଚରଣ କରୁଥିଲେ ଏବେ ମଧ୍ୟ ସେହିପରି ବିତରଣ କରୁଅଛନ୍ତି । ବୃକ୍ଷଲତା ପର୍ବତ ନଦନଦୀ ଆଦି ପୂର୍ବେ ଯେପରି ପୃଥିବୀର ଅଙ୍ଗଶୋଭିତ କରିଥିଲେ ଏବେ ମଧ୍ୟ ତହିଁରୁ ବିରତ ହୋଇ ନାହାନ୍ତି । କାଳଚକ୍ରରେ ଚିତ୍ରପ୍ରାୟ ପ୍ରତୀୟମାନ ହୋଇ ଏବେସୁଦ୍ଧା ଦିନ ରାତ୍ରି ମାସ ବାର ପକ୍ଷ ଋତୁ ବର୍ଷ ଆସୁଅଛି, ଯାଉଅଛି । ଏବେ ସୁଦ୍ଧା ଶ୍ରୁତିମନୋହର ଗମ୍ଭୀର ନିର୍ଘୋଷରେ ନିଳାମ୍ୱୁ ନୃତ୍ୟ କରୁ କରୁ ଜଗଦୀଶ୍ୱରଙ୍କ ଯଶୋଗାନ କରୁଅଛି । ଏଥିର କିଛି ହାନି ହୋଇ ନାହିଁ । ସଂସାର ପୂର୍ବେ ଯେପରି ଥିଲା ଅଦ୍ୟପି କାଳଚକ୍ରରେ ସେହିପରି ଶୋଭା ପାଉଅଛି । ଜଗନ୍ନିୟନ୍ତା ଜଗଦୀଶ୍ୱର ପୂର୍ବେ ଯେପରି ଜଗତ୍‌ରୂପେ ପ୍ରତିଭାତ ଥିଲେ ଅଦ୍ୟାପି ସେହିପରି ରହିଅଛନ୍ତି ! ତେବେ ତୁମ୍ଭେ ଶୋକ କାହିଁକି କରୁଅଛି । ତୁମ୍ଭର ସ୍ୱାମୀ-ବିରହରେ ସଂସାରର କିଛିକ୍ଷତି ହୋଇ ନାହିଁ । ଜଣେ ଅଧେ ସଂସାରରେ କଷ୍ଟ ପାଇଲେ କିମ୍ୱା ସଂସାରରୁ ଲୋକଚକ୍ଷୁରୁ ଲୋପ ପ୍ରାପ୍ତ ହେଲେ ସଂସାରର କିଛି କ୍ଷତି ନାହିଁ । ସେହିପରି ରୂପାନ୍ତର ଘଟାନ୍ତର ପ୍ରତିମୁହୂର୍ତ୍ତରେ ଲାଗିରହିଅଛି । ତେବେ କାହିଁକି ଶୋକ କରୁଅଛ ? ତୁମ୍ଭ ମନରେ କଷ୍ଟ ହୋଇଅଛି ? କଷ୍ଟତ ସମସ୍ତେ ଭଞ୍ଜୁଅଛନ୍ତି । ସେ କଷ୍ଟ ଧୈଯ୍ୟଧରି ସହିବା ଉଚିତ ନା ବିକଳ ହୋଇ ପ୍ରାଣକୁ ଅଧିକ କଷ୍ଟ ହେବା ଉଚିତ ? ଯେବେ ଶୋକ କଲେ ସ୍ୱାମୀ ଫେରି ଆସନ୍ତେ ତେବେ ଶୋକ କରିବା ସାଜନ୍ତା, ତାହାତ ହେବ ନାହି । ତେବେ ତୁଛାକୁ ଶୋକ କରି କି ଲାଭ ଅଛି ? ଆଉ ତ୍ୟାଗ ସ୍ୱୀକାର ? ତାହାରତ କଥା ନାହିଁ । ଯେତେବେଳେ ଶୋକ କରିବା ଉଚିତ ନୁହେ ତେତେବେଳେ ତ୍ୟାଗ ସ୍ୱୀକାର କରିବା କାହୁଁ ଉଚିତ ବୋଲି ବୁଝାଯିବ-? ହାୟ ହାୟ ! କଳାବତୀ ! ତୁମ୍ଭେତ ମନଫେଡ଼ି କଥା କହୁ ନାହ–ଆମ୍ଭମାନଙ୍କୁ ଏଥିର ଉତ୍ତର କିଏ ଦେବ ?

 

ପୃଥିବୀ ପୂର୍ବପ୍ରାୟ ପ୍ରକାଶିତ ହୋଇ ରହିଥିଲେହେଁ ଲୋକଙ୍କ ଆଚାରବ୍ୟବହାର କ୍ଷଣକ୍ଷଣକେ ପରିବର୍ତ୍ତିତ ହେଉଅଛି । ଆର୍ଯ୍ୟଶୋଣିତ ଆର୍ଯ୍ୟମାନଙ୍କ ଅଙ୍ଗରେ ପ୍ରବାହିତ ହୋଇ ଆର୍ଯ୍ୟସମାଜରେ ଆର୍ଯ୍ୟଜନୋଚିତ ଆଚାର ବ୍ୟବହାର ସଂରକ୍ଷଣ କରିଥିଲା । ବର୍ତ୍ତମାନ ପାଶ୍ଚାତ୍ୟ ସମାଜ ପ୍ରବଳ ପ୍ରତାପରେ ଆର୍ଯ୍ୟମାନଙ୍କୁ ଶାସନ କରି ପାଶ୍ଚାତ୍ୟ ସଭ୍ୟତାସ୍ରୋତ ତୀବ୍ର ବେଗରେ ଚଳାଉଥିବା ସମୟରେ ଆର୍ଯ୍ୟମାନେ ଜାତୀୟଭାବ ଛାଡ଼ି ପରିବର୍ତ୍ତନ ପକ୍ଷପାତୀ ହୋଇ ନାନାମତ ନବୀନରୂପ ଧାରଣ କରତଃ ସ୍ୱଜାତିଙ୍କି ଡାକ ଛାଡ଼ୁ ଅଛନ୍ତି । କ୍ରମେ ଅପର ଆର୍ଯ୍ୟମାନେ ସେହି ଡାକରେ ପ୍ରଣୋଦିତ ହୋଇ ନୂତନ ସମାଜରେ ପଦାର୍ପଣ କରି ତାହା ଦୃଢ଼ୀଭୂତ କରୁଅଛନ୍ତି । ଏହି ସମାଜର ଲୋକମାନେ ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟ-ସମାଜରେ ସଂସ୍କୃତବୋଲି ପରିଚିତ ହୋଇ ପ୍ରସାଦ ଲାଭକରତଃ ଆପଣାକୁ ଧନ୍ୟ ମନେ କରି ଉନ୍ନତଗ୍ରୀବ ହୋଇ ବିଚରଣ କରୁଅଛନ୍ତି ଏବଂ କହୁଅଛନ୍ତି ‘ପରିବର୍ତ୍ତନ-ପକ୍ଷପାତୀ ନ ହେବା ଲୋକ ମୁର୍ଖ ।’ କଳାବତି ! ଏମାନଙ୍କ ଚକ୍ଷୁକୁ ତୁମ୍ଭର ବିଶୁଦ୍ଧ କାର୍ଯ୍ୟାବଳି ଅବିଶୁଦ୍ଧରୂପେ ପ୍ରତୀୟମାନ ହେବ ଏବଂ ସେମାନେ ତୁମ୍ଭଙ୍କୁ ନିତାନ୍ତ ସଂକୀର୍ଣ୍ଣମନା ବୋଲି କହିବେ । ଯେତେବେଳେ ଜନ୍ମମୃତ୍ୟ ସଂସାରରେ ଲାଗିରହି ଅଛି, ଯେତେବେଳେ ‘ମରଣଂ ପ୍ରକୃତିଃ ଶରୀରିଣାଂ’ ବୋଲି କବିବାଣୀ ସୁଲଳିତ ଗମ୍ଭୀର ଭାଷାରେ ଘୋଷଣା କରିଯାଇଅଛି, ଯେତେବେଳେ ପୁରାତନ ବସ୍ତ୍ରପ୍ରାୟ ଦେହିମାନଙ୍କର ଶରୀର ବିନଷ୍ଟ ହୁଏ ବୋଲି ତୁମ୍ଭର ଭଗବାନ୍‌ ବ୍ୟକ୍ତି କରିଅଛନ୍ତି ତେତେବେଳେ ସେମାନଙ୍କ ମତରେ ତୁମ୍ଭରତ ଶୋକ କରିବା ଉଚିତ ନୁହେ । ବରଂ ପୁରାତନ ବସ୍ତ୍ରାଭାବେ ନୁତନ ବସ୍ତ୍ର ଗ୍ରହଣ କରି ସୌନ୍ଦର୍ଯ୍ୟର ସୁବ୍ୟବହାର କରିବା ଉଚିତ ବୋଲି ଏକାନ୍ତ ମନରେ ସେମାନେ ବ୍ୟକ୍ତ କରିବେ । କଳାବତୀ ! କହିଲ ଭଲା ତାହା କି କରଣୀୟ ନୁହେ ?

 

କିଏ ଆମ୍ଭମାନଙ୍କୁ ଏତେକଥାର ଉତ୍ତର ଦେବ ? ପାଠକେ ! ପ୍ରକୃତରେ ସ୍ୱାମୀ ହରାଇ ଅଳ୍ପବୟସ୍କା କଳାବତୀ ନିବିଡ଼ବନଗତ ସୁବିଶାଳ ଶୃଙ୍ଗଶାଳୀ ହରିଣ ପଦେ ପଦେ ଲତାଜାଲରୁ ବାଧା ପାଇ ବିଚରଣ କଲାପ୍ରାୟ ସଂସାର କାର୍ଯ୍ୟରେ ବିଚରଣ କରୁଅଛନ୍ତି । ମାୟାମୟ ସଂସାରର ସୁକଠିନ ମାୟାବନ୍ଧନ ଶିଥିଳ ହୋଇଯାଇଅଛି ଏବଂ ଶୋକବିହ୍ୱଳିତ ମନ ସ୍ୱାମୀଗୁଣ ସ୍ମରଣ କରିବାରୁ କେତେବେଳେ ବିରତ ହେଉ ନାହିଁ ।

 

କହୁ କହୁଁ ଏକବର୍ଷ ଅତୀତ ହୋଇଗଲା । କାଳଚକ୍ର କେତେ ଲୋକର ଭାଗ୍ୟଫଳକରେ କେତେପ୍ରକାର ଚିତ୍ର ଅଙ୍କିତ କରି କେତେ ପରିବର୍ତ୍ତନ ଘଟାଇ ଚାଲିଗଲା ମାତ୍ର କଳାବତୀର ଶୋକଦଗ୍ଧ ମନର ଆଉ ପରିବର୍ତ୍ତନ ଘଟିଲା ନାହିଁ । ଶୋକ ପୂର୍ବପ୍ରାୟ ତାଙ୍କ ହୃଦୟରେ ରାଜ୍ୟବିସ୍ତାର କରି ରହିଅଛି । ତେବେ ପୂର୍ବେ ଯାହା କ୍ରନ୍ଦନରୋଳରେ ପ୍ରଭୂତ ନେତ୍ରନୀର ବିସର୍ଜ୍ଜିତ ହେଉଥିଲା ଏବେ ତାହାସ୍ଥାନରେ ନୀରବରେ ହୃଦୟାଗାରରେ ଶୋକସିନ୍ଧୁ ତରଙ୍ଗାୟିତ ହୋଇ ହୃଦୟ ଆଲୋଡ଼ିତ କରୁଅଛି । ମାତ୍ର ଆଗେ ସେ ଶୋକକ୍ରନ୍ଦନ ଶୁଣି ଗ୍ରାମବାସୀଏ ଯେପରି ଲୋତକବିନ୍ଦୁ ଉପହାର ଦେଉଥିଲେ ଏବେ ମଧ୍ୟ ସାକ୍ଷାତ୍‌ ଶୋକମୂର୍ତ୍ତି ଅବଲୋକନ କରି ଗ୍ରାମର ଲୋକମାନେ ଯେ ସେପରି ନ କାନ୍ଦିବେ ତାହା କିଏ କହିପାରେ ? ପ୍ରକୃତରେ ଯେଉଁମାନେ ଏବେ ମଧ୍ୟ ତାଙ୍କୁ ଦେଖୁଅଛନ୍ତି ସେମାନେ କାନ୍ଦି ପକାଉଅଛନ୍ତି ।

 

କଳାବତୀଙ୍କର ସ୍ୱାମୀଙ୍କର ନାମ ରଘୁନାଥ ପଟ୍ଟନାୟକ । ରଘୁନାଥ ରାଧାଗୋବିନ୍ଦଙ୍କ ଗ୍ରାମରେ କରଣକୁଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଉତ୍ତମ ଧନଶାଳିଲୋକ ଥିଲେ ଏବଂ ରଘୁନାଥ ପିତାମାତାର ଏକମାତ୍ର ସନ୍ତାନ ଥାଇଁ ପରମ ଆହ୍ଲାଦରେ ବଢ଼ୁଥିଲେ । ସମୟ ଚିରକାଳ ସମାନ ନ ଯାଏ । ଯେତେବେଳେ ରଘୁନାଥଙ୍କ ବୟସ ପାଞ୍ଚବର୍ଷ ତେତେବେଳେ ତାଙ୍କ ପିତା ନଦୀବଢ଼ି ସମୟରେ ଘରକୁ ନୌକାଯୋଗେ ବିଦେଶରୁ ଆସୁଆସୁ ବାଟରେ ପ୍ରବଳ ଉଥିତ ହେବାରୁ ନୌକା ବୁଡ଼ିଯିବାସଙ୍ଗେ ଗଙ୍ଗାଦେବୀଙ୍କ କ୍ରୋଡ଼ଶାୟୀ ହୋଇ ଇହଲୀଳା ସମାପ୍ତ କଲେ । ମାତା ଭାର୍ତ୍ତୃ ବିୟୋଗବାର୍ତ୍ତାରେ ଯତ୍‌ପରୋନାସ୍ତି ଶୋକବିହ୍ୱଳିତା ହୋଇ ପ୍ରାଣପର୍ଯ୍ୟନ୍ତ ଉତ୍ସର୍ଗ କରିବାକୁ ବସିଥିଲେ । କେବଳ ରଘୁନାଥଙ୍କୁ ପାଳିବାର ଲୋକ ନ ଥିବାରୁ ତାହା କାର୍ଯ୍ୟରେ ପରିଣତ କରିପାରୁ ନଥିଲେ । ଅବଶେଷରେ ଆପଣା ଭ୍ରାତାଙ୍କୁ ନିଜଘରଠାରୁ ଅଣାଇ ଘରକରଣା ସମସ୍ତ ଧୀର ଭାବରେ ତାଙ୍କୁ ଦେଖାଇଦେଇ ରଘୁନାଥଙ୍କୁ ଉତ୍ତମରୂପେ ପାଳିବା କାରଣ ନିଯୁକ୍ତ କରି ସ୍ୱାମୀ ମୃତ୍ୟୁର ସପ୍ତମ ଦିନରେ ରଜନୀଯୋଗେ ଘରୁ ବାହାରି ଯେତେବେଳେ ଜଳପୂର୍ଣ୍ଣା ମହାନଦୀ ଚନ୍ଦ୍ର କିରଣରେ ଉତ୍‌ଫୁଲ୍ଲ ହୋଇ କଳକଳ ରବରେ ପ୍ରେମସଙ୍ଗୀତ ଗାନ କରୁଥିଲା ତେତେବେଳେ ସ୍ୱାମୀ ପ୍ରେମବିହ୍ୱଳା ରଘୁନାଥଙ୍କ ମାତା ନଦୀତୀରରେ ପହୁଞ୍ଚି ଥରେ ନଦୀ ଓ ଥରେ ଚନ୍ଦ୍ର ଆଡ଼କୁ ଅନାଇ ଏକବିନ୍ଦୁ ଅଶ୍ରୁ ତ୍ୟାଗକରି ସ୍ୱାମୀର ନାମୋଚ୍ଚାରଣ କରିବା ସଙ୍ଗେ ସଙ୍ଗେ ନଦୀରେ ଝାମ୍ପ ପ୍ରଦାନ କଲେ । ଆଜି କାଲି ଏଭଳି କାର୍ଯ୍ୟକୁ ଲୋକେ ବାତୁଳତା ଆଖ୍ୟା ପ୍ରଦାନ କରନ୍ତି ଏବଂ ଧରାପଡ଼ିଲେ ତହିଁଉପରେ କାରାଦଣ୍ଡ ଭୋଗ କରିବାର ବିଧି ହୋଇ ଅଛି । ପୂର୍ବେ ଏଥିର ମୁଲ୍ୟ ଅତ୍ୟନ୍ତ ଅଧିକ ଥିଲା ଏବଂ ଏ ଭଳି ସ୍ତ୍ରୀଲୋକ ସତୀ ବୋଲି ଲୋକଙ୍କର ସୃତିପଟରେ ଉଚ୍ଚାସନ ପ୍ରାପ୍ତ ହେଉଥିଲେ । ଏମନ୍ତ କି ଯେଉଁଠାରେ ଏ ଭଳି ସ୍ତ୍ରୀଲୋକମାନେ ସତୀ ହେଉଥିଲେ ସେହିସ୍ଥାନମାନ ଚିରକାଳ ସତୀକୀର୍ତ୍ତି ଘୋଷଣା କରିବା ଉଦ୍ଦେଶ୍ୟରେ ଲୋକେ ତାହାକୁ ନୂତନ ଆଖ୍ୟା ଅଥବା ତହିଁଉପରେ ଚଉରା କିମ୍ୱା ସ୍ତମ୍ଭାଦି ନିର୍ମାଣ କରାଇଦେଉଥିଲେ । ଏହିରୂପେ ରଘୁନାଥଙ୍କ ମାତା ପରଲୋକରେ ସତତ ସ୍ୱାମୀସଙ୍ଗ-ସୁଖଭୋଗ କରିବା କାମନାରେ ପୁତ୍ରମାୟା ସୁଦ୍ଧା ତ୍ୟାଗ କରି ସଂସାରରୁ ବିଦାୟ ହୋଇଗଲେ–ରହିଗଲା କେବଳ ତାଙ୍କର ସତୀ ନାମ ।

 

ଉପରୋକ୍ତ ମତେ ଅଳ୍ପ ବୟସରେ ରଘୁନାଥ ଅନାଥ ହେଲେ । ଘରେ ମାମୁ ଭିନ୍ନ ଆଉ କେହି ନାହିଁ । ମାମୁ ମଧ୍ୟ ଉପଯୁକ୍ତ ଥିଲେ । ରଘୁନାଥଙ୍କ ବିପୁଳ ଐଶ୍ୱର୍ଯ୍ୟ ଦୁଃଖି ମାମୁକୁ ଧନ୍ଦା ଲଗାଇଦେଲା । ମାମୁ ପ୍ରଥମେ ସରଳଭାବେ ଚଳୁଥିଲେ ମାତ୍ର କ୍ରମେ କ୍ରମେ ଭାଇମାନଙ୍କ ଦୁଷ୍ଟ-ପରାମର୍ଶରେ ପଡ଼ି ଅଲକ୍ଷିତ ଭାବରେ ଧନପହରଣ କରିବାରେ ନିଯୁକ୍ତ ହେଲେ ଏମନ୍ତ କି ରଘୁନାଥ ଅଷ୍ଟାଦଶବର୍ଷ ବୟସରେ ଉପନୀତ ହେବା ସମୟରେ ବିଷୟବୃତ୍ତି ଆଦି ତ କିଛି ନ ଥିଲା–ଖାଇବା ପିଇବା ଭଳି ସଂସ୍ଥାନ ମଧ୍ୟ ଥିବା ଦେଖା ନ ଗଲା । ତେବେ ମାମୁ କରିବା ମଧ୍ୟରେ ରଘୁନାଥଙ୍କୁ ସଂସ୍କୃତ ଓ ଓଡ଼ିୟା ଭାଷାରେ ଉତ୍ତମ ଶିକ୍ଷା ପ୍ରଦାନ କରିଥିଲେ । ଯେମନ୍ତ ପଣ୍ଡିତବର୍ଗରେ ତାହାଙ୍କର ଗୁଣଗ୍ରାମ ଚହଳି ପଡ଼ିଲା ସେହିପରି ବିଷୟକର୍ମ ବୁଝାଶୁଝା ଏବଂ ମନ୍ତ୍ରଣା ଦେବାରେ ତାଙ୍କର ଯେ ବ୍ୟୁତ୍ପତ୍ତି ହୋଇଥିଲା ତହିଁରେ ସେ ଲୋକରେ ଭୂୟସୀ ପ୍ରଶଂସା ପ୍ରାପ୍ତ ହୋଇଥିଲେ । ଅବଶେଷରେ ଭଣଜା ଓ ମାମୁ ମଧ୍ୟରେ କଳି ଲାଗିଲା ଏବଂ ମାମୁ ଆପଣାର ଲୁଗାପଟାର ବୁଜୁଳା ବାନ୍ଧି ହୃଷ୍ଟମନରେ ନିଜ-ଗୃହକୁ ପ୍ରତ୍ୟାଗମନ କଲେ । ବାସ୍ତବରେ ଭଉଣୀଙ୍କ ଆମନ୍ତ୍ରଣରୁ ଫଳ-ଲାଭ ପରେ ସେ ତ କଜିଆଟିଏ ଖୋଜୁଥିଲେ ଏବଂ ତାହା ପାଇଲାକ୍ଷଣି ଭଣଜାକୁ ଛାଡ଼ିଯିବାରେ କଷ୍ଟ କି ଅଛି ? ପାଠକେ ! ସଂସାରରେ ଏ ଭଳି ଅନେକ ମାମୁ ଦେଖା ଯାନ୍ତି ! ଏଥିରେ ବୈଚିତ୍ର୍ୟ କିଛି ନାହିଁ । ବୈଚିତ୍ର ମଧ୍ୟରେ ଏ କେବଳ ଭଣଜାକୁ ଲେଖାପଢ଼ା ଶିଖାଇଥିଲେ !

 

ମାମୁ ବିଦାୟ ହୋଇ ଗଲାଉତ୍ତାରୁ ରଘୁନାଥ ଘରେ ଏକାକୀ ଥାଇ ଜଗଦୀଶ୍ୱରଙ୍କୁ ଡାକି ଦିନପାତ କଲେ । ବାସ୍ତବରେ ଘରେ ଏମନ୍ତ କିଛି ନ ଥିଲା ଯହିଁରେ କି ଦିନକ ସକାଶେ ତାଙ୍କର ପ୍ରାଣରକ୍ଷା ହୋଇ ପାରେ । ସୁଯୋଗକୁ ମାମୁ ଯେଉଁ ବିଦ୍ୟାର୍ଜ୍ଜନ କରାଇ ଯାଇଥିଲେ ତାହା ବ୍ୟବହାର କରି ଗ୍ରାମର ଅଥବା ନିକଟବର୍ତ୍ତୀ ସ୍ଥାନର ଲୋକମାନଙ୍କଠାରୁ କିଛି କିଛି ପ୍ରାପ୍ତ ହେଉଥିଲେ । ତହିଁରେ ତାଙ୍କର ସଂସାରଯାତ୍ରା ଦୁଃଖେ କଷ୍ଟେ ଏକପ୍ରକାର ନିର୍ବାହ ହେଉଥିଲା । ଏହିରୂପେ ଦିନ ଦିନ ମାସ ମାସ ବର୍ଷ ବର୍ଷ ହୋଇ ଚାରିବର୍ଷ ଅତୀତ ହେଲା ।

 

ରାଧାଗୋବିନ୍ଦଙ୍କ ଘରଠାରୁ ରଘୁନାଥଙ୍କ ଘର ଅଳ୍ପ ଛଡ଼ା । ଯେତେବେଳେ ଅନ୍ୟ କୌଣସି କାର୍ଯ୍ୟ ନ ଥାଏ ତେତେବେଳେ ଦେଖିବ ରଘୁନାଥ ରାଧାଗୋବିନ୍ଦଙ୍କ ଘରଠାରେ । ରଘୁନାଥଙ୍କୁ ପଞ୍ଚଦଶବର୍ଷ ବୟସ ହୋଇଥିବା ସମୟରେ ଦିନେ ରାଧାଗୋବିନ୍ଦଙ୍କ ଘରଠାରେ ତାଙ୍କ ପ୍ରଥମା ଭାର୍ଯ୍ୟା କଳାବତୀଙ୍କି ଡାକିଆଣି ରଘୁନାଥଙ୍କ ସମ୍ମୁଖରେ ଠିଆକରାଇ କହିଲେ ‘ରଘୁନାଥ ! ତୁତ ଏଠିକି ସବୁବେଳେ ଆସୁଚୁ, କେତେ କେତେ ବେଳେ କଳାକୁ ପଢ଼ାଉଥିଲେ କଳାର କତେ ପଢ଼ା ହୋଇଥାନ୍ତା ?

 

କଳାବତୀଙ୍କର ସେ ସମୟକୁ ରଘୁନାଥଙ୍କ ପ୍ରତି ସ୍ନେହ ଢଳିଥିଲା । ବାଳିକା କଳାବତୀ ବାଳକ ରଘୁନାଥଙ୍କୁ ଘରେ ଦେଖିଲେ ତାଙ୍କ ସହିତ କେତେ ପ୍ରକାରେ ଖେଳୁଥିଲେ । ମାତାଙ୍କର ଏ କଥା ଶୁଣି ଅମାୟିକ ଭାବରେ ବାଳିକା ରଘୁନାଥଙ୍କୁ କହିଲେ ‘ତୁମେ ପଢ଼େଇଲେ ମୁଁ ଭଲ ପଢ଼ିବି’ । ଏହି ଅକୃତ୍ରିମ ସ୍ନେହ ବିମିଶ୍ରିତ କଥା ଶୁଣି ମାତା ଆନନ୍ଦରେ ଗଦ୍‌ଗଦ୍‍ ହୋଇ ବାଳିକା ମୁଖରେ ଚୁମ୍ୱ ପ୍ରଦାନ କରିଥିଲେ ଏବଂ ରଘୁନାଥ ସେହି ସରଳ ହୃଦୟର ନିଷ୍କପଟବାଣୀ ଶୁଣି ତହିଁରେ ଅଲକ୍ଷିତଭାବେ ବିମୋହିତ ହେଲା ପ୍ରାୟ ହସି ହସି କହିଲେ ‘ହଉ’ ।

 

କରଣମାନଙ୍କ ମଧ୍ୟରେ ସ୍ତ୍ରୀଶିକ୍ଷା ବହୁକାଳରୁ ପ୍ରଚଳିତ ଅଛି । ଏବକୁ ପାଶ୍ଚାତ୍ୟ-ସଭ୍ୟତାର ଆଲୋକ ଘରେ ଘରେ ପ୍ରବେଶ କରି ପୂର୍ବଶିକ୍ଷାର ରୀତିନୀତି ପରିବର୍ତ୍ତନ କରୁଅଛି ଏବଂ ତାହା ଭଲ ହେଉଅଛି କି ତଦ୍‌ବିପରୀତ ହେଉଅଛି ତାହା କହିବାର ପ୍ରୟୋଜନ ନାହିଁ । ଭିନ୍ନ ଭିନ୍ନ ଲୋକେ ଭିନ୍ନ ଭିନ୍ନ ରୁଚିବିଶିଷ୍ଟ ଅଟନ୍ତି, ତହିଁରେ ପୁଣି ପରିବର୍ତ୍ତନର ବେଗବାନ୍‌ କଳରେ ପଡ଼ି ପୁରାତନ ଭଙ୍ଗା ହୋଇ ନୂତନ ଗଢ଼ା ହେଉଥିବା ସମୟରେ ରୁଚିର ଠିକଣା ମିଳିବା କଠିନ । ପୁର୍ବେ ସାଧାରଣତଃ ଦାଣ୍ଡକୁ ଅବଧାନ ସାହିତ୍ୟ ଲେଖାପଢ଼ି ଏବଂ ଫେଡ଼ାମିଶା ଇତ୍ୟାଦି ସ୍ୱଳ୍ପ ଅଙ୍କଶାସ୍ତ୍ରର ଶିକ୍ଷା ଦେଉଥିଲେ ଏବଂ ଘରେ ଚିତା ଦେବାଠାରୁ ଛୁଁଚିପତ୍ର କରିବା ପର୍ଯ୍ୟନ୍ତ ବ୍ୟବହାରିକ ଶିକ୍ଷା ଲାଭ ହେଉଥିଲା । ମାତ୍ର ବଳାବତୀଙ୍କ ବୃଦ୍ଧି ତୀକ୍ଷ୍ଣା ଥିବାର ଦେଖାଯିବାରୁ ତାଙ୍କୁ ଅଧିକ ଶିକ୍ଷାଦେବା କାରଣ ମାତାଙ୍କର ଇଚ୍ଛା ବଳବତୀ ହୋଇଥିଲା । ସେହି ହେତୁରୁ ରଘୁନାଥଙ୍କ ପାଣ୍ଡିତ୍ୟର ବିବରଣ ଅବଗତ ହୋଇ ସେ ତାଙ୍କୁ ପ୍ରୋକ୍ତ ଭାର ଅର୍ପଣ କରିଥିଲେ ।

 

ରଘୁନାଥ ଏହିରୂପ ଭାର ପ୍ରାପ୍ତ ହୋଇ ପୂର୍ବଠାରୁ ଅଧିକ ସମୟ ରାଧା ଗୋବିନ୍ଦଙ୍କ ଘରେ କଟାଇ କଳାବତୀଙ୍କି ହୃଷ୍ଟମନରେ ଶିକ୍ଷା ପ୍ରଦାନ କରିଥିଲେ ଏବଂ କଳାବତୀ ମଧ୍ୟ ଉତ୍ତମରୂପ ପାଠାଭ୍ୟାସ କରି ଗ୍ରାମରେ ନାମ କିଣିଥିଲେ । ବୋଲା ବାହୁଲ୍ୟ ରାଧାଗୋବିନ୍ଦ ଆପଣା ଘରେ ରଘୁନାଥଙ୍କୁ ଅନେକ ସମୟ ଥିବା ଦେଖି ତାଙ୍କଦ୍ୱାରା ନାନାପ୍ରକାର କାର୍ଯ୍ୟ କରାଇ ନେଉଥିଲେ ଏବଂ ରଘୁନାଥ ଅବିମର୍ଶ ଚିତ୍ତରେ ତାହା ସମ୍ପାଦନ କରି ରାଧାଗୋବିନ୍ଦଙ୍କ ସନ୍ତୋଷରେ ଆପଣାକୁ ଉତ୍ତମ ପୁରସ୍କୃତ ମନେ କରୁଥିଲେ । ରାଧାଗୋବିନ୍ଦଙ୍କ ଭାର୍ଯ୍ୟାଦ୍ୱୟ ଏବଂ କଳାବତୀ ଲୁଚାଇ ଲୁଚାଇ ରଘୁନାଥଙ୍କୁ ଅନେକେ ପ୍ରକାରେ ସହାୟତା ମଧ୍ୟ କରୁଥିଲେ ।

 

କଳାବତୀ ଏବଂ ରଘୁନାଥ ଏହିରୂପେ ଅନେକ ସମୟ ଏକତାବସ୍ଥିତ ଥିବାରୁ ସେମାନଙ୍କ ମଧ୍ୟରେ ପୂର୍ବରୁ ଜାତି ହୋଇଥିବା ଅବିଶୁଦ୍ଧ ସ୍ନେହ କ୍ରମେ କ୍ରମେ ଘନୀଭୂତ ହେଲା । ଅବଶେଷରେ ଦ୍ୱାବିଂଶତି ବର୍ଷ ବୟସରେ ରାଧାଗୋବିନ୍ଦଙ୍କ ପ୍ରସ୍ତାବମତେ ରଘୁନାଥ କଳାବତୀଙ୍କର ପାଣିଗ୍ରହଣ କଲେ । ଘନୀଭୁତ ସ୍ନେହ ଏହିରୂପେ ଯେଉଁ ଅଭୂତପୂର୍ବ ପ୍ରେମରେ ପରିଣତ ହେଲା ତାହା ଅତି ଅମୁଲ୍ୟ !

 

ପାଠକେ ! ରାଧାଗୋବିନ୍ଦଙ୍କ ନୀରସ ଗଦ୍ୟମୟ ସଂସାରରେ ଏପ୍ରକାରେ ରସମୟୀ କବିତା ଜାତ ହେଲା ରାଧାଗୋବିନ୍ଦ ଅତିଅଳ୍ପକାଳ ଘରେ ଥାନ୍ତି । ଅଧିକାଂଶ ଦିନ ତାଙ୍କୁ କାର୍ଯ୍ୟୋପଲକ୍ଷ୍ୟେ ସୁବାଦାରଙ୍କ ନିକଟରେ ଅଥବା ଅନ୍ୟତ୍ର ରହିବାକୁ ହୁଏ । ରଘୁନାଥଙ୍କ ଉପରେ ବିଷୟକାର୍ଯ୍ୟାଦି ବୁଝାଶୁଝାର ଯେଉଁ ଭାର ଥିଲା ତାହା ରଘୁନାଥଙ୍କ ଭଳି ସଚତୁର ଲୋକ ପକ୍ଷେ କେତେମାତ୍ର ? ଏପରିସ୍ଥଳେ କଳାବତୀ ଓ ରଘୁନାଥ ଯେପରି ଭାବରେ ବର୍ଷଟିଏ କଟାଇଲେ ତାହା ଆମ୍ଭେମାନେ ଅବା କିରୂପରେ ବର୍ଣ୍ଣନା କରିପାରିବୁ–ତାହା କବିକୁଳ ଶିରୋମଣି କାଳିଦାସଙ୍କ ରସମୟୀ ଲେଖନୀ ବିନିଃସୃତ କବିତା ବୋଲି ବୋଇଲେ ଅତ୍ୟୁକ୍ତି ହେବ ନାହିଁ । ଦେଖୁଁ ଦେଖୁଁ ପୁଷ୍ପୋଦ୍ୟାନ ପ୍ରସ୍ତୁତ ହୋଇ ପୁଷ୍ପଭାରରେ ଚୌଦିକ ଆମୋଦିତ କଲା ଦେଖୁ ଦେଖୁ ଗୃହସଂଲଗ୍ନ ତୋଟାମାନ ପରିଷ୍କୃତ ହୋଇ ଅପୂର୍ବଶ୍ରୀ ଧାରଣ କଲା ଏବଂ ତହିଁରେ କିନ୍ନର କିନ୍ନରୀ ରୂପେ ରଘୁନାଥ କଳାବତୀ ବିହାର କରି ପରମ ସୁଖସମ୍ଭୋଗରେ ରତ ହେଲେ । ପୃଥିବୀ ସେମାନଙ୍କୁ ଅପୂର୍ବ କ୍ରୀଡ଼ାସ୍ଥାନ ବୋଲି ବୋଧ ହେଲା । ଚନ୍ଦ୍ରସୂର୍ଯ୍ୟ କୁମୁଦିନୀ ପଙ୍କଜିନୀର ପ୍ରେମରେ ଆବଦ୍ଧ ହୋଇ କେବଳ କବିତା ରଚନା କରି ଲୋକମନ ବିମୋହିତ କରିବା ନିମିତ୍ତ ପୃଥିବୀରେ ଦେଖା ଦେଲା ପ୍ରାୟ ତାଙ୍କୁ ଜଣାଗଲା । ପ୍ରକୃତିସତୀ ବିଶ୍ୱେଶ୍ୱରଙ୍କ ମାୟାମୟ ପ୍ରେମବନ୍ଧନରେ ବିମୁଗ୍ଧା ହୋଇ ଦିଗ୍‌ଦିଗନ୍ତ ଉଲ୍ଲସିତ କରି ରହିଥିବାପରି ତାଙ୍କୁ ପ୍ରତୀୟମାନ ହେଲା । ଅଧିକ କି କହିବୁଁ ସେମାନେ ସମୁଦାୟ ଚରାଚରକୁ ପ୍ରେମମୟ ପରମେଶ୍ୱରଙ୍କର ପ୍ରେମମୟୀ କବିତା ବୋଲି ସିଦ୍ଧାନ୍ତ କରିଥିଲେ ।

 

ଚିରଦିନ ସମାନ ଯାଏ ନାହିଁ । ଚିରଦିନ ରସମୟୀ କବିତା ପାଠ କରି ସୁଖଭୋଗ କରିବାକୁ ଅବସର ମିଳେ ନାହିଁ । ଅଲକ୍ଷିତ ଭାବରେ କାଳଚକ୍ର ବୁଲୁ ବୁଲୁ କେତେବେଳେ କି ଘଟାଇ ଦିଏ ତାହା ଠିକଣା କରିବା ମନୁଷ୍ୟର ସାଧ୍ୟାତୀତ । କଳାବତୀ ମନେ କରିଥିଲେ ଏ କବିତା ପାଠ କରୁ କରୁ ତାଙ୍କର ଇହଲୀଳା ସାଙ୍ଗ ହେବ । ମାତ୍ର ମନୁଷ୍ୟର ଇଚ୍ଛା ଯେବେ ସର୍ବଦା ଫଳୁଥାନ୍ତା ତେବେ କି ଭାବନା ଥିଲା ? ବିଶ୍ୱସଂସାର କି ଭାବରେ କାହିଁକି ନିର୍ମିତ ହୋଇଅଛି ତାହା ବିଶ୍ୱନିୟନ୍ତା ବିଶ୍ୱେଶ୍ୱରଙ୍କୁ ଜଣାଅଛି । କାହିଁକି ସୁଖଦୁଃଖ ଜଗତରେ ବିତରଣ କରି ମାୟାମନ୍ତ୍ରମୁଗ୍ଧଜୀବଙ୍କୁ ଇତସ୍ତତଃ କରୁଅଛି କିଏ କହିପାରେ ?

 

ଦେଖୁଁ ଦେଖୁଁ ପ୍ରବଳଜ୍ୱର କରାଳକାଳ ରୂପେ ଉପସ୍ଥିତ ହୋଇ ଦିନକ ମଧ୍ୟରେ ରଘୁନାଥଙ୍କୁ ଇହଲୋକରୁ ଘେନି ଚାଲିଗଲା ଏବଂ ରାଧାଗୋବିନ୍ଦଙ୍କ ସଂସାର ପୁନର୍ବାର ଅତି ନୀରସ ହେବା ସଙ୍ଗେ ସଙ୍ଗେ କଳାବତୀଙ୍କ ରସମୟସଂସାରର ରସ ନିଃଶେଷିତ ହେଲା । ପ୍ରତିବାସିନୀ ସ୍ତ୍ରୀଲୋକମାନେ ଆସି ତାଙ୍କୁ ବୈଧବ୍ୟ ବ୍ରତାଚରଣରେ ନିୟୋଜିତା କରିଗଲେ ଏବଂ ସେ ଦିନରୁ ବାଳବିଧବା କଳାବତୀ ବୈଧବ୍ୟବ୍ରତନିୟମରେ ଥାଇ ରଘୁନାଥଙ୍କ ମୁଖଚନ୍ଦ୍ର ଏବଂ ତାଙ୍କର ଗୁଣାବଳୀ ସ୍ମରଣ କରି କେବେ ଜୀବନ ଶେଷ ହେବ ସେହି ଉଦ୍ଦେଶ୍ୟରେ ଭଗବାନଙ୍କୁ ଡାକିବାରେ ରତା ହେଲେ । ଏହିରୂପେ ଦିନେ ଦିନେ ହୋଇ ବର୍ଷେ ଅତୀତ ହୋଇଅଛି ଏବଂ କଳାବତୀ ଷୋଡ଼ଶ ବର୍ଷ ବୟସରେ ଉପନୀତା ହୋଇଅଛନ୍ତି । ରାଧାଗୋବିନ୍ଦ ଘରେ ଥିବା ସମୟରେ ତାଙ୍କୁ ମୁଠାଏ ଯତ୍ନ କରି ରାନ୍ଧି ଦିଅନ୍ତି ମାତ୍ର ସେ ନ ଥିଲାବେଳେ କେଉଁ ଦିନ ହାଣ୍ଡି ବସେ କେଉଁ ଦିନ ଅବା ନ ବସେ–ଏକସନ୍ଧ୍ୟା ଆହାର କରିବା ବିଧି ମଧ୍ୟ ବେଳେ ବେଳେ ଏହିରୂପେ ବିଚଳିତ ହୁଏ ।

 

ପିଲାପିଲି ଥିଲେ ଅବା ତାଙ୍କ ମୁଖ ଦେଖି ସ୍ୱାମୀଶୋକ କେତେ ପରିମାଣରେ ବିସ୍ମୃତା ହୋଇପାରନ୍ତେ ମାତ୍ର ବିଧାତା ତାହା ସୁଦ୍ଧା କରାଇ ଦେଇ ନାହିଁ । ବାଲ୍ୟକାଳରୁ ନାନାମତେ ଶୋକସନ୍ତାପ ସହ୍ୟ କରି ଏବେ ଏକାକିନୀ ହୋଇ ପଡ଼ିଅଛନ୍ତି । ଥିବା ମଧ୍ୟରେ ସ୍ନେହ କରିବାକୁ ଏକା ସେହି ରସକଳା । ରସକଳା ପ୍ରାୟ ଅଧିକାଂଶ ସମୟ କଳାବତୀଙ୍କ ନିକଟରେ ଥାଇ ତାଙ୍କର ବିମର୍ଷ ମନକୁ କିଞ୍ଚତ୍‌ ବିନୋଦିତ କରନ୍ତି ।

 

ପୌଷପୂର୍ଣ୍ଣିମା ରାତ୍ରିରେ ରସକଳା ପୂର୍ବୋକ୍ତ ମତେ ରୋଷନିର କଥା ପକାଇଥିଲେ ଏମନ୍ତ ସମୟରେ ରସକଳାଙ୍କର ମାତା ଆସି ତାଙ୍କୁ ଡାକିଲେ । କଳାବତୀ ତଳଖଞ୍ଜାକୁ ଯାଇ ଠାକୁରଙ୍କର ଭୋଗ କିଞ୍ଚତ୍‌ ସେବାକରି ଅଯତ୍ନ ପ୍ରସାରିତ ଶଯ୍ୟାରେ ଶୟନ କଲେ । ନିଦ୍ରାତ ହେବ ନାହିଁ । ରୋଷନି ଆସିବା ଅପେକ୍ଷାରେ ନିଦ୍ରା ହେଉନାହିଁ ତାହା ନୁହେ । ଯେ ମନର ସମୁଦାୟ ରସନିର୍ଝର ବିଶୁଷ୍କ ହୋଇଯାଇଅଛି ସେ ରୋଷନିରୁ କି ରସ ପାଇବ ଯେ ତାହାକୁ ଅପେକ୍ଷା କରି ରହିବ ? ଏକା ଥିବା ସମୟରେ ଯେଉଁ ରଘୁନାଥଙ୍କୁ ଅଦ୍ୟାପି ଝୁରୁଥିଲେ ତାଙ୍କରି ଗୁଣଗ୍ରାମ ଅଲକ୍ଷିତଭାବରେ ଆସି ହୃଦୟ ଆଲୋଡ଼ିତ କଲା ଏବଂ ନିଦ୍ରା ବିହୀନ ଚକ୍ଷୁରୁ ଅଶ୍ରୁବାରି ପ୍ରବାହିତ ହେଲା !

 

ଏମନ୍ତ ସମୟରେ ରସକଳା ବାହାରୁ ଡାକିଲେ ‘ଅପା, କବାଟ ଖୋଲିଦେ–ମୁଁ ଆଇଲିଣି’ ।

Image

 

Unknown

ନବମ ପରିଚ୍ଛେଦ

ପଥିମଧ୍ୟେ

 

ନୌକା ତୀରବେଗରେ ଧାବିତ ହେଉଅଛି । ନଦୀର ଉଭୟ ପାର୍ଶ୍ୱସ୍ଥ କେତେ ପଲ୍ଲୀଗ୍ରାମ, କେତେ ବନ ଉପବନ ଦେଖୁଁ ଦେଖୁଁ ପଛକୁ ପଡ଼ୁଅଛି । ନଦୀ ମଧ୍ୟଗତ କେତେ କ୍ଷୂଦ୍ର କ୍ଷୂଦ୍ର ବଡ଼ ବଡ଼ ପଠାମାନ ଦେଖୁ ଦେଖୁ ଅତିକ୍ରାନ୍ତ ହେଉଅଛନ୍ତି । ଦୂରବର୍ତ୍ତୀ ନଦୀପାର୍ଶ୍ୱର ଗୋଟିଏ ଗଛ ଅଥବା ନଦୀର ଗୋଟିଏ ଟାପୁକୁ ଲକ୍ଷ୍ୟ କରି ଅନାଉ ଅନାଉ ନୌକା ତହିଁ ନିକଟରେ ପହୁଞ୍ଚି ଯାଉଅଛି । ଆକାଶସ୍ଥ ଚନ୍ଦ୍ର ଏବଂ ତଦନୁଚରବର୍ଗ ନକ୍ଷତ୍ରାବଳୀ କିମ୍ୱା ନଦୀତୀରସ୍ଥ ବନରାଜି ଯାହାକୁ ଦେଖ ନୌକାର ବିପରୀତ ଗତିରେ ଦ୍ରୁତବେଗରେ ଧାବମାନ ହେଉଅଛନ୍ତି, ଦେଖି ବୋଧ ହେଉଅଛି ଯେମନ୍ତ କି ଡକାଏତ ଦେଖି ପ୍ରାଣଭୟରେ ଆପଣାର ଶୋଭାସମ୍ପତ୍ତି ଘେନି ପଳାଇ ଯାଉଅଛନ୍ତି । ମନ୍ଦ-ସମୀରଣ-ସଞ୍ଚାଳିତ ମହାନଦୀର ଜଳରାଶି ମଧ୍ୟ ଭୟ-ବିକମ୍ପିତ ଶରୀରରେ ନୌକା ସଂଘାତରୂ ଛପ ଛପ ଶବ୍ଦ କରି ଡକାଏତମାନଙ୍କଠାରୁ ଦୂରକୁ ପଳାୟନ କରୁଅଛି । ଡକାଏତମାନଙ୍କୁ କିଏ ଭୟ ନ କରେ ? ଚତୁଃପାର୍ଶ୍ୱବର୍ତ୍ତୀ ସମୁଦାୟ ଚରାଚର ଏହିରୂପରେ ପଳାଇଯିବାର ଶୋଭା ଦଳପତି ପଟ୍ଟନାୟକ ମହାଶୟ ନୌକା ଚାଳିତ ହେବାର କେତେକ୍ଷଣ ଉତ୍ତାରୁ ଆପଣାର ସଙ୍ଗିବର୍ଗଙ୍କୁ ଦେଖାଇଦେଲେ ଏବଂ କହିଲେ ‘ଦେଖ ସମୁଦାୟ ଚରାଚର ତୁମ୍ଭମାନଙ୍କୁ ଦେଖି ତ ପଳାଇ ଯାଉଅଛନ୍ତି–ତୁମ୍ଭେମାନେ ଡକାଏତୀ କରିବ କେଉଁଠାରେ ?

 

ଦଳ ମଧ୍ୟରେ ଜଣେ କହି ଉଠିଲେ ‘ତଳେ ଠିଆ ହେଲେ କି କେହି ପଳାଇ ପାରିବେ ?’ ବାହାବଳୀନ୍ଦ୍ରଙ୍କୁ ଏ କଥା ଭଲ ଲାଗିଲା ନାହିଁ । ସେ ଗମ୍ଭୀର ସ୍ୱରରେ ଉତ୍ତର କଲେ ‘ଡଙ୍ଗା ଆଗରୁ ବି କେହି ପଳାଇ ପାରିବେ ନାହିଁ । ଯାହାକୁ ନିଶାଣ ହୋଇ ନାହିଁ ତେମନ୍ତ ହଜାରେ ପଳାଇଲେ କି ଅଛି ?’

 

କଥାଟା ସତ୍ୟ । ଏମାନଙ୍କ ଆଗରୁ ଲକ୍ଷ୍ୟ ବ୍ୟକ୍ତିର ପଳାଇ ଯିବାର ଉପାୟ ନାହିଁ । ଆମ୍ଭେମାନେ କହୁଁ ନଦୀତୀରଗତ ଶୁଭ୍ରଜ୍ୟୋସ୍ନାବିଧୌତ ସୁନୀଳ-ବନରାଜି, ନିବିଡ଼-ବନଚ୍ଛାଦିତ ନଦୀମଧ୍ୟଗତ ପଠାମାନ, ସୁବର୍ଣ୍ଣରେଣୁ ସଦୃଶ ଦୀପ୍ତିମାନ୍‌ ନକ୍ଷତ୍ରପୁଞ୍ଜ, ପ୍ରକୃତିସତୀର ମସ୍ତକାଳଙ୍କାରଖଚିତ ସୁବୃହତ୍‌ ହୀରକଖଣ୍ଡରୂପ ଚନ୍ଦ୍ରମା ମହାନଦୀର ସୁବିମଳ ନୀଳଜଳରାଶି ସଙ୍ଗେ ପଳାୟନ କରିବାଦ୍ୱାରା କେବଳ ନୌକାର ଶୋଭା ଅଧିକତର ବୃଦ୍ଧି ପାଇଅଛି । ଡକାଏତମାନେ ଏମାନଙ୍କର ଶୋଭା ଅପହରଣ କରିବା ନିମିତ୍ତ ଆଦୌ ମନ ବଳାଇ ନାହାନ୍ତି ।

 

ବାଟରେ ଅନ୍ୟ କୌଣସି ନୌକା ଖଣ୍ଡିଏ ସୁଦ୍ଧା ଯାତାୟାତ କରୁ ନାହିଁ । ଆମ୍ଭେମାନେ ଯେ ସମୟର କଥା ଉଲ୍ଲେଖ କରୁଅଛୁଁ ସେ ସମୟରେ ରାତ୍ରରେ ଡଙ୍ଗା ବାହିବାର ଏକାନ୍ତ ନିଷିଦ୍ଧ ଥିଲା । ସୁବାଦାରଙ୍କ ଆଦେଶ ଏପରି ଯେ ଯେକେହି ରାତ୍ରକାଳରେ ନୌକାରେ ଯିବ ତାହାର ଧନସମ୍ପତ୍ତି ଡକାଏତଙ୍କଦ୍ୱାରା ନଷ୍ଟ ହେଲେ କୌଣସି ଗୁହାରି ଶୁଣାଯିବ ନାହିଁ । ଲୋକେ ମଧ୍ୟ ଡକାଏତଙ୍କ ଡରେ ପ୍ରାୟ ରାତ୍ରରେ ଜଳପଥରେ ଯିବାକୁ ସାହସ କରୁ ନ ଥିଲେ । ସୁତରାଂ ବାଟରେ ବାଧା କିଛି ନାହିଁ ଏବଂ ନିର୍ବିଘ୍ନରେ ନୌକା ଚଳି ଯାଉଅଛି ।

 

ଯେତେବେଳେ ରସକଳା ଆସି ଦ୍ୱାରେ ଅପାଙ୍କୁ ଡାକିଲେ ସେତେବେଳେ ନୌକା ଢେମୁହାଣି ଓ ତରିତୋକୁ କେତେଦୂରେ ପକାଇ ଆସିଲାଣି । ନିର୍ଦ୍ଦିଷ୍ଟ ସ୍ଥାନରେ ପହୁଞ୍ଚିବାକୁ ଆଉ ଅଳ୍ପ ସମୟ । ଏମନ୍ତ କାଳରେ ଦୂରରୁ ଖଣ୍ଡିଏ ନୌକା ଦେଖାଗଲା ।

 

ନୌକା ଦେଖି ଡକାଏତମାନଙ୍କ ମଧ୍ୟରେ ତୁମୂଳ ଆନ୍ଦୋଳନ ଲାଗିଗଲା । ଏକ ଶିକାରକୁ ଯାଉଁ ଯାଉଁ ଅନ୍ୟ ଶିକାର ବାଟରେ ମିଳିଯିବାର ପ୍ରକାଶ କରି କେହି କେହି ଆନନ୍ଦରେ ଲମ୍ପ ପ୍ରଦାନ କଲେ । ନୌକାଖଣ୍ଡି ଉପରକୁ ବାହି ଆସୁଥିବାର ଡକାଏତମାନେ ସ୍ଥିର କରି ତାହାକୁ ଆକ୍ରମଣ କରିବା ନିମିତ୍ତ କୃତସଙ୍କଳ୍ପ ହେଲେ । ଦଳପତି ପଟ୍ଟନାୟକ ମହାଶୟ ସମ୍ମତି ଦେଲାମାତ୍ରକେ ନୌକା ଆହୁରି ଦ୍ରୁତବେଗରେ ଗତିବିସ୍ତାର କଲା ।

 

ଏ ଡକାଏତମାନଙ୍କ କର-କବଳରୁ ପଳାୟନ କରିବା କାହାରିପକ୍ଷେ ସହଜ ନୁହଇ । ତଥାପି ପଳାଇବାର ଚେଷ୍ଟା କରିବା କର୍ତ୍ତବ୍ୟ । ମାତ୍ର ଆର ନୌକା ଖଣ୍ଡିକ ପଳାଉ ନାହିଁ । ତେବେ କି ସେ ନୌକାର ମାଝିମାନେ ଶୋଇ ଶୋଇ ଆହୁଲା ଭିଡ଼ୁ ଅଛନ୍ତି ? ତାହା ମଧ୍ୟ ଆଶ୍ଚର୍ଯ୍ୟ ନୁହେ । ବେଳେ ବେଳେ ମାଝିମାନଙ୍କର ଏହି ଗୁଣରୁ ନୌକା ଅନେକ ପ୍ରକାରେ ମାଡ଼ ଖାଇବାର ଦେଖାଯାଇଅଛି । କି ଆଶ୍ଚର୍ଯ୍ୟ ! ପରିଶ୍ରମ କଲାବେଳେ ନିଦ୍ରାଦେବୀର ଅଙ୍କଶାୟୀ ହୋଇ ରହିବା କେମନ୍ତ କଥା ଅଟଇ ! ତେବେ ଏମାନେ ସଜୀବ ମନୁଷ୍ୟ ନା କଳ ?

 

କଳ କହିଲେ କିଛି ଅସଙ୍ଗତ ହେବ ନାହିଁ । ନୌକା ବାହୁ ବାହୁ ମାଝିମାନେ ଯେପରି କରେ କରେ ଶୋଇ ନିଅନ୍ତି ସେହିପରି ସୁଆରି ବୋହୂ ବୋହୂ ବେହେରାମାନେ ମଧ୍ୟ କରେ ଶୋଇ ଯାନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବ ହୁଅ, ମାତ୍ର ଅନେକ ସମୟରେ ଏହା ଦେଖା ଯାଇଅଛି । ବୈଜ୍ଞାନିକମାନେ ଏହାକୁ କେଉଁ ବିଜ୍ଞାନମଧ୍ୟରେ ଭୁକ୍ତ କରିବେ ଏତିକି କେବଳ ଆମ୍ଭମାନଙ୍କୁ ଆଡ଼ୁଆ ଲାଗୁଅଛି । ଅପର ନୌକା ପଳାଇବାର ଚେଷ୍ଟା କରୁ ନ ଥିବା ଦେଖି ଡକାଏତମାନେ ଧିକତସନ୍ତୁଷ୍ଟ ହେଲେ ଏବଂ ତଦନୁଯାୟୀ ସାହସୀମଧ୍ୟ ବଢ଼ିଲା, ମାଝିମାନେ ଅଧିକତର ଉତ୍ସାହାନ୍ୱିତ ହୋଇ ନୌକା ବାହିଲେ । କ୍ରମେ ଡକାଏତମାନଙ୍କ ନୌକା ନିକଟ ହୋଇ ଆସୁଅଛି, ତଥାପି ଅପର ନୌକାର ମାଝିଙ୍କର ନିଦ୍ରା ଭାଙ୍ଗୁନାହିଁ । ପ୍ରଥମେ ଯାହା କ୍ଷୂଦ୍ର ବିନ୍ଦୁ ପ୍ରାୟ ଦେଖା ଯାଉଥିଲା କ୍ରମେ ତାହାପୂର୍ଣ୍ଣ ନୌକାରୂପରେ ଦେଖାଗଲା । କ୍ରମେ କ୍ରମେ ଡାକ ମାଇଲେ ଶୁଣା ଯିବାଭଳି ବାଟ ମଧ୍ୟରେ ବ୍ୟବଧାନ ରହିଲା । ତଥାପି ଅପର ନୌକାର କାହାରି ନିଦ୍ରା ଭାଙ୍ଗିଲା ନାହିଁ । ଏଥିକି ଉପାୟ କି ଅଛି ? ନିଦ୍ରା ଯେବେ ନ ଭାଙ୍ଗିବ ତେବେ କିଏ କି କରିବ ? ଡକାଏତମାନେ ଅପାର ଆନନ୍ଦ ଓ ଉତ୍ସାହରେ ମତ୍ତ ହେଲେ । କେହି ଦନ୍ତ କିଡ଼ିମିଡ଼ି କଲେ, କେହି ବାହୁରେ ତାଳଠୁଙ୍କି ବାହୁ ସଞ୍ଚାଳନରେ ଶରୀରର ବଳକୁ ଠୁଳ କଲେ, କେହି ଅବା ଅପରକୁ ଧରି ବାହୁରେ ବାହୁପିଟି ଅଥବା ପଞ୍ଝା ଲଢ଼ାଇ କରି ଅବା ଝିଙ୍କାଝିଙ୍କି ହୋଇ ପରସ୍ପରର ବଳ କଳି ନେଲେ । ମାତ୍ର ରଘୁନାଥଙ୍କୁ ଅପର ନୌକାର ଏପରିଭାବ ଦେଖି କେମନ୍ତ ଟିକିଏ ଅଡ଼ୁଆ ଜଣାଗଲା । ସେ ବାହାବଳୀନ୍ଦ୍ରଙ୍କୁ କହିଲେ ‘ବାହାବଳୀନ୍ଦ୍ରେ ! ସେ ନୌକାର ଲୋକେ କି ଶୋଇ ପଡ଼ିଅଛନ୍ତି’ ?

 

ବାହାବଳୀନ୍ଦ୍ର ବଳିୟାରସିଂହଙ୍କ ସହିତରେ ଶେଷୋକ୍ତ କାର୍ଯ୍ୟରେ ରତ ଥିଲେ । କହିଲେ ‘ନାଉରି ବି ଶୋଇଛନ୍ତି ।’

 

ରଘୁନାଥ କହିଲେ ‘‘ଆଚ୍ଛା ଥରେ ସମସ୍ତେ ‘ମହାବୀର କି ଜୟ’ ଘୋଷଣା କର’’ ।

 

ନୌକାରୁ ତୁମୂଳ ଧ୍ୱନିରେ ମହାବୀରକି ଜୟ’ ଶବ୍ଦ ଉଥିତ ହେଲା । ନଦୀଜଳ, ଆକାଶ, ତୀରବର୍ତ୍ତୀ ବନରାଜି ପ୍ରଭୃତି ସେ ଧ୍ୱନିରେ ପ୍ରକମ୍ପିତ ହୋଇଗଲା ଏବଂ ତହିଁରୁ ଘୋର ପ୍ରତିଧ୍ୱନି ଜାତ ହୋଇ ଆକାଶ ଆଲୋଡ଼ିତ କଲା । ସେ ଗମ୍ଭୀର ପ୍ରତ୍ୱଧ୍ୱନିର ସ୍ୱର ନିଃଶେଷ ନୋହୁଣୁ ଅପର ନୌକାରୁ ‘ମହାବୀରକି ଜୟ’ ଶବ୍ଦ ଉଥିତ ହେଲା ।

 

ଆଉ ସନ୍ଦେହ ନାହିଁ । ସେ ନୌକା ଡକାଏତଙ୍କ ପକ୍ଷୀୟ ଲୋକଙ୍କର ଅଟେ, ଅପର କାହାରି ନୁହେ । ଡକାଏତଙ୍କ କର୍ଣ୍ଣକୁହରରେ ଅପର ନୌକାରୁ ଉଥିତ ହୋଇଥିବା ଜୟ ଘୋଷଣାର ଗଭୀର ଶବ୍ଦ ପ୍ରବେଶ କଲା ମାତ୍ରକେ ସେମାନଙ୍କର ସେ ଉତ୍ସାହ ଊଣା ହୋଇଗଲା ଏବଂ ଭଗ୍ନମନୋରଥ ହେବା ସଙ୍ଗେ ସଙ୍ଗେ ଯାହା ଏତେବେଳକୁ ସମସ୍ତେ ଉଠି ପଡ଼ିଥିଲେ ପୁଣି ନିରସ୍ତ ହୋଇ ନୌକାରେ ବସିଗଲେ । କ୍ରୋଧୋଦ୍‌ବେଳିତ ବୀର୍ଯ୍ୟଶାଳୀ ଫଣୀ ଫଣା ଟେକି ଯାହା ଦଂଶନ କରିବାକୁ ଉଦ୍ୟତ ଥିଲା ମନ୍ତ୍ରମୁଗ୍ଧ ହୋଇ ନିସ୍ତେଜଭାବରେ କୁଣ୍ଡଳାକାରରେ ପଡ଼ିଗଲା । ମାଝିମାନେ ମଧ୍ୟ ନୌକାର ଗତି ଧୀରା କଲେ । କ୍ରମେ ଉଭୟ ନୌକା ନିକଟବର୍ତ୍ତୀ ହୋଇଗଲା । ଅପର ନୌକାରେ ଠିଆ ହୋଇଥିବା ଜଣେ ଲୋକକୁ ଲକ୍ଷ୍ୟକରି ରଘୁନାଥ ଏ ନୌକାରୁ କହିଲେ ‘କିଏ, ସର୍ଦ୍ଦାରସିଂହେ ! ସବୁ ଠିକ୍‌ତ ?’ ସର୍ଦ୍ଦାର ସିଂହ କହିଲେ ‘‘ଏତେବେଳଯାଏ ଠିକ୍‌ ନ ହୋଇ କି ବାକୀଅଛି !’’ ଏହିକଥା ହେଉଁ ହେଉଁ ଉଭୟ ନୌକା ଲଗାଲଗି ହୋଇ ଗଲା । ରଘୁନାଥ ଆପଣା ନୌକାରେ ଥାଇଁ ସର୍ଦ୍ଦାର ସିଂହଙ୍କ ହାତ ଧରି କହିଲେ ‘ଆମ୍ଭଙ୍କୁତ ଆଉ କୌଣସି କଥାର ଅପେକ୍ଷା କରିବାକୁ ହେବ ନାହିଁ ?’ ସର୍ଦ୍ଦାର ସିଂହ ଉତ୍ତର କଲେ ରଘୁବାବୁ ଆପଣା ଯେ ଆଦେଶ ଦେବେ ତାହା କି କେବେ ବ୍ୟର୍ଥ ହେବ ? ଆପଣଙ୍କର ଆଦେଶ ଅନୁଯାୟୀ ଆମ୍ଭେ ସମୁଦାୟ ପ୍ରସ୍ତୁତ ରଖିଛୁଁ-। ରାତ୍ର ପ୍ରହରକ ସମୟକୁ ସବୁ ଠିକ୍‌ଠାକ୍‌ ହୋଇଗଲା । କାଳେ କିଛି ଊଣା ଅଧିକ ରହିଥିବ ଏଯୋଗୁଁ ଆମ୍ଭେ ନିଜେ ନୌକାଯୋଗେ ଯାଇଁ ଦେଖି ଆସିଲୁଁ ! ଏତେବେଳକୁ ସମସ୍ତେ ଆପଣଙ୍କୁ ଅପେକ୍ଷା କରି ରହିଥିବେ ।

 

ରଘୁନାଥ ଏ କଥାରେ ଅତ୍ୟନ୍ତ ଆନନ୍ଦିତ ହୋଇ କହିଲେ ‘ତେବେ ତ ଛଞ୍ଚାଣସିଂହ ଯାହା କହୁଥିଲେ ତାହା ଘଟି ଯିବ ପରା ?’ ସର୍ଦ୍ଦାର ସିଂହ ପଚାରିଲେ ‘କି କହୁଥିଲେ ?’ ରଘୁନାଥ ଉତ୍ତର କଲେ ‘ଆମ୍ଭେ ବାହାବଳୀନ୍ଦ୍ରଙ୍କଠାରୁ ଶୁଣିଲୁଁ ଛଞ୍ଚାଣସିଂହେ ତାଙ୍କୁ କହୁଥିଲେ ‘ଯେବେ ସେଠାରେ ପହୁଞ୍ଚିଲା ବେଳକୁ ‘ଆମ୍ଭର ବିଳମ୍ୱ ନୋହିଥିବ ତେବେ ସେ ମୁଛ କାଟି ପକାଇବେ ।’

 

ସର୍ଦ୍ଦାରସିଂହ ଏ କଥା ଶୁଣି ଅଟ୍ଟହାସ୍ୟରେ ଚତୁର୍ଦ୍ଦିଗ କମ୍ପାଇ ଦେଲେ । କହିଲେ ‘ଏଥିରେ ନିଶ୍ଚୟ ଛଞ୍ଚାଣସିଂହଙ୍କର ଜିତ୍‌ । ଆମ୍ଭ ଯାହା ଦେଖି ଆସିଛୁଁ ଆପଣଙ୍କୁ ନିଶ୍ଚୟ ବିଳମ୍ୱ ହୋଇଥିବା କହିବାକୁ ହେବ ।’ ରଘୁନାଥ ଏକଥା ଶୁଣି ଆନ୍ତରିକ ଆନନ୍ଦ ପ୍ରକାଶ କରି ‘ମହାବୀର କି ଜୟ’ ଘୋଷଣା କରିବା କାରଣ ଆଦେଶ କଲେ । ଏ ଆଦେଶ ବାହାରିବା ମାତ୍ରକେ ଉଭୟ ନୌକାରୁ ‘ମହାବୀର କି ଜୟ’ ଶବ୍ଦ ଉଥିତ ହୋଇ ଚତୁର୍ଦ୍ଦିକ ଆନ୍ଦୋଳିତ କରି ଗଗନମାର୍ଗ ଭେଦି ଚାଲି ଗଲା ଏବଂ ପ୍ରତିଧ୍ୱନି ସହସ୍ରରୂପରେ ଉଥିତ ହୋଇ ଶତ୍ରୁଦର୍ପ ଚୁର୍ଣ୍ଣୀଭୂତ ହେବାର ଜଣାଇ ଦେଲା ।

 

ଅବଶେଷରେ ରଘୁନାଥ ସର୍ଦ୍ଦାରସିଂହଙ୍କୁ କହିଲେ ‘ଆପଣଙ୍କୁ ଅନ୍ୟ ଯେଉଁ କାର୍ଯ୍ୟର ଭାର ଦିଆଯାଇଛି ତହିଁର କି କଲେ ?

 

ସର୍ଦ୍ଦାର ସିଂହ କହିଲେ ‘ତହିଁର ଉତ୍ତମ ବନ୍ଦୋବସ୍ତ ହୋଇଛି । ଆପଣଙ୍କର ନାଟସ୍ଥାନରେ ନାଟ ଖଡ଼ା ହେଲା ବେଳକୁ ସେଠାରେ ମଧ୍ୟ ନାଟ ଖଡ଼ା ହୋଇଯିବ । ଆପଣ ସନ୍ଦେହ ନ କରନ୍ତୁ । ପଛେ ଜାଣିବେ ଆମ୍ଭେ କିପରି ବନ୍ଦୋବସ୍ତ କରିଛୁଁ ।’

 

ରଘୁନାଥ ସର୍ଦ୍ଦାରସିଂହଙ୍କ ହାତ ହଲାଇ ଦେଇ କହିଲେ ‘ଭଲ ଭଲ ଆପଣଙ୍କ ପ୍ରାୟ ଚତୁର ଲୋକ ସାହାଯ୍ୟ କରୁଥିବା କାଳରେ ରଘୁନାଥ ଶମନକୁ ମଧ୍ୟ ଡରେ ନାହିଁ ।’

 

ଏଥିଉତ୍ତାରୁ ରଘୁନାଥଙ୍କ ଆଦେଶକ୍ରମେ ପୁନର୍ବାର ଉଭୟ ନୌକାରୁ ପୂର୍ବପ୍ରାୟ ଜୟଧ୍ୱନି ଉଥିତ ହେଲା ଏବଂ ତହିଁ ସଙ୍ଗେ ସଙ୍ଗେ ଉଭୟ ନୌକା ଛଡ଼ାଛଡ଼ି ହୋଇ ପରସ୍ପର ଲକ୍ଷ୍ୟ ଦିଗକୁ ଗତିବିସ୍ତାର କରି ବିପରୀତ ଧାବିତ ହେଲା ।

Image

 

ଦଶମ ପରିଚ୍ଛେଦ

ବୁଢ଼ାଲିଙ୍ଗ

 

ନବଗ୍ରାମର ପୂର୍ବକୁ କିଞ୍ଚିତ୍‌ ଦୂରରେ ମହାନଦୀର ଦକ୍ଷିଣତୀରସ୍ଥ ବାଲୁକାମୟ ଭୂମିଖଣ୍ଡରେ ବୁଢ଼ାଲିଙ୍ଗ ମହାଦେବ ବିରାଜିତ ହୋଇଅଛନ୍ତି । ଭସ୍ମବିଭୂଷିତ ଶ୍ମଶାନ-ବିହାରୀ ଦିଗମ୍ୱର ମହାଦେବ ସ୍ୱଭାବତଃ ଆଡ଼ମ୍ୱର ଶୂନ୍ୟ । ସ୍ଥାନବିଚାର ତାଙ୍କଠାରେ ନାହିଁ । ଚରାଚର ତାଙ୍କଠାରେ ସମଭାବସମ୍ପନ୍ନ ! ନିବିଡ଼-ବନ-ସଙ୍କୁଳ-ପର୍ବତ-ଶିଖରସ୍ଥ କଳ-ନାଦିନୀ-ନିର୍ଝରିଣୀ-ସମାବୃତ ଭୂମିଖଣ୍ଡ ତାଙ୍କୁ ଯେପରି, ସୁଦୂରବିସ୍ତୃତ ବୃକ୍ଷଶୂନ୍ୟ ବାଲୁକାମୟ ଭୂମିଖଣ୍ଡ ମଧ୍ୟ ସେହିପରି-। ଅତି ଦୁର୍ଗମ ବନ୍ୟଜନ୍ତୁ ସମାକୁଳ କାନ୍ତାର ପ୍ରତି ତାଙ୍କର ଯେପରି ଦୃଷ୍ଟି ଦିଗନ୍ତବ୍ୟାପୀ ଛାୟା-ଜଳ-ହୀନ ଦୁସ୍ତର ପ୍ରାନ୍ତରପ୍ରତି ମଧ୍ୟ ସେହିପରି ଦୃଷ୍ଟି । ସୁନ୍ଦର ଲୋକାଳୟ-ପୂର୍ଣ୍ଣ ବିସ୍ତୀର୍ଣ୍ଣ ଗ୍ରାମ ମଧ୍ୟଗତ ସୁବିଶାଳମନ୍ଦିର ପ୍ରତି ତାଙ୍କର ଯେପରି ସ୍ନେହ, ନରଶିରଃ-ଶୋଭି ଅସ୍ଥିମୟ ଭୟଙ୍କର ଶ୍ମଶାନଠାରେ ସୁଦ୍ଧା ସେପରି ସ୍ନେହ । ଫଳତଃ ସମଦର୍ଶୀ ଉଦାରଚେତା ମହାନୁଭବ ମହାଦେବଙ୍କର ବିରାଜିତ ହେବାର ସ୍ଥାନବିଚାର ଆଦୌ ନାହିଁ ଯେଉଁମାନେ କପିଳାସ କନ୍ଦର, ମହାବିନାୟକ, ଲୋକନାଥ, ପରମହଂସ, ଭୁବନେଶ୍ୱର, ଅଥବା ବୁଢ଼ାଲିଙ୍ଗ ମହାଦେବଙ୍କର ଦର୍ଶନ କରି ଅଛନ୍ତି, ସେମାନଙ୍କର ଏବିଷୟରେ ଆଉ ସନ୍ଦେହ ନାହିଁ । ପାଠକେ ! ମନୁଷ୍ୟ ହୋଇ ଏ ସମଦର୍ଶି-ଭାବ କେହି କି ଲାଭ କରି ପାରେ ? ତାହା ହୋଇଥିଲେ ଆଜି ପାପମୟ ପୃଥିବୀ ପୂଣ୍ୟକ୍ଷେତ୍ର ବୈକୁଣ୍ଠ ଧାମରେ ପରିଣତ ହୋଇଥାନ୍ତା ।

 

ଆମ୍ଭେମାନେ କହିଅଛୁଁ ମହାଦେବ ବୁଢ଼ାଲିଙ୍ଗ ନଦୀତୀରସ୍ଥ ବାଲୁକାମୟ ଭୂମିଖଣ୍ଡରେ ବିରାଜିତ ହୋଇଅଛନ୍ତି । ଏମନ୍ତ କି ନଦୀ ବଢ଼ିଲେ ମହାଦେବ ବଢ଼ିପାଣିରେ ପ୍ରତିବର୍ଷ ଅବଗାହନ କରନ୍ତି । ସମ୍ୱଳ ମଧ୍ୟରେ ଗୋଟିଏ ଧଳାଙ୍କୁ ବୃକ୍ଷ । ବୃକ୍ଷଟି କିମ୍ୱଦନ୍ତୀରେ ମହାଦେବ ବିରାଜିତ ହେବା ସମୟରୁ ଏକଭାବରେ ମହାଦେବଙ୍କ ନିକଟରେ ଦଣ୍ଡାୟମାନ ହୋଇ କିଞ୍ଚିତ୍‌ ଛାୟା ପ୍ରଦାନ କରି ଆସୁଅଛି । ସେ ବୃକ୍ଷର କ୍ଷତିବୃଦ୍ଧି କିଛି ନାହିଁ । ବହୁକାଳ ପୂର୍ବେ ଯେପରି ଭାବରେ ଥିଲା ବର୍ତ୍ତମାନ ମଧ୍ୟ ସେହିପରି ଭାବରେ ରହିଅଛି । ଅତି ଅଳ୍ପ ଛଡ଼ାରେ ଗୋଟିଏ ପାଟଳୀ ବୃକ୍ଷ ଆହୁରି ନଦୀ ମଧ୍ୟକୁ ଥାଇ ନିଜ ପୁଷ୍ପୋପହାରରେ ଦେବ-ଦେବ ମହାଦେବଙ୍କ ସେବାରେ ନିଯୁକ୍ତ ଅଛି । କିମ୍ୱଦନ୍ତୀ ଏହାକୁ ମଧ୍ୟ ମହାଦେବଙ୍କ ସମକାଳୀନ ବୋଲି ମର୍ଯ୍ୟାଦା ପ୍ରଦାନ କରିଅଛି ଏବଂ ଧଳାଙ୍କୁ ବୃକ୍ଷ ପ୍ରାୟ ଏହାର କୌଣସି କାଳେ କିଛି କ୍ଷତିବୃଦ୍ଧି ଦେଖାଯାଇ ନାହିଁ । ଦୁହେଁ ମହାଦେବଙ୍କ ସେବାରେ ନିଯୁକ୍ତ । ଯେତେବେଳେ ଗୋଟିଏ ଧବଳପୁଷ୍ପବିଭୂଷିତ ହୋଇ ମହାଦେବଙ୍କ ପାର୍ଶ୍ୱରେ ବିରାଜିତ ଥିବା ସମୟରେ ଅପରଟି ମନୋରମ ରକ୍ତବର୍ଣ୍ଣ-ପୁଷ୍ପ-ଭାରରେ ମହାଦେବଙ୍କ ସମୀପରେ ଅବନତ ହୋଇଯାଏ, ସେତେବେଳେ ତହିଁର ଶୋଭା ବର୍ଣ୍ଣନାତୀତ ହୋଇପଡ଼େ । ନକ୍ଷତ୍ରମୟ ଆକାଶ ଚରାଚରର ଛତ୍ରରୂପେ ବିରାଜିତ ଅଛି । ଧବଳ ପୁଷ୍ପମୟ ଧଳାଙ୍କୁ ଚରାଚରବ୍ୟାପୀ ଦେବଦେବ ମହାଦେବଙ୍କର ନକ୍ଷତ୍ରମୟ ଛତ୍ର ରୂପରେ ବିରାଜିତ ହୋଇ ତହିଁରେ ନିଦର୍ଶନ ଦେଖାଇଦିଏ । ଭକ୍ତ ସେ ଭାବରେ ଗଦ୍‌ଗଦ୍‍ ହୋଇ ତନ୍ମୟ ମୁକ୍ତିଲାଭାଶାରେ ନିଜର ରକ୍ତୋତ୍ସର୍ଗଦ୍ୱାରା ଅପୂର୍ବ ଭକ୍ତିର ଚରମ ଉଦାହରଣ ଦେଖାଇଲାପ୍ରାୟ ପାଟଳୀବୃକ୍ଷ ରକ୍ତାକ୍ତ ପୁଷ୍ପଭାରରେ ଅବନତ ହୋଇ ଅଭୁତପୂର୍ବ ଶ୍ରୀ ଧାରଣ କରେ । ସେହି ପୁଷ୍ପର ପାଖୁଡ଼ାମାନ ଝରଝର ହୋଇ ଝଡ଼ି ପଡ଼ିବା ସମୟରେ ଭକ୍ତର ଗଳଦେଶରୁ ରକ୍ତଧାରା ସ୍ରୁତ ହେଲାପ୍ରାୟ ଯେଉଁ ଶୋଭା ହୁଅଇ, ପାଠକେ ! ତହିଁରେ ନିତାନ୍ତ ପାଷାଣମନା ଲୋକସୁଦ୍ଧା ବିମୋହିତ ହୋଇଯିବ । ତୁମ୍ଭର ଉଦ୍ୟାନସ୍ଥ ପାଟଳୀ ବୃକ୍ଷ ଏ ଶୋଭା କାହୁଁପାଇବ ? ତୁମ୍ଭର ତୋଟାପଗାରସ୍ଥ ଧଳାଙ୍କୁ ବୃକ୍ଷ ଏ ଶୋଭା କାହୁଁ ଜନ୍ମାଇବ ? ଅନ୍ତକାଳର ସ୍ରୋତୋମୟୀ ଗତିର ଜ୍ୱଳନ୍ତ ଉଦାହରଣ–ସ୍ଥଳୀୟା ମହାନଦୀର ତୀରରେ ଚରାଚରବ୍ୟାପୀ ସଂହାର ମୁର୍ତ୍ତି ଦେବଦେବ ସ୍ୱୟଂ ସ୍ୱୟମ୍ଭୁ ଶିବ କାଳ-ନଦୀକୁଳରେ ବିରାଜିତ ଥିଲାପରି ଉପଲକ୍ଷିତ ହୋଇ ନିଜର ଶୋଣିତ ପର୍ଯ୍ୟନ୍ତ ଉତ୍ସର୍ଗନ କଲେ ମୁକ୍ତିଲାଭର ଆଶାନାହିଁ ବୋଲି ଲୋକଙ୍କୁ ଶିକ୍ଷା ଦେଉଅଛନ୍ତି । ଆହା ! ଏହି ଅପୂର୍ବ ଭାବ ଭାବୁକ ହୃଦୟରେ ଜାଗ୍ରତ କରିବା ଉଦ୍ଦେଶ୍ୟରେ କି ଦେବଦେବ ଲୋକୋପେକ୍ଷିତ ବାଲୁକାମୟ ଭୂମିଖଣ୍ଡର ମର୍ଯ୍ୟାଦା ବଢ଼ାଇ ସେଠାରେ ବିରାଜିତ ହୋଇଅଛନ୍ତି ? ଏହିଭାବରେ ବିହ୍ୱଳ ହୋଇ ଗନ୍ଧବହ କି ଉଭୟ ବୃକ୍ଷର ଅପୂର୍ବ-ଭାବମୟ-ପୁଷ୍ପ ସୁଗନ୍ଧ ସହିତରେ ଚତୁର୍ଦ୍ଦିକ ଉନ୍ନତ୍ତ କରାଇ ବିଚରଣ କରୁଅଛି-?

 

ବୁଢ଼ାଲିଙ୍ଗ ମହେଦେବଙ୍କୁ ସେଠାରେ କେହି ସ୍ଥାପନ କରିନାହିଁ । ସ୍ୱୟମ୍ଭୁ ମହାଦେବ ପାତାଳଫୁଟ ହୋଇ ସ୍ୱୟଂ ସେଠାରେ ପ୍ରକାଶମାନ ହୋଇଥିବା କିମ୍ୱଦନ୍ତୀ ଅଛି । ଶକ୍ତି ପ୍ରକାଣ୍ଡ, ମାତ୍ର କିଞ୍ଚିତ୍‌ ଢଳିପଡ଼ିଥିବା ଏବଂ ଉପରୁ କିଞ୍ଚିତ୍‌ ଫାଟି ଯାଇଥିବା ଦେଖାଯାଏ । ଏମନ୍ତ ଜନଶ୍ରୁତି ଅଛି ଯେ ପୂର୍ବେ କୁଜଙ୍ଗର ଭୁୟାଁମାନେ ଡକାଇତୀ କରିବା କାରଣ ନବଗ୍ରାମ ଆଡ଼କୁ ଅନେକ ସମୟରେ ଆସି ନାନା ଧନଦ୍ରବ୍ୟ ଚୋରାଇ ଘେନି ଯାଉଥିଲେ । ସେମାନଙ୍କର ବୁଢ଼ାଲିଙ୍ଗ ମହାଦେବଙ୍କଠାରେ ପ୍ରଭୂତ ଭକ୍ତି ଥିଲା ଏବଂ ଡକାଇତୀ କରିବାକୁ ଆସିଲେ ମହାଦେବଙ୍କୁ ଆଗେ ପୂଜା କରୁଥିଲେ । ସେହି ହେତୁରୁ ଡକାଇତିରେ ସେମାନଙ୍କର ଯେପରି ଉତ୍ତମ ଉପାର୍ଜନ ହେଉଥିଲା ସେହିପରି ହାକିମହୁକୁମା ମଧ୍ୟ କେହି ତାଙ୍କୁ ଧରିପାରୁ ନ ଥିଲେ । କାଳକ୍ରମେ ଭକ୍ତିଭାବ ଅଧିକ ହେବାରୁ ପ୍ରକୃତିବଶରୁ ଭୁୟାଁମାନେ ମହାଦେବଙ୍କୁ ଆପଣାରାଜ୍ୟକୁ ଘେନିଯିବାର ପରାମର୍ଶ ସ୍ଥିରକରି ଦିନେ ଅନ୍ଧକାରମୟ ରାତ୍ରରେ ମହାଦେବଙ୍କୁ ଖୋଳିବାକୁ ଆରମ୍ଭ କଲେ । ଶକ୍ତି ପାତାଳଫୁଟ । ଯେତେ ଖୋଳନ୍ତି ତଳି ମିଳଇ ନାହିଁ । ଏମନ୍ତ ସମୟରେ ମହାଦେବ ନିଜଶକ୍ତି ପ୍ରକାଶ କଲେ । ଅଳ୍ପ ଦୂରରେ ଗୋଟିଏ ଧୋବା ବାସ କରୁଥିଲା । ସେ ଧୋବାର ବଂଶଧରମାନେ ଅଦ୍ୟାପି ସେ ସ୍ଥାନରେ ବାସକରି ରହିଅଛନ୍ତି । ଧୋବାର ମହାଦେବଙ୍କଠାରେ ଅତୀବ ଭକ୍ତି ଥିଲା । ମହାଦେବ ଭୂୟାଁଙ୍କର ଏ ବୁଦ୍ଧି ଦେଖି ତାଙ୍କୁ ତଡ଼ିଦେବା ନିମିତ୍ତ ନିଜର ଅବସ୍ଥା ଜଣାଇ ଧୋବାକୁ କୁରାଢ଼ି ଓ ମଶାଲ ଘେନି ଆସିବା କାରଣ ସ୍ୱପ୍ନାଦେଶ କଲେ । ଧୋବା ତତ୍‌କ୍ଷଣାତ୍‌ ଏକ ହସ୍ତେ ମଶାଲ ଅପର ହସ୍ତେ କୁରାଢ଼ି ଘେନି ଶକ୍ତି-ରକ୍ଷାର୍ଥ ଧାବମାନ ହେଲା । ଭୂୟାଁମାନେ ଈଶ୍ୱରମାୟାରେ ଜଡ଼ିତ ହୋଇ ଗୋଟିଏ ଧୋବାକୁ ଶତାଧିକ ଲୋକ ଏକ ହସ୍ତେ ମଶାଲ ଓ ଅପରହସ୍ତେ କୁରାଢ଼ି ଘେନି ଦଉଡ଼ି ଆସିବାକୁ ଦେଖିଲେ । ଏପରି ଅବସ୍ଥାରେ ପ୍ରାଣ ଘେନି ପଳାଇବା ସମୟରେ ଭୂୟାଁମାନେ ମହାଦେବଙ୍କ ଶକ୍ତି ଉପରେ ଲୌହମୁଦ୍ଗରରେ ଏକ ପ୍ରହାର କରିଗଲେ । ସେହି ପ୍ରହାରରେ ଶକ୍ତି କିଞ୍ଚିତ ଢଳି ପଡ଼ି ଫାଟ ଯାଇଅଛି । ଯାହାହେଉ ଏଥିରୁ ଆଉ ଏକ ଫଳ ଏହି ହୋଇଅଛି ଯେ, ସେହିଦିନରୁ ଭୂୟାଁମାନେ ନବଗ୍ରାମ ଅଞ୍ଚଳକୁ ଡକାଇତି କରିବାକୁ ଆସନ୍ତି ନାହିଁ ।

 

ପାଟଳୀବୃକ୍ଷର ତଳକୁ ମହାନଦୀର ଧାର । ସେଠାରେ ପାଣି ଏତେ ଜମା ଅଛି ଯେ କାତ ପାଇବ ନାହିଁ । ମୃଦୁମଧୁରତାନରେ ନୀଳଜଳରାଶି କଳକଳ ଧ୍ୱନିରେ ପ୍ରବାହିତ ହୋଇ ମହାଦେବଙ୍କ ସକାଶେ ବେଦାଧ୍ୟୟନ କଲାପ୍ରାୟ ଜଣା ଯାଉଅଛି । ସ୍ୱଭାବର ଶୋଭା ଏରୂପରେ ଏସ୍ଥାନରେ ଅତୀବ ମନୋହରିଣୀ ହୋଇଅଛି ଏବଂ ପଥିକ ଯେବେ ସେ ବାଟରେ ଯିବାବେଳେ ଏଥିରେ ବିହ୍ୱଳ ହୋଇ ମହାଦେବଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ସେଠାରେ ଦଣ୍ଡେ ବସି ଯାଇ ଶୋଭାଶାନ୍ତିମୟୀ ଅମିୟା ପାନ କରେ ତାହା କେବଳ ସ୍ୱଭାବିକ । ତହିଁରେ ଆଶ୍ଚର୍ଯ୍ୟ ହେବାର କଥା କିଛି ନାହିଁ; ମାତ୍ର ବର୍ତ୍ତମାନ ଆମ୍ଭମାନଙ୍କର ପୂର୍ବକଥିତ ଆନିକଟ ଏ ଶୋଭା ଅପହରଣ କରିଅଛି । ଏବେ ନୀଳଜଳରାଶି ବଦଳରେ ଧବଳବାଲୁକାରାଶି ଧୁ ଧୁ ହୋଇ ରହିଅଛି । ଡକାଇତମାନଙ୍କ ଡରେ ମଧ୍ୟ ନିକଟବର୍ତ୍ତୀ ଜଙ୍ଗଲରୁ ବ୍ୟାଘ୍ର ଆସିବା ଭୟରେ କେହି ଲୋକ ରାତ୍ରରେ ବୁଢ଼ାଲିଙ୍ଗଙ୍କ ସମୀପରେ ନ ଥାନ୍ତି–ରହିବାର ସ୍ଥାନ ମଧ୍ୟ ନାହିଁ । ସେବକ ଦିନକୁ ପୂଜା ସାରି ଚାଲିଯାଏ । ସୁତରାଂ ରାତ୍ରକୁ ସେ ସ୍ଥାନ ନିତାନ୍ତ ନିର୍ଜନ ହୋଇପଡ଼େ । ଆମ୍ଭେମାନେ ଯେଉଁ ପୌଷପୂର୍ଣ୍ଣମାର କଥା କହି ଆସୁଅଛୁଁ, ସେହି ରାତ୍ରରେ ପାଟଳୀବୃକ୍ଷ ମୂଳରେ ଗୋଟିଏ ଲୋକ ଏକାକୀ ଉପବିଷ୍ଟ ଅଛି ।

 

ରାତ୍ର ପ୍ରାୟ ଦୁଇ ପ୍ରହର । ସର୍ଦ୍ଦାରସିଂହଙ୍କ ନୌକା ଏହି ବୃକ୍ଷରେ ବନ୍ଧାଥିଲା–ଅଳ୍ପକ୍ଷଣ ହେଲା ଫିଟା ହୋଇ ଯାଇଅଛି । ଲୋକଟି ତୁରନ୍ତ ଶୀତ ମାନିବାକୁ ନାହିଁ । ଦେହରେ ଖଣ୍ଡିଏ ମୋଟ ଲୁଗା ଅଯତ୍ନଭାବରେ ରକ୍ଷିତ ହୋଇଅଛି । ସମସ୍ତ ଚରାଚର ସହିତ ମହାଦେବ ଅମୃତମୟୀ ଜ୍ୟୋସ୍ନାରେ ଅବଗାହନ କରୁଥିବାର ଶୋଭା ଏ ଲୋକ ଦେଖିବାକୁ ବସି ନାହିଁ । ସମ୍ମୁଖସ୍ଥ ମହାନଦୀର ଅତଳପ୍ସର୍ଶିଜଳରାଶି ମୃଦୁପବନ-ସଞ୍ଚାଳିତ-ତରଙ୍ଗଭଙ୍ଗରେ ଚନ୍ଦ୍ରଜୋସ୍ନା ସହିତ ଖେଳା କରୁଥିବା ରଙ୍ଗ ଦେଖିବାକୁ ଏ ଲୋକ ବସି ନାହିଁ । ମହାନଦୀର ଅପର ପାର୍ଶ୍ୱସ୍ଥ ବାଲୁକାସ୍ତପର ଜୋସ୍ନାକ୍ତଶିଶିରରାଶି ଧୂମରୂପରେ ଉଥିତ ହୋଇ ଚନ୍ଦ୍ର-ଜ୍ୟୋସ୍ନାରେ ମିଳିତ ହେବାଦ୍ୱାରା ଅପୂର୍ବଶୋଭା ସମ୍ପାଦନ କରୁଥିବା ବିଷୟ ଦେଖି ଲୋକଟି ବିମୋହିତ ହେଉ ନାହିଁ । ଭାବଗତିରୁ ବୋଧ ହେଉଅଛି କୌଣସି ଦୁଷ୍ଟାଭିସନ୍ଧିର ଚରସ୍ୱରୂପ ହୋଇ କାହାକୁ ଅପେକ୍ଷା କରି ବସିଅଛି । ଲୋକଟି ଘୋର କୃଷ୍ଣବର୍ଣ୍ଣ; ଶରୀରପ୍ରକାଣ୍ଡ ଏବଂ ଅତ୍ୟନ୍ତ ବଳିଷ୍ଠ ଏମନ୍ତ କି ପାଇଲେ ବାଘକୁ ମଧ୍ୟ ସହଜରେ ହଟାଇ ଦେଇପାରେ, ଶସ୍ତ୍ର ଲୌହଦଣ୍ଡ । ଏମନ୍ତ ଲୋକ ଯେ ଶୀତ କିମ୍ୱା ବନ୍ୟଜନ୍ତୁଙ୍କୁ ଭୟ କରିବ ନାହିଁ ଏହାତ ସ୍ୱାଭାବିକ । ଲୋକଟି ନିବିଷ୍ଟଚିତ୍ତରେ ମହାନଦୀର ଧାରର ପଶ୍ଚିମକୁ ଅନାଇ ରହିଥିଲା–ଏମନ୍ତ ସମୟରେ ହଠାତ୍‌ପଦଶବ୍ଦ କର୍ଣ୍ଣକୁହରରେ ପ୍ରବିଷ୍ଟ ହେଲା ଏବଂ ପଛକୁ ଅନାଇ ଦେଖିଲା ଯେ ଜଣେ ପଶ୍ଚାତପଦ ହୋଇ ମହାଦେବଙ୍କ ନିକଟରୁ ପଳାଇଯିବାକୁ ବସିଅଛି । ତହୁଁ ଉତ୍କଟ ଗମ୍ଭୀରସ୍ୱରରେ ଲୋକଟି କହିଲେ ‘‘କି ଏ ସେ’’ ?

 

ଆଗନ୍ତୁକ ଚନ୍ଦ୍ରଜ୍ୟୋସ୍ନାରେ ଲୋକଟିର ଶରୀର ଦେଖି ଭୟରେ କାତର ହୋଇ ପଳାଇବାର ଚେଷ୍ଟା କରୁଥିଲା ତହିଁ ଉପରେ ପୁଣି ଦମ୍ଭପୂର୍ଣ୍ଣଗମ୍ଭୀରବାଣୀରେ ସମ୍ୱୋଧନ କରିବାର ଶୁଣି ତାହାର ରକ୍ତ ପାଣି ହୋଇଗଲା । ଭୟରେ ଶରୀର କମ୍ପିତ ହେଲା । ଚଳତ୍‌ଶକ୍ତିହୀନ ହୋଇ ସେହିଠାରେ ଠିଆ ହୋଇ ରହିଲା । ସେ ଗମ୍ଭୀର ଆଦେଶସୂଚକ ପ୍ରଶ୍ନର କି ଉତ୍ତର ଦେବ ଠିକଣା କରି ପାରିଲା ନାହିଁ ।

 

ଲୋକଟି ଆଗନ୍ତୁକର ଭୟ ବିକମ୍ପିତ ଶରୀର ଦେଖି ମନେ ମନେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ଲୌହଦଣ୍ଡ ଉଠାଇ କହିଲା ‘ଦେଖ ମୋ ଆଗରୁ ପଳାଇ ପାରିବ ନାହିଁ । ବଞ୍ଚିବାର ଆଶା ଥିଲେ ଏହିଠାକୁ ଆସ, ନୋହିଲେ ଦଣ୍ଡରେ ମୁଣ୍ଡ ଫଟାଇ ଦେବି ।’

 

ଆଉ ରକ୍ଷା ନାହିଁ । ଯେଉଁ ଗମ୍ଭୀର-ସ୍ୱରରେ ଲୋକଟି ଆଗନ୍ତୁକ ପ୍ରତି ଏ ଆଦେଶ କଲା, ସିଂହାସନୋପବିଷ୍ଟ ସମ୍ରାଟ ସେପରି ସ୍ୱରରେ ଆଦେଶ କରି ପାରିବେ କି ନାହିଁ ସନ୍ଦେହ । ଆଗନ୍ତୁକ ଚିତ୍ରପୁତ୍ତଳିକା ପ୍ରାୟ ଠିଆ ହୋଇଥିଲା ଏବଂ ଅଶ୍ୱକେଶ-ବଦ୍ଧ-ପୁତ୍ତଳିକା ବାଜୀକରର ଆଦେଶ ପାଳିଲା ପ୍ରାୟ ପାଟଳୀ ବୃକ୍ଷ ଆଡ଼କୁ ଧୀରେ ଧୀରେ ଗତି ବିସ୍ତାର କଲା । ପାଟଳୀବୃକ୍ଷର ନିକଟବର୍ତ୍ତୀ ହୋଇ ଆସିଲାରୁ କହିଲା ‘‘ପ୍ରଭୃ ତ ସମସ୍ତଙ୍କର ଜୀବନ ନେବାର ବିଚାର କରିଛନ୍ତି–ଦେହରେ ତ ପ୍ରାଣ ନ ଥିଲାପରି ହେଲାଣି–ବାକୀ ଯାହା ଅଛି ତୁମ୍ଭେ ନେବ ତ ନିଅ !’’

 

ଲୋକଟି ଏ କଥାରେ ଅଟ୍ଟହାସ୍ୟ କରି କହିଲା ‘ଡର ନାହିଁ । ତୁମ୍ଭ ଅବସ୍ଥାରୁ ଜଣା ଯାଉଛି ତୁମ୍ଭେ ବଡ଼ ଗରୀବ । –ଯାଉଛ କୁଆଡ଼େ ?’

 

ଆଗନ୍ତୁକ ପୂର୍ବରୁ ସେ ଲୋକକୁ କୁଜଙ୍ଗଭୂୟାଁ ବୋଲି ସନ୍ଦେହ କରିଥିଲା । ନିକଟବର୍ତ୍ତୀ ହୋଇ ଉତ୍ତମରୂପେ ପର୍ଯ୍ୟବେକ୍ଷଣ କରି ଦେଖିଲାରୁ ସେ ସନ୍ଦେହ ଦୃଢ଼ୀଭୂତ ହେଲା । ଧନଦ୍ରବ୍ୟ ଏମନ୍ତ କିଛି ସଙ୍ଗରେ ନାହିଁ ଯେ ଚୋରିଯିବାର ଭୟ ହେବ । ତଥାପି ଟିକିଏ ତ୍ରୁଟି ହେଲେ ପ୍ରାଣ ଯିବାର ସମ୍ଭାବନା ଥିବାରୁ ସ୍ପଷ୍ଟ କଥା କହିବା ସ୍ଥିର କରି କହିଲା ‘‘ଯାଉଛି ନାଏବ ଆସିଛନ୍ତି, ଅଭିଷେକ ରୋଷନୀ ଦେଖିବି ।’’

 

ଲୋକଟି ଏଥିରେ କୌତୁକାନ୍ୱିତ ହୋଇ କହିଲା ‘‘ତୁମ୍ଭେ ତ ଏହିକ୍ଷଣି କହୁଥିଲ ଦେହରେ ପ୍ରାଣ ନ ଥିଲା ପରି ହେଲାଣି । ଏଥିରେ ବି ରୋଷନୀ ଦେଖିବାର ଶରଧା ଅଛି ?’’

 

ଆଗନ୍ତୁକ କିଞ୍ଚିତ୍‌ ଅପ୍ରତିଭ ହେଲାପ୍ରାୟ ହୋଇ କହିଲେ ‘ନା, ରୋଷନୀ ବି ଦେଖାଯିବ ଆଉ ନାଏବଙ୍କଠାରେ ଗୁହାରି ବି ହେବ ।’ ଲୋକ ପଚାରିଲା ‘କି-ଗୁହାରି କ’ଣ ହେବ ?’

 

ଆଗନ୍ତୁକ କହିଲା ‘ଗୁହାରି କ’ଣ ? ଦେଖୁ ନାହ ? ଦେଶ କି ଆଉ ଅଛି ନା ଲୋକେ ବଞ୍ଚିବେ ? ଧୋଇମରୁଡ଼ିରେ ବାଣ୍ଟି ହୋଇ ବିହନଯାକତ ବିଲରେ ଗଲା–ଖାଇବାକୁ ଆଉ କ’ଣ ଅଛି-? ଗହଣାଗାଣ୍ଠି ଜିନିସପତ୍ର ପର୍ଯ୍ୟନ୍ତ ଲୋକେ ବିକି ସାରିଲେଣି । –ଧାନ କାହିଁ ?

 

ଲୋକଟି ଟିକିଏ କୃତ୍ରିମ ଆଶ୍ଚର୍ଯ୍ୟ ହେଲା ପ୍ରାୟ ହୋଇ ପଚାରିଲା ‘‘ତୁମ୍ଭେ କହୁଛ ଧାନ କାହିଁ ! ତୁମ୍ଭ ଅଞ୍ଚଳର ଲୋକଙ୍କର ଭାବନା କିଛି ନାହିଁ ।’’

 

ଆଗନ୍ତୁକ ତତୋଽଧିକ ଆଶ୍ଚର୍ଯ୍ୟାନ୍ୱିତ ଭାବରେ କହିଲା ‘‘ଆମ୍ଭ ଅଞ୍ଚଳରେ ଲୋକଙ୍କର ଭାବନା କିଛି ନାହିଁ–ଏ କେମନ୍ତ କଥା ? ତୁମ୍ଭ ଜାଣିବାରେ କି ଏ ଅଞ୍ଚଳରେ ଫସଲ ହୋଇଛି ? ସୁବାଦାର ତ ତୁଚ୍ଛାକୁ ସବୁକଥା ହସରେ ଉଡ଼ାଇ ଦେଉଛନ୍ତି ଆଉ ତୁମ୍ଭଭଳି ଜଣେ ଚରଠୁଁ ଏପରି ବାର୍ତ୍ତା ପାଇଲେ ଚତୁର୍ଗୁଣ ଦମ୍ଭ ହୋଇ କଥା କହିବେ !’’

 

ଲୋକଟି ତିରସ୍କାରପୂର୍ଣ୍ଣ ବ୍ୟଙ୍ଗବାଣୀରେ ରୁଷ୍ଟ ନ ହୋଇ ବରଂ ଅପ୍ରତିଭ ହେଲା ପ୍ରାୟ ହୋଇ କହିଲା ‘ନା ନା ମୁଁ ସେକଥା କହୁ ନାହିଁ । ତୁମର ଏଠି ଚୌଧୁରୀ ଓ ଦାସଙ୍କ ଘର ଅଛି । ଧାନର ଅଭାବ କିସ ? ଟିପ ଲେଖି ଏବର୍ଷ ଧାନ ନେବ, ଆରବର୍ଷ ଶୁଝି ଦେବ ।’

 

ଆଗନ୍ତୁକ ଏହା ଶୁଣି ଏକାବେଳକେ କାନରେ ହାତ ଦେଇ ନିତାନ୍ତ ବିରକ୍ତ ଭାବରେ କହିଲା ‘ଓହୋ ! ତାଙ୍କ ନା ଧର ନାହିଁ ହୋ ! ଚୌଧୁରୀତ ଚୌଧୁରୀ, ଆଉ ଦାସେବି ସେହିପରି କି ତାଙ୍କଠୁଁ ବଳି । ଧାନ ନା ଧାନ ଧୋଇ ପାଣି ! ଦୁଆରେ ଧରଣା ଦେଇ ମରିଗଲେ ତ ଟୋପାଏ ପାଣି ମିଳିବ ନାହିଁ ।’

 

ଲୋକଟି ଏଥିରେ କିଛିମାତ୍ର ଆଶ୍ଚର୍ଯ୍ୟାନ୍ୱିତ ନ ହୋଇ କହିଲା, ‘ଲୋକଙ୍କର ଏପରି ଦଶା–ଏଥିରେ ଯେବେ ସେମାନେ ଧାନ ନ ଦେଲେ-କାହିଁକି-ତୁମେମାନେ ଦେଶଲୋକେ ମିଳି ତାଙ୍କର ଆମର ସବୁ ଲୁଟି ନିଅ । ଯେତେ ଧାନ ସେ ସମ୍ପାଦିଛନ୍ତି ଛ’ମାସ ବସି ଖାଇବ ।

 

ଆଗନ୍ତୁକ ଏ କଥାରେ ନିସ୍ତେଜ ଭାବ ଧାରଣ କରି କହିଲା ‘ତା ସତ । ଆମେ ମୁଲିଆ ଲୋକଙ୍କ ଦେହି କି ଏତେ କଥା ହେବ ? କାଲି ସୁବାଦାରଙ୍କ ଲୋକ ଆସି ଗୋଟି ଗୋଟି ଧରି ନେଇ ଶୂଳୀ ଚଢ଼ାଇ ଦେବେ ।’

 

ଏକଥାରେ ଲୋକ ଆପଣାର କ୍ଷମତାର ଗୌରବ ମନେ ମନେ ଅନୁଧାବନ କରି ସମାଧିକ ଉତ୍ସାହାନ୍ୱିତ ହୋଇ କହିଲା ‘ଆଚ୍ଛା ! ଯେବେ ଭୂୟାଁମାନେ ଆସି ଲୁଟି ନିଅନ୍ତି ?’

 

ଆଗନ୍ତୁକ ଏକଥା ଶୁଣି କିଛିକ୍ଷଣ ନିସ୍ତବ୍ଧ ହୋଇ ରହିଲା । ପୂର୍ବେ ଏ ଲୋକ କୁଜଙ୍ଗର ଭୂୟାଁ ବୋଲି ମନେ ମନେ ଯାହା ଧାରଣା ହୋଇଥିଲା, କଥା କଥାକେ ଏତେବେଳେ ତାହା ଦୃଢ଼ୀଭୂତ ହେଲା । ଅନେକଦିନ ହେଲା ଭୂୟାଁଙ୍କର ଏ ଅଞ୍ଚଳକୁ ଆଗମନ ହୋଇ ନାହିଁ । ଆଜି ଅବା କିପରି ଆସିଅଛନ୍ତି ? ଆସିଲେ ବି ରାତ୍ରତ ଅଧସରିକି ହୋଇଗଲା–ଗୋଟିଏ ଭୂୟାଁ କି କରିବ ! ତହିଁରେ ପୁଣି ସୁବାଦାରଙ୍କର ଅଭିଷେକକ୍ରିୟା ସେହି ଅଞ୍ଚଳରେ । ଭୂୟାଁମାନଙ୍କୁ ସନ୍ଧାନ ଘେନି ସୁବାଦାର ଧରି ନେଇ ଯାଇ ପାରନ୍ତି । ଜାଣି ଶୁଣି ସିଂହଗର୍ତ୍ତରେ ବ୍ୟାଘ୍ର କି ମନେ କରି ପଶୁଅଛି ? ନିକଟରେ ସୁବାଦାରଙ୍କ ଅଭିଷେକରେ ଭାରୀ ଧୁମ୍‌ଧାମ ଲାଗିଅଛି–ଭୂୟାଁ ଏ ଯେ ଏତକ ସନ୍ଧାନ ଜାଣି ନାହାନ୍ତି ଏହା ବିଶ୍ୱାସ କରିବା କଠିନ । ଏହିରୂପ ଭାବନାରେ ଆଗନ୍ତୁକ କି ଉତ୍ତର ଦେବ ହଠାତ୍‌ କିଛି ଠିକ୍‌ କରି ପାରି ନ ଥିଲା । ମନେ ମନେ ଚିନ୍ତା କଲା- ଚୌଧୁରୀଙ୍କ ଘରେ କି ଦାସଙ୍କ ଘରେ ଥିଲେ ଯେପରି ଭୂୟାଁଏ ଲୁଟି ନେଲେବି ସେହିପରି ।

 

ଲୋକଟି ଅନାଇ ରହିଥିଲା–କିଛି ଉତ୍ତର ନ ପାଇ କହିଲା ‘କି ଉତ୍ତର ଦେଲ ନାହିଁ ? ମୁଁ ପଚାରୁଥିଲି ଏପରି ହାଲତରେ ତୁମେମାନେ ବାଧା ଦେବ କି ନାହିଁ ?

 

ଆଗନ୍ତୁକ ଉତ୍ତର କଲା ‘ଆମେ ବାଧା ଦେବୁଁ ? ଅବଧାନ ! ଆମେ ମୂଲିଆଲୋକ ଆମର କପାଳ ଆମେ ଘେନି ବୁଲୁଛୁଁ–ସେଥି ପାଖକୁ ଆମେ ଯିବା ନାହିଁ । ଆମେମାନେ ଲୁଟି ନେଲେ ଶୂଳୀକୁ ଯିବୁଁ । ଭୂୟାଁଙ୍କୁ ବାଧା ଦେଲେ ଠେଙ୍ଗା ଖାଇ ମରିବୁଁ !’

 

ଏମନ୍ତ ସମୟରେ ଦୂରରୁ ଆହୁଲାର ଶବ୍ଦ ଶୁଣା ଗଲା । ଲୋକଟି ସେ ଶବ୍ଦ ଶୁଣିବାମାତ୍ରକେ ଉଠି ଠିଆ ହେଲା । ସେ ଶବ୍ଦ ଆଗନ୍ତୁକର କର୍ଣ୍ଣକୁହରରେ ମଧ୍ୟ ପ୍ରବେଶ କରିଅଛି ଏବଂ ଆଗନ୍ତୁକ ସେ ଶବ୍ଦ ଶୁଣିବାମାତ୍ରକେ ଭୂୟାଁଙ୍କ ନୌକାର ଶବ୍ଦ ବୋଲି ଅନୁମାନ କରି ନେବାରୁ ତାହାର ଭୟ ଚତୁର୍ଗୁଣ ହୋଇଅଛି । ଆଉ ନ ପଳାଇଲେ ରକ୍ଷା ନାହିଁ । ସୌଭାଗ୍ୟକ୍ରମେ ଦୂରରେ ଦକ୍ଷିଣ ଦିଗରେ ଆଲୁଅ ଦେଖାଗଲା । ଆଗନ୍ତୁକ ତାହାକୁ ଉପଲକ୍ଷ୍ୟ କରି କହିଲା ‘‘ଏ ରୋଷନୀର ଆଲୁଅ ଦେଖାଯାଉଛି–ମୁଁ ଯାଉଛି ।’’ ଏହା କହି ସମ୍ମତିସୂଚକ ଉତ୍ତର ପାଇଲା ମାତ୍ରକେ କିଛିଦୂର ସ୍ଥିର ଭାବରେ ଯାଇ ତେଣିକି ପ୍ରାଣ ଭୟରେ ଦୌଡ଼ି ପଳାଇଲା । ଲୋକଟି ଆଗନ୍ତୁକର ଏଭାବ ଦେଖି ହାସ୍ୟ ସମ୍ୱରଣ କରି ପାରିଲା ନାହିଁ ଏବଂ ମନୋମତ ଅଟ୍ଟହାସ୍ୟ କରି ନିର୍ଜନ ସ୍ଥାନଟିକି ଅଧିକ ଭୟଙ୍କର କରି ପକାଇଲା । ସେହି ଅଟ୍ଟହାସ୍ୟ ଶେଷ ହେବା ସଙ୍ଗେ ସଙ୍ଗେ ଦୂରରୁ ଯେଉଁ ନୌକାର ଆହୁଲାର ଶବ୍ଦ ଶୁଣା ଯାଉଥିଲା ସେ ନୌକା ଆସି ପାଟଳୀବୃକ୍ଷ ମୂଳରେ ଉପସ୍ଥିତ ହେଲା ।

 

ମାଝି ଦୁଇଜଣ ଦଉଡ଼ି ଘେନି ଉପରକୁ ଡେଇଁ ପଡ଼ି ପାଟଳୀମୂଳରେ ବାନ୍ଧିଲେ । ନୌକା ଠିଆ ହେଲା ଏବଂ ଗୋଟି ଗୋଟି ହୋଇ ତହିଁରୁ ସମସ୍ତେ ଓହ୍ଲାଇ ଆସିଲେ । କେବଳ ଦୁଇଜଣ ଲୋକ ନୌକା ଜଗିବା କାରଣ ନୌକା ଉପରେ ଅବସ୍ଥିତି କରି ରହିଲେ ।

Image

 

ଏକାଦଶ ପରିଚ୍ଛେଦ

ଗୋବର୍ଦ୍ଧନ ଦାସ

 

ଆମ୍ଭେମାନେ ପୂର୍ବରେ କହିଅଛୁଁ ନବଗ୍ରାମରେ ଅନେକ ଭଦ୍ରଲୋକ ବାସ କରନ୍ତି । ତହିଁ ମଧ୍ୟରୁ ପାଠକମାନେ ଚଉଧୁରୀଙ୍କର ଉତ୍ତମ ପରିଚୟ ପାଇ ଅଛନ୍ତି । ଆମ୍ଭେମାନେ ବର୍ତ୍ତମାନ ଗୋବର୍ଦ୍ଧନଦାସଙ୍କୁ ପାଠକଙ୍କ ନିକଟରେ ପରିଚିତ କରାଇବୁଁ । ଗୋବର୍ଦ୍ଧନଦାସଙ୍କ ଘର ଚଉଧୁରୀଙ୍କ ଘରକୁ ଲାଗିଅଛି ବୋଇଲେ ଅତ୍ୟୁକ୍ତି ହେବନାହିଁ । କେବଳ ଦେଢ଼ହସ୍ତ ପରିମିତ ଗଳିଟିଏ ଉଭୟ ଘର ମଧ୍ୟରେ ବ୍ୟବଧାନ ଅଛି । ଗୋବର୍ଦ୍ଧନ ଦାସ ମଧ୍ୟ ନବଗ୍ରାମ ଓ ନିକଟବର୍ତ୍ତୀ ଗ୍ରାମମାନଙ୍କ ମଧ୍ୟରେ ଧନଶାଳୀ ବ୍ୟକ୍ତି ବୋଲି ପରିଚିତ, ମାତ୍ର ତାଙ୍କର ଧନସମ୍ପତ୍ତି ଚଉଧୁରୀଙ୍କ ଧନସମ୍ପତ୍ତିରୁ କିଛି ଊଣା । ଗୋବର୍ଦ୍ଧନ ବାଲ୍ୟକାଳରେ ବଡ଼ ଦରିଦ୍ର ଥିଲେ । ପିଲାଟିଦିନୁ ପିତାମାତାଙ୍କୁ ହରାଇ ସଂସାରରେ ଯେମନ୍ତ ଅନାଥ ହୋଇଥିଲେ ତେମନ୍ତ ଅଳ୍ପ ବୟସରେ ଏକପ୍ରକାର ଭିକ୍ଷାବୃତ୍ତି ତାଙ୍କର ଅବଲମ୍ୱନ ହୋଇଥିଲା । ସାମାନ୍ୟ କୁଟୀର ପ୍ରାୟ ତାଙ୍କର ଦୁଇ ବଖରା ଘର ଥିଲା ଏବଂ ଭିକ୍ଷାଜୀବିଙ୍କପରି ଓଳିଏ ଉପବାସ ଏବଂ ଓଳିଏ ଭିକ୍ଷାନ୍ନ ଭୋଜନରେ ଦିନପାତ ହେଉଥିଲା । ଯେତେବେଳେ ଏହାଙ୍କର ବୟସ ୩ ବର୍ଷ ସେତେବେଳେ ଏହାଙ୍କ ମାତା ସ୍ୱର୍ଗକୁ ଗମନ କଲେ । ପିତା ଏହାଙ୍କୁ ଯତ୍ନ କରି ପାଳୁଥିଲେ ଏବଂ ଗ୍ରାମର ଚାଟଶାଳୀରେ ବିଦ୍ୟାଲାଭ କରିବା କାରଣ ବସାଇଥିଲେ । ସାତବର୍ଷ ବୟସ ସମୟରେ ଚାଟଶାଳୀରେ ଏହାଙ୍କର ଫେଢ଼ାମିଶା ପର୍ଯ୍ୟନ୍ତ ଶିକ୍ଷା ଲାଭ ହୋଇଥିଲା । ଏମନ୍ତ ସମୟରେ ଏହାଙ୍କ ପିତାଙ୍କର କାଳ ହେଲା । ଆଉ ପଢ଼ାଇବ କିଏ ? ଅବଧାନେ ଯେ କିଛି ଅଧିକ ନେଇ ଏହାଙ୍କୁ ପଢ଼ାଉଥିଲେ ଏପରି ନୁହେ, ହାଟପାଳିକି ପାଏ ଚାଉଳ ଓ ଦୁଇଖଣ୍ଡ ଧୁଆଁପତ୍ର ଏହାଙ୍କ ବେତନ ଥିଲା ଏବଂ ବେଳେ ବେଳେ ତାହାସୁଦ୍ଧା ମିଳୁ ନ ଥିଲା । ଯାହା ହେଉ ଜଣେ ପ୍ରତିବେଶୀ ଦୟା କରି ଆଉ କିଛିଦିନ ଅବଧାନଙ୍କ ଦ୍ୱାରା ଏହାଙ୍କୁ ପଢ଼ା କରାଇ ଦେଇଥିଲେ ମାତ୍ର ଦୟା କରି ଏହାଙ୍କୁ ପଢ଼ାଇବାରେ ଗୋବର୍ଦ୍ଧନ ଖାଇବା ବିଷୟରେ ସୁଦ୍ଧା ପଛକୁ ସମ୍ପୂର୍ଣ୍ଣରୂପେ ସେହି ପ୍ରତିବେଶିର ଗଳଗ୍ରହ ହୋଇ ପଡ଼ିଲେ । ଘରେତ କିଛି ନଥିଲା । ଯାହା ଊଣା ଅଧିକ ଥିଲା ଶେଷ ହୋଇ ଆସିଲାରୁ ବେଳେ ହେଉଁ ହେଉଁ ଦୁଇବେଳ ପ୍ରତିବେଶିଙ୍କ ଘରୁ ମାଗି ଖାଇବା ଆରମ୍ଭ ହେଲା । ପ୍ରତିବେଶୀ ଏଥିରେ ବିରକ୍ତ ହୋଇ ଭର୍ତ୍ସନା କରି ଆପଣା ଘରକୁ ଆସିବାକୁ ମନା କରିଦେଲେ ଏବଂ ତହିଁ ସଙ୍ଗେ ସଙ୍ଗେ ଅବଧାନଙ୍କ ପାଉଣା ମଧ୍ୟ ବନ୍ଦ ହୋଇଯିବାରୁ ଗୋବର୍ଦ୍ଧନଙ୍କ ଚାଟଶାଳୀ ଯିବା ବନ୍ଦ ହେଲା । ବାସ୍ତବରେ ପୃଥିବୀରେ ଅନାଥକୁ ପାଳିବା ବିଷୟରେ କେତୁଟା ପ୍ରତିବେଶିଙ୍କି ଦେଖାଯାଏ ? କେବେ ଦେଖା ଗଲେ ସୁଦ୍ଧା ସେମାନେ କେତେଦିନ ସେ କାର୍ଯ୍ୟ ଚଳାଇଥାନ୍ତି ? ଏବଂ ଚଳାଇଲେ ସୁଦ୍ଧା ତାହା କେଡ଼େ ଜଘନ୍ୟ ଏବଂ ସଙ୍କୁଚିତ ଭାବରେ ସମ୍ପନ୍ନ ନ ହୁଅଇ ? ପାଠକେ ! ଏକେତ ସଂସାରର ଗତି ସରଳ ନୁହେ, ତହିଁ ଉପରେ ଅନାଥକୁ ପୁଣି ବ୍ୟୁହଭେଦ କରିବା ପଡ଼େ । ଏଥିରେ କେହି ଅବା କପାଳ ଗୁଣରୁ ବ୍ୟୁହଭେଦ କରି ଚାଲି ଯାନ୍ତି, ମାତ୍ର ଶତକରା ୯୯ ଜଣ ପ୍ରତିବେଶୀ ଆଦି ସପ୍ତରଥିଙ୍କ ଜ୍ୱାଳାରେ ଅକାଳେ ବିନଷ୍ଟ ହୁଅନ୍ତି । ଦୟା ପାଇବା ଅଳ୍ପ ଲୋକଙ୍କ ଭାଗ୍ୟରେ ଘଟେ ଏବଂ ଯାହା ଘଟେ ତାହାସୁଦ୍ଧା ଅକିଞ୍ଚିତ୍‌କର ଓ ଅଳ୍ପକାଳସ୍ଥାୟୀ ।

 

ଗୋବର୍ଦ୍ଧନଙ୍କ ଭାଗ୍ୟ ପ୍ରବଳ ଥିବାରୁ ପ୍ରତିବେଶୀଙ୍କଠାରୁ ଯେଉଁ ଉପକାର ପ୍ରାପ୍ତ ହେଲେ ତାହା ଛମାସକାଳ ବ୍ୟାପି ଥିଲା । ଛମାସ ଗତ ହେଲାରୁ ଗୋବର୍ଦ୍ଧନଙ୍କ ଶିକ୍ଷା ବନ୍ଦ ହେଲା ଏବଂ ନବଗ୍ରାମନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଭିକ୍ଷା କରି ଜୀବନ ଧାରଣ କରିବାକୁ ଆରମ୍ଭ କଲେ । ବନ୍ଧୁବାନ୍ଧବ ଏହାଙ୍କର ଯେ କେହି ନ ଥିଲେ ଏମନ୍ତ ନୁହେ ଏବଂ ତାଙ୍କ ମଧ୍ୟରେ ଏମନ୍ତସୁଦ୍ଧା ଜଣେ ଜଣେ ଥିଲେ ଯେ ସେମାନେ ଇଚ୍ଛା କଲେ ଗୋବର୍ଦ୍ଧନଙ୍କପରି ଦଶ ଜଣଙ୍କୁ ମନୁଷ୍ୟ କରି ପାରନ୍ତେ । ମାତ୍ର ସଚରାଚର ଯେପରି ଦେଖାଯାଏ ଏମାନେ ସେହିପରି ଥରେ ଚକ୍ଷୁ ଫେଡ଼ି ଏହାଙ୍କୁ ଅନାନ୍ତି ନାହିଁ । ବରଂ ଗୋବର୍ଦ୍ଧନ ଅପର ଲୋକଙ୍କ ଦ୍ୱାରେ ପହୁଞ୍ଚିଲେ ମୁଠିଏ ଭିକ୍ଷା ପ୍ରାପ୍ତ ହୁଅନ୍ତି–ବନ୍ଧୁବାନ୍ଧବଙ୍କ ଦ୍ୱାରକୁ ଗଲେ କଟୁବାକ୍ୟ ଏବଂ ବେଳେ ବେଳେ ଅର୍ଦ୍ଧଚନ୍ଦ୍ର ବିନା ଅନ୍ୟ କିଛି ମିଳେ ନାହିଁ ।

 

ଏହିପରି ଭାବରେ ଘୋର କର୍ମବିପାକରେ ପଡ଼ି ଗୋବର୍ଦ୍ଧନ ସଂସାରରେ ଭ୍ରମଣ କରୁଥିଲେ । ଏପରି ଭାବରେ ସଂସାରେ ବିଚରଣ କଲେ ଯେଉଁ ଫଳଲାଭ ହୁଏ ଏହାଙ୍କର ତାହାଛଡ଼ା ଅନ୍ୟ କି ଲାଭ ହେବ ? କ୍ରମେ ସଂସାର ତାହାଙ୍କୁ କୁଟିଳତାର ଆବାସଭୂମି ବୋଲି ବୋଧ ହେଲା । ମନୁଷ୍ୟମାନେ ତହିଁରେ କୁଟଳିତାର ଉପାଦାନରେ ନିର୍ମିତ ବୋଲି କ୍ରମେ କ୍ରମେ ତାହାଙ୍କୁ ପ୍ରତୀୟମାନ ହେଲା । ସୃଷ୍ଟିର ପ୍ରତ୍ୟେକ ବସ୍ତୁ କୁଟିଳ ନିୟମର ସମର୍ଥନ କରୁଥିଲାପରି ତାଙ୍କୁ ଜଣାଗଲା । କୁଟିଳ ଚରାଚରର କୁଟିଳବର୍ତ୍ୱରେ ଜୀବଜନ୍ତୁମାନେ ଅହରହ କୁଟିଳଭାବେ ଗମନ କରି ଚରାଚରକୁ ସର୍ବତୋଭାବରେ ଭୟଙ୍କର କରି ପକାଉଥିବା ତାଙ୍କର ହୃଦ୍‍ବୋଧ ହେଲା-। ବସନ୍ତକାଳୀନ କୋକିଳର ମର୍ମ୍ମଭେଦି କୁହୁସ୍ୱର ଶୁଣି ତାଙ୍କର ଈର୍ଷାନଳ ପ୍ରଜ୍ଜ୍ୱଳିତ ହେଉଥିଲା । ଯେଉଁ ସଙ୍ଗୀତର ସୁମଧୁର ତାନ ଶୁଣି ଲୋକର ମନଃପ୍ରାଣ ସୁଶୀଳତ ହୁଏ ତହିଁରେ ତାଙ୍କର କ୍ରୋଧ ଉଦ୍‌ବୋଧିତ ହେଉଥିଲା । ପ୍ରକୃତିର ସୁନ୍ଦର ଦୃଶ୍ୟରାଜି ଦେଖି ଯେତେବେଳେ ଲୋକଙ୍କ ମନ ଶାନ୍ତିରସରେ ଆପ୍ଲୂତ ହୁଏ ସେତେବେଳେ ଗୋବର୍ଦ୍ଧନଙ୍କ ମନ ପ୍ରତିହିଂସା ସାଧନରେ ଉଦ୍ୟୋଗୀ ହେଉଥିଲା । ଚରାଚରର ସମସ୍ତ ସୌନ୍ଦର୍ଯ୍ୟ ତାଙ୍କଠାରେ ବିନଷ୍ଟ ହୋଇ କୁଟିଳତାର ଘୋର କଠିନ ଆବରଣରେ ପ୍ରତିନିୟତ ଅବିର୍ଭୂତ ହେଉଥିଲା । ଅଧିକ କି କହିବୁଁ–ଜଗନ୍ନିୟନ୍ତା ଜଗଦୀଶ୍ୱର ଘୋର କୁଟିଳ ବୋଲି ତାଙ୍କର ଏକାନ୍ତ ବିଶ୍ୱାସ ଜନ୍ମିଲା । ଏମନ୍ତ ଅବସ୍ଥାରେ ମନର କୋମଳ ବୃତ୍ତିମାନ ଏକାବେଳକେ ବିଦାୟ ହୋଇ ଯିବାରୁ ମନ ଯେ ନିତାନ୍ତ କଠିନ ହୋଇଯିବ ଏଥିରେ ବିଚିତ୍ର କି ଅଛି-? ଏବଂ ଗୋବର୍ଦ୍ଧନ କଠିନମନା ହୋଇ କୁଟିଳଦୃଷ୍ଟିରେ ଅନିଶ୍ଚିତ ଜୀବିକା ଘେନି ପୃଥିବୀରେ କ୍ରମେ ଏକ ଭୟଙ୍କର ଜୀବ ହୋଇଗଲେ ।

 

ଗୋବର୍ଦ୍ଧନ ପୃଥିବୀକି ନିତାନ୍ତ କୁଟିଳ ବୋଲି ମନେ ମନେ ସାବ୍ୟସ୍ତ କରି ରଖିଥିଲେ ସୁଦ୍ଧା ତାଙ୍କୁ ଭିକ୍ଷା ମିଳୁଥିଲା । କେହି ଅବା ଦୟା କରି କେହି ଅବା ଅନିଷ୍ଟର ଆଶଙ୍କା କରି ତାଙ୍କୁ ଭିକ୍ଷା ଦେଉଥିଲେ । ମାତ୍ର କୁଟିଳସଂସାରର କୁଟିଳଜୀବଙ୍କଠାରୁ ଭିକ୍ଷା ପାଇ ସୁଦ୍ଧା ତାଙ୍କର ମନରେ ଅନ୍ୟ ପ୍ରକାର ଭାବୋଦୟ ହେବା ତେଣିକି ଥାଉ ଲୋକଙ୍କୁ ଠକାଇ କିଛି ଅର୍ଜି ପାରିଲେ ତାଙ୍କର ଉତ୍କଟ ଆନନ୍ଦ ଜାତ ହେଉଥିଲା ।

 

ଚିରଦିନ ସମାନ ଯାଏ ନାହିଁ । ସୁଖୀ ସୁଖାନ୍ତେ ଦୁଃଖ ଲାଭ କରେ ଏବଂ ଦୁଃଖୀ ଦୁଃଖାନ୍ତେ ସୁଖଲାଭ ସୁଦ୍ଧା କରିଥାଏ । କେହି ଈଶ୍ୱରନିଷ୍ଠ ବୋଲି ଦେଖା ଯାଉଥିଲେହେଁ ତାଙ୍କର ଯେ ଚିରକାଳ ସୁଖ ଲାଭ ହେଉଥିବ ଏହା ଆଶା କରିବା ଯେପରି ବୃଥା, ସେହିପରି କେହି ଈଶ୍ୱରଦ୍ୱେଷୀ ହୋଇଅଛି ବୋଲି ତାହାର ସୁଖଲାଭ ହେବ ନାହିଁ ଏହାମଧ୍ୟ ମନେ କରିବା ବୃଥା ଅଟଇ । ଫଳତଃ ଅନେକ ସମୟରେ ଆମ୍ଭେମାନେ ବିପରୀତଗତି ଦୃଷ୍ଟି କରିଥାଉଁ ସେ ବିଷୟରେ ପ୍ରବେଶ କରିବା ସହଜ କଥା ନୁହେ । ତେବେ ଚେଷ୍ଟା କରି ସୁଖ ହେଉ, ଦୁଃଖ ହେଉ, ଭଲ ନିମିତ୍ତ ପ୍ରସ୍ତୁତ ହୋଇ ରହିବା ଉଚିତ ।

 

ଗୋବର୍ଦ୍ଧନ ଉପରୋକ୍ତ ମତେ କୁଟିଳ ସଂସାରରେ ଭ୍ରମଣ କରି ବାଇଶବର୍ଷ କଟାଇ ଦେଲେ । ଦିନେ ଗ୍ରାମରେ ଭିକ୍ଷାନ୍ନ ନ ମିଳିବାରୁ ନବଗ୍ରାମରୁ ଦୁଇକ୍ରୋଶ ଦୂରବର୍ତ୍ତୀ ଗୋଟିଏ ଗ୍ରାମକୁ ଯାଇ ଅନେକ ବୁଲି ବୁଲି କିଛି ନ ପାଇ ଜଣେ ଗୃହସ୍ଥ୍ୟର ଦାଣ୍ଡପିଣ୍ଡାରେ ଶୟନ କଲେ । ସେ ଘର ଚିନ୍ତାମଣି ମହାନ୍ତିଙ୍କର । ଚିନ୍ତାମଣି ଜଣେ ଧନୀଲୋକ । ନାନା ସ୍ଥାନରେ ବାଟ, ଘାଟ ଓ ଶଙ୍ଖ ନିର୍ମାଣକାର୍ଯ୍ୟର ଠିକା ନେଇ ତାଙ୍କର ଅତୁଳବିଭବ ହୋଇଥିଲା । ମାତ୍ର ମନଟା ବାସ୍ତବରେ କୁଟିଳ ଥିଲା ଏବଂ ସେ ଗ୍ରାମରେ ଅନେକ ଲୋକେ କହନ୍ତି ଯେ କୁଟିଳ ନୋହିଥିଲେ ଚିନ୍ତାମଣିଙ୍କର ଏତେ ବିଷୟ ହୋଇ ନ ଥାନ୍ତା । ବଡ଼ଲୋକ ହୋଇ ମୂଲିଆର ପାଞ୍ଚ ପଇସାରୁ ପଇସାଟିଏ କାଟି ଲାଭ କରିବା ସହଜମନର କାର୍ଯ୍ୟ ନୁହେ ଏବଂ ଦେଖିଲେ ବୋଧ ହୁଏ ଯେମନ୍ତ ଈଶ୍ୱର ତାଙ୍କୁ ଏହି କାର୍ଯ୍ୟ କରି ବିଷୟ ବିଭବ ବଢ଼ାଇବା ନିମିତ୍ତ ସୃଷ୍ଟି କରିଅଛନ୍ତି । ପାଠକେ ବୋଧହୁଏ ଏପରି ଲୋକ ଦେଖି ଆଶ୍ଚର୍ଯ୍ୟ ହେଉ ନାହାନ୍ତି । ନ ହେବାର କଥା–କାରଣ ପାଠକେ ଆଜିକାଲି ଏପରି ଅନେକ ଲୋକ ଦେଖୁଅଛନ୍ତି । ପ୍ରଜାଙ୍କ ତଣ୍ଟି ଚିପି ରାଜୋପାଧି ଭୋଗ କରିବା ଏବଂ ଗରୀବଙ୍କ ଦାନା ମାରି ପେଟ ଫୁଲାଇ ବୁଲିବା ସାଧାରଣ କଥା ହୋଇ ପଡ଼ିଅଛି ।

 

ସେସବୁ କଥା ଭାଳିବାର ପ୍ରୟୋଜନ ନାହିଁ । ଯେଉଁ ଦିନ ଗୋବର୍ଦ୍ଧନ ଚିନ୍ତାମଣିଙ୍କ ଦାଣ୍ଡପିଣ୍ଡାରେ ଶୟନ କରିଥିଲେ ସେଦିନ ଚିନ୍ତାମଣି ବିଦେଶରେ ଥିଲେ । ଘରେ ଥିବା ମଧ୍ୟରେ ତାଙ୍କ ଭାର୍ଯ୍ୟା ଓ ଗୋଟିଏ କନ୍ୟା । ଭାର୍ଯ୍ୟା ଭଲଘରର ଝିଅ ଥିଲେ ଏବଂ ଯେ କିଛି ଭଲଭାବ ତାଙ୍କ ମନରେ ଅଙ୍କୁରିତ ହୋଇଥିଲା ଚିନ୍ତାମଣିଙ୍କ ହାତ ଧରିବା ଦିନୁଁ ତାହା ଅପସୃତ ହୋଇଅଛି । ତଥାପି ପରର ମନ୍ଦ ସେମାନେ କରୁ ନ ଥିଲେ । ଭାର୍ଯ୍ୟାଙ୍କର ପୁତ୍ର ଜାତ ନ ହେବାରୁ ଅତ୍ୟନ୍ତ ଦୁଃଖ ହୋଇଥିଲା । ପିଲା ଜନ୍ମିବା ମଧ୍ୟରେ ଦ୍ୱିତୀୟ ଗର୍ଭରେ ଗୋଟିଏ କନ୍ୟାମାତ୍ର ଜନ୍ମି ପନ୍ଦରବର୍ଷ ବୟସ ହୋଇଅଛି । ଅନ୍ୟ ତିନି ଚାରି ଗର୍ଭରୁ ସନ୍ତାନ ଜାତ ହୋଇ ଅଳ୍ପଦିନ ମଧ୍ୟରେ କାଳକବଳରେ ପଡ଼ୁଥିଲେ, ମାତ୍ର ପାଞ୍ଚବର୍ଷ ହେଲା ଆଉ ଗର୍ଭଶଙ୍କା ନୋହିବାରୁ ପୁତ୍ରପ୍ରାପ୍ତିର ଆଶା ବିଲୁପ୍ତ ହୋଇଅଛି । ସେହି ଦୁଃଖରେ ସେମାନେ ଏକ ସମୟରେ ପୋଷ୍ୟପୁତ୍ର କରିବାର ପାଞ୍ଚ କରିଥିଲେ, ମାତ୍ର ସୁବିଧାମତେ ପୁତ୍ର ନ ମିଳିବାରୁ ତାହା ହୋଇ ପାରି ନାହିଁ । କନ୍ୟାଟିର ନାମ କଉତୁକୀ । ଅନେକ ସମୟରେ କଉତୁକୀକି ବିଭା ଦେଇ ଜୋଇଁକି ଘରେ ରଖିବାର ପରାମର୍ଶ ହୋଇଥିଲା ଏବଂ ସୁବିଧା ମତେ ପାତ୍ର ମିଳିଲେ ତାହା କରିବା ସୁଦ୍ଧା ଉଭୟେ ସ୍ଥିର କରିଥିଲେ ।

 

ଘୋର ଗ୍ରୀଷ୍ମକାଳ । ବୈଶାଖ ମାସର ପନ୍ଦରଦିନ ଗତ ହୋଇଅଛି । ଆଜହୁଁ ଏପରି ଖରା ଦେଖି ଆଉ ଦେଢ଼ମାସ କିପରି କଟାଇବେ ଏହିକଥା ଲୋକଙ୍କୁ ମହା ଭାଳେଣିରେ ପକାଇଅଛି । ସୂର୍ଯ୍ୟଦେବଙ୍କ କୋପଦୃଷ୍ଟିରେ ଚରାଚର ତାତି ଯାଇଅଛି ଏବଂ ଜୀବଜନ୍ତୁମାନେ ବ୍ୟଥିତଚିତ୍ତରେ କିପରି ଦୁଃସମୟ କଟାଇବେ ତାହା ଭାବି ବ୍ୟସ୍ତ ହୋଇ ଯାଇଅଛନ୍ତି । ଚରାଚର ନିସ୍ତବ୍ଧ । କେବେ କେବେ କାକପ୍ରଭୃତି ଜୀବଙ୍କର କର୍କଶଧ୍ୱନି ଯାହା ଶ୍ରୁତିଗୋଚର ହେଉଅଛି ତାହାସୁଦ୍ଧା ଉତ୍ତପ୍ତ ଚରାଚରକୁ ଅଧିକ ଭୟାନ୍ୱିତ କରୁଅଛି । ଏମନ୍ତ ସମୟରେ ଲୋକେ ଘରୁ ବାହାରିବେ ଏପରି କାହାରି ଶକ୍ତି ନାହିଁ । ବଡ଼ଲୋକେ ନାନାପ୍ରକାର ଶୀତଳ ଦ୍ରବ୍ୟର ଆୟୋଜନ କରି ଆରାମ ଉପଭୋଗ କରୁଅଛନ୍ତି । ମାତ୍ର ଦୁଃଖିଲୋକେ ଏହା କାହୁଁ ପାଇବେ ? କେହି ଅବା ଚରାଚରର ତୀବ୍ରଶାସନଠାରୁ ନିଜ ଅଦୃଷ୍ଟର ତୀବ୍ରଶାସନକୁ ଅଧିକତର ଭୟଙ୍କର ଜ୍ଞାନ କରି ନାନା ଉପଲକ୍ଷରେ ସୂର୍ଯ୍ୟଦେବଙ୍କର କଠିନ ଦଣ୍ଡରୂପୀ ପ୍ରଚଣ୍ଡ ରୌଦ୍ର ମସ୍ତକରେ ବହନ କରି ବୁଲୁଅଛନ୍ତି, କେହି ଅବା ତହିଁରେ କ୍ଲାନ୍ତ ହୋଇ ଗୋବର୍ଦ୍ଧନଙ୍କ ପ୍ରାୟ ଛାୟାର ଆଶ୍ରୟ ଘେନି ଶୋଇ ଅଛନ୍ତି । ଚିନ୍ତାମଣିଙ୍କ ଭାର୍ଯ୍ୟା ଏମନ୍ତ ସମୟରେ ଭୋଜନାଦି ସାରି ଶୟନୋଦ୍ଦେଶରେ ଦାଣ୍ଡଦ୍ୱାର ଦେବାକୁ ଆସି ଦ୍ୱାରଦେଶରେ ଠିଆହୋଇ ଗୋବର୍ଦ୍ଧନଙ୍କୁ ସେହିରୂପେ ପିଣ୍ଡାରେ ଶୟନ କରିଥିବା ଦେଖିଲେ-

 

ମନୁଷ୍ୟର ମନ ସବୁବେଳେ ସମାନ ନ ଥାଏ । ବେଳେ ବେଳେ ଅତି ଦୟାଳୁ ଚିତ୍ତ କଠିନ ଭାବ ଅବଲମ୍ୱନ କରେ । କେବେ କେବେ ଅତି କଠିନ ମନ ସୁଦ୍ଧା ତରଳିଯାଏ । ବେଳେ ବେଳେ ଅତି ସୁନ୍ଦରଦ୍ରବ୍ୟ ମନକୁ ଆସେ ନାହିଁ, ପୁଣି ବେଳେ ବେଳେ ଅତି ଅସୁନ୍ଦର ଦ୍ରବ୍ୟସୁଦ୍ଧା ମନୋହରଣ କରେ । ଚିନ୍ତାମଣି ଭାର୍ଯ୍ୟା ଗୋବର୍ଦ୍ଧନଙ୍କ ଭାବରୁ ଦେଖିଲେ ଯେ, ସେ ଆହର ନ କରି ଶୋଇଅଛନ୍ତି । ମନଟା କେମନ୍ତ ତରଳି ଆସିଲା । ଗୋବର୍ଦ୍ଧନଙ୍କ ରୂପରେ କେଜାଣି ତାଙ୍କୁ କି ଦେଖାଗଲା ଏକାବେଳକେ ତାଙ୍କର ମନ ତଦ୍ଗତ ହୋଇଗଲା ଏବଂ ସେ ଭାବିଲେ ‘‘ଆହା ! ଏହୁଟି କରଣପୁଅ ହୋଇଥିଲେ ମୋର କଉତୁକୀକି ବିବାହ ଦେଇ ଘରେ ରଖନ୍ତି’’ । ଏହିପରି କେତେକ କଥା ଭାବି ଗୋବର୍ଦ୍ଧନଙ୍କୁ ଉଠାଇ ଆଣି ତାଙ୍କର ପରିଚୟ ଘେନି ଖୁଆଇ ପିଆଇ ଉତ୍ତମ ପରିଚ୍ଛଦ ଦେଇ ଘରେ ରଖିଲେ ।

 

ଗୋବର୍ଦ୍ଧନଙ୍କର ଆଉ ଭାବନା କିସ ? ସେତ ବୁଲୁ ବୁଲୁ ଆକାଶର ଚନ୍ଦ୍ର ହାତରେ ଆଇଲେ । ଏକାଦିକ୍ରମେ ଏକମାସ କାଳ ସେହିଠାରେ ଗତ ହେଲା । ଅବସରମତେ କଉତୁକୀ ସଙ୍ଗରେ ଦେଖା ହୋଇ ନାନା ପ୍ରେମାଳାପ ହେବାର ସୁଯୋଗ ମିଳିଲା । ପୃଥିବୀର ନିୟମ ବଡ଼ କଠିନ । ତହିଁର ମର୍ମ୍ମ ଭେଦ କରିବା ସହଜ ବ୍ୟାପାର ନୁହେ । ଅନେକ ସମୟରେ ଯାହା ହେବାକୁ ବସେ ଚତୁର୍ଦ୍ଦିଗରୁ ତହିଁର ଅନୁକୂଳ ଘଟନା ଘଟିଯାଏ, ମାତ୍ର ଅନେକ ସମୟରେ ଯାହା କରିବାକୁ ବସେ ପଦେ ପଦେ ତହିଁରେ ବାଧା ପ୍ରାପ୍ତ ହୋଇ ତହିଁରୁ ନିରସ୍ତ ହେବାର ଘଟନା ସଂଘଟିତ ହୁଅଇ-। ମନୁଷ୍ୟ ଏଥିର କାରଣ କିଛି ନିର୍ଣ୍ଣୟ କରି ନ ପାରି ଅଦୃଷ୍ଟର ଘଟନା ଏବଂ ପୂର୍ବତପସ୍ୟାରଫଳ ବୋଲି ନିର୍ଦ୍ଦେଶ କରିଅଛନ୍ତି । ସେ ଯାହାହେଉ ଚିନ୍ତାମଣିଙ୍କ ଭାର୍ଯ୍ୟାଙ୍କ ମନରେ ଯାହା ଉଦୟ ହୋଇଥିଲା ଚତୁର୍ଦ୍ଦିଗରୁ ତାହା ଅନୁମୋଦିତ ହେଲାପରି ଜଣାଗଲା । କୁଟିଳସଂସାରରେ ପରିବର୍ଦ୍ଧିତା କଉତୁକୀକି ଗୋବର୍ଦ୍ଧନ ଅତି ସୁନ୍ଦର ଦେଖାଗଲେ ଏବଂ ତାଙ୍କୁ ପତିରୂପରେ ପାଇ ସୁଖୀନି ହୋଇପାରିବେ ବୋଲି ପ୍ରମାଣ କରିନେଲେ । ପ୍ରତିବେଶୀମାନେ ଅନୁକୂଳ ଭାବରେ ମତ ପ୍ରଦାନ କଲେ ଏବଂ ପରିଶେଷରେ ମାସକ ପରେ ଚିନ୍ତାମଣି ଆସି କୁହୁକମାୟାରେ ପଡ଼ିବାପ୍ରାୟ ତହିଁରେ ଅନୁକୂଳ ମତ ଦେଇ ଆଠଦିନ ମଧ୍ୟରେ ବିବାହକାର୍ଯ୍ୟ ସମ୍ପାଦିତ କରି ପକାଇଲେ । ଈଶ୍ୱରଙ୍କ ମାୟା ବୁଝିବା କଠିନ । ସେ ମାୟା କେତେବେଳେ କେଉଁଠାରେ କି ରୂପ ଧାରଣ କରି ଚରାଚରର ଶାସନନିୟମରେ ସମତା ସଂଘଟନ କରୁଅଛି ତାହା ନିଶ୍ଚୟ କରି କହିବା ମନୁଷ୍ୟର ସାଧ୍ୟ ନୁହେ । ଯାହା ହେଉ ଏହିରୂପେ ଆମ୍ଭମାନଙ୍କର ଗୋବର୍ଦ୍ଧନ କ୍ଷୂଦ୍ରକୁଟୀରଗତା ଦୈନ୍ୟଦେଶାରୁ ଏକ ଲମ୍ପରେ ଆସି ଧନବନ୍ତ ଲୋକର ଜୁଆଁଇ ହୋଇ ଅତୁଳସମ୍ପତ୍ତି ଭୋଗ କଲେ । ଏଥି ମଧ୍ୟରେ ଚିନ୍ତାମଣି ଓ ତାଙ୍କର ଭାର୍ଯ୍ୟ ଇହଲୋକରୁ ବିଦାୟ ହୋଇଗଲେ । ଜନ୍ମଭୂମିପ୍ରତି ସମସ୍ତଙ୍କର ଯେଉଁ ଆନ୍ତରିକ ମମତା ଅଛି ତଦ୍ଦ୍ୱାରା ପରିଚାଳିତ ହୋଇ ଗୋବର୍ଦ୍ଧନ ନବଗ୍ରାମରେ ଆପଣା ଭିଟାରେ ବଡ଼ ବଡ଼ ଘର ପ୍ରସ୍ତୁତ କରି ତହିଁରେ ଆସି ବାସ କଲେ-। ଗୋବର୍ଦ୍ଧନଙ୍କୁ ଏରୂପେ ଅତୁଳ ସମ୍ପତ୍ତି ପ୍ରାପ୍ତ ହେଲା ସତ୍ୟ ମାତ୍ର ଜଘନ୍ୟ କୃପଣତା ଓ ନାନା ମନ୍ଦ ଉପାୟରେ ଚାରିପଇସା ଉପାର୍ଜନ କରିବାର ଅଭ୍ୟାସ ନ ଛାଡ଼ିବାହେତୁ କେହି ତାଙ୍କୁ ଭଲ ପାଇଲେ ନାହିଁ । ସେ ମଧ୍ୟ ସେଥିକି ଭ୍ରୂକ୍ଷେପ କରୁ ନ ଥିଲେ । ଦେଖୁଁ ଦେଖୁଁ ପୁଅ ଉପରେ ପୁଅ ହୋଇ ତିନିପୁତ୍ର ଜାତ ହେଲେ । ଲୋକେ କହନ୍ତି ‘ଗୋବର୍ଦ୍ଧନ ତ ଭାରୀ କପାଳିଆ–ଏପରି ଲୋକର ପୁଣି ପୁଅ ଉପରେ ପୁଅ !’ ଏହିପରି କେତେ କଥା କେତେ ଲୋକେ କହନ୍ତି–ମାତ୍ର ଗୋବର୍ଦ୍ଧନ ତାହା ଅକସ୍ମାତ୍‌ ଶୁଣିଲେ ସୁଦ୍ଧା ନ ଶୁଣିଲାପରି ଚାଲିଯାନ୍ତି ।

 

ନିକଟବର୍ତ୍ତୀ–ଗୋଟିଏ ଗ୍ରାମରେ ସଦାଶିବ ନାମରେ ଜଣେ ଧନୀଲୋକ ବାସ କରୁଥିଲେ । ଷାଠିଏବର୍ଷ ବୟସ ହୋଇଥିବା ସମୟରେ ଏହାଙ୍କ ଭାର୍ଯ୍ୟାଟି ମରିଗଲେ । ଲୋକଟି ଭାରୀ କୃପଣ । ଗୋବର୍ଦ୍ଧନଙ୍କ ସହିତ ଏହାଙ୍କର ଆଳାପ ଥିଲା–ଆଳାପ ହେବାର କଥା ! ପ୍ରଥମା ଭାର୍ଯ୍ୟା ମରିବାର କିଞ୍ଚିତ୍‌ ପୂର୍ବରୁ ଗୋବର୍ଦ୍ଧନଙ୍କର ତୃତୀୟ ପୁତ୍ରକୁ ସଦାଶିବ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ । ପିଲାଟି ଅଦ୍ୟାପି ଅଳ୍ପବୟସ୍କ ବାଳକ ଥିଲା । ବୁଢ଼ାଟି ମରିଗଲେ ପିଲାକୁ କିଏ ପାଳିବ ଏବଂ କିଏ ଏତେ ଧନ ସମ୍ଭାଳି ରଖିବ ଏହି ଭାବନାରେ ବୃଦ୍ଧର ବିବାହ କରିବାକୁ ମନ ଗଲା । ମାତ୍ର ଏପରି ବୁଢ଼ାକୁ ଝିଅ ଦେଉ’ଛି କିଏ ? ଖୋଜି ଖୋଜି ଅବଶେଷରେ ଜଣେ ଦୁଃଖିଲୋକ ଧନ-ଲୋଭ ଏବଂ ଝିଅଟି ଖାଇପିଇ ଉତ୍ତମରେ ନିର୍ବାହ ହୋଇପାରିବା ବିବେଚନାରେ ସଦାଶିବଙ୍କୁ ଝିଅ ଦେବାକାରଣ ସମ୍ମତ ହେଲେ । ସଦାଶିବଙ୍କର ଏହିରୂପେ ଦ୍ୱିତୀୟ ବିବାହ ହେଲା-। ଦ୍ୱିତୀୟା ସ୍ତ୍ରୀକୁ ସେ ଆପଣା ଜୀବନରୁ ଅଧିକ ଦେଖି ପାରୁଥିଲେ ଏବଂ ଦ୍ୱିତୀୟା ସ୍ତ୍ରୀ ମଧ୍ୟ ପୌଷ୍ୟପୁତ୍ରକୁ ଆପଣା ପୁତ୍ରପ୍ରାୟ ସ୍ନେହ କରୁଥିଲେ । ଏହିରୂପେ ଦୁଇବର୍ଷ ଗତ ହେଲା । ଏମନ୍ତ ସମୟରେ ହଠାତ୍‌ ମୃତ୍ୟୁ ଉପସ୍ଥିତ ହୋଇ ସଦାଶିବଙ୍କୁ ଇହଲୋକରୁ ଘେନି ଚାଲିଗଲା । ଅଦ୍ୟାପି ଦ୍ୱିତୀୟା ଭାର୍ଯ୍ୟାର ଅପ୍ରାପ୍ତ ବୟସ୍କାତ୍ୱ ଉତ୍ତୀର୍ଣ୍ଣ ହୋଇନାହିଁ । ଅଦ୍ୟାପି ପୋଷ୍ୟପୁତ୍ର ଅପ୍ରାପ୍ତ ବ୍ୟବହାର ଅଛି । ସଦାଶିବଙ୍କ ମାମୁ ବିଚାରିଲେ–ଦ୍ୱିତୀୟା ଭାର୍ଯ୍ୟାର ପିତା ନିତାନ୍ତ ଦୁଃଖୀ, ତାହା ପ୍ରତି ବୁଝା ସୁଝାର ଭାର ଦେଲେ ସେ ସବୁ ଖାଇଯିବ, ସୁତରାଂ ଗୋବର୍ଦ୍ଧନଙ୍କ ପରାମର୍ଶରେ ନିଜେ ବୁଝାସୁଝା କରିବାର ଭାର ନେଇ ଦରବାର ଆଶ୍ରୟରେ ସମୁଦାୟ ସମ୍ପତ୍ତି ହସ୍ତଗତ କଲେ ଓ ପୋଷ୍ୟପୁତ୍ରକୁ ଆପଣା ନିକଟରେ ରଖିଲେ । ତେଣେ ବିଧବା ଭାର୍ଯ୍ୟାର ଖାଇବାକୁ କିଛି ନାହିଁ ତହିଁକି ଲେଶମାତ୍ର ଦୃଷ୍ଟିପାତ କଲେ ନାହିଁ ।

 

ଏହା ଦେଖି ନାନା ଲୋକେ ନାନା କଥା କହିବାକୁ ଆରମ୍ଭ କଲେ ଏବଂ ପରିଶେଷରେ ଲୋକଙ୍କର ଗଞ୍ଜନା ସହି ନ ପାରି ବୁଝାସୁଝା କରିବାର ଭାର ତ୍ୟାଗ କରିବାକୁ ମନସ୍ଥ କଲେ । ନିଜେ ଯେ କିଛି ସମ୍ପତ୍ତି ଆତ୍ମସାତ୍‌ କରି ନ ଥିଲେ ଏପରି ବୋଲାଯାଇ ନ ପାରେ । ଯାହା ହେଉ ଗୋବର୍ଦ୍ଧନ ସମୟ ବୁଝି ଦରବାରରେ ଆବେଦନ କରି ଆପେ ବୁଝାସୁଝା କରିବାର ଭାର ଘେନି ପୁତ୍ରକୁ ନିଜ ଘରକୁ ଆଣିଲେ ଏବଂ ଧୀବର ଥୋପ ମେଲି ମାଛ ଧରିଲାପ୍ରାୟ ଏହି ଉପାୟରେ ବହୁ ଅର୍ଥଲାଭ ହେବା ଦେଖି ପରମାନନ୍ଦ ପ୍ରାପ୍ତ ହେଲେ । ମାତ୍ର ତେଣେ ଯେ ସଦାଶିବଙ୍କ ବିଧବା ଭାର୍ଯ୍ୟା ଖାଇବାକୁ ନ ପାଇ ଘନ ଘନ ଦୀର୍ଘନିଶ୍ୱାସ ପକାଇ ଭିକାରୀର ବେଶ ଧାରଣ କରି ଦ୍ୱାର ଦ୍ୱାର ହୋଇ ଅନ୍ନନିମିତ୍ତ ବୁଲୁଅଛି ତହିଁକି କେବେ ହେଲେ ଦୃଷ୍ଟି ପକାଉ ନାହାନ୍ତି–ତାହାକୁ ଆଶ୍ରୟ ଦେବା କଥା ଅବା କି ବୋଲିବୁଁ ? ହାୟ ହାୟ ! ଲୋଭରେ ପଡ଼ି ପିତା ସିନା କନ୍ୟାକୁ ଏ ରୂପରେ ଭସାଇ ଦେଇଥିଲା ! କେତେ ଆଶାର ସ୍ୱପ୍ନ ଦେଖି କେତେ କଳ୍ପନାର ଛବି ମନେ ମନେ ଅଙ୍କିତ କରି ସେ ସଦାଶିବଙ୍କୁ ଝିଅ ଦେଇଥିଲା–ସେ କି ଜାଣିଥିଲା ଚରମରେ ଏଫଳ ଫଳିବ !

 

ସଦାଶିବଙ୍କ ବିଧବା ଭାର୍ଯ୍ୟା ଏହିରୂପେ ସଂସାରାର୍ଣ୍ଣବର ଭୀଷଣ ତରଙ୍ଗରେ ପଡ଼ି ଆଘାତ ପ୍ରତିଘାତ ଖାଇ କିରୂପେ ଜୀବନ ଯିବ ତହିଁନିମିତ୍ତ ଈଶ୍ୱରଙ୍କୁ ଡାକି ପାଗଳିନୀ ପ୍ରାୟ ପୃଥିବୀରେ ବିଚରଣ କଲେ ! କେତେ ଲୋକ ତାଙ୍କ ନିମିତ୍ତ ଅନ୍ନବସ୍ତ୍ରର ସଂସ୍ଥାନ କରିଦେବା କାରଣ ଗୋବର୍ଦ୍ଧନଙ୍କୁ କେତେପ୍ରକାର ଅନୁନୟ ବିନୟ କରି କହିଲେ, ମାତ୍ର ଗୋବର୍ଦ୍ଧନଙ୍କ ମନ ତହିଁରେ ଆଦୌ ଟଳିଲା ନାହିଁ । ତାଙ୍କର ଜଘନ୍ୟ କାର୍ପଣ୍ୟ ଲୋକଙ୍କୁ ଅସନ୍ତୁଷ୍ଟ କରି ରଖିଥିଲା, ତହିଁଉପରେ ପୁଣି ସଦାଶିବଙ୍କ ଭାର୍ଯ୍ୟାଙ୍କ କଥା ନ ବୁଝିବାରୁ ଲୋକେ ତାହାଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଗଲେ । ବେଳପାଇଲେ ତାଙ୍କୁ ଦୁଇଖଣ୍ଡ କରିଦେବେ ଏତେସରିକି ଲୋକେ ଚିଡ଼ି ଯାଇଥିଲେ, ମାତ୍ର ଦରବାରକୁ ଭୟକରି ସେ କ୍ରୋଧ ମନେ ମନେ ପୋଷି ରଖିଲେ ।

 

ବିଧାତାଙ୍କ ଲୀଳା କିଏ ବୁଝିବ ? ସମସ୍ତ ଲୋକର ଯେ ଦୟାର ପାତ୍ର ତାଙ୍କୁ ଯେ କାହିଁକି ଅନ୍ନ ମିଳୁନାହିଁ ଏବଂ ଯେ ଅତୁଳ ବିଭୂତିର ଅଧିକାରିଣୀ ଥିଲା ସେ ଯେ କାହିଁକି ‘ହା ଦୈବ ହା ଦୈବ’ ହୋଇ ଭିକାରିଣୀ ପ୍ରାୟ ବିଚରଣ କରୁଅଛି ଏହା କିଏ କହିପାରେ ? ଗୋବର୍ଦ୍ଧନ ତ ଏହିପରି ? ତାଙ୍କର ଭାର୍ଯ୍ୟା କଉତୁକୀ ଏକେ କୁଟିଳ ସଂସାରରେ ବଢ଼ିଥିଲେ । ତହିଁଉପରେ ପୁଣି ଘୋର କୁଟିଳ ସ୍ୱାମୀ ସହବାସରେ ଏମନ୍ତ କଠିନମନା ହୋଇ ଯାଇଥିଲେ ଯେ ସଦାଶିବଙ୍କ ବିଧବା ଭାର୍ଯ୍ୟାର ଅଳଙ୍କାରମାନ ପିନ୍ଧି ତାଙ୍କୁ ଦେଖିଲେ ଗାଳିମନ୍ଦ ଦେଇ ତଡ଼ି ଦେଉଥିଲେ । ଭିକାରିଣୀ କିଛି ନ କହି ଦୀର୍ଘନିଶ୍ୱାସ ପକାଇ ଅଶ୍ରୁତ୍ୟାଗ କରୁ କରୁ ସେଠାରୁ ଚାଲି ଯାଉଥିଲେ ।

 

ଦେଖୁଁ ଦେଖୁଁ ଗୋବର୍ଦ୍ଧନଙ୍କର ଗୋଟି ଗୋଟି ହୋଇ ତିନିପୁତ୍ର କାଳକବଳରେ ପତିତ ହେଲେ । ସମସ୍ତେ କହିଲେ ବିଧବାର ଦୀର୍ଘନିଶ୍ୱାସରୁ ଏଫଳ ଗୋବର୍ଦ୍ଧନଙ୍କୁ ଘଟିଅଛି । ତଥାପି ଗୋବର୍ଦ୍ଧନଙ୍କ ମନ ଟଳିଲା ନାହିଁ । ସେତ ସମୁଦାୟ ସମ୍ପତ୍ତି ସ୍ୱର୍ଗକୁ ସଙ୍ଗେ ଘେନି ଯିବାର ପାଞ୍ଚ କରିଥିଲେ, ସଦାଶିବଙ୍କ ବିଧବା ଭାର୍ଯ୍ୟାଙ୍କୁ କାହିଁକି କିଛିଦେବେ !

 

ଏହିପରି କଠିନ ସଂସାରରେ ବିଚରଣ କରୁ କରୁ ସଦାଶିବଙ୍କ ବିଧବା ଭାର୍ଯ୍ୟା ନିତାନ୍ତ କ୍ଷୀଣା ହୋଇଗଲେ । ଜୀର୍ଣ୍ଣବସ୍ତ୍ର ଖଣ୍ଡିକ ଲଜ୍ଜା ଢାଙ୍କିବାକୁ ସୁଦ୍ଧା ଆଉ ସମର୍ଥ ହେଲାନାହିଁ । ମନ ନିତାନ୍ତ ବିକୃତ ହୋଇଗଲା ଏବଂ ଅବଶେଷରେ ଦିନେ ପ୍ରାତଃକାଳରେ ଦେଖାଗଲା ଯେ ଗୋବର୍ଦ୍ଧନଙ୍କ ଦାଣ୍ଡଦୁଆରେ ସେ ଗଳାରେ ଫାଶୀଦେଇ ଇହଲୋକରୁ ଚାଲି ଯାଇଅଛନ୍ତି !!

 

ହା ବିଧାତଃ ! ଏହା ମନେ କଲାବେଳକୁ ହୃଦୟ ବିଦୀର୍ଣ୍ଣ ହୋଇ ଯାଉଅଛି ! ସଂସାରରେ କି ଅପୂର୍ବଶିକ୍ଷା ଦେବା ନିମିତ୍ତ ଏ ଅଭିନୟ ଭିଆଇଲ ? ହାୟ ହାୟ ! ଯେତେବେଳେ ସଂସାରର ସମସ୍ତ ଯନ୍ତ୍ରଣା ନିବାରଣ କରିବା ମନେକରି ସେ ବେକରେ ଦଉଡ଼ି ଲଗାଉଥିବେ ସେତେବେଳେ ତାଙ୍କ ମନ କି ନୋହିଥିବ ! ଯେ ଅତୁଳ ଧନଶାଳୀ ସ୍ୱାମୀର କ୍ରୋଡ଼ରେ ଅଶେଷସୁଖକାମନାରେ ଶୟନକରି କେତେପ୍ରକାର ଭାବି ସୁଖର ସୁସ୍ୱପ୍ନ ସନ୍ଦର୍ଶନ କରୁଥିଲେ, ତାଙ୍କର କି ଏହିରୂପେ ଜୀବନ ଶେଷ ହେବାର ଥିଲା ! ଅନ୍ୟ ରୂପରେ କି ତାଙ୍କୁ ଏ ପ୍ରକାଣ୍ଡ ଜଗତରେ ସ୍ଥାନ ମିଳିଲା ନାହିଁ ! ହାୟ ! ହାୟ ! ଅଧିକ ଆଉ କି କହିବୁଁ ! ହୃଦୟ ଫାଟିଯାଉଅଛି ! ବିଧାତଃ ! ତୁମ୍ଭେ ଅନନ୍ତଲୀଳାମୟ ! ତୁମ୍ଭର ଲୀଳା ତୁମ୍ଭେ ବୁଝ ! କ୍ଷୁଦ୍ରାତ୍‌କ୍ଷୂଦ୍ର ମନୁଷ୍ୟ ହୋଇ ଆମ୍ଭେମାନେ ତାହା କାହୁଁ ବୁଝିପାରିବୁଁ ? ପାଠକେ ! ଗୋବର୍ଦ୍ଧନ ଓ କଉତୁକୀଙ୍କ ପରି ଜୀବ ଆପଣମାନେ ସଂସାରରେ ଦେଖିଅଛନ୍ତି କି ? ଅନନ୍ତଲୀଳାମୟ ଈଶ୍ୱରଙ୍କ ସୃଷ୍ଟିରେ ଏଥିର ସୃଷ୍ଟି କାହିଁକି ନ ଥିବ ? ଏହା ନିଷ୍ଠୁରତା ଓ ଅମନୁଷ୍ୟତାର ଚରମସୀମା । ଲୋକେ ଏମାନଙ୍କ ଉପରେ ଆଗହୁଁ ଜ୍ୱଳି ରହିଥିଲେ । ସଦାଶିବଙ୍କ ଭାର୍ଯ୍ୟାର ଏରୂପରେ ପରିଣାମ ହେବାରୁ ସେମାନେ କ୍ରୋଧରେ ଦ୍ୱିଗୁଣ ଜଳି ଉଠିଲେ । ଏତେ ହେଲେ ସୁଦ୍ଧା ଗୋବର୍ଦ୍ଧନ କି ତାଙ୍କ ଭାର୍ଯ୍ୟାଙ୍କର କିଛି ପରିବର୍ତ୍ତନ ହେଲା ନାହିଁ । ପରିବର୍ତ୍ତନ ହେଲା କେବଳ ଜଣକର । ସେ ଗୋବର୍ଦ୍ଧନଙ୍କ କନ୍ୟା । ପଙ୍କରୁ ପଦ୍ମ ଜାତ ହେଲା ପ୍ରାୟ ସେ କୁଟିଳ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ପଙ୍କରେ ବଢ଼ିସୁଦ୍ଧା ପଦ୍ମ ଅପୂର୍ବ ଗୁଣ ଧାରଣ କଲାପ୍ରାୟ ସେ କୁଟିଳ ପରିବାରରେ ବଢ଼ି ସୁଦ୍ଧା ଈଶ୍ୱରେଚ୍ଛାରେ ଅପୂର୍ବ ଗୁଣବତୀ ହୋଇଥିଲେ । ପଦ୍ମ ପ୍ରାୟ ସୁଲଳିତ କୋମଳ ଶରୀର । ପଦ୍ମକେଶର ପ୍ରାୟ କୋମଳ ମନ । ପଦ୍ମପରିମଳ ପ୍ରାୟ ଗୁଣରାଶି ଚତୁର୍ଦ୍ଦିଗରେ ଚହଟି ପଡ଼ିଅଛି । ଅଧିକ କି କହିବୁଁ ସେତ କୁଟିଳତା ପଙ୍କସଙ୍କୁଳ ସଂସାର ଜଳରେ ପ୍ରସ୍ଫୁଟିତା ପଙ୍କଜିନୀ । ସଦାଶିବଙ୍କ ଭାର୍ଯ୍ୟାର ଦୁଃଖରେ ଏହାଙ୍କ ମନ ତରଳି ଯିବା ବିଚିତ୍ର ନୁହେ । ତହିଁରେ ପୁଣି ପିତାମାତାଙ୍କର ଦୁବ୍ୟବହାର ଦେଖି ମନସ୍ୱତଃ ସେହି ଭିକାରିଣୀପ୍ରତି ଅଧିକତର ସହାନୁଭୂତି ଅନୁଭବ କରିଥିଲା । ଲୁଚାଇ ଲୁଚାଇ ଅନେକ ସମୟରେ ସଦାଶିବଙ୍କ ବିଧବାଭାର୍ଯ୍ୟା ଭିକାରିଣୀକି ସାହାଯ୍ୟ କରିଥିଲେ ମାତ୍ର ତହିଁରେ କି କାହାରି ଦିନ ସରେ ? ପିତାମାତାଙ୍କ ଏପରି ବ୍ୟବହାରରେ ସେ ନିତାନ୍ତ ବିରକ୍ତ ଥିଲେ ଏବଂ ଅନେକ ସମୟରେ ସେମାନଙ୍କ ମତର ବିପରୀତ କଥାମାନ କହି ପ୍ରଭୂତ ଗାଳିମନ୍ଦ ଖାଉଥିଲେ । ସେ ବିରକ୍ତ ମନଃ ସଦାଶିବଙ୍କର ଭିକାରିଣୀ ଭାର୍ଯ୍ୟାର ଏପରି ପରିମାଣ ଆନ୍ଦୋଳନ କରି ପିତାମାତାଙ୍କ ଉପରେ ଅତ୍ୟନ୍ତ କୁପିତ ହେଲା, ମାତ୍ର କିଛି କରିବାର ଶକ୍ତି ନାହିଁ । ଧର୍ମ ସୁମରି ମନେ ମନେ, ଠିକ୍‌କରି ରଖିଲେ ଏମାନଙ୍କୁ ଧାତା ଦିନେ ସମୁଚିତ ପ୍ରତିଫଳ ଦାନ କରିବେ । ପାଠକେ ! ଏହି ସୁଶୀଳା ସୁନ୍ଦରୀ ଆପଣମାନଙ୍କର ରସକଳା ଏବଂ ଏହି ରମଣୀ ପୌଷପୂର୍ଣ୍ଣିମା ରାତ୍ରରେ ରୋଷନୀ ଦେଖିବା ଅଭିଳାଷରେ କଳାବତୀଙ୍କ ନିକଟରେ ଶୋଇବା ନିମନ୍ତେ ଭୋଜନାନ୍ତେ ତାକୁ କବାଟ ଖୋଲି ଦେବା କାରଣ ଡାକୁଥିଲେ ।

Image

 

ଦ୍ୱାଦଶ ପରିଚ୍ଛେଦ

ଭାଣ୍ଡେଶ୍ୱର

 

ପାଠେକ ବୋଧହୁଏ ଅନୁମାନ କରିଥିବେ ବୁଢ଼ାଲିଙ୍ଗ ନିକଟସ୍ଥ ପାଟଳୀ ବୃକ୍ଷମୂଳରେ ବସି ପୂର୍ବୋକ୍ତ ଲୋକଟି ଆଗନ୍ତୁକ ସଙ୍ଗରେ ଯେଉଁ ଦାସଙ୍କ କଥା ପକାଇଥିଲା ସେ ପୂର୍ବପରିଚ୍ଛେଦୋକ୍ତ ଗୋବର୍ଦ୍ଧନ ଦାସ ଏବଂ ସେମାନେ କଥାବାର୍ତ୍ତା ହେଉଁ ହେଉଁ ସେଠାରେ ଯେଉଁ ନୌକା ପହୁଞ୍ଚିଲା ତାହା ରଘୁନାଥ ପଟ୍ଟନାୟକଙ୍କର । ଏ ଅନୁମାନ ସତ୍ୟ ଅଟେ । ପ୍ରୋକ୍ତା ଆଗନ୍ତୁକ ମଧ୍ୟ ପାଟଳୀ-ମୂଳସ୍ଥ ଲୋକକୁ ଯେ କୁଜଙ୍ଗର ଭୂୟାଁ ବୋଲି ଅନୁମାନ କରିଥିଲା ତାହା ସୁଦ୍ଧା ଯଥାର୍ଥ ଅଟେ । ସର୍ଦ୍ଦାର ସିଂହ ଏ ଅଞ୍ଚଳକୁ ଆସି ‘ନଟ’ର ସମୁଦାୟ ଉଦ୍ୟୋଗ କରିଦେଇ ସେ ଲୋକଟିକୁ ସେଠାରେ ରଖିଯାଇଥିଲେ । ଲୋକ ଜଗାଇ ରଖିବାର ଅଭିପ୍ରାୟ ମଧ୍ୟ ଥିଲା । ଯଦି କେତେବେଳେ ଡକାଇତଙ୍କ ଅଭିମତ କିମ୍ବା ପ୍ରତିକୂଳାଚରିତ କୌଣସି ଘଟନା ଘଟିଯାଏ ତାହା ହେଲେ ନୌକା ନଦୀରେ ଯାଉଁ ଯାଉଁ ସମୟମତ ସେମାନେ ସମ୍ବାଦ ପାଇ ଉପଯୁକ୍ତ ଉପାୟ ଅବଲମ୍ବନ କରିବେ ।

 

ରଘୁନାଥ ପଟ୍ଟନାୟକ ନୌକାରୁ ଓହ୍ଲାଇବା ମାତ୍ରକେ ଲୋକଟିକି ନାଟର ସମୁଦାୟ ସମ୍ବାଦ ପଚାରିନେଲେ । ଲୋକଟି ସେ ବିଷୟର ବକ୍ତବ୍ୟ ଶେଷକରି ଆଗନ୍ତୁକ ସଙ୍ଗେ ଯେଉଁ କଥାବାର୍ତ୍ତା ହୋଇଥିଲା ତାହା ମଧ୍ୟ ବ୍ୟକ୍ତ କଲା । ରଘୁନାଥ ପଟ୍ଟନାୟକ ସେ କଥା ଶୁଣି ପରମ ଆପ୍ୟାୟିତ ହେଲେ ଏବଂ ସମସ୍ତଙ୍କୁ ରୁଣ୍ଡକରି ସେ ସମୟର କାର୍ଯ୍ୟସାଧନ ନିମିତ୍ତ ଯଥାଯଥ ଆଦେଶ ପ୍ରଦାନ କଲେ । ଆଦେଶ ପାଇବା ମାତ୍ରକେ ଡକାଇତମାନେ ଭିନ୍ନ ଭିନ୍ନ ଦଳରେ ବିଭକ୍ତ ହୋଇ ନିର୍ଦ୍ଦିଷ୍ଟ ସ୍ଥାନକୁ ଭିନ୍ନ ଭିନ୍ନ ମାର୍ଗରେ ଅଗ୍ରସର ହେଲେ ।

 

ପାଠକେ ? କ୍ଷଣକାଳ ନିମିତ୍ତ ଏମାନଙ୍କୁ ଛାଡ଼ି ଭାଣ୍ଡେଶ୍ୱର ନିକଟକୁ ଚାଲନ୍ତୁ । ସେଠାରେ ପୌଷପୂର୍ଣ୍ଣିମା ରାତ୍ରରେ ଭାରୀ ଆୟୋଜନ ଲାଗିଅଛି । ପୌଷପୂର୍ଣ୍ଣିମାର ରାତ୍ରି ବୋଲି ଯେ ଆୟୋଜନ ଲାଗିଅଛି ଏପରି ନୁହେ କାରଣ ପୂର୍ବେ କେବେ ଏ ରାତ୍ରରେ ଏଠାରେ କୌଣସି ଆୟୋଜନ ଦେଖାଯାଇ ନାହିଁ । ଆଜି କିନ୍ତୁ ସନ୍ଧ୍ୟା ସମୟରୁ ଏଠାରେ ଫୁଲ ଫାନସ ଇତ୍ୟାଦି କୁହାକୁହି ଲାଗିଅଛି ଏବଂ ସେହି ସମୟରୁ ସେ ଅଞ୍ଚଳରେ ଚହଳ ପଡ଼ିଯାଇଅଛି ଯେ ସୁବାଦାରଙ୍କ ଅଭିଷେକର ରୋଷନୀ ହେବ ।

 

ନବଗ୍ରାମର କିଞ୍ଚିତ୍‌ ତଳକୁ ମହାନଦୀର ଏକ ଘାଟ ଅଛି । ତାହା ପାଣ୍ଡବଘାଟ ନାମରେ ବିଖ୍ୟାତ । ମୋଫସଲର ନାନାସ୍ଥାନରେ ଏହିପରି ପାଣ୍ଡବଘାଟ ବିଦ୍ୟମାନ ଅଛି ଏବଂ କଥିତ ହୁଏ ପାଣ୍ଡବମାନେ ନିର୍ବାସିତ ହୋଇ ବନବାସ କରୁଥିବା ସମୟରେ ଯେଉଁ ଯେଉଁ, ଘାଟରେ ନଦୀପାରି ହୋଇ ଯାଇଥିଲେ ତାହା ପାଣ୍ଡବଘାଟ ନାମ ଧାରଣ କରିଅଛି । ଜନପ୍ରବାଦର ସତ୍ୟ ମିଥ୍ୟା ନିର୍ଣ୍ଣୟ କରିବା ସହଜ କଥା ନୁହଇ ମଧ୍ୟ ତାହା ନିର୍ଣ୍ଣୟ କରିବାକୁ ଶ୍ରମ ସ୍ୱୀକାର କରିବାରେ କୌଣସି ପ୍ରୟୋଜନ ନାହିଁ । ସେଠାଲୋକେ ସେ ପ୍ରବାଦକୁ ଅତ୍ୟନ୍ତ ବିଶ୍ୱାସ କରନ୍ତି । କେହି ତହିଁ ବିରୁଦ୍ଧରେ ପଦେ କଥା କହିବାକୁ ଗଲେ ଲୋକେ ତାକୁ ଚାରିଆଡ଼ୁ ଘେରିଯାଇ ଲଣ୍ଡଭଣ୍ଡରେ ପକାଇବେ । ଯାହାହେଉ ଭଗବାନ୍‌ ବ୍ୟାସଦେବଙ୍କ ମହାଭାରତ ଏତଦ୍ଦ୍ୱାରା ଯେ ଲୋକଙ୍କର ସ୍ମୃତିପଥାରୂଢ଼ ହୋଇ ରହିଅଛି ଏଥିରେ ସନ୍ଦେହ ନାହିଁ ।

 

ଏହି ପାଣ୍ଡବଘାଟର କିଛିଦୂର ଦକ୍ଷିଣକୁ ଭାଣ୍ଡେଶ୍ୱର ବିରାଜିତ ଅଛନ୍ତି । ନବଗ୍ରାମର ଦକ୍ଷିଣକୁ ଯେଉଁ ବିସ୍ତୀର୍ଣ୍ଣ ପ୍ରାନ୍ତର ଅଛି ଭାଣ୍ଡେଶ୍ୱର ମହାଦେବଙ୍କ ଅଧିଷ୍ଠାନ ହେତୁ ତାହାର ମର୍ଯ୍ୟାଦା ବୃଦ୍ଧି ହୋଇଅଛି । ଓଡ଼ିଶାର ଅନ୍ୟାନ୍ୟ ଅନେକ ଦେବତାଙ୍କ ପ୍ରାୟ ଏ ମହାଦେବଙ୍କର ମଧ୍ୟ ଏ ସ୍ଥାନରେ ଆବିର୍ଭାବ ହେବାର ପ୍ରସଙ୍ଗ ବହୁକାଳରୁ ଲୋକମୁଖରେ ଚଳିଆସୁଅଛି । କଥିତ ହୁଏ ପାଣ୍ଡବଙ୍କ ଜ୍ୟେଷ୍ଠ ଯୁଧିଷ୍ଠିର ଅତ୍ୟନ୍ତ ଶିବଭକ୍ତ ଥିଲେ । ସ୍ନାନ ଉତ୍ତାରୁ ମହାଦେବଙ୍କ ପୂଜା ନ କଲେ ସେ ଜଳପାନ କରୁ ନ ଥିଲେ । ନିର୍ବାସିତ ସମୟରେ ପାଣ୍ଡବଘାଟରେ ମହାନଦୀରେ ସ୍ନାନ କରି ଦେଖିଲେ ଯେ ସେଠାରେ ମହାଦେବଙ୍କର ଆସ୍ଥାନ ନାହିଁ । ତହୁଁ ଭ୍ରାତା ଓ ଦ୍ରୌପଦୀଙ୍କ ସହିତ କିଛିଦୂର ଦକ୍ଷିଣକୁ ଗଲାରୁ କ୍ଷୂଧାତୃଷାରେ କ୍ଳାନ୍ତ ହୋଇପଡ଼ିଲେ । ଭୀମ ଏହାଦେଖି ନିକଟବର୍ତ୍ତୀ କ୍ଷୂଦ୍ରକ୍ଷୂଦ୍ର ବୁଦାମାନଙ୍କରେ ଅବା ମହାଦେବଙ୍କ ଆସ୍ଥାନ ଥାଇପାରେ ଏହା କହି ତହିଁର ଅନ୍ୱେଷଣରେ ବାହାରି ଗୋଟିଏ ଭାଣ୍ଡ ଆଣି ମାଟିରେ ପୋତି ଭାଇଙ୍କି ମହାଦେବ ବୋଲି ପୂଜା କରିବା କାରଣ କହିଲେ । ସତ୍ୟନିଷ୍ଠ ଯୁଧିଷ୍ଠିରଦେବ ସେହିକଥାରେ ବିଶ୍ୱାସକରି ଭାଣ୍ଡକୁ ମହାଦେବଜ୍ଞାନରେ ପୂଜା କଲେ । ପୂଜା ସମାପନାନ୍ତେ ପାଣ୍ଡବମାନେ ଭୋଜନାଦି ସାରି ସେଠାରୁ ବାହାରିଯିବା ସମୟରେ ଭୀମ ଗଦାରେ ଭାଣ୍ଡକୁ ଏକପ୍ରହାର କଲେ । ଭାଣ୍ଡ ଭାଙ୍ଗିଗଲା ମାତ୍ର ସଙ୍ଗେ, ମହାଦେବମୂର୍ତ୍ତି ଶକ୍ତି ସହିତ ଆବିର୍ଭୂତ ହେଲେ । ଶକ୍ତି ପାତାଳଫୁଟା ।

 

ଅନେକକାଳ ସେହି ପ୍ରାନ୍ତରଗତ କ୍ଷୂଦ୍ର ଅରଣ୍ୟରେ ଛାୟାହୀନ ଅବସ୍ଥାରେ ରହିଲା ପରେ କେହି ଭକ୍ତ ଗୋଟିଏ କ୍ଷୂଦ୍ରମନ୍ଦିର ନିର୍ମାଣ କରିଦେଇଅଛି । ନିକଟରେ ଗୋଟିଏ କ୍ଷୂଦ୍ର ପୁଷ୍କରିଣୀ ଅଛି । ପ୍ରତିବର୍ଷ ତ୍ରିବେଣୀ ଅମାବସ୍ୟା ଦିନ ଏଠାରେ ଗେଣ୍ଡାଗୁଆଳି ଯାତ୍ରା ହୁଏ । ଅନେକ ସ୍ତ୍ରୀଲୋକ ପୁତ୍ରପ୍ରାପ୍ତି କାମନାରେ ଏଠାରେ ରୁଣ୍ଡହୋଇ ସେହି ପୁଷ୍କରିଣୀକୁ ସ୍ନାନ କରିବାକୁ ଯାଇ ମୁଣ୍ଡ ବୁଡ଼ାଇ ଗେଣ୍ଡା ଅବା ଗୁଆ ଯାହା ପାଇବେ ଗିଳିଦେଇ ମହାଦେବଙ୍କ ଦର୍ଶନ କରନ୍ତି । ଭାଣ୍ଡେଶ୍ୱର ମହାଦେବ ଏହି ଯାତ୍ରା ହେତୁ ସେଠାରେ ପ୍ରଧାନ୍ୟ ଲାଭ କରିଅଛନ୍ତି ଏବଂ ବିଶ୍ୱାସ ଓ ସତ୍ୟନିଷ୍ଠାରୁ ଅମୂଲ୍ୟଫଳ ଲାଭ ହେବାର ପ୍ରକୃଷ୍ଟ ଉଦାହରଣ ଲୋକଙ୍କୁ ଭୁଲାଇ ରଖିଅଛି ।

 

ଆମ୍ଭମାନଙ୍କ ପୂର୍ବକଥିତ ଆଗନ୍ତୁକ ଯେଉଁ ଆଲୁଅ ଦେଖି ବୁଢ଼ାଲିଙ୍ଗଙ୍କ ନିକଟରୁ କୁଜଙ୍ଗଭୂୟାଁଙ୍କ ହାତରୁ ତ୍ରାହିପାଇ ଆସିଲା ତାହା ଏହିସ୍ଥାନର ଆଲୁଅ । –ଆଗନ୍ତୁକ ସେଠାରେ ପହୁଞ୍ଚିଲାବେଳକୁ ରୋଷନୀ ଖଞ୍ଜା ପ୍ରାୟ ଶେଷ ହେଲାଣି । ନାନାପ୍ରକାର ଫାନସ, ଗିଲାସ ଏବଂ ସ୍ଥଳକମଳରେ ଆଲୁଅ ଖଞ୍ଜା ହେଉଅଛି । ଅଭ୍ରନିର୍ମିତ ନାନାପ୍ରକାର ଫୁଲମାଳ ଖଞ୍ଜା ହୋଇ ଧାଡ଼ି ଧାଡ଼ି ରଖାଯାଇଅଛି ଏବଂ ପ୍ରତ୍ୟେକ ଗିଲାସ ଫୁଲ ଇତ୍ୟାଦି ଗଛ ନିକଟରେ ଗୋଟିଏ ଲୋକ ଆଦେଶ ପାଇଲା ମାତ୍ରକେ ରୋଷନୀ ଉଠାଇବା କାରଣ ନିଯୁକ୍ତ ଅଛି । ବାଣୁଆ ନାନାପ୍ରକାର ଆତସବାଜୀ ଘେନି ଉପସ୍ଥିତ ଅଛି ମଧ୍ୟ ସେଠାରେ ଏବଂ ବାଟରେ ନାନାପ୍ରକାର ବାଣଗଛ ପୋତା ହୋଇଅଛି; ନାନାପ୍ରକାର ବାଦ୍ୟ ମଧ୍ୟ ଅଣାଯାଇଅଛି ମାତ୍ର ବାଜାଦାରମାନେ ବାଦ୍ୟ ବଜାଉ ନାହାନ୍ତି । ରୋଷନୀ ଉଠିଲେ ବାଦ୍ୟ ବଜାଇବାର ଆଦେଶ ଥିବାରୁ ଢୋଲ ଇତ୍ୟାଦି ଘେନି ସେହି ସମୟର ଅପେକ୍ଷାରେ ବାଦ୍ୟକାରମାନେ ଉତ୍କଣ୍ଠିତ ହୋଇ ରହିଅଛନ୍ତି । ପ୍ରାୟ ସମସ୍ତ ଠିକ୍‌–କେବଳ ସୁବାଦାରଙ୍କ ପାଲିଙ୍କିର ଅପେକ୍ଷା ।

 

ଆଲୁଅ ଖଞ୍ଜା ଶେଷ ହେଲା । ତଥାପି ପାଲିଙ୍କିର ଦେଖାନାହିଁ । ପାଲିଙ୍କି ଆସିବାର ବିଳମ୍ବ ଦେଖି ଲୋକେ ନାନାପ୍ରକାର କଥାବର୍ତ୍ତା କରିବାରେ ପ୍ରବୃତ୍ତ ହେଲେ । କେହି ବାଘଗୋଳ କେହି ଅବା ଡକାଇତଗୋଳରେ ନାଏବଙ୍କ ଅନିଷ୍ଟାଶଙ୍କା କରି କଥାପ୍ରସଙ୍ଗରେ କେତେସ୍ଥାନର କେତେକଥା ପକାଇଲେ–ତଥାପି ପାଲିଙ୍କିର ଦେଖାନାହିଁ । ଜଣେ ସବଳ ଅଥଚ କ୍ଷୀଣକାୟ ଲୋକ ରୋଷନୀ ସମୁଦାୟ ଖଞ୍ଜା ହୋଇ ସାରିଲାପରେ ପାଲିଙ୍କି ଆସିବାର ବିଳମ୍ବ ଦେଖି ମୁଛରେ ହାତଦେଇ ବଡ଼ ବ୍ୟସ୍ତ ହୋଇ ବୁଲୁଅଛନ୍ତି ଏବଂ ଥରେ ଥରେ ଲୋକଙ୍କୁ ନାନାପ୍ରକାର କଥା ପଚାରି ତାଙ୍କଠାରୁ ଅନିଷ୍ଟସୂଚକ କଥା ଶୁଣି ବିରକ୍ତିଭାବ ପ୍ରକାଶ କରୁଅଛନ୍ତି ।

 

ପ୍ରାୟ ଘଡ଼ିଏ ଗତ ହେଲା । ଏମନ୍ତ ସମୟରେ ଦୂରରୁ ଗୋଟିଏ ମଶାଲ ଦେଖାଗଲା । ମଶାଲ ଦେଖିବା ମାତ୍ରକେ ସେହି କ୍ଷୀଣକାୟ ଲୋକଟି ଆନନ୍ଦରେ ଲମ୍ଫ ପ୍ରଦାନକରି ନାଏବଙ୍କ ଆଗମନ ବାର୍ତ୍ତା ଜ୍ଞାପନପୂର୍ବକ ରୋଷନୀ ଉଠାଇବାକୁ ଆଦେଶ ପ୍ରଦାନ କଲେ ।

 

ସଙ୍ଗେ ସଙ୍ଗେ ରୋଷନୀ ଉଠିଲା । ସଙ୍ଗେ ସଙ୍ଗେ ବାଦ୍ୟ ବାଜିଉଠି ଚତୁର୍ଦ୍ଦିକ କମ୍ପାଇଦେଲା । ସଙ୍ଗେ ସଙ୍ଗେ ଲୋକଙ୍କର ଉତ୍ସାହପୂର୍ଣ୍ଣ ବାକ୍ୟାବଳୀ ତୁମୂଳରୋଳ ଉଠାଇଲା ସଙ୍ଗେ ସଙ୍ଗେ ବମ୍‌ବାଜିଗଛରେ ଅଗ୍ନି ଦିଆଯାଇ ତହିଁରୁ ଆକାଶଭେଦୀ ଧ୍ୱନି ଉଥିତ ହେଲା ଏବଂ ସେହି ଧ୍ୱନି ନୀରବ ହେବା ସଙ୍ଗେ ସଙ୍ଗେ ପାଲିଙ୍କି ଏବଂ ତତ୍‌ସହିତ ଆଶା ସୋଠା ଓ ବନ୍ଧୁକଧାରୀ ପ୍ରାୟ ଦଶଜଣ ଲୋକ ପହୁଞ୍ଚିଯିବାରୁ ରୋଷନୀ ନବଗ୍ରାମ ଆଡ଼କୁ ଗତି ବିସ୍ତାର କଲା ।

Image

 

ତ୍ରୟୋଦଶ ପରିଚ୍ଛେଦ

ପୁଣି ଦୁଇଭଗିନୀ

 

‘ଅପା, କବାଟ ଖୋଲିଦେ–ମୁଁ ଆଇଲିଣି’ । କଳକଣ୍ଠୀ ସରଳା ରସକଳାର ଏ ଅମୃତମୟୀ ବୀଣାଝଙ୍କାର ବିନିନ୍ଦିତ ବାଣୀଝଙ୍କାର ତାଡ଼ିତ ଗତିରେ କଳାବତୀର କର୍ଣ୍ଣକୁହରରେ ପ୍ରବେଶ କରି ହୃଦୟତନ୍ତ୍ରୀରୁ ସ୍ୱରୂପନାଦ ଉଥିତ କଲା । ସଙ୍ଗେ ସଙ୍ଗେ କଳାବତୀର ଶୋକମୟ ସଙ୍ଗୀତ ହୃଦୟତନ୍ତ୍ରୀରୁ ଅପସାରିତ ହୋଇଗଲା ଏବଂ ସ୍ନେହପାତ୍ରୀ ରସକଳାସଙ୍ଗେ କିୟତ୍‌କାଳ କଥାବାର୍ତ୍ତା କରି ଚିତ୍ତବିନୋଦ କରିବା କାରଣ ଅଭିଳାଷ ଜାତ ହେବାରୁ ଶରୀରରେ ବଳ ଜାଗରୂକ ହେଲା । ରସକଳାର ସେ କଥା ଶୁଣି କଳାବତୀ ତତ୍‌କ୍ଷଣାତ୍‌ ଆକ୍ଷିରୁ ବସ୍ତ୍ରାଞ୍ଚଳରେ ଲୁହ ପୋଛି ଦେଇ କବାଟ ଖୋଲି ଦେଲେ ଏବଂ ରସକଳା ଘରଭିତରକୁ ଆସିଲାରୁ ପୁଣି କବାଟ କିଳି ଦେଇ କହିଲେ ‘ରସ ! ଚାଲ ଶୋଇବା । ରୋଷନୀର ତ ଏପର୍ଯ୍ୟନ୍ତ ସୋରଶବଦ ମିଳୁ ନାହିଁ । ଶୋଇପଡ଼ ମୁଁ ଉଠେଇବି ।’ ଏହା କହି ହାତ ଧରିଆଣି ଶଯ୍ୟାରେ ବସି ରସକଳାଙ୍କୁ ଶୁଆଇ ଦେଲାରୁ ସେହି ଉପଧାନରେ ମସ୍ତକ ରକ୍ଷା କରି ନିଜେ ଶୟନ କଲେ ।

 

ହାୟ ! ହାୟ ! ସଂସାରର ଗତି କେଡ଼େ ବିଚିତ୍ର ! ଲୀଳାମୟ ଜଗଦୀଶ୍ୱର ବେଳେ ବେଳେ କେଉଁ କେଉଁ ଲୋକଙ୍କୁ ଆଣି ମିଳାଇ ଦିଅନ୍ତି ବୁଝିବା ମନୁଷ୍ୟର ସାଧ୍ୟାତୀତ । ଅଯତ୍ନପ୍ରସାରିତା ଏକଶଯ୍ୟାରେ ଏକ ଉପାଧାନରେ ମସ୍ତକ ରକ୍ଷା କରି କେଡ଼େ ବିଭିନ୍ନ ଅବସ୍ଥାର ଦୁଇଗୋଟି ରମଣୀ ଏରୂପରେ ଏକତ୍ର ଶୟନ କଲେ । ଘଟନାବୈଚିତ୍ରର କେତେ ବିଭିନ୍ନ କ୍ରୀଡ଼ାକନ୍ଦୁକ ସଂସାରର ବିଚିତ୍ର ଗତିରେ ଗଡ଼ି ଗଡ଼ି ଆସି ରୂପରେ ଏକତ୍ର ଅବସ୍ଥାପିତ ହେଲେ । ଦୁହିଁଙ୍କର ଅବସ୍ଥା ସ୍ୱତନ୍ତ୍ର । ଦୁହିଁଙ୍କର ଅଭିଳାଷ ମଧ୍ୟ ସ୍ୱତନ୍ତ୍ର । ତଥାପି ଦୁହେଁ ପ୍ରିୟସଖୀ । ଉଭୟ ଉଭୟକୁ ଆପଣାପରି ଜ୍ଞାନ କରନ୍ତି । ଉଭୟେ ପରସ୍ପରକୁ ଦଣ୍ଡେ ନ ଦେଖିଲେ ବହୁକାଳ ବିରହ-ଯାତନା-ଭୋଗ କଷ୍ଟକର ଜ୍ଞାନ କରନ୍ତି । ପରସ୍ପରକୁ ଦେଖିଲେ ଉଭୟର ହୃଦୟମଧ୍ୟଗତ ସ୍ନେହତନ୍ତ୍ରୀରୁ ଏକରୂପ ଝଙ୍କାର ନିର୍ଗତ ହୁଏ । ଯେତେ ବ୍ୟବଧାନରେ ଥିଲେସୁଦ୍ଧା ପରସ୍ପର ମନେ ପଡ଼ିଲେ ହୃଦୟତନ୍ତ୍ରୀରୁ ଏକସ୍ୱର ଜାତ ହୁଅଇ । ଆହା ! ଏ ଭାବ କେଡ଼େ ମଧୁର ! ସମ୍ପୂର୍ଣ୍ଣ ପୃଥକ୍‌ ଅବସ୍ଥାଗତ ଦୁଇ ମନୁଷ୍ୟ ଜୀବନ ସ୍ନେହରଜ୍ଜୁରେ ଏଡ଼େ ମଧୁର ଭାବରେ ଟଣାହୋଇ ପୁଣି ଏକତ୍ରାବସ୍ଥିତ ହେବା ବିଧାତାଙ୍କ ଅପୂର୍ବ ସୃଷ୍ଟି-କୌଶଳର ନିଦର୍ଶନ ! ପାଠକେ ! ଏ ଅଭାବନୀୟ ଭାବକୁ ଅନ୍ୟ କେଉଁ ଭାବ ସରି ହେବ କହି ପାରିବେ କି ? ଶୋକାବେଗଜାତ ବିଷୟ-ତରଙ୍ଗରେ କଳାବତୀର ହୃଦୟସାଗର ଅଲ୍ପକ୍ଷଣ ପୂର୍ବେ ଆଲୋଡ଼ିତ ହେଉଥିଲା । ରସକଳାର ଶବ୍ଦ ଶୁଣିଲା ମାତ୍ରକେ ସ୍ନେହରସ ଜାତ ହୋଇ ସେହି ତୈଳରେ ଉଦ୍‌ବେଳିତ ହୃଦୟ ଶାନ୍ତ ହେଲା । ରସକଳା ଆପଣା ମାତାସଙ୍ଗେ ଘରକୁ ଖାଇବାକୁ ଗଲାରୁ ନିଜ ପରିବାରର ନିଷ୍ଠୁର କାହଣୀ ଭାଳୁଭାଳୁ ସଦାଶିବଙ୍କ ବିଧବା ଭାର୍ଯ୍ୟାର କଥା ପ୍ରବଳ ବାତ୍ୟାପ୍ରାୟ ମନରେ ଉଦିତ ହୋଇ ବେଳେ ବେଳେ ହୃଦୟର ଶୋକତନ୍ତ୍ରୀକୁ ଝିଙ୍କି ପକାଉଥିଲା । ଅପାକୁ ଡାକିଲାକ୍ଷଣି ଅପୂର୍ବ ସ୍ନେହବାରି ବୃଷ୍ଟି ହୋଇ ଅନ୍ୟ ସମସ୍ତଭାବ ଭସାଇ ଦେଲା । ସ୍ନେହାବେଗରେ ଦୁହେଁ ଏକ ହୋଇ ଗଲେ । ଆଉ କଳାବତୀ ଓ ରସକଳାର ପାର୍ଥକ୍ୟ ରହିଲା ନାହିଁ । ହୃଦୟର ଦ୍ୱାର ଖୋଲିବା ସଙ୍ଗେ ସଙ୍ଗେ ଘରର ଦ୍ୱାର ଖୋଲିଗଲା । ପରକ୍ଷଣରେ କଳାବତୀର କୋମଳ ହସ୍ତଚାଳନରେ କ୍ରୀଡ଼ାପୁତ୍ତଳିକାପରି ରସକଳା ଚାଳିତା ହୋଇ ଶଯ୍ୟାରେ ଶାୟିତା ହେଲେ ଏବଂ ସେହି ସ୍ନେହାବେଗ କଳାବତୀଙ୍କି ରସକଳାର ପାର୍ଶ୍ୱରେ ଶୁଆଇଲା । ବାହାରକୁ ଦେଖାଗଲା ଦୁଇ ଶରୀର ଶଯ୍ୟାରେ ଶାୟିତ ଅଛି ମାତ୍ର ତତ୍‌କ୍ଷଣରେ ହୃଦୟ ଆନ୍ଦୋଳନ କରି ଦେଖିବାରେ ଗୋଟିଏ ବସ୍ତୁ ଶଯ୍ୟାରେ ପଡ଼ିଥିବା ଅନୁଭୂତ ହେଲା । ସ୍ନେହର ଏ ଅପୂର୍ବ ବିଧାନ, ସୃଷ୍ଟିର ଏ ପରମ ନୈପୁଣ୍ୟ, ବିଧାତାଙ୍କର ଏ ଅପୂର୍ବଲୀଳା ଦେଖିବାକୁ କେଡ଼େ ଚମତ୍କାର ! ତହିଁକି ସେ ଘରେ ସାକ୍ଷୀ ରହିଲା ଏକମାତ୍ର କ୍ଷୀଣ ପ୍ରଦୀପ ।

 

ଘରେ ଯେଉଁ ପ୍ରଦୀପ ଜଳୁଥିଲା ରସକଳା ଆସିବା ଅପେକ୍ଷାରେ କଳାବତୀ ତାହାକୁ ଲିଭାଇ ନ ଥିଲେ । ତହିଁରୁ କ୍ଷୀଣ ଆଲୋକ ଯାହା ବାହାରୁଥିଲା ତାହା ସମୟୋଚିତ ଅଟଇ । ରସକଳା ଚିତ୍ରପୃତ୍ତଳିକାପରି କଳାବତୀଙ୍କ କର୍ତ୍ତୃକ ଚାଳିତ ହୋଇ ଶଯ୍ୟାରେ ଶୟନ କଲେ । ମାତ୍ର ଉପାଧାନରେ ମସ୍ତକ ରକ୍ଷା କଲାବେଳକୁ ତାହା ଓଦା ଲାଗିଲା । ମୁଖ ଉଠାଇ ଦେଖିଲେ କଳାବତୀଙ୍କର ଚକ୍ଷୁଦ୍ଦ୍ୱୟର ପ୍ରାନ୍ତ ଭାଗରେ, ଅଦ୍ୟାପି ଲୋତକ ପୋଛାହେବାର ଚିହ୍ନ ବିଦ୍ୟମାନ ଅଛି । କଳାବତୀ ଉପାଧାନରେ ମସ୍ତକ ରକ୍ଷା କରିଥିଲେ ମାତ୍ର ଚକ୍ଷୁବୁଜି ନ ଥିଲେ । ରସକଳା ଏପରି ଭାବରେ ଅନାଇବାର ଦେଖି ପଚାରିଲେ ‘‘ରସ୍‌ ! କ’ଣ ଦେଖୁଛୁ କି ?’’ ମେଘମୁକ୍ତ ଶାରଦୀୟ ନିର୍ମଳ ଆକାଶରେ ହଠାତ୍ ମେଘ ଘୋଟି ଆସିଲାପରି କଳାବତୀଙ୍କ ନୟନଯୁଗଳରେ ଲୋତକ ମୁକ୍ତ ହେବାର ଚିହ୍ନ ଦେଖି ରସକଳାଙ୍କ ହୃଦୟାକାଶକୁ ଶୋକମେଘ ଆଚ୍ଛନ୍ନ କରିପକାଇଲା ଏବଂ ଚକ୍ଷୁଃ ଛଳ ଛଳ କରି କହିଲେ ‘‘ଅପା ତୁ କାନ୍ଦୁଥିଲୁ’’ ?

 

ସ୍ନେହମୟୀ ରସକଳାଙ୍କର ଅକୃତ୍ରିମ ସ୍ନେହ ପରିଚାଳିତ ବାକ୍ୟପୀୟୁଷରେ କଳାବତୀଙ୍କ ମନଃପ୍ରାଣ ଶୀତଳ ହୋଇଗଲା ଏବଂ ନୈସର୍ଗିକ ସ୍ନେହଶକ୍ତି ଶରୀରକୁ ମଧୁର ଭାବରେ କମ୍ପିତ କରି ନୟନଯୁଗଳରୁ ସ୍ନେହାଶ୍ରୁ ବିନିର୍ଗତ କଲା । ରଘୁନାଥଙ୍କ ମୃତ୍ୟୁପରେ ସ୍ନେହକଥା ଶୁଣାଇବାକୁ ଏକା ରସକଳା ଅଛନ୍ତି ଏବଂ ରସକଳାଙ୍କର ଆକୃତ୍ରିମ ସ୍ନେହର ସାମୃତସିକ୍ତ କଥାମାନ ଶୁଣିବା ମାତ୍ରକେ କଳାବତୀଙ୍କ ହୃଦୟରେ ପରକ୍ଷଣରେ ରଘୁନାଥଙ୍କ କଥା ଜାଗରିତ ହୁଏ । ଏରୂପେ କଳାବତୀ ରଘୁନାଥଙ୍କୁ ହରାଇ ରସକଳାଙ୍କ କଥାମୃତ ପାନ କରିବା କାରଣ ଅତ୍ୟନ୍ତ ଲାଳାୟିତ ଏବଂ ଏହିରୂପରେ ରସକଳାଙ୍କ କଥାରେ କଳାବତୀଙ୍କ ହୃଦୟରୁ ଦ୍ୱିଗୁଣ ସ୍ନେହ ଜାତ ହୁଅଇ । ହୃଦୟର ଏଭାବରେ ଅଶ୍ରୁ ବିଗଳିତ ନ ହେଲେ ହେବ କେଉଁଠାରେ ?

 

କଳାବତୀ ଆଞ୍ଚଳରେ ଅଶ୍ରୁ ପୋଛିଦେଇ କହିଲେ ‘‘ତହିଁରେ କି ଅଛି ତୁ ଶୁଅ ।’’ ରସକଳା ଏଥିରେ ଶାନ୍ତ ହେବାର ଲୋକ ନୁହନ୍ତି । କହିଲେ ‘‘ନା, ତୁ ଏତେ କାନ୍ଦିଚୁ ଯେ ତକିଆ ତିନ୍ତିଯାଇଚି–ମୁଁ ଥିର ହୋଇ ଶୋଇବି ? ତୁ କହ ସତେ କାହିଁକି ଏତେ କାନ୍ଦିଲୁ ?’’ କଳାବତୀ ଦେଖିଲେ ରସକଳା ଉତ୍ତର ନ ନେଇ ଛାଡ଼ିବେ ନାହିଁ । ଉତ୍ତର ଅବା କି ଦେବେ ! କିସ ଅବା ସୁଖର କଥା ଯେ ଉତ୍ତର ଦେଇ ମନ ଶାନ୍ତ କରିବେ । ତଥାପି ଉତ୍ତର ନ ଦେଲେ ନୁହେ । କହିଲେ ‘‘ତୁ ଆସି ନ ଥିଲୁ; କେହି ନ ଥିଲାକୁ ଏକୁଟିଆ ମନ ଘାଣ୍ଟି ହୋଇଗଲା । ଆଉ କ’ଣ କହିବି’’ । ରସକଳାଙ୍କୁ ଏ ଉତ୍ତର ଭଲ ଲାଗିଲା ନାହିଁ । ମନ ଅଧିକତର ଶୋକାଚ୍ଛନ୍ନ ହୋଇଗଲା ଏବଂ ନାନା କଥା ମନେ ମନେ ଆନ୍ଦୋଳନ କରୁ କରୁ କହିଲେ ‘‘ଅପା, ମୁ ତ ନିତି ଆସେ ନାହିଁ–ଆଜି ରୋଷନୀ ଦେଖିବାପାଇଁ ଆସିଲି । ତୁ ତ ନିତି ଏକା ଶୋଇଥାଉ, ନିତି କି ଏହିପରି କାନ୍ଦୁ ? ଅପା ଆଜିଠାରୁ ମୁଁ ତୋ କତିରୁ ଦଣ୍ଡେ ଛାଡ଼ି ହେବି ନାହିଁ । ନିତି ଆସି ତୋ’ରି କତିରେ ଶୋଇବି–ଅପା, ତୁ ଏତେ କାନ୍ଦିଲୁ କାହିଁକି–ତକିଆଟା ଗୋଟାଯାକ ତିନ୍ତି ଯାଇଚି ।’’

 

ଏ କଥାରେ କି ଉତ୍ତର ଅଛି ? କାନ୍ଦିବାର ପରିମାଣ ଅବା କିସ ? ତହିଁରେ ପୁଣି ହେତୁ ଦେଖାଇବା ସବୁବେଳେ ସହଜ ନୁହଇ । କଳାବତୀ ଏଥିକି କି ଉତ୍ତର ଦେବେ ଖୋଜି ପାଇଲେ ନାହିଁ । ସରଳ କଥାରେ ରସକଳାଙ୍କର ଓଠରେ ହାତଦେଇ କହିଲେ ‘‘ରସ, ତୋତେ ମୁଁ କି ବୁଝାଇବି ।’’ କହୁଁ କହୁଁ ଚକ୍ଷୁରୁ ବାରିଧାରା ବାଲିବନ୍ଧ ଭାଙ୍ଗିଲା ପ୍ରାୟ ପ୍ରବାହିତ ହେଲା । ରସକଳା ଆଉ ଅଶ୍ରୁ ସମ୍ବରଣ କରି ପାରିଲେ ନାହିଁ । କାନ୍ଦୁ କାନ୍ଦୁ କଳାବତୀଙ୍କ ଲୋତକ ନିଜାଞ୍ଚଳରେ ପୋଛି ଦେଇ କହିଲେ ‘‘ଅପା, ମୁଁ କି କାନ୍ଦିବାପାଇଁ ତୋ କତିକି ଶୋଇବାକୁ ଅଇଲି ।’’

 

କି ଅକୃତ୍ରିମ ସରଳ କଥା ! କି ନୈସର୍ଗିକ ମଧୁର ତିରସ୍କାରବାଣୀ ! ଏହାତ ପାର୍ଥିବ ନୁହେ ଏହା ଦିବ୍ୟ ! ପାଠକେ ! ଦେବତାଙ୍କର ଅମୃତ କି’ ଏ ବାକ୍ୟସୁଧାରୁ ଅଧିକ ମଧୁର ? ଏ କଥାରେ ଅଳ୍ପକେ କଳାବତୀଙ୍କର ଚେତନା ତୁଟିଗଲା । ତୁଟିଯିବାର କଥା ! ଜଗଦୀଶ୍ୱର କଳାବତୀଙ୍କି ସଂସାରରେ ଏକା କାନ୍ଦିବାପାଇଁ ଜନ୍ମ ଦେଇ ନାହାନ୍ତି–ତହିଁ ସଙ୍ଗେ ଏକମାତ୍ର ଜୀବନ-ସଙ୍ଗିନୀ ସ୍ନେହ-ପ୍ରତିମା ରସକଳାଙ୍କୁ ମଧ୍ୟ କାନ୍ଦିବାକୁ ହେଲା ! ଏ ଭାବ କି ନିଷ୍କପଟ–ହୃଦୟା କଳାବତୀଙ୍କର ଚେତନା ରଖିପାରେ ? ଚେତନା ତୁଟିଗଲା ସତ୍ୟ, ମାତ୍ର ସ୍ନେହପାଶରେ ନିମିଷକେ ପୁଣି ଚେତନା ଜାତ ହେଲା । ରସକଳା ଚେତନା ତୁଟିବା କଥା ଜାଣି ପାରିଲେ ନାହିଁ–ସେ କେବଳ କଳାବତୀଙ୍କ ଆଖି ନିମେଷ ମାତ୍ରକ ବୁଜି ହୋଇଯିବା ଦେଖିଲେ ।

 

କଳାବତୀ ଚେତନା ଲାଭ କରି ଦେଖିଲେ ଯେ ଆଉ ଧୈର୍ଯ୍ୟ ନ ଧଇଲେ ନ ଚଳେ । ତହୁଁ ମନକୁ କିଞ୍ଚତ୍‌ ଦମ୍ଭ କରି ବସ୍ତ୍ରାଞ୍ଚଳରେ ରସକଳାଙ୍କର ଲୁହ ପୋଛି ଦେଉଁ ଦେଉଁ କହିଲେ ‘‘ରସ-! ଛି ତୁ କାନ୍ଦନା–ତୁ କାନ୍ଦିଲେ ମୁଁ ଅଧିକ କାନ୍ଦିବି’’ ।

 

ରସକଳା ଅକଳରେ ପଡ଼ିଲେ । କାନ୍ଦିବାର କାରଣ ପଚାରିବାକୁ ଯାଇ ନିଜେ କାନ୍ଦିଲେ ଏବଂ ଆଉ କାନ୍ଦିଲେ କଳାବତୀ ପୁଣି କାନ୍ଦିବେ । ସୁତରାଂ କାନ୍ଦିବା ବନ୍ଦ କରିବାକୁ ହେଲା । କହିଲେ ‘‘ତୁ କାନ୍ଦିଲେ ମୁଁ କାନ୍ଦିବି’’ ।

 

କଳାବତୀ ସଜାଡ଼ି ହୋଇ ଶୋଇ କହିଲେ ‘‘ନା–ତୁ ତୁନି ହୋ–ମୁଁ ଆଉ କାନ୍ଦିବି ନାହିଁ ।’’ ରସକଳା କହିଲେ ‘‘ତୁ ତୁନି ହେଲୁତ ମୁଁ ଆଉ କାନ୍ଦିବି ନାହିଁ ।’’

 

ଏରୂପେ କ୍ରନ୍ଦନ ବନ୍ଦ ହେଲା । ଜଣେ ନିଭୃତରେ କାନ୍ଦୁଥିଲେ । ଦୁଇଜଣ ହୋଇ କାରଣ ପଚାରିବାକୁ ଯାଇ ଦୁହେଁ କାନ୍ଦିଲେ । ପୁଣି ସ୍ନେହ ଡୋରରେ ପରସ୍ପର ହୃଦୟ ବିନିମୟ କରି ଉଭୟେ ଶାନ୍ତ ହେଲେ । ମାତ୍ର ଯେ କଥା ପଡ଼ିଥିଲା ତହିଁରେ ଉତ୍ତର ହେଲା ନାହିଁ ।

 

କିୟତ୍‌କାଳ ଉଭୟେ ନୀରବ ରହିଲା ପରେ ରସକଳା ପଚାରିଲେ ‘‘ଅପା, ତୁ ଦିଓଳି ଭାତ ନ ଖାଉ କାହିଁକି ?’’

 

ଯେଉଁ କଥାର ଉତ୍ତର ଦେବାକୁ ହେବ ବୋଲି ପୂର୍ବେ କଳାବତୀ କାନ୍ଦି ପକାଇଥିଲେ ଅନ୍ୟରୂପରେ ପୁଣି ସେହି କଥା ଉଠିଲା । ମାତ୍ର ଆଉ କାନ୍ଦିବାର ଉପାୟ ନାହିଁ । କାନ୍ଦି କାନ୍ଦି ଉଭୟେ ନିରସ୍ତ ହୋଇଅଛନ୍ତି । ମନ ମଧ୍ୟ କାନ୍ଦିବାଦ୍ୱାରା ଉଶ୍ୱାସ ହୋଇଅଛି । ଉତ୍ତର ନ ଦେଲେ ମଧ୍ୟ କଥା ମନ୍ଦ ହେବ । ଅଗତ୍ୟା ବାଧ୍ୟହୋଇ କହିଲେ ‘‘ଦିଓଳି ଖାଇବା ଭଲ ନୁହେ ।’’

 

‘‘ତୁ ତ ଆଗେ ଦିଓଳି ଖାଉଥିଲୁ–ଭିଣୋଇ ଗଲା ଦିନୁ ଦେଖୁଚି ଓଳିଏ ଖାଉଚୁ । ଆଜି ଦିନଟାଯାକ ଉପାସରହି ରାତ୍ରରେ ଖାଇଲୁ–ତୋତେ ଭଲ ହେଲା ? କାହିଁକି ଏତେ କଷ୍ଟ ସହୁଚୁ ?’’

 

‘‘ରସ, ମୋତେ କଷ୍ଟ ଲାଗୁ ନାହିଁ । ମୋତେ ଭୋକ ହେଲେ ସିନା ଖା’ନ୍ତି । ତୋର ଭିଣୋଇ ଗଲାଦିନୁ ମୋର ଭୋକଶୋଷ ଯାଇ’ଚି ।’’

 

‘‘ତୁ ଏତେ କାନ୍ଦୁଚୁ ବୋଲି ତୋତେ ଭୋକଶୋଷ ହଉ ନାହିଁ । –ହଉ ମୁଁ କାଲିଠୁଁ ବରାବର ତୋ କତିରେ ରହିବି । ତୁ ତ କାନ୍ଦି ପାରିବୁ ନାହିଁ–ଭୋକ ହେଲେ ଆପେ ଖାଇବୁ ।’’

 

‘ତୁ ତ ନିହାତି ପିଲାପରି କଥା କହିଲୁ । ରସ, ମୋତେ ଭୋକ ହେଲେବିତ ମୁଁ ଓଳିଏ ଖାଇବି । ’’

 

‘‘ଭୋକ କଲେବି ଓଳିଏ ଖାଇବୁ ? କାହିଁକି ?’’

 

‘‘ସେ କଥା ଶୁଣିବାର ତୋର କିଛି ପ୍ରୟୋଜନ ନାହିଁ । ରସ, ବିଧାତା ତୋତେ ସୁଖ ଦିଅନ୍ତୁ–ମୁଁ ତୋର ସୁଖ ଦେଖି ଦୁଇଦିନ ସୁଖରେ କଟାଇବି ଏତିକି ଭଗବାନଙ୍କଠାରେ ପ୍ରାର୍ଥନା’’ ।

 

‘‘ଅପା, ସତେ କହମ ସ୍ୱାମୀ ମଲାଠୁଁ ଖାଇବା ପିନ୍ଧିବାରେ ଏତେ ଆକଟ କାହିଁକି ହୁଏ ? ତୁ ତ ଆଗେ ଭଲ ପିନ୍ଧୁଥିଲୁ । ସୁନ୍ଦର ଅଳତା ନାଉଥିଲୁ–ଏବେ ସେ ସବୁ ଛାଡ଼ି ଦେଲୁ–ତୋତେ କ’ଣ ସୁନ୍ଦର ଦିଶିଲା !’’

 

‘‘ତୋର ପିଲାବୁଦ୍ଧିତ ଗଲା ନାହିଁ । ତୁ ଯେତେ ବଢ଼ୁଚୁ ଦିନକୁଦିନ ସେତେ ପିଲା ହେଉଚୁ-। ରସ, ସେ ସବୁ ଶାସ୍ତ୍ରରେ ମନା ଅଛି’’ ।

 

‘‘ଶାସ୍ତ୍ର କାହିଁକି ମନା କଲା ? ମନିଷ ମଲା ବୋଲି ଚିରଦିନପାଇଁ ଶାସ୍ତ୍ର ମନା କଲା କାହିଁକି ?’’

 

‘‘ତୁ କଥା କଥାକେ ବହୁତ ପିଲା ହୋଇଗଲୁ । ରସ, ଶାସ୍ତ୍ର ମନା କରି ଭଲ କରିଚି । ପତି ସ୍ତ୍ରୀମାନଙ୍କ ପକ୍ଷେ ସାକ୍ଷାତ୍‌ ଭଗବାନ ସ୍ୱରୂପ । ଏକଥା ମୁଁ ତ ତୋତେ କେତେଥର କହିଚି । ସେ ସ୍ତ୍ରୀ ପତିହୀନା ହେଲା, ଯାହାକୁ ଭଗବାନ୍‌ ତ୍ୟାଗ କରିଗଲେ ତାହାର ଆଉ ଖାଇ ପିନ୍ଧି ସୁଖ ଲୋଡ଼ିବାରେ ଫଳ କି ଅଛି ? ପତିସଙ୍ଗେ ସତୀ ହୋଇ ମରିବାଠାରୁ ପୂଣ୍ୟ ନାହିଁ ମାତ୍ର ସବୁବେଳେ ସମସ୍ତଙ୍କପକ୍ଷେ ତାହା ଉଚିତ ନୁହେ, ମଧ୍ୟ ଘଟି ନ ପାରେ । ମୁଁ ଯେ ବଞ୍ଚିଲି ଆଉ ଏ ଜୀବନରେ କି ସୁଖ ଅଛି ଯେ ଭୋଗ କରିବି ? ମୋର ଏ ଜୀବନ ଗୋଟିଏ ବ୍ରତାଚାର । ମୁଁ ଦିବରାତ୍ର ଖାଇବା ପିନ୍ଧିବା ସବୁ ବିଷୟରେ ନିୟମରେ ନ ଥିଲେ ବ୍ରତଭଙ୍ଗ ହୋଇପାରେ । ମୋର ଏ ଦେହ ଏ ଜୀବନ ଜଣକୁ ଉତ୍‌ସୃଷ୍ଟ ହୋଇଥିଲା । ସେ ଏ ଧାମ ତ୍ୟାଗକରି ଦିବ୍ୟଧାମକୁ ଗଲେ ବୋଲି ସେ ଉତ୍‌ସର୍ଗ ଭଙ୍ଗ ହେଲା ନାହିଁକି ମୋର ଦେହଜୀବନ ମୋ ନିକଟକୁ ଫେରି ଆସିଲା ନାହିଁ । ରସ, ମୁଁ ସାକ୍ଷାତ୍‌ ଭଗବାନ୍‌ଙ୍କୁ ପାଇ କେତେ ସୁଖରେ ବସୁଧାରେ ଦିନପାତ କରୁଥିଲି ! ଏବେ ତାଙ୍କରି ସହିତ ଅପର ଧାମରେ ତତୋଽଧିକ ସୁଖରେ ଦିନପାତ କରିବାପାଇଁ ଭଗବାନଙ୍କ ସେବାରେ ନିଯୁକ୍ତ ଅଛି !’’ ଆଉ କହିପାରିଲେ ନାହିଁ । କଥା କହୁଁ କହୁଁ କଳାବତୀଙ୍କ କଣ୍ଠ ରୁଦ୍ଧ ହୋଇଆସିଲା । ପୂର୍ବେତ ରସକଳାଙ୍କ ପ୍ରଶ୍ନର ଉତ୍ତର ଦେଉଁ ଦେଉଁ କେତେ ଥର କାନ୍ଦିବା ଭଳି ହୋଇଯାଇଥିଲେ ମାତ୍ର କାନ୍ଦିବେ ନାହିଁ ବୋଲି ନିୟମ ହୋଇଥିବାରୁ ଚେଷ୍ଟା କରି କାନ୍ଦ ବନ୍ଦ କରିଥିଲେ । ବର୍ତ୍ତମାନ ଆଉ ସମ୍ଭାଳି ହେଲା ନାହିଁ । କଥା କହୁ କହୁ ରଘୁନାଥଙ୍କ ଚିତ୍ର ସୁସ୍ପଷ୍ଟରୂପେ ଚକ୍ଷୁଗୋଚର ହେଲା । ଆଉ କି ମନ ସମ୍ଭାଳି ହୁଏ ? ସେ ଚିତ୍ର ଦେହବାନ୍‌ ହୋଇଥିଲେ କଳାବତୀ କେତେ ପ୍ରେମଭାବରେ ଆଲିଙ୍ଗନ କରିଥାନ୍ତେ ! ମାତ୍ର ଦେହ ନ ଥିଲାକୁ ଚିତ୍ରାନୁଭାବରେ ମନପ୍ରାଣ ତଦ୍ଗତ ହୋଇଗଲା ଏବଂ ସ୍ମୃତି ଦେହର ଅଭାବ ବାର୍ତ୍ତା ଜଣାଇବାରୁ କଣ୍ଠ ରୁଦ୍ଧ ହୋଇ ଶୋକାଶ୍ରୁ ନୟନଯୁଗଳରୁ ବୃଷ୍ଟିଧାରା ପରି ବିଗଳିତ ହେଲା ।

 

ରସକଳା ତ୍ରସ୍ତଭାବରେ ଅଞ୍ଚଳରେ କଳାବତୀଙ୍କ ଲୁହ ପୋଛିଦେଇ ଛଳ ଛଳ ଚକ୍ଷୁରେ ଅର୍ଦ୍ଧୋଚ୍ଚାରିତ ଶବ୍ଦରେ କହିଲେ ‘‘ଅପା’ ତୁ ପରା ମନାକରୁଥିଲୁ କାନ୍ଦିବୁ ନାହିଁ’’ ।

 

ଏ କଥାରେ କଳାବତୀଙ୍କର ଜ୍ଞାନୋଦୟ ହେଲା । ଧୈର୍ଯ୍ୟଧାରଣ କରି କହିଲେ ‘‘ନାହିଁଲୋ ରସ, ମୁଁ ଆଉ କାନ୍ଦିବି ନାହିଁ । ମୁଁ ହୁଡ଼ିଗଲି’’ । ରସକଳାଙ୍କ ଚକ୍ଷୁରୁ ଅଲକ୍ଷିତ ଭାବରେ ଦୁଇ ବିନ୍ଦୁ ଅଶ୍ରୁ ବିସର୍ଜିତ ହୋଇଥିଲା । ନିଜେ ତାହା ପୋଛିଦେଇ ପଚାରିଲେ ‘‘ମରିବା କ’ଣ ? ମଲେ ଶୋକ ହୁଏ କାହିଁକି ?’’

 

କଳାବତୀ ସରଳା ରସକଳାଙ୍କର ଏବମ୍ଭୁତ ପ୍ରଶ୍ନରେ ତାଙ୍କର ହୃଦୟର ୠଜୁ ଅମୃତମୟଦ୍ଭାବ ମନେ ମନେ ଅନୁଧାବନ କରି ମୋହିତ ହୋଇଗଲେ ଏବଂ କିରୂପେ ଅବା ଏ ପ୍ରଶ୍ନର ଉତ୍ତର କରିବେ ଭାଳି ସ୍ଥିର କରିପାରିଲେ ନାହିଁ । ଉତ୍ତର ନ ଦେଲେ ବାଳିକାତ ଛାଡ଼ିବ ନାହିଁ-। ଏହିପ୍ରକାର ନାନ କଥା ମନେ ମନେ ଚିନ୍ତା କରି କହିଲେ ‘‘ରସ, ତୁ ଆଜି ମୋର ହୃଦୟରାଜ୍ୟ ଅଧିକାର କରି ନେଇଚୁ । ମୁଁ ତୋତେ ଏ ପ୍ରଶ୍ନର ଉତ୍ତର କି ଦେବି ?’’

 

ରସକଳା ଛାଡ଼ିଲେ ନାହିଁ । କହିଲେ ‘‘ସତେ ଅପା କହ ମରିବା କ’ଣ’’ କଳାବତୀ ଉତ୍ତର କଲେ ‘‘ଶାପମୁକ୍ତ ହୋଇ ପ୍ରବାସରୁ ସ୍ୱରାଜ୍ୟକୁ ଯିବାକୁ ଲୋକେ କହନ୍ତି ମୃତ୍ୟୁ’’ ।

 

ରସକଳା ଏହା ଶୁଣି କହିଲେ ‘‘ତେବେତ ଭିଣୋଇ ଶାପମୁକ୍ତ ହୋଇ ପ୍ରବାସରୁ ସ୍ୱରାଜ୍ୟକୁ ଗଲେ–ତୁ ଏତେ ଶୋକ କରୁଚୁ କାହିଁକି ?’’ ପୁଣି ସେହି କଥା । କଥା ବୁଲି ବୁଲି ଆସି ଯେଉଁଠାରେ କଳାବତୀଙ୍କର ଶୋକନିଦାନ ସେହିଠାରେ ପହୁଁଞ୍ଚିଅଛି । ବାଳିକା ରସକଳାତ ଆଜି କଳାବତୀଙ୍କ ଶୋକ ଘେନି ତନ୍ମୟ ହୋଇଯାଇଅଛନ୍ତି–କଳାବତୀ ଯେତେ ଚେଷ୍ଟା କଲେ ସୁଦ୍ଧା ଏଡ଼ି ପାରୁନାହାନ୍ତି । କି କରିବେ । ଯାହା ଉତ୍ତର କଲେ ସ୍ନେହପ୍ରତିମା ରସକଳା ଲେଉଟି ଆସି ସେହି କଥା ଘେନି ଭିଣୋଇଠାରେ । କଳାବତୀଙ୍କି କାନ୍ଦିବାକୁ ଅବସର ମିଳୁନାହିଁ । ମନେ କଲେ କାନ୍ଦି ତୁନି ହେବେ ମାତ୍ର ତେଣେ ନିୟମ ହୋଇଅଛି କାନ୍ଦିବେ ନାହିଁ । କାନ୍ଦିଲେ ରସକଳା କାନ୍ଦିବେ । ଥରେ ହୁଡ଼ିଯାଇଅଛନ୍ତି, ଆଉ ହୁଡ଼ିଗଲେ ଅବା ଫଳ କିସ ? ଅଗତ୍ୟା କହିଲେ ‘‘ରସ, ସେ ସିନା ସ୍ୱରାଜ୍ୟକୁ ଗଲେ । ମୁଁ ତ ଯାଇପାରିଲି ନାହିଁ । ସେ ଯେଉଁ ଦୃଢ଼ ସ୍ନେହପାଶ ଛିଣ୍ଡାଇ ଯାଇ’ଛନ୍ତି ତହିଁର ଧକ୍କା ସମ୍ଭାଳି ରହିବା ସହଜକଥା ନୁହେ । ରସ, ସେ ସିନା ଏକା ଗଲେ–ମୁଁ ତାଙ୍କ ସଙ୍ଗେ ଯାଇଥିଲେ କେଡ଼େ ସୁଖ ହୋଇଥାନ୍ତା ! ସେହି ସ୍ନେହପାଶର ଅପୂର୍ବ-ଅମୃତମୟୀ ସ୍ମୃତି ମୋତେ କନ୍ଦାଉ’ଚି । ସେହି ସ୍ନେହରାଶିର ଜ୍ୟୋତିର୍ମୟୀ ସ୍ମୃତିରାଜି ମୋତେ ବ୍ରତାଚରଣରେ ରୁଦ୍ଧ କରି ଅଗ୍ରସର କରାଉ’ଚି । ଆଉ ଭଗବାନଙ୍କ କଟାକ୍ଷରୁ ଅମୃତଧାରାରେ ଯୋଡ଼ ଲଗାଇ ଦିବ୍ୟସୁଖ-ସମ୍ଭୋଗ-ଲାଳସାରେ ମୁଁ ଭଗବାନଙ୍କୁ ଡାକି ସେହି ଭଗ୍ନ ସ୍ନେହପାଶ ଘେନି ଅନବରତ ଧାଉଁଚି !’’

 

କଳାବତୀଙ୍କ ହୃଦୟଗ୍ରାହୀ ଅମୃତମୟବାକ୍ୟ ରସକଳାଙ୍କୁ ମୋହିତ କରିପକାଇଥିଲା । ରସକଳାଙ୍କର ଚକ୍ଷୁରେ ନିଦ୍ରା ନାହିଁ । ରୋଷନୀ ଦେଖିବାର ଉଦେଗ ମଧ୍ୟ କଥାକଥାକେ ଅନ୍ତର୍ହିତ ହୋଇଅଛି । ବାସ୍ତବରେ ଏଭଳି କଥାମାନ କଳାବତୀଙ୍କ ମୁଖରୁ ଶୁଣି କେଉଁ ପାଷଣ ହୃଦୟ ବିଚଳିତ ନ ହେବ ? ରସକଳାଙ୍କ ମୁଖରେ ଆଉ ଉତ୍ତର ନାହିଁ । ପ୍ରଶ୍ନ କରିବାର ଇଚ୍ଛା ଏକାବେଳକେ ବିଦୂରିତ ହୋଇଯାଇଅଛି ! ମନେ ମନେ ଏହି ଅମୃତନିର୍ଝରରୁ ସୁଧାପାନ କରି ଅନବରତ ସମୟାତିପାତ କରୁଥିବାର ବିଚାର କରୁଥିଲେ ଏମନ୍ତ ସମୟରେ ଦୂରରୁ ବମ୍‌ବାଜି ବାଣର ଘୋର ଦୁମ୍‌ଦାମ୍‌ ଶବ୍ଦ ଗୋଟିକ ଉପରେ ଗୋଟିଏ ଆକାଶ, ପ୍ରାଚୀର, କାନ୍ଥ ଓ କବାଟ ଭେଦ କରି ଗୃହମଧ୍ୟରେ ଅଶନି–ନାଦପ୍ରାୟ ପ୍ରବେଶ କଲା ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

ରୋଷନୀ

 

ପାଠକେ ! ଥରେ କଳାବତୀ ଓ ରସକଳାଙ୍କୁ ଛାଡ଼ି ରୋଷନୀ ନିକଟକୁ ଆସନ୍ତୁ । ଧୀରେ ଧୀରେ ରୋଷନୀ ନବଗ୍ରାମ ଆଡ଼କୁ ଗତି ବିସ୍ତାର କରୁଅଛି । ଫୁଲ, ଫାନସ, ଗିଲାସ, ସ୍ଥଳକମଳ, ଏବଂ କଦଳୀ ପ୍ରଭୃତି ନାନା ପ୍ରକାର କୃତ୍ରିମ ବୃକ୍ଷରାଜି ଦୁଇଶ୍ରେଣୀ ହୋଇ ଚାଲିଅଛି । ମଧ୍ୟରେ ଅସଂଖ୍ୟ ଲୋକ । କେହି ରୋଷନୀ କେହି ବାଦ୍ୟ ଏବଂ କେହି ଅବା ମଧ୍ୟେ ମଧ୍ୟେ ଜଳୁଥିବା ବାଣ ଦେଖୁଅଛନ୍ତି । ଶୋଭା ହୋଇଅଛି ଯେପରି ଅପ୍ରଶସ୍ତ ଲୋକ ନଦୀ ଫୁଲଫାନସାଦିଶ୍ରେଣୀର ବନ୍ଧରେ ବନ୍ଧ । ନଦୀର ଜଳ ମଧ୍ୟ ଚାଲୁଅଛି–ନଦୀର ବନ୍ଧ ମଧ୍ୟ ଚାଲୁଅଛି–ମାତ୍ର ଯେଉଁ ସ୍ଥାନରୁ ଉତ୍ପତ୍ତି ହେଲା । ସେ ସ୍ଥାନ ଏକାବେଳକେ ଛାଡ଼ି ଆସିଅଛି । ବନ୍ଧର ଫୁଲଫାନସାଦିଶ୍ରେଣୀର ବାହାରେ ଯେଉଁ ଲୋକମାନେ ଦେଖାଯାଉଅଛନ୍ତି ତହିଁରୁ ନଦୀର ଜଳ ଉଛୁଳି ପଡ଼ିଥିବା ଜଣା ଯାଉଅଛି । ଉଛୁଳି ପଡ଼ିବାର କଥା । ବର୍ଷାକାଳରେ ନଦୀ ବୃଦ୍ଧି ହୋଇ ଗତି ବିସ୍ତାର କରିବା ସଙ୍ଗେ ସଙ୍ଗେ ଉଭୟେ ପାର୍ଶ୍ୱର କେତେ ସ୍ଥାନର ଜଳ-ସ୍ରୋତର ସଙ୍ଗମ ପାଇ ନ ଥାଏ ? ଏଠାରେ ମଧ୍ୟ ରୋଷନୀ ଗତି ବିସ୍ତାର କରି ଚାଲୁଥିବା ସମୟରେ ଘଡ଼ି ଘଡ଼ି ଲୋକମାନେ କେତେ ଦିଗରୁ ପଲ ପଲ ହୋଇ ଆସି ମିଶିଯାଉଅଛନ୍ତି । ଏରୂପେ ଦେଖୁ ଦେଖୁ ଲୋକଗହଳ ଭୟାନକ ହୋଇ ପଡ଼ିଲା-

 

ରୋଷନୀ ଧୀରେ ଧୀରେ ଗତି ବିସ୍ତାର କରୁଅଛି । ଯହୁଁ ଯହୁଁ ନବଗ୍ରାମର ନିକଟବର୍ତ୍ତୀ ହୋଇଆସୁଅଛି ବାଣ ଏବଂ ଲୋକଙ୍କ କୋଳାହଳ ତହୁଁ ତହୁଁ ଅଧିକ ହୋଇ ନବଗ୍ରାମକୁ ଶୁଣାଯାଉଅଛି । ଆଉ ରକ୍ଷାନାହିଁ ! ଯେ ଯେଉଁଠାରେ ଶୋଇଥିଲେ ଉଠିଲେ । ପୁରୁଷମାନେ ତତ୍ୱର ହୋଇ ଶୀତ ନ ମାନି କେହି ପାଛୁଡ଼ା, କେହି ଅବା ଲୁଗାକାନି ଦେହରେ ପକାଇ ଧାଇଁଗଲେ । ସ୍ତ୍ରୀମାନେ ଘରମଧ୍ୟରେ ଡକାଡକି ହୋଇ ଉଠିଲେ । କେହି ପିଲାକୁ ଯାକି ଆସି ଦ୍ୱାରଦେଶରେ, କେହି ଅବା ପିଲାକୁ ପାସୋରି ଆସି ଦ୍ୱାରଦେଶରେ–ତେଣେ ପିଲା କାନ୍ଦି କାନ୍ଦି ମାତୃସାମୀପେ ଉପସ୍ଥିତ; ରୋଷନୀତ ଦୂରରେ ଅଛି–ପିଲାକୁ ଉଠାଇ ଆଣିଥିଲେ ହୋଇଥାନ୍ତା ମାତ୍ର ସେତକ ହେଜ ହେଲା ନାହିଁ । ଏହିରୂପେ ନବଗ୍ରାମର ଘରେ ଘରେ ଡକାଡକି ଚହଳ ପଡ଼ିଗଲା ଏବଂ ଦେଖୁ ଦେଖୁ ନବଗ୍ରାମର ପ୍ରତିଘରର ଦ୍ୱାର ଏବଂ ପିଣ୍ଡା ସ୍ତ୍ରୀବାଳକାଦିରେ ପରିପୂର୍ଣ୍ଣ ହୋଇଗଲା । ରୋଷନୀ ଦେଖିବାର ବ୍ୟଗ୍ରତା କାହାର ନାହିଁ ? ଯେ ଦୁଃଖୀ ମୁଠାଏ ଭଲକରି ଖାଇବାକୁ ପାଉନାହିଁ ସେ ସୁଦ୍ଧା ରୋଷନୀ ଦେଖି ସନ୍ତୋଷ ଲାଭ କରିବାକୁ ବ୍ୟସ୍ତ ହୁଏ–ଅପରର କଥା କି କହିବୁଁ ? ଏତେବେଳଯାଏ ରୋଷନୀ ନବଗ୍ରାମର ବସତିର ଶେଷଭାଗରେ ପହୁଞ୍ଚି ନାହିଁ । କେବଳ ଦୂରରୁ ଆଲୁଅ ମାତ୍ର ଦେଖାଯାଉଅଛି, ମାତ୍ରବାଦ୍ୟ ଏବଂ ଲୋକକୋଳାହଳ ଘନୀଭୂତ ହୋଇ ଏମନ୍ତ ଆକାର ଧାରଣ କରିଅଛି ଯେ ଗ୍ରାମମଧ୍ୟରେ ପାଟିକରି କଥା ନ କହିଲେ ଶୁବୁ ନାହିଁ । ନବଗ୍ରାମ ଶେଷଭାଗରେ ଅନେକଲୋକ ଠିଆ ହୋଇଥିଲେ । ଦୂରରୁ ଚଳିତ ଆଲୋକମାନ ଅପୂର୍ବ ସୁନ୍ଦର ଦିଶୁଥିଲା । ଆଉ ଚନ୍ଦ୍ରଜ୍ୟୋସ୍ନାର ମର୍ଯ୍ୟାଦା ରହିଲା ନାହିଁ । ସେତ ଶୀତକାଳୀନ ତୁହିନଜାଲରେ ପଡ଼ି ମଳିନ ହୋଇଥିଲା, ରୋଷନୀର ତୀବ୍ରତେଜ ଏକାବେଳକେ ତାହାକୁ ପରାଜିତ କଲା । ରୋଷନୀର ଆଲୋକ ଦେଖି ମନରେ ଏମନ୍ତ ଅନୁମାନ ହେଉଅଛି ଯେମନ୍ତ କି ସତେ ସେ ଜ୍ୟୋସ୍ନାକୁ ହରାଇବାକାରଣ ପଣ କରିଅଛି । ଶତ୍ରୁ ଛାଉଣିରୁ ତୋପ ପଡ଼ିଲା ପ୍ରାୟ ବମ୍‌ବାଜିର ତୁମୂଳ ଧ୍ୱନି ଜ୍ୟୋସ୍ନାମୟ ଶୂନ୍ୟ ଆକାଶ ଭେଦ କରି କି ଚନ୍ଦ୍ରଲୋକକୁ ଚାଲିଯାଉଅଛି ? ବମ୍‌ ଫୁଟିଲା ମାତ୍ରକେ ତହିଁରେ ଗମ୍ଭୀର ନିର୍ଘୋଷ କିଛି ତତ୍‌କ୍ଷଣାତ୍‌ ଶେଷ ହେଉନାହିଁ–ସେତ ଗଡ଼ ଗଡ଼ ଶବ୍ଦରେ ତୋପଗୋଲା ଚନ୍ଦ୍ରଲୋକକୁ ଚାଲିଯିବାର ଭ୍ରମ ଜନ୍ମାଉ ଅଛି ଏବଂ ଦୁଇ ତିନି ବମ୍‌ ଏକାବେଳକେ ଫୁଟିବା ସମୟରେ ତୁମୂଳ ଧ୍ୱନିରେ ଆକାଶ ଶତଖଣ୍ଡ ହୋଇ ଚନ୍ଦ୍ର ଛିଡ଼ି ପଡ଼ିଲା ପ୍ରାୟ ଜଣାଯାଉଅଛି !

 

ଏହିରୂପେ ରୋଷନୀ ଗତି ବିସ୍ତାର କରୁଅଛି । ଠାବେ ଠାବେ ଛୋଟ ଛୋଟ ବାଣ ଏବଂ ଗଛମାନଙ୍କରେ ଅଗ୍ନି ଦିଆଯାଉଥିବା ସମୟରେ ଟିକିଏ ଟିକିଏ ଠିଆ ହେଉଅଛି, ନୋହିଲେ ମନ୍ଥରଗତିରେ ଗୁର୍ବିଣୀ ପ୍ରାୟ ଗମନ କରୁଅଛି । ସମୟ ସମୟରେ ନାନାପ୍ରକାର ଚନ୍ଦ୍ର-ଉଦିୟା ନାମକ ବାଣରେ ଆଲୁଅ ଦିଆଯାଉଥିବା ସମୟରେ ଦୃଶ୍ୟ ବଡ଼ ଚମତ୍କାର ଦେଖାଯାଉଥିଲା । ତହିଁରେ ଏକା ଗୁର୍ବିଣୀ ରୋଷନୀର ଅଙ୍ଗପ୍ରତ୍ୟଙ୍ଗ ଯେ ନିର୍ମଳ ଭାବରେ ଦେଖାଯାଉଥିଲା ଏମନ୍ତ ନୁହେ, ଦିକ୍‌-ଚରାଚର ପ୍ରସନ୍ନ ହୋଇ ଚନ୍ଦ୍ରତାରକାଦିଙ୍କ ଶତଧିକ୍କାର କରୁଥିଲା ଏବଂ ଏକ ସୁନ୍ଦରୀ ରମଣୀଦର୍ଶନରେ ଅପରା ସ୍ୱଭାବସୁଲଭଜ୍ଜାଶୀଳତା ପ୍ରାପ୍ତ ହୋଇ ମୁଖ ଫେରାଇଲା ପ୍ରାୟ ଦୂରସ୍ଥା ରମଣୀବୃନ୍ଦ ରୋଷନୀରୁ ମୁଖ ଫେରାଇ ନେଉଅଛନ୍ତି ଏବଂ ତଦ୍ଦୃଷ୍ଟିରେ ଦୁଷ୍ଟ ଲୋକେ ଅନୁପମ ଆନନ୍ଦରେ ଚିତ୍କାର କରୁଅଛନ୍ତି ! ଏହିରୂପରେ ଏକ ରୋଷନୀର ଆମୋଦକୁ ଶତପ୍ରକାର ଅମୋଦର ଉତ୍ସ ଉଥିତ ହୋଇ ଲୋକମାନଙ୍କୁ ଆନନ୍ଦ-ସ୍ରୋତରେ ଭସାଇ ଦେଇଅଛି ଏବଂ ଏହିରୂପ ଆନନ୍ଦଜଳରେ ଭାସି ଭାସି ରୋଷନୀ ନବଗ୍ରାମ ସୀମାରେ ଉପସ୍ଥିତ ହେଲା ।

Image

 

ପଞ୍ଚଦଶ ପରିଚ୍ଛେଦ

ନାଟ

 

ନବଗ୍ରାମସୀମାରେ ରୋଷନୀ ଉପନୀତ ହେଲା ମାତ୍ରକେ ରୋଷନୀ ଆସିବାସୂଚକ ଏକ ତୁମୂଳ ଧ୍ୱନି ଉଥିତ ହେଲା । ଏ ଧ୍ୱନି ବସତିମୁଣ୍ଡରେ ରୁଣ୍ଡ ହୋଇଥିବା ଲୋକବୃନ୍ଦରୁ ଉଥିତ ହୋଇ ତାଡ଼ିତବାର୍ତ୍ତା ପ୍ରାୟ ଗ୍ରାମର ଅପର ମୁଣ୍ଡକୁ ଚାଲିଗଲା । ରାଜଦର୍ଶନରେ ଲୋକେ ଜୟଧ୍ୱନି କଲାପ୍ରାୟ ଏ ଧ୍ୱନି ଶୁଣି ଚକିତେ ଭ୍ରମ ଜାତ ହେଲା । ଭ୍ରମ ହେବାର ପ୍ରୟୋଜନ ଅବା କିସ ? ଓଡ଼ିଶା ତ ସ୍ୱାଧୀନତା ହରାଇ ପରପଦାନତ ହୋଇଅଛି । ମହାରାଷ୍ଟ୍ରୀୟ ସୁବାଦାରତ ଏବେ ଓଡ଼ିଶାର ରାଜା । ସୁତରାଂ ନାଏବଙ୍କ ଆଗମନରେ ରାଜାଙ୍କୁ ସଙ୍ଖୁଳିବା ମର୍ମ୍ମରେ ଜୟଧ୍ୱନି ସୂଚକଶବ୍ଦଉଥିତ ହେବା ତ ଆଶ୍ଚର୍ଯ୍ୟର ବିଷୟ ନୁହେ । ସେ ଯାହା ହେଉ ରୋଷନୀ ନବଗ୍ରାମର ବସତି ସୀମାରେ ପହୁଞ୍ଚିବାମାତ୍ରକେ ତୁମୂଳଧ୍ୱନି ଉଥିତ ହୋଇ ଗ୍ରାମର ଏକ ମୁଣ୍ଡରୁ ଅପର ମୁଣ୍ଡକୁ ତାଡ଼ିତଗତିରେ ଚାଲିଯାଇଥିଲା । ଶୋକ ଭାରାକ୍ରାନ୍ତ ହୃଦୟରେ କଳାବତୀ ଓ ରସକଳା ଚୌଧୁରୀଙ୍କ ଘରେ ପରମ ସ୍ନେହରଜ୍ଜୁରେ ଟଣା ହୋଇ ଏକ ହୋଇ ବସ୍ତୁ ପ୍ରାୟ ଏକ ଶଯ୍ୟାରେ ଶୋଇଥିଲେ । ଉଭୟର ସ୍ନେହ ପୂର୍ବେ ପରସ୍ପର ପ୍ରତି ଯେତେଦୂର ଥାଉ ପଛକେ ଆଜି ଅପୂର୍ବ କଥାପ୍ରସଙ୍ଗରେ ସେ ସ୍ନେହ ପୂର୍ଣ୍ଣଭାବରେ ବିକଶିତ ହୋଇଅଛି । କଳାବତୀ ଆପଣା ହୃଦୟ ରସକଳାଙ୍କଠାରେ ଫେଡ଼ିବା ନିମିତ୍ତ ଏକାନ୍ତ ଅନୁରାଗିଣୀ ହୋଇଅଛନ୍ତି ଏବଂ ରସକଳା କେବଳ ସେହି ଅମୃତ ପାନ କରିବାକାରଣ ଏକାନ୍ତ ଉତ୍ସୁକା । ରୋଷନୀ ଉଠିବା ସଙ୍ଗେ ସଙ୍ଗେ ବମ୍‌ବାଜି ଗଛରୁ ଆକାଶଭେଦୀ ଦୁମ୍‌ଦାମ୍‌ ଶବ୍ଦ ଉଥିତ ହୋଇ ଯାହା ଏମାନଙ୍କ କକ୍ଷରେ ଉପନୀତ ହୋଇଥିଲା ତାହା ତାଙ୍କ କର୍ଣ୍ଣକୁହରରେ ପ୍ରବିଷ୍ଟ ହେଲା ସତ୍ୟ ମାତ୍ର ହୃଦୟରାଜ୍ୟ ଅଧିକାର କରିପାରିଲା ନାହିଁ । ପ୍ରବେଶ ଲାଭ କରି ପରକ୍ଷଣରେ ଅନ୍ତର୍ହିତ ହେଲା । ଏକେ ହୃଦୟ ଶୋକଭାରାକ୍ରାନ୍ତ, ଦୁଜେ ସ୍ୱାର୍ଗୀୟଭାବ ତହିଁରେ ପୂର୍ଣ୍ଣ ବିକଶିତ । ହୃଦୟର ଏମନ୍ତ ଅବସ୍ଥାରେ ଅନ୍ୟ କଥା ସହଜରେ ତହିଁ ସ୍ଥାନ ପାଇପାରିବ କି ? କଳାବତୀ ଆପଣା କଥା ଶେଷ କରି ନୀରବ ହୋଇ ରହିଲେ । ରସକଳା ଅନିମେଷଲୋଚନରେ କଳାବତୀଙ୍କର ତତ୍କାଳୀନଭାବରେ ଉଜ୍ଜ୍ୱଳିତ ମୁଖଚନ୍ଦ୍ରକୁ ଅବିଶ୍ରାନ୍ତଭାବରେ ଅନାଇଥିଲେ । ଯେଉଁ ଭଗ୍ନସ୍ନେହପାଶର କଥା କଳାବତୀ ଉଲ୍ଲେଖ କଲେ ସେହି ଭଗ୍ନସ୍ନେହପାଶର କଥା ରସକଳା ଅନନ୍ୟମନା ହୋଇ ଅନୁଧାବନ କରୁଥିଲେ । ବମ୍‌ବାଜିର ଶବ୍ଦ ଆସିଲା, ଚାଲିଗଲା । ଶୁଣି ମଧ୍ୟ ସେ ଲତିକାଦ୍ୱୟ ଶୁଣିଲେ କି ନାହିଁ ! ଆଜି ରସକଳାଙ୍କର ସ୍ନେହ କଳାବତୀଙ୍କ ପ୍ରତି ପୂର୍ଣ୍ଣ ହୋଇଅଛି । ଆଉ ସେ କୌଣସି ବାଧାବିଘ୍ନ ମାନିବ ନାହିଁ । ଆଉ ସେ ତିଳେମାତ୍ର କଳାବତୀଙ୍କି ଛାଡ଼ିବ ନାହିଁ । ସେ ସ୍ନେହବାରି କଳାବତୀଙ୍କର ହୃଦୟକୁ ଚିରାଲିଙ୍ଗନରେ ଉପରେ ରଖି ଭସାଇ ଭସାଇ ଘେନି ଯିବ ବୋଲି ବ୍ୟଗ୍ର ହୋଇଅଛି । ରସକଳା କେତେକକ୍ଷଣ ନୀରବ ରହି କହିଲେ ‘‘ଅପା ! ତୋ କଥା ଆଜି ମୋତେ କିଣି ନେଇଚି । ମୁଁ ତ ବାଳିକା କେତେ ବୁଝିଲି, କେତେ ଅବା ନ ବୁଝିଲି ! ମାତ୍ର ଅପା, ମୁଁ ଆଉ ତୋ କତି ଛାଡ଼ିବି ନାହିଁ-’’-। ଏ କଥା କି ପୂର୍ଣ୍ଣଭାବୋଦ୍ଦୀପକ ନୁହଇ ? କଳାବତୀଙ୍କର ମନପ୍ରାଣ କି ଏ କଥା ହରଣ କଲାନାହିଁ-? ଏହି କଥା ଉଚ୍ଚାରିତ ହେବାମାତ୍ରକେ ବିଶ୍ୱଚରାଚର କି ଉଭୟଙ୍କ ନିକଟରେ ତୁଚ୍ଛ ହେଲା ନାହିଁ ? ପରମେଶ୍ୱରଙ୍କ ବିଚିତ୍ରଲୀଳାରେ ଉଦ୍‍ଘାଟିତ ଚିତ୍ରମୟୀ ରଙ୍ଗଭୂମିରୂପେ ବିରାଜିତ ବିଶ୍ୱସଂସାର କି ଏହି ଭାବନିକଟରେ ଏ ରୂପରେ ପରାଜିତ ହେଲା ନାହିଁ ? ରୋଷନୀର ଆଡ଼ମ୍ବର କିବା ଛାର !

 

କଳାବତୀଙ୍କ ହୃଦୟ ରସକଳାଙ୍କ ବାକ୍ୟସୁଧାରେ ଶୀତଳ ହୋଇ ଆସୁଥିଲା । ମନେ ମନେ ସେହି ସ୍ୱର୍ଗୀୟଶୀତଳତା ଅନୁଭବ କରୁ କରୁ କିଛିକ୍ଷଣ ଗତ ହେଲା । ଉଭୟେ ନୀରବ । ରୋଷନୀର କୋଳାହଳ ଶବ୍ଦ ଗ୍ରାମଯାକ ଲୋକଙ୍କୁ ଉଦ୍‌ବିଗ୍ନ କରି ଗଣ୍ଡଗୋଳ ଲଗାଇଅଛି । ସେ ଶବ୍ଦ କି ଏମାନଙ୍କ କକ୍ଷକୁ ଆସୁନାହିଁ ? ଆସୁଅଛି–ଅନ୍ୟସ୍ଥାନକୁ ଯେ ଭାବରେ ଯେ ବଳରେ ଯାଉଅଛି ଏଠାକୁ ମଧ୍ୟ ସେହି ଭାବରେ ସେହି ବଳରେ ଆସୁଅଛି । ମାତ୍ର ଆସିଲେ କି ହେବ ? ଯେତେକ୍ଷଣ ଏ ଜୀବଦ୍ୱୟ ସ୍ୱର୍ଗୀୟଭାବରେ ଉନ୍ନତ୍ତ ହୋଇ ରହିଅଛନ୍ତି, ସେତେବେଳଯାଏ ପାର୍ଥିବ ବିଷୟ କି ଏମାନଙ୍କୁ ଅଧିକାର କରି ପାରିବ ? ପ୍ରଖର ସୂର୍ଯ୍ୟତେଜ ପ୍ରକାଶିତ ଥିଲେ କ୍ଷୀଣପ୍ରଦୀପ କି ପ୍ରଭା ବିସ୍ତାର କରିପାରେ ?

 

ଅନେକକ୍ଷଣ ଉଭୟେ ନୀରବ ରହିଲେ । କଳାବତୀ ରସକଳାଙ୍କ ଆଡ଼କୁ ଅନାଇ ଦେଖିଲେ ଯେ ରସକଳାଙ୍କର ବାଳିକାହୃଦୟ ଅତ୍ୟନ୍ତ ଆଲୋଡ଼ିତ ହେଉଅଛି । ସେପରି ଭାବରେ ଅଧିକକ୍ଷଣ ଆଲୋଡ଼ିତ ହେବା ଉଚିତ ନୁହେଁ । ସ୍ୱର୍ଗୀୟ ତେଜରେ ଚଞ୍ଚଳ ହୋଇ ଅର୍ଜୁନ ମଧ୍ୟ ଭଗବାନଙ୍କୁ ସ୍ୱରୂପ ଗୋଟାଇ ନେବାକାରଣ ଅନୁରୋଧ କରିଥିଲେ । ଏଠି ଅବା କି କଥା ? ସମବେଦନା ପୂର୍ଣ୍ଣଭାବରେ ଉଭୟର ହୃଦୟ ଅଧିକାର କରିଅଛି । ତଥାପି ବୟୋଜ୍ୟେଷ୍ଠା କଳାବତୀ ରସକଳାଙ୍କୁ ପାଳିବା ଭାବରେ କର୍ତ୍ତବ୍ୟାନୁଗତା । ମନେ ମନେ ରସକଳାଙ୍କର କଲ୍ୟାଣଚିନ୍ତା କରି କିରୂପେ କଥାର ବେଗ ଫେରାଇବେ ତାହା ଭାବିବାରେ ନିରତା ହେଲେ ।

 

ଏତେବେଳେ ସମୟ ମିଳିଲା । ପାର୍ଥିବ ବିଷୟ ଏତେବେଳେ ପ୍ରବେଶଲାଭ କରିବାକୁ ସମୟ ମିଳିଲା । ମାୟାମୟ ଈଶ୍ୱରଙ୍କର ସୃଷ୍ଟିରେ ପ୍ରତ୍ୟେକ ପଦାର୍ଥ ମାୟାବଦ୍ଧ ହେଲେହେଁ ଯେ ପର୍ଯ୍ୟନ୍ତ ଜୀବ ପାର୍ଥିବ ବିଷୟ ଲୋଡ଼ିନାହିଁ ସେ ପର୍ଯ୍ୟନ୍ତ ତାହାକୁ ପାର୍ଥିବ ବିଷୟ ଅଧିକାର କରି ନ ପାରେ । ପାର୍ଥିବ ବିଷୟର ଚିରକାଳ ସ୍ୱର୍ଗୀୟ ଭାବକୁ ଭୟ ଅଛି ଏବଂ ମାୟାବଦ୍ଧ ଜୀବ ନିକଟରେ ପାର୍ଥିବ ବିଷୟ ସର୍ବଦା ଅଧିକାରପ୍ରାର୍ଥୀ ହୋଇ ଦ୍ୱାରଦେଶରେ ସମୁପସ୍ଥିତ ଥିଲେହେଁ ସ୍ୱଗୀୟ ଭାବରେ ଜୀବ ଉନ୍ମତ୍ତ ଥିଲେ ପାର୍ଥିବ ବିଷୟର ସେଠାକୁ ଯିବାର ଅଧିକାର ନାହିଁ । ଜୀବ ଏହା ଜାଣୁ ଅବା ନ ଜାଣୁ ଈଶ୍ୱରସୃଷ୍ଟିରେ ଏ ଭାବଦ୍ୱୟ ଚିରକାଳ ଏହି ଭାବରେ କାର୍ଯ୍ୟ କରୁଅଛି ଏବଂ କଳାବତୀ ରସକଳାଙ୍କୁ ଭୁଲାଇବାପାଇଁ କ୍ଷଣକେ ପୂର୍ବଭାବରୁ ବାହାରକୁ ବାହାରିବାମାତ୍ରକେ ରୋଷନୀର ଚହଳ ସୁସ୍ପଷ୍ଟଭାବରେ ହୃଦୟରେ ଜାଗରୂକ ହେଲା ।

 

ଶରୀରରେ ବଳ ହେଲା ! କଥା ଖୋଜିବାକୁ ଯାଇ ସହଜରେ ପାଇ ମନ ଆଶ୍ୱସ୍ତହେଲା-। କହିଲେ ‘‘ରସ ! ଆଉ ସେକଥା ଏରୂପେ ଭାଳିଲେ କି ହେବ ? ତୁ ପରା ରୋଷନୀ ଦେଖିବାକୁ କହୁଥିଲୁ ? ରୋଷନୀ ଅଇଲାଣି–ଚାଲ ଦୁଆରକୁ ଯିବା ।’’

 

ରସକଳା ସ୍ୱପ୍ନୋଥିତା ପ୍ରାୟ ହୋଇ ଏକଥା ଶୁଣି ଚମକିଉଠି ସଜାଡ଼ି ହୋଇ ଶୋଇ କହିଲେ ‘‘ହଁ, ସତେତ ! ଭାରୀ ଗୋଳମାଳ ଶୁବୁଚି; ଗାଁ ଦାଣ୍ଡକୁତ ଅଇଲାଣି, ଉଠ ଯିବା ।’’

 

ଏହିକଥା ରସକଳାଙ୍କ ମୁଖରୁ ବିନିଃସୃତ ହେବା ସଙ୍ଗେ ସଙ୍ଗେ ଭଗିନୀଦ୍ୱୟ ଶଯ୍ୟାରୁ ଉଠି ଧୀରେ ଧୀରେ ଦାଣ୍ଡଦୁଆରକୁ ଆସିଲେ । ଏ ସମୟକୁ ଯଦିବା ରୋଷନୀ ଗ୍ରାମ ମଧ୍ୟରେ ଅଛି, ମାତ୍ର ଲୋକସ୍ରୋତ ଚୌଧୁରୀଙ୍କ ଦୁଆରଯାଏ ଲାଗିଯାଇଅଛି । ସୁତରାଂ ରୋଷନୀ ଆସିବାର ବିଳମ୍ବ ନାହିଁ । ଭଗିନୀଦ୍ୱୟ ରୋଷନୀ ନିକଟ ହୋଇଯିବାରୁ ସମୁତ୍ସୂକ ଚିତ୍ତରେ ରୋଷନୀ ଅପେକ୍ଷାରେ ଦାଣ୍ଡଦୁଆର ଅଣଆଉଜା କରି ତାହାରି ଶେଷଭାଗରେ ଦ୍ୱାରଦେଶ ପୂର୍ଣ୍ଣକରି ରୋଷନୀ ଅପେକ୍ଷାରେ ଅନାଇ ରହିଲେ ।

 

ଦେଖୁ ଦେଖୁ ରୋଷନୀ ଦୁଆରେ ପହୁଞ୍ଚିଲା । ପ୍ରଥମେ ନାରୀକେଳ, କଦଳୀ, ସପୁରୀ ପ୍ରଭୃତି ନାନାପ୍ରକାର ବୃକ୍ଷମାନ ଚାଲିଗଲା । ତହିଁଉତ୍ତାରୁ ହଂସ, ପଦ୍ମ ଏବଂ ମତ୍ସ୍ୟ ପ୍ରଭୃତି ନାନାପ୍ରକାର ଭଙ୍ଗୀରେ ନିର୍ମିତ ହୋଇଥିବା ଫାନସମାନ ଚୌଧୁରୀଙ୍କ ଘର ଅତିକ୍ରମ କରିଗଲା ଏବଂ ମଝିରେ ମଝିରେ ନାନାପ୍ରକାର ବାଦ୍ୟକାର ବାଦ୍ୟ ବଜାଇ ଚାଲିଗଲେ । ଏଥିଉତ୍ତାରୁ ନାନାବର୍ଣ୍ଣର ଫୁଲ, ସ୍ଥଳକମଳ ଓ ଗିଲାସମାନ ଆସିବାର ଆରମ୍ଭ ହେଲା । ଏସବୁ ଏକତ୍ର ମିଶ୍ରିତ ହୋଇ ଚାଲୁଥିବାରୁ ଦେଖିବାକୁ ବଡ଼ ଚମତ୍କାର ହୋଇଥିଲା । ଲୋକେ ଶତମୁଖରେ ତହିଁର ପ୍ରଶଂସା କରୁଥିଲେ ଏବଂ କଳାବତୀ ଓ ରସକଳା ଦୁହେଁ ଦ୍ୱାରଦେଶରେ ଠିଆହୋଇ ରୋଷନୀର ବୈଚିତ୍ର୍ୟ ଅନିମେଷ ଲୋଚନରେ ଦେଖୁଥିଲେ, ଏମନ୍ତ ସମୟରେ ଗୋଟିଏ ବୃହତ୍‌ ଚନ୍ଦ୍ରଉଦିୟା ଜ୍ୱଳିଉଠି ତୀବ୍ର ଆଲୋକରେ ରାତ୍ରକୁ ଦିନପ୍ରାୟ କରିଦେଲା ଏବଂ ସଙ୍ଗେ ସଙ୍ଗେ ମହାଗୋଳମାଳ ଉପସ୍ଥିତ ହେଲା ।

 

ଗୋଳମାଳ କାହିଁକି ହେଲା କିଛି ଜଣାଗଲା ନାହିଁ । କଳାବତୀ ଓ ରସକଳା ଦେଖୁଅଛନ୍ତି ଲୋକମାନେ ଛିନ୍ନଭିନ୍ନ ହୋଇ ଚତୁର୍ଦ୍ଦିକରେ ଦୌଡ଼ିବାକୁ ଆରମ୍ଭ କଲେ । ଗୋଳମାଳରେ ଆକାଶମେଦିନୀ ଫାଟିଯିବାକୁ ଆରମ୍ଭ ହେଲା । ରୋଷନୀ ଗଛଧାରୀ ଲୋକେ ରୋଷନୀଗଛ ଧରି ବେଗେ ଦଉଡ଼ିଲେ । କେବଳ ‘‘ହୋ ହୋ’’ ଶବ୍ଦରେ ଦିକ୍‌ବିଦିକ୍‌ ପୂର୍ଣ୍ଣ ହୋଇଗଲା । ନବଗ୍ରାମର ଉତ୍ତରଦିଗସ୍ଥ ମହାନଦୀ ବାଲିରେ ଏମନ୍ତ ସମୟରେ ବମ୍‌ବାଜିରେ ଅଗ୍ନି ଲାଗିଲା, ଦୁମ୍‌ଦାମ୍‌ ଶବ୍ଦହେବାର ଆରମ୍ଭ ହେଲା ଏବଂ ସଙ୍ଗେ ସଙ୍ଗେ ଚୌଧୁରୀଙ୍କର ଘରକାନ୍ଥମାନ ପଛଆଡ଼ୁ ତହୁଁ ବଳି ଦୁମ୍‌ଦାମ୍‌ ଶବ୍ଦରେ ଭୂତଳଶାୟୀ ହେବାର ଶବ୍ଦ ଶୁଣି କଳାବତୀ ଓ ରସକଳା ‘‘ମାଲୋ’’ ବୋଲି ଚିତ୍କାରକରି ପଛକୁ ଅନାଇ ଅଚେତନ ହୋଇ ଭୂମିରେ ପତିତା ହେଲେ ।

Image

 

ଷୋଡ଼ଷ ପରିଚ୍ଛେଦ

ସର୍ଦ୍ଦାର ସିଂହ

 

ରଘୁନାଥଙ୍କ ନିକଟକୁ ବିଦାୟ ହେଲା ପରେ ସର୍ଦ୍ଦାରସିଂହଙ୍କ ନୌକା ବିପରୀତ ଦିଗରେ ଧାବିତ ହୋଇ ଦେଖୁ ଦେଖୁ ତରିତୋକୁ ପଛରେ ପକାଇ ଢେମୁହାଣିଠାରେ ପହୁଞ୍ଚିଗଲା । ଏ ନୌକାରେ ଯେଉଁ ମାଝିମାନେ ନୌକା ବାହୁଥିଲେ ସେମାନେ ବଳରେ କୌଣସି ଅଂଶରେ ରଘୁନାଥଙ୍କ ନୌକାର ନାଉରିଙ୍କଠାରୁ ଊଣା ନୁହନ୍ତି ବରଂ ଉଭୟ ଦଳକୁ ଏକତ୍ରକରି ଠିଆ କରିଦେଲେ ମନେ ହେବ ଯେପରି ଏକଜାତୀୟ ଲୋକଙ୍କ ମଧ୍ୟରୁ ବଛା ହୋଇ ଲୋକେ ନାଉରି ଶ୍ରେଣୀଭୁକ୍ତ ହୋଇଅଛନ୍ତି । ସେ ଯାହା ହେଉ ଏ କଥା ସତ୍ୟ ଯେ ରଘୁନାଥଙ୍କ ନୌକା ତଳକୁ ଯିବାରେ ଯେଉଁ ଗତି ବିସ୍ତାର କରିଥିଲା ସର୍ଦ୍ଦାର ସିଂହଙ୍କ ନୌକା ଉପରକୁ ପ୍ରାୟ ସେହିପରି ଗତିରେ ଭିଡ଼ା ହେଉଥିଲା ।

ଚରାଚର ଶୂନ୍ୟ । ନୀଳ ଆକାଶରେ ଏକମାତ୍ର ଚନ୍ଦ୍ର ଏବଂ ଇତସ୍ତତଃ ବିକ୍ଷିପ୍ତ କେତେ ଗୁଡ଼ିଏ ନକ୍ଷତ୍ର ଜୁଳୁ ଜୁଳୁ ହୋଇ ତୁହିନଜାଲର ଶୈତ୍ୟରେ ଅସ୍ଥିର ହେଲା ପ୍ରାୟ ଆକ୍ଷି ମିଟି ମିଟି କରି ଧରାଧାମ ଉପରେ ଦୃଷ୍ଟି ପକାଇ ରହି ଅଛନ୍ତି । ମହାନଦୀର ନୀଳଜଳ ମଧ୍ୟରେ ସେହି ନୀଳାକାଶ ସେହି ଚନ୍ଦ୍ରମା ଓ ନକ୍ଷତ୍ରବୃନ୍ଦଙ୍କୁ ଘେନି ପ୍ରତିଫଳିତ ହୋଇଅଛି । ଉଭୟ ପାର୍ଶ୍ୱସ୍ଥ ବୃକ୍ଷରାଜି ମଧ୍ୟ ଦୂରରୁ ନୀଳବର୍ଣ୍ଣ ଧାରଣ କରି ଏହିପରି ସ୍ୱର୍ଗ ଓ ମର୍ତ୍ତ୍ୟ ଉଭୟତ୍ର ବିରାଜିତ ହୋଇଥିବା ଚନ୍ଦ୍ର ଓ ତାରକାଦିଙ୍କି ଖଦ୍ୟୋତରଚିତ ଚକ୍ଷୁରେ ମିଟି ମିଟି କରି ଅନାଇ ଦେଖୁଅଛନ୍ତି । ଚରାଚର ଯେ ଶୀତପୀଡ଼ିତ ହୋଇ ସୁଦ୍ଧା ତୁହିନଜାଲାବୃତ ଚନ୍ଦ୍ରଜ୍ୟୋସ୍ନାରେ ବିଧୌତ ହୋଇ ଟିକିଏ ପ୍ରସନ୍ନତା ଲାଭ କରିଅଛି ତାହା କି ଏହି ଶୋଭା ସନ୍ଦର୍ଶନରେ ? ଯାହା ହେଉ ସର୍ଦ୍ଦାର ସିଂହ କି ତାଙ୍କ ନୌକାସ୍ଥ କାହାରି ଏଥି ପ୍ରତି ଦୃଷ୍ଟି ନାହିଁ । ସେମାନେ ଏକ ମନରେ ନିର୍ଦ୍ଦିଷ୍ଟ ସ୍ଥାନର କଥା ଆଲୋଚନା କରୁ କରୁ ତୀର ବେଗରେ ନୌକା ଚାଲୁଥିବା ଦେଖି ଆନନ୍ଦରେ ବିହ୍ୱଳ ହୋଇ ଯାଉ ଅଛନ୍ତି ।

ଢେମୁହାଣିଠାରେ ନୌକା ମୁଖ ଫେରାଇ ଚିତ୍ରୋତ୍ପଳା ନଦୀରେ ପୂର୍ବଦିଗକୁ ଗତି ବିସ୍ତାର କଲା । ପୁଣ୍ୟସଲିଳା ଚିତ୍ରୋତ୍ପଳା ଢେମୁହାଣିଠାରୁ ମହାନଦୀରୁ ବାହାରି ଅଛି ଏବଂ ଏଥିର ଉଭୟପାର୍ଶ୍ୱ ପୂରାକାଳରେ ମୁନିୠଷିଙ୍କର ଆବାସସ୍ଥାନ ଥିବାରୁ ଲୋକେ ଏ ନଦୀଜଳ ଭକ୍ତି ଭାବରେ ସ୍ପର୍ଶ କରନ୍ତି । ସେହି ମୁନିୠଷିମାନଙ୍କ ସ୍ପର୍ଶରେ ଧନ୍ୟ ମନେ କରି ଚିତ୍ରୋତ୍ପଳାର ଜଳ ଅହର୍ନିଶ କଳ କଳ ଶବ୍ଦରେ ଜଗଦୀଶ୍ୱରଙ୍କର ଯଶୋଗାନ କରୁଥିଲା । ଏବେ ମୁନିୠଷିମାନଙ୍କୁ ହରାଇଅଛି ସତ୍ୟ ମାତ୍ର ସେହିମାନଙ୍କଠାରୁ ଅପୂର୍ବ ଶିକ୍ଷା ଲାଭକରି ସ୍ୱଚ୍ଛନ୍ଦମନରେ ବିଭୁ-ଯଶ କଳନାଦରେ ଗାନ କରୁ କରୁ, ଦିବାରାତ୍ର କର୍ତ୍ତବ୍ୟକାର୍ଯ୍ୟରେ ନିଯୁକ୍ତ ଅଛି । ଏହାକୁ କହନ୍ତି ସତ୍‌ସଙ୍ଗରେ ଶିକ୍ଷାଲାଭ । କେତେଜଣ ଲୋକ ସତ୍‌ସଙ୍ଗରେ ଶିକ୍ଷା ଲାଭ କରି ସଂସାରରେ ଏକାକୀ ସେହି ଶିକ୍ଷାର ମର୍ଯ୍ୟଦା ରକ୍ଷା କରତଃ ଜୀବନ ଯାପନ କରିପାରନ୍ତି ? କେତେଜଣ ଲୋକ ଗୁରୁଙ୍କଠାରୁ ପୃଥିବୀର ଧର୍ମ୍ମନିଦାନ କର୍ତ୍ତବ୍ୟ-ଜ୍ଞାନ ଶିକ୍ଷା କରି ତାହା ପାଳନ ପୂର୍ବକ ଜୀବନକୁ ଧନ୍ୟ କରିପାରନ୍ତି ? କେହି କି ଚିତ୍ରୋତ୍ପଳାଠାରୁ ଏ ଶିକ୍ଷା ଲାଭ କରିବେ ?

ସର୍ଦ୍ଦାରସିଂହଙ୍କ ନୌକା ଚିତ୍ରୋତ୍ପଳାର ଜଳରେ ପୂର୍ବଦିଗକୁ ଗତି ବିସ୍ତାର କଲା । ନଦୀଜଳ କଳ କଳ ହୋଇ ଚାଲିଯାଉଥିଲା । ନୌକା ଜଳ ଉପରେ ପହୁଞ୍ଚିଯିବାରୁ ତହିଁରୁ କୁଳୁ କୁଳୁ ଶବ୍ଦ ଉଥିତ ହେଲା । ଜଣାଗଲା ଯେମନ୍ତ କି ନୌକା ସଙ୍ଗେ ନଦୀର କଥାବାର୍ତ୍ତା ହେଲା ! ନୌକା ଯେଉଁ କାର୍ଯ୍ୟ କରିବାକୁ ଯାଉଅଛି ତହିଁରେ ଆନନ୍ଦିତ ହେବାର କଥା ଅଛି କି ? ଡକାଏତଙ୍କ ନୌକାଦ୍ୱାରା କେଉଁ ଶୁଭକର କାର୍ଯ୍ୟ ଅବା ସାଧିତ ହେବ ଯେ ତହିଁରେ ନଦୀଜଳ ମ୍ରିୟମାଣ ନ ହୋଇ ତାହା ସଙ୍ଗେ କଥାବାର୍ତ୍ତା କରିବ ? କାର୍ଯ୍ୟ ଶୁଭମୟ ଅବା ଅଶୁଭମୟ ତାହା ପାଠକେ ପରେ ଜାଣିପାରିବେ ମାତ୍ର ଚିତ୍ରୋତ୍ପଳା ଆଗ୍ରହ ସହକାରେ ନୌକାକୁ ବକ୍ଷରେ ବହନକରି ଚଞ୍ଚଳ ହୋଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହୁଞ୍ଚାଇ ଦେଲା ।

ଯେଉଁଠାରେ ନୌକା ପହୁଞ୍ଚିଲା ତାହା ଘାଟ ନୁହେ । ଡକାଏତଙ୍କ ନୌକାର ନିୟମ ଏହି ଯେ ତାହା କେବେ ଘାଟରେ ବନ୍ଧା ହୁଏ ନାହିଁ, ମାତ୍ର ସେମାନଙ୍କର ନୌକା ବନ୍ଧା ହେବା ନିମିତ୍ତ ଅଧିକାଂଶ ଘାଟର କିଞ୍ଚିତ୍‌ ଛଡ଼ାରେ ସ୍ଥାନ ନିର୍ଣ୍ଣୀତ ହୋଇ ରହିଅଛି । ଏସବୁ ଏକା ଡକାଏତଙ୍କୁ ଜଣା–ଲୋକେ ତହିଁର ଗନ୍ଧ ମାତ୍ର ଜାଣନ୍ତି ନାହିଁ ।

ଯେଉଁଠାରେ ନୌକା ବନ୍ଧା ହେଲା ତାହା ବଟେଶ୍ୱର ଭଗବତୀଙ୍କ ଘାଟର କିଞ୍ଚିତ୍‌ ଉପରକୁ । ଏ ନୌକା ପହୁଞ୍ଚିବା ସମୟକୁ ସେଠାରେ ଅନ୍ୟ ଦୁଇ ଖଣ୍ଡି ନୌକା ବନ୍ଧାଥିଲା । ସେ ନୌକାର ଗଠନ ସର୍ଦ୍ଦାର ସିଂହଙ୍କ ନୌକା ପ୍ରାୟ ନୁହଇ । ସର୍ଦ୍ଦାର ସିଂହଙ୍କ ନୌକା ମଳଙ୍ଗି ନୌକା ପ୍ରାୟ, ମାତ୍ର ସେଠାରେ ବନ୍ଧା ଥିବା ନୌକାଦ୍ୱୟ ଆକୃତିରେ ବୃହତ୍‌ । ଦେଖିବାକୁ କ୍ଷୂଦ୍ର ଜାହାଜ ପରି-। ଏ ନୌକା କୁଜଙ୍ଗ ଭୂୟାଁମାନଙ୍କର ବିଖ୍ୟାତ ଜାଲିଆ । ଏଥିରେ ଭୂୟାଁମାନେ ଯେପରି ସମୁଦ୍ରରେ ବାଣିଜ୍ୟ ବ୍ୟବସାୟ କରନ୍ତି ସେହିପରି ଅନେକ ଦୂରକୁ ଯାଇ ଲୁଣ୍ଠିତ ଦ୍ରବ୍ୟ ବୋଝାଇ କରି ପଳାଇଯାନ୍ତି । ଏକ ଜାଲିୟାରେ ୧୬,୨୦,୨୨ କିମ୍ବା ୩୨ ଆହୁଲା ବନ୍ଧା ଥାଏ ଏବଂ ସେହି ଆହୁଲାମାନ ବିଶାଳକାୟ ରାକ୍ଷସ-ମୂର୍ତ୍ତିଙ୍କ ଦ୍ୱାରା ଭିଡ଼ା ହୁଅଇ । ସୁତରାଂ ଜାଲିୟାର ଗତି ସହଜରେ ପାଠକେ ଅନୁମାନ କରି ପାରିବେ । ସ୍ଥିର ସମୁଦ୍ରରେ ସ୍ୱଚ୍ଛନ୍ଦଭାବରେ ଶିଳ୍ପକୁଶଳ ଇଂରାଜଙ୍କର କଳଚାଳିତ ଅର୍ଣ୍ଣବପୋତ ଗତିରେ ଜାଲିଆଠାରେ ସ୍ପର୍ଦ୍ଧା କରି ପାରିବନାହିଁ ।

ସର୍ଦ୍ଦାର ସିଂହ ନୌକାରୁ ଅବତରଣ କଲେ । ଉପରେ ଏକ ତୋଟା ମଧ୍ୟରେ ପ୍ରାୟ ଜ ୪୦ ଣ ଲୋକ ପ୍ରସ୍ତୁତ ହୋଇ ଏହାଙ୍କ ଅପେକ୍ଷାରେ ବସିଥିଲେ । ସର୍ଦ୍ଦାର ସିଂହଙ୍କୁ ଦେଖିଲା ମାତ୍ରକେ ‘ଜୟ ମହାବୀରକି ଜୟ’ ଶବ୍ଦରେ ତୋଟାଟି କମ୍ପିତ କରିଦେଲେ ଏବଂ ନୀରବ ସୂଷୁପ୍ତ ପୃଥିବୀରେ ସେ ଶବ୍ଦ ବହୁଦୂରକୁ ବାହାରିଗଲା ।

ଦେଖୁ ଦେଖୁ ପ୍ରାୟ ଗୋ ୧୦ ଟି ମଶାଲ ପ୍ରଦୀପ୍ତ ହେଲା । ଲୋକମାନେ ଥରେ ଗାତ୍ର ଝାଡ଼ିଦେଇ ଲୁଗା ଭିଡ଼ିନେଲେ ଏବଂ ପରକ୍ଷଣରେ ଭୀମବେଶରେ ଭୀମଗଦା ଧାରଣ କରି ଭୀମବେଗରେ ବଟେଶ୍ୱର ଭଗବତୀଙ୍କି ପ୍ରଣାମ ପୂର୍ବକ ମହାପାତ୍ରଙ୍କ ଘର ଆଡ଼କୁ ଧାବିତ ହେଲେ ।

ରାତ୍ରି ପ୍ରାୟ ଦଶ ଘଡ଼ି । ମହାପାତ୍ରଙ୍କ ଘରେ କିଛି ଶବ୍ଦ ନାହିଁ ! ସମସ୍ତେ ନିଶ୍ଚିନ୍ତ ହୋଇ ଶୋଇ ଅଛନ୍ତି । ସ୍ୱୟଂ ମହାପାତ୍ର ମାମୁଙ୍କ ଅତୁଳ ବିଭବର ଅଧିକାରୀ ହୋଇ ମାମୁଙ୍କ ପଲ୍ୟଙ୍କରେ ସୁଖେ ଶୟନ କରି ସୁଖସ୍ୱପ୍ନ ସନ୍ଦର୍ଶନ କରୁଥିଲେ । ମାଇଁ ଯେ କେତେ କ୍ଳେଶରେ ଘୋର ଦୀର୍ଘ ନିଶ୍ୱାସ ତ୍ୟାଗ କରୁ କରୁ ଇହଲୀଳା ସମ୍ବରଣ କରିଥିଲେ ତିଳେ ସୁଦ୍ଧା ତାହା ମହାପାତ୍ରଙ୍କ ମନରେ ସ୍ଥାନ ପାଉ ନାହିଁ । ମହାପାତ୍ରଙ୍କ ପିତା ନିତାନ୍ତ ଦୁଃଖୀ ଥିଲେ ଏବଂ ପିଲାଟିଦିନୁ ପାଠପଢ଼ାଇବା କାରଣ ତାଙ୍କୁ ଆପଣା ଶ୍ୟାଳକଙ୍କଠାରେ ଅର୍ପଣ କରି ଇହଲୀଳା ସାଙ୍ଗ କରିଥିଲେ । ମହାପାତ୍ରଙ୍କ ମାତା ମଧ୍ୟ କେତେକ ଦିନ ପରେ ସ୍ୱାମୀର ଅନୁସରଣ କଲେ ଏବଂ ରହିବା ଘରଖଣ୍ଡିକ ମଧ୍ୟ ଯତ୍ନାଭାବରୁ ସେମାନଙ୍କ ପଛେ ପଛେ ଧ୍ୱସ୍ତ ହେଲା । ମହାପାତ୍ରଙ୍କର ମାମୁଘର ସୁତରାଂ ଘର ହୋଇ ରହିଲା । ସେହିଠାରେ କିଞ୍ଚିତ୍‌ ଲେଖାପଢ଼ା ଶିଖି ଜମିଦାରୀ ବୁଝାସୁଝା କରୁଥିଲେ । ମାମୁଙ୍କର ଅତୁଳ ବିଭବ ମାତ୍ର ପୁତ୍ର କନ୍ୟା କିଛି ନାହିଁ । ମାମୁଁ ମାଈଁ ଦୁହେଁ ଏହାଙ୍କୁ ପୁତ୍ରପ୍ରାୟ ସ୍ନେହ କରୁଥିଲେ । ତଥାପି କାଳଗତିରେ ସେମାନଙ୍କର ପୋଷ୍ୟପୁତ୍ର କରିବା କାରଣ ମତି ବଳିଲା ଏବଂ ଭଣଜାର ସ୍ନେହରେ ବଶୀଭୂତ ହୋଇ ପୋଷ୍ୟପୁତ୍ର କଲେ ସୁଦ୍ଧା ଉଭୟକୁ ସମାନ ଭାବରେ ସମ୍ପତ୍ତି ବାଣ୍ଟି ଦେବାର କଳ୍ପନା କରିଥିଲେ । ମହାପାତ୍ରଙ୍କୁ ଏକଥା ସହିଲା ନାହିଁ । ସେତ ପୂର୍ବରୁ ଆପଣାକୁ ମାମୁଙ୍କର ଅତୁଳବିଭବର ଏକମାତ୍ର ଉତ୍ତରାଧିକାରୀ ମନେ କରି ଅଶେଷ ସୁଖରେ ମତ୍ତ ହୋଇ ଥିଲେ । ବର୍ତ୍ତମାନ ସେ ପଥରେ ପ୍ରବଳ ପ୍ରତିଦ୍ୱନ୍ଦୀ ପହୁଞ୍ଚି ଯିବାର କଥା ହେବାରୁ ନୀରବରେ ସେ ବାଟ ପରିଷ୍କାର କରିବାର କଳ୍ପନା କରି ମାମୁଁଙ୍କୁ ବିଷ ଖୁଆଇ ମାରି ପକାଇଲେ ଏବଂ ବଳପୂର୍ବକ ମହାପାତ୍ର ଉପାଧି ଗ୍ରହଣକରି ମାମୁଁଙ୍କ ଗାଦିରେ ବସି ମାଇଁଙ୍କି ଅବହେଳା କଲେ । ମାଇଁ ତୀବ୍ର ମନୋବେଗରେ ଅଭିଶାପ ଦେଉଁ ଦେଉଁ ପ୍ରାୟ ଏକମାସ ପରେ ଜଗଦୀଶ୍ୱରଙ୍କ କୃପାରୁ ଇହଲୀଳା ସମ୍ବରଣ କଲେ ଏବଂ ତହିଁର ଠିକ୍‌ ଏକମାସ ଆଜି ପୌଷପୂର୍ଣ୍ଣିମା ରାତ୍ରରେ ପୂର୍ଣ୍ଣହେବ ।

ଯେଉଁ ସମୟରେ ନବଗ୍ରାମର ଚୌଧୁରୀଙ୍କ ଘରର କାନ୍ଥମାନ ଦୁମ୍‌ଦାମ ଶବ୍ଦରେ ପଡ଼ିବାକୁ ଆରମ୍ଭ ହେଲା ଠିକ୍‌ ସେ ସମୟରେ ମହାପାତ୍ରଙ୍କ ସୁଖସ୍ୱପ୍ନ ସର୍ଦ୍ଦାର ସିଂହଙ୍କ ଲୋକକୋଳାହଳରେ ଭାଙ୍ଗି ଗଲା । ଉଠି ଦେଖିଲେ ଡକାଏତ-ଗୋଳମାଳ । ସେମାନେ ଘର ଦ୍ୱାର ପାଚେରି ଭାଙ୍ଗି ଯାନାସନ ପର୍ଯ୍ୟନ୍ତ ବୋହି ନେଉ ଅଛନ୍ତି । କ୍ଷିପ୍ତପ୍ରାୟ ହୋଇ ଡକାଏତଙ୍କୁ ବାଧା ଦେବାକୁ ଦୌଡ଼ି ଆସିଲେ ମାତ୍ର କ୍ଷଣକ ମଧ୍ୟରେ ସର୍ଦ୍ଦାର ସିଂହଙ୍କ ଭୀଷଣ ତରବାରିରେ ଛିନ୍ନମୁଣ୍ଡ ହୋଇ ଭୂତଳେ ପତିତ ହେଲେ ।

ଡକାଏତମାନେ ଲୁଣ୍ଠିତ ଦ୍ରବ୍ୟାଦି ଘେନି ବାହୁଡ଼ିଲେ ଏବଂ ସର୍ଦ୍ଦାର ସିଂହଙ୍କ ଆଦେଶ କ୍ରମେ କୃତଘ୍ନ ପାଷଣ୍ଢ ମହାପାତ୍ରଙ୍କ ଛିନ୍ନମସ୍ତକ ବଂଶାଗ୍ରରେ ଗ୍ରଥିତ ହୋଇ ପାପକାର୍ଯ୍ୟର ଧ୍ୱଜା ସ୍ୱରୂପ ଲୋକଶିକ୍ଷାର୍ଥ ଭଗ୍ନାବଶେଷ ଡିହରେ ପ୍ରୋଥିତ ହେଲା ।

Image

 

ସପ୍ତଦଶ ପରିଚ୍ଛେଦ

ଜଟିଆକୁଦ

 

ବୁଢ଼ାଲିଙ୍ଗର ଆହୁରି ପୂର୍ବକୁ ମହାନଦୀର ଗଭୀର ଜଳରାଶି ମଧ୍ୟରେ ସାଗରଗର୍ଭଗତ ଦ୍ୱୀପ ପ୍ରାୟ ଯେଉଁ ସୁରମ୍ୟ କାନନାବୃତ ସୁପ୍ରଶସ୍ତ ମୃତ୍‌ପିଣ୍ଡ ମସ୍ତକୋତ୍ତୋଳନ କରି ବିପଥଗାମୀ ବଣିକାଦିଙ୍କି ଅଥବା ଦୂରଦେଶାଗତ କ୍ଳାନ୍ତ ଖେଚର କିଅବା ସୁଖସେବୀ ଜୀବଜନ୍ତୁ ଅଥବା ଧର୍ମାଚାରୀ ମୁନିୠଷିଙ୍କି ଆଶ୍ରୟ ଦେବା କାରଣ ଇଙ୍ଗିତ କରୁଅଛି ତାହା ବହୁକାଳରୁ ଜଟିଆକୁଦ ନାମରେ ଲୋକରେ ପରିଚିତ ହୋଇ ଆସୁଅଛି । ଆମ୍ଭେମାନେ ପୂର୍ବେ କହିଅଛୁଁ ଯେ ଇଂଲଣ୍ଡକୀର୍ତ୍ତ ଆନିକଟଦ୍ୱାରା ମହାନଦୀର ଜଳ ଅପହୃତ ହୋଇଅଛି ଏବଂ ତହିଁ ସଙ୍ଗେ ସଙ୍ଗେ କାଳର ଅପ୍ରତିହତ ପ୍ରଭାବରୁ ସ୍ରୋତୋଗତିରେ କାଳକ୍ରମେ ଗର୍ବିର ଗର୍ବ ଖର୍ବହେଲା ପ୍ରାୟ କୁଦଟି ମଧ୍ୟ ମହାନଦୀରେ ଲୀନହୋଇ ଯାଇଅଛି । ଲୀନହୋଇ ଯାଇଅଛି ସତ୍ୟ, ମାତ୍ର ତାହାର ଅଧିକୃତସ୍ଥଳ ଦେଖିଲେ ଅଦ୍ୟାପି ନବଗ୍ରାମବାସୀ କାହିଁକି ଯେ ଥରେ ଜଟିଆକୁଦ ଦେଖିଅଛି ତାହାର ପୂର୍ବର ସୁଖମୟ ସ୍ମୃତି ଅଭୁତପୂର୍ବ ରୂପେ ଜଟିଆକୁଦକୁ ମନରେ ଜାଗରୂକ କରେ । ବାସ୍ତବରେ ଜଟିଆକୁଦଟି ଦେଖିବାକୁ ବଡ଼ ସୁନ୍ଦର ଥିଲା । ମହାନଦୀର ଅନ୍ୟାନ୍ୟ କୁଦଠାରୁ ଏହାର ପ୍ରକୃତରେ ଶୋଭା ଅଧିକ । ବିଶ୍ୱସ୍ରଷ୍ଟାର ଯେ ଅପୂର୍ବ ତୂଳିକାରେ ଛବିଳ ଓଡ଼ିଶା ଅଙ୍କିତ ହୋଇଅଛି ତାହା ବିଶେଷରୂପେ ଜଟିଆକୁଦଠାରେ ବୁଲି ଯାଇଥିବାର ଦେଖାଯାଏ । ଚତୁର୍ଦ୍ଦିକରୁ ଅତ୍ୱୁଚ୍ଚ ଅତଡ଼ା ଶତ୍ରୁ ହସ୍ତର କୁଦକୁ ରକ୍ଷା କରିବା ଆଶାରେ ଶୋଭିତ ହୋଇଅଛି । ସ୍ରୋତୋମୟ ଗଭୀର ଜଳରାଶି ସେ ଉଚ୍ଚ ଅତଡ଼ା ଦେଖି ଆହୁରି ଭୟରେ ପଳାତକ ଶତ୍ରୁସୈନ୍ୟର କୋଳାହଳ ପ୍ରାୟ କଳରବ କରି ପଳାୟନ କରୁଅଛି । ଚତୁର୍ଦିକରେ ଉଚ୍ଚ ଅତଡ଼ା ଉପରେ ଆହୁରି ଉଚ୍ଚ ବୃକ୍ଷାବଳୀ ଦୁର୍ଗପ୍ରାଚୀର ପ୍ରାୟ ଶୋଭିତ ହୋଇ ରହିଅଛି ଏବଂ ନାନାପ୍ରକାର ଲତାବଲ୍ଲରୀ ବୃକ୍ଷମାନଙ୍କରେ ବିଜଡ଼ିତ ଥାଇଁ ପତ୍ରପୁଷ୍ପ ଦାମରେ ପ୍ରାଚୀରକୁ ଶୋଭିତ କରି ସେ ଶୋଭା ଜଳଦର୍ପଣରେ ଦେଖିବା ସଙ୍ଗେ ସଙ୍ଗେ ଦୁର୍ଗଟି ଦୁର୍ଗମ ବୋଲି ଜଣାଇ ଦେଉ ଅଛି । ମଧ୍ୟରେ ଠାବେ ଠାବେ ବଡ଼ ବଡ଼ ବୃକ୍ଷମାନ କୁଦର ଗୌରବ ବୃଦ୍ଧି କରୁଅଛି । ନାନାପ୍ରକାର ପୁଷ୍ପବୃକ୍ଷ ଅଯତ୍ନସମ୍ଭୁତ ହୋଇ ବିଶ୍ୱସଷ୍ଟାର ଶିଳ୍ପଚାତୁରୀକି ଲକ୍ଷ୍ୟକରି ପୁଷ୍ପୋପହାର ଘେନି ଠିଆ ହୋଇ ଅଛନ୍ତି, ମଧ୍ୟ ଶତ ଶତ କଣ୍ଟାକୋଳି ବୃକ୍ଷ ଫଳଭାରରେ ଅବନତ ହୋଇ ପ୍ରକୃତିର ଅମୃତମୟ ଡାଲା ଘେନି କ୍ଳାନ୍ତ ପଥିକର ଚିତ୍ତବିନୋଦାର୍ଥ ଦୁର୍ଗ ମଧ୍ୟରେ ପ୍ରଚ୍ଛନ୍ନ ଭାବରେ ବିରାଜିତ ହୋଇ ରହିଅଛନ୍ତି । ପାଠକେ ! ପୌଷମାସତ କୋଳିର ସମୟ । ଏତେ ପ୍ରଚୁର କଣ୍ଟାକୋଳି ଫଳ ଅନ୍ୟ କୌଣସି ସମୟରେ ମିଳଇ ନାହିଁ ଏବଂ ଏହି ମାସରେ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଅନେକ ଲୋକେ ବିଶେଷତଃ ବାଳକବାଳିକାମାନେ ଦିବାଭାଗରେ ଉକ୍ତ କୁଦକୁ ଯାଇ ପ୍ରକୃତିର ସେହି ସୁଧାମୟ ଡାଲାର ରସାସ୍ୱାଦନ କରି ଚରିତାର୍ଥ ହୁଅନ୍ତି । ମାତ୍ର ସନ୍ଧ୍ୟା ନୋହୁଣୁ ସମସ୍ତେ ଫେରି ଆସନ୍ତି । ରାତ୍ରରେ ହନୁମାନ ଦାସ ବ୍ୟାଘ୍ର ଉପରେ ଚଢ଼ି ଇତସ୍ତତଃ ପରିଭ୍ରମଣ କରନ୍ତି–ସୁତରାଂ ଭୟରେ ପଠାରେ କିଏ ରହିବ ?

 

ଆମ୍ଭେମାନେ ଯେଉଁ ସମୟର ଘଟନାବଳୀ ଲେଖୁଅଛୁଁ ସେ ସମୟରେ ଜଟିଆକୁଦର ଗୌରବ ହନୁମାନ ଦାସଙ୍କ ହେତୁ ବିଶେଷ ବର୍ଦ୍ଧିତ ହୋଇଥିଲା । ଏବେ ସେ କୁଦ ନାହିଁକି ସେ ହନୁମାନ ଦାସ ନାହାନ୍ତି । କାଳପ୍ରଭାବରୁ ଭୂତରେ ଭୂତ ମିଶିଯାଇ ଅଛି ଏବଂ ଲୋକଚରିତ୍ର ସ୍ମୃତିପଥରେ ସେମାନଙ୍କୁ ଆଣୁ ନ ଥିଲେ କାଳର ବିଶାଳ ବିସ୍ମୃତିଗର୍ଭରେ ସେମାନେ ବିଲୀନ ହୋଇଥାନ୍ତେ । ପ୍ରକୃତରେ ଜଟିଆକୁଦ ଏବଂ ହନୁମାନ ଦାସ ଏ ଅଞ୍ଚଳରେ ପୂରାକାଳରେ ଲୋକଙ୍କ ମନରେ ଚମକ ଜଗାଇ ରଖିଥିଲା ଏବଂ ଆପଦବିପଦରେ ଲୋକେ ଜଟିଆକୁଦକୁ ଯାଇ ହନୁମାନ ଦାସଙ୍କର ଶରଣ ଘେନି ପାରିଲେ ଆପଣାକୁ ପରମ ଭାଗ୍ୟବାନ୍‌ ମଣୁଥିଲେ । ଅଧିକ କି କହିବୁଁ କୁଜଙ୍ଗର ଭୂୟାଁମାନେ ଡକାଇତୀ କରିବାକୁ ଆସି ସୁଦ୍ଧା ଏହାଙ୍କୁ ସମ୍ମାନ କରୁଥିଲେ ଏବଂ ତାଙ୍କୁ ଦେଖା ନ ଦେଇ ବାହୁଡ଼ି ଯିବା ସେମାନେ ଅମଙ୍ଗଳ ସୂଚକ ବୋଲି ବୁଝୁଥିଲେ ।

 

ଜଟିଆକୁଦର ଠିକ୍‌ ମଧ୍ୟଭାଗରେ କଣ୍ଟାକୋଳିର ବିସ୍ତୃତ ବନ ଥିଲା । ତହିଁମଧ୍ୟରେ ଅନେକ ଦୂର ପର୍ଯ୍ୟନ୍ତ ଗୋଟିଏ ଅପ୍ରଶସ୍ତ ବାଟଥିଲା । ସେହିବାଟର ଉଭୟପାର୍ଶ୍ୱରେ ଧାଡ଼ି ହୋଇ କଣ୍ଟାକୋଳି ଗଛ ଓ ଉପରେ ତହିଁର ଶାଖାମାନ ମିଳିତହୋଇ ସୂର୍ଯ୍ୟଦେବଙ୍କୁ ବାଟଟି ଲୁଚାଇ ରଖି ପରମ ସୁଖରେ ବାଟର ଶୋଭା ବର୍ଦ୍ଧନ କରିଅଛି । ସୁତରାଂ ବାଟରେ ଗଲାବେଳେ ସୁଡ଼ଙ୍ଗରେ ଗମନ କଲା ପ୍ରାୟ ଜଣାଯାଇ ବିଜନସ୍ଥାନରେ ମନରେ ଅପୂର୍ବ ବୈରାଗ୍ୟଭାବ ଜାତ ହୁଏ । ଠିଆହୋଇ ଯିବାର ଉପାୟ ନାହିଁ । ଗଳି ଗଳି ଯାଇ ଅବଶେଷରେ ଗୋଟିଏ ବଟବୃକ୍ଷ ମୂଳରେ ଏକ ହୁଙ୍କା ପୁଷ୍ପ-ଚନ୍ଦନ-ଚର୍ଚ୍ଚିତ ହୋଇ ବିରାଜିତ ଥିବା ଏବଂ ତହିଁ ପାର୍ଶ୍ୱରେ ହନୁମାନଙ୍କ ପର୍ଣ୍ଣକୁଟୀର ଅବସ୍ଥାପିତ ଥିବା ଦେଖାଯିବ ।

 

କିମ୍ବଦନ୍ତୀ ଏରୂପ ଯେ ଜଣେ ଗୋପବାଳକ ଜଟିଆକୁଦକୁ ପ୍ରତିଦିନ ଗୋରୁ ଚରାଇବାକୁ ଯାଉଥିଲା । ଦିନେ ଦିବା ଦୁଇପ୍ରହର ସମୟରେ ହଠାତ୍‌ ଏକ ଦୁଧିଆଳୀ ଗାଈକି ଦେଖିବାକୁ ନ ପାଇ ଗୋପବାଳକ ଖୋଜୁ ଖୋଜୁ ଯାଇ କଣ୍ଟାକୋଳିର ବିଶାଳ ଅରଣ୍ୟରେ ପ୍ରବେଶ କରି ଇତସ୍ତତଃ ଖୋଜିବାରେ ରତ ହେଲା । ଅବଶେଷରେ ଅନେକ ଦୂରଯାଇ ଦେଖିଲା ଯେ ଗୋଟିଏ ବଟବୃକ୍ଷ-ମୂଳରେ ଏକ ହୁଙ୍କା ଉପରେ ଗାଈଟି ଠିଆ ହୋଇଅଛି ଏବଂ ସ୍ତନରୁ କ୍ଷୀରଧାରା ନିର୍ଗତ ହୋଇ ହୁଙ୍କା ଉପରେ ପଡ଼ୁଅଛି । ମାତ୍ର କ୍ଷୀରଧାର ଗଡ଼ି ଯାଉନାହିଁ । ଅଥଚ କିଏ ତାହା ଶୋଷଣ କରି ନେଉଅଛି ତାହା ମଧ୍ୟ ଦେଖା ଯାଉନାହିଁ । ଗୋପବାଳକ ଥରେ ମନେ କଲା ହୁଙ୍କା ଭାଙ୍ଗିବ, ମାତ୍ର ପରକ୍ଷଣରେ ମନରେ ଅପୂର୍ବ ଭକ୍ତି ଓ ବୈରାଗ୍ୟଭାବ ଜାତହେବାରୁ ତହିଁରୁ ବିରତ ହେଲା । ସଂସ୍କାର–ବଶବର୍ତ୍ତୀ ହୋଇ ବୁଝିଲା ଯେ ହୁଙ୍କାରେ ମହାପୁରୁଷ ଅଛନ୍ତି ଏବଂ ତାଙ୍କ ସେବାରେ ଗାଭୀ କ୍ଷୀରଧାରା ବୁହାଉ ଅଛି । ଚିନ୍ତା କରୁ କରୁ ମନରେ ଅପୂର୍ବ ଭାବ ଜାତ ହେଲା । ସମସ୍ତ ଚରାଚର ଗାଭୀରୂପରେ ତାକୁ ପ୍ରତ୍ୟକ୍ଷ ହେଲା । ସେହି ଗାଭୀ ମହାପୁରୁଷ ସେବାରେ ରତ ଥିବା ତାହାକୁ ଜଣାଗଲା । ବିଶ୍ୱବ୍ରହ୍ମାଣ୍ଡ ଭକ୍ତିଭାବରେ କ୍ଷୀରଧାରା ବୁହାଉଅଛି ଏବଂ ବିଶ୍ୱସ୍ରଷ୍ଟ୍ରା ଅଣୁପରମାଣୁରେ ପ୍ରକାଶିତ ଥାଇ ତାହା ସେବନ କରୁଅଛନ୍ତି । ଅପୂର୍ବଭାବ ! ହୁଙ୍କା ଆଗରେ ବିସ୍ମୟାପନ୍ନ ହୋଇ ଯାହା ଚିତ୍ରପୁତ୍ତଳିକା ପରି ଠିଆ ହୋଇ ରହିଥିଲା କ୍ରମେ ଏ ଭାବରେ ଉନ୍ନତ୍ତ ହୋଇ ଗୋପବାଳକ ନୃତ୍ୟ କଲା । ଈଶ୍ୱର ବିଶ୍ୱମୟ ଏବଂ ବିଶ୍ୱ ଈଶ୍ୱରମୟ ! ସ୍ରଷ୍ଟା ସ୍ୱେଚ୍ଛାକ୍ରମେ ସୃଷ୍ଟରୂପେ ପ୍ରକାଶିତ ହୋଇ ସାରସୁଧା ସେବନ କରୁଅଛନ୍ତି ! ସ୍ରଷ୍ଟା ସୃଷ୍ଟିରୁ ସାର ନିର୍ଗତ କରି ସେ ସାର ଶୋଷଣ କରୁଅଛନ୍ତି ! ଯେଉଁଠାରୁ ସାର ନିର୍ଗତ ହେଲା ପ୍ରକାରାନ୍ତରେ ସେହିଠାକୁ ସାର ଧାଇଁ ଯାଉଅଛି ! ଅପୂର୍ବ କୌଶଳ ! ଅପୂର୍ବସୃଷ୍ଟି ! ଅପୂର୍ବ ଭାବ ! ଏ ଭାବରେ ଭାବୁକ ଉନ୍ମତ୍ତ ହୋଇ ନୃତ୍ୟ ନ କଲେ ଆଉ ନୃତ୍ୟ କରିବ କେଉଁଠାରେ ? ଗୋପାଳକର ବିଷୟବୁଦ୍ଧି ହଜିଗଲା । ବିଧିନିର୍ଦ୍ଦେଶରୁ ଗୋପବାଳକର ଗୋପ-ବାଳକତ୍ୱ ଶେଷ ହେଲା । ଆଉ ସେ ପୂର୍ବର ଗୋପବାଳକ ନାହିଁ । ଆଉ ତାହାର ଘର ପ୍ରତି ମାୟା ନାହିଁ । ସନ୍ଧ୍ୟାସମାଗମରେ ଆଉ ତାହାର ଘରକୁ ବାହୁଡ଼ି ଯିବାର ଅଭିଳାଷ ନାହିଁ । ଆଉ ତାହାକୁ ପିତାମାତା ସ୍ନେହରେ ନବଘନ ବୋଲି ଡାକିବେ ନାହିଁ । ଏବେ ସେ ପୂର୍ବର ନବଘନ ଦାସ ଗୋପବାଳକ ନୁହେଁ । ଏବେ ସେ ଅପୂର୍ବଭାବରେ ଉଦ୍ଦୀପିତ ହୋଇଅଛି ! ଅପୂର୍ବ ଦେବଭାବରେ ସଜ୍ଜିତ ହୋଇ କ୍ରମେ ତାହାର ଶରୀରର କାନ୍ତି ସତେଜ ହୋଇ ଉଠିଲା । ଯେ ଗୋପବାଳକକୁ ପୂର୍ବେ ଧରି ସମାଦର କରୁଥିଲା ଏବେ ତାହାର ତେଜରେ ତାହା ନିକଟକୁ ସେ ଲୋକ ଯିବାକୁ ସଙ୍କୁଚିତ ହେବ । ଧନ୍ୟ ବିଧାତାଙ୍କର ସୃଷ୍ଟି କୌଶଳ ! କ୍ଷଣକେ କେତେ ପରିବର୍ତ୍ତନ ସୃଷ୍ଟିରେ ସଂଘଟିତ ହୋଇ ନ ପାରେ ! ଯେ କ୍ଷଣକାଳ ପୂର୍ବେ ପୂର୍ଣ୍ଣ ଗୋପବାଳକ ରୂପରେ ବିଚରଣ କରି ନିତାନ୍ତ ମାୟାମୂଢ଼ ହୋଇ ବିଷୟ-ଚିନ୍ତାରେ ନିମଗ୍ନ ଥିଲା ସେ ପୁଣି ଅପୂର୍ବ ବ୍ରହ୍ମଭାବରେ ଅନୁପ୍ରାଣୀତ ହୋଇ ସଂସାରକୁ ଇଙ୍ଗିତ ମାତ୍ରକେ ଚିହ୍ନି ପକାଇଲା ! ସବୁ ଈଶ୍ୱରଙ୍କ ମାୟା ! ସବୁ ସୃଷ୍ଟିରକ୍ଷାର୍ଥ ଲୋକ-ଶିକ୍ଷାର ଅପୂର୍ବ ଉଦାହରଣ !

 

ନବଘନ ଦାସ ଏହିରୂପେ ଦେବଭାବରେ ଉନ୍ମତ୍ତ ହୋଇ କେତେକ୍ଷଣ ଉତ୍ତାରୁ ନୃତ୍ୟ ସମ୍ବରଣ କରି ସ୍ଥାନ ପରିଷ୍କାର କରି ଓଳାଇ ଦେଲେ । ପରିଷ୍କୃତ ହେଲାରୁ ସ୍ଥାନଟି ଅପୂର୍ବଶ୍ରୀ ଧାରଣ କଲା । ଅପୂର୍ବ ଗୋପବାଳକ ଚିନ୍ତାନିମଗ୍ନ ହୋଇ ସେହିଠାରେ ବସି ରହିଲେ । କ୍ରମେ ନିଦ୍ରା ଆସି ତାଙ୍କୁ ଅଭିଭୂତ କଲା ଏବଂ ନିଦ୍ରାଯୋଗେ ସ୍ୱପ୍ନାବେଶରେ ଈଶ୍ୱରାଦେଶ ପାଇ ସେହିଠାରେ ପର୍ଣ୍ଣକୁଟୀର ନିର୍ମାଣକରି ହନୁମାନ ଦାସ ଆଖ୍ୟା ଗ୍ରହଣ ପୂର୍ବକ ବିରାଜିତ ହେଲେ । ଗାଭୀଟି ସେବାରେ ନିଯୁକ୍ତା ରହିଲା ।

 

ପରଦିନ ପିତାମାତା ଆସି ନବଘନକୁ ଫେରାଇ ନେବାକୁ ଚାହିଲେ, ମାତ୍ର ନବଘନ କହିଲେ ‘ମୁଁ ଆଉ ତୁମ୍ଭର ନବଘନ ନୁହେଁ । ମୁଁ ହନୁମାନ ଦାସ ! ମୋର ବ୍ରତ ତୁମ୍ଭେ ଭଗ୍ନ କରିବ ନାହିଁ । ଯାଅ, ମହାପୁରୁଷଙ୍କଠାରେ ଭକ୍ତି କର, ତୁମ୍ଭର ପରମମଙ୍ଗଳ ହେବ ।’ ପିତାମାତା ବାହୁଡ଼ି ଆସିଲେ । ଗ୍ରାମଲୋକେ ମଧ୍ୟ ଯାଇ ହନୁମାନ ଦାସଙ୍କୁ ଦେଖି ବାହୁଡ଼ି ଆସିଲେ । କେହି ଫେରାଇ ଆଣି ପାରିଲେ ନାହିଁ ।

 

ଦିନ ଦିନ ହନୁମାନ ଦାସଙ୍କ ନାମ ଈଶ୍ୱରେଚ୍ଛାରେ ଚତୁର୍ଦ୍ଦିକରେ ପ୍ରଚାରିତ ହେଲା । କ୍ରମେ ରୋଗୀ ଅସାଧ୍ୟ ରୋଗର ଔଷଧ ଏବଂ ସ୍ତ୍ରୀମାନେ ପୁତକାମନାରେ ବର ପ୍ରାପ୍ତ ହୋଇ କୃତାର୍ଥ ହେଲେ ଏବଂ ହନୁମାନ ଦାସଙ୍କ ପ୍ରତିପତ୍ତି ଏତେଦୂର ଜାଗରୂକ ହେଲା ଯେ କେହି ତାଙ୍କ ନାମରେ ମସ୍ତକ ନ ନୁଆଇଁ ରହିପାରିଲେ ନାହିଁ ଏବଂ ଅଚିରେ ଲୋକରେ ବିଦିତ ହେଲା ଯେ ହନୁମାନ ଦାସ ନିଶାଯୋଗେ ବ୍ୟାଘ୍ର ଆରୋହଣ ପୂର୍ବକ ସୃଷ୍ଟିର ମଙ୍ଗଳାମଙ୍ଗଳ ପରିଦର୍ଶନ କରନ୍ତି-

 

ତାହା ସତ୍ୟ ଅବା ମିଥ୍ୟା ହେଉ ତହିଁରେ ଆମ୍ଭମାନଙ୍କର କୌଣସି ପ୍ରୟୋଜନ ନାହିଁ, ମାତ୍ର ପାଠକେ ହନୁମାନଦାସଙ୍କ ପ୍ରଭାବ ଏଥିରୁ ଉତ୍ତମରୂପେ ଜାଣି ପାରିବେ । ବ୍ୟାଘ୍ରାରୋହଣ କରିବା ବିଷୟ ଲୋକରେ ଘୋଷିତ ହେବା ସାମାନ୍ୟ କ୍ଷମତାର ପରିଚାୟକ ନୁହେ । ଏ ଅଞ୍ଚଳରେ କେବଳ ଆଉ ଜଣେ ସନ୍ନ୍ୟାସୀଙ୍କ ଭାଗ୍ୟରେ ଏହା ଘଟିଥିଲା । ତାଙ୍କର ନାମ ଗିରିଧାରୀ ଦାସ ଓ ସେ ସୁବିଶାଳ କାଇଜଙ୍ଗ ବନରେ ଅପୂର୍ବ କୁଞ୍ଜ ନିର୍ମାଣ କରି ସନ୍ନ୍ୟାସ ଧର୍ମାଚରଣରେ ନିରତ ଥିଲେ-

 

ଆମ୍ଭେମାନେ ଯେଉଁ ପୌଷପୂର୍ଣ୍ଣିମା ରାତ୍ରର କଥା କହି ଆସୁଅଛୁଁ ସେ ରାତ୍ରକୁ ହନୁମାନ ଦାସ ଜଟିଆ କୁଦକୁ ଗିରିଧାରୀ ଦାସଙ୍କୁ ନିମନ୍ତ୍ରଣ କରି ଆଣିଥିଲେ । ଉଭୟ ସନ୍ନ୍ୟାସୀ ବିଜନବନରେ ଈଶ୍ୱରରାଧନାରେ ବହୁକାଳ ଉନ୍ମତ୍ତ ଭାବରେ ନିମଗ୍ନ ଥାଇ ଅବଶେଷରେ ରାତ୍ରି ପ୍ରାୟ ଦ୍ୱିପ୍ରହର ସମୟକୁ ପ୍ରସାଦ ସେବା କରି ମହାନଦୀର ଅପୂର୍ବ ଶୋଭା ସନ୍ଦର୍ଶନାର୍ଥ ଜଟିଆକୁଦର ଏକପ୍ରାନ୍ତରେ ବସି ନାନାପ୍ରକାର କଥାବାର୍ତ୍ତାରେ ନିମଗ୍ନ ରହି ଚିତ୍ତବିନୋଦନ କରୁଥିଲେ । ଏମନ୍ତ ସମୟରେ ପୂର୍ବଦିଗରୁ ଦଶଖଣ୍ଡ ଜାଲିଆ ଆସି ପହୁଞ୍ଚିଲା । ପୂର୍ବ ପରିଚ୍ଛେଦରେ ଆମ୍ଭେମାନେ ପାଠକମାନଙ୍କୁ ‘ଜାଲିଆ’ ଶବ୍ଦଟି ଉପହାର ଦେଇଅଛୁଁ । କୁଞ୍ଜଙ୍ଗ ଅଞ୍ଚଳରେ ଏହି ଆଖ୍ୟାର ନୌକା ବିଶେଷ ଦେଖାଯାଏ ଏବଂ ଡକାୟତମାନଙ୍କର ଜାଲିଆ ବିଶେଷ ପ୍ରୟୋଜନୀୟ-। ଯେତେବେଳେ କୁଞ୍ଜଙ୍ଗ ଭୂୟାଁଙ୍କଦ୍ୱାରା ଏହା ଚାଳିତ ହୁଏ ସେତେବେଳେ ଏଥିର ଗତି ବିଦ୍ୟୁତ୍‌ପରି ବୋଧ ହୁଏ । ଘଣ୍ଟାକେ ପାଞ୍ଚ କ୍ରୋଶଠାରୁ ଦଶକ୍ରୋଶ ପର୍ଯ୍ୟନ୍ତ ଏକ ଏକ ଜାଲିଆ ଗତି ବିସ୍ତାର କରିପାରେ ସୁତରାଂ ଜାଲିଆ ସାହାଯ୍ୟରେ କୁଜଙ୍ଗର ଭୂୟାଁମାନେ ଏକ ଏକ ରାତ୍ରରେ ବହୁଦୂର ଗମନ କରି ଡକାୟିତୀ କରିବା ଆଶ୍ଚର୍ଯ୍ୟର ବିଷୟ ନୁହଇ ଏବଂ ଏହେତୁ ତାଙ୍କୁ ଧରିବା ମଧ୍ୟ କଠିନ-

 

ଜାଲିଆମାନ ପହଞ୍ଚିଲାରୁ ଆଗଜାଲିଆରୁ ଜଣେ ନାବିକ କୁଦକୁ କୁଦିପଡ଼ି ଦଉଡ଼ି ଘେନି ଗଛରେ ବାନ୍ଧିବାକୁ ଉପରକୁ ଗଲା । ଉପରେ ହନୁମାନ ଦାସ ଓ ଗିରିଧାରୀ ଦାସ ବାଜିଦ୍ୱୟ ବସିଅଛନ୍ତି । ତାଙ୍କୁ ଦଣ୍ଡବତ୍‌ ପ୍ରଣାମକରି ଦଉଡ଼ି ନିକଟବର୍ତ୍ତୀ ଗଛରେ ବାନ୍ଧିଦେଲା । ହନୁମାନ ଦାସ ପଚାରିଲେ ‘କିହୋ ? ଆଜିତ ବହୁତ ଆଡ଼ମ୍ବର ।’ ନାବିକ ଉତ୍ତର କଲା ‘ମହାରାଜ ! ନାଟଟା ଆଜିର ବଡ଼ ରସାଳ’ । ନାବିକ ଏହା କହି ଜାଲିଆ ନିକଟକୁ ତଳକୁ ଚାଲିଗଲା ଏବଂ ଦେଖୁ ଦେଖୁ ୧୬ ଜଣ ଲୋକ ଆସି ବାବାଜୀଙ୍କି ଦଣ୍ଡବତ୍‌ ପ୍ରଣିପାତ ହେଲେ ।

 

ନିର୍ଜ୍ଜନ କୁଦରେ ଏରୂପେ ପ୍ରକାଣ୍ଡ ଜନତା ହେଲା । ନାବିକମାନେ କୁଦର ନାନା ସ୍ଥାନରେ ନାନା ପ୍ରକାରରେ ବିଚରଣ କରିବାରେ ପ୍ରବୃତ୍ତ ହେଲେ । କ୍ରମେ ରାତ୍ରି ଦଶଘଡ଼ିଠାରେ ଉପସ୍ଥିତ ହେଲା । ଏମନ୍ତ ସମୟରେ ମହାନଦୀର ବାଲିର ବମ୍‌ବାଜି ଗଛର ତୁମୂଳ ଶବ୍ଦ ଜଟିଆକୁଦରେ ଅଜାଡ଼ି ହୋଇ ପଡ଼ିଲା ଏବଂ ସଙ୍ଗେ ସଙ୍ଗେ ନାବିକମାନେ ଜାଲିଆ ଫିଟାଇ ଜଟିଆକୁଦରୁ ଯାତ୍ରା କଲେ ।

Image

 

ଅଷ୍ଟାଦଶ ପରିଚ୍ଛେଦ

ନାଟରସ

 

ବାହାବଳୀନ୍ଦ୍ର ନନ୍ଦିକେଶ୍ୱରୀ ପଠାରେ ରଘୁନାଥଙ୍କ ସହିତ ନାଟର କଥା କହିଥିବା ବିଷୟ ପାଠକେ ବୋଧ ହୁଏ ବିସ୍ତୃତ ହୋଇ ନାହାନ୍ତି । ଏତେଦୂରରେ ଆମ୍ଭେମାନେ ସେ ନାଟର ଶେଷଭାଗରେ ପହୁଞ୍ଚିଅଛୁଁ । ନବଗ୍ରାମର ଚଉଧୁରୀଙ୍କ ଦୁଆର ରୋଷନୀ ପହୁଞ୍ଚିଲା ପରେ ଯେଉଁ ଗୋଳମାଳ ଆରମ୍ଭ ହେଲା ତହିଁର ଭୀଷଣତ୍ୱ ପାଠକେ ଅନୁମାନ କରିଥିବେ । ଏଡ଼େ ବଡ଼ ରୋଷନୀ ଦେଖୁ ଦେଖୁ ଛିନ୍ନଭିନ୍ନ ହୋଇ କେଉଁଆଡ଼େ ଚାଲିଗଲା ଠିକଣା ମିଳିଲା ନାହିଁ । ଏଡ଼େ ବଡ଼ ଜନତା ଦେଖୁ ଦେଖୁ କେଉଁଆଡ଼େ ମିଳାଇଗଲା ଜଣାଗଲା ନାହିଁ । ପ୍ରଦୀପ ଯେମନ୍ତ ନିଭିବା ପୂର୍ବରୁ ଅଧିକ ତେଜରେ ଜ୍ୱଳି ଉଠେ ସେହିପରି ରୋଷନୀ ଭଙ୍ଗ ହେବା ପୂର୍ବରୁ ବୃହତ୍‌ ଚନ୍ଦ୍ରଉଦିଆ ଜ୍ୱଳି ଉଠିଥିଲା । ସଙ୍ଗେ ସଙ୍ଗେ ରୋଷନୀ ଭଙ୍ଗ ହେଲା, ରୋଷନୀଗଛଧାରୀ ଲୋକେ ବେଗରେ କିଛିଦୂର ଦୌଡ଼ି ନ ଯାଉଁଣୁ ଲୋକେ ଗୋଳମାଳ କରି ତାହା ଭାଙ୍ଗି ପକାଇଲେ ! ଏଡ଼େ ବଡ଼ ଆଲୋକ ଅନ୍ଧକାରରେ ପରିଣତ ହେଲା । ବାଦ୍ୟକାରମାନେ ବାଦ୍ୟ ଘେନି ଜନତା ମଧ୍ୟରେ କେଉଁଆଡ଼େ ପଳାୟନ କଲେ ଠିକଣା ମିଳିଲା ନାହିଁ ଏବଂ ତୁମୂଳ ଗୋଳମାଳ ଜନତା ସହିତ କ୍ଷଣକାଳ ମଧ୍ୟରେ ଶେଷ ପ୍ରାପ୍ତ ହେଲା । ଅଦିନ ମେଘ ଘୋର ଆଡ଼ମ୍ବରରେ ଆକାଶରେ ଉଦୟ ହୋଇ ପ୍ରଚୁର ବର୍ଷାକରି ମିଳାଇ ଗଲା ପ୍ରାୟ ରୋଷନୀ କେଉଁଆଡ଼େ ଜନତା ସହିତ ଅନ୍ତର୍ହିତ ହୋଇଗଲା ଜଣାଗଲା ନାହିଁ । ବର୍ତ୍ତମାନ ମେଘ ପରେ ଆକାଶ ପରିଷ୍କୃତ ହୋଇଅଛି । ଜନତା ଶେଷ ହୋଇ ନବଗ୍ରାମ ଶୂନ୍ୟ ହୋଇଅଛି । ଦାଣ୍ଡରେ ଆଉ ନବଗ୍ରାମର ଲୋକ ସୁଦ୍ଧା ରହିଲେ ନାହିଁ, ଅନ୍ୟ ଗ୍ରାମର ଲୋକଙ୍କ କଥା କି ବୋଲିବୁଁ ?

 

ରୋଷନୀ ଶେଷ ହେଲା । ବାଦ୍ୟକାରମାନେ ପଳାୟନ କଲେ । ଦେଖଣାହାରି ଲୋକେ ଆଉ ରହିବେ କାହିଁକି ? ସେମାନେ ମଧ୍ୟ ପଳାୟନ କଲେ । ପାଲିଙ୍କି ସୁଦ୍ଧା କେଉଁଆଡ଼େ ଅନ୍ତର୍ହିତ ହୋଇଗଲା ଏବଂ ଯେଉଁମାନେ ବୀରବେଶରେ ଆଶାସୋଠା ଓ ବନ୍ଧୁକ ଧରିଥିଲେ ସେମାନେ ମଧ୍ୟ ଆଉ ଦେଖା ଗଲେ ନାହିଁ । ଚରାଚର ଯେପରି ଚନ୍ଦ୍ରଜ୍ୟୋସ୍ନାରେ ବିଧୌତ ହୋଇ ରହିଥିଲା ସେହିପରି ରହିଗଲା । ରୋଷନୀର ତୀବ୍ର ଆଲୋକ ତହିଁରେ କିଛିମାତ୍ର ଦାଗ ଲଗାଇ ପାରିଲା ନାହିଁ । ନୈସର୍ଗିକ ଆଲୋକକୁ ହରାଇବା ନିମିତ୍ତ ରୋଷନୀର କୃତ୍ରିମ ଆଲୋକ ଯାହା ପଣ କରିଥିଲା ଅଳ୍ପକ୍ଷଣ ଉତ୍ପାପ କରି ଦେଖୁ ଦେଖୁ ନଷ୍ଟ ହେବାରୁ ଜଣାଗଲା ଯେମନ୍ତ ଚରାଚର ଫକ୍‌ଫକ୍‌ କରି ହସୁଅଛି ! କୃତ୍ରିମ ବସ୍ତୁ ନୈସର୍ଗିକ ବସ୍ତୁଠାରେ କେତେ ଅବା ଆଣ୍ଟ କରିପାରେ ! ଦିଗ୍‌ବିଦକ୍‌ ଏହା ଦେଖି ହସି ଉଠିଲା ! ଚନ୍ଦ୍ର ତାରକା ଆକାଶରେ ଥାଇଁ ହସି ଉଠିଲା ! ଅନ୍ୟ ଗ୍ରାମର ଲୋକ ଯେ ଜନତା ଘେନି ଚାଲିଗଲେ ସେମାନେ ସୁଦ୍ଧା ହସି ହସି ଘରକୁ ବାହୁଡ଼ି ଥିଲେ ମାତ୍ର ହସିଲେ ନାହିଁ କେବଳ ନବଗ୍ରାମର ଲୋକେ ।

 

ରୋଷନୀ ଭଙ୍ଗ ହେବା ସଙ୍ଗେ ସଙ୍ଗେ ଚୌଧୁରୀଙ୍କ ଘରର କାନ୍ଥମାନ ତୁମୂଳ ଧ୍ୱନିରେ ଭୂମିସାତ୍‌ ହୋଇ ଗ୍ରାମଯାକ କମ୍ପାଇଦେଲା ଏବଂ ତହିଁରେ ଅକ୍ଳେଶରେ ଭୂୟାଁମାନଙ୍କ ଆଗମନସମ୍ୱାଦ ପାଇ ନବଗ୍ରାମର ଲୋକେ ଚମକି ପଡ଼ିଲେ । ଗ୍ରାମଯାକର ତାଟିକବାଟ ପଡ଼ିଗଲା-। ଲୋକେ ଘର ମଧ୍ୟରେ ଥାଇଁ ସ୍ତ୍ରୀପୁତ୍ରାଦି ଘେନି ଇଷ୍ଟଦେବଙ୍କୁ ସ୍ମରଣ କଲେ । ଗ୍ରାମଟି ଏହିରୂପେ ନିସ୍ତବ୍ଧ ହୋଇଗଲା ଏବଂ ତହିଁରେ ଚୌଧୁରୀଙ୍କ ଘରର କାନ୍ଥମାନଙ୍କର ପତନଶବ୍ଦ ଆହୁରି ହୋଇ ଉଠିଲା ।

 

ଏକଘରେ ଅଗ୍ନି ଲାଗି ତାହା ଯେପରି ଅନ୍ୟ ଘରକୁ ବିସ୍ତାରିତ ହୁଏ ସେହିପରି ଚୌଧୁରିଙ୍କ ଘରର କାନ୍ଥମାନ ପଡ଼ୁ ପଡ଼ୁ ଦାସଙ୍କ ଘରର କାନ୍ଥମାନ ପଡ଼ିବାର ଆରମ୍ଭ ହେଲା । ଯେମନ୍ତ ଗୋଟିଏ ଗୋଟିଏ କାନ୍ଥ ପଡ଼ି ତୁମୂଳଶବ୍ଦ ବିସ୍ତାରିତ କରେ ତେମନ୍ତ ଗ୍ରାମରଲୋକେ ଅଧିକତର ଭୀତ ଓ କାତର ହୋଇ ଇଷ୍ଟଦେବଙ୍କୁ ସ୍ମରଣ କରନ୍ତି । ଏହିରୂପେ କାନ୍ଥମାନ ଗୋଟିଏ ଗୋଟିଏ, ହୋଇ ପଡ଼ିବାର ଶେଷ ହେଲା । ଦାସଙ୍କ ଘରେ ଟିକିଏ ଗୋଳମାଳ ହୋଇଥିଲା ମାତ୍ର ଦୁଇଟା ଚିତ୍କାର ଧ୍ୱନିରେ ତାହା ଶେଷହୋଇ ‘ଜୟ ମହାବୀର କି ଜୟ’ ଶବ୍ଦ ଉଥିତ ହେଲା ଓ ତାହା ଗ୍ରାମଯାକ କମ୍ପାଇ ଦେଇ ଲୋକଙ୍କୁ ଅଧିକତର ଭୟରେ ଅଭିଭୂତ କଲା । ଇତ୍ୟବସରେ ଜାଲିୟାମାନ ନବଗ୍ରାମର କୂଳରେ ଲାଗିବାରୁ ତଦବସ୍ଥିତ ଲୋକେ ହୁଙ୍କାର କରି ଗ୍ରାମମଧ୍ୟରେ ପ୍ରବିଷ୍ଟ ହୋଇ ସିଧା ସିଧା ଦାସଙ୍କ ଘରେ ପହୁଞ୍ଚି ସେଠାରୁ ଚୌଧୁରୀଙ୍କ ଘରପର୍ଯ୍ୟନ୍ତ ବିସ୍ତୃତ ହୋଇଗଲେ ଏବଂ ପରକ୍ଷଣରେ ଧାନ, ଚାଉଳ, କଂସା, ବାସନ, ଲୁଗାପଟା ଅସ୍ତ୍ର ଶସ୍ତ୍ର ଇତ୍ୟାଦି ବୁହା ଆରମ୍ଭ ହେଲା ଏବଂ ନିସ୍ତବ୍ଧ ଗ୍ରାମଦାଣ୍ଡରେ ନିଶାଚର ପ୍ରାୟ ଏମାନଙ୍କୁ ବିଚରଣ କରିବା ଦେଖାଗଲା ।

 

ବୁହାବୋହି ଶେଷ ହେଲା । ରଘୁନାଥ ପଟ୍ଟନାୟକ ଲୋକମାନଙ୍କୁ ‘ମହାବୀର କି ଜୟ ’ ଶବ୍ଦ ଉଚ୍ଚାରଣ କରିବାକୁ ଇଙ୍ଗିତ କରନ୍ତେ ତୁମୂଳ ଧ୍ୱନିରେ ‘ଜୟ ମହାବୀରକି ଜୟ’ ଶବ୍ଦ ଉଥିତ ହୋଇ ନବଗ୍ରାମକୁ ଦୋହଲାଇ ଦେଲା ଏବଂ ଭୂମିକମ୍ପରେ ଲୋକେ ଦୋହଲିଲା ପରି ବାସ୍ତବରେ ଭୟବିଜଡ଼ିତ ଲୋକେ ଇଷ୍ଟଦେବଙ୍କୁ ସ୍ମରଣ କରୁ କରୁ ଦୋହଲି ଯାଇଥିଲେ !

 

ଡକାୟତି ଶେଷ ହେଲା । ରଘୁନାଥଙ୍କ ଆଦେଶକ୍ରମେ ଡକାୟତମାନେ ଗୋବର୍ଦ୍ଧନ ଦାସଙ୍କ ଓ ତାଙ୍କ ଭାର୍ଯ୍ୟାର ଗଳା ଚିପି ପ୍ରାଣ ଘେନି ଥିଲେ । ବର୍ତ୍ତମାନ ସେମାନଙ୍କ ମୃତଶରୀର ବଂଶଖଣ୍ଡରେ ବାନ୍ଧି ପାପର ସମୁଚିତ ପ୍ରତିଫଳର ଧ୍ୱଜାସ୍ୱରୂପ ଦାସଙ୍କ ଦାଣ୍ଡଦ୍ୱାରର ଉଭୟପାର୍ଶ୍ୱରେ ଡକାୟତମାନେ ପ୍ରୋଥିତ କଲେ । ଏହିରୁପେ କାର୍ଯ୍ୟ ଶେଷ କରି ଡକାୟତମାନେ ଏକ ଏକ ହୋଇ ନାଟସ୍ଥାନରୁ ବାହୁଡ଼ିଲେ । ରଘୁନାଥଙ୍କ ଆଦେଶକ୍ରମେ କଳାବତୀ ଓ ରସକଳାଙ୍କର ମୂର୍ଚ୍ଛାଗ୍ରସ୍ତ ହତଚେତନ ଶରୀର ବଳିଆର ସିଂହ ଓ ବାହାବଳୀନ୍ଦ୍ରଙ୍କ ଦ୍ୱାରା ନୌକାକୁ ନୀତ ହେଲା ଏବଂ କ୍ରମେ ନୌକା ଓ ଜାଲିଆମାନ ପ୍ରଭୂତ ନାଟରସ ଘେନି ନଦୀକୁଳରୁ ଖୋଲାହୋଇ ନିର୍ବିଘ୍ନେ ଜଟିଆକୁଦକୁ ଗମନ କଲା ।

Image

 

ଊନବିଂଶ ପରିଚ୍ଛେଦ

ମିଳନ

 

ଜଟିଆ କୁଦରେ ଏମାନେ ପହୁଞ୍ଚିଲା ବେଳକୁ ତେତେବେଳ ଯାଏ ସୁଦ୍ଧା ହନୁମାନ ଦାସ ଓ ଗିରିଧାରୀ ଦାସ ବାବାଜିଦ୍ୱୟ ଶୋଇବାକୁ ଯାଇ ନ ଥିଲେ । ଡକାୟତି ସାଙ୍ଗକରି ରଘୁନାଥ ପଟ୍ଟନାୟକ ତାଙ୍କ ସହିତ ସକ୍ଷାତ୍‌ କରିବେ । ସୁତରାଂ ଶୋଇବାକୁ ଗଲେ ସୁଦ୍ଧା ନିର୍ବିଘ୍ନରେ ଶୋଇ ପାରିବେ ନାହିଁ ଏହା ଭାଳି ସେମାନେ ଜଟିଆକୁଦର ପ୍ରାନ୍ତଭାଗରେ ବସି ସ୍ୱଭାବର ଶୋଭା ସନ୍ଦର୍ଶନ କରିବା ସଙ୍ଗେ ସଙ୍ଗେ ଚରାଚରବ୍ୟାପି ଜଗଦୀଶ୍ୱରଙ୍କ ମହିମା କୀର୍ତ୍ତନ କରୁଥିଲେ ! ପାଠକେ ! ବୈରାଗ୍ୟବ୍ରତାବଲମ୍ବିସଂସାର ତ୍ୟାଗିସନ୍ୟାସୀଦ୍ୱୟଙ୍କ ଏ ଚର୍ଚ୍ଚା କେଡ଼େ ମଧୁର ତାହା କି କେବେ ଶୁଣି ଅଛନ୍ତି ? ଯେ କେବେ ଶୁଣି ତାହା ହୃଦୟଙ୍ଗମ କରିଥିବେ ସେହି କେବଳ ତହିଁର ମଧୁରତା ଜାଣି ପାରିବେ, ଅପରକୁ ତାହା ଅଲଣା ଆମ୍ବିଳସ୍ୱାଦ ଭିନ୍ନ ଆଉ କିଛିନୁହେ ।

ଜାଲିଆମାନ ଜଟିଆକୁଦରେ ପହୁଞ୍ଚି ଏକେ ଏକେ କୂଳରେ ବନ୍ଧାଗଲା । ନାଉରିମାନେ ସମସ୍ତେ ତହିଁରେ ପ୍ରହରୀରୂପେ ରହିଲେ । ରଘୁନାଥଙ୍କ ନୌକା ମଧ୍ୟ ବନ୍ଧା ଗଲା ଉତ୍ତାରୁ ତହିଁରୁ କେହି ଓହ୍ଲାଇଲେ ନାହିଁ । କେବଳ ଦଳପତି ମହାଶୟ ଓହ୍ଲାଇ ହନୁମାନ ଦାସଙ୍କ ସଙ୍ଗେ ସାକ୍ଷାତ କରିବାକୁ ଗଲେ । ବାବାଜିଦ୍ୱୟ ରଘୁନାଥଙ୍କୁ ଦେଖିଲା ମାତ୍ରକେ ଆନନ୍ଦ ପ୍ରକାଶ କରି ଡାକ ପକାଇଲେ ଏବଂ ରଘୁନାଥ ତାଙ୍କୁ ଦେଖି ଓଲଗି ହୁଅନ୍ତେ ଉଭୟେ ସୁଖମୟ ଦୀର୍ଘ ଜୀବନ କାମନା କରି ପଚାରିଲେ ‘‘ରସାଳ ନାଟରସ ନିର୍ବିଘ୍ନରେ ଆଦାୟ ହୋଇ ଅଛି ତ ?

ରଘୁନାଥ ଉତ୍ତର କଲେ ‘‘ଆପଣମାନେ ଶୁଭବାଞ୍ଛା କରୁଥିବାସ୍ଥଳେ ବିଘ୍ନକି ପହୁଞ୍ଚିପାରେ-? ମାତ୍ର ଆପଣମାନେ ଦୁହେଁ ଏକତ୍ର ହେଲେ କିପରି ?’’

ଗିରିଧାରୀ ଦାସ କହିଲେ ‘‘ଆଜି ଭାଇ ଆମ୍ଭର ଆମ୍ଭଙ୍କୁ ଅର୍ଚ୍ଚନା କରି’ଛନ୍ତି । ଆପଣଙ୍କର ଏ ଅଞ୍ଚଳକୁ ଆଜି ଆଗମନ ହୋଇଥିବା ଶୁଣି ଭାଇଙ୍କ ସହିତ ଆମ୍ଭେ ମଧ୍ୟ ଆପଣଙ୍କୁ ଅପେକ୍ଷା କରି ବସିଛୁଁ ।’’

ହନୁମାନ ଦାସ ବ୍ୟକ୍ତ କଲେ ‘‘ପଟ୍ଟନାୟକେ’’ । ଆମ୍ଭେ ଭାଇଙ୍କ ସହିତ ବସି ଏଠାରେ ସ୍ୱଭାବର ଶୋଭା ଅନିମେଷଲୋଚନରେ ସନ୍ଦର୍ଶନ କରୁଥିଲୁଁ । ଶୀତରେ ପୀଡ଼ିତ ହେଲେ ସୁଦ୍ଧା, ତୁହିନଜାଲରେ ବେଷ୍ଟିତ ହୋଇ ସୁଦ୍ଧା ଚରାଚର ଚନ୍ଦ୍ରଜ୍ୟୋସ୍ନାରେ ପୁଲକିତ ହୋଇ’ଛି । –ଆମ୍ଭେମାନେ ବିଚାରୁଥିଲୁଁ ଚନ୍ଦ୍ର ନ ଥିଲେ କ୍ଳିଷ୍ଟ ଚରାଚରକୁ କିଏ ପ୍ରସନ୍ନ କରନ୍ତା ? ସେ ତ ଅନ୍ଧକାରରେ ପଡ଼ି ଦିଗ୍‌ବିଦିକ୍‌ ଜ୍ଞାନଶୂନ୍ୟ ହୋଇ ଶିଶିର-ଲୋତକ ବୁହାଉ ଥାନ୍ତା । ପଟ୍ଟନାୟକେ ! ବର୍ତ୍ତମାନେ ବଡ଼ ଦୁଃସମୟ, ଏ ଦୁଃସମୟରେ ତୁମ୍ଭେ ଚନ୍ଦ୍ରରୂପେ ଉଦିତ ହୋଇ’ଛ–ଈଶ୍ୱର ତୁମ୍ଭର ମଙ୍ଗଳ କରନ୍ତୁ–ତୁମ୍ଭେ ନିବିଘ୍ନରେ ଆପଣାର କାର୍ଯ୍ୟ ସମ୍ପନ୍ନକର’’ ।

ରଘୁନାଥ ହନୁମାନ ଦାସଙ୍କ ମୁଖରୁ ଏ ଅମୃତମୟ ବାକ୍ୟଶୁଣି ସ୍ୱଭାବତଃ ନମ୍ରଭାବ ଧରି କୃତଞ୍ଜଳିପୁଟରେ ନିବେଦନ କଲେ ‘‘ମହାରାଜ, ଏ ଅଧୀନର ବର୍ତ୍ତମାନ ଏହାହିଁ ଜୀବନର ଏକମାତ୍ର ବ୍ରତ । ଆପଣମାନଙ୍କର ଆଶୀର୍ବାଦ ଉପରେ ଶୁଭକାର୍ଯ୍ୟର ଫଳାଫଳ ନିର୍ଭର କରୁଛି । ମାତ୍ର ଯେଭଳି କଥା ଆପଣଙ୍କ ଶ୍ରୀମୁଖରୁ ନିର୍ଗତ ହେଲା ଅଧୀନ ନହିଁର ଏକାଂଶକୁ ଯୋଗ୍ୟ ନୁହେଁ-।’’

ହନୁମାନ ଦାସ କି କଥା କହି ଆସୁଥିଲେ ମାତ୍ର ଗିରିଧାରୀ ଦାସ ଉପରେ ପଡ଼ି କହିଲେ ‘‘ତୁମ୍ଭେ ଏକାଂଶ କାହିଁକି ଶତାଂଶ-ସମୁଦାୟର ଯୋଗ୍ୟ ଅଟ । ଆମ୍ଭେ ଆଉ ଜଣେ କାହାରିକି ଏ ସମୟରେ କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ ହେବା ଦେଖୁନାହୁଁ । ତୁମ୍ଭେ ଅତି ଦୁଃସାଧ୍ୟ କାର୍ଯ୍ୟରେ ହାତ ଦେଇ’ଛ । ତୁମ୍ଭେ ଆପଣା ପିତାମାତାଙ୍କୁ ଉଦ୍ଧାର କରି ଆପଣାର ଜନ୍ମ ସାର୍ଥକ କରି’ଛ । ଅଧିକ କି କହିବୁଁ ସୁବାଦାର ଆପଣା ମହଲରେ ଥାଇଁ ନର୍କ ଭୋଗ କରନ୍ତୁ–ତୁମ୍ଭେ ସମଗ୍ର ଓଡ଼ିଶାର ରାଜା ହୁଅରାମଶଙ୍କର।’’

ରଘୁନାଥ କୃତଞ୍ଜଳିପୁଟେ ବିନୀତଭାବରେ ଉତ୍ତର କଲେ ‘‘ଏଭଳି କଥା କର୍ତ୍ତବ୍ୟଜ୍ଞାନରେ ଆମ୍ଭେ ପରମ ସୁଖୀ ହେବୁଁ ।’’

ହନୁମାନ ଦାସ ଗିରିଧାରୀ ଦାସଙ୍କୁ ଅନାଇ କହିଲେ ‘‘ଦେଖିଲ, ରଘୁନାଥ କେଡ଼େ ନମ୍ରରାମଶଙ୍କର। ତାଙ୍କର ବୁଦ୍ଧି କେଡ଼େ ବିଚକ୍ଷଣ । ଆମ୍ଭେ ମଧ୍ୟ କହୁଁ ରଘୁନାଥଙ୍କର ରାଜାହେବା ଉଚିତ ନୁହେ । –ଭାଇ, ତୁମ୍ଭେ କି ନ ଜାଣ, ନା ଦେଖୁ ନାହ–ଏଠା ଲୋକଙ୍କର କି ଆଉ ମନୁଷ୍ୟତା ଅଛି ? ଏମାନେ ସ୍ୱାଧୀନତାର ନିତାନ୍ତ ଅନୁପଯୁକ୍ତ–ପରପଦାନତ ହୋଇ ରହିବା ଏମାନଙ୍କର ବର୍ତ୍ତବ୍ୟ । ଯେପର୍ଯ୍ୟନ୍ତ କର୍ତ୍ତବ୍ୟ ଜ୍ଞାନରେ ଏମାନେ ଗୋଟିକଠୁଁ ବଳୀୟାନ ହୋଇ ଉଠି ନାହାନ୍ତି ସେ ପର୍ଯ୍ୟନ୍ତ ଏମାନେ ନାନାପ୍ରକାର କଷ୍ଟ ଭୋଗକରି ନାନାଦେଶୀୟ ରାଜାଙ୍କ ପଦାନତ ହେବେ । ତେବେ ଏମାନଙ୍କ କପାଳ ଭଲ ଯେ ଏଭଳି ଦୁଃସମୟରେ ଈଶ୍ୱରପ୍ରେରିତ ଜଣେ ଜଣେ ଲୋକର ଏମାନେ ସାହାଯ୍ୟ ପାଇଥାନ୍ତି ।’’ ଏହା କହି ରଘୁନାଥଙ୍କ ଆଡ଼କୁ ଦୃଷ୍ଟି ଫେରାଇ କହିଲେ ‘‘ଅନ୍ୟାନ୍ୟ ସ୍ଥାନର ରସ ଆସି ପହୁଞ୍ଚିଲାଣି ?’’

ବୋଲିବା ଅଧିକ ଇତିପୂର୍ବେ ରଘୁନାଥ ହନୁମାନ ଦାସଙ୍କ ସହିତ ଆଜିର କାଣ୍ଡକାରଖାନାର ପରାମର୍ଶ ଗ୍ରହଣ କରିଥିଲେ । ପୂର୍ବରାତ୍ରରେ ହନୁମାନଦାସଙ୍କ ସହିତ ସାକ୍ଷାତ ଲାଭ କରି ସମୁଦାୟ ବିଷୟରେ କଥୋପକଥନ କରିଥିଲେ ଏବଂ ଯେତେ ଯେତେ କାଣ୍ତ ଆଜି ରାତ୍ରରେ ଏହାଙ୍କ ଦ୍ୱାରା ସାଧିତ ହୋଇଅଛି ତତ୍ସମସ୍ତରେ ହନୁମାନଦାସଙ୍କର ସମ୍ମତି ଥିଲା ।

ରଘୁନାଥ ଠିଆ ହୋଇଥିଲେ । ତାଙ୍କୁ କେହି ବସିବାକୁ କହି ନାହାନ୍ତି କି ତାଙ୍କର ବସିବାକୁ ଇଚ୍ଛା ନ ଥିଲା । ସେ ଠିଆ ହୋଇ ଦୂରକୁ ଅନାଇଁ ପ୍ରତିମୁହୂର୍ତ୍ତରେ ଜାଲିଆର ଅପେକ୍ଷା କରୁଥିଲେ । ହନୁମାନଦାସଙ୍କ ଶେଷ ପ୍ରଶ୍ନର ଉତ୍ତର ଦେବାକୁ ଯାଉଅଛନ୍ତି ଏମନ୍ତ ସମୟରେ ଦୂରରୁ ଜାଲିଆ ଆସିବାର ଚିହ୍ନ ଦେଖାଗଲା । ଆନନ୍ଦୋତ୍‌ଫୁଲ୍ଲଚିତ୍ତରେ କହିଲେ ‘‘ହେଇ, ଦୂରରେ ଆସିବାର ଚିହ୍ନ ଦେଖାଯାଉ’ଛି ।’’

ଏ ଉତ୍ତର ଶୁଣି ସନ୍ୟାସୀଦ୍ୱୟ ଠିଆହେଲେ । ଦୂରକୁ ଅନାଇ ଦେଖିଲେ ତୀରବେଗରେ ଜାଲିଆମାଳ ଜଟିଆକୁଦ ଆଡ଼କୁ ଧାବିତ ହେଉଅଛି । ଦୂରରୁ ଶତ ଶତ ଆହୁଲା ଏକାବେଳକେ ଜ୍ୟୋତ୍ସ୍ନାବିମିଶ୍ରିତ ରଜତମୟ ନଦୀଜଳରେ ପଡ଼ି ଅଗ୍ନିଶିଖା ଉତ୍ତୋଳନ କରି ଉଠି ପୁଣି ତହିଁରେ ନିମଗ୍ନହୋଇ ପୁନର୍ବାର ଶିଖା ଉଠାଇ ଉଠୁଥିବାର ଶୋଭା ଅତି ଚମତ୍କାର ଦିଶୁଥିଲା । ଗିରିଧାରୀ ଦାସ ସେ ଶୋଭା ଦେଖୁ ଦେଖୁ ପଚାରିଲେ ‘‘କେତେଖଣ୍ଡ ଜାଲିଆ ଅଛ କି ?’’

ରଘୁନାଥ ଉତ୍ତର କଲେ ‘‘ତିରିଶ ଖଣ୍ଡ । ଦେବୀଦ୍ୱାର ଓ ବୈଦେଶ୍ୱରରୁ ଅନେକ ଗୁଡ଼ିଏ ଆସୁଅଛି । ପଚିଶଖଣ୍ଡରେ ଏକା ରାଧାଗୋବିନ୍ଦଙ୍କର ମାଲ ଅଛି ।’’

ହନୁମାନ ଦାସ ଦେଖିଲେ କ୍ରମେ କ୍ରମେ ଆହୁଲାର ବଳ ଊଣା ହୋଇ ଆସୁଅଛି ଏବଂ ଜାଲିଆମାନ ମଧ୍ୟ ଆଉ ଅଳ୍ପକାଳ ମଧ୍ୟରେ ପହୁଞ୍ଚିଯିବ । ସୁତରାଂ କାଳବିଳମ୍ବ କରିବାର ଉଚିତ ମନେ ନ କରି ରଘୁନାଥଙ୍କୁ କହିଲେ ‘‘ତେବେ ଆପଣଙ୍କର ବିଳମ୍ବ କରି କି ପ୍ରୟୋଜନ ?’’ ରଘୁନାଥ ଉତ୍ତର କଲେ ‘‘ନା ଆଉ ବିଳମ୍ବ କରିବା ଉଚିତ ନୁହେ । ଆପଣମାନେ ଆଶୀର୍ବାଦ କଲେ ଆମ୍ଭେ ଯାତ୍ରା କରିବୁଁ ।’’ ଏହା କହି ରଘୁନାଥ ସନ୍ୟାସୀଦ୍ୱୟଙ୍କ ଚରଣରେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ସେମାନଙ୍କ ଆଶୀର୍ବାଦ ଘେନି କୁଦ ଉପରୁ ଅବତରଣ କଲେ । ସନ୍ୟାସୀଦ୍ୱୟ ମଧ୍ୟ ରଘୁନାଥଙ୍କୁ ବିଦାୟ ଦେଇ ବୃକ୍ଷାନ୍ତରାଳରୁ ଗଳିପଡ଼ିଥିବା ଚନ୍ଦ୍ରଜ୍ୟୋତ୍ସ୍ନାରେ ଚିତ୍ରମୟ ଜଟିଆକୁଦର ଅଙ୍ଗରେ ରଙ୍ଗ ଦିଆଯାଇଥିବାର ଶୋଭା ଅନୁଧାବନ କରୁ କରୁ ଶୟନାଭିଳାଷରେ କୁଟୀରାଭିମୁଖେ ଯାତ୍ରା କଲେ-

ତେଣେ ରଘୁନାଥ କୁଦ ଉପରୁ ଅବତରଣ କରି ନୌକାନିକଟରେ ପହୁଞ୍ଚିବା ସମୟକୁ ଅପର କ୍ରିଂଶତ୍‌ ଜାଲିଆ ଆସି ସେଠାରେ ପହୁଞ୍ଚିଲା । ରଘୁନାଥ ସେମାନଙ୍କୁ କୂଳକୁ ଆସିବାକୁ ମନାକରି ତୀରରେ ବନ୍ଧାଥିବା ଜାଲିଆମାନ ଖୋଲିବାର ଆଦେଶ କଲେ । ଜାଲିଆମାନ ଏକେ ଏକେ ଖୋଲା ହୋଇ ଅପର ଜାଲିଆ ସହିତ ମିଳି ଗଲା । ଚାଳିଶ ଖଣ୍ଡ ଜାଲିଆର ଏକତ୍ର ମିଳନ ଦେଖି ରଘୁନାଥଙ୍କ ମନରେ ପ୍ରଭୂତ ଆନନ୍ଦ ଜାତ ହେଲା । ସ୍ୱୟଂ ନୌକା ଉପରକୁ ଯାଇ ନୌକା ଖୋଲାଇ ସମସ୍ତଙ୍କୁ ଏକସ୍ୱରରେ ‘ମହାବୀର କି ଜୟ’ ଘୋଷଣା କରି ଆହୁଲା ଭିଡ଼ିବାର ଆଦେଶ କଲେ । ସଙ୍ଗେ ସଙ୍ଗେ ତୁମୂଳ ନିନାଦରେ ଗଭୀର ନିଶୀଥରେ ନଦୀବକ୍ଷରେ ‘ଜୟ ମହାବୀର କି ଜୟ’ ଶବ୍ଦ ଉଥିତ ହୋଇ ଦଶକ୍ରୋଶ କମ୍ପାଇ ଦେଲା ଏବଂ ସଙ୍ଗେ ସଙ୍ଗେ ମହାନଦୀର ଜଳ ଆଶ୍ରୟକରି ରଘୁନାଥ ଦଳବଳ ଘେନି ଉଡ଼ିଗଲେ ।

Image

 

Unknown

ବିଂଶ ପରିଚ୍ଛେଦ

ଲାଲବାଗ

 

ଦେଖୁ ଦେଖୁ ଜାଲିଆମାନ ତାଳଦଣ୍ଡା ପାରି ହୋଇ ସେଠାରୁ ମହାନଦୀରୁ ବାହାରିଥିବା ଏକ ନିବିଡ଼ ବନସଙ୍କୁଳ ପୟଃପ୍ରଣାଳୀରେ ଅନ୍ତର୍ହିତ ହୋଇଗଲେ । ସେ ନିବିଡ଼ ବନରେ ରଘୁନାଥଙ୍କ ଅନୁସରଣ କରି କିଛି ପ୍ରୟୋଜନ ନାହିଁ । ପାଠକେ ! ଆସନ୍ତୁ କଟକର ଲାଲବାଗ କୋଠିରେ ସୁବାଦାରଙ୍କ ସହିତ ସାକ୍ଷାତ୍‌ କରିବେ ।

 

ଆଉ ରାତ୍ରି ନାହିଁ । ବିବିଧ ଘଟନାପୂର୍ଣ୍ଣ ଭୟଙ୍କର ପୌଷପୂର୍ଣ୍ଣିମାର ରାତି ପାହି ଦିନ ପ୍ରାୟ ଦୁଇଘଡ଼ି ହୋଇଅଛି । ଲାଲବାଗ କୋଠି ତଳରେ କାଠଯୋଡ଼ୀ ନଦୀବକ୍ଷ ଯାହା ନିବିଡ଼ ତୁଷାରମୟ ହୋଇ ଅନନ୍ତ ସମୁଦ୍ରପ୍ରାୟ ଦେଖା ଯାଉଥିଲା ବର୍ତ୍ତମାନ ସୂର୍ଯ୍ୟଙ୍କ କୃପାରୁ କାଠଯୋଡ଼ୀ ବନ୍ଦିବାସରୁ ବିମୁକ୍ତା ହୋଇ ଅପାର ଆନନ୍ଦରେ ଗାନ କଲା ପ୍ରାୟ ନିଜମୂର୍ତ୍ତି ଦେଖାଇ କଳ କଳ ଶବ୍ଦରେ ବହି ଯାଉଅଛି । ଉପରେ ପ୍ରକାଣ୍ଡ ପ୍ରାସାଦ । ତହିଁ ନିକଟରେ ବିସ୍ତୃତ ପ୍ରସ୍ତରମୟ ଚଟାଣ । ସେ ପ୍ରାସାଦ ଏବେ ନାହିଁ । ତହିଁ ବଦଳରେ ନୂତନ ପ୍ରଣାଳୀରେ ନୂତନ କୋଠି ନିର୍ମିତ ହୋଇ ବର୍ତ୍ତମାନ ଇଂରାଜଙ୍କର ପ୍ରତିନିଧି କମିଶନର ସାହେବଙ୍କ ଆବାସଭୂମି ହୋଇଅଛି । ପୂର୍ବେ ପ୍ରକାଣ୍ଡ ଦେହୁଡ଼ୀ ନିକଟରେ ଦ୍ୱାରବାନଙ୍କର ଚୌକି ଦେବା ନିମିତ୍ତ ଯେଉଁ ପ୍ରସ୍ତରମୟ ଦ୍ୱିତଳ ଗୃହ ଥିଲା ତାହା ସୁଦ୍ଧା ବହୁକାଳ ଭଗ୍ନାବଶେଷରୂପେ ସର୍ପ ସରୀସୃପର ଆବାସଭୂମି ହୋଇ ରହି ପଛକୁ ଚକ୍ଷୁଃଶୂଳ ହେବାରୁ ଦୃଷ୍ଟିପଥରୁ ଅନ୍ତର୍ହିତ ହୋଇଅଛି । ଯେଉଁ ଚଟାଣରେ ପୂର୍ବେ ସୁବାଦାରଙ୍କର ଅନ୍ତଃପୂରସ୍ଥ ଅଙ୍ଗନାମାନେ କ୍ରୀଡ଼ାଚ୍ଛଳରେ ବିଚରଣ କରୁଥିଲେ ତହିଁରେ ଏବେ ପ୍ରାୟ କାହାରି ପଦାର୍ପଣ ହୁଅଇ ନାହିଁ । ପାଠକେ ! ଆପଣମାନଙ୍କ ମଧ୍ୟରୁ ଅନେକେ ବର୍ତ୍ତମାନ କଟକର ଲାଲବାଗ ଦେଖିଅଛନ୍ତି ଅବା ଦେଖୁଅଛନ୍ତି । ମାତ୍ର ଆମ୍ଭେମାନେ ଯେଉଁ ସମୟରେ କଥା କହୁଅଛୁଁ ସେ ସମୟର ଶୋଭାର ଏକାଂଶମାତ୍ର ବର୍ତ୍ତମାନ ନାହିଁ । ମହାରାଷ୍ଟ୍ରୀୟମାନଙ୍କ କର୍ତ୍ତୃକ ତାହା ନିର୍ମିତ ହୋଇଥିଲା ଏବଂ ମହାରାଷ୍ଟ୍ରୀୟଧ୍ୱଜାର ପତନହେବା ସଙ୍ଗେ ସଙ୍ଗେ ତହିଁର ଗୌରବ ନଷ୍ଟ ହୋଇ ଯାଇଅଛି । ଏକଶ୍ରେଣୀର ରାଜାଙ୍କ ଶାସନଦଣ୍ଡରୁ ଅନ୍ତର ହୋଇ ରାଜ୍ୟ ଅନ୍ୟଶ୍ରେଣୀର ରାଜାଙ୍କ ଶାସନ ଦଣ୍ଡାଧୀନ ହେଲେ ନବାଗତ ରାଜା ପୂର୍ବରାଜାଙ୍କର କୀର୍ତ୍ତିମାନ ବିଷ ନୟନରେ ଦେଖନ୍ତି ଏବଂ ସେ ସବୁ କ୍ରମେ ଅନ୍ତର୍ହିତ ହୁଏ । ତେବେ ଯେ ସ୍ଥାନେ ସ୍ଥାନେ ପୁରାତନ କୀର୍ତ୍ତି ବିଦ୍ୟମାନଥିବା ଦେଖାଯାଏ ତହିଁର ପ୍ରବଳ କାରଣମାନ ଅଛି । ଯାହା ହେଉ ଏହି ନିୟମାଧୀନରେ ପଡ଼ି ଲାଲବାଗର ପୂର୍ବଗୌରବର ଚିହ୍ନ ମାତ୍ର ବିଦ୍ୟମାନ ନାହିଁ । ଅତି ଅଳ୍ପକାଳ ପୂର୍ବେ ଉପରୋକ୍ତ ଦ୍ୱିତଳଗୃହ ଚିରଦିନ ନିର୍ମିତ ଲୋକଚକ୍ଷୁରୁ ଅପସାରିତ ହୋଇଅଛି । ଯେଉଁଠାରେ ଦ୍ୱାରବାନ୍‌ ନିମିତ୍ତ ସୁନ୍ଦର ପ୍ରସ୍ତରମୟ ଦ୍ୱିତଳ ଗୃହ ନିର୍ମିତ ସେଠାରେ ଅଧିକାରପ୍ରାପ୍ତ ଲୋକର ବ୍ୟବହାର୍ଯ୍ୟ ଗୃହାଦି କେଡ଼େ ସୁନ୍ଦର ଏବଂ ମୂଲ୍ୟବାନ୍‌ ହୋଇଥିବ ତାହା ସହଜରେ ଅନୁମାନ କରାଯାଇପାରେ । ତହିଁରେ ପୁଣି ମରହଟ୍ଟାମାନେ ସୁଖସେବୀ ଥାଇଁ ଆଡ଼ମ୍ବର ଦେଖାଇବାର ନିତାନ୍ତ ପକ୍ଷପାତୀ । ଏମନ୍ତ ସ୍ଥଳରେ ଲାଲବାଗର ଶୋଭା ଯେ ଅପୂର୍ବ ଥିଲା ବୋଲିବା ଅଧିକ ।

 

କାଠଯୋଡ଼ୀ ନଦୀ ନରାଜଠାରେ ଇଂରାଜ ରଚିତ ଆନିକଟରୂପିଣୀ ବେଡ଼ି ପିନ୍ଧି ସୁଦ୍ଧା ଅଦ୍ୟାପି ଲାଲବାଗ ନିକଟରେ କେଶର-ଦଣ୍ଡ-କେତନ ଶିଳ୍ପ ନୈପୁଣ୍ୟର ପରାକାଷ୍ଠା-ପରିଜ୍ଞାପକ ପ୍ରସ୍ତର-ପାବଚ୍ଛ ନିକଟରେ ମସ୍ତକ ନୁଆଁଇଲାପ୍ରାୟ ପ୍ରଭୂତଜଳ ରାଶୀକୃତ କରି ରଖିଅଛି; ମାତ୍ର ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁ ସେତେବେଳେ ନଦୀ ସ୍ୱାଧୀନା ଥାଇ ସୁନ୍ଦରଭାବରେ ଗତି ନିସ୍ତାର କରି ଲାଲବାଗର ପ୍ରସ୍ତର ପାବଚ୍ଛକୁ ଲଗାଇ ଯେଉଁ ଜଳଭଣ୍ଡାର ରଖି ସ୍ୱଭାବତଃ ନମ୍ରଶୀଳ ବୋଲି ପରିଚୟ ଦେଉଥିଲା ତାହା ସମଧିକ ଗଭୀର ଓ ପରିସର ଥିଲା ଏବଂ ତହିଁରେ ରାଜଭୋଗସେବିନୀ ଚାର୍ବଙ୍ଗୀ ମହାରାଷ୍ଟ୍ରୀୟା ରମଣୀବୃନ୍ଦ ସ୍ନାନାଦି କ୍ରିୟା ସମ୍ପନ୍ନ କରୁଥିବାରୁ କାଠଯୋଡ଼ି ଆହୁରି ପୁଲକିତ-କଳେବରା ଦିଶୁଥିଲା ।

 

ରାଜସ୍ପର୍ଶରେ ସମସ୍ତେ କୃତାର୍ଥ ହୁଅନ୍ତି ଏବଂ ତହିଁରୁ କୃତଜ୍ଞତାର ଯେଉଁ ଆନନ୍ଦ ସମୁଥିତ ହୁଏ ତାହା ବହୁମୂଲ୍ୟ । କାଠଯୋଡ଼ୀ ଯେ ରାଜସ୍ପୃଶ୍ୟା ତହିଁରେ ସନ୍ଦେହ ନାହିଁ ଏବଂ ରାଜାର ସେବା କରୁଥିବାରୁ ତାହା ଚିରକାଳ ପ୍ରସନ୍ନା । ଏବେ ମଧ୍ୟ ଇଂରାଜରାଜାଙ୍କର ସେବା କରୁଅଛି, ମାତ୍ର ରାଜଜାତୀୟା ମହିଳାଙ୍କର ସ୍ନାନକ୍ରିୟା ଏଥିରେ ସମ୍ପନ୍ନ ହୁଅଇ ନାହିଁ । ମଧ୍ୟ ସ୍ୱାର୍ଥସାଧନର ଅଦମ୍ୟ-ପକ୍ଷପାତୀ ପ୍ରବଳପ୍ରତାପ ଇଂରାଜରାଜଙ୍କ କର୍ତ୍ତୃକ ପ୍ରଯୁକ୍ତା ବେଡ଼ି ପିନ୍ଧି ତାହାର ପ୍ରସନ୍ନ ବଦନ ମଳିନ ହୋଇ ଅଛି । ତଥାପି ରାଜସେବା ନିରତା ଥିବାରୁ ହୃଦୟର ପ୍ରଫୁଲ୍ଲତା ଅଦ୍ୟାପି କେତେକ ପରିମାଣରେ ବିଦ୍ୟମାନ ଅଛି । ବାସ୍ତବରେ ଏବେ ସୁଦ୍ଧା କାଠଯୋଡ଼ୀ କୂଳରେ ବିଶେଷତଃ ଲାଲବାଗଠାରେ ଠିଆ ହୋଇ ନଦୀ ଆଡ଼କୁ ଅନାଇଲେ ଅପୂର୍ବ ଚିତ୍ତ-ପ୍ରସାଦ ଜାତ ହୁଅଇ । ଅପରପାରସ୍ଥ ନିରବଚ୍ଛିନ୍ନ ବୃକ୍ଷାବଳୀ ନଦୀତୀରକୁ ନୈସର୍ଗିକ ପ୍ରାଚୀରରେ ଆବଦ୍ଧ କରି ନିଜ କୋମଳତାରେ ଏପାରିର କୃତ୍ରିମ ପ୍ରସ୍ତରମୟ ପ୍ରାଚୀରସ୍ପର୍ଦ୍ଧାକୁ ଉପହାସ କରୁଅଛି, ମାତ୍ର ସେ ଉପହାସରେ ପ୍ରସ୍ତରପ୍ରାଚୀର ଦମି ନ ଯାଇ ଆହୁରି ସ୍ପର୍ଦ୍ଧାରେ ଦମ୍ଭ ପ୍ରକାଶ କରୁଅଛି । ପରପାରସ୍ଥ ନୈସର୍ଗିକ ପ୍ରାଚୀର ପଛକୁ ଦୂରସ୍ଥ ନୀଳପର୍ବତ ଆକାଶ ପର୍ଯ୍ୟନ୍ତ ମସ୍ତକ ଉନ୍ମତକରି ଶୋଭାର ମାତ୍ରା ବହୁଦୂର ବଢ଼ାଇଅଛି ଏବଂ ଏପାରିର ପ୍ରସ୍ତରପ୍ରାଚୀର ପଛକୁ ମନୁଷ୍ୟରୋପିତ ବୃକ୍ଷାବଳୀ ଅପର ପାରରୁ ପର୍ବତପ୍ରାୟ ଦେଖାଯାଇ ସେପାରିର ନୈସର୍ଗିକ ଶୋଭାକୁ ଉପହାସ କରି ବିଧିସୃଷ୍ଟ ମନୁଷ୍ୟ–କୌଶଳର ପରାକାଷ୍ଠା ଦର୍ଶାଉଅଛି ! ଅପରପାରିର ବୃକ୍ଷାବଳୀର ନିରବଚ୍ଛିନ୍ନତା ଭେଦ କରି ଯେପରି ସିକତାମୟୀ କୁଆଖିଆ ପଡ଼ି ରହିଅଛି ଏପାରିର ବୃକ୍ଷାବଳୀର ନିରବଚ୍ଛିନ୍ନତା ନଷ୍ଟକରି ସେପରି ଧବଳମୟ ମହାରାଷ୍ଟ୍ରୀୟ ଲାଲବାଗ–ପ୍ରାସାଦ ମସ୍ତକୋତ୍ତୋଳନ କରି ବିରାଜିତ ରହିଅଛି । ଲାଲବାଗଠାରେ ଠିଆହୋଇ ପଶ୍ଚିମକୁ ଅନାଇଲେ ଧବଳେଶ୍ୱର ମହାଦେବଙ୍କ ଧବଳ ମନ୍ଦିର ନୀଳପର୍ବତ ଉପରେ ପ୍ରତିଷ୍ଠିତ ଥାଇଁ ବତୀଘରର ଶୋଭା ଧାରଣକରି ନାବିକମାନଙ୍କୁ ପ୍ରତିକ୍ଷଣ ଇଙ୍ଗିତ କରୁଥିବା ଦେଖାଯିବ ଏବଂ ପୂର୍ବକୁ ଅନାଇଲେ ଦୂରସ୍ଥ ଉପବନ ନଦୀ ମଧ୍ୟକୁ ଆସି ନଦୀର ଗତିରୋଧ କରି ନିଜ ପରାକ୍ରମର ସ୍ପର୍ଦ୍ଧା କରୁଥିବା ଦୃଷ୍ଟିଗୋଚର ହେବ । ଏହିରୂପେ କାଠଯୋଡ଼ିଟି ଲାଲବାଗଠାରେ ଦେଖିବାକୁ ବଡ଼ ସୁନ୍ଦର ଦିଶେ ଏବଂ ତହିଁ ସଙ୍ଗେ ପବିତ୍ରହୃଦୟା ମାତାର ଗର୍ଭରୁ ଅମୃତମୟୀ କନ୍ୟା ଜାତହେଲା ପ୍ରାୟ ପୂତସଲିଳା ମହାନଦୀରୁ ଅମୃତଧାରାବାହିନୀ କାଠଯୋଡ଼ୀ ଜାତହେବା ମନେ ପଡ଼ିଲେ ଅଚିରେ ଚତୁର୍ଗୁଣ ବୋଲି ଅନୁଭୂତ ହୁଏ । ବାସ୍ତବରେ କାଠଯୋଡ଼ୀର ଜଳ ଅତିମିଷ୍ଟ ଏବଂ ଗୁଣ ଯେପରି ରମଣୀର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏହା ଯେ ତଦ୍ରୂପ କାଠଯୋଡ଼ୀର ସୌନ୍ଦର୍ଯ୍ୟ ବୃଦ୍ଧି କରିବ ଏଥିରେ ସନ୍ଦେହ କି ଅଛି ?

 

ଏଭଳି କାଠଯୋଡ଼ୀକୂଳରେ ଲାଲବାଗ-ପ୍ରାସାଦ ଅବସ୍ଥିତ ଥାଇ ମାତୃକ୍ରୋଡ଼ାବସ୍ଥିତ ପୁତ୍ରର ଦମ୍ଭ ପ୍ରକାଶ ପୂର୍ବକ ମସ୍ତକୋତ୍ତୋଳନ କରି ରହିଅଛି । ପାରିଲେ ଗଗନ ଫୁଟାଇ ଦିଅନ୍ତା ମାତ୍ର ତାହା କରିପାରୁ ନାହିଁ ବୋଲି ନିସ୍ତେଜ ହୋଇ ବରଂ କୁପତି ରୁଦ୍ଧବୀର୍ଯ୍ୟ-ସର୍ପ ଶୋଭା ପାଉଅଛି । ବୀର୍ଯ୍ୟ ନାହିଁ ବୋଲି କେହି କହି ପାରିବ ନାହିଁ, ସେ ତ ଅମିତତେଜା ମହାଷ୍ଟ୍ରୀୟ ରାଜପ୍ରତିନିଧିଙ୍କ ଆବାସ ଭୂମି ହୋଇଅଛି ! –ତାହାକୁ ପାଏ କିଏ ?

 

ପାଠକେ ! ଏହି ଲାଲବାଗ କୋଠିଠାରେ ମହାରାଷ୍ଟ୍ରୀୟ ରାଜପ୍ରତିନିଧି ସୁବାଦାର ଶମ୍ଭୁଜୀ ଗଣେଶ ଅଧିକାର ବସାଇ ଅଛନ୍ତି । ଆମ୍ଭେ ଆପଣମାନଙ୍କୁ ପୂର୍ବେ କହିଅଛୁଁ ଏ ମହାଶୟ ଅତ୍ୟନ୍ତ ପ୍ରଜାକଣ୍ଟକ ଶାସନକର୍ତ୍ତା ଥିଲେ ଏବଂ ଓଡ଼ିଶାକୁ ସୁବାଦାର ହୋଇ ଆସିବା ସଙ୍ଗେ ସଙ୍ଗେ ନାନାପ୍ରକାର କରମାନଙ୍କର ପ୍ରଚଳନ ଏବଂ ନିଷ୍କର ଭୂମିକୁ ସକର କରି ଲୋକମାନଙ୍କୁ ଲଣ୍ଡଭଣ୍ଡ କରିଥିଲେ । ଏଭଳି ରାଜାଙ୍କ ରାଜ୍ୟର ଯେପରି ଦଶା ହୁଏ ଶମ୍ଭୁଜୀ ଗଣେଶଙ୍କ ଅମଳରେ ଦେଶର ଦଶା ଠିକ୍‌ ସେହିପରି ହୋଇଥିଲା, ମାତ୍ର ତାହା ଶୁଣିବାକୁ କେହି ନାହିଁ । ସୁବାଦାର କରବୃଦ୍ଧିର ବିବରଣ ଛଡ଼ା ଅନ୍ୟ କିଛି ଶୁଣିବାକୁ କାନ ଡେରନ୍ତି ନାହିଁ ଏବଂ ମୁନିବର ଗୁଣ ଜାଣି ଭୃତ୍ୟ ଅମଲାମାନେ ଅନ୍ୟକିଛି ଶୁଣାନ୍ତି ନାହିଁ । ସୁତରାଂ ଦେଶ ଲୋକଙ୍କ ଦୂର୍ଦ୍ଦଶାର ସୀମା ରହିଲା ନାହିଁ ଏବଂ ନାନାପ୍ରକାର ଇତିଭୟ ଆସି ଦେଶରେ ଉପସ୍ଥିତ ହୋଇ ଲୋକଙ୍କୁ ଲଣ୍ଡଭଣ୍ଡ କଲା ।

 

ପୌଷପୂର୍ଣ୍ଣିମାର ରାତ୍ରି ଶେଷ ହୋଇଅଛି । ବର୍ତ୍ତମାନ ଦିନ ଦୁଇଘଡ଼ି । ସୂର୍ଯ୍ୟ ଏହିମାତ୍ର ତୁଷାରାବରଣ ଭେଦ କରି ପୃଥିବୀରେ ମୁଖ ଦେଖାଇ ଅଛନ୍ତି । ସୁବାଦାର ଶମ୍ଭୁଜୀ ଗଣେଶ ଲାଲବାଗ କଚେରୀଠାରେ ତକିଆ ଲଗାଇ ଗାଲିଚା ବିଛଣାରେ ଚକା ପକାଇ ବସିଅଛନ୍ତି । କପାଳରେ ଚନ୍ଦନଟିପା ମୁଖଶ୍ରୀ ଉଜ୍ଜ୍ୱଳକରି ରହିଅଛି । ମାତ୍ର ଆକାଶରେ ଚନ୍ଦ୍ର ଥାଇ ଯେରୂପ ଶୀତଳ କିରଣଜାଲରେ ଲୋକଙ୍କୁ ଆହ୍ଲାଦିତ କରନ୍ତି ଏ ସେପରି ନୁହେ, ଲୋକେ ଏହି ଚନ୍ଦନଟିପାକୁ ଦେଖି ଭୀତ ହୁଅନ୍ତି । ସେମାନେ କହନ୍ତି ‘‘ଏ ଟିପା ଦବଗ୍ନି ରୂପରେ ଉପସ୍ଥିତ ହୋଇଛି, ଓଡ଼ିଶା ଭସ୍ମୀଭୂତ ନ କରି ଯିବ ନାହିଁ !’’

 

କଚେରୀଘରେ ସୁବାଦାରଙ୍କ ଗାଲିଚା ବିଛଣା ଛଡ଼ା ଆଉ ଖଣ୍ଡିଏ ଶତରଞ୍ଜି ପଡ଼ିଅଛି । ତହିଁରେ ଚୌଧୁରୀ ବସନ୍ତି । ତହିଁ ନିକଟରେ ଲମ୍ବହୋଇ ଦୁଇଗୋଟା ମସିଣା ବିଛାଯାଇ ଅଛି । ଏଥିରେ ଅମଲାମାନେ ବସି ଲେଖାପଢ଼ି କରନ୍ତି ଏବଂ କ୍ଷୂଦ୍ର କ୍ଷୂଦ୍ର ଚାରିଗୋଟି ମାଞ୍ଚିଆ ନିକଟରେ ରକ୍ଷିତ ହୋଇଅଛି ଯେ ଆବଶ୍ୟକମତେ ସୁବାଦାର ତହିଁ ଉପରେ ବସି ଆଳସ୍ୟ ମେଣ୍ଟନ କରନ୍ତି । ମାଞ୍ଚିଆ ପଛକୁ କାଠର ଭାଡ଼ି ଗୋଟାଏ ଅଛି । ତହିଁରେ ଅଯତ୍ନଭାବରେ ତାଳପତ୍ରବିଡ଼ାମାନ ଗଦା ହୋଇଅଛି । ଉପକରଣ ମଧ୍ୟରେ ଏତିକି । ଏଥିରେ ଇଂରାଜଙ୍କ କଚେରୀର ଆଡ଼ମ୍ବରର ଏକଅଣାମାତ୍ର ଦେଖିବେ ନାହିଁ । ଯେପରି ଆଡ଼ମ୍ବରର ଏକଅଣା ମାତ୍ର ନାହିଁ ସେହିପରି ବିଚାରପଦ୍ଧତିର ଏକଅଣା ମାତ୍ର ନାହିଁ । ଥିବା ମଧ୍ୟରେ ପ୍ରଜାକଣ୍ଟକତ୍ୱ ଗୁଣ ଅଛି ଏବଂ ସେହି ହେତୁରୁ ପ୍ରପୀଡ଼ିତ ପ୍ରଜାଏ ଲଣ୍ଡଭଣ୍ଡ ହୋଇ ଶୀତ ନ ମାନି ଗୁହାରି କରିବାକୁ ଆସି କଚେରୀ ଜମାଇ ଦେଇ ଅଛନ୍ତି ।

 

ଆଜିକାଲି ପରି କୋଟ ଫିସ ଦିଆ ଆବେଦନପତ୍ରର ସେତେବେଳେ ପ୍ରଚଳନ ନ ଥିଲା-। ଆବେଦନକାରିମାନେ ଚୌଧୁରୀଠାରୁ ଚପରାସୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଳ୍ପ ବହୁତ ସନ୍ତୁଷ୍ଟ କରି ତଣ୍ଟିଆ ଖାଇ ବାହୁଡ଼ୁଥିଲେ । ଭାଗ୍ୟକ୍ରମେ ଯାହା ଉପରେ ସୁବାଦାର ପ୍ରସନ୍ନ ହେଉଥିଲେ ସେହି କେବଳ କିଞ୍ଚିତ୍‌ ପ୍ରତିକାର ପାଇ ଆପଣାକୁ ବହୁ ଭାଗ୍ୟବାନ୍‌ ମନେ କରି ଘରକୁ ବାହୁଡ଼ୁଥିଲା-। ତଥାପି ସୁବାଦାରଙ୍କ ଭେଟିଟା ଊଣା ହୁଏ ନାହିଁ । ଅପର ଅମଲାଏ ଲୁଚାଇ ଚୋରାଇ ଲାଞ୍ଚ ନିଅନ୍ତି, ମାତ୍ର ସୁବାଦାର ଲୋକଙ୍କଠାରୁ ଅଧିକ ମୁଦ୍ରା ଭେଟି ସ୍ୱରୂପ ପ୍ରକାଶ୍ୟଭାବରେ ନେଇ ଗର୍ଭରେ ପକାଇ ଦିଅନ୍ତି । ସ୍ୱର୍ଗକୁ ନିଶୁଣି ନ ଥିଲା ପ୍ରାୟ ବଡ଼ ଲୋକଙ୍କୁ ଉତ୍ତର ନାହିଁ ।

 

ଏହିରୂପେ ସୁବାଦାର କଚେରୀ କରୁଅଛନ୍ତି । ଅନେକ ଲୋକେ ଦୂର ଦେଶରୁ ହାରିଗୁହାରି କରିବା କାରଣ କଚେରୀ ନିକଟରେ ଉପସ୍ଥିତ ଅଛନ୍ତି ମାତ୍ର ସେମାନଙ୍କୁ ଏପର୍ଯ୍ୟନ୍ତ ଡକରା ପଡ଼ି ନାହିଁ । କଚେରୀ ଘର ମଧ୍ୟରେ ରାଧାଗୋବିନ୍ଦ ଚୌଧୁରୀ ସୁବାଦାରଙ୍କ ନିକଟବର୍ତ୍ତୀ ଚୌଧୁରୀଙ୍କ ଆସନରେ ବସି ବସ୍ତାନି ଫିଟାଇ କି କାଗଜ ଦେଖୁଅଛନ୍ତି ଏବଂ ଅମଲାମାନେ ଅଦୂରରେ ଉପବେଶନ କରି ଲୌହମୟୀ ଲେଖନୀରେ ତାଳପତ୍ରରେ ଅନର୍ଗଳ ଲେଖି ଯାଉଅଛନ୍ତି-। ବାହାରେ ଲୋକମାନେ ଟିକିଏ ଉଚ୍ଚକରି କଥାବାର୍ତ୍ତା କଲେ ତଦ୍ଦଣ୍ଡେ ପ୍ରହରୀମାନେ ବେତ୍ରଦଣ୍ଡରେ ସେମାନଙ୍କୁ ଦଣ୍ଡିତ କରୁଅଛନ୍ତି ଏବଂ ଚୌଧୁରୀ ଓ ଅମଲାଙ୍କର ଲୋକମାନେ ମଧ୍ୟ ବାହାରେ ଥାଇଁ ଆବେଦନ କରିବାକୁ ଆସିଥିବା ଲୋକମାନଙ୍କଠାରୁ ଆପଣାର ପଣକ ସାଧି ନେଉ ଅଛନ୍ତି । ଏହିରୂପେ କଚେରୀ ଲାଗିଅଛି ଏମନ୍ତ ସମୟରେ ସୁବାଦାର ଚୌଧୁରୀଙ୍କୁ ପଚାରିଲେ ‘ତୁମ୍ଭଙ୍କୁ ଆମ୍ଭେ ଯେଉଁ କାଗଜ ପ୍ରସ୍ତୁତ କରିବାକୁ କହିଥିଲୁଁ ତାହା ହେଲା କି ନାହିଁ ?’

 

ଚୌଧୁରୀ ଉତ୍ତର କଲେ ‘ଅବଧାନ, କାଗଜ ପ୍ରସ୍ତୁତ ଅଛି ।’

 

ଏହା କହନ୍ତେ ସୁବାଦାର ତାଙ୍କୁ କାଗଜ ଶୁଣାଇବାକୁ ଆଦେଶ କଲେ । କାଗଜଟି ଯୋଡ଼ାଯୋଡ଼ି ହୋଇ ଲମ୍ବରେ ପାଞ୍ଚହାତ ହୋଇଅଛି । ତହିଁରେ ଦେଶରେ ଯେତେମାଣ ଭୂମିଅଛି ତହିଁର ବିଶେଷ ବିବରଣ ଓ ତହିଁ ମଧ୍ୟରୁ କେତେ ବ୍ରହ୍ମସ୍ୱ, କେତେ ଦେବସ୍ୱ କେତେ ଜାଗୀରି ଇତ୍ୟାଦି ସମୁଦାୟ ବିଷୟ ତନ୍ନ ତନ୍ନ ହୋଇ ଲେଖା ହୋଇଅଛି ଏବଂ ସେହି ଭୂମିମାନଙ୍କ ମଧ୍ୟରୁ କେତେ ଭୂମିରେ କର ବସି ଅବଶିଷ୍ଟ କେତେ ଭୂମି କେଉଁଠାରେ ନିଷ୍କରରୂପେ ରହିଅଛି ତାହା ମଧ୍ୟ ଲେଖାଅଛି । ରାଧାଗୋବିନ୍ଦ ଚୌଧୁରୀ ଏ ସବୁ ପଢ଼ିଯାଇ କାଗଜର ଶେଷଭାଗକୁ ଦେଶର ଅବସ୍ଥା ସମ୍ବନ୍ଧରେ ଯେଉଁ ଟିକିକ ଲେଖାଅଛି ତାହା ପଢ଼ିବାକୁ ଯାଉଥିଲେ ଏମନ୍ତ ସମୟରେ ପ୍ରହରୀ ଆସି ଜଣାଇଲା ଯେ ନବଗ୍ରାମଆଡ଼ୁ ଜଣେ ଲୋକ ବିଶେଷ ବ୍ୟଗ୍ର ହୋଇ ସୁବାଦାରଙ୍କ ସହିତ ସାକ୍ଷାତ୍‌ କରିବାକୁ ଆସିଅଛି । ସୁବାଦାର ସେ ଲୋକକୁ କଚେରୀଭିତରକୁ ଆଣିବାକୁ ଆଦେଶ କରନ୍ତେ ପ୍ରହରୀ ତତ୍‌କ୍ଷଣାତ୍ ତାହାକୁ ଇଙ୍ଗିତ କଲା ଏବଂ ସେତ ଦୁଆରେ ଠିଆ ହୋଇ ଝାଙ୍କୁଥିଲା, ଇଙ୍ଗିତପ୍ରାପ୍ତି ମାତ୍ରକେ ସୁବାଦାରଙ୍କ ସମ୍ମୁଖରେ ଉପସ୍ଥିତ ହେଲା । ସୁବାଦାର କାଗଜ ପାଠ ଶେଷ ହେବା ପର୍ଯ୍ୟନ୍ତ ଠିଆହେବା କାରଣ ତାହାକୁ କହି କାଗଜର ଅବଶିଷ୍ଟ ଭାଗ ପଢ଼ିବାକୁ ଚୌଧୁରୀଙ୍କୁ ଆଦେଶ କଲେ । ଚୌଧୁରୀ ପଢ଼ିଲେ ‘ଇନ୍ଦ୍ର ଯେପରି ସଚରାଚର ପାଳିଥାନ୍ତି ସେହିପରି ଏବର୍ଷ ଦେଶକୁ ପାଳି ଅଛନ୍ତି । ଲୋକଙ୍କର କୌଣସି ଅଭାବ ନାହିଁ । ପ୍ରଚୁର ଧାନ୍ୟ ଫସଲ ଉତ୍ପନ୍ନ କରି ଲୋକେ ନିଶ୍ଚିନ୍ତ ହୋଇ ରହି ଅଛନ୍ତି ଏବଂ ଅନ୍ୟାନ୍ୟ ବର୍ଷ ଯେପରି ଧାନ କାଟି ଅମଳ କରିବାକୁ ଅଧିକ ଦିନ ଗତ ହୁଏ ଏବର୍ଷ ସେପରି ନ ହୋଇ ଲୋକେ ତତ୍ପର ହୋଇ ଧାନ୍ୟ କଟାକଟି କରି ଅମଳ ଶେଷ କରି ଅଛନ୍ତି । ଏଥିରୁ ଷ୍ପଷ୍ଟ ଦେଖାଯାଏ ଲୋକେ ଆଳସ୍ୟ ପରିତ୍ୟାଗ କରି ଆପଣା ସମ୍ପତ୍ତି ରକ୍ଷା କରିବାରେ ବିଶେଷ ଯତ୍ନବାନ ହୋଇ ଅଛନ୍ତି । ଏହାଠାରୁ ଆଉ ସୁଖର ବିଷୟ କି ଅଛି ?’

 

ସୁବାଦାର ଏ ରିପୋଟ ଶୁଣି ପରମ ସନ୍ତୁଷ୍ଟ ହୋଇ ତହିଁରେ ନିଷ୍କର ଭୂମିମାନ ଆଉ କେତେ ସକର ହୋଇପାରେ ପନ୍ଦରଦିନ ମଧ୍ୟରେ ଜଣାଇବା କାରଣ ଚୌଧୁରୀଙ୍କି ଆଦେଶ କରି କହିଲେ ଚୌଧୁରୀ ! ତୁମ୍ଭରି ଯୋଗ୍ୟତାରେ ମହାରାଷ୍ଟ୍ରୀୟ ଶାସନ ଅଖଣ୍ଡିତ ହୋଇ ରହିଛି ଏବଂ ଦେଶର ରାଜସ୍ୱ ଚତୁର୍ଗୁଣ ହୋଇଥିବାରୁ ଆମ୍ଭେ ଯେ ନାଗପୁର ଭୋଁସଲାଙ୍କ ଠାରୁ ପ୍ରଶଂସାପତ୍ର ପାଇଛୁଁ ତହିଁର ନିଦାନ ତୁମ୍ଭେ । ତୁମ୍ଭେ ଯଦି ବର୍ତ୍ତମାନ ନିଷ୍କର ଥିବାଭୂମି ଅର୍ଦ୍ଧେକରୁ ଅଧିକ ସକର ଏବଂ ଜାଗୀରି ଭୂମି ବାରପଣରୁ ଅଧିକ କରୋପଯୋଗୀ କରିଦିଅ ତାହା ହେଲେ ତୁମ୍ଭର ବେତନ ଦ୍ୱିଗୁଣ କରିଦେବୁଁ ।’

 

ସୁବାଦାରଙ୍କ ସନ୍ତୋଷର ଚିହ୍ନ ପାଇ ଚୌଧୁରୀ ଆନନ୍ଦରେ ଭୋଳ ହୋଇଗଲେ ଏବଂ କହିଲେ ‘ମହାରାଜ, ଏ ସାମାନ୍ୟ କଥା । ଆମ୍ଭେ କାଲି ଏଠାରୁ ବାହାରି ଦେଶ ଦେଶ ବୁଲି ଠିକ୍‌ କରି ଦେବୁଁ ।

 

ଆଗନ୍ତୁକ ପ୍ରଥମେ ସୁବାଦାରଙ୍କ ଆଦେଶ ପାଇ ଠିଆ ହୋଇଥିଲା । ଚୌଧୁରୀ ଯାହା ପଢ଼ିଲେ ତାହା ଶୁଣି ତାହା ମନରେ ଭୟାନକ କ୍ରୋଧ ଜାତ ହେଲା । ସେ ଜାଣେ ଦେଶରେ ଦୁର୍ଭିକ୍ଷ ଉପସ୍ଥିତ ହୋଇଅଛି । ପ୍ରଥମେ ଅତିବୃଷ୍ଟି ହୋଇ ଧାନଗଜାମାନ ଧୋଇ ହୋଇଗଲା ଏବଂ ପଛକୁ ଟାଣଖରା ହୋଇ ବୃଷ୍ଟି ଅଭାବରୁ ଶସ୍ୟ ନଷ୍ଟ ହୋଇଅଛି । ବିଆଳୀ ଫସଲ ଭଲ ଉଠି ନ ଥିବାରୁ ଲୋକେ ଭୋକଶୋଷରେ ଶାରଦକୁ ଅନାଇ ରହିଥିଲେ, ମାତ୍ର ଇନ୍ଦ୍ରଦେବ ଲୋକଙ୍କର ସୁଖ ରଖିଲେ ନାହିଁ । ସେ ବାରିଦାନରେ କୃପଣ ହୋଇ ନୀରବ ହୁଅନ୍ତେ ସୂର୍ଯ୍ୟଦେବ ପ୍ରଖର ରଶ୍ମି ବିତରଣ କରି ସମୂଳେ ଶସ୍ୟ ନଷ୍ଟକଲେ–ଧାନ ଆଣିବା ତେଣିକି ଥାଉ କୁଟା କେରାଏ ବିଲରେ ମିଳିଲା ନାହିଁ । ଲୋକେ ବ୍ୟାକୁଳ ହୋଇ ଲୋତକ ତ୍ୟାଗ କରୁ କରୁ କ୍ଷେତ୍ରକୁ ଯାଇ ଧାନଗଛମାନ ଝୋଟ ପ୍ରାୟ ହୋଇ ଥିବାର ଦେଖି ଚେତନାଶୂନ୍ୟ ହୋଇଗଲେ ଏବଂ ପରକ୍ଷଣରେ ଚେତନା ପାଇ ବିଲରେ ଶୁଷ୍କତୃଣାଦି ଯାହା ଥିଲା କାଟିଆଣି ଗଦାକଲେ ଯେ ସୁବାଦାରଙ୍କ ଛାମୁରେ ଗୁହାରି କରି କେହି ସ୍ଥାନୀୟ ତଦନ୍ତ କରିବାକୁ ଆସିଲେ ତାହାକୁ ଦେଖାଇବେ ।

 

ଦେଶର ଏ ଅବସ୍ଥାକୁ ଚୌଧୁରୀଙ୍କର ସେଭଳି ବିବରଣ ଶୁଣି କାହା ମନରେ କ୍ରୋଧଜାତ ନ ହେବ ? ପାଠକେ, ଏଥିରେ ଆପଣମାନେ ବୋଧହୁଏ କିଛି ଆଶ୍ଚର୍ଯ୍ୟ ହେଉ ନାହାନ୍ତି । ଆଶ୍ଚର୍ଯ୍ୟ ନ ହେବାର କଥା–ଏବେ ମଧ୍ୟ ଦେଶରେ ଦୁର୍ଭିକ୍ଷ ପଡ଼ିଲେ ସଭ୍ୟଚୂଡ଼ାମଣି ଇଂରାଜ ଗବର୍ଣ୍ଣମେଣ୍ଟଙ୍କ ସମୀପକୁ ସ୍ଥାନୀୟ କର୍ମଚାରୀମାନେ ବେଳେ ବେଳେ ଦେଶର ଅବସ୍ଥା ସ୍ୱଚ୍ଛଳ ଥିବାର ଅକାତରେ ଜଣାଉଥିବାସ୍ଥଳେ ତାଙ୍କଠାରୁ ଶତଗୁଣେ ନ୍ୟୁନ ମହାରାଷ୍ଟ୍ରୀୟଙ୍କ ନାନଦୋଷପୂର୍ଣ୍ଣ ଶାସନ ସମୟରେ ନିତାନ୍ତ ସ୍ୱାର୍ଥପର ହାକିମ-ମାନୋରକ୍ଷାକାରୀ କର୍ମଚାରୀଙ୍କ ଦ୍ୱାରା ଏ ଭଳି ଘଟନା ହେବା କିଛି ବିଚିତ୍ର ନୁହଇ । ବିଚିତ୍ର ନ ହେଉ, କ୍ରୋଧ ତ ସ୍ୱଭାବତଃ ଜାତ ହେବ ! ସୁତରାଂ ଆଗନ୍ତୁକ ମନରେ ସ୍ୱଭାବତଃ କ୍ରୋଧ ଜାତ ହୋଇଥିଲା, ମାତ୍ର ସେ ଆଗରୁ ଚୌଧୁରୀଙ୍କ ସ୍ୱଭାବ ଉତ୍ତମରୂପେ ଅବଗତ ଥିଲା ମଧ୍ୟ ସୁବାଦାରଙ୍କ ଚରିତ୍ର ଓ ତାଙ୍କଠାରେ ଅମଲାମାନେ ଦେଶର ଅବସ୍ଥା କି ରୂପେ ଜଣାଣ କରୁଥିଲେ ତହିଁର ସୁଦ୍ଧା ସନ୍ଧାନ ରଖିଥିଲା । ଆଉ ଅଧିକ ସମ୍ଭାଳି ନ ପାରି କ୍ରୋଧର ବେଗ ଯେତେଦୂର ପାରେ ମନରେ ମାରି ସୁବାଦାରଙ୍କୁ କରପତ୍ର ଯୋଡ଼ି କହିଲା ‘ମହାରାଜ ! ଦୋଷ କ୍ଷମା ହେବତ ଅଧୀନର ଗୋଟିଏ ଗୁହାରି ଅଛି–ନିବେଦନ କରିବ’ ।

 

ସୁବାଦାର ଚୌଧୁରୀଙ୍କ ସଙ୍ଗେ କଥାବାର୍ତ୍ତା ଶେଷକରି ଥରେ ଆଗନ୍ତୁକ ଆଡ଼କୁ ଅନାଇ ତାହାର କ୍ରୋଧ ବିସ୍ଫାରିତ ଲୋଚନ ପ୍ରତ୍ୟକ୍ଷ କରିଥିଲେ, ମାତ୍ର ଲୋକଟି କି ସକାଶେ ବ୍ୟଗ୍ର ହୋଇ ଆସିଅଛି ତାହା ଜାଣିବାକୁ କୌତୁହଳାକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ କିଛି କହି ନ ଥିଲେ ଏବଂ ଯେ ସମୟରେ ଆଗମନର କାରଣ ପଚାରିବାକୁ ଯାଉଥିଲେ ଠିକ୍‌ ସେହି ସମୟରେ ଆଗନ୍ତୁକ କଥା କହିବାରୁ ତାହାକୁ ବକ୍ତବ୍ୟ ପ୍ରକାଶ କରିବା କାରଣ ଇଙ୍ଗିତ କରି କହିଲେ ‘କହ କି ଗୁହାରି’ ?

 

ଆଗନ୍ତୁକ ସୁବାଦାରଙ୍କଠାରୁ ଏହିରୂପେ ଅନୁମତି ପ୍ରାପ୍ତହୋଇ ପିଠିର ବୋକଚ ଖସାଇ ଭୂମିରେ ରଖି ଖୋଲିବାକୁ ଆରମ୍ଭ କଲା । ଏହା ଦେଖି ସୁବାଦାରଙ୍କ ମନରେ ଅପୂର୍ବ ଆନନ୍ଦ ଜାତ ହେଲା । ବୋକାଚାଟି ବଡ଼ । ଏଡ଼େବଡ଼ ବୋକଚାରୁ ଅବଶ୍ୟ ବଡ଼ଭେଟି ବାହାରିବ । ଭେଟିଖୋର ଲୋକଙ୍କ ପକ୍ଷେ ଏହାଠାରୁ ବଳି ଆନନ୍ଦର ବିଷୟ କିଛି ନାହିଁ । ସୁବଦାର ବଡ଼ଭେଟିର ଆଶାରେ ବଡ଼ ଆନନ୍ଦିତ ହୋଇ ନିର୍ଲୋଭତା ଦେଖାଇବ ଛଳନାରେ କହିଲେ ‘କହ ଗୁହାରି କି ଅଛି–ଭେଟି ଦେବ, ଏତେ ବ୍ୟସ୍ତ କାହିଁକି ?’ ଏ କଥାରେ ଆଗନ୍ତୁକ ଯାହା ବୋକଚା ଖୋଲୁଥିଲା ତହିଁର, ନିରସ୍ତ ହୋଇ କୃତାଞ୍ଜଳିପୁଟରେ ନିବେଦନ କଲା, ‘ମହାରାଜ, ମୋ ଛାର ଛାମୁରେ ଅବା କି ଭେଟିବ !’ ଏହାକହି ଆପଣା ଶରୀରକୁ ଦେଖାଇ ପୂର୍ବବତ୍‌ କୃତାଞ୍ଜଳିପୁଟରେ କହିଲା ‘ଛାମୁରୁ ମୋହର ଶରୀର ଦେଖନ୍ତୁ । ଶରୀରର ବଳ ହେତୁରୁ ଦାସ ଖାଡ଼ଙ୍ଗା ବୋଲି ମୋର ନାମ ଦଶଖଣ୍ଡି ଗ୍ରାମରେ ବାଜୁଥିଲା । ଏବେ ଖାଇବାକୁ ନ ପାଇ ମୋର ଶରୀରର ଚତୁର୍ଥାଂଶ ନାହିଁ । ଗହଣାଗାଣ୍ଠି ଜିନିଷପତ୍ର ସବୁ ବିକା ସଇଲାଣି । ଦେହ ଥିଲାକୁ ଛାମୁରେ ଗୁହାରି କରିବାକୁ ଆସିଛି–ଛାମୁ ମାଇଲେ ମାରନ୍ତୁ, ରଖିଲେ ରଖନ୍ତୁ । ଯାହା ଆଣିଛି ଛାମୁରେ ଭେଟିବି’ ।

 

ଏହା କହି ଆଗନ୍ତୁକ ଗଣ୍ଠିରି ଖୋଲିବାକୁ ଉଦ୍ୟତ ହୋଇ ପୁନର୍ବାର ଗଣ୍ଠିରିରେ ହାତ ଦେଲା । ଆଗନ୍ତୁକର ଶରୀର ଦେଖିଲେ ଯେ ସେ ଅନାହାରକ୍ଳିଷ୍ଟ ଏଥିରେ ସନ୍ଦେହ ରହିବ ନାହିଁ । ପଞ୍ଜରାହାଡ଼ ଗୋଟି ଗୋଟି ହୋଇ ଗଣା ଯାଉଅଛି ଏବଂ ପେଟରେ କଳାରାଶିମାନ ଗୋଛା ଗୋଛା ହୋଇ ବାହାରି ଭାଗ୍ୟରେ କାଳି ପଡ଼ିଥିବାର ଜଣାଇ ଦେଉଅଛି । ବକ୍ଷଃସ୍ଥ ଚର୍ମ ଲୋଳ ହୋଇଯାଇ ସୂର୍ଯ୍ୟତେଜ ବିଗଳିତାବଶେଷବରଫାବୃତ ଗିରିଖଣ୍ଡ ପ୍ରାୟ କଦର୍ଯ୍ୟ ଦିଶୁଅଛି ଏବଂ ସ୍କନ୍ଧଦେଶର ମାଂସ ଅପନୀତ ହୋଇ ଗିରିକନ୍ଦର ପ୍ରାୟ ଗଳିପଡ଼ି ତହିଁ ପାର୍ଶ୍ୱେ ବାହୁର ଊର୍ଦ୍ଧ୍ୱଭାଗସ୍ଥ ଅସ୍ଥିର ଶେଷାଂଶ ଶୃଙ୍ଗ ପ୍ରାୟ ଯାହା ଉଠିଅଛି ତାହାକୁ ଅଧିକତର ଭୟାନକ କରି ପକାଇଅଛି । ଗ୍ରୀବାଭଙ୍ଗିର ମନୋହାରିତ୍ୱ ନଷ୍ଟ ହୋଇ ସରଳରେଖା ପ୍ରାୟ ହୋଇ ଯାଇଅଛି ଏବଂ ପୁରାତନ ସେତୁ ପ୍ରାୟ ନିର୍ଲ୍ଲଜ୍ଜଭାବରେ ସୌଭାଗ୍ୟବିହୀନ ଦେହକୁ ଶ୍ରୀହୀନ ମୁଖ ସହିତ ମିଳାଇ ରଖିଅଛି । ମୁଖ ମଣ୍ଡଳରେ ଶ୍ରୀ ଆଦୌ ନାହିଁ–ତାହା ମଳିନ, ବିଶୀର୍ଣ୍ଣ ଏବଂ ବନ୍ଧୁର ହୋଇଅଛି । ପୂର୍ବେ ମୁଖମଣ୍ଡଳ ଶ୍ରୀଯୁକ୍ତ ଥିବା ସମୟରେ ଆଗନ୍ତୁକର ସ୍ୱଭାବତଃ କର୍ଣ୍ଣାୟତ ଲୋଚନଦ୍ୱୟ ଅତ୍ୟନ୍ତ ସୁନ୍ଦର ଦିଶୁଥିଲା । ବର୍ତ୍ତମାନ ସେ ବଡ଼ ବଡ଼ ଚକ୍ଷୁ ଶ୍ରୀହୀନ ମୁଖକୁ ଭୟଙ୍କର କରିଅଛି । ସ୍ଥୂଳରେ ଆଗନ୍ତୁକକୁ ଅନାହାରର ପ୍ରତିମୂର୍ତ୍ତି ବୋଇଲେ ଅତ୍ୟୁକ୍ତି ହେବ ନାହିଁ । ସୁବାଦାର ଏହା ଦେଖୁଅଛନ୍ତି, ମାତ୍ର ଲୋକଟା ନ ଖାଇ ନ ପିଇ ତାଙ୍କ ନିମିତ୍ତ ଯତ୍ନପୂର୍ବକ ଭେଟି ଆଣିଥିବା ମନେ ପଡ଼ିବାରୁ ପ୍ରଭୁତ ଆନନ୍ଦ ଉପଭୋଗ କରୁଅଛନ୍ତି । ଖାଇପିଇ ପରକୁ ଦେବା ଏବଂ ନ ଖାଇ ନ ପିଇ ପରକୁ ଦେବାର ତାରତମ୍ୟ କାହାକୁ ବୁଝାଇ କହିବାକୁ ହେବନାହିଁ । ଆଗେ ଖାଇ ପିଇ ପରକୁ ଦେଲେ ଲୋକେ ସନ୍ତୁଷ୍ଟ ହେଉଥିଲେ; ଏବେ ନ ଖାଇ ନ ପିଇ ପରକୁ ଦେଲେ ସନ୍ତୋଷ ! ପାଠକେ ! ଏବେ ଏହିପରି କାଳ ପଡ଼ିଅଛି–ଆପଣ ଖାଇବାକୁ ପାଆନ୍ତୁ ଅବା ନ ପାଆନ୍ତୁ–ପରକୁ କିଛି ନ ଦେବାଯାଏ ପରର ସନ୍ତୋଷ ନାହିଁ ! ଏହାଠାରୁ ଦୁଃଖର ବିଷୟ ଆଉ କି ଅଛି ? ମନୁଷ୍ୟ ସମବେଦନା ହରାଇ ଅମନୁଷ୍ୟ ହେବାର ଆଉ ଅବଶେଷ କି ରହିଲା ? ଧନ୍ୟ କାଳର ଗତି !

 

ସୁବାଦାର ବୋକଚାର ଆୟତନ ଦେଖି ହିରଣ୍ୟଗର୍ଭରେ ପ୍ରଭୂତ ସାମଗ୍ରୀ ପଡ଼ିବାର ମନେ ମନେ କଳ୍ପନାକରି କେତେ ସୁଖସ୍ୱପ୍ନ ଦେଖୁଥିଲେ ଏମନ୍ତ ସମୟରେ ଆଗନ୍ତୁକ ବୋକଚା ଫିଟାଇ ଦୁଇହଳା ଅଗାଡ଼ିପୂର୍ଣ୍ଣ ଶୁଖିଲା ଧାନଗଛ ସୁବାଦାରଙ୍କ ଛାମୁରେ ଥୋଇ ଦେଲା ! କହିଲା ‘ମହାରାଜା ! ଖଡ଼ଙ୍ଗା ଏବେ ଅନାହାରରେ ଖଡ଼ଙ୍ଗା ହୋଇଅଛି । ଛାମୁ ଏହି ହଳାରୁ ବୁଝି ପାରିବେ-।’

 

ସୁବାଦାରଙ୍କ ସୁଖସ୍ୱପ୍ନ ଭଙ୍ଗ ହେଲା । ଖାଡ଼ଙ୍ଗାର ଉଦ୍ଦେଶ୍ୟ ସହଜରେ ଅନୁମତି ହେଲା-। ଖାଡ଼ଙ୍ଗା ଖଡ଼ାଙ୍ଗା ହୋଇ ଖଡ଼ା କେରିଏ ସୁଦ୍ଧା ଆଣିନାହିଁ । –ଆଣିଅଛି ଦୁଇହଳା ଶୁଖିଲା ଅଗାଡ଼ି-! କାହିଁକି ? ଦେଶର ତ ଅବସ୍ଥା ଭଲ । ଚୌଧୁରୀ ତ ଭଲ ରିପୋଟ କରୁଅଛନ୍ତି, କେହି ତ ଦେଶର ଅବସ୍ଥା ମନ୍ଦ ଥିବା କହୁନାହିଁ । ଏ ଲୋକଟା ବଡ଼ ଦୁଃସାହସୀ ଯେ ସୁଖସେବୀ ଦୁର୍ଦ୍ଦଷ ସୁବାଦାରଙ୍କ ଛାମୁରେ ବଡ଼ ବଡ଼ ଅମଲାଙ୍କ କଥାର ବିପରୀତ ପ୍ରମାଣ ପହୁଞ୍ଚାଇବାକୁ ଇଚ୍ଛୁକ । ସୁବାଦାର କ୍ରୋଧରେ ପ୍ରଜ୍ଜ୍ୱଳିତ ଅଗ୍ନିପ୍ରାୟ ହୋଇ ଆରକ୍ତ ବର୍ଣ୍ଣ ଚକ୍ଷୁରେ କହିଲେ ‘‘ତୋହର ସାହସ’’ ଭାରୀ ! ତୁ ଚୌଧୁରୀଙ୍କ ବିବରଣୀ ଶୁଣୁ ଶୁଣୁ ଆମ୍ଭ ସମକ୍ଷରେ ଏ ଶୁଖିଲା ତୃଣ ଆଣି ଥୋଇଛୁ ! ଦେଶର ଲୋକେ ଉତ୍ତମ ଅବସ୍ଥାରେ ଅଛନ୍ତି । ଆମ୍ଭେ ସୁବାଦାର ଥାଉଁ ଥାଉଁ ତୁ ଦେଶର ମନ୍ଦକଥା ଶୁଣାଇବାକୁ ଆସିଛୁ ? ତୋ କଥା ପ୍ରମାଣ ନ ହେଲେ ସମୁଚିତ ଶାସ୍ତି ଦିଆଯିବ ।’’

 

ଆଗନ୍ତୁକ ଭାବିଲା କୋପେ ବର କି ତପେ ବର । ମାତ୍ର ଆଗନ୍ତୁକ ଜାଣେନାହିଁ ଏ କାଳକୁ କୋପେ ବର ସୁଦ୍ଧା ମିଳିବା କଠିନ । ସୁବାଦାର ପ୍ରମାଣର କଥା କହିଲେ ସତ୍ୟ, ମାତ୍ର ପ୍ରମାଣ ନେବା ସକାଶେ ତାଙ୍କର ତିଳେମାତ୍ର ଇଚ୍ଛା ନଥିଲା । –ଥିବ କାହିଁକି ? ସେ ତ ଜାଣନ୍ତି ଦେଶରେ ଦୁର୍ଭିକ୍ଷ ପଡ଼ିଅଛି । ଲୋକେ ମରି ଉଡ଼ିଗଲେ ଜମିମାନ ନୂଆ ହୋଇ କଟକଣା ହେବ । ଈଶ୍ୱରଙ୍କ ସୃଷ୍ଟି କିଛି ଏହି ଦୁର୍ଭିକ୍ଷରେ ଶେଷ ପାଇବ ନାହିଁ–ଅବଶ୍ୟ ଅନେକ ଲୋକେ ବଞ୍ଚିଯିବେ ଏବଂ ଯେ ବଞ୍ଚିଯିବେ ସେମାନଙ୍କୁ ଘେନି ନୂତନ ରାଜ୍ୟ କରି ପ୍ରଭୂତ ଧନ ଅର୍ଜନ କରିପାରିବେ । କୃପଣ ସ୍ୱଭାବ ଅର୍ଥଲୋଭୀ ଚୌଧୁରୀମାନେ ଅନେକ ଭୂମି କର୍ଷଣ କରି ପ୍ରଭୂତ ଧନ ଉତ୍ପନ୍ନ କରିବାର ଲୋଭ ମଧ୍ୟ ଦେଖାଇଥିଲେ । ଏ ସବୁକଥା ଆଗନ୍ତୁକ କାହୁଁ ଜାଣିବ ? ମନେ କଲା ସତେ ଅବା ସ୍ଥାନୀୟ ତଦନ୍ତ ହେବ । ତହୁଁ ସାହାସ କରି କରଯୋଡ଼ି କହିଲା ‘ଛାମୁରୁ ଅବଧାନ ହେଉ ଅଥବା କେହି ଛାମୁରୁ ଯାଇ ଦେଖିଆସନ୍ତୁ । ଯଦି ମୋହର କଥା ମିଛ ହେବ ତେବେ ମୁଁ ଏହିକ୍ଷଣି ଶୁଳୀକି ହାଜର ଅଛି ।’

 

ଏତିକି କହି ଆଗନ୍ତୁକ ଟିକିଏ ରହିଗଲା । ସୁବାଦାରଙ୍କ ଆରକ୍ତବର୍ଣ୍ଣ ଚକ୍ଷୁ ଅଦ୍ୟାପି ତାହାଠାରୁ ଅନ୍ତର ହୋଇ ନଥିବା ଦେଖି ତାଙ୍କର ପ୍ରଭୂତ କୋପ ହୋଇଥିବା ଜାଣିପାରିଲା । ମନେ କଲା ଦୁର୍ଭିକ୍ଷ ତ ପ୍ରାଣ ନେବ, ତେବେ ଦେଶପାଇଁ ଦୁଇକଥା କହିଲେ ଯଦି ସୁବାଦାର ପ୍ରାଣ ନିଅନ୍ତି ତହିଁରେ କ୍ଷତି କିସ ? ଏହା ମନରେ ଚିନ୍ତାକରି ପୁଣି କହିଲା ‘ଧର୍ମ୍ମାବତାର ! ଛାମୁତ ନିଶ୍ଚିନ୍ତ ହୋଇ ଚୌଧୁରୀଙ୍କ କଥା ଉପରେ ନିର୍ଭର କରି ରହିଛନ୍ତି । ତେଣେ ଗରୀବଗୁଡ଼ାକ ଉପରେ ଦୈବ ବିପକ୍ଷ-। ତହିଁ ଉପରେ ପୁଣି ଭୂୟାଁମାନଙ୍କର ଅତ୍ୟାଚାର ଆରମ୍ଭ ହେଲାଣି । ଛାମୁରୁ ଚୌଧୁରୀଙ୍କି ପଚାରିବା ହେଉ ତାଙ୍କ ଘରର କି ହାଲ ।’

 

କଥା ଶୁଣିବା ମାତ୍ରକେ ଚୌଧୁରୀଙ୍କର ହଲକ ଶୁଖିଗଲା । ସେ ରିପୋଟ୍‌ ପଢ଼ି ମନେ ମନେ ବାହାଦୂରୀ ନେଇ ଯେଉଁ ପ୍ରଫୁଲ୍ଲମୁଖଶ୍ରୀ ଧାରଣ କରିଥିଲେ ଦେଖୁଁ ଦେଖୁଁ ତାହା କେଉଁ ଆଡ଼କୁ ଅନ୍ତର୍ଦ୍ଧାନ ହୋଇଗଲା । କୃପଣ ସ୍ୱଭାବର ଲୋକ ଧନଦ୍ରବ୍ୟ ଲୁଟିହେବ ବୋଲି ମନେ କରିବା ମାତ୍ରକେ ଅନ୍ତରାତ୍ମା ଶୁଷ୍କ ହୋଇଗଲା, ଏକାବେଳକେ ସର୍ବାଙ୍ଗ କଳା ପଡ଼ିଗଲା ଏବଂ ଛଳ ଛଳ ଚକ୍ଷୁରେ ପଚାରିଲେ ‘ କ’ଣ କ’ଣ ଆମ୍ଭ ଘରର କି ହାଲ ?’

 

କି ବିଡ଼ମ୍ବନା ! ପାଠକେ ବିଧାତଙ୍କ ମାୟାର ଗୋଟିଏ ପରିଚୟ ଏଥିରେ ପାଇଲେ କି ? ସଂସାର-ପାଳନରେ ବିଧାତାଙ୍କର କିରୂପ କର୍ତ୍ତୃତ୍ୱ ଅଛି ତାହା ଏଥିରୁ ଦେଖିପାରିଲେ କି ? ନିଜର ଦ୍ରବ୍ୟାଦି ଲୁଟି ହୋଇଯିବା ଶୁଣିଲେ କେହି ହଠାତ୍‌ ବିଶ୍ୱାସ ନ କରେ । କେହି ବିଶ୍ୱାସ କରି ଅବା କୋପବଶରେ ତତ୍‌କ୍ଷଣାତ୍ ଉଦ୍ୟୁକ୍ତ ହୋଇ ଦୋଷିକି ଦଣ୍ଡ ଏବଂ ନିଜର ଦ୍ରବ୍ୟାଦି ଫେରି ପାଇବାର ବାଟ ପରିଷ୍କାର କରେ । ପୁଣି କେହି ଅବା ଚୌଧୁରୀଙ୍କୁ ପ୍ରାୟ ହଠାତ୍‌ ବିଶ୍ୱାସ କରି ଦ୍ରବ୍ୟନାଶଜନିତ ମହାଶୋକରେ ଅଭିଭୂତ ହୋଇ ଆପଣାକୁ ମୃତବତ୍‌ ଜ୍ଞାନ କରେ । ଘୋର କୃପଣସ୍ୱଭାବ ଅମାନୁଷ ଚୌଧୁରୀ ଯେ ଶାସ୍ତି ପାଇବାର ଉପଯୁକ୍ତ ପଦାର୍ଥ ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ । ଏତେକାଳ ଯାହା ଜୀବନରେ ଥାଇ ଧନଦ୍ରବ୍ୟାଦି ସଞ୍ଚୟଜନିତ ସୁଖ ଭୋଗକଲେ ତାହା ବିଧାତାଙ୍କର କୌଣସି ବିଶେଷ ଉଦ୍ଦେଶ୍ୟ ସାଧନ ବିନା ଅନ୍ୟ ନୁହେ । ଯେତେବେଳେ ପାପର ସୀମା ଚୂଡ଼ାନ୍ତ ହୋଇଗଲା, ଯେତେବେଳେ ବିଧାତାଙ୍କ ଇଚ୍ଛା ପୂର୍ଣ୍ଣ ହେବାର ସମ୍ପୂର୍ଣ୍ଣ ସୁଯୋଗ ମିଳିଗଲା, ସେତେବେଳେ ଦୈବ ଆପେ ଆଣି ଏ କଠିନବାର୍ତ୍ତା କଠିନପ୍ରାଣକୁ ଶୁଣାଇଲେ । ଏହିରୂପେ ପୃଥିବୀରେ ପ୍ରତ୍ୟେକ କାର୍ଯ୍ୟ ବିଧାତା ନିଜହାତେ ନିଜ ଇଚ୍ଛାନୁସାରେ କରୁଅଛନ୍ତି ଏବଂ ପୃଥିବୀର ପ୍ରତ୍ୟେକ କାର୍ଯ୍ୟରେ ବିଧାତାଙ୍କର ହାତ ଅଛି ଏହା ନିଶ୍ଚୟ ।

 

ଆଗନ୍ତୁକ ଚୌଧୁରୀଙ୍କି ଅନାଇ କହିଲା ‘କିଛି ନାହିଁ । ଘରର ପାଚେରୀମାନ ଦୁଲାଦାଲ ହୋଇ ପଡ଼ିଲା ସମୟରେ ସମସ୍ତେ ଯେଝା ପାରିଲା ମତେ ପଳାଇ ଆସିଲୁଁ । ମୁଁ ଗ୍ରାମର ଏକ ଗୋହରୀରେ ଠିଆହୋଇ ଦେଖିଲି ଯେ ଡକାୟତମାନେ ଆପଣଙ୍କର ଓ ଦାସଙ୍କର ଘର ପଦା କରି ସବୁ ବୋହି ନେଇଗଲେ ।’

 

ଚୌଧୁରୀଙ୍କ ମୁଣ୍ଡରେ ବଜ୍ରପଡ଼ିଲା । ବିଦ୍ୟୁତ୍‌ଗତିରେ ମସ୍ତିଷ୍କଠାରୁ ସେ ଦାରୁଣ ଅନୁଭୂତି ତଳକୁ ଖସିପଡ଼ି ସମୁଦାୟ ଅଙ୍ଗପ୍ରତ୍ୟଙ୍ଗ ପ୍ରକମ୍ପିତ କଲା । କାନକୁ କିଛି ଶୁଭିଲା ନାହିଁ । ଆକ୍ଷିର ଦୃଷ୍ଟିଶକ୍ତି ରହିତ ହୋଇଗଲା ଏବଂ ଏ ଅବସ୍ଥାରେ ନିଜେ ପଛକୁ ଟଳି ପଡ଼ିଥାନ୍ତେ ଏମନ୍ତ ସମୟରେ ସୁବାଦାର ସ୍ୱୟଂ ତାଙ୍କ ହାତ ଧରି ଆଗକୁ କିଞ୍ଚିତ୍‌ ଝିଙ୍କି ଦିଅନ୍ତେ ସେ ଅନୁଭୂତି ଦୂର ହୋଇ ଗଲା, ମାତ୍ର ସଙ୍ଗେ ସଙ୍ଗେ ଶ୍ରାବଣଧାରା ପ୍ରାୟ ଦୁଇ ଚକ୍ଷୁରୁ ଜଳଧାରା ପତିତ ହେଲା ।

 

ସୁବାଦାର କିଞ୍ଚିତ୍‌ କାଳ ନୀରବ ଥାଇ କହିଲେ ‘ଚୌଧୁରୀ, ତୁମ୍ଭେ ବ୍ୟସ୍ତ କାହିଁକି ହେଉଛ-। ତୁମ୍ଭ ନିମିତ୍ତ ଆମ୍ଭେ ଦେଶକୁ ଦେଶ ଲଣ୍ଡଭଣ୍ଡ କରିଦେବୁଁ । ଏହାକହି କିୟତ୍‌କାଳ ଆଗନ୍ତୁକ ଆଡ଼କୁ ଅନାଇ ପୁଣି କହିଲେ ‘ଆମ୍ଭଙ୍କୁ ନିଶ୍ଚୟ ଜଣାଯାଉଛି ଏହି ଲୋକଟା ଏଥିର ମୂଳରେ ଅଛି–ନୋହିଲେ ଏ କାହିଁକି ସମ୍ବାଦ ଦୋବକୁ ଆସନ୍ତା ?’ ଏକଥା କହି ତତ୍‌କ୍ଷଣାତ୍‌ ଜମାଦାରକୁ ଡକାଇ ଆଗନ୍ତୁକକୁ ବାନ୍ଧିବା କାରଣ ଆଦେଶ କଲେ ।

 

ଆଦେଶ ଶୁଣିବା ମାତ୍ରକେ ଆଗନ୍ତୁକର ମସ୍ତିକ ଘୂର୍ଣ୍ଣିତ ହୋଇଥିଲା ସତ୍ୟ, ମାତ୍ର ପରକ୍ଷଣରେ ସେ ଦୈବ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଧୈର୍ଯ୍ୟ ଧରି ଠିଆହେଲା । ଦେଶତ ଦୁର୍ଭିକ୍ଷରେ ଉତ୍ସନ୍ନ ହେବାକୁ ବସିଅଛି । ଆଜି ହେଉ କାଲି ହେଉ ଅନାହାରରେ ମରିବାର ନିଶ୍ଚିତକଥା । ସୁବାଦାର ଦୁର୍ଭିକ୍ଷବାର୍ତ୍ତା ଶୁଣିବାକୁ ଏକାନ୍ତ ଅନିଚ୍ଛୁକ ଥିବା ସ୍ଥଳେ ତାଙ୍କ ଛାମୁରେ ସେ ବିଷୟର ଗୁହାରି କରିବାକୁ ଆସିବାରେ ତ ଏକପ୍ରକାର ଜୀବନର ଆଶା ତ୍ୟାଗ କରିବାକୁ ହୋଇଥିଲା । ତହିଁରେ ଯଦି ଡକାୟତ ସନ୍ଦେହରେ ଶୂଳୀକି ଯିବାକୁ ହେବ ସେଥିରେ ଅବା ଭାବନା କିସ ? ଏହା ଭାଳି ଆଗନ୍ତୁକ ଧୈର୍ଯ୍ୟ ଧାରଣ କରି ନିଶ୍ଚଳ ହୋଇ ଠିଆ ହୋଇଥିଲା । ଦୁଃଖ ମଧ୍ୟରେ ପିଲାଏ ଘରେ ବାର୍ତ୍ତା ଶୁଣି ଶୋକାଭିଭୂତ ହେବେ ଏତିକି । ମାତ୍ର ତହିଁକି ଅବା ଚାରା କି ଅଛି ? ସଙ୍ଗେ ସଙ୍ଗେ ଜଗଦୀଶ୍ୱରଙ୍କୁ ପିଲାପିଲିଙ୍କି ଅର୍ପଣକରି ଦେଇ ମନକୁ ଶାନ୍ତକରି ଠିଆହେଲା-

 

ତତ୍ପରେ ସୁଯୋଗ୍ୟ ଧର୍ମାବତାର ସୁବାଦାର ମହାଶୟ କାଗଜ ବାହାର କରି ଆଗନ୍ତୁକର ଇଜହାର ନିମ୍ନଲିଖିତ ମତେ ଗ୍ରହଣ କଲେ ।

 

ସୁବାଦାର । –ତୁମ୍ଭର ନାମ ?

ଆଗନ୍ତୁକ । –ଦାଶରଥି ଦାସ ଓରଫ ଦାସ ଖାଡ଼ଙ୍ଗା ।

ସୁବା । –ତୁମ୍ଭର ଘର ?

ଆଗ । –ଗୋପାଳପୁର ।

ସୁବା । –ଚୌଧୁରୀଙ୍କ ଘରେ ଡକାୟୀତି କେତେବେଳେ ହେଲା ?

ଆଗ । –ଗତକାଲି ରାତ୍ରି ତିନିପ୍ରହରଠାରେ ।

ସୁବା । –ଏତେ ରାତ୍ରରେ ତୁମ୍ଭେ ନବଗ୍ରାମକୁ କାହିଁକି ଯାଇଥିଲ ?

 

ଆଗ । –ନାଏବଙ୍କର ଅଭିଷେକ-ରୋଷନୀ ନବଗ୍ରାମଠାରେ ହେବା ଶୁଣି ତାଙ୍କଠାରେ ନିଜର ଦୁଃଖହାଲ ଗୁହାରି କରିବାକୁ ଯାଇଥିଲି ।

 

ଏହା ଶୁଣି ସୁବାଦାର ଆଶ୍ଚର୍ଯ୍ୟ ହୋଇଗଲା । ନାଏବଙ୍କ ଅଭିଷେକର ରୋଷନୀ ବିଷୟ ତ ତାଙ୍କୁ କିଛି ଜଣା ନ ଥିଲା । ଚୌଧୁରୀଙ୍କି ପଚାରିଲାରୁ ସେ ମଧ୍ୟ ଏ ବିଷୟ କିଛି ଜାଣୁ ନ ଥିବା ପ୍ରକାଶ କଲେ । ତହୁଁ ଆଗନ୍ତୁକ ମିଥ୍ୟାକଥା କହୁଥିବା ସନ୍ଦେହ କରି ସେ ଦୋଷୀଥିବା ମନେ ମନେ ଏକପ୍ରକାର ସ୍ଥିରକରି ପଚାରିଲେ ‘କେଉଁ ନାଏବ ? ଆମ୍ଭେ ତ କାହାରିକି ରୋଷନୀ କରିବାର ଆଦେଶ ଦେଇ ନାହୁଁ ।’

 

ଆଗ । –ଅବଧାନ ସେ ବିଷୟ ମୋତେ କିଛି ଜଣା ନାହିଁ । ମୁଁ ଶୁଣିଲି ନାଏବ ରୋଷନୀ କରୁଛନ୍ତି–ଶୁଣି କରି ଆପଣା ଦୁଃଖ ଜଣାଇବାକୁ ଯାଇଥିଲି ।

 

ସୁବା । –ତୁ ବଡ଼ ମିଥ୍ୟାବାଦୀ । ଆମ୍ଭଙ୍କୁ ନିଶ୍ଚୟ ଜଣାଯାଉଛି ତୁ ଲୁଟି ମଧ୍ୟରେ ଅଛୁ । ଆଚ୍ଛା, ଭୂୟାଁମାନେ ଲୁଟି ନେଲେ ବୋଲି ଜାଣିଲୁ କିପରି ?

 

ଆଗ । –ଜଣେ ଭୂୟାଁ ! ସଙ୍ଗରେ ବୁଢ଼ାଲିଙ୍ଗ ନିକଟରେ ଗତରାତ୍ରି ଦୁଇପ୍ରହର ବେଳେ ଦେଖା ହୋଇଥିଲା ଓ ଡକାୟତ ନାଆ ସେଠାକୁ ଆସିଥିଲା ।

 

ସୁବା । –ସେ ଭୂୟାଁ । ବୋଲି ତୁ ଜାଣିଲୁ କିପରି ?

ଆଗ । –ତାର ଆକୃତି ଓ କଥାରୁ ।

 

ସୁବ । –ହଁ–ଏହିଥର ଧରା ପଡ଼ିଛୁ । ତୁ କାହିଁକି ଭୂୟାଁ ସଙ୍ଗେ କଥାବାର୍ତ୍ତା କରିବାକୁ ଗଲୁ-?

 

ଆଗ । –ମୁଁ ସେବାଟେ ଆସୁଥିଲି, ହଠାତ୍‌ ଭେଟ ପଡ଼ିବାରୁ ମୋତେ ଡାକ ପକାଇଲା । ନୋହିଲେ ମୁଁ କାହିଁକି ତା ସଙ୍ଗେ କଥାବର୍ତ୍ତା କରନ୍ତି ।

 

ସୁବାଦାର ଏ ଉତ୍ତର ପାଇ କ୍ରୋଧରେ କମ୍ପିଗଲେ । ଅନେକ ସମୟରେ ସତ୍ୟକଥା ମଧ୍ୟ ହାକିମମାନେ ଅସମ୍ଭବ ଜ୍ଞାନରେ ଅବିଶ୍ୱାସ କରି ନିର୍ଦ୍ଦୋଷୀକି ଦୋଷୀ କରନ୍ତି । ଏହା ତହିଁର ପ୍ରକୃଷ୍ଟ ଉଦାହରଣ । ସୁବାଦାର କୋପରେ ଦନ୍ତ କିଡ଼ିମିଡ଼ି କରି କହିଲେ ‘ତୁ ଘୋର ମିଥ୍ୟାବାଦୀ–ଅନ୍ୟ ଡକାୟତମାନଙ୍କ ନାମ ବଢ଼ାଇ ଦେ–ନୋହିଲେ ଏହିକ୍ଷଣି ଶୂଳିକି ଯିବୁ ।’

 

ନିର୍ଦ୍ଦୋଷୀ ଆଗନ୍ତୁକ ଡକାୟତଙ୍କ ନାମ ଅବା କିପରି ବତାଇବ ? ତହୁଁ କପାଳରେ ଯାହା ଥିଲା ଫଳିଲା । ସୁବାଦାରଙ୍କ ଆଦେଶ ମତେ ଜମାଦାରର ବେତ୍ର ପ୍ରହାରରେ ଦେହରେ ନୋଳା ଫାଟିଗଲା । ‘ମା ଲୋ ବୋପା ଲୋ’ ଚିତ୍କାର କରି କେତେ ଯେ ଅଶ୍ରୁବିସର୍ଜ୍ଜନ କଲା ତାହା କିଏ କହିବ ? ଦଣ୍ଡ ଦେଲାବେଳକୁ ବିଧାତା ଅନାହାର-ଜନିତ ଜୀର୍ଣ୍ଣଦେହରେ ସୁଦ୍ଧା ପ୍ରହାର ବସାନ୍ତି-। ଏହା କପାଳର ଦୋଷ ଭିନ୍ନ ଆଉ କି ହୋଇପାରେ ?

 

ପାଠକେ ବୋଧହୁଏ ଚିହ୍ନି ଅଛନ୍ତି ଯେ ଆମ୍ଭେମାନେ ପୂର୍ବେ ବୁଢ଼ାଲିଙ୍ଗଙ୍କ ନିକଟରେ ଯେଉଁ ଆଗନ୍ତୁକର କଥା ପକାଇଥିଲୁଁ ଏ ସେହି । ଦୈବ-ବିପାକରେ ପଡ଼ି ବିଚାରା କଷ୍ଟ ଉପରେ କଷ୍ଟ ଭୋଗକରି ଅବଶେଷରେ ସୁବାଦାରଙ୍କ ଆଦେଶମତେ ସେହି ଜମାଦାର ଓ ଦୁଇଜଣ ପାଇକ ପ୍ରହାରରେ ସ୍ଥାନୀୟ ତଦନ୍ତ ନିମିତ୍ତ ନବଗ୍ରାମକୁ ପ୍ରେରିତ ହେଲା । ଅର୍ଦ୍ଧଦେହାବଶେଷ ରାଧାଗୋବିନ୍ଦ ସନ୍ତପ୍ତମନରେ ଡୁମନ ସର୍ଦ୍ଦାରଙ୍କ ନାମର ଆଦେଶପତ୍ର ଘେନି ସଙ୍ଗେ ସଙ୍ଗେ ଗମନ କଲେ ।

Image

 

ଏକବିଂଶ ପରିଚ୍ଛେଦ

ନାଟସ୍ଥାନ

 

ତେଣେ ପୂର୍ଣ୍ଣିମାର ରାତ୍ରି ପାହିବା ସଙ୍ଗେ ସଙ୍ଗେ ନବଗ୍ରାମରେ ଲୋକମାନେ ଜାଗରିତ ହୋଇ ଆପଣା ଆପଣା ଘରୁ ବାହାରିଲେ । ଭୂୟାଁମାନେ ଚୌଧୁରୀ ଓ ଦାସଙ୍କ ଘରେ ଡକାୟତି କରିବା ସମୟରେ ଏମାନେ ଭୟରେ ଚିତ୍ରପୁତ୍ତଳିକା ପ୍ରାୟ ହୋଇ ରହିଥିଲେ । ଦୁଇ ଚାରି ଥର କାନ୍ଥଭଙ୍ଗାଦି ଶବ୍ଦରେ ଦୋହଲିଗଲା ପରେ ପରିଶେଷରେ ତୁମୂଳ ଜୟନିନାଦରେ ବିଶେଷରେ ଦୋହଲି ଯାଇଥିଲେ ଏବଂ ଶରୀରର ରକ୍ତ ଅର୍ଦ୍ଧେକ ପାଣି ହୋଇ ଯାଇଥିଲା । ଡକାୟତମାନେ ଜୟନିନାଦ କଲା ଉତ୍ତାରୁ ବାହୁଡ଼ିଗଲେ ସତ୍ୟ ମାତ୍ର ପଦାକୁ ବାହରି ଆସିବାକୁ କାହାରି ସାହାସ ହେଲା ନାହିଁ । ଯେ ଯାହା ଘରେ ନିସ୍ତବ୍ଧଭାବରେ ଶୟନ କଲେ । ଡକାୟତମାନେ ବାହୁଡ଼ି ଗଲାପରେ ଆଉ ଫେରି ଆସିବାର ସମ୍ଭାବନା ନାହିଁ ତଥାଚ ଭୟ ଏପରି ଯେ ଘରର ଦ୍ୱାରଦେଶରେ ଯେପରି ବାଘ ଛକି ଅଛି ବାହାରିଲେ ଖାଇଯିବ ! ଦ୍ୱାର ଫିଟାଇ ଦାଣ୍ଡକୁ ଆସିବା କଥା ଅବା କି ବୋଲିବୁଁ, ଆପଣା ଅଗଣା ମଧ୍ୟକୁ ଆସି ଦ୍ୱାର ଖୋଲିବାକୁ କେହି ସାହାସ ବାନ୍ଧି ପାରି ନ ଥିଲେ ! ସେମାନେ ତ ଘର ମଧ୍ୟରେ ଥାଇ ବିରାଡ଼ି ଅବା ମୂଷାର ଗତିଶବ୍ଦରେ ଚମକି ପଡ଼ୁଥିଲେ–ବାହାରକୁ ଆସିବାର ଶକ୍ତି କାହୁଁ ଭିଡ଼ିବେ ! କେହି ଭୟ–କ୍ଳାନ୍ତ ଶରୀରରେ ନିଦ୍ରାଭିଭୂତ ହୋଇ ଶୟନ କଲେ, କେହି ଅବା ଅତିଭୟ ହେତୁ ନିଦ୍ରାଶୂନ୍ୟ ହୋଇ ପାପରାତ୍ରି ପାହିବାର ପ୍ରତୀକ୍ଷା କରି ରହିଲେ । କ୍ରମେ ପାପପୂର୍ଣ୍ଣିମାର ରାତ୍ରି ପାହି ଆସିଲା । ପ୍ରଭାତର ପ୍ରଧାନ ଅନୁଚର କାକମାନେ ଦ୍ୱାରେ ଦ୍ୱାରେ ଆସି ଡାକଦେଇ ରାତ୍ରି ପାହିବାର ଜଣାଇ ଦେଲେ । ସଙ୍ଗେ ସଙ୍ଗେ ନବଗ୍ରାମବାସୀମାନେ ଶଯ୍ୟା ତ୍ୟାଗ କରି ବାହାରକୁ ବାହାରି ପଡ଼ିଲେ । ସେତେବେଳେ ଶୀତଳ ସମୀରଣ ଧୀରେ ଧୀରେ ପ୍ରବାହିତ ହୋଇ ସମସ୍ତ ଉପଦ୍ରବ ଶାନ୍ତ ହୋଇଥିବା ଜଣାଇ ଦେଉଥିଲେହେଁ କୁଜ୍‌ଝଟିକାରାଶି ପ୍ରଭାତର ଆଲୋକରେ ବାଧା ଦେଇ ଗ୍ରାମରେ ଦୁର୍ଘଟନା ଘଟିଥିବା ପ୍ରକାଶ କରୁଥିଲା । ସେ ଯାହା ହେଉ ଲୋକେ ରାତି ପାହିବାରୁ ବାହାରକୁ ଆସି ନିଶ୍ୱାସ ମାଇଲେ ଏବଂ ରାତ୍ରି ପାହିବାରୁ ଈଶ୍ୱରଙ୍କୁ ଶତ ଶତ ଧନ୍ୟବାଦ ଦେଇ ଗୋଟିଏ ଗୋଟିଏ ହୋଇ ଚୌଧୁରୀ ଓ ଦାସଙ୍କ ଭଗ୍ନାବଶେଷ ଭିଟାରେ ଉପନୀତ ହେଲେ ।

 

ଦେଖୁଁ ଦେଖୁଁ ଚୌଧୁରୀ ଓ ଦାସଙ୍କ ଘରର ଭିଟାରେ ପ୍ରଗାଢ଼ ଜନତା ହେଲା । ଡକାଏତମାନେ ପାଚେରୀ ଘର ଭାଙ୍ଗି ସର୍ବସ୍ୱ ବୋହି ନେଇ ଯାଇ ଅଛନ୍ତି । କୁଟା କେରିଏ ସୁଦ୍ଧା ରଖିଯାଇ ନାହାନ୍ତି । ଥିବା ମଧ୍ୟରେ ଦାସଙ୍କ ଦ୍ୱାରଦେଶରେ ତାଙ୍କ ଓ ତାଙ୍କ ଭାର୍ଯ୍ୟାର ମୃତ ଶରୀର ! ତାହା ଦେଖି ଲୋକେ ଚମକି ପଡ଼ିଲେ ଏବଂ ପରକ୍ଷଣରେ କହିଲେ ‘‘ବେଶହୋଇ’ଛି ।’’ ଲୋକେ ତ ସେମାନଙ୍କୁ ପ୍ରଥମଦୃଷ୍ଟିରେ ଜୀବିତ ବୋଲି ମନେ କରିଥିଲେ, ମାତ୍ର ସେମାନଙ୍କ ଜିହ୍ୱା ବାହାରି ପଡ଼ିଥିବାରୁ ସେ ଆଶଙ୍କା ସହଜରେ ଅପନୋଦିତ ହୋଇଗଲା ।

 

ଭଗ୍ନାବଶେଷ ଭିଟାଦ୍ୱୟରେ ଲୋକମାନେ ବୁଲି ବୁଲି କେତେ ପ୍ରକାର ଉକ୍ତିମାନ କରିଥିଲେ ତାହା ଅବା କି ବୋଲିବୁଁ । କେହି ବୋଇଲା ‘‘କେତେ ଧାନ ଏଟା ରଖିଥିଲା, କେତେ ଧନ ରଖିଥିଲା କିଛି ଭୋଗ କରି ପାରିଲା ନାହିଁ ।’’ କେହି ବୋଇଲା ‘‘ସେଟା ଭାରୀ ପାଷଣ୍ଡ ।’’ ଅନ୍ୟ କେହି କହିଲା ‘‘ଏଡ଼େ କୃପଣ ଜଗତରେ କାହିଁ ଦେଖା ନାହିଁ ।’’ ଅପର କେହି କହିଲା ‘‘ୟାରି ଧନ ଲୁଟିବା ପାଇଁ ରୋଷନୀ ହୋଇଥିଲା କି ?’’ ଥୋକାଏ କହିଲେ ‘‘ନାଏବଟା କୁଆଡ଼େ ପଳେଇଲା ?’’ ଆଉ କେହି କହିଲା ‘‘ଆରେ ସେ ନାଏବ ନୁହେ ମ, ଡକାୟତଙ୍କ ସରଦାର ।’’ ଆଉ କେହି କହିଲା ‘‘ଆରେ ସେ ନାଏବଟାକୁ ତ ଡକାୟତମାନେ ମାରି ପକାଇଲେ ।’’ ଅନ୍ୟ କେହି ତାହାକୁ ବାଧା ଦିଅନ୍ତେ କହିଲା ‘‘ମୁଁ ପରା ଆଖିରେ ଦେଖିଛି ।’’ ଆଉ ଜଣେ କହିଲା ‘‘ଏଟା ଭାରୀ ଗାଲୁଆ– ନାଏବଟାକୁ ମାରି ପକାଇ ଥିଲେ କିଛି ଶବଦ ଜଣା ଯାଇ ନ ଥାନ୍ତା ?’’ ଅପର କେହି କହିଲା ‘‘ଆରେ ଚୌଧୁରୀର ବହୂ ଆଉ ଦାସର ଝିଅ କୁଆଡ଼େ ଗଲେ ?’’ ଜଣେ ଉତ୍ତର କଲା ‘‘ତାଙ୍କୁ ମାରି ପକାଇଚି–ମୁଁ ପରା ତାଙ୍କର ଚିତ୍କାର ଶୁଣିଚି !!’’ ଆଉଜଣେ କହିଲା ‘‘ନାହିଁ ମ ମାରିପକାଇଥିଲେ ତ ଦାସ ଏମାନଙ୍କପରି ପୋତି ଦେଇ ଥାନ୍ତେ ।’’ ଆଉ ଜଣେ କହିଲା ‘‘ଆରେ ସେ ଶୋଇଥିବେ କାନ୍ଥଭଙ୍ଗାରେ ପୋତି ହୋଇ ପଡ଼ିଚନ୍ତି ।’’ ଆଉ ଜଣେ କହିଲା ‘‘ମୁଁ ତ ଦେଖିଛି ସେ ରୋଷନୀ ବେଳେ ଦୁଆରେ ଠିଆ ହୋଇଥିଲେ’’ । ଅପର କେହି କହିଲା ‘‘ଆରେ ତାଙ୍କୁ ଡକାୟତମାନେ ଘେନି ନ ଯାଇ ଛାଡ଼ି ଯାଇଥିବେ ?’’ ଜଣେ ସହୃଦୟ ବ୍ୟକ୍ତି କହିଲା ‘‘ଆହା ! ସେମାନେ କେଡ଼େ ଗୁଣବତୀ ହୋଇଥିଲେ–ତାଙ୍କୁ ଡକାୟତମାନେ କି ଅବସ୍ଥା କରୁ ନ ଥିବେ ? ବିଧାତା ତାଙ୍କ କପାଳରେ ପୁଣି ଏପରି ଲେଖିଥିଲେ ।’’ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ ଏହାଙ୍କ ସହିତ ସହାନୁଭୂତି ପ୍ରକାଶ କରି ଦୁଃଖ କଲେ । ଏହିପରି ଉକ୍ତ ଭିଟାଦ୍ୱୟରେ ଲୋକମାନେ ଭିନ୍ନ ଭିନ୍ନ ଦଳରେ ବିଭକ୍ତ ହୋଇ ନାନାପ୍ରକାର ତର୍କ, ବିତର୍କ, ଅନୁମାନ ଓ ଆଶଙ୍କା କରି ପ୍ରକୃତରେ ହାଟ ବସାଇ ଦେଇଥିଲେ ।

 

କ୍ରମେ ଅପର ଗ୍ରାମମାନଙ୍କରୁ ମଧ୍ୟ ଲୋକମାନେ ଆସି ଜମା ହେଲେ । ଏ ଦୁର୍ଭିକ୍ଷବେଳେ ଚୌଧୁରୀ ଓ ଦାସଙ୍କ ଘରେ ଯେତେ ଧାନ ଥିଲା ସାତଖଣ୍ଡି ଗ୍ରାମ ଚାରିମାସ କାଳ ଖାଇ ନିଶ୍ଚିନ୍ତ ରହିଥାନ୍ତେ, ଏହି ବିଷୟର ସମଧିକ ଚର୍ଚ୍ଚା ହୋଇଥିଲା; ମାତ୍ର ଦାସ ବା ଚୌଧୁରୀ କେହି ତ ପ୍ରାଣପର୍ଯ୍ୟନ୍ତ ଗୋଟାଏ ଧାନ କାଢ଼ନ୍ତେ ନାହିଁ–ଡକାୟତମାନେ ନେଇ ଯାଇ ଭଲ କରି ଅଛନ୍ତି, ଏପରି ମଧ୍ୟ କଥାବାର୍ତ୍ତା ପଡ଼ିଲା । ଫଳତଃ ଚୌଧୁରୀ ବା ଦାସଙ୍କ ଘରେ ଡକାୟତି ହେବାରେ କେହି କ୍ଷୂବ୍ଧ ବା ଅସନ୍ତୁଷ୍ଟ ହେଲେ ନାହିଁ–ତାଙ୍କର ଦୁଃଖ କେବଳ କଳାବତୀ ଓ ରସକଳା ନିମିତ୍ତ ।

 

ଲୋକେ ଏହିପରି ନାନାପ୍ରକାର ଅନୁମାନ, ଆଶଙ୍କା ଓ ବାଦାନୁବାଦ କରି ଭିଟା ଜମାଇ ଦେଇ ଅଛନ୍ତି, ଏମନ୍ତ ସମୟରେ ଡୁମନ ସର୍ଦ୍ଦାରଙ୍କ ଆଦେଶ କ୍ରମେ ଦଶଜଣ ସନ୍ତ୍ରୀ ଆସି ସେଠାରେ ଉପସ୍ଥିତ ହେଲେ । ସେମାନେ ଉକ୍ତ ସ୍ଥାନରେ ପହୁଞ୍ଚିବା ମାତ୍ରକେ ଲୋକମାନଙ୍କୁ ବାନ୍ଧିବାରେ ଭୟ ଦେଖାଇବାରୁ ସମସ୍ତେ ଛାଟିପିଟି ହୋଇ ସେଠାରୁ ପଳାୟନ କଲେ । ଭିଟାଦ୍ୱୟ ଖାଲି ହୋଇଗଲା ଏବଂ ବାଣ୍ଟିହୋଇ ସନ୍ତ୍ରିମାନେ ତହିଁର ଚତୁର୍ଦ୍ଦିକ ରକ୍ଷାକଲେ ।

Image

 

ଦ୍ୱାବିଂଶ ପରିଚ୍ଛେଦ

ସନ୍ୟାସୀଦ୍ୱୟ

 

ସନ୍ତ୍ରିମାନଙ୍କ କର୍ତ୍ତୃକ ବିତାଡ଼ିତ ହେଲାରୁ ଲୋକମାନେ ଗ୍ରାମ ମଧ୍ୟରେ ନାନାସ୍ଥାନରେ ଦଳବଦ୍ଧ ହୋଇ ସେହି ଡକାୟତିର ଚର୍ଚ୍ଚାରେ ରତ ହେଲେ । କେତେ ପ୍ରକାର କଥା ଯେ ସେମାନଙ୍କ ମଧ୍ୟରେ ଉଠିଲା ତାହାର ଇୟତ୍ତା ନାହିଁ । ଯାହା ଦେଖିଲେ ସେ କଥା ଛାଡ଼ି କେତେ ଆନୁମାନିକ ଏବଂ କେତେ ମିଥ୍ୟା ଓ କାଳ୍ପନିକ କଥା ପଡ଼ିଗଲା । ଏପରି ମଧ୍ୟ ଲୋକେ ଅଛନ୍ତି ଯେଉଁମାନେ ଅବାଧ୍ୟରେ ମିଥ୍ୟାକଥାକୁ ସତ୍ୟ ବୋଲି କହିଯାନ୍ତି ଏବଂ ତହିଁରେ ସେମାନଙ୍କର ପ୍ରଭୂତ ଆନନ୍ଦ ହୁଏ, ପୁଣି ସେ କଥା ହୃଦୟଙ୍ଗମ କରାଇବା ନିମିତ୍ତ ଆପଣା ଦେହ ଏବଂ ଚକ୍ଷୁର ରାଣ ପକାଇବାକୁ ଛାଡ଼ନ୍ତି ନାହିଁ । ଏହିପରି ଲୋକମାନଙ୍କ ଦ୍ୱାରା ଘଟନାଟି ବିବିଧବର୍ଣ୍ଣରେ ରଞ୍ଜିତ ହେଲା ଏବଂ ତାହା କେତେ ଆଡ଼େ କେତେପ୍ରକାରେ ଯେ ବାହାରିଗଲା ବୋଲିବା ଅସାଧ୍ୟ ।

ନବଗ୍ରାମ ଓ ତିନ୍ନିକଟବର୍ତ୍ତୀ ଗ୍ରାମବାସୀମାନେ ଚୌଧୁରୀ ଓ ଦାସଙ୍କ ଘରର ଧନଦ୍ରବ୍ୟାଦି ଲୁଟି ହେବାରେ ତିଳମାତ୍ର କ୍ଷୂବ୍ଧ ବା ଅସନ୍ତୁଷ୍ଟ ହୋଇ ନ ଥିଲେ । ତଥାପି ଅନେକକାଳ ହେଲା ଭୂୟାଁମାନଙ୍କ ଆଗମନ ବନ୍ଦଥିବା ସ୍ଥଳେ ପୁଣି ଯେତେବେଳେ ସେମାନେ ଏ ଅଞ୍ଚଳକୁ ଆସିଲେଣି, ସେତେବେଳେ ଆଜି ଚୌଧୁରୀ ବା ଦାସଙ୍କ ଘରେ ଡକାୟତି ହେଲା କାଲି ସେମାନଙ୍କ ଘରେ ହୋଇପାରେ, ଏହିରୂପ ଆଶଙ୍କା ଜାତ ହୋଇ ସେମାନଙ୍କର ମନକୁ ଆଲୋଡ଼ିତ କଲା । ଏହିପରି ଆଶଙ୍କାରେ ତ୍ରସ୍ତ ହୋଇ କି ଉପାୟ ଅବଲମ୍ବନ କଲେ ଭୂୟାଁଙ୍କ ହାତରୁ ରକ୍ଷା ପାଇବେ ତହିଁର ପରାମର୍ଶ ପଡ଼ିଗଲା । କେହି କେହି କହିଲେ ସମସ୍ତ ଗ୍ରାମବାସୀମାନେ ରାତ୍ରି ଉଜାଗର ହୋଇ ଠେଙ୍ଗା ବାଡ଼ି ବର୍ଚ୍ଛାଦି ଘେନି ବସିବେ, ଯେ ଭୂୟାଁମାନେ ଆସିଲେ ମେଳ ହୋଇ ତାଙ୍କ ସହିତରେ ଯୁଦ୍ଧ କରି ତାଙ୍କୁ ତଡ଼ି ଦେବେ । ମାତ୍ର ଭୂୟାଁଙ୍କ ସଙ୍ଗେ ସମକକ୍ଷ ହେବାତ ସହଜ କଥା ନୁହେଁ, ତହିଁରେ ପୁଣି ଯୁଦ୍ଧ ହେଲେ ଅବଶ୍ୟ ଲୋକ ବିନଷ୍ଟ ହେବ । ସୁତରାଂ ସେ ପରାମର୍ଶ ତ୍ୟକ୍ତ ହେଲା ଅପର କେହି ପ୍ରସ୍ତାବ କଲେ ଯେ ଶୀଘ୍ର ସୁବାଦାରଙ୍କ ନିକଟରେ ଆବେଦନ କରି ଉପଯୁକ୍ତ ପ୍ରହରୀର ବନ୍ଦୋବସ୍ତ କରି ନେବେ ମାତ୍ର ସୁବାଦାର ଅକର୍ମ୍ମଣ୍ୟ ଓ ନୃଶଂସ ଏବଂ ପ୍ରହରୀର ବନ୍ଦୋବସ୍ତ ହେଲେ ସୁଦ୍ଧା ସୁଚତୁର ବଳଶାଳୀ ଭୂୟାଙ୍କଠାରୁ ନିସ୍ତାର ପାଇବା ଅସମ୍ଭବ । ଏହିପରି ବାଦାନୁବାଦ ହେଉଁ ହେଉଁ କେହି ଜଣେ ବ୍ୟାଘ୍ରାରୋହୀ ହନୁମାନ ଦାସଙ୍କ ‘ଆଜ୍ଞାପ୍ରମାଣ’ କରାଇବାର ପ୍ରସ୍ତାବ କଲେ । ଏକଥା ମନକୁ ଆସିଲା ଏବଂ ପ୍ରତ୍ୟେକ ଦଳରେ ଚାହୁଁ ଚାହୁଁ ଏକଥା ରାଷ୍ଟ୍ର ହୋଇଗଲା । ପରିଶେଷରେ ପ୍ରାତଃକୃତ୍ୟାଦି ସମାପନ କରି ଜଟିଆକୁଦକୁ ଯାଇ ହନୁମାନ ଦାସଙ୍କ ଆଶ୍ରୟ ଘେନିବାର ସ୍ଥିର ହେଲା ।

ଏଣେ ହନୁମାନ ଦାସ ଓ ଗିରିଧାରୀ ଦାସ ଅତି ପ୍ରତ୍ୟୁଷରୁ ଉଠି ମୁଖ ପ୍ରକ୍ଷାଳନ ଓ ପ୍ରାତଃକୃତ୍ୟାଦି ସମାପନ ପୂର୍ବକ ଜଗଦୀଶ୍ୱରଙ୍କ ସୃଷ୍ଟି କୌଶଳର ଭୂୟସୀ ପ୍ରଶଂସା କରି ତାଙ୍କର ନାମ ଜପିବାର ନିରତ ହେଲେ । ସ୍ଥିରାସନରେ ବସି ଇନ୍ଦିୟ ସଂଯମନ ପୂର୍ବକ ଏକାଗ୍ରଚିତ୍ତରେ ଈଶ୍ୱରଧ୍ୟାନ କରିବା କାଳରେ ଏମାନଙ୍କୁ ଦେଖିବାକୁ ବଡ଼ ସୁନ୍ଦର ହୋଇଥିଲା । ନେତ୍ର ଅର୍ଦ୍ଧନିମୀଳିତ–ସତେ ଯେପରି ସେମାନେ ଈଶ୍ୱରଙ୍କୁ ଦେଖୁଥିଲେ ! ସତେ ଯେପରି ଈଶ୍ୱରଙ୍କ ସହିତ ମନୋମଧ୍ୟରେ ସେମାନଙ୍କର କଥୋପକଥନ ହେଉଥିଲା ! ନୋହିଲେ ମୁଖମଣ୍ଡଳ ଏପରି ପ୍ରସନ୍ନ ଓ ଜ୍ୟୋତିର୍ମ୍ମୟ ହେଲା କିପରି ?

ହାୟ ! ଏହା ବୁଝିବା ଆମ୍ଭମାନଙ୍କର ସାଧ୍ୟାତୀତ ! ଆମ୍ଭେମାନେ ଯୋଗୀସନ୍ୟାସୀଙ୍କି ଦେଖି ଉପହାସ କରିବାକୁ ଶିଖିଅଛୁଁ । ପାଶ୍ଚାତ୍ୟ ସଭ୍ୟତାର ଆଲୋକ ପାଇ ସେମାନଙ୍କୁ ଚୌର, ପାରଦାରିକ ଅଥବା ‘‘ଫେରାରୀ ଆସାମୀ’’ କହିବାକୁ ଶିଖିଅଛୁଁ ! ମାତ୍ର ମହାତ୍ମାମାନଙ୍କର ଦୁର୍ବୋଧ୍ୟ ଧ୍ୟାନମହିମାର ସ୍ତର ଭେଦ କରି ବୁଝିବାକୁ କେବେ କି ଚେଷ୍ଟା କରୁଁ ? ଯାହା ସହଜରେ ଆୟତ୍ତ ହେବାର ନୁହେ ତାହା ବୁଝିବାକୁ ଚେଷ୍ଟା କରିବାରେ ଆମ୍ଭମାନଙ୍କର ଶକ୍ତି ବା ଶିକ୍ଷା ନାହିଁ । ସୁତରାଂ ଦ୍ରାକ୍ଷାଫଳକୁ ଅମ୍ଳ ବୋଲି ଶୃଗାଳ ତ୍ୟାଗ କଲା ପ୍ରାୟ ଆମ୍ଭେମାନେ ସେମାନଙ୍କୁ ଅପରାଧୀ ବୋଲି ତ୍ୟାଗ କରୁଁ । କିନ୍ତୁ ବୁଝିଲେ ସେମାନେ ଆମ୍ଭମାନଙ୍କ ପ୍ରାୟ ଶତ ଶତ ଅପରାଧିଙ୍କି ମୁକ୍ତ କରାଇ ପାରନ୍ତି ।

ପୂର୍ଣ୍ଣ ଦୁଇଘଣ୍ଟାକାଳ ସନ୍ୟାସୀଦ୍ୱୟ ଧ୍ୟାନନିମଗ୍ନ ଥାଇ ସ୍ୱଦେହରେ ସାଯୁଜ୍ୟ ମୁକ୍ତିଲାଭ କଲା ପ୍ରାୟ ପରମାନନ୍ଦ ପ୍ରାପ୍ତ ହୋଇ ପ୍ରସନ୍ନବଦନରେ ଆସନରୁ ଉଠିଲେ ଏବଂ ଧର୍ମ ଜ୍ଞାନଲୋକରେ ମନୋଽନ୍ଧକାର ଦୂରହେଲା ପ୍ରାୟ ପ୍ରାତଃକାଳୀନ କୁଜଝ୍‌ଟିକା ଜାଲ ସୂର୍ଯ୍ୟ–ତେଜରେ ପଳାୟନ କରିବାର ଶୋଭା ପରସ୍ପରକୁ ଦେଖାଉଁ ଦେଖାଉଁ ପୁଣି ଈଶ୍ୱରଙ୍କ ମହିମା କୀର୍ତ୍ତନରେ ନିମଗ୍ନ ହେଲେ । ପାଠକେ ! ଆମ୍ଭେମାନେ ଏହାକୁ ପାଗଲର କାର୍ଯ୍ୟ ବୋଲି ବୋଲୁଁ, ମାତ୍ର କେବଳ ସଂସାର–ବିଷୟରେ ନିରତ ଥାଇ ପାଗଲ ପ୍ରାୟ ବୁଲିଲାଠାରୁ ଏପରି ପାଗଲ ହେବା କି ଲକ୍ଷଗୁଣେ ବାଞ୍ଛନୀୟ ନୁହଇ ? ଈଶ୍ୱରଜ୍ଞାନଶୁନ୍ୟ କାର୍ଯ୍ୟକୁ ବାତୁଳତା ବୋଲାଯାଏ, ମାତ୍ର ଈଶ୍ୱରଜ୍ଞାନସମ୍ପନ୍ନ କାର୍ଯ୍ୟ ପ୍ରକୃତ ଜ୍ଞାନିର କାର୍ଯ୍ୟ ।

କ୍ରମେ କୁଜ୍‌ଝଟିକାଜାଲ ଅନ୍ତର ହୋଇଗଲା ଏବଂ ସୂର୍ଯ୍ୟକିରଣ ଜଳ, ସ୍ଥଳ, ବୃକ୍ଷପତ୍ରାଦିରେ ପତିତ ହେବା ସଙ୍ଗେ ସଙ୍ଗେ ନବଗ୍ରାମତୀରରୁ ଗ୍ରାମବାସୀଙ୍କି ଘେନି ନୌକାମାନ ଜଟିଆକୁଦ ଆଡ଼କୁ ବାହି ଆସିବାର ଦେଖାଗଲା ।

ନୌକାମାନ କୁଦର ତୀରରେ ଲାଗିଲା । ଲୋକେ ତହିଁରୁ ଅବତରଣ କରି ଏକେ ଏକେ ଉପରକୁ ଉଠିଲେ ଏବଂ ଏକାବେଳକେ ସନ୍ୟାସୀଦ୍ୱୟଙ୍କ ନିକଟକୁ ଯାଇ ଲମ୍ବ ଲମ୍ବ ହୋଇ ପ୍ରଣିପାତ ହେଲେ । ସନ୍ୟାସୀଦ୍ୱୟ ଶ୍ରଦ୍ଧାସହିତରେ ସେମାନଙ୍କୁ ଆଶୀର୍ବାଦ କରି ବସିବାକୁ ଆଦେଶ କରନ୍ତେ ସମସ୍ତେ ସନ୍ୟାସୀଙ୍କ ସମ୍ମୁଖରେ କିଞ୍ଚିତ୍‌ ଅର୍ଦ୍ଧଗୋଲାକାର ସ୍ଥାନ ଛାଡ଼ିଦେଇ ଧାଡ଼ି ଧାଡ଼ି ହେଇ ବସିଗଲେ ଏବଂ ଏକ ବ୍ୟାଘ୍ରାରୋହୀ ସନ୍ୟାସୀର ଶରଣ ନେବାକୁ ଆସି ସେପରି ଦୁଇଜଣ ସନ୍ୟାସୀଙ୍କ ସମ୍ମୁଖରେ ପହୁଞ୍ଚିଥିବାରୁ ଆପଣାର ଭାଗ୍ୟ ପ୍ରବଳ ଜ୍ଞାନକରି ପରମାନନ୍ଦ ପ୍ରାପ୍ତ ହୋଇଥିଲେ ।

ଲୋକମାନେ ବସିଗଲା ଉତ୍ତାରୁ ହନୁମାନ ଦାସ ପଚାରିଲେ ‘‘ତୁମ୍ଭମାନଙ୍କର ମଙ୍ଗଳ ତ-? ଏତେଲୋକ ଏକାଠି ଦଳ ବାନ୍ଧି କେଉଁଆଡ଼େ ଆସିଲ ?’’

ସେ ଲୋକମାନଙ୍କ ମଧ୍ୟରେ ସନାତନ ମହାନ୍ତି ନାମକ ଜଣେ ବ୍ୟକ୍ତି ଥିଲା । ଏ ଲୋକଟା ଭାରୀ କୁହାଳିଆ ଏବଂ ଏହି ଗୁଣରୁ ନବଗ୍ରାମବାସୀମାନଙ୍କ ମଧ୍ୟରେ ଏକପ୍ରକାର ସର୍ଦ୍ଦାର ହୋଇଥିଲା, ଏମନ୍ତ କି ଗ୍ରାମର ଭଲ ମନ୍ଦ ସବୁ ବିଷୟରେ ସେ କୁହାବୋଲା ଓ ଜବାବଦେହି କରେ-। ଗ୍ରାମବାସୀମାନେ ଆସିବା ସମୟରେ ସେ ଆଗେ ଆସିଥିଲା ଏବଂ ସେମାନଙ୍କ ମଧ୍ୟରେ ଟିକିଏ ଆଗଭର ହୋଇ ସନ୍ୟାସୀଦ୍ୱୟଙ୍କ ସମ୍ମୁଖରେ ବସିଅଛି । ହନୁମାନ ଦାସ ଏ ପ୍ରଶ୍ନ କରିବାରୁ ସନାତନ କହିଲା ‘‘ମହାରାଜ ! ଆଉ ମଙ୍ଗଳ କଥା କି ପଚାରୁ’ଛନ୍ତି–ଆପଣଙ୍କୁ ଅବା କେଉଁ କଥା ଜଣା ନାହିଁ ? ଆମ୍ଭେମାନେ ସରିଲୁଣି । ଆପଣ ରଖିବେ ତ ରଖନ୍ତୁ ନୋହିଲେ ଏ ନଈରେ ପଡ଼ି ପ୍ରାଣ ହରାଇବୁଁ । ଏଥିପାଇଁ ସମସ୍ତେ ଏକତ୍ର ହୋଇ ଆସିଛୁଁ’’ ।

ହନୁମାନ ଦାସ ବ୍ୟକ୍ତ କଲେ ‘‘ତୁମ୍ଭମାନଙ୍କର ତ କିଛି ଅମଙ୍ଗଳ ଘଟିଥିବା ଆମ୍ଭଙ୍କୁ ଦିଶୁ ନାହିଁ–ତୁମ୍ଭେମାନେ କାହିଁକି ବୃଥାରେ ଅମଙ୍ଗଳ ଆଶଙ୍କା କରି’ଛ ?’’ ସନାତନ ଉତ୍ତର କଲା ‘‘ମହାରାଜ ତ ଏପରି କହୁ’ଛନ୍ତି । ଆମ୍ଭେମାନେ ନାଚାର–କାଲି ରାତି ଯେଉଁ କାଣ୍ଡ ହୋଇଗଲା ତାହା କି ମହାରାଜାଙ୍କୁ ଜଣା ନାହିଁ ?’’

ହନୁ । –ଜଣା ଅଛି । ସେ ତ ଚୌଧୁରୀ ଆଉ ଦାସ ଘରେ ଘଟି’ଛି, ତୁମ୍ଭମାନଙ୍କର ଧନଦ୍ରବ୍ୟ ତ ଲୁଟି ହୋଇ ନାହିଁ ।

ସନା । –ମହାରାଜା ! ଆମ୍ଭମାନଙ୍କର ଧନ ଦ୍ରବ୍ୟ କ’ଣ ଅଛି ଯେ ଲୁଟି ହେବ ? କାଳତ ସବୁ ସାଇଲାଣି–ଆଉ କିଛିକାଳ ଉତ୍ତାରୁ କାଳ ଆସି ଜୀବ ଘେନି ଗଲେ ନଟ ଛିଡ଼ିଯିବ ! ମହାରାଜଙ୍କୁ ଜଣା ନାହିଁ କେଉଁ କଥା ?

ହନୁ ! –ଆମ୍ଭେତ ସେହିକଥା କହୁଛୁଁ–ତୁମ୍ଭମାନଙ୍କର କିଛି କ୍ଷତି ହୋଇ ନାହିଁ, ତୁମ୍ଭେମାନେ କହିଁକି ବ୍ୟସ୍ତ ହୋଇ’ଛ ?

ସନା । –ମହାରାଜା ! ଆମ୍ଭ ଘରେ ସିନା ନିଆଁ ଲାଗି ନାହିଁ । ଯେତେବେଳେ ଘର କତିରେ ନିଆଁ ଲାଗି’ଛି ସେତେବେଳେ ବ୍ୟସ୍ତ ନ ହେଲେ ଚଳିବ କି ?

ହନୁ । –ନିଆଁ ତ ଲାଗି ଲିଭି ଯା’ଇଛି,–ଆଉ ବ୍ୟସ୍ତ କାହିଁକି ?

ସନା । –ନିଆଁ ଲିଭି ଯାଇ’ଛି, ସତ, ମାତ୍ର ଆଉ କି ନିଆଁ ଲାଗିବ ନାହିଁ ? ଯେ ପର୍ଯ୍ୟନ୍ତ ଅଗ୍ନିଭୟ ପହୁଞ୍ଚୁ ନ ଥିଲା ସେ ପର୍ଯ୍ୟନ୍ତ ଆମ୍ଭେମାନେ ନିଶ୍ଚିତ ଥିଲୁଁ ମାତ୍ର ମହାରାଜ ! ଯେତେବେଳେ ଅଗ୍ନିଭୟ ଉପସ୍ଥିତ ହେଲାଣି ସେତେବେଳେ ପାଣିମାଠିଆ ନେଇ ଜଗିବାକୁ ପଡ଼ୁ’ଛି-

ହନୁ । –ତେବେ ପାଣିମାଠିଆ ଘେନି ସମସ୍ତେ ଜଗି ରହ, ନିଆଁ ଲାଗିଲେ ଲିଭାଇବା ।

ସନା । –ସେ ନିଆଁ ଲିଭାଇବାକୁ ପାଣିମାଠିଆ କାହିଁ ?

ହନୁ । –କାହିଁ ଆମ୍ଭେ କିପରି ବୋଲିବୁଁ ? ଯାହାର ଆବଶ୍ୟକ ହେବ ଖୋଜି ନେବ ।

 

ସନା । –ଆମ୍ଭମାନଙ୍କର ଆବଶ୍ୟକ ହେବାରୁତ ଖୋଜି ନେବାକୁ ଆସିଲୁଁ ଏଠାକୁ ।

ହନୁମାନ ଦାସ ସନାତନ ମହାନ୍ତିର କଥାର ଭଙ୍ଗୀରୁ ତାହାର ମନୋଗତ ଭାବ ବୁଝିପାରି ବଡ଼ ଆନନ୍ଦିତ ହେଲେ ଏବଂ ଗିରିଧାରୀ ଦାସ ମଧ୍ୟ ତାହାକୁ ମନେ ମନେ ଭୂୟସୀ ପ୍ରଶଂସା କଲେ । ଲୋକଙ୍କ ମଧ୍ୟରୁ ଆଗେ କେହି କେହି ଉପରେ ପଡ଼ି କଥା କହିବାକୁ ଯାଇଥିଲେ ଏବଂ ନିକଟବର୍ତ୍ତୀଲୋକଙ୍କ ବାରଣରେ ତୁନି ହୋଇଥିଲେ । ବର୍ତ୍ତମାନ କଥା ଏ ଭଙ୍ଗୀରେ ଚାଲିବାରୁ କିପରି ତହିଁର ପରିଣାମ ହେବ ନିବିଷ୍ଟ ମନରେ ପ୍ରତୀକ୍ଷା କରି ରହିଲେ ଏବଂ ସନାତନକୁ ମନେ ମନେ ବହୁ ଧନ୍ୟବାଦ ପ୍ରଦାନ କଲେ ।

ହନୁମାନ ଦାସ ପ୍ରୀତିପ୍ରଫୁଲ୍ଲିତ ଚିତ୍ତରେ କହିଲେ ‘‘ସନାତନ ! ତୁମ୍ଭେ କି ବାୟା ହେଲ –ସନ୍ୟାସୀଘରେ ଢିଙ୍କି ଖୋଜିବାକୁ ଆସି’ଛ ? –ଯାଅ ତୁମ୍ଭ ସୁବାଦାରଙ୍କ ଛାମୁରେ ଗୁହାରି କର, ସେ ତୁମ୍ଭଙ୍କୁ ରକ୍ଷା କରିବେ ।’’

ସନାତନ ମହାନ୍ତି ଆଉ ସମ୍ଭାଳି ରହି ପାରିଲା ନାହିଁ । ଏକାବେଳକେ ଲମ୍ବଭାବେ ହନୁମାନ ଦାସଙ୍କ ଆଗରେ ନିପତିତ ହୋଇ କହିଲା ‘‘ମହାରାଜ ! ଆଉ ଛଳିଲେ ଚଳିବ ନାହିଁ । ସୁବାଦାରଙ୍କୁ କି ଆପଣ ଜାଣନ୍ତି ନାହିଁ ଯେ ଆମ୍ଭମାନଙ୍କୁ ସେଠାକୁ ତଡ଼ୁ’ଛନ୍ତି । ଆପଣ କହନ୍ତୁ ଆମ୍ଭେମାନେ ଭାସିଯିବା କି କୂଳରେ ରହିବା’’ ।

ଏ ଉକ୍ତିରେ ହନୁମାନ ଦାସଙ୍କର ମନ ବିଗଳିତ ହୋଇଗଲା । ସେ ହାତ ଧରି ସନାତନକୁ ଉଠାଇ ବସାଇ କହିଲେ ‘‘ସନାତନ, ଯେବେ ପ୍ରଭୁ ତୁମ୍ଭମାନଙ୍କୁ ରଖିବାର ବାଞ୍ଛା କରି ନ ଥିବେ ତେବେ କିଏ ରଖିପାରେ ? ତୁମ୍ଭେମାନେ ପ୍ରଭୁଙ୍କୁ ଡାକ ।’’

ସନାତନ କରଯୋଡ଼େ ବିନୀତଭାବେ କହିଲା ‘‘ମହାରାଜ ! ଯାହା କହିଲେ ସତ । ଦେଶରେତ ଦୁର୍ଭିକ୍ଷର ନିଆଁ ଲାଗିଛି ଯେ କାହାର କି ହେବ ଠିକଣା ନାହିଁ–ତହିଁ ଉପରେ ଭୂୟାଁଏ ଆସି ନିଆଁ ଲଗାଇଲେଣି । ପ୍ରଭୁଙ୍କୁ ଡାକିବା ଛଡ଼ା ଉପାୟ ନାହିଁ । ମାତ୍ର ମହାରାଜ ! ଆମ୍ଭେମାନେ ଡାକି ଜାଣିଥିଲେ ଏଠାକୁ କାହିଁକି ଆସିଥାନ୍ତୁ ?’’

ଏ ସରଳ ବାକ୍ୟରେ କିଏ ମୋହିତ ନ ହେବ ? ଗିରିଧାରୀ ଦାସ ‘‘ସାଧୁ ସାଧୁ’’ ବୋଲି ସନାତନର ପିଠିରେ ହାତ ବୁଲାଇଲେ ଏବଂ ହନୁମାନ ଦାସ ପ୍ରେମ ବିହ୍ୱଳିତ ମନରେ ସନାତନକୁ ଟାଣିନେଇ ଆଲିଙ୍ଗନ କରି କହିଲେ ‘‘ସନାତନ, ଆଜି ଏକଥା କହି ତୁମ୍ଭେ ଭାରୀ ସରଳତାର ପରିଚୟ ଦେଇ’ଛ । ଆମ୍ଭେ କି ପ୍ରଭୁଙ୍କୁ ଡାକି ପାରିବୁ ?

ସନାତନ ଆହୁରି ବିନୀତଭାବରେ କରଯୋଡ଼ି କହିଲା ‘‘ମହାରାଜ ! ଆଜ୍ଞା ପ୍ରମାଣ ! ଆମ୍ଭେମାନେ ଜାଣୁଁ ମହାରାଜ ଡାକି ପାରିବେ, ଆଉ ମହାରାଜ ଡାକିଲେ ପ୍ରଭୁ ନିଶ୍ଚୟ ଶୁଣିବେ ।’’

 

ସନାତନର ମୁଖରୁ ଏ କଥା ବାହାରିବା ସଙ୍ଗେ ସଙ୍ଗେ ଲୋକମାନେ ସମସ୍ତେ ଗୋଳ କରି କହି ଉଠିଲେ ‘‘ଆଜ୍ଞାପ୍ରମାଣ ! ମହାରାଜ ନିଶ୍ଚେ ଡାକି ପାରିବେ–ଆଉ ଡାକିବାକୁ କେହି ନାହିଁ-।’’

ସନ୍ୟାସୀଦ୍ୱୟ ଲୋକମାନଙ୍କର ଭକ୍ତି ଆଉ ବିଶ୍ୱାସରେ ମୋହିତ ହୋଇଗଲେ । ଭକ୍ତି ଆଉ ବିଶ୍ୱାସ ଧର୍ମର ମୂଳ ନିଦାନ । ତାହା ଯେଉଁଠାରେ ଅଛି ସେଠାରେ ଲୋକ କେବେ ହଟିବ ନାହିଁ । ହନୁମାନ ଦାସ ମନେ ମନେ ଲୋକଙ୍କର ଭକ୍ତି ଆଉ ବିଶ୍ୱାସକୁ ଶତ ଶତ ଧନ୍ୟବାଦ ଦେଇ ପ୍ରେମୋନ୍ନତ୍ତଭାବେ ଦଣ୍ଡାୟମାନ ହୋଇ ହସ୍ତୋତ୍ତୋଳନ ପୂର୍ବକ ସେମାନଙ୍କୁ କହିଲେ ‘‘ତୁମ୍ଭେମାନେ ଯେଉଁ ପ୍ରଭୁର ଆଶ୍ରୟ ନେବା ନିମିତ୍ତ ଆମ୍ଭଠାକୁ ଆସି’ଛ, ସେ ପ୍ରଭୁ ବଡ଼ ଦୟାଳୁ । ଯେ ତାଙ୍କଠାରେ ଭକ୍ତି ଆଉ ବିଶ୍ୱାସ କରେ ତାହାର ସଂସାରରେ କୌଣସି ଭୟ ରହେ ନାହିଁ । ଯେଉଁମାନେ ତାଙ୍କୁ ଛାଡ଼ି ଚୌଧୁରୀ ବା ଦାସ ପ୍ରାୟ ଉନ୍ମତ୍ତ ହୁଅନ୍ତି ପ୍ରଭୁ ତାଙ୍କୁ ଏହିରୂପେ ଶାସନ କରି ପୃଥିବୀର ମଙ୍ଗଳବିଧାନ କରନ୍ତି । ତୁମ୍ଭେମାନେ ତାଙ୍କଠାରେ ଏକାନ୍ତଭକ୍ତି କର, ତାଙ୍କଠାରେ ବିଶ୍ୱାସ କର, ସେ ପ୍ରଭୁ ନିଶ୍ଚୟ ତୁମ୍ଭମାନଙ୍କୁ ରକ୍ଷା କରି ଭକ୍ତଭାବଗ୍ରାହିଣୀ-ବାନାର ମର୍ଯ୍ୟାଦା ରଖିବେ ।’’

କଥା ସାଙ୍ଗ ନୋହୁଣୁ ଲୋକେ ଉଚ୍ଚୈଃସ୍ୱରେ ‘‘ହରିବୋଲ’’ ପକାଇଲେ । ଶତ ଶତ ଲୋକଙ୍କର କଣ୍ଠରୁ ସମକାଳୀନ ସମୁଥିତ ‘‘ହରିବୋଲ’’ ଶବ୍ଦ ନଦୀବକ୍ଷକୁ କମ୍ପିତ କରି ଉଭୟପାରରୁ ପ୍ରତିଧ୍ୱନି ଯୋଗେ ପ୍ରକୃତିର ଈଶ୍ୱର-ନାମୋଚ୍ଚାରଣରେ ଆନନ୍ଦ ଜାତ, ହୋଇଥିବାର ବାର୍ତ୍ତା ପ୍ରେରଣ ପୂର୍ବକ ବହୁଦୂରକୁ ବାହାରିଗଲା । ସେ ପ୍ରତିଧ୍ୱନି ପହଞ୍ଚୁ ନ ପହଞ୍ଚୁ ହନୁମାନ ଦାସ ପୁଣି ଲୋକମାନଙ୍କୁ ‘‘ହରିବୋଲ’’ ପକାଇବାକୁ ଆଦେଶ କଲେ । ପୁନର୍ବାର ଦ୍ୱିଗୁଣ ଶବ୍ଦରେ ‘‘ହରିବୋଲ’’ ଶବ୍ଦ ଉଥିତ ହେଲା । ତହିଁର ପ୍ରତିଧ୍ୱନି ଜଟିଆକୁଦକୁ ଆଲୋଡ଼ିତ କରିବା ସମୟରେ ତୃତୀୟଥର ‘‘ହରିବୋଲ’’ ପକାଇବା କାରଣ ହନୁମାନ ଦାସ ଆଜ୍ଞା କଲେ ଏବଂ ସେ ଆଜ୍ଞା ପ୍ରମାଣିତ ହୋଇ ଶତକଣ୍ଠ–ବିନିଃସୃତ ଘୋର ‘‘ହରିବୋଲ’’ ଶବ୍ଦ ଦିକ୍‌ବିଦିକ୍‌ ପ୍ରକମ୍ପିତ କଲା ।

ଏଥି ଉତ୍ତାରୁ ଲୋକମାନେ ଆଶ୍ୱସ୍ତଚିତ୍ତ ହୋଇ ଚାଉଳ ପରିବାଦି ଯେ ଯାହା ଆଣିଥିଲେ ହନୁମାନ ଦାସଙ୍କଠାରେ ନିବେଦନ କଲେ ଏବଂ ହନୁମାନ ଦାସ ଗିରିଧାରୀ ଦାସଙ୍କ ସହିତ ପରାମର୍ଶ କରି ମହୋତ୍ସବର ଆଦେଶ ପ୍ରଦାନ କରନ୍ତେ ଲୋକମାନେ ସମୁତ୍ସାହିତଚିତ୍ତରେ ତତ୍‌କ୍ଷଣାତ୍‌ ଖନ୍ଦା ଖୋଳି ରନ୍ଧନର ଆୟୋଜନରେ ରତ ହେଲେ ।

Image

 

ତ୍ରୟୋବିଂଶ ପରିଚ୍ଛେଦ

ପାରାଦ୍ୱୀପ

 

ତାଳଦଣ୍ଡାର ଆହୁରି ପୂର୍ବକୁ ମହାନଦୀରୁ ବାହାରିଥିବା ଏକ ପୟଃପ୍ରଣାଳୀ କିଛିଦୂର ସମୁଦ୍ରାଭିମୁଖେ ଗଲା ପରେ କୁଜଙ୍ଗ ନାମକ କ୍ଷୂଦ୍ରନଦୀ ସହିତ ମିଳିତହୋଇ ବିସ୍ତୃତାକାରରେ ଭୟଙ୍କର ରୂପ ଧାରଣ ପୂର୍ବକ ବଙ୍ଗୋପସାଗରରେ ପତିତ ହୋଇଅଛି । ଲୋକେ ଏହାକୁ ପାଟକୁଣ୍ଡ ବୋଲନ୍ତି । ବିସ୍ତୃତ ଭୂମିଖଣ୍ଡକୁ ଜଳ ଯୋଗାଇବା ଉଦ୍ଦେଶ୍ୟରେ ବିଧାତା କୁଣ୍ଡରୂପେ ଏହାକୁ ବସାଇଥିବାରୁ ହେଉ ଅଥବା ଲୋକେ ଏହାର ଜଳ ବ୍ୟବହାର କରି ଧନ ଉପାର୍ଜ୍ଜନ ଦ୍ୱାରା ପାଟ ପିନ୍ଧୁଥିବାରୁ ହେଉ ଏଥିର ନାମ ପାଟକୁଣ୍ଡ ହୋଇଅଛି । ଉତ୍ତରକୁ ମହାନଦୀର ମୂଳଧାରା କଳନିନାଦରେ ବଙ୍ଗୋପସାଗରର ହସ୍ତ ଧାରଣ ପୂର୍ବକ ଚିରାଲିଙ୍ଗନରେ ସମୁଦ୍ରଭାବାବଲମ୍ବନ କରିଅଛି । ଏହି ପାଟକୁଣ୍ଡ ଓ ମହାନଦୀର ମଧ୍ୟଭାଗସ୍ଥ ଭୂଖଣ୍ଡ ଦ୍ୱୀପକାରରେ ଦୃଶ୍ୟ ହୁଏ । ଏହାର ନାମ ପାରାଦ୍ୱୀପ ଓ ତହିଁର ମଧ୍ୟଭାଗରେ କୁଜଙ୍ଗର ବିଶାଳ ପ୍ରତାପଶାଳୀ ଷଣ୍ଢ ରାଜାଙ୍କର ଦୁର୍ଦ୍ଦମନୀୟ ପାରାଦ୍ୱୀପ ଗଡ଼ ।

 

ପାଠକେ ! ଆପଣମାନଙ୍କ ମଧ୍ୟରେ ଯେ ପାରାଦ୍ୱୀପ ଗଡ଼ ଦେଖିଥିବେ ସେହି ଜାଣୁଥିବେ ତହିଁର ଶୋଭା ଏକ କାଳରେ କି ଥିଲା । କାଳର ନିୟତ ପରିବର୍ତ୍ତନଶୀଳ ଚକ୍ରରେ ପଡ଼ି ଷଣ୍ଢରାଜାଙ୍କର ପତନ ହେବା ସଙ୍ଗେ ସଙ୍ଗେ ସେ ସ୍ୱର୍ଗର ଛବି ପାରାଦ୍ୱୀପ ଗଡ଼ର ଶୋଭା ମଧ୍ୟ ଅନ୍ତର୍ହିତ ହୋଇଅଛି । ଯେଉଁ ପାରାଦ୍ୱୀପ ଏକ କାଳରେ ଅମିତତେଜର ସ୍ପର୍ଦ୍ଧାରେ ବହୁଦୂରବର୍ତ୍ତୀଭୂଖଣ୍ଡକୁ ପ୍ରକମ୍ପିତ କରୁଥିଲା, ଯେଉଁ ପାରାଦ୍ୱୀପ ଅପୂର୍ବଶୋଭାରେ ଭାସି ଦେବତାଙ୍କର ଅମରାବତୀକି ତୁଚ୍ଛ କରିଥିଲା, ଯାହାର ଗୌରବରେ ଔତ୍କଳୀୟ ଗଜପତି ରାଜାଙ୍କର ଗୌରବ ରକ୍ଷିତ ହୋଇଥିଲା ଏବଂ ଯାହାନାମରେ ଅତି ଦୁର୍ଜ୍ଜନ ଲୋକ ସୁଦ୍ଧା ବଶ୍ୟତା ସ୍ୱୀକାର କରୁଥିଲା ଆଜି ସେ ପାରାଦ୍ୱୀପ ଭଗ୍ନାବଶେଷରେ ପରିଣତ ହୋଇଅଛି । ଆଜି ସେହି ଷଣ୍ଢରାଜାଙ୍କ ବଂଶୀୟ ଲୋକମାନେ ନିଷ୍ପ୍ରଭ ହୋଇ ହୀନଲୋକଙ୍କ ପ୍ରାୟ ଏଣେ ତେଣେ ବୁଲୁଅଛନ୍ତି । ସେହି ଦୁର୍ଗର ପରିଖା ଓ ପୟଃପ୍ରଣାଳୀମାନ ଅଦ୍ୟାପି ରହିଅଛି ମାତ୍ର ଜଳ ବଦଳରେ ତହିଁରେ ଲୋତକଧାରା ପ୍ରବାହିତ ହେଉଅଛି । ସେହି ଅପୂର୍ବ ବନରାଜି ଅଦ୍ୟାପି ବିରାଜିତ ରହିଅଛି ମାତ୍ର ଫଳଦ୍ୱାରା ତୃପ୍ତିସାଧନ କରିବା ପରିବର୍ତ୍ତରେ କଷ୍ଟ ଭିଆଇ ଲୋତକଧାରା ବୁହାଉଅଛି । ସେହି ଲୋକେ ଅଦ୍ୟାପି ରହିଅଛନ୍ତି ମାତ୍ର ତେଜଃସ୍ପୁର୍ତ୍ତିସ୍ଥାନରେ ଆଳସ୍ୟ ଓ ନିସ୍ତେଜସ୍ୱିତା ଜାତ ହୋଇ ମୁଖମଣ୍ଡଳ ମଳିନ କରି ଅଶ୍ରୁଧାରାର କାରଣ ହୋଇଅଛି । –ହାୟ ! ଏ ପରିବର୍ତ୍ତନର କାରଣ କିସ-? ପରିବର୍ତ୍ତନ ତ ଜଗତରେ ଲାଗିଅଛି । ଯେତେବେଳେ ଏଥିର ବିଧାତା ଗଜପତିରାଜାକୁଳର ଅପୂର୍ବ ଗୌରବ ନଷ୍ଟ ହୋଇଅଛି ସେତେବେଳେ ଏହା ଅବା କି ଛାର ! ମାତ୍ର କାରଣ ବୁଝିବାକୁ ବସିଲେ ହୃଦୟ ବିଦୀର୍ଣ୍ଣ ହୁଏ । ଯେଉଁ ବିଳାସପ୍ରିୟତା ହେତୁ ଭାରତ ନିଷ୍ପ୍ରଭ ଓ ପରପଦାନତ ହୋଇ ସୁଦ୍ଧା ଅଦ୍ୟାପି ଉଠିପାରୁନାହିଁ ସେହିଁ ବିଳାସପ୍ରିୟତା ପାରାଦ୍ୱୀପର ଅପୂର୍ବ ଶୋଭା ଓ ତେଜକୁ ଘେନି ପାରାବାରରେ ନିକ୍ଷେପ କରିଅଛି । କି କୁକ୍ଷଣରେ ଜନାର୍ଦ୍ଦନ ଷଣ୍ଢ ଜନ୍ମଗ୍ରହଣ କରିଥିଲେ, କି କୁକ୍ଷଣରେ କୁଜଙ୍ଗର ସିଂହାସନ ତାଙ୍କ ଦ୍ୱାରା ଅଳଙ୍କୃତ ହୋଇଥିଲା । ପୂର୍ବ ପୂର୍ବ ରାଜାମାନେ ସେହି କିଲ୍ଲାର ଆୟରୁ କେତେ ବିଷୟବାସନା ଚରିତାର୍ଥ ପୂର୍ବକ କେତେ ଅବା ସଞ୍ଚୟ କରି ଯାଇ ନ ଥିଲେ । ଜନାର୍ଦ୍ଦନ ଷଣ୍ଢଙ୍କୁ ସେ ସବୁ କିଛି ଅଣ୍ଟିଲା ନାହିଁ । ଦେଖୁଁ ଦେଖୁଁ ୨ ଲକ୍ଷ ଟଙ୍କା ମହାଜନମାନଙ୍କଠାରୁ ଋଣ ହୋଇଗଲା । ରାହୁ ରୂପୀ ସୁଦ ମୁଖ ବିସ୍ତାର କରି ରାଜ୍ୟ ସହିତ ଜନାର୍ଦ୍ଦନ ଷଣ୍ଢଙ୍କୁ ଗ୍ରାସ କରିବାକୁ ବସିଲା । ଲକ୍ଷ ଲକ୍ଷ ପରିଶୋଧ କରି ମଧ୍ୟ ୨ ଲକ୍ଷ ବାକୀ ହେଲା-! ରାଜ୍ୟର ଟଙ୍କା ମହାଜନଙ୍କୁ ଅଣ୍ଟିଲା ନାହିଁ । ମହାଜନମାନେ ମହାଦମ୍ଭରେ ଅଦାଲତର ଆଶ୍ରୟ ନେଲେ ଏବଂ କୁଜଙ୍ଗପୃଥ୍ୱୀ ନିଲାମ ଲାଟରେ ଆସିଲା । ଜନାର୍ଦ୍ଦନ ଷଣ୍ଢ ଇତିମଧ୍ୟରେ ପରଲୋକଗମନ କଲେ । ତାଙ୍କର ପୁତ୍ର ବିଦ୍ୟାଧର ଷଣ୍ଢ ରାଜା ହେଲେ ସତ୍ୟ ମାତ୍ର ପରକ୍ଷଣରେ ବୁଝିପାରିଲେ ତାହା ନାମମାତ୍ର । ମହାଜନଙ୍କ ଦେଣରୂପ ଶୃଙ୍ଖଳ ଦ୍ୱାରା ରାଜଗୀ ନିତାନ୍ତ ବଦ୍ଧ ହୋଇ ଅଛି; ସେ ଶୃଙ୍ଖଳ ଉନ୍ନୋଚିତ ନ ହେଲେ ରାଜଗୀ ଚଳିବ ନାହିଁ । ମାତ୍ର ବିଦ୍ୟାଧର କି ସେ ଶୃଙ୍ଖଳା ଉନ୍ନୋଚିତ କରି ପାରିବେ ? ଭାଗ୍ୟ ଯାହାକୁ ପ୍ରସନ୍ନ ନାହିଁ, ଭାଗ୍ୟ ଯେତେବେଳେ କୁଜଙ୍ଗର ଦଶା ଶେଷ କରିଅଛି ସେତେବେଲେ ଆୟତ୍ତ କାହିଁ ? ଦୟାଶୀଳ ଇଂରାଜ ରାଜାଙ୍କର ଦୟାପୂର୍ଣ୍ଣ କର୍ମଚାରୀ ବିଚାରାସନରେ ବସି ଷଣ୍ଢବଂଶର ଅପୂର୍ବକୀର୍ତ୍ତି ନଷ୍ଟ ହେଉଥିବା ବ୍ୟଥିତ ହୃଦୟରେ ଦେଖି ଦୟାବହି କୁଜଙ୍ଗ ଜିଲ୍ଲା ଖାସ ତହସିଲରେ ଅଣାଇ ମହାଜନଙ୍କ ଦେଣ ପରିଶୋଧ କରିବାର ଭାବନା କରି ବିଦ୍ୟାଧରଙ୍କୁ ଡକାଇ ପଠାଇଲେ ! ବିଦ୍ୟାଧର ଉପସ୍ଥିତ ହେଲେ ତାଙ୍କର ସମ୍ମତି ଜାଣି ସେ ଏ ଉପାୟ ଅବଲମ୍ବନ କରିଥାନ୍ତେ । ମାତ୍ର କାହିଁ ? ବିଦ୍ୟାଧର ତ ମହାନଦୀ ଯାଏ ଆସି ଆଉ ଏଣିକି ପଦାର୍ପଣ କଲେ ନାହିଁ । ତାଙ୍କର କର୍ମ୍ମଚାରୀମାନେ କେତେ ଅବା ଲୁଟିକରି ଖାଇ ନଥିଲେ ! ତଥାପି ସେମାନେ ଏ ବିପଦ ସମୟରେ ସୁଦ୍ଧା କପଟାଚରଣ କରି ମହାନଦୀକୂଳରେ ବିଦ୍ୟାଧରଙ୍କୁ କହିଲେ ‘‘ଯାଅ ନାହିଁ–ଗଲେ ବନ୍ଧା ହେବ ।’’ ବିଦ୍ୟାଧର ଶଠତା ବୁଝି ନ ପାରି ଭୟରେ ପ୍ରତ୍ୟାଗମନ କଲେ; ଏଣେ ୩୫୯ ବର୍ଗମାଇଲର ଉନ୍ନତିଶାଳ–ଭୂମିଖଣ୍ଡ କେବଳ ମହାଜନଙ୍କ ତୃପ୍ତିସାଧନ ନିମିତ୍ତ ଟ ୫୫୦୦୦୦ ଟଙ୍କାରେ ନିଲାମ ହୋଇ ଷଣ୍ଢଗୌରବ ଚୂର୍ଣ୍ଣୀଭୁତ କଲା !

 

ସନ ୧୮୬୮ ମସିହା ମଇମାସ ତା ୧୮ ରିଖରେ ଏ ନିଲାମ ସମ୍ପାଦିତ ହେଲା ! ମହାଜନଙ୍କ ଦେଣ ପରିଶୋଧ ପାଇ ଅବଶିଷ୍ଟ ଯେ ଟଙ୍କା ବଳିଲା ତାହା ଗୌରବ ଉଦ୍ଧାର କାରଣରୂପ ମିଥ୍ୟାଲାଳସାରେ ମୋକଦ୍ଦମା ବ୍ୟୟରେ ବ୍ୟୟିତ ହେଲା ଏବଂ ଷଣ୍ଢବଂଶଧର ସାମାନ୍ୟ ଅପରିଚିତ ଦରିଦ୍ର ପ୍ରାୟ ପୃଥିବୀରେ ପରିଭ୍ରମଣ କଲେ ।

 

ନିତି ଏହି କାଣ୍ଡ ଚଳୁଅଛି । ମହାଜନମାନେ ଲୋକଙ୍କର ବିପଦ ସମୟରେ ଟଙ୍କା ଉଧାରଦେଇ ଯେଉଁ ଉପକାର କରିଥାନ୍ତି ଖାତକ ସେ ଟଙ୍କା ସୁଚାରୁରୂପେ ଆଦାୟ ନ କଲେ ଆପଣା ଟଙ୍କା ଆଦାୟ କରିବାକୁ ଯାଇ ଚତୁର୍ଗୁଣ ଅପକାର କରିବାକୁ ସୁଦ୍ଧା ଛାଡ଼ନ୍ତି ନାହିଁ । ଏଥକୁ ଉପାୟ ନାହିଁ । ଯେପରି ପୂର୍ବେ କଥା ଥିଲା ‘‘ବୁଦ୍ଧିର୍ଯସ୍ୟ ବଳଂତସ୍ୟ’’ ସେହିପରି ଏବେ ହୋଇଅଛି ‘‘ଧନଂ ଯସ୍ୟ ବଳଂ ତସ୍ୟ ।’’ ଲୋକେ ଯେବେ ବୁଦ୍ଧିମାନ ନ ହେବେ, ଲୋକେ ଯଦି ଟଙ୍କା କର୍ଜ୍ଜକରି ତାହା ପରିଶୋଧ କରିବାରେ ଯତ୍ନବାନ୍‌ ନହେବେ ତେବେ ମହାଜନମାନେ ସେମାନଙ୍କୁ ଗୋପଲୀଳାର ପିତୁଳାପରି ନଚାଇବେ–ଏଥିରେ ସେମାନଙ୍କୁ ଅବା ଦୋଷ କି ଦେବୁଁ ? ମାତ୍ର ପାଠକେ ! ଏହି ଓଡ଼ିଶା ଖଣ୍ଡରେ କେତେଘର ଦେଣଦାୟରେ ଉତ୍ସନ୍ନ ହୋଇ ଯିବା ଦେଖିଲେ ସୁଦ୍ଧା ଓଡ଼ିଶାବାସୀଙ୍କର କି ଚେତନା ହୋଇଅଛି ? –କାଳସ୍ୟ କୁଟିଳା ଗତିଃ !

 

ଥାଉ, ଏ କଥାରେ ଆମ୍ଭମାନଙ୍କର କିଛି କାର୍ଯ୍ୟ ନାହିଁ । କଥାପ୍ରସଙ୍ଗରେ ଆମ୍ଭେମାନେ ଏତେଦୂର ବହକି ଆସିଲୁଁ କଥାପ୍ରସଙ୍ଗରେ ଲକ୍ଷିତ ବିଷୟର ଅବତାରଣା ସଙ୍ଗେ ସଙ୍ଗେ ତାହାର ବର୍ତ୍ତମାନଦଶା ମନୋମଧ୍ୟରେ ଜାଗ୍ରତ ହେବାରୁ ବ୍ୟଥିତ ହୃଦୟରେ ଏଯାଏ ବାହାରି ଆସିଲୁ । ନୋହିଲେ ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ ସେତେବେଳେ ପାରାଦ୍ୱୀପର ଶୋଭା ଅପୂର୍ବ ଥିଲା–ତାହା ଶୋଭାର ଅପୂର୍ବ ଦୋଳନାରେ ଦୋହଲୁଥିଲା । ସେତେବେଳେ ପାରାଦ୍ୱୀପ ଅପୂର୍ବ ତେଜରେ ପାରାବାରକୁ ଊର୍ଦ୍ଧ୍ୱକୁ ଦୃଷ୍ଟି ନିକ୍ଷେପ କରି ହସୁଥିଲା । ସେତେବେଳେ ଲୋକେ କପାଟ–ବକ୍ଷରେ ପୃଥିବୀରେ ବିଚରଣ କରି ଅପରିମିତ ଧନୋପାର୍ଜ୍ଜନଦ୍ୱାରା ପାରାଦ୍ୱୀପର ଭଣ୍ଡାରଘରର କପାଟ ସତତ ଅବାରିତ ରଖିଥିଲେ । ଗଡ଼ର କୃତ୍ରିମପରିଖା ଈଶ୍ୱରସୃଷ୍ଟ ପୟଃପ୍ରଣାଳୀକୁ ପରାଭୂତ କରି କରସ୍ୱରୂପ ଅସୀମ ଧନ ଛାଣି ନେଉଥିଲା । ସେ ପରିଖା ବାସ୍ତବରେ ଅତୁଳନୀୟା । ଯେ ଦେଖି ନାହିଁ ସେ ତହିଁର ଶୋଭା ଅନୁଭବ କରି ପାରିବ ନାହିଁ । ତାହା ଏତେ ବିସ୍ତୃତା ଥିଲା ଯେ ଚାରିଖଣ୍ଡ ଜାଲିଆ ସହଜରେ ଆହୁଲା ଭିଡ଼ି ଏକତ୍ର ଯାଇ ପାରିବ । ସେ ପରିଖା ପାରିହେବା ଶତ୍ରୁପକ୍ଷରେ ଅତୀବ ଦୁଷ୍କର । ପରିଖା ଯେମନ୍ତ ଗଭୀର ତେମନ୍ତ ଭୟଙ୍କରୀ–କୁମ୍ଭୀରାଦି ଜନ୍ତୁମାନଙ୍କରେ ପରିପୂର୍ଣ୍ଣା । ଗଡ଼କୁ ଯିବା ନିମିତ୍ତ ଗୋଟିଏ ମାତ୍ର ଦ୍ୱାର ଏବଂ ତାହା ଦୁର୍ଦମ ବଳଶାଳୀ ପ୍ରହରୀମାନଙ୍କ ଦ୍ୱାରା ସତତ ସଂରକ୍ଷିତ । ସେହି ଦ୍ୱାରଦେଶରେ ବିଶାଳଘଣ୍ଟା ବନ୍ଧାହୋଇ ନାନାପ୍ରକାର ସମୟ ପାରାଦ୍ୱୀପ ଗଡ଼ରେ ଘୋଷିତ କରୁଥିଲା ।

 

ଦୁର୍ଗମଧ୍ୟରେ ଷଣ୍ଢଙ୍କର ପ୍ରାସାଦ ଅତୁଳନୀୟା ଶ୍ରୀ ଧାରଣ କରି ବିରାଜିତ ଥିଲା । ସେ ପ୍ରାସାଦ ଦେଖିଲେ ପୌରାଣିକ ପ୍ରାସାଦମାନ ମନେ ପଡ଼ଇ । ବାସ୍ତବରେ ଯେ ଏଡ଼େ ବିଶାଳ ଅତୁର୍ବର ଭୂମିଖଣ୍ଡର ଅଧୀଶ୍ୱର ଏବଂ ଯାହାଙ୍କୁ ପାରାବାର ପୟଃପ୍ରଣାଳୀ ପ୍ରେରଣ ପୂର୍ବକ ରତ୍ନରାଜି ପ୍ରଦାନ କରୁଅଛି ତାହାଙ୍କର ପ୍ରାସାଦ ଯେ ବରୁଣଦେବଙ୍କ ପ୍ରାସାଦପରି ହେବ ଏଥିରେ କି ସନ୍ଦେହ ଅଛି ? ସେ ପ୍ରସାଦରେ ପରିବାର ଘେନି ଷଣ୍ଢରାଜା ବାସ କରନ୍ତି । ସେ ପରିବାର ଗୋଟିଏ ରମଣୀରେ ଉଜ୍ଜ୍ୱଳ ହୋଇନାହିଁ । ଯେମନ୍ତ ବିଶାଳ ରାଜ୍ୟ ତେମନ୍ତ ବିଶାଳ ପରିବାର । ତହିଁରେ ଷଣ୍ଢରାଜା ଭୋଗ୍ୟା ଶତ ଶତ ରମଣୀବୃନ୍ଦ ବାସକରି ଅପୂର୍ବଲୀଳା ଭିଆଇ ଅଛନ୍ତି ।

 

ଦୁର୍ଗ ମଧ୍ୟରେ ମନ୍ଦିରର ଆଡ଼ମ୍ବରର କଥା ଅବା କି ବୋଲିବୁ ? ପୁରୁଷୋତ୍ତମ କ୍ଷେତ୍ରରେ ଯେତେ ପ୍ରକାର ଦେବଦେବୀଙ୍କର ମନ୍ଦିର ବିଦ୍ୟମାନ ଅଛି ପରାଦ୍ୱୀପରେ କ୍ଷୂଦ୍ରାୟତନରେ ତେତେ ପ୍ରକାର ଦେବଦେବୀଙ୍କର ମନ୍ଦିର ପ୍ରତିଷ୍ଠିତ–ବାରମାସରେ ତେର ପର୍ବ ମହାସମାରୋହରେ ପାଳିତ ହୁଅଇ ଏବଂ ପର୍ବୋପଲକ୍ଷରେ ଲକ୍ଷ ଲକ୍ଷ ଲୋକେ ସମବେତ ହୋଇ ପ୍ରଭୂତ ଉତ୍ସାହରେ ପାରାଦ୍ୱୀପକୁ ମତାଇ ଦିଅନ୍ତି ।

 

ଏଥିଉତ୍ତାରୁ ବାଗବଗିଚା । କେତେ ପ୍ରକାର ବୃକ୍ଷଲତା ଯେ ଭାର ଭାର କରି ଫଳ ଫୁଲ ଷଣ୍ଢରାଜାଙ୍କୁ ଉପହାରଙ୍କୁ ଦେଉଅଛି ତାହା ବର୍ଣ୍ଣିବା ଅସାଧ୍ୟ । ସମୁଦ୍ରତୀରରେ ପାରାଦ୍ୱୀପ । ଚତୁର୍ଦ୍ଦିକ ପୟଃପ୍ରଣାଳୀଦ୍ୱାରା ପରିବେଷ୍ଟିତ ଥିବାରୁ ଉଦ୍ୟାନାଦି ସତତ ଶ୍ୟାମଳ ଓ ଶ୍ରୀଶାଳୀ ହୋଇ ରହିଅଛି । ଅଧିକ ଆଉ କି କହିବୁଁ–ପ୍ରକୃତରେ ସେ ସବୁ ଦେବଭୋଗ୍ୟ ହୋଇ ବିରାଜିତ ଅଛି ଏବଂ ସେମାନେ ଅପ୍‌ସରାମାନଙ୍କର କ୍ରୀଡ଼ାଭୂମି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଠା ଲୋକେ ଶ୍ରମନିବାରଣାର୍ଥ ଯେପରି ବାଗବଗିଚାରେ ବସି ନିର୍ମଳ ବାୟୁ ସେବନ କରନ୍ତି ସେହିପରି ନିଶ୍ଚିନ୍ତ ସମୟରେ ବନଭୋଜିଦ୍ୱାରା ପରମ ସନ୍ତୋଷ ଲାଭ କରି ଉନ୍ମତ୍ତଭାବରେ କ୍ରୀଡ଼ା କରତଃ ବନଦେବୀଙ୍କି ଉନ୍ନତ୍ତା କରନ୍ତି । ପାଠକେ ! ଯେଉଁଠାରେ ଲୋକେ ନିଶ୍ଚିନ୍ତ.ଯେଉଁଠାରେ ରାଜା ନିଶ୍ଚିନ୍ତ, ଯେଉଁଠାରେ ଅଳ୍ପାୟାସରେ ନିତି ପ୍ରଭୂତ ଧନ ଉପାର୍ଜ୍ଜିତ ହେଉଅଛି ଏବଂ ଯେଉଁଠାରେ ଶତ୍ରୁଭୟାଦିର ଆଦୌ ଦକା ନାହିଁ ସେଠାରେ ଘରଦ୍ୱାର ଛାଡ଼ି ବାଗବଗିଚାରେ ସୁଦ୍ଧା ଶ୍ରୀ ବିରାଜିତ ଥାଏ । ପାରାଦ୍ୱୀପଟି ଏହିପରି ଅପୂର୍ବଶୋଭାରେ ଅପୂର୍ବ ଭାବରେ ବିରାଜିତ । ଦେଖିଲେ ହଠାତ୍‌ ମାଘକବିଙ୍କର ଦ୍ୱାରକା ବର୍ଣ୍ଣନା ମନେ ପଡ଼େ । –ପାଠକେ ! ବାସ୍ତବରେ ପାରାଦ୍ୱୀପକୁ ଯଦି କେହି ଜଳାଦର୍ଶରେ ସ୍ୱର୍ଗର ପ୍ରତିବିମ୍ବ ପଡ଼ି ଥିବାର ବୋଲନ୍ତି ତେବେ ତାଙ୍କୁ ନିତାନ୍ତ ଭ୍ରାନ୍ତ ବୋଲି ବୋଲାଯାଇ ପାରିବ ନାହିଁ ।

 

ରାଜପ୍ରସାଦର ସମ୍ମୁଖ ଭାଗରେ ରାଜାଙ୍କର ଦରବାର ଗୃହ । ଏଠାରେ ପ୍ରତିଦିନ ପ୍ରାତଃକାଳରେ ବେଳ ପ୍ରାୟ ପ୍ରହରକଠାରୁ ସାତଘଡ଼ି ଯାଏ ଷଣ୍ଢରାଜା ଦରବାର କରନ୍ତି । ରାଜ୍ୟର ହାରି ଗୁହାରି ସମସ୍ତ ଏହି ତିନିଘଡ଼ି ମଧ୍ୟରେ ରାଜାଙ୍କ ଛାମୁରେ ଆଗତ ହୁଅଇ । ଦିବାଭାଗର ଅବଶିଷ୍ଟ ଅଂଶ ଏବଂ ରାତ୍ରି ଗୋଟାଯାକ ରାଜାଙ୍କର ନିଜର କାର୍ଯ୍ୟ ଅର୍ଥାତ୍‌ ଭୋଗବିଳାସାଦିରେ ଚାଲିଯାଏ । ଯେଉଁଠାରେ ରାଜ୍ୟ ନିମନ୍ତେ ଚିନ୍ତା ଏତେ ଅଳ୍ପ ଏବଂ ରାଜ୍ୟଲୋକର କାର୍ଯ୍ୟ ନିମିତ୍ତ ଏତେ ଅଳ୍ପ ସମୟକ୍ଷେପ ସେଠାରେ ଦୁର୍ଦ୍ଦଶା ଏବଂ ପରପଦାନତି ନ ହେବ କାହିଁକି ? ଯାହାଙ୍କ ଧନରେ ଲୋକେ ପେଟ ଫୁଲାଇ ବିଳାସରେ ପ୍ରମତ୍ତ ହୋଇ ବୁଲୁଅଛନ୍ତି ସେମାନଙ୍କ ନିମିତ୍ତ ଉପଯୁକ୍ତ କାଳକ୍ଷେପଣ ନ କଲେ ବିଧାତା ଏ କାଳକୁ ସହିବେ କିପରି ? ମାତ୍ର ବିଳାସରେ ପ୍ରମତ୍ତ ଥିଲାବେଳେ କେତେଜଣ ଲୋକର ଏପରି ଦକ ଉପସ୍ଥିତ ହୁଏ ? ଏବଂ ଦକ ନ ଥିଲେ କେତେଜଣ ସଂସାରେ ନାମ କିଣି ଯାଇ ପାରନ୍ତି ? ତଥାପି ଆମ୍ଭମାନଙ୍କ ଷଣ୍ଢରାଜାଏ ଯେ ଦିନମାନରେ ତିନି ଘଡ଼ିକାଳ ରାଜ୍ୟର ଚିନ୍ତାରେ ସମୟ ଅତିବାହିତ କରନ୍ତି ଏ ହେତୁରୁ ତାହାଙ୍କୁ ଧନ୍ୟବାଦ ଦିଆଯିବ, କାରଣ ଅନେକ ସ୍ଥାନରେ ଅଦ୍ୟାପି ସୁଦ୍ଧା ରାଜାମାନେ ଅପରଲୋକ ହସ୍ତରେ ଦେଶକୁ ଭସାଇଦେଇ କୁତ୍ସିତଭୋଗ–ଚିନ୍ତାରେ ଦିନାତିପାତ କରିବା ଦେଖାଯାଏ ।

 

କଚେରୀ ପ୍ରତିଦିନ ଦୁଇଓଳି ହୁଅଇ । ଦେଓ୍ୟାନ, ବେବର୍ତ୍ତା ଇତ୍ୟାଦି ଦୁଇଓଳି କଚେରୀକି ଆସନ୍ତି । ମାତ୍ର ରାଜାଙ୍କର ଭେଟ କେବଳ ସକାଳଓଳି ତିନିଘଡ଼ି ମିଳେ ଏବଂ ରାଜା କଚେରୀରେ ବିଜେ ହେଲେ ‘ଝପଟସିଂହ’ ଓ ‘ରଣହାନ୍ଦୋଳ’ ଠାରୁ ‘ଭଟ୍ଟବ୍ରହ୍ମ’ ଓ ‘ରାୟଗୁରୁ’ ପର୍ଯ୍ୟନ୍ତ ଚହଳ ପଡ଼ିଯାଏ । ଅନ୍ୟାନ୍ୟ ରାଜଧାନୀ ପ୍ରାୟ ଏଠାରେ ସୁଦ୍ଧା ଉପାଧିର ଆବଧି ନାହିଁ । କେହି ପାଞ୍ଚଟଙ୍କା ସଲାମି ଏବଂ କେହି ଅବା ରାଜାଙ୍କର ତୋଷ ସମୟରେ ଦୁଇପଦ ମିଠାକଥା କହି ଉପାଧି ଘେନି ଛାତିଫୁଲାଇ ଚାଲିଯାନ୍ତି । ଏରୂପରେ ରାଜ୍ୟଯାକରେ ବହୁ ଉପାଧିଧାରୀଙ୍କର ବାସ ହୋଇଅଛି । ଇଂରାଜଙ୍କ ଅମଳରେ ଯେପରି ଇଂରାଜୀ ଅକ୍ଷର କେତୋଟିର ଉଚ୍ଚାରଣ ସହଜରେ ପଦବୀ ବୁଝାଇ ଦିଏ ଆମ୍ଭ ଦେଶର ରାଜାମାନଙ୍କ ପ୍ରଦତ୍ତ ଉପାଧିମାନ ସେପରି ନୁହଇ, ବେଳେ ବେଳେ ଉଚ୍ଚାରଣ କରିବାକୁ ବଡ଼ ଲଣ୍ଡଭଣ୍ଡିଆା ପଡ଼େ । ଉପରୋକ୍ତ ପଦ ଛଡ଼ା ‘‘ଡିଆଁବାଘ’’, ‘‘ହିମତସିଂହ’’, ‘‘ରଣଛଞ୍ଚାଣ’’, ‘‘ମର୍ଦ୍ଦରାଜଶାର୍ଦ୍ଦୁଳ’’ ପ୍ରଭୃତି କେତେ ଯେ ପଦବୀ ବାନ୍ଧି ଲୋକେ ବିଚରଣ କରୁଅଛନ୍ତି କହି ଶେଷ ହେବ ନାହିଁ । ଆଉ ଯେପରି ଆଜି କାଲି ବିଲାତଫେରତା କଳା ହାକିମମାନଙ୍କୁ ମିଷ୍ଟର ନ କହିଲେ ରାଗ ହୁଅନ୍ତି ତହୁଁ ବଳି ଏମାନଙ୍କୁ ପ୍ରାପ୍ତପଦବୀ ଧରି ନ ଡାକିଲେ ଏମାନେ ଚଳିହୋଇ ରାଜାଙ୍କଠାରେ ଗୁହାରି କରନ୍ତି ଏବଂ ରାଜା ମଧ୍ୟ ତଦ୍ଦ୍ୱାରା ନିଜର ଅବମାନନା ହେବାର ଜ୍ଞାନ କରି ଅର୍ଥଦଣ୍ଡର ଆଦେଶ କରନ୍ତି ! ଏହି ରୂପରେ ପ୍ରଦତ୍ତ ପଦବୀର ମର୍ଯ୍ୟାଦା ସଂରକ୍ଷିତ ହୋଇଅଛି ଏବଂ ପଦବୀ ପାଇବା ନିମନ୍ତେ ଲୋକେ ନିତ୍ୟ ଲାଳାୟିତ । ଏଥିରେ ଲାଭ କି ଅଛି ଅନ୍ତର୍ଯ୍ୟାମୀ ଭଗବାନ୍‌ ଜାଣନ୍ତି ମାତ୍ର ବାନରର ଲାଙ୍ଗୁଳ ଦେଖିବା ଆମ୍ଭମାନଙ୍କୁ ଯେପରି ଦୃଷ୍ଟିକଟୁ ଏହା ମଧ୍ୟ ସେହିପରି ।

 

ପୌଷପୂର୍ଣ୍ଣିମାର ପରଦିନ ପ୍ରାତଃକାଳରୁ ଷଣ୍ଢରାଜାଙ୍କର ଦରବାର ଖୋଲା ହୋଇଅଛି । ଷଣ୍ଢରାଜା ଅଳ୍ପକ୍ଷଣ ହେଲା ଆସି ସିଂହାସନରେ ବସି ପାତ୍ରମନ୍ତ୍ରୀଙ୍କ ସହିତ ଦେଶର ନାନା ପ୍ରକାର ଅବସ୍ଥା ବୁଝୁଅଛନ୍ତି । ଯେତେବେଳେ ଦାସ ଖାଡ଼ଙ୍ଗା ସୁବାଦାରଙ୍କ ଛାମୁରୁ ପ୍ରହରୀ-ସମଭିବ୍ୟାହାରେ ଡୁମନ ସର୍ଦ୍ଦାରଙ୍କ ନିକଟକୁ ଲାଲବାଗରୁ ପ୍ରେରିତ ହେଲା ଠିକ୍‌ ସେହି ସମୟରେ ବାହାବଳୀନ୍ଦ୍ର, ଦରବାରରେ ଉପସ୍ଥିତ ହୋଇ ବାହୁ ଠୁଙ୍କି ରାଜାଙ୍କୁ ଜୁହାର ହେଲେ । ରାଜା ପ୍ରଫୁଲ୍ଲବଦନରେ ପଚାରିଲେ ‘‘ବାହାବଳୀନ୍ଦ୍ର ! କେତେବେଳେ ଆସିଲ ? ସବୁ ଭଲତ ?’’ ବାହାବଳୀନ୍ଦ୍ର ଉତ୍ତର କଲେ ‘‘ଛାମୁରୁ ଏହିକ୍ଷଣି ପହଞ୍ଚିଲୁଁ । ସବୁ ଭଲ । ଆଜ୍ଞା ହେଲେ ପଟ୍ଟନାୟକେ ଛାମୁକୁ ଆସିବେ ।’’

 

ଡକାୟତ ଜାଲିଆମାନ ପହଞ୍ଚୁଥିବା ରାଜା ଏଥିରୁ ଅବଗତ ହୋଇ ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ଶୀଘ୍ର ରଘୁନାଥ ପଟ୍ଟନାୟକଙ୍କୁ ଛାମୁକୁ ଆସିବାକାରଣ ଆଦେଶ ପ୍ରଦାନ କରି ଦରବାର ଭଙ୍ଗ କଲେ ।

 

ଆଦେଶ ହେବାମାତ୍ରକେ ଅମଲାମାନେ ତାଳପତ୍ରର ବିଡ଼ାମାନ ଗୋଲାକୃତିରେ ବାନ୍ଧି ଭାଡ଼ିରେ ଥୋଇଦେଇ କଚେରୀ ଭାଙ୍ଗି ଚାଲିଗଲେ ଏବଂ ଶୀଘ୍ର କଚେରୀ ଭାଙ୍ଗିବାରୁ ସ୍ନାନହାରର ସୁବିଧା ବିଶେଷ ହୋଇଥିବାହେତୁ ପ୍ରଭୁତ ଆନନ୍ଦିତ ହେଲେ । ପାତ୍ରମନ୍ତ୍ରୀ ମଧ୍ୟ କଚେରୀ ଭାଙ୍ଗି ଚାଲିଗଲେ କାରଣ ଡକାୟତି ସମ୍ବନ୍ଧରେ ରାଜା ଏମାନଙ୍କ ସହିତ କୌଣସି ସମ୍ପର୍କ ରଖିନାହାନ୍ତି । ସେ ଇଲାକା ଅଲଗା ଏବଂ ସ୍ୱତନ୍ତ୍ର ବିଷୟଜ୍ଞ ଲୋକେ ନିଯୁକ୍ତ ଅଛନ୍ତି ।

 

କଚେରୀ ଭଙ୍ଗ ହେବା ସଙ୍ଗେ ସଙ୍ଗେ ରଘୁନାଥ ଦଳବଳ ଘେନି କଚେରୀଗୃହରେ ରାଜାଙ୍କ ଛାମୁରେ ଉପସ୍ଥିତ ହୋଇ ଯଥାବିଧି ଅଭିବାଦନପୂର୍ବକ ଉପବିଷ୍ଟ ହେଲେ । ଡକାୟତିର ସମୁଦାୟ ବିବରଣ ରାଜାଙ୍କ ଛାମୁରେ ଆନୁପୂର୍ବିକ ବର୍ଣ୍ଣନ କରି ପ୍ରଭୁତ ଲାଭ ହୋଇଥିବା ଜଣାଇଦେଲେ । ରାଜା ଏଥର ଡକାୟତିର ଅଦ୍ଭୁତ ଘଟନାମାନ ଶ୍ରବଣ କରି ଯତ୍ପରୋନାସ୍ତି ବିସ୍ମୟାପନ୍ନ ଓ ଆନନ୍ଦିତ ହୋଇ ରଘୁନାଥଙ୍କୁ ତାଙ୍କର କୌଶଳନିମିତ୍ତ ଶତ ଶତ ଧନ୍ୟବାଦ ପ୍ରଦାନ କରି ମାୟାଧରଙ୍କୁ ଅନାଇ କହିଲେ ‘‘ମାମୁ ଏଥର ବିଶେଷ କାର୍ଯ୍ୟ କି କରି’ଛନ୍ତି ?’’

 

ମାୟାଧର ଏ ସମ୍ବୋଧନରେ ପରମ ଆନନ୍ଦିତ ହୋଇ କହିଲେ ‘‘ମହାରାଜ ! ପଟ୍ଟନାୟକେତ ରାଜା ହୋଇ ପାଲିଙ୍କିରେ ବସିଥିଲେ । ମୋ ଭାଗ୍ୟରେ ବନ୍ଧୁକ ଘେନି ସମସ୍ତଙ୍କ ପଛରେ ଯିବାକୁ ପାଳି ପଡ଼ିଥିଲା । ମୁଁ ବନ୍ଧୁକ ଘେନି ଯଥାବିଧି ଦିଗବାରଣ କରି ସମସ୍ତଙ୍କୁ ଅଭୟ ପ୍ରଦାନ କରିଥିଲି ।’’ ରାଜା ଏ ଉତ୍ତରରେ ମାମୁର ଅନ୍ତର୍ଗତ ଭାବ ଜାଣିପାରି ଅଟ୍ଟହାସ୍ୟରେ କହିଲେ ‘‘ପଟ୍ଟନାୟକେ ! ଏଥର ମାମୁଙ୍କୁ ରାଜା କରିଦେବ ।’’ ଦଳପତି ଓ ଦଳର ଲୋକେ ଏ କଥାରେ ଉଚ୍ଚହାସ୍ୟ କରି ଦରବାର ଗୃହକୁ କମ୍ପାଇ ଦେଲେ ।

 

ଏଥି ଉତ୍ତାରୁ ରାଜା ଯଥାବିଧି ଲୁଣ୍ଠିତ ଦ୍ରବ୍ୟମଧ୍ୟରୁ ଯାହା ରଖିବା ଓ ଯାହା ଲୋକମାନଙ୍କୁ ଦିଆଯିବା ଉଚିତ ତହିଁର ବିହିତ ଆଦେଶ ପ୍ରଦାନ କଲେ । ପରେ ରଘୁନାଥ ଲୋକମାନଙ୍କୁ ବିଦାୟ କରିଦେଇ ଗୋଟିଏ ସୁନ୍ଦରୀ ସ୍ତ୍ରୀଲୋକ ଅପହୃତ ହୋଇ ଆସିଥିବା ରାଜାଙ୍କୁ ଜଣାଇ ତାଙ୍କୁ ନବରରେ ରଖିବା କାରଣ ପ୍ରାର୍ଥନା କରନ୍ତେ ରାଜା ତହିଁରେ ସମ୍ମତି ପ୍ରଦାନ କଲେ ।

 

ରଘୁନାଥ ରାଜାଙ୍କର ଆଦେଶ ଘେନି ତତ୍‌କ୍ଷଣାତ୍‌ ରସକଳାଙ୍କୁ ଷଣ୍ଢରାଜାଙ୍କ ନବରକୁ ପଠାଇଦେଲେ । ଦ୍ରବ୍ୟାଦି ବଣ୍ଟନ ଓ ରକ୍ଷା କରିବା କାର୍ଯ୍ୟରେ ମାୟାଧର, ବାହାବଳୀନ୍ଦ୍ର ଓ ବଳିଆରସିଂହଙ୍କୁ ଯଥାବିଧି ଆଦେଶ ପ୍ରଦାନ କରି ଖଣ୍ଡିଏ କ୍ଷୂଦ୍ର ଜାଲିଆରେ କଳାବତୀଙ୍କି ନେଇ ପାରାଦ୍ୱୀପ ଦୁର୍ଗ ପରିଖାରୁ ପ୍ରସ୍ଥାନ କଲେ ।

Image

 

ଚର୍ତୁବିଂଶ ପରିଚ୍ଛେଦ

ମହୋତ୍ସବ

 

ଯେତେବେଳେ ରଘୁନାଥ ପଟ୍ଟନାୟକ କଳାବତୀଙ୍କି ଘେନି ପାରାଦ୍ୱୀପରୁ ପ୍ରସ୍ଥାନ କଲେ ସେତେବେଳକୁ ଜଟିଆକୁଦର ମହୋତ୍ସବର ଖନ୍ଦାକାର୍ଯ୍ୟ ଶେଷ ହୋଇଥିଲା । ନାନା ପ୍ରକାର ଅନ୍ନ ଡାଲି ବ୍ୟଞ୍ଜନ ଖନ୍ଦା ନିକଟରେ ହାଣ୍ଡି ହାଣ୍ଡି ହୋଇ ଥୁଆ ହୋଇଥିଲା । ସନ୍ୟାସୀଦ୍ୱୟ ଖନ୍ଦାକାର୍ଯ୍ୟ ଶେଷ ହେବା ଦେଖି ତତ୍‌ପର ହୋଇ ଖନ୍ଦା ନିକଟକୁ ଆସି ଲୋକମାନଙ୍କୁ ଖନ୍ଦା ନିକଟରେ ଏକତ୍ରିତ ହେବାକୁ କହିଲେ । ଯେତେଲୋକ ପ୍ରାତଃକାଳରେ ନବଗ୍ରାମ ଆଡ଼ୁ ଆସିଥିଲେ ତହିଁର ଦ୍ୱିଗୁଣ ମନୁଷ୍ୟ ବର୍ତ୍ତମାନ ଜଟିଆାକୁଦରେ ସନ୍ୟାସୀଦ୍ୱୟଙ୍କ ନିକଟରେ ଦେଖାଗଲେ । ଖନ୍ଦା ନ ଲାଗିବା ପର୍ଯ୍ୟନ୍ତ ବାହାରଲୋକ କେହି ଆସି ନ ଥିଲେ ମାତ୍ର ଯେତେବେଳେ ଖନ୍ଦାର ଧୂଆଁ ଜଟିଆକୁଦର ବୃକ୍ଷଲତାଦି ଅତିକ୍ରମ କରି ଆକାଶ ମାର୍ଗରେ ଦୃଶ୍ୟ ହେଲା ସେତେବେଳେ ଚତୁର୍ଦ୍ଦିକରେ କ୍ଷୂଦ୍ର କ୍ଷୂଦ୍ର କାଠୁଆଯୋଗେ ଅନେକ ଲୋକ ଭୋଜନାଶାରେ ସେଠାରେ ଉପନୀତ ହେଲେ । ଲୋକମାନେ ଏକତ୍ରିତ ହେଲାରୁ ସେମାନଙ୍କୁ ଧାଡ଼ି ଧାଡ଼ି କରି ଖନ୍ଦାର ଏକପାର୍ଶ୍ୱରେ ଠିଆକରାଇ ସନ୍ୟାସୀ ଦ୍ୱୟ ହସ୍ତରେ ଜଳ ଘେନି ଖନ୍ଦା ଏବଂ ତନ୍ନିକଟବର୍ତ୍ତୀ ଅନ୍ନ ବ୍ୟଞ୍ଜନାଦିର ପାତ୍ରର ଚତୁର୍ଦ୍ଦିକରେ ମନ୍ତ୍ରୋଚ୍ଚାରଣ ପୂର୍ବକ ପାଣି ଛଡ଼ାଇଦେଲେ । ତତ୍ପରେ କିଞ୍ଚିତ ଅଗ୍ରସର ହୋଇ କହିଲେ :– ‘‘ଭାଇ, ଆଜି ଆମ୍ଭମାନଙ୍କର ବଡ଼ ଶୁଭଦିନ । ସଂସାରରେ ଜନ୍ମଗ୍ରହଣ କରି ପରମେଶ୍ୱରଙ୍କ ଦୟା ଓ ଇଚ୍ଛାନୁସାରେ ଯେଝାମତେ ଏକତ୍ର ପାନଭୋଜନରେ ଉନ୍ମତ୍ତ ହେବା ସହଜ କଥା ନୁହଇ । ଏହା ଜଗଦୀଶ୍ୱରଙ୍କ ଏକାନ୍ତ ଅନୁରାଗ ଭିନ୍ନ ଜୀବକୁ ମିଳଇ ନାହିଁ । ଯେତେବେଳେ ଆମ୍ଭେମାନେ ଏହି ରୂପେ ଈଶ୍ୱରାନୁରାଗଭାଜନ ହୋଇଅଛୁଁ ସେତେବେଳେ ଆମ୍ଭେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ । ତେଣୁ ଆମ୍ଭମାନଙ୍କୁ ଅତୀବ କୃତଜ୍ଞହୃଦୟରେ ଐକାନ୍ତିକ ଭକ୍ତି ସହିତ ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ହେବ । ଅତଏବ ସମସ୍ତେ ଏକସ୍ୱରରେ ଆପଣାର ଚିତ୍ତକୁ ଏକାଗ୍ର କରି ‘‘ହରିବୋଲ’’ ଉଚ୍ଚାରଣ କର ।

 

ହନୁମାନ ଦାସଙ୍କ ମୁଖରୁ କଥା ଶେଷ ନୋହୁଣୁ ଘୋର ସ୍ୱରରେ ଜଟିଆକୁଦରୁ ‘‘ହରିବୋଲ’’ ଶବ୍ଦ ଉଥିତ ହୋଇ ମହାନଦୀର ଜଳକୁ ଦ୍ୱିଖଣ୍ଡିତ କରି ଚତୁର୍ଦ୍ଦିକରେ ବାହାରିଗଲା । ପ୍ରତିଧ୍ୱନି ମଧ୍ୟ ଚତୁର୍ଦ୍ଦିକରୁ ଉଥିତ ହୋଇ ଦିଗବିଦିକ୍‌ ଚହଳାଇବା ସଙ୍ଗେ ସଙ୍ଗେ ହନୁମାନ ଦାସଙ୍କ ଆଜ୍ଞାକ୍ରମେ ପୁଣି ହରିବୋଲ ଶବ୍ଦ ଦିଗ୍‌ବିଦିକ୍‌ ପ୍ରକମ୍ପିତ କଲା ଏବଂ ତହିଁ ପଛେ ପଛେ ପୁଣି ହନୁମାନ ଦାସଙ୍କ ଇଙ୍ଗିତମାତ୍ରକେ ‘‘ହରିବୋଲ’’ ଶବ୍ଦ ଜନମଣ୍ଡଳିରୁ ଉଥିତ ହୋଇ ଦିଗ୍‌ବିଦିକ୍‌ ଓ ଆକାଶକୁ ଖଣ୍ଡ ଖଣ୍ଡ କରିପକାଇଲା ।

 

ଏହି ସମୟରେ ସନ୍ୟାସୀଦ୍ୱୟ ତିଳମାତ୍ରକ ଚକ୍ଷୁ ବୁଜିଥିଲେ । ଏହି ‘‘ହରିବୋଲ’’ ଶବ୍ଦ ଯେ କେବଳ ଦିଗ୍‌ବିଦିକ୍‍ ଓ ଆକାଶକୁ ଆଲୋଡ଼ିତ କରିଥିଲା ଏମନ୍ତ ନୁହେ । ସନ୍ୟାସୀଦ୍ୱୟଙ୍କର ଅନ୍ତରାତ୍ମା ମଧ୍ୟ ବିଶେଷରେ ଆଲୋଡ଼ିତ ହୋଇ ଜଗଦୀଶ୍ୱରଙ୍କ ମହିମାରେ ମୁଗ୍ଧ ହୋଇଥିଲା । ଯେତେବେଳଯାଏ ‘‘ହରିବୋଲ’’ ଶବ୍ଦ ଦିଗ୍‌ଦିଗନ୍ତରେ ଖେଳୁଥିଲା ତେତେବେଳଯାଏ ସନ୍ୟାସୀଦ୍ୱୟ ଧ୍ୟାନମଗ୍ନ ରହିଥିଲେ ଏବଂ ସେ ଖେଳା ବନ୍ଦ ହୋଇ ଆସିଲାରୁ ସନ୍ୟାସୀଦ୍ୱୟ ଚକ୍ଷୁରୁନ୍ୱୀଳିତ କରି ଠିଆ ହେଲେ । ତତ୍ପରେ ହନୁମାନ ଦାସ କହିଲେ–

 

‘‘ଭାଇ, ଦେଖିଲତ–ଆମ୍ଭମାନଙ୍କର କେମନ୍ତ ସୌଭାଗ୍ୟ ! ଏକ ସମୟରେ ଏତେଲୋକ ଏକତ୍ର ମିଳି ଜଗଦୀଶ୍ୱରଙ୍କ ନାମୋଚ୍ଚାରଣ କରିବା ଅଳ୍ପ ସୌଭାଗ୍ୟର ବିଷୟ ନୁହଇ । କେମନ୍ତଭାବରେ ଲୋକମାନଙ୍କୁ ନିଯୁକ୍ତ କରି ଜଗଦୀଶ୍ୱର ଆପଣା ମହିମାବିସ୍ତାରରେ ବ୍ରତୀ ଅଛନ୍ତି ବୁଝିବା କଠିନ । ତାଙ୍କର ଅପାରମହିମା ଏବଂ ତାଙ୍କର ଅସୀମ–ଶକ୍ତି । ଭାଇ, ଆମ୍ଭେ ତୁମ୍ଭମାନଙ୍କୁ ଅତି ବିନୀତ ଭାବରେ କହୁଛୁଁ ଏ ଭାବ କେବେ ଭୁଲିବ ନାହିଁ । ଦେଖୁଛତ ଘୋର ଦୁର୍ଭିକ୍ଷ ଚତୁର୍ଦ୍ଦିକରୁ କରାଳ କାଳରୂପରେ ଉପନୀତ ହୋଇ ଦେଶକୁ ଗ୍ରାସ କରିବାକୁ ବସିଛି । ଆଜି ଯେପରି ସମସ୍ତେ ଏକତ୍ରିତ ଆଉ ଏକ ଭ୍ରାତୃଭାବରେ ଉନ୍ନତ୍ତ ହୋଇ ଭୋଜନ କରିବ ସେହିପରି ଭବିଷ୍ୟତରେ ମଧ୍ୟ ଯେ ଯେତେ ପାର ଖାଇ ଖୁଆଇ ଦିନପାତ କରିବାରେ ବ୍ରତୀ ହେବ । ଈଶ୍ୱର ମଙ୍ଗଳମୟ; ଯେଉଁ ଅନୁଗ୍ରହରୁ ସେ ଆମ୍ଭମାନଙ୍କୁ ପ୍ରଚୁର ଶସ୍ୟ ପ୍ରଦାନ କରନ୍ତି ସେହି ଅନୁଗ୍ରହରୁ ସେ ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରନ୍ତି । ତହିଁରେ ଈଶ୍ୱରଙ୍କର କେଉଁ ମଙ୍ଗଳବାଞ୍ଛା ସାଧିତ ହୁଏ ତାହା ଆମ୍ଭମାନଙ୍କର ଚିନ୍ତା କରିବାର ଆବଶ୍ୟକ ନାହିଁ । ଯେତେବେଳେ ଈଶ୍ୱର ଅନୁଗ୍ରହ କରି ଦୁର୍ଭିକ୍ଷ ପଠାଇଛନ୍ତି ସେତେବେଳେ ତାହା ଅକାତରେ ସହିବାକୁ ଯତ୍ନଶୀଳ ହେବା ଉଚିତ ମାତ୍ର ଭାତୃଭାବ ବୃଦ୍ଧି ବିନା ତାହା ହୋଇ ନ ପାରେ । ଅତଏବ ଯେତେବେଳେ ଭାଇ ଭାଇ ସମସ୍ତେ ଏକତ୍ରିତ ହୋଇ ଆଜି ମହୋତ୍ସବରେ ମାତିଛ ସେତେବେଳେ ଭାଇ ଭାଇ ମିଳି ଈଶ୍ୱରଙ୍କ ନାମ ଘେନି ଦୁର୍ଭିକ୍ଷରୂପ ମହାପର୍ବକୁ ନିବିଘ୍ନରେ କଟାଇଦେବ । ଶାନ୍ତିଃ, ଶାନ୍ତିଃ, ଶାନ୍ତିଃ ।’’

 

ଏହି କଥା କହି ହନୁମାନ ଦାସ ଚକ୍ଷୁ ବୁଜି ଧ୍ୟାନନିମଗ୍ନ ହୋଇଗଲେ । ଗିରିଧାରୀ ଦାସ ମଧ୍ୟ ସଙ୍ଗେ ସଙ୍ଗେ ଚକ୍ଷୁ ବୁଜି ଇଶ୍ୱର ଧ୍ୟାନରେ ନିମଗ୍ନ ହେଲେ । ଲୋକମାନେ ଏହା ଦେଖି ଅଶ୍ରୁ ସମ୍ବରଣ କରିପାରିଲେ ନାହିଁ । ଭକ୍ତି ଓ ବିଶ୍ୱାସରେ ଉନ୍ମତ୍ତ ହେବାରୁ ସେମାନଙ୍କ ଚକ୍ଷୁରୁ ଅନର୍ଗଳ ଅଶ୍ରୁଧାରା ବିଗଳିତ ହୋଇଥିଲା । କିୟତ୍‌କ୍ଷଣ ପରେ ସନ୍ୟାସୀଦ୍ୱୟ ଧ୍ୟାନରୁ ଉଠିଲେ । ହନୁମାନ ଦାସ ପୂର୍ବ ପ୍ରାୟ ‘‘ହରିବୋଲ’’ ପକାଇବା କାରଣ ଲୋକମାନଙ୍କୁ ଆଦେଶ କରନ୍ତେ ଉପର୍ଯ୍ୟୁପରି ତିନିଥର ‘‘ହରିବୋଲ’’ ଶବ୍ଦ ଉଥିତ ହୋଇ ଜଗଦୀଶ୍ୱରଙ୍କ ସିଂହାସନ କମ୍ପାଇଦେଲା । ଭକ୍ତ-ଅଧିନ ଈଶ୍ୱର । ସେତ ଭକ୍ତର ଭକ୍ତିପଶରେ ସତତ ଆବଦ୍ଧ । ଏ ‘‘ହରିବୋଲ’’ ଶବ୍ଦରେ ଦିଗ୍‌ବିଦିକ୍‌ ପ୍ରସନ୍ନ ହୋଇଥିଲା । ଜଟିଆକୁଦ ବୃଷ୍ଟିଧାରାରେ ବିଧୌତ ହେଲା ପ୍ରାୟ ‘‘ହରିବୋଲ’’ ଶବ୍ଦରେ ପୂତ ହୋଇ ଅଧିକତର ପ୍ରସନ୍ନ ଦିଶିଲା ଏବଂ ସଙ୍ଗେ ସଙ୍ଗେ ସନ୍ୟାସୀଦ୍ୱୟଙ୍କ ଆଦେଶକ୍ରମେ ସମସ୍ତେ ଏକଠାବରେ ଆହାର କରିବାକୁ ବସିଲେ ।

 

ସେ ଦୃଶ୍ୟ ଦେଖିବାକୁ ବଡ଼ ଚମତ୍କାର ହୋଇଥିଲା । ନାନା ଜାତୀୟ ଲୋକେ ଜାତିଭେଦ ଛାଡ଼ି ଏକତ୍ର ପତ୍ର ପକାଇ ଭୋଜନ କରୁଅଛନ୍ତି । ଆହା ! ଓଡ଼ିଶାରେ ଏହା ଏକ ଅସାଧାରଣ ଦୃଶ୍ୟ ଅଟଇ ! ଯେତେବେଳେ ଜାତିଭେଦରୂପ ମହାବୃକ୍ଷମୂଳରେ କୁଠାରାଘାତ କରି ସ୍ୱୟଂ ବିଷ୍ଣୁ ଦାରୁରୂପରେ ନୀଳାଦ୍ରିରେ ବିରାଜମାନ ହୋଇଅଛନ୍ତି ସେତେବେଳେ ଅନ୍ୟ କଥା ଅବା କି ବୋଲିବୁଁ ? ଯେଉଁଠାରେ ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ମହାପ୍ରସାଦ ଛଡ଼ାଛଡ଼ି କରି ଖାଉଅଛନ୍ତି ସେଠାରେ ବୈଷ୍ଣଧର୍ମର ପ୍ରଭାବର କଥା ଆଉ ବୋଲିବାକୁ ହେବ ନାହିଁ । ଯେଉଁ ବୈଷ୍ଣବଧର୍ମ୍ମରେ ପ୍ରମତ୍ତ ହୋଇ ଓଡ଼ିଶାବାସୀ ମହାପ୍ରସାଦ ଛଡ଼ାଛଡ଼ି କରି ସେବନ କରନ୍ତି ସେହି ବୈଷ୍ଣବଧର୍ମ୍ମରେ ପ୍ରଣୋଦିତ ହୋଇ ସେମାନେ ମହୋତ୍ସବାଦିରେ ଏକତ୍ର ବସି ଭୋଜନ କରନ୍ତି । ପାଠକେ ! ଅନ୍ୟସ୍ଥାନ ପ୍ରାୟ ଓଡ଼ିଶାରେ ଜାତିଭେଦ ଅଛି । ବରଂ ଓଡ଼ିଶାରେ ତହିଁର ବିଚାର କଟକଣା ଅଧିକତର କଠିନ । ତଥାପି ଈଶ୍ୱରଙ୍କ ପ୍ରସାଦ ସେବାର ସେ ବିଚାର ରହଇ ନାହିଁ ଏବଂ ଏହା ଯେ ଅନେକ ସମୟରେ ଅନେକ ମଙ୍ଗଳ ସାଧନ କରେ ବୋଲା ବାହୁଲ୍ୟ । –ହାୟ ! ଏହି ବୈଷ୍ଣବଧର୍ମ୍ମ ପ୍ରତି ଭାରତବାସୀଙ୍କ ହୃଦୟରେ ଜାଗ୍ରତ ହେଲେ ଭାରତ ନବପ୍ରାଣରେ ଉତ୍ତେଜିତ ହୋଇ ଉଠନ୍ତା । କେବେ କି ଆମ୍ଭେମାନେ ସମୁଦାୟ ଭାରତରେ ଏ ଭାବ ଦେଖିବାକୁ ପାଇବୁଁ ?

 

ଭୋଜନ ଶେଷ ହେଲା । ହନୁମାନ ଦାସ ଓ ଗିରିଧାରୀ ଦାସ ସନ୍ୟାସୀଦ୍ୱୟଙ୍କର ଜୟୋଚ୍ଚାରଣ କରି ‘ହରିବୋଲ’ ପକାଇ ଲୋକମାନେ ସେଠାକୁ ଉଠିଲେ । ମହାନଦୀର ପବିତ୍ର ଜଳରେ ହସ୍ତ ପ୍ରକ୍ଷାଳନ କରି ଯଥେଚ୍ଛା ପାନ କଲେ ଏବଂ ସନ୍ୟାସୀଦ୍ୱୟଙ୍କ ନିକଟରୁ ବିଦାୟ ହେବାକାରଣ ଆସି ପୂର୍ବୋକ୍ତ ସ୍ଥାନରେ ସନ୍ୟାସୀଙ୍କି ବେଢ଼ିଗଲେ ।

 

ହନୁମାନ ଦାସ ଅବସର ବୁଝି ପୁଣି ଉଚ୍ଚୈଃସ୍ୱରରେ ଲୋକମାନଙ୍କୁ କହିଲେ ‘‘ଆଜି ଯେପରି ତୃପ୍ତି ସହିତରେ ଭୋଜନ କଲ ସେପରି ତୁମ୍ଭେମାନେ କେବେ ଭୋଜନ କରିଅଛ କି ନାହିଁ ସନ୍ଦେହ’’ ।

 

ଏହି କଥାରେ ଲୋକମାନେ ଗୋଳ କରି କହିଲେ ‘‘ମହାରାଜ । ଆଜିର ଭୋଜନପରି ଆମ୍ଭେମାନେ ଆଉ କେବେ ଭୋଜନ କରି ଏତେଦୂର ତୃପ୍ତ ହୋଇନାହୁଁ’’ । –ହନୁମାନ ଦାସ ଏହା ଶୁଣି ପ୍ରୀତିପ୍ରଫୁଲ୍ଲିତ ବଦନରେ କହିଲେ ‘‘ଦେଖ ! ସନ୍ତୋଷ ପୃଥିବୀରେ ପରମ ସଙ୍କେତ । ଯେତେବେଳେ ଜାଣିଲ ଭୋଜନ କରି ତୁମ୍ଭ ମନରେ ପରମନିର୍ମଳ ସନ୍ତୋଷ ଜାତ ହେଲା ସେତେବେଳେ ବୁଝିବ ଯେ ଜଗଦୀଶ୍ୱରଙ୍କ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ହୋଇଅଛି ଓ ତାହା ଜଗଦୀଶ୍ୱରଙ୍କ ଅଭିମତ । ଜଗଦୀଶ୍ୱର ପରମ ବୈଷ୍ଣବ । ଜଗତ ତାଙ୍କର ପରମ ଆଦରର ବସ୍ତୁ । ସେ ଜଗତ୍‌ରୂପେ ବିକାଶିତ ହୋଇ ଅଛନ୍ତି । ତେଣୁ ଜଗତର ଅଣୁ ପରମାଣୁରେ ସେ ବିଦ୍ୟମାନ ଅଛନ୍ତି । ତୁମ୍ଭେମାନେ ଭକ୍ତ ଓ ବୈଷ୍ଣବ ଆଉ ଆମ୍ଭେ ଯାହା କହିଲୁଁ ତାହା ତୁମ୍ଭମାନଙ୍କର ଧର୍ମ-ନିଦାନ । ତୁମ୍ଭେମାନେ କାହାକୁ ପର ବୋଲି ଭାବିବ ନାହିଁ । ଦେଖ ! ଦେଶରେ କରାଳ କାଳରୂପେ ଦୁର୍ଭିକ୍ଷ ଉପସ୍ଥିତ ହେଉ’ଛି । କେତେ ଲୋକଙ୍କୁ କେତେ ପ୍ରକାରେ ଏହା ସଂହାର କରିବ ବୋଲାଯାଇ ନ ପାରେ । ତୁମ୍ଭେମାନେ ଏ ସମୟରେ ବିଶେଷ ସହିଷ୍ଣୁ ହେବ । ଈଶ୍ୱରଙ୍କର ଆଦେଶ ଚୂଡ଼ାନ୍ତ । ଏହା ଈଶ୍ୱରଙ୍କର ଆଦେଶ ଜାଣି ଧୈର୍ଯ୍ୟ ଧାରଣ କରି ବଞ୍ଚିଥିବାଯାଏ କର୍ତ୍ତବ୍ୟ କାର୍ଯ୍ୟ କରି ଚାଲିଯିବ । ଯେତେବେଳେ କେହି ଅନାହାରକ୍ଲିଷ୍ଟ ଲୋକ ଆସି ତୁମ୍ଭ ଦ୍ୱାରରେ ଉପନୀତ ହେବ ଆପଣାର ପରମ ପ୍ରିୟ ଭାଇ ମନେ କରି ତାହାକୁ ଅନ୍ନ ପ୍ରଦାନ କରିବ–କହ ସମସ୍ତେ, ପ୍ରଦାନ କରିବୁଁ ।’’ ସନ୍ୟାସୀଙ୍କର ତେଜଃପୂର୍ଣ୍ଣ କଥାରେ ମୋହିତ ହୋଇ ଏକ ବାକ୍ୟରେ ଲୋକମାନେ କହିଁ ଉଠିଲେ ‘‘ହଁ କରିବୁଁ’’ । ହନୁମାନ ଦାସ ଅତ୍ୟନ୍ତ ପ୍ରୀତ ହୋଇ କହିଲେ ‘ଆମ୍ଭେ ଏ ଉତ୍ତର ଶୁଣି ବଡ଼ ସନ୍ତୁଷ୍ଟ ହେଲୁଁ । ଯେ ଜଗତର ଜୀବରେ ଦୟା ବହି ସେମାନଙ୍କର ମଙ୍ଗଳ କରନ୍ତି ଈଶ୍ୱର ତାଙ୍କର ମଙ୍ଗଳ କରନ୍ତି । ଏ କଥା ସତତ ମନେ ରଖି ମଙ୍ଗଳ କରିବାରେ ପ୍ରବୃତ୍ତ ହୁଅ, ଈଶ୍ୱର ସେ ବିପଦ ସମୟରେ ତୁମ୍ଭମାନଙ୍କୁ ମଙ୍ଗଳରେ ନିଭାଇ ନେବେ । ଡର ନାହିଁ । ଯେ ଈଶ୍ୱରଙ୍କଠାରେ ଆତ୍ମ-ସମର୍ପଣ କରି’ଛି ତାହାର ସଂସାରରେ ଭୟ କେଉଁଠାରେ ? ଆମ୍ଭେ ଜାଣୁଁ ଈଶ୍ୱର ତୁମ୍ଭମାନଙ୍କର ମଙ୍ଗଳ ସାଧନୋଦ୍ଦେଶ୍ୟରେ ନାନାପ୍ରକାର ଉପାୟର ପଥ ପରିଷ୍କାର କରି ଦେଇଛନ୍ତି । ଏ ସଂସାର ତୁମ୍ଭର ନୁହେ, କି ଆମ୍ଭର ନୁହେ । ତୁମ୍ଭେ ଆମ୍ଭେ ପଥିକ ମାତ୍ର । ଯାହାର ସଂସାର ତାହାରି କାର୍ଯ୍ୟ କରିବା ନିମିତ୍ତ ଆମ୍ଭେମାନେ ଜନ୍ମ ହୋଇଅଛୁଁ–ତାହାର କାର୍ଯ୍ୟ ସିଦ୍ଧ କରିପାରିଲେ ଆମ୍ଭେମାନେ ଆପଣାର ଜନ୍ମ ସଫଳ କରିପାରିବୁଁ । ଅତଏବ ସମସ୍ତେ ଆଶ୍ୱସ୍ତମନରେ ଘରକୁ ବାହୁଡ଼ି ଯାଇ ଈଶ୍ୱରଙ୍କର ନାମକୀର୍ତ୍ତନରେ ରତ ହୁଅ ଏବଂ ଭୋଜନଶୟନାଦି ସବୁ କାର୍ଯ୍ୟ ଈଶ୍ୱରଙ୍କ ଇଚ୍ଛାନୁରୂପେ ସମ୍ପନ୍ନ ହେବାର ଜାଣି ତତ୍‌ସମୁଦାୟ ତାଙ୍କୁ ଅର୍ପଣକରି ସୁଖୀ ହୁଅ ।’’

 

ଲୋକମାନେ ହନୁମାନ ଦାସଙ୍କ ସୁଧାବିମିଶ୍ରିତ କଥାରେ ମୋହିତ ହୋଇ ଆତ୍ମଜ୍ଞାନ ହରାଇଥିଲେ । ତାଙ୍କ ବକ୍ତବ୍ୟ ଶେଷ ହେଲାରୁ ଉଲ୍ଲସିତ ମନରେ ସ୍ୱେଚ୍ଛା-କ୍ରମେ ତିନିଥର ‘ହରିବୋଲ’ ପକାଇଲେ । ସେତେବେଳକୁ ଦିନ ତିନିପ୍ରହର ଅତୀତ ହୋଇଅଛି । ଲୋକମାନେ ସନ୍ୟାସୀଦ୍ୱୟଙ୍କଠାରୁ ମେଲାଣି ହେବାର ଅନୁମତି ପାଇ ଲମ୍ବ ଲମ୍ୱ ହୋଇ ପ୍ରଣିପାତ ହେଲେ । ବୋଧ ହେଲା ଯେପରି ଜଟିଆକୁଦରେ ଲୋକମାନେ ପରମେଶ୍ୱରଙ୍କ ନାମକୀର୍ତ୍ତନ କରୁଥିବା କାଳରେ ଭକ୍ତି-ନିର୍ଝରରୁ ପ୍ରଭୂତ ରସ ନିର୍ଗତ ହୋଇ ସେମାନଙ୍କୁ ଭସାଇ ନେଇଗଲା । ହାୟ ! ହାୟ-! ଭକ୍ତିରସରେ ଉନ୍ନତ୍ତ ହେବାକାରଣ ବାସ୍ତବରେ ଆମ୍ଭମାନଙ୍କର ଅବସର ଅତି ଅଳ୍ପ । ଯେଉଁ ପାଶ୍ଚାତ୍ୟ ସଭ୍ୟତାର ସ୍ରୋତ ଆସି ଆମ୍ଭମାନଙ୍କୁ ସତତ କର୍ମକାଣ୍ଡରେ ଭ୍ରାମ୍ୟମାନ କରାଇ ଚିନ୍ତାରୂପ ମହାତରଙ୍ଗଶାଳୀ ସମୁଦ୍ରରେ ନିକ୍ଷେପ କରିଅଛି ସେ କି ଆମ୍ଭମାନଙ୍କୁ ଏରୂପ ଅବସର ପ୍ରଦାନ କରିବ ?

 

ଲୋକମାନେ ସାଷ୍ଟାଙ୍ଗ ପ୍ରଣିପାତ ହେଲାରୁ ସନ୍ୟାସୀଦ୍ୱୟ ସେମାନଙ୍କୁ ହୃଦୟର ନିଭୃତତମ ସ୍ଥାନରୁ ଆଶୀର୍ବାଦ କଲେ ଏବଂ ପରକ୍ଷଣରେ ଘୋର ‘ହରିବୋଲ’ ଶବ୍ଦରେ ଜଟିଆକୁଦକୁ ପ୍ରକମ୍ପିତ କରୁ କରୁ ଲୋକମାନେ ପ୍ରହୃଷ୍ଟମନରେ କୁଦରୁ ଓହ୍ଲାଇ ଗ୍ରାମକୁ ବାହୁଡ଼ିବା କାରଣ ନୌକାରେ ବସିଲେ ।

Image

 

ପଞ୍ଚବିଂଶ ପରିଚ୍ଛେଦ

କୃପଣର ପରିଣାମ

 

ଏହିରୂପେ ମହୋତ୍ସବ କାର୍ଯ୍ୟ ଶେଷ କରି ଈଶ୍ୱର-ନାମ-କୀର୍ତ୍ତନ ଓ ଧର୍ମୋପଦେଶର ଫଳସ୍ୱରୂପ ଶାନ୍ତିର ସସିଞ୍ଚିତ ପ୍ରଭୁତ ବଳରେ ବଳୀୟାନ୍‌ ହୋଇ ନବ ଗ୍ରାମର ଲୋକମାନେ ଗ୍ରାମରେ ପହୁଞ୍ଚିଲେ । ସେତେବେଳକୁ ସନ୍ଧ୍ୟା ଆଗତପ୍ରାୟ । ଏକେ ତ ପୌଷମାସରେ ଦିନ ଛୋଟ-। ତହିଁରେ ପୁଣି ମହୋତ୍ସବରେ ଉନ୍ମତ୍ତ ହୋଇ ଖିଆ ପିଆ ଶେଷ ହେଉଁ ହେଉଁ ବେଳ ଗଡ଼ି ଯାଇଥିଲା । ସୁତରାଂ ଗ୍ରାମରେ ପହଞ୍ଚିଲାବେଳକୁ ସୂର୍ଯ୍ୟତେଜ ନିତାନ୍ତ ମଳିନ ହୋଇ ଚତୁର୍ଦ୍ଦିକ କ୍ଷୀଣ କୁଜ୍‍ଝଟିକା ଜାଲରେ ଧୂମ୍ରମୟ ଦିଶିବାକୁ ଆରମ୍ଭ ହେଲା । ଆଉ ସନ୍ଧ୍ୟା କାହା ଘରେ ? ଶୀତକାଳଦ୍ୱାରା ସୂର୍ଯ୍ୟଦେବ ସ୍ୱପ୍ରଭାବ କ୍ଷୀଣ ହେବା ଦେଖି ଲଜ୍ଜିତ ହୋଇ ବିରସ ବଦନରେ ଶୀଘ୍ର ଶୀଘ୍ର ପଳାୟନ କଲେ । କାଳକର୍ତ୍ତୃକ ଯେ ଜାଲ ପୃଥିବୀରେ ବିସ୍ତୃତ ହେଲା ଅପରିମିତ ପ୍ରତାପଶାଳୀ ସୂର୍ଯ୍ୟଦେବ ସୁଦ୍ଧା ବେଳେ ତାହାକୁ ପରାଜୟ କରିପାରିଲେ ନାହିଁ, ବରଂ ପଳାୟନ କରି ପ୍ରତୀଚୀଶିଖରର ଅପର ପାର୍ଶ୍ୱରେ ମୁଖ ଲୁଚାଇ ରହିଲେ । ଏହା ଇଶ୍ୱରଙ୍କ ମାୟା ଭିନ୍ନ ଅନ୍ୟ କି ହୋଇ ପାରେ ? ଏହା ଦେଖି ଗର୍ବୀ ଲୋକ କି ଗର୍ବ କରି ପାରେ ? ଯେ କରେ ସେ ଅଜ୍ଞାନୀ ।

 

ଲୋକମାନେ ଗ୍ରାମରେ ପହୁଞ୍ଚି ଘରକୁ ଯିବାପୂର୍ବରେ କୌତୁକାବିଷ୍ଟ ହୋଇ ଡକାୟତମାନଙ୍କ ନାଟସ୍ଥାନ ଦେଖିବାକୁ ଗଲେ । ସେତେବେଳକୁ ସେଠାରେ ସନ୍ତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଅଛି । ସ୍ୱୟଂ ଡୁମନ ସର୍ଦ୍ଦାର ଉପସ୍ଥିତ ଥାଇ ରାତ୍ରିକାଳରେ କିରୂପେ ସେ ସ୍ଥାନ ଏବଂ ଗ୍ରାମଯାକର ଶାନ୍ତି ରକ୍ଷିତ ହେବ ତହିଁର ବନ୍ଦୋବସ୍ତ କରୁଅଛନ୍ତି ଏବଂ ହାକିମ ଜଣେ ଉପସ୍ଥିତ ହେବାରୁ ସ୍ୱଭାବତଃ ଅନେକ ଲୋକ ସେଠାରେ ରୁଣ୍ଡ ହୋଇଅଛନ୍ତି । ସନ୍ଧ୍ୟା ହେବାହେତୁ ହାଟୁଆ ବେପାରୀ ପ୍ରଭୃତି ଯେ କେହି ଆପଣା ଗ୍ରାମକୁ ସେ ବାଟେ ଯାଉଥିଲେ କୌତୁହଳାକ୍ରାନ୍ତ ହୋଇ ସେଠାରେ ଉପନୀତ ହେଲେ ଏବଂ ଗ୍ରାମବାସୀ ଓ ଅପର ଲୋକଙ୍କ ସଙ୍ଗେ ମିଶି ସକାଳଠାରୁ ବଳି ଏକ ପ୍ରକାଣ୍ଡ ଜନତା ହେଲା । ଗୋଲମାଳ ମଧ୍ୟ କମ୍‌ ହେଲାନାହିଁ ମାତ୍ର ସକାଳେ ଯେପରି ହାଟ ବସିଥିଲା ବର୍ତ୍ତମାନ ସେପରି ନୁହେ । ହାକିମ ଉପସ୍ଥିତ ହେବାରୁ ଅଧିକାଂଶ ଲୋକେ ହାକିମ କିରୂପେ ଶାନ୍ତିରକ୍ଷାର ବନ୍ଦୋବସ୍ତ କରୁଅଛନ୍ତି ତାହା ନିବିଷ୍ଟ ଚିତ୍ତରେ ଦେଖୁଥିଲେ ଏବଂ ସଙ୍ଗେ ସଙ୍ଗେ ଆପଣା ମଧ୍ୟରେ ଫୁସ୍‌ଫାସ୍‌ ହୋଇ ସେ ସମ୍ବନ୍ଧରେ ତର୍କବିତର୍କ ଓ ସମାଲୋଚନା କରୁଥିଲେ-। ନବାଗତ ଓ ଦୂରସ୍ଥିତ ଲୋକମାନେ ନାନାପ୍ରକାର ଘଟନାର କଥାବାର୍ତ୍ତା ପକାଇଥିଲେ-। ନିକଟରେ ଯେଉଁମାନେ ଛିଡ଼ା ହୋଇଥିଲେ ତାଙ୍କ ମଧ୍ୟରୁ କେହି କେହି ଡୁମନ ସର୍ଦ୍ଦାରଙ୍କୁ ନାନା କଥା ନିବେଦନ କରି କାର୍ଯ୍ୟର ଶୃଙ୍ଖଳା କରାଇଦେଉଥିଲେ । ଏହିରୂପେ ଗୋଳମାଳ ଉପସ୍ଥିତ ହୋଇଥିଲେ ହେଁ ତାହା ସକାଳର ଗୋଳଠାରୁ ଊଣା ଥିଲା ।

 

କ୍ରମେ ସନ୍ଧ୍ୟାକାଳ ଘନୀଭୂତ ହୋଇ ଆସିଲା । ପାତଳ କୁଜ୍‍ଝଟିକାଜାଲ ଘନୀଭୂତ ହୋଇ ଆସିବା ସଙ୍ଗେ ସଙ୍ଗେ ଯୁଦ୍ଧରୁ ପ୍ରତ୍ୟାବର୍ତ୍ତିତ-ସେନା ପ୍ରାୟ ପଶୁପକ୍ଷୀମାନେ ଗୋଳମାଳ କରି ଶୀଘ୍ର ଶୀଘ୍ର ଆପଣାର ବିଶ୍ରାମ ସ୍ଥାନକୁ ଲେଉଟିଲେ । ଡୁମନ ସର୍ଦ୍ଦାର ମଧ୍ୟ ବେଳ ଜାଣି ଆପଣାର ଆବାସ ସ୍ଥାନ ଫେରି ଯିବାକୁ ଉଦ୍ୟତ ହେଲେ ମାତ୍ର ଫେରିଯିବା ପୂର୍ବରୁ ସନ୍ତ୍ରୀମାନଙ୍କୁ ସେମାନଙ୍କର ରାତ୍ର୍ୟୁଚିତ କାର୍ଯ୍ୟର ବିହିତ ଆଦେଶ ଦେଇ ବାଣ୍ଟି ଦେଲା ପରେ ଲୋକମାନଙ୍କୁ ସେ ସ୍ଥାନରୁ ହଟାଇ ଦେବା ଉଚିତ ଜ୍ଞାନ କରି ତହିଁର ଆଦେଶ ଦେଉଅଛନ୍ତି ଏମନ୍ତ ସମୟରେ ଦାସ ଖାଡ଼ଙ୍ଗା ପ୍ରହରୀ–ସମଭିବ୍ୟାହାରରେ ଆସୁଥିବାର ଦେଖାଗଲା ।

 

ପଛେ ପଛେ ନବଗ୍ରାମର ଚୌଧୁରୀ । କଲିକତାରେ ଯେପରି ବୋଝିଆକୁ ଆଗରେ ଘେନି ଲୋକେ ଚାଲନ୍ତି କୃପଣ ସ୍ୱଭାବ ରାଧାଗୋବିନ୍ଦ ସେହିପରି ଦାସ ଖଡ଼ଙ୍ଗା ଓ ପ୍ରହରୀମାନଙ୍କୁ ଆଗରେ ଚଲାଇ ଚାଲୁଅଛନ୍ତି । ଘରେ ଥିଲେ ଧନ ଚୋରୀ ଯିବାର ଯେଉଁ ଭୟ ବର୍ତ୍ତମାନ କାଳରେ ଆସାମୀ ପଳାଇ ଯିବାର ସେହି ଭୟ ସତତ ମନରେ ଜାଗରିତ ଅଛି । ତେଣୁ ଦାସ ଖାଡ଼ଙ୍ଗା ଆଡ଼କୁ ଦୃଷ୍ଟି ଏକଧ୍ୟାନରେ ରହିଅଛି । ନ ରହିବ କାହିଁକି ? ସେ ତ କୃପଣର ଦୃଷ୍ଟି-ଧନରେ କୃପଣ ହେବାରୁ ସ୍ୱଭାବତଃ ଦୃଷ୍ଟିରେ କୃପଣତା ଜାତ ହୋଇଅଛି, ସୁତରାଂ ଏକ ଆଡ଼ ଛାଡ଼ି ଅନ୍ୟ ଆଡ଼କୁ ଦୃଷ୍ଟି ଯିବ କିପରି ?

 

ଘରର ଅବସ୍ଥା କି ହୋଇଥିବ ମନେ ମନେ କେତେ ପ୍ରକାର ବୀଭତ୍ସ ଛବି ଅଙ୍କିତ କରୁଅଛନ୍ତି ଏବଂ ଅଙ୍କିତ କରି ନିଜେ ତହିଁରେ ଭୟରେ କାତର ହୋଇ ମୃତ୍ୟୁରୁ ବଳି କଷ୍ଟ ଅନୁଭବ କରୁଅଛନ୍ତି । ଯେଉଁ ଲୋକଟା କୃପଣ ତାହାର ପଇସାଟିଏ ନଷ୍ଟ ହେଲେ ମରଣ ତୁଲ୍ୟ କଷ୍ଟ ହୁଏ, ଏତ ସର୍ବସ୍ୱ ନଷ୍ଟ ହୋଇଥିବାର ବାର୍ତ୍ତା ଶ୍ରବଣ କରି ଘରକୁ ଯାଉଅଛନ୍ତି ! ଏଥିରେ ପ୍ରତିକ୍ଷଣ ଯେ ଏହାଙ୍କ ହୃତ୍‍ପିଣ୍ଡ ଖସି ପଡ଼ୁଥିବ ତାହା ବିଚିତ୍ର ନୁହଇ । ଭାବନା କେବଳ ‘‘ମୋର ଧନ’’ ‘‘ମୋର ଧନ’’–ଯେମନ୍ତ ସଂସାରରେ ତାଙ୍କରି ଧନ ଛଡ଼ା ଆଉ କିଛି ନ ଥିଲା ! ଲୋକଟି ଏଡ଼େ ପାଷାଣ୍ଡ ଯେ ଧନ ଛଡ଼ା ଆଉ କିଛି କିମ୍ବା କଳାବତୀଙ୍କ କଥା ସୁଦ୍ଧା ମନେ ପଡ଼ିଲା ନାହିଁ । ଧନଦ୍ରବ୍ୟ ନଷ୍ଟ ହେବାର ତ ଶୁଣିଲେ ମାତ୍ର ଦୁଃଖିନୀ କଳାବତୀଙ୍କର ଦଶା କି ହେଲା ଥରେ ତ ପଚାରିଲେ ନାହିଁ ! ଯାହାଙ୍କୁ ଏକ ସମୟରେ କନ୍ୟାପ୍ରାୟ ସ୍ନେହ କରୁଥିଲେ, ଯାହାଙ୍କ ଉପରେ ଘରକରଣା ସମସ୍ତ ଲଦିଦେଇ ବିଦେଶରେ ଥାଇ ଧନ ସଞ୍ଚୟ କରୁଥିଲେ, ଯେ କନ୍ୟାପ୍ରାୟ ପ୍ରତିପାଳିତ ହୋଇ ଅକୃତ୍ରିମ ସ୍ନେହରେ ତାଙ୍କର ଚର୍ଚ୍ଚା ବୁଝୁଥିଲେ ଏବଂ ସଂସାରର ତୀବ୍ର ତରଙ୍ଗାଘାତରେ ଅସହନୀୟ କଷ୍ଟ ଅନୁଭବ କରି ସୁଦ୍ଧା ଯେ ତାହାଙ୍କୁ ଯତ୍ନ କରିବାରେ ତିଳ ମାତ୍ର ତ୍ରୁଟି କରି ନ ଥିଲେ, କାହିଁ, ତାଙ୍କର କଥା ତ ତିଳେ ହେଲେ ମନରେ ଜାତ ହେଲା ନାହିଁ ? ଧନଦ୍ରବ୍ୟ ନଷ୍ଟ ହେଲା ବୋଲି କି ସେ ସବୁ ଏକାବେଳକେ ପାସୋର ଗଲା । ହାୟ ! ଏଡ଼େ ଅମନୁଷ୍ୟ ସୁଦ୍ଧା ପୃଥିବୀରେ ଅଛନ୍ତି ! ଜଗନ୍ନିୟନ୍ତା ଏଭଳି ଲୋକଙ୍କୁ ସୁଦ୍ଧା ଲୋକଶିକ୍ଷାର୍ଥ ଅପୂର୍ବ ଧରାଧାମରେ ସ୍ଥାନ ଦେଇଅଛନ୍ତି ।

 

ଏହିପରି ସର୍ବସ୍ୱ-ନାଶଜନିତ ହୃଦୟ ବିଦାରକ ଚିନ୍ତାଜାଲରେ ଜଡ଼ୀଭୂତ ହୋଇ ରାଧାଗୋବିନ୍ଦ ଚତୁର୍ଦ୍ଦିକ ଶୂନ୍ୟ ଦେଖି ଶୂନ୍ୟମନରେ ଗମନ କରୁଥିଲେ । ଗ୍ରାମ ବାହାରେ କେହି ଏହାଙ୍କ ପ୍ରତି ସେତେ ଦୃଷ୍ଟି ନିକ୍ଷେପ କରି ନଥିଲେ । ମାତ୍ର ଗ୍ରାମ ଭିତରକୁ ଆସିଲାରୁ ଲୋକେ ସ୍ୱତଃ ନାନା ପ୍ରକାର ବିଚାର ପକାଇଲେ । କେହି କହିଲା ‘‘ପାଷାଣ୍ଡ ଘରର ଅବସ୍ଥା ଦେଖି ମରିଯିବ’’ । କେହି କହିଲା ‘‘ଧାନ ପାଏ ଦେଲୁ ନାହିଁ ପରା–ଏବେ ଦେଖ୍‌ କେତେ ଧାନ କିଏ କିପରି ନେଇଗଲା’’ । କେହି କହିଲା ‘‘କାଙ୍ଗାଳଟା ପେଟକୁ ନ ଖାଇ ସଞ୍ଚିଥିଲା ହୋ–ବେଶ ହୋଇଚି’’ । ଏହିପରି କେତେ କଥାର ବିଚାର ପଡ଼ିଗଲା । କେହି ଆଉ ଗାଳି ନ ଦେଇ ଭଲ କହିଲେ ନାହିଁ । ଟୋକାଏ ଦୂରେ ଥାଇଁ ତାଳି ଦେଇ ଥରେ ଥରେ କହି ଉଠନ୍ତି ‘‘କୃପଣର ଧନ ଦ୍ୱିଗୁଣ ହୁଏ–ଚୋରୀ ନ ହେଲେ ଡକାତୀ ହୁଏ’’ । ରାଧାଗୋବିନ୍ଦଙ୍କର ତହିଁରେ ଲେଶ ମାତ୍ର ଭ୍ରୁକ୍ଷେପ ନାହିଁ । ସେ ଶୂନ୍ୟ ମନକୁ କୌଣସି କଥା ସ୍ପର୍ଶ କରୁ ନାହିଁ । ତଥାପି ରାଧାଗୋବିନ୍ଦଙ୍କ ମୁଣ୍ଡ ହଲିଲା ମାତ୍ରକେ ଟୋକାଏ ହର୍ଷରେ ଗଦଗଦ ହୋଇ ପଳାଇ ଯାନ୍ତି ।

 

ପ୍ରହରୀ ଓ ରାଧାଗୋବିନ୍ଦ ଇତ୍ୟାଦି ଗ୍ରାମକୁ ଆସି ନଥିବା କାଳରେ ଖଣ୍ଡେ ଦୂରରୁ ତାଙ୍କୁ ଦେଖି ବିଦ୍ୟୁତ୍‌ ବେଗରେ ଚୌଧୁରୀ ଆସୁଥିବାର ଗ୍ରାମ ଯାକରେ ଚହଳ ପଡ଼ିଗଲା । ଶୁଣିବା ମାତ୍ରକେ ତାଙ୍କୁ ଦେଖିବା ପାଇଁ ଘରଭିତରୁ ଲୋକେ ପଦାକୁ ଧାଇଁ ଆସିଲେ । ତାଙ୍କ ଘରଠାରେ ସମବେତ ହୋଇଥିବା ଅନେକ ଲୋକେ ସେ ସ୍ଥାନ ଛାଡ଼ି ଚୌଧୁରୀଙ୍କି ଦେଖିବାପାଇଁ ଗ୍ରାମ ମୁଣ୍ଡକୁ ଚାଲି ଆସିଲେ । କ୍ରମେ ଚୌଧୁରୀ ଓ ପ୍ରହରୀଙ୍କି ଚତୁର୍ଦ୍ଦିକରେ କନତା ହୋଇଗଲା । ଆଉ ତର୍କବିତର୍କର ସୀମା ରହିଲା ନାହିଁ । ଯେଉଁମାନେ ଦାସ ଖାଡ଼ଙ୍ଗାକୁ ଚିହ୍ନୁଥିଲେ ସେମାନେ ତାହାର ଅବସ୍ଥା ଦେଖି କାତର ହୋଇଗଲେ । ଦାସ ଖାଡ଼ଙ୍ଗା ଡକାୟତ ମଧ୍ୟରେ ଥିଲା ଏକଥା ଦେଖିଲେ ସୁଦ୍ଧା ଲୋକେ ସହଜରେ ବିଶ୍ୱାସ କରିବେ ନାହିଁ । ସୁତରାଂ ତାହା ଶୁଣି କେବଳ ସୁବାଦାରଙ୍କର ଚତୁରବୁଦ୍ଧିର ପ୍ରଶଂସା କଲେ । ଯେଉଁମାନେ ଚିହ୍ନୁ ନ ଥିଲେ ସେମାନେ ତ ତାହାର ଅବୟବ ଦେଖି ଭୂୟାଁ ନୁହେ ବୋଲି ସ୍ଥିର କରି ନେଲେ ଏବଂ ଏପରି ଗୋଟାଏ ଲୋକକୁ ଏଡ଼େ ବଡ଼ ପ୍ରକାଣ୍ଡ ଡକାୟତିରେ ଲିପ୍ତ ଥିବାର ଯେ ବିଶ୍ୱାସ କଲେ ତାଙ୍କର ବିଶ୍ୱାସମୟୀ ବୁଦ୍ଧିକୁ ଶତ ଶତ ଧନ୍ୟବାଦ ଦେଇ ନାନାପ୍ରକାର ତର୍କ ଉପସ୍ଥିତ କଲେ । ଏହିରୂପେ ଚୌଧୁରୀ ଇତ୍ୟାଦିଙ୍କ ସଙ୍ଗେ ସଙ୍ଗେ ଜନତା ଏବଂ ତର୍କସମ୍ଭାବନାଦି ମଧ୍ୟ ଚଳିଲା । ମାତ୍ର ଚୌଧୁରୀ ଥରେ ହେଲେ ତାଙ୍କ ଆଡ଼କୁ ଦୃଷ୍ଟି ଫେରାଉ ନାହାନ୍ତି । ପୁରୁଷଙ୍କ କଥା କି କହିବୁଁ ବର ଦେଖିବାଠାରୁ ଅଧିକତର ଉତ୍ସାହିତା ହୋଇ ସ୍ତ୍ରୀଲୋକମାନେ ସୁଦ୍ଧା ପିଣ୍ଡା ଓ ଦାଣ୍ଡ ଦୁଆରେ ପୂର୍ଣ୍ଣ ହୋଇ ଯାଇଥିଲେ ଏବଂ ଏକା ନିନ୍ଦା ଛଡ଼ା କେହି ଭ୍ରମରେ ସୁଦ୍ଧା ତାଙ୍କର ପ୍ରଶଂସା କଲେ ନାହିଁ । ଏ ଘଟନା ମଧ୍ୟ ଚୌଧୁରୀଙ୍କ ଦୃଷ୍ଟି ଗୋଚର ହେଲା ନାହିଁ ।

 

ହାୟ ! ହାୟ ! କୃପଣର ମନ ଯେପରି ସଂକୀର୍ଣ୍ଣ ସଂସାର କି ତାହା ନିମିତ୍ତ ସେହିପରି ସଂକୀର୍ଣ୍ଣ ? ଅପୂର୍ବ ଜୀବଜନ୍ତୁ ଏବଂ ଅକଳନୀୟ ଧନଦ୍ରବ୍ୟପୂରିତ ଦିଗ୍‌ବିଦିକ୍‌ ବିସ୍ତାରିତ ମନୋହର ସଂସାର କି କୃପଣଠରେ ଏଡ଼େ ସଂକୀର୍ଣ୍ଣ ? –ହଁ ତାହା ହୋଇପାରେ । ମନ ଘେନି ସଂସାର । ଯାହାର ମନ ଯେଡ଼େ ଉଦାର ସେ ସଂସାରକୁ ତେଡ଼େ ଗୌରବାନ୍ୱିତ ଦେଖଇ । ମାତ୍ର ଯାହାର ମନ ନିତାନ୍ତ ସଂକୀର୍ଣ୍ଣ ତାହାର ସଂସାରଠାରେ ବିସ୍ତୃତବୁଦ୍ଧି ହେବ କିପରି ? କୃପଣ ମନ ତାହାର ଧନଠାରେ, ସୁତରାଂ କୃପଣର ସଂସାର ତାହାର ଧନଠାରେ । ଯେବେ ଧନ ଗଲା ତାହାର ସଂସାର ଶେଷ ହେଲା । ପରକୁ ତ ସେ ଦୁଇଚକ୍ଷୁରେ ଦେଖିବ ନାହିଁ, ପରର ଧନ କଥା ଅବା କି କହିବୁଁ ?

 

ରାଧାଗୋବିନ୍ଦଙ୍କର ମନ ସତତ ତାଙ୍କର ସଞ୍ଚିତ ଧନଠାରେ । ଧନ ଛାଡ଼ି କଳାବତୀଙ୍କ ଠାରେ ତ ମନ ନ ଥିଲା, ଅପରର କଥା କି ତହିଁରେ ବୋଲାଯାଇ ପାରେ ? ସେ ସଞ୍ଚିତ ଧନ ନଷ୍ଟ ହେବା ଶୁଣିବା ସମୟରୁ ଏକ ପ୍ରକାର ଚେତନା ହରାଇ ଅଛନ୍ତି । ଧନ ଯେତେବେଳେ ଗଲା ସେତେବେଳେ ତାଙ୍କର ସଂସାର ମଧ୍ୟ ନଷ୍ଟ ହେଲା । ସଂସାରକୁ ସେ ବିଷବତ ଦେଖିଲେ ଆଉ ତାଙ୍କୁ ସଂସାର ଭଲ ଲାଗିଲା ନାହିଁ । ସତ ମିଛ କହି ଧନାର୍ଜ୍ଜନରେ ସେ ସ୍ୱର୍ଗସମ ସୁଖାନୁଭବ କରୁଥିଲେ ଏବେ ସବୁ ତିଳକେ ପାସୋର ଗଲା । ଡକାୟତଙ୍କଠାରୁ ଧନ ପୁନଃପ୍ରାପ୍ତ ହେବ ଏ ଆଶା ମନରେ ଆଦୌ ସ୍ଥାନ ଲଭିଲା ନାହିଁ । ଯହୁଁ ଯହୁଁ ଗ୍ରାମର ନିକଟବର୍ତ୍ତୀ ହେଉଥିଲେ ତହୁଁ ତହୁଁ ତାଙ୍କର ଶୋକାବେଗ ଅଧିକାଧିକ ହେଉଥିଲା । ଗ୍ରାମରେ ପ୍ରବେଶ କଲାମାତ୍ରକେ ଆକାଶ ଛିଡ଼ିପଡ଼ି ବେଗରେ ମସ୍ତକରୁ ତଳକୁ ଖସି ପଡ଼ିଲା ଏବଂ ଚୌଧୁରୀଙ୍କ ଶରୀର ଦୋହଲିଯାଇ ଘର୍ମାକ୍ତ ହୋଇଗଲା । ହଠାତ୍‌ ସଂଜ୍ଞା ହରାଇ ପୁଣି ତତ୍‌କ୍ଷଣାତ୍‌ ସଂଜ୍ଞାଲାଭ କରି ସେହିପରି ଶୋକସନ୍ତପ୍ତ ମନରେ ଗ୍ରାମ ଭିତରକୁ ଗଲେ । ଯହୁଁ ଯହୁଁ ଘର ନିକଟବର୍ତ୍ତୀ ହେଉଅଛି ତହୁଁ ତହୁଁ ଅଧିକାଧିକ ଶୋକାବେଗରେ ହୃଦୟ ବିଦୀର୍ଣ୍ଣ ହୋଇ ଯାଉଅଛି, ତହୁଁ ତହୁଁ ଅଧିକାଧିକ ବେଗରେ ହୃତ୍‌ପିଣ୍ଡ ଶରୀର ମଧ୍ୟରେ ଖସି ପଡ଼ିଲା ପ୍ରାୟ ଜଣାଯାଇ ହୃଦୟ ଦମ୍‌ଦମ୍‌ ପଡ଼ୁଅଛି । ଆଉ ଯନ୍ତ୍ରଣାର ସୀମା ରହିଲା ନାହିଁ । ନିଶ୍ୱାସ ଚଳାଇବା କଠିନ ହୋଇ ଆସିଲା । ଏହାଠାରୁ ଯେ ମରିବା ଶତଗୁଣେ ଭଲ ଥିଲା ତାହା ଚୌଧୁରୀ ମନୋମଧ୍ୟରେ ଶତଥର ବିଚାରି ସ୍ଥିର କରିଥିଲେ ! ହାୟ ! କାହିଁକି ଧନସଞ୍ଚୟ ହେଉଥିଲା । କାହିଁକି ଧନ ସଞ୍ଚୟରେ ଉନ୍ମତ୍ତ ହୋଇ ଆପଣାର ଜୀବନ କଟାଉଥିଲେ । କେଉଁ କାରଣକୁ ତାହା ଲାଗିଲା ! ପୃଥିବୀରେ ଧନ ବ୍ୟୟ କରି କେଉଁ ସୁଖ ଅବା ଲାଭ ନ ହୁଏ ? ମାତ୍ର ବ୍ୟୟାଧିକାର ନ ଥିବା ଲୋକଠାରେ ସେ ସୁଖ କିରୂପେ ଅବା ପହୁଞ୍ଚି ପାରିବ ?

 

ଶୋକାବେଗରେ ଚୌଧୁରୀଙ୍କ ମନ ଏହିରୂପେ ଜଡ଼ୀଭୂତ ହୋଇଗଲା–ଜୀବନ ଦେହରେ ନ ଥିଲା ପରି ତାଙ୍କୁ ଜଣାଗଲା । ଯେପରି କଳରେ ପୁତ୍ତଳିକା ଚାଳିତା ହୁଅଇ ସେହିପରି ତାଙ୍କର ଜୀବହୀନ ଧଡ଼ଟା କଳରେ ଚଳୁଥିଲା ପରି ଜଣାଗଲା । କ୍ରମେ ଇଷ୍ଟାନିଷ୍ଟ ଜ୍ଞାନ ନଷ୍ଟ ହେଲା ପ୍ରାୟ ହୋଇ ଆସିଲା । ପ୍ରତିକ୍ଷଣରେ ମସ୍ତକ ଘୂର୍ଣ୍ଣାୟମାନ ହୋଇ ଫୋପାଡ଼ି ଦେଲା ପ୍ରାୟ ତାଙ୍କୁ ଜଣାଗଲା । ଗ୍ରାମ ଭିତରକୁ ଆସି ଆପଣାର ଭିଟା ଯେତେ ନିକଟବର୍ତ୍ତିନୀ ହେଉଥିବାର ଜ୍ଞାନ ଜାତ ହେଉଥିଲା ସେତେ ଅଧିକ ବେଗରେ ମସ୍ତକ ଭ୍ରମି ଯାଉଥିଲା । ଏତେବେଳେ ତାଙ୍କୁ ଧନସଞ୍ଚୟର କଷ୍ଟ ଜଣାଗଲା । ପ୍ରାଣ ମଧ୍ୟରେ ‘‘ମୋ ଧନ’’ ‘‘ମୋ ଧନ’’ ବୋଲି ଏକା ଚିନ୍ତା ସ୍ରୋତୋ–ବେଗରେ ପ୍ରତିକ୍ଷଣ ପ୍ରତିଧମନୀରେ ରକ୍ତସହିତରେ ପ୍ରବାହିତା ହେଲା । ଅହଂଜ୍ଞାନର ପରାକାଷ୍ଠା ଆଉ କେଉଁଠାରେ ଦେଖାଯିବ କି ? ଚୌଧୁରୀ ଅହଂ–ଜ୍ଞାନରେ ଏକାନ୍ତ ଅଭିଭୂତ ହୋଇ ଆପଣାର ସର୍ବସ୍ୱନାଶ–ଜନିତ ମହାଶୋକରେ କାଷ୍ଠପୁତ୍ତଳିକା ପ୍ରାୟ ହୋଇଗଲା । ବୁଝିଲା ଲୋକେ ଚୌଧୁରୀଙ୍କର ଏ ଭାବ ଦେଖି ତାହାଙ୍କୁ ପାଗଲ ହେବାର ଠଉରାଇ ନେଲେ ।

 

ଏହିପରି ଭାବରେ ଯାଉଁ ଯାଉଁ ଆପଣାର ଭିଟାସ୍ଥାନ ଚୌଧୁରୀଙ୍କ ଦୃଷ୍ଟିଗୋଚର ହେଲା-। ଯାହା ଶୁଣିଥିଲେ, ଯାହା ଦେଖିବେ ବୋଲି ମନରେ କଳ୍ପନା କରୁଥିଲେ, ଯାହା ହୋଇଅଛି ବୋଲି ବିଶ୍ୱାସ ହେବାରୁ ପଦେ ପଦେ ହୃଦୟରେ ଅଙ୍କିତ ହୋଇ ଯାଉଥିଲା ଠିକ୍‌ ସେହିପରି ଦେଖିଲେ । ଭିଟା ପଦା ଦେଖି ମନ ପଦା ହୋଇଗଲା । ସଙ୍ଗେ ସଙ୍ଗେ ଦେହ ମଧ୍ୟ ପଦା ହୋଇଗଲା ଏବଂ କ୍ଷଣକ ମଧ୍ୟରେ ଶୂନ୍ୟମୟ ସଂସାରରେ ପ୍ରାଣବାୟୁ ଶୂନ୍ୟରେ ଉଡ଼ିଯାଇ ନିର୍ଜ୍ଜୀବ ଦେହକୁ ଭୂମିରେ ନିପତିତ କଲା !

Image

 

Unknown

ଷଡ଼ବିଂଶ ପରିଚ୍ଛେଦ

ସଦ୍‌ଗତି

 

କୃପଣର ଆଉ ସଦ୍‌ଗତି ! ଯାହାର ଈଶ୍ୱର ସଙ୍ଗେ ସମ୍ପର୍କ ନାହିଁ, ଯାହାର ଧର୍ମ ସଙ୍ଗେ ଦେଖା ନାହିଁ, ଯାହାର ପରୋପକାର, ଦାନ, ଧ୍ୟାନାଦି କିଛି ନାହିଁ ତାହାର ପୁଣି ସଦ୍‌ଗତି । ସଦ୍‌ଗତି ଲାଭ କରିବା ସଂସାରରେ ସହଜ କଥା ନୁହଇ । ତାହା ହୋଇଥିଲେ ଆଉ ଲୋକଙ୍କୁ ସାବଧାନ ହୋଇ ସଂସାରରେ ଚଳିବାକୁ ହୁଅନ୍ତା ନାହିଁ । ସଦ୍‌ଗତି ଲାଭ ହେବା ନ ହେବାର ପ୍ରମାଣ ଖୋଜିବାକୁ ହେବ ନାହିଁ । ଇହଲୋକରେ ଯେମନ୍ତ ପାପପୂଣ୍ୟର ଫଳଭୋଗ ହୋଇ ସଂସ୍କାର ମାତ୍ର ପରଲୋକକୁ ଗମନ କରେ ସେହିରୂପେ କର୍ମ୍ମକ୍ଷେତ୍ରରୂପ ସଂସାରରେ କୃତକାର୍ଯ୍ୟ ହୋଇ ପରଲୋକରେ ସଦ୍‌ଗତି ଲାଭ ହେବା ନ ହେବା କଥା ଲୋକମୁଖରେ ରହିଯାଏ । ଯେବେ ସଂସାରରେ ପାଞ୍ଚଟା ଭଲ ନ କହିଲେ ତେବେ ସଦ୍‌ଗତିର ଯାହା ଲାଭ ହୋଇଅଛି ସହଜରେ ଅନୁମିତ ହେବ ।

 

ଆମ୍ଭେମାନେ ପୂର୍ବେ କହିଅଛୁଁ ରାଧାଗୋବିନ୍ଦ ସଂସାରଟି ଈଶ୍ୱରଙ୍କର ବୋଲି ଜାଣିଥିଲେ ଏବଂ ଈଶ୍ୱର ସଂସାରର ଧନସମ୍ପତ୍ତିର ଅଧିକାରୀ ଥିବାରୁ ତାଙ୍କୁ ବଡ଼ କରି ଦେଖୁଥିଲେ । ଈଶ୍ୱରଙ୍କ ସହିତରେ ରାଧାଗୋବିନ୍ଦଙ୍କର ଏତିକି ସମ୍ପର୍କ, ଆଉ ସମ୍ପର୍କ ମଧ୍ୟରେ ଈଶ୍ୱରଙ୍କ ଅତୁଳ ଧନଭଣ୍ଡାରରୁ ଧନ ଚୋରାଇ ନେଇ ସଞ୍ଚୟ କରିବା । ତାଙ୍କର ଇଶ୍ୱରଙ୍କଠାରେ ଆଦୌ ଭୟ ଅବା ଭକ୍ତି ନ ଥିଲା । ତାହା ଥିଲେ ତ ମନୁଷ୍ୟ ହୋଇଥାନ୍ତେ ! ତାହା ଥିଲେତ ସଂସାରରେ ନାମ କିଣିଥାନ୍ତେ ଏବଂ ଲୋକମୁଖରେ ପ୍ରଶଂସା ପାଇ କୃତାର୍ଥ ହୋଇଥାନ୍ତେ ! ମାତ୍ର ଚୌର ସ୍ୱଭାବ ସମ୍ପନ୍ନ ଲୋକର ଭାଗ୍ୟରେ ତାହା କାହିଁ ?

 

ଏଭଳି ଲୋକର ଭାଗ୍ୟରେ ଯାହା ଫଳଇ ରାଧାଗୋବିନ୍ଦଙ୍କର ଭାଗ୍ୟକୁ ତାହାହିଁ ଫଳିଥିଲା । ରାଧାଗୋବିନ୍ଦ ଆପଣା ଭିଟାର ଅନତିଦୂରରେ ପ୍ରାଣ ହରାଇ ଭୂମିରେ ସଜୋରେ ନିପତିତ ହେବାର ଦେଖି ଲୋକମାନେ ‘କି ହେଲା କି ହେଲା’ ବୋଲି ସେହି ଆଡ଼କୁ ଦଉଡ଼ିଲେ । ଭୟାନକ ଚହଳ ପଡ଼ିଗଲା । ‘‘ଭିଟାମାଟି ଉତ୍ସନ୍ନ ହେବାର ଦେଖି ପାଷାଣ୍ଡର ଶ୍ୱାସ ଉଡ଼ିଗଲା’’ ବୋଲି ଶତ ଶତ ମୁଖରୁ ନିଃସୃତ ହେଲା । କେତେ ଲୋକ ପରିହାସ କରି କହିଲେ ‘‘ଧନଗୁଡ଼ାକ ମୁଣ୍ଡେଇ ନେଇ ଗଲା ଯେ ।’’ ଏହିପରି ନାନାପ୍ରକାର କଥାମାନ ବାହାରି ଭୟାନକ କୋଳାହଳ ଜାତ ହେଲା । ଡୁମନ ସର୍ଦ୍ଦାର ପ୍ରହରୀମାନଙ୍କୁ ସଙ୍ଗରେ ନେଇ ଜନତା ଭେଦ କରି ରାଧାଗୋବିନ୍ଦଙ୍କ ମୃତଦେହ ଯେଉଁଠାରେ ପଡ଼ିଥିଲା ସେଠାରେ ଉପନୀତ ହେଲେ ।

 

ରାଧାଗୋବିନ୍ଦଙ୍କୁ ସେ ଉତ୍ତମରୂପେ ଚିହ୍ନିଥିଲେ ଏବଂ ଆପଣା ଭିଟାମାଟିର ଏପରି ଦୁର୍ଦ୍ଦଶା ଦେଖି ରାଧାଗୋବିନ୍ଦଙ୍କର ପ୍ରାଣବାୟୁ ଉଡ଼ିଯିବ ବୋଲି ସେ ଆଗହୁଁ ଅନୁମାନ କରିଥିଲେ । ସୁତରାଂ ତାଙ୍କର ମୃତ୍ୟୁରେ ଆଶ୍ଚର୍ଯ୍ୟାନ୍ୱିତ ନ ହୋଇ ବରଂ ମନେ ମନେ ଚିନ୍ତା କଲେ ‘ହତଭାଗ୍ୟର ଏହିପରି ମୁତ୍ୟୁହିଁ ଉଚିତ’ । ଭିଟାମାଟି ଉଚ୍ଛନ୍ନ ହୋଇଗଲା, କୁଳରେ ଦୀପ ଦେବା ପାଇଁ କେହି ରହିଲେ ନାହିଁ, ‘‘ଆହା’’ କରିବାକୁ ସଂସାରରେ ଜଣେ ସୁଦ୍ଧା ନାହିଁ– ଏହିପରି ଯେତେ କଥା ଲୋକଙ୍କଠାରେ ନିନ୍ଦାଯୋଗ୍ୟ ସମସ୍ତ ଏଠାରେ ଏକତ୍ରିତ ହୋଇଥିଲା । ପାଠକେ ? ଯାହାର ଜୀବନଟା ନିନ୍ଦାବାଦରେ ଅତୀତ ହେଲା ମରିବା ଉତ୍ତାରେ ତାହାକୁ କେଉଁ ଭଲ କଥା ମିଳିବ ?
 

 

ଡୁମନ ସର୍ଦ୍ଦାର ଜାଣିବା ଲୋକ ନେଇ ତତ୍‌କ୍ଷଣାତ୍‌ ରାଧାଗୋବିନ୍ଦଙ୍କର ଶରୀର ପରୀକ୍ଷା କଲେ, ମାତ୍ର ସେ ଦେହରେ ଜୀବନ ଥିବାର କୌଣସି ଚିହ୍ନ ଦେଖାଗଲା ନାହିଁ । ତହୁଁ ତାଙ୍କଠାରେ ଟଙ୍କା ପଇସା କି ଅଛି ଦେଖିବା ପାଇଁ ଲୁଗାପଟା ଖୋଜିଲେ ଏବଂ ଖୋଜିବାହିଁ କେବଳ ସାର ହେଲା । ଟଙ୍କା ପଇସା ତେଣିକି ଥାଉ କଡ଼ାଏ କଉଡ଼ି ସୁଦ୍ଧା ବାହାରିଲା ନାହିଁ । ବାହାରିବା ମଧ୍ୟରେ କେବଳ ଡୁମନସର୍ଦ୍ଦାରଙ୍କ ନାମର ପତ୍ର ଖଣ୍ଡିକ ଯାହା ସାତପ୍ରସ୍ତ ହୋଇ ଗଣ୍ଠିରେ ବନ୍ଧାଥିଲା ବାହାରିଲା । ଡୁମନ ସର୍ଦ୍ଦାର ପତ୍ର ପାଠ କରିବା ପୂର୍ବରୁ ମୃତଦେହ ଉଠାଇ ଦେବାର ଉଚିତ ବିବେଚନା କଲେ । ତଥାପି ପତ୍ରଖଣ୍ଡିକରେ କି ଲେଖା ଅଛି ମୋଟାମୋଟି ଦେଖିନେବା ଇଚ୍ଛାରେ ତାହା ଫେଡ଼ି ପୁନର୍ବାର ମୁଦିଦେଇ ସନ୍ତ୍ରୀର ଜିମ୍ମା ଦେଲେ ଏବଂ ମୃତଦେହ କିରୂପେ ଉଠିବ ଲୋକଙ୍କ ସହିତ ପରାମର୍ଶ କଲେ ।

 

ରାଧାଗୋବିନ୍ଦଙ୍କର ଆପଣାର ଲୋକତ କେହି ନାହିଁ । ଗ୍ରାମବାସୀ କାହିଁକି ସମସ୍ତ ଲୋକେ ତାଙ୍କୁ ନିନ୍ଦା କରନ୍ତି– ତିଳେ ସୁଦ୍ଧା କେହି ଭଲ ପାନ୍ତିନାହିଁ । ଡୁମନ ସର୍ଦ୍ଦାର ଯେତେବେଳେ ପଚାରିଲେ ‘‘ରାଧାଗୋବିନ୍ଦଙ୍କର ମୃତଦେହ କିରୂପେ ଉଠିବ’’ ଲୋକେ କହିଲେ ସେଇଟା ହାଡ଼ୀ ଥିଲା । ତାହାକୁ ହାଡ଼ୀ ହାତରେ ଉଠାଇ ଦେଉନ୍ତୁ’’ । –ପାଠକେ ! ଏ କଥା ଭିନ୍ନ ରାଧାଗୋବିନ୍ଦ ଆଉତ କିଛି ଅର୍ଜ୍ଜି ନ ଥିଲେ । ସେ ଅତୁଳବିଭବ ଶେଷକୁ ଏହି କାରଣକୁ ଆସିଲା !

 

ଡୁମନ ସର୍ଦ୍ଦାର ରାଧାଗୋବିନ୍ଦଙ୍କ ଆଚରଣ ଉତ୍ତମରୂପେ ଜାଣିଥିଲେ ଏବଂ ମୃଦାର ଉଠାଇବାକୁ କହିଲେ ଲୋକେ କି ଉତ୍ତର ଦେବେ ତାହା ମଧ୍ୟ ଅନୁମାନ କରିଥିଲେ । ତଥାପି ପରୀକ୍ଷା କାରଣ ଦୁଇଚାରି ଥର ପଚାରିଲେ ମାତ୍ର ଲୋକମାନେ ଯାହା କହିଥିଲେ ତାହା ଛଡ଼ା ଅନ୍ୟ କଥା କହିଲେ ନାହିଁ କି କେହି ସେ ମୃଦାର ଉଠାଇବା କାରଣ ଅଗ୍ରସର ହେଲେ ନାହିଁ । ଡୁମନ ସର୍ଦ୍ଦାର ଅଗତ୍ୟା ବାଧ୍ୟ ହୋଇ ହାଡ଼ି ହାତରେ ଉଠାଇବାର ସ୍ଥିର କଲେ ଏବଂ ହାଡ଼ୀ ଡାକିବା କାରଣ ଜଣେ ସନ୍ତ୍ରୀକି ପଠାଇଲେ ।

 

ମୃତଦେହତ ଏହିରୂପେ ଉଠାଇବାର ସ୍ଥିର ହେଲା ମାତ୍ର ସତ୍‌କାର କିରୂପେ ହେବ ଏଥିରେ ମଧ୍ୟ ପରାମର୍ଶ ପଡ଼ିଗଲା । କେହି କହିଲା ‘‘ତାହାକୁ ସେହିପରି ଶ୍ମଶାନରେ ଫୋପାଡ଼ି ଦିଅ, ବିଲୁଆକୁକ୍କୁର ଖାଇ ଯିବେ’’ । ଆଉ ଜଣେ କହିଲା ‘‘ତୁ ପାଗଲ କିରେ–ତାକୁତ ବିଲୁଆକୁକ୍କୁର କେହି ଛୁଇଁବେ ନାହିଁ, ସେହୁଟା ଜୀଇଥିଲାବେଳେ ଆମ୍ଭଙ୍କୁ ଯେପରି କଳଙ୍କ ହୋଇଥିଲା ସଢ଼ିଯାଇ ଦୁର୍ଗନ୍ଧରେ ଚତୁର୍ଦ୍ଦିକ ପରିପୂରିତ କରି ମଲାପରେ ମଧ୍ୟ ଆମ୍ଭଙ୍କୁ କଳଙ୍କ ହେବ ।’’ ଏ କଥାରେ ସମସ୍ତେ ହସି ଉଠିଲେ । ଡୁମନ ସର୍ଦ୍ଦାର କହିଲେ ‘‘ଏ ଯାହା କହିଲେ ଠିକ୍‌ । ଅନେକ ସମୟରେ ଦେଖା ଯାଇ’ଛି ଯେ ପାପଶରୀରକୁ ବିଲୁଆକୁକ୍କୁର ପର୍ଯ୍ୟନ୍ତ ଛୁଅନ୍ତି ନାହିଁ ।’’ ତହୁଁ ଅନ୍ୟରୂପେ ସତ୍କାର କରିବାର ପରାମର୍ଶ ପଡ଼ିଗଲା । ଏ ପରାମର୍ଶରେ ନାନାପ୍ରକାର ତର୍କ ଏବଂ ନାନାପ୍ରକାର ରହସ୍ୟ କଥାମାନ ବାହାରିଥିଲା । ପରିଶେଷରେ ସତ୍‌କାର ହେଉ ଅବା ଅସତ୍‌କାର ହେଉ ଏହାହିଁ ସ୍ଥିର ହେଲା ଯେ ହାଡ଼ିମାନେ ମୃର୍ଦାରକୁ ଘୋସାଡ଼ି ନେଇ ନଦୀରେ ଫିଙ୍ଗି ଦେବେ । –ହାୟ ! ରାଧାଗୋବିନ୍ଦ । ତୁମ୍ଭେ ଅତୁଳ ବିଭବରେ ଉନ୍ମତ୍ତ ହୋଇ ଏତିକି ଲାଭ କଲ ? ଏତିକି ଲାଭ କରିବା କାରଣ କି ଏତେ ଧନସଞ୍ଚୟ କରିଥିଲ ? ସ୍ୱର୍ଗକୁ ଘେନିଯିବା କଥା ତେଣିକି ଥାଉ ମଲାବେଳେ ସଞ୍ଚିତ ଧନର କଣାମାତ୍ର ନ ଥିବାର ଦେଖି ମୃତ୍ୟୁମୁଖରେ ପତିତ ହେଲ ? ସ୍ୱର୍ଗକୁ ଘେନିଯିବାର ଆଶା ନ ଥାଉ ପଛକେ ଧନ ସଞ୍ଚିତ ଥିବାର ସୁଖ ସୁଦ୍ଧା ଅନ୍ତକାଳକୁ ରହିଲା ନାହିଁ । ଧନ ତୁମ୍ଭର ନୁହେ କି କାହାରି ଧନ କାହାରି ନୁହେ ଏ କଥା ଆଗହୁଁ ଜାଣିଥିଲେ କି ଏତେ ଦଶା ତୁମ୍ଭେ ଲଭିଥାନ୍ତ-? ହାୟ ! ରାଧାଗୋବିନ୍ଦ ! କି ଶିକ୍ଷା ତୁମ୍ଭେ ଦେଇ ନ ଗଲ ? ତୁମ୍ଭେ ଅକାରଣରେ ଜନ୍ମ ହୋଇ ନଥିଲ ମାତ୍ର ପ୍ରକୃତରେ ଅକାରଣ ହୋଇଗଲ ! କଉଡ଼ି କଡ଼ାଏତ କାହାରିକି ଦେଇ ନାହ, କିଏ କାହିଁକି ତୁମ୍ଭ ନିମିତ୍ତ କଡ଼ାଏ ଖର୍ଚ୍ଚ କରିବ ? ଧନଦ୍ରବ୍ୟତ ସମୁଦାୟ ପରହସ୍ତଗତ ହୋଇଥିବା ଆକ୍ଷିରେ ଦେଖିଲ ! ଆଉ ବାକୀ ରହିଲା କିସ ? ଖଣ୍ଡିଏ ବାଉଁଶକୁ ସୁଦ୍ଧା ଯୋଗ୍ୟ ହେଲ ନାହିଁ ! ତୁମ୍ଭେତ ଦୁର୍ଭିକ୍ଷପୀଡ଼ିତ ଲୋକଙ୍କ ନିମିତ୍ତ ସୁଦ୍ଧା ଆହା କରି ନାହ ବରଂ ବିପରୀତ ସମ୍ବାଦଦେଇ ସେତେବେଳେ ମଧ୍ୟ ଅନ୍ୟାୟ ଉପାର୍ଜ୍ଜନ କରିବାରେ ରତଥିଲ, ତୁମ୍ଭ ନିମିତ୍ତ କିଏ କାହିଁକି ଆହା କରିବ ଅବା ଏତେବେଳେ ସତ୍‌କଥା କହିବ ? ତୁମ୍ଭେ ସଂସାରକୁ ଚିହ୍ନି ନ ଥିଲ, ସଂସାର ମଧ୍ୟ ତୁମ୍ଭଙ୍କୁ ଅପଦାର୍ଥ ପରି ଫୋପାଡ଼ି ଦେଲା ! ତୁମ୍ଭେ ଚୋରି କରିବାରେ ରତ ଥିଲ, ତୁମ୍ଭଙ୍କୁ ଲୋକେ ଚୋର ପ୍ରାୟ ତୁଚ୍ଛ କଲେ । ଇହକାଳରେ ଯାହାର ଯେରୂପେ ଗତି ପରକାଳରେ ତାହାର ସେହିରୂପ ଫଳ ମିଳଇ । ଯେ ସଦ୍‌ଗତି ନିମିତ୍ତ ଇହକାଳରେ ଲେଶମାତ୍ର ଚେଷ୍ଟା କରି ନାହିଁ ତାହାର ସଦ୍‌ଗତି ଲାଭ ଅବା ହେବ କିପରି ? ଆଉ ମରିଗଲେ ଇହଲୋକରେ ଯେ ଚଣ୍ଡାଳହସ୍ତରେ ଟଣା ହୁଏ ତାହାର ସଦ୍‌ଗତିର କଥା ଆଉ କି ବୋଲିବୁଁ ?

 

ପରିଶେଷରେ ଚଣ୍ଡାଳ ଆସି ପ୍ରବେଶ ହୁଅନ୍ତେ ଡୁମନ ସର୍ଦ୍ଦାର ରାଧାଗୋବିନ୍ଦଙ୍କର ମୃତଶରୀରକୁ ଲୋକମାନଙ୍କର ‘‘ଛିଛିକାର’’ ମଧ୍ୟରେ ଟଣାଇ ନେଇ ମହାନଦୀର ବିଶାଳବକ୍ଷରେ ଫୋପାଡ଼ି ଦେଲେ । ଦେଖୁଁ ଦେଖୁଁ ଶବଟା ଭାସିଗଲା । କେଉଁଠାରେ ସଡ଼ି ଯାଇ ପୁଣି କେତେ ଲୋକଙ୍କଠାରୁ ‘‘ଛିଛିକାର’’ ଶୁଣିଥିବ ତାହା ବୋଲିବାର ପ୍ରୟୋଜନ ନାହିଁ ।

 

ଏଥିଉତ୍ତାରୁ ଲୋକମାନେ ସନ୍ଧ୍ୟାସମାଗମରେ ଏହି ବିଷୟ ଆନ୍ଦୋଳନ କରୁ କରୁ ଘରକୁ ବାହୁଡ଼ି ଗଲେ । ଡୁମନ ସର୍ଦ୍ଦାର ପ୍ରହରୀ–ପରିବେଷ୍ଟିତ ଦାସ ଖାଡ଼ଙ୍ଗାକୁ ନେଇ ଆପଣା ଆବାସଭୂମି ତରିତୋକୁ ଯାତ୍ରା କଲେ ।

Image

 

ସପ୍ତବିଂଶ ପରିଚ୍ଛେଦ

ଡୁମନ ସର୍ଦ୍ଦାର

 

ଅକୂପାରବତ୍‌ ଅଗାଧଜଳ-ସଂକୁଳା ପୁଣ୍ୟସଲିଳା ମହାନଦୀ ଚିତ୍ରୋତ୍ପଳା ଏବଂ ପାଇକ-। ରୂପିଣୀ ଶାଖାଦ୍ୱୟଦ୍ୱାରା ହସ୍ତ ପ୍ରସାରଣ ପୂର୍ବକ ନିଶ୍ୱାସ ମାଇଲା ପ୍ରାୟ କ୍ଷୀଣୋଦରୀ ହୋଇ ଯେଉଁଠାରେ ପ୍ରବାହିତା ହେଉଅଛି, ଯେଉଁଠାରେ ଠିଆ ହେଲେ ଅପର ପାର୍ଶ୍ୱର ଭୀମାକୃତି କାଇଜଙ୍ଗ ବନ ଅଧିକତର ଭୟଙ୍କର ଦିଶଇ, ଯେଉଁଠାରେ ସେହି ଭୀମ ବନର ଏକ ପାର୍ଶ୍ୱସ୍ଥ ବନାଚ୍ଛାଦିତ ବରଦା ଗ୍ରାମ ଏବଂ ଅପର ପାର୍ଶ୍ୱସ୍ଥ ମନୋହର ଉପବନ ପ୍ରାୟ ପରିଦୃଶ୍ୟମାନ କୃଷ୍ଣନଗର ଗ୍ରାମ ଦେଖିଲେ କରାଳକାଳ-ଚାଳିତସଂସାର ମଧ୍ୟରେ ମନୁଷ୍ୟ କରାଳକାଳକୁ ଆସନ୍ନବତ୍ତୀ ଜାଣି ଭୟରେ ଚାଳିତ ହୋଇ ସୁଦ୍ଧା ବିଷମୟ ବିଷମ ସଂସାରକୁ ଆଶାରୂପ ଶାନ୍ତିଜଳ ସେଚନ ପୂର୍ବକ ଅଭିନବ ଜୀବନ ପ୍ରଦାନ କରିଥିବାର ଶୋଭା ସ୍ପଷ୍ଟରୂପେ ପ୍ରତୀୟମାନ ହୁଅଇ, ଯେଉଁଠାରେ ଆମ୍ର, ପନସ, ନାରିକେଳାଦି ସୁସ୍ୱାଦୁ ଫଳବିଶିଷ୍ଟ ବୃକ୍ଷମାନ ନଦୀ-ତୀରରେ ସ୍ୱଚ୍ଛନ୍ଦ ଭାବରେ ପରବର୍ଦ୍ଧିତ ହୋଇ ତୀରକୁ ଅପୂର୍ବ ଶୋଭା ପ୍ରଦାନ କରତଃ କ୍ଲାନ୍ତ ନୌକା–ଯାତ୍ରୀଙ୍କି ଏହି ପାରରେ ଅବତରଣ କରି ଶାନ୍ତି ଦୂର କରିବା କାରଣ ସତତ ଇଙ୍ଗିତ କରୁଅଛି, ଯେଉଁଠାରେ ମହାନଦୀର ମନୋହର ସିକାତାମୟ ଚରାଦିରେ ଦଳେ ଦଳେ ଚକ୍ରବାକଯୁଗଳ ସୁନିର୍ମଳ ଜଳରେ ଅପୂର୍ବରଙ୍ଗରେ ଜଳକ୍ରୀଡ଼ା କରତଃ କୁମ୍ଭୀରାଦି ଜଳଜନ୍ତୁର ଭୟ ଅବହେଳେ ବିଦୂରିତ କରି ପୃଥିବୀକି କେବଳ ଶୋଭାମୟୀ ବୋଲି ବିଚାରିବା କାରଣ ଜଣାଇ ଦେଉଅଛନ୍ତି ଏବଂ ଯେଉଁ ଠାରେ ପ୍ରକୃତିର ଏପରି ମନୋହାରିଣୀ ଶୋଭା ଦେଖି ନଦୀତୀର ବନପୁଷ୍ପରେ ଚତୁର୍ଦ୍ଦିକ ସୌରଭାନ୍ୱିତ କରି ହସି ଗଡ଼ି ଯାଉଅଛି, ପାଠକେ ! ସେହିଠାରେ ଆମ୍ଭମାନଙ୍କର ପୂର୍ବକଥିତ ତରିତୋ ଗ୍ରାମ । ସେହିଠାରେ ସୁବାଦାରଙ୍କ ପ୍ରଧାନ କର୍ମଚାରୀ ଡୁମନ ସର୍ଦ୍ଦାରଙ୍କ ଆବାସଗୃହ ଦୁର୍ଗପ୍ରାୟ ରଚିତ ହୋଇ ଅପୂର୍ବ ଶୋଭା ବିସ୍ତାର କରିଅଛି । କଟକର ଲାଲବାଗସ୍ଥ ସୁବାଦାରଙ୍କ ପ୍ରାସାଦ ପରି ବୃହତ୍‌ ନ ହେଲେହେଁ ଡୁମନ ସର୍ଦ୍ଦାରଙ୍କ ପ୍ରାସାଦ କ୍ଷୂଦ୍ରାୟତନରେ ଠିକ୍‌ ତହିଁର ଛବି ବୋଇଲେ ଅତ୍ୟୁକ୍ତି ହେବ ନାହିଁ ଏବଂ ସମୁଦାୟ ପ୍ରାସାଦ ପ୍ରସ୍ତର ନିର୍ମିତ ଓ ସଦୃଢ଼ । ଶତ୍ରୁଭୟରେ ଚତୁର୍ଦ୍ଦିକରେ ବିସ୍ତୃତ ଆୟତନରେ ପରିଖା ଖୋଳା ହୋଇ ଅନେକ ଜଳ ପୂର୍ଣ୍ଣହୋଇ ରହିଅଛି ଏବଂ ପରିଖାର ଉଭୟ ତୀର ବଂଶବନରେ ଆବୃତ୍ତ ଥାଇ ଦୁର୍ଗମ ହୋଇ ରହିଅଛି, ତଥାପି ଶୋଭାର ହ୍ରାସ ହୋଇନାହିଁ । ପରିଖା ଜଳ ଯେପରି ହଂସମାନଙ୍କର ସନ୍ତରଣ ଏବଂ ଜଳଚର ପକ୍ଷୀମାନଙ୍କର କ୍ରୀଡ଼ାସ୍ଥଳ ହୋଇଅଛି ସେହିପରି ବଂଶବନ ମୟୂରାଦି ପକ୍ଷୀମାନଙ୍କର ନୃତ୍ୟଗୀତର ରଙ୍ଗଭୂମି ହୋଇଅଛି । ପାଠକେ ! ପରିଖା ଏ ପାରିରେ ଠିଆ ହେଲେ ତହିଁ ମଧ୍ୟରେ ମହାରାଷ୍ଟ୍ରୀୟ ପ୍ରଧାନ କର୍ମ୍ମଚାରୀଙ୍କର ପ୍ରାସାଦ ଅଛି ବୋଲି ମନରେ ବିଶ୍ୱାସ ହେବ ନାହିଁ–ବଂଶବନ ଏପରି ଘନ ଏବଂ ଦୁର୍ଗମ । ବରଂ କିୟତ୍‌କାଳ ସେଠାରେ ଠିଆ ହେଲେ ବଂଶବନଚାରୀ-ବାୟୁ-ରଚିତ ନାନାପ୍ରକାର ବିକଟସ୍ୱନ ଡାକିନୀ ଯାଗିନୀଙ୍କ ସମାଗମ ପ୍ରଚାର କରି ମନରେ ଭୟ ଜାତ କରାଇ ପଥିକକୁ ବିତାଡ଼ିତ କରିଦେବ, ମାତ୍ର ସେ ସ୍ୱନ ପରିଚିତ ଲୋକଙ୍କ ପକ୍ଷେ ପ୍ରକୃତିର ଅପୂର୍ବ ବଂଶୀସ୍ୱନ–ତହିଁରେ ପ୍ରକୃତି ପ୍ରତ୍ୟେକ ଲୋକର ମନ ଭୁଲାଇ ଅଭୂତପୂର୍ବ ମାୟାପାଶରେ ଲୋକମାନଙ୍କୁ ପୃଥିବୀରେ ବାନ୍ଧି ରଖିଅଛି । ପାଠକେ ! ନବଗ୍ରାମରୁ ଆସି ଦାସଖାଡ଼ଙ୍ଗା ଓ ପ୍ରହରୀମାନଙ୍କ ସହିତ ଡୁମନ ସର୍ଦ୍ଦାର ଏହି ପରିଖା ପାରି ହୋଇ ନିଜପ୍ରାସାଦକୁ ଗମନ କଲେ । ଆସନ୍ତୁ ତାଙ୍କ ସଙ୍ଗେ ଯାଇ କ୍ରିୟାକଳାପ ପରିଦର୍ଶନ କରିବେ ।

 

ଡୁମନ ସର୍ଦ୍ଦାର ଦେଖିବାକୁ ଅତ୍ୟନ୍ତ ବଳଶାଳୀ ପୁରୁଷ ଥିଲେ । କୁଜଙ୍ଗର ଭୂୟାଁମାନେ ତାଙ୍କୁ ସେହି ହେତୁରୁ ବଡ଼ ପ୍ରଶଂସା କରନ୍ତି । ମହାରାଷ୍ଟ୍ରୀୟ ହୋଇ ଏମନ୍ତ ବଳଶାଳୀ ଲୋକ ଦେଖାଯିବା ଅତ୍ୟନ୍ତ ବିରଳ । ସେ ଦେଖିବାକୁ ଯେମନ୍ତ ବଳିଷ୍ଠ ତାଙ୍କର ଗଠନ ମଧ୍ୟ ସେହିପରି ସୁନ୍ଦର । ତାଙ୍କର ଅଜାନୁଲମ୍ବିତ ବାହୁ, ବିସ୍ତୃତ ବକ୍ଷ, ପ୍ରସ୍ତର ପ୍ରାୟ କଠିନ ଜାନୁ, ସୁଦୃଢ଼ ନିଠାମ ସ୍କନ୍ଧ, ବକ୍ରୀକୃତ ବିଶାଳ ଶ୍ମଶ୍ରୁଦ୍ୱୟ ଏବଂ ଆକର୍ଣ୍ଣବିସ୍ପାରିତ ପ୍ରକାଣ୍ଡଚକ୍ଷୁ ଦେଖିଲେ ଅସୁର ପ୍ରାୟ ଶତ୍ରୁ ସୁଦ୍ଧା ଭୟ କରିବେ । ତଥାପି ତାଙ୍କ ମୁଖ-ଗଠନରେ ଏମନ୍ତ ଶାନ୍ତଭାବ ବିଦ୍ୟମାନ ଅଛି ଯେ ପରିଚିତ ଲୋକମାନେ ତାଙ୍କୁ ପାଇଲେ ସ୍ୱର୍ଗ ଲାଭ ହେଲା ପ୍ରାୟ ମନେ କରନ୍ତି ଏବଂ ଅପର ଲୋକ ତାଙ୍କୁ ଦେଖିବା କାରଣ ଦଣ୍ଡେଖଣ୍ଡେ ଠିଆ ନ ହୋଇ ଯାଇ ପାରିବେ ନାହିଁ । ଯୋଗ୍ୟତାରେ ମଧ୍ୟ ସେ କିଛି ଊଣା ନ ଥିଲେ । ଯେମନ୍ତ ସାଂସାରିକ ବିଷୟକାର୍ଯ୍ୟ ଦେଖିବାକୁ ଦକ୍ଷ ସେହିପରି ରାଜକାର୍ଯ୍ୟ ଚଳାଇାବାକୁ ସୁଚତୁର । ଚୋରଡକାୟତ ତାଙ୍କ ଇଲାକାରେ ଅଚିହ୍ନିତ ନ ଥିଲେ ଏବଂ କୌଣସିଠାରେ ଚୋରିଡକାୟତି ହେଲେ ଡୁମନ ସର୍ଦ୍ଦାର ଯେ ଅପରାଧିଙ୍କି ଧରି ନ ପାରିବେ ଏହା କଦାପି ହେବ ନାହିଁ । –ପାଠକେ ! ଏବସ୍ମୂତ ଲୋକ ଯେ ଶାସନକର୍ତ୍ତାଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିବ ଏଥିରେ ସନ୍ଦେହ କି ଅଛି ? ସେ ଯାହା କରିବେ ତହିଁରେ ପାଟି ଖୋଲିବାକୁ କାହାରିକି କେବେ ଦେଖାଯାଇ ନାହିଁ ଏବଂ ନିଜଗୁଣରୁ ସେ ସର୍ବଦା ନଶ୍ଚିନ୍ତ ଥାଇ ରାଜ୍ୟକାର୍ଯ୍ୟ ସମ୍ପନ୍ନ କରନ୍ତି-। ଆମ୍ଭମାନଙ୍କର ପୂର୍ବ କଥିତ ସୁବାଦାର ଯେପରି ଅମନୁଷ୍ୟ ଥିଲେ ଡୁମନ ସର୍ଦ୍ଦାର ସେହିପରି ବିପରୀତ ଗୁଣସମ୍ପନ୍ନ ମନୁଷ୍ୟ ଥିଲେ । ଲୋକଙ୍କର ଅବସ୍ଥା ସନ୍ଦର୍ଶନ କରିବା ଏବଂ ସମ୍ପୂର୍ଣ୍ଣ ସହାନୁଭୂତି ଦେଖାଇ ଉପଯୁକ୍ତ ସାହାଯ୍ୟ କରିବା ଏବଂ ବେଳେ ବେଳେ ଉପର ହାକିମଙ୍କ ଆଜ୍ଞା କୌଶଳରେ ଅବହେଳା କରି ବିପନ୍ନ ଲୋକମାନଙ୍କୁ ଉଦ୍ଧାରକରିବାଦି ମହଦ୍‌ଗୁଣରେ ସେ ବିଭୂଷିତ ଥିଲେ ଏବଂ ଅଧିକ ଆଉ କି କହିବୁଁ ତରିତୋ ଅଞ୍ଚଳ ତାଙ୍କୁ ଘେନି ଉଜ୍ଜ୍ୱଳ ହୋଇ ରହିଥିଲା ।

 

ଭୂୟାଁଙ୍କଠାରେ ମଧ୍ୟ ଏ ମହାଶୟ ଅପରିଚିତ ନୁହନ୍ତି । ଯେତେବେଳେ କାଳଗତିରୁ ଏ ମହାଶୟ ଉତ୍ତମରୂପେ ବୁଝି ପାରିଲେ ଯେ ଓଡ଼ିଶାରେ ମହାଭୟଙ୍କର ଦୁର୍ଭିକ୍ଷ ଉପସ୍ଥିତ ହୋଇ ଲକ୍ଷ ଲକ୍ଷ ପ୍ରାଣୀଙ୍କୁ ବିନଷ୍ଟ କରିବ କେତେବେଳୁଁ ସୁବାଦାରଙ୍କୁ ଜଣାଇ ପ୍ରତିକାର ଲୋଡ଼ିଥିଲେ; ମାତ୍ର ନିର୍ଦ୍ଦୟ, ସ୍ୱାର୍ଥପର ଓ ଅମନୁଷ୍ୟ ସୁବାଦାରଙ୍କଠାରୁ କିଛି ସାହାଯ୍ୟ ପାଇବା ତେଣିକି ଥାଉ ଲୋକଙ୍କର ମହାବିପଦ ରୂପ ଦୁର୍ଭିକ୍ଷ–ବାର୍ତ୍ତା ଜଣାଇବାରୁ ଭୟାନକ ତିରସ୍କାର ସହ୍ୟ କରିବାକୁ ହୋଇଥିଲା । ସୁକଠିନ ପର୍ବତରୁ ସୁଦ୍ଧା ବିମଳ ସଲିଳବାହିନୀ ନିର୍ଝରିଣୀ ପ୍ରବାହିତା ହୁଅଇ । ଡୁମନ ସର୍ଦ୍ଦାରଙ୍କ କଠିନଦେହ ମଧ୍ୟଗତ ହୃଦୟର ନିଭୃତତମ ସ୍ଥାନରୁ ଉପରିସ୍ଥ କର୍ମଚାରୀଙ୍କ କଠିନ ଆଦେଶର ଆଘାତରୁ ଶୋକଧାରା ପ୍ରବାହିତ ହୋଇ ଦୁଇ ଚକ୍ଷୁରୁ ଅଶ୍ରୁ ବିସର୍ଜାଇ ଥିଲା । ଆପଣା କପାଳରେ ଯାହା ଥାଉ, ଆପଣାର ପ୍ରାଣ ରହୁ ଅବା ନ ରହୁ, ଲକ୍ଷ ଲକ୍ଷ ମହାପ୍ରାଣୀଙ୍କି ଉଦ୍ଧାର କରିବା କର୍ତ୍ତବ୍ୟ ଜ୍ଞାନ କରି ସ୍ୱୟଂ କୁଜଙ୍ଗ ଯାତ୍ରା କଲେ । ସେଠାରେ ଷଣ୍ଢଙ୍କ ସଙ୍ଗେ ପରାମର୍ଶ କରିବାରେ ଭୂୟାଁଙ୍କଦ୍ୱାରା ଅମନୁଷ୍ୟ ଧନୀମାନଙ୍କ ସଞ୍ଚିତ ଧନଧାନ୍ୟ ଅପହରଣ କରିବା ଏକମାତ୍ର ଉପାୟ ବୋଲି ସ୍ଥିର ହେଲା । ସଙ୍ଗେ ସଙ୍ଗେ ରଘୁନାଥ ପଟ୍ଟନାୟକଙ୍କ ସାହାଯ୍ୟ ଏବଂ ସହାନୁଭୂତି ମିଳିଲା ଏବଂ ତାଙ୍କୁ ଏ କାର୍ଯ୍ୟର ଅଧିନାୟକତ୍ୱରେ ବରଣ କରି ସେ କୁଜଙ୍ଗରୁ ବାହୁଡ଼ି ଥିଲେ । ବାହୁଡ଼ିବା ସମୟରେ ଡକାୟତଦଳଙ୍କ ପରିଚୟାର୍ଥ ଷଣ୍ଢେ ତାଙ୍କୁ ସର୍ଦ୍ଦାର ସିଂହ ନାମ ପ୍ରଦାନ କଲେ-। ପାଠକେ ! ଏହି ଡୁମନ ସର୍ଦ୍ଦାର ଆମ୍ଭମାନଙ୍କର ପୂର୍ବକଥିତ ସର୍ଦ୍ଦାର ସିଂହ । ବୋଲିବା ଅଧିକ ଯେ ଏଭଳି ଲୋକର ସାହାଯ୍ୟ ଏବଂ ସହାନୁଭୂତିରେ ଭୂୟାଁମାନେ ନିତାନ୍ତ ନିବିଘ୍ନରେ ସ୍ୱକାର୍ଯ୍ୟ ସାଧନ କରିବାକୁ ସମର୍ଥ ହେଉଥିଲେ ।

 

ନବଗ୍ରାମର ଚୌଧୁରୀ ଓ ଦାସଙ୍କ ଘରେ ଯେଉଁ ଡକାୟତି ହୋଇଅଛି ତହିଁର ସମୁଦାୟ ବୃତ୍ତାନ୍ତ ଯେ ଡୁମନ ସର୍ଦ୍ଦାର ଅଥବା ସର୍ଦ୍ଦାର ସିଂହଙ୍କୁ ଜଣାଅଛି ପାଠକଙ୍କର ତହିଁରେ ଆଉ ସନ୍ଦେହ ନାହିଁ । ସର୍ଦ୍ଦାର ସିଂହ ଉତ୍ତମରୂପେ ଜାଣନ୍ତି ଯେ ଦାସ ଖାଡ଼ଙ୍ଗା ସେ ଡକାୟତିରେ ଲିପ୍ତ ନ ଥିଲା ଏବଂ ଏହା ମଧ୍ୟ ତାଙ୍କୁ ଜଣାଅଛି ଯେ ଚୌଧୁରୀ ସୁବାଦାରଙ୍କର ଅତ୍ୟନ୍ତ ବିଶ୍ୱାସୀ ଭୃତ୍ୟ ଏବଂ ଖାଡ଼ଙ୍ଗା ପ୍ରତି ସୁବାଦାରଙ୍କ ବିଶେଷ ସନ୍ଦେହ ଓ ରାଗ ହୋଇଅଛି । ସୁବାଦାର ଯେଉଁ ପତ୍ର ଲେଖିଥିଲେ ତହିଁରେ ତାଙ୍କର ଦାସ ଖଡ଼ଙ୍ଗାପ୍ରତି କି ରୂପେ ସନ୍ଦେହ ହୋଇଥିଲା ତାହା ବିସ୍ତୃତରୂପେ ଲେଖି ଏ ବିଷୟ ଉତ୍ତମରୂପେ ତଦନ୍ତ କରି ଜଣାଇବା କାରଣ ଆଦେଶ କରିଥିଲେ ଏବଂ ତଦନ୍ତର ଫଳ ଜଣାଇବା ସଙ୍ଗେ ସଙ୍ଗେ ଦାସଖାଡ଼ଙ୍ଗାକୁ ଫେରି ପଠାଇବାର ଆଜ୍ଞା କରିଥିଲେ । ସୁତରାଂ ଖଡ଼ଙ୍ଗାକୁ ଛାଡ଼ି ଦେବାରେ ଏହାଙ୍କର ସାଧ୍ୟ ନାହିଁ । ମଧ୍ୟ ଲୋକ ଦେଖାଇବା କାରଣ ଗୋଟାଏ ତଦନ୍ତ ମଧ୍ୟ ହେବା ଆବଶ୍ୟକ । ଏହିପରି ବିଚାର କରି ରାତ୍ରି ଯାପନ କରିବା କାରଣ ଦାସ ଖଡ଼ଙ୍ଗାକୁ ଗୋଟିଏ କୋଠରିରେ ରଖିଲେ । ସେ ରାତ୍ରରେ ଦିନମାନ ଉପବାସ ଉତ୍ତାରୁ ଦାସ ଖାଡ଼ଙ୍ଗାକୁ ଭୋଜନ ମିଳଲା ଏବଂ ତାହା କେବଳ ସର୍ଦ୍ଦାର ସିଂହଙ୍କ କୃପାରୁ । ଭୋଜନ ସାରି ଖାଡ଼ଙ୍ଗା କୋଠରି ମଧ୍ୟରେ ପଡ଼ିରହିଲା । ନିଦ୍ରାତ ହେଲା ନାହିଁ–ମନ ଅତି ଚଞ୍ଚଳ ଏବଂ ନାନା ଚିନ୍ତାରେ ଆନ୍ଦୋଳିତ ହେଉଥିବାରୁ ଶୀତକାଳର ଶୀତ ସୁଦ୍ଧା ତାଙ୍କୁ ଜଣାଗଲା ନାହିଁ । ପ୍ରହରୀମାନେ ଦ୍ୱାରଦେଶରେ ନାକ ଡକାଇ ଶୟନ କଲେ ଏବଂ ଗଭୀର-ନିଶା-ଗର୍ଜ୍ଜନରେ ସେ ସ୍ୱନ ମିଳିତ ହୋଇ ଖାଡ଼ଙ୍ଗାକୁ ଅଧିକତର ଭୟବିଜଡ଼ିତ କରୁଥିଲା ।

 

ଦାସ ଖାଡ଼ଙ୍ଗା ସୁବାଦାରଙ୍କଠାରୁ ଡକାୟତ ରୂପେ ଧରାହୋଇ ଆସିଥିବାର ଶବ୍ଦ ରାତ୍ରକ ମଧ୍ୟରେ ବହୁଦୂରକୁ ବହାରି ଗଲା ଏବଂ ସୁବାଦାରଙ୍କଠାରୁ ଡକାୟତିର ତଦନ୍ତ ହେବାର ଆଦେଶ ଆସିଥିବାରୁ ତାହା ଦେଖିବା କାରଣ ପ୍ରାତଃକାଳରେ ଅନେକ ଲୋକ ତରିତୋଠାରେ ଜମା ହୋଇଥିଲେ । ଖାଡ଼ଙ୍ଗାର ବୃଦ୍ଧା ମାତା ଓ ତରୁଣୀ ଭାର୍ଯ୍ୟା ମଧ୍ୟ ଉପସ୍ଥିତ ହେଲେ । ମାତାର ବୟସ ପ୍ରାୟ ବ୮୦ର୍ଷ, ଦେହରେ ମାଂସ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି ସେହି ଅସ୍ଥି ଚର୍ମ୍ମ ଶରୀରରେ ବାଡ଼ି ଖଣ୍ଡିଏ ଠୁକୁଠୁକୁ କରି ଦୁଇଚକ୍ଷୁରୁ ଅନବରତ ଅଶ୍ରୁ ଗଡ଼ାଇ ସେଠାରେ ପହୁଞ୍ଚି ଅଛି । ବୁଢ଼ୀର ଚାରିଗୋଟି ପୁଅ ମଧ୍ୟରୁ ଏକା ଖାଡ଼ଙ୍ଗା ବଞ୍ଚି ଅଛି–ସୁତରାଂ ଖାଡ଼ଙ୍ଗା ଯେ ଅନ୍ଧର ଲଉଡ଼ି ସ୍ୱରୂପ ବୃଦ୍ଧାର ପରମଧନ ଏଥିରେ ସନ୍ଦେହ ନାହିଁ । ଭାର୍ଯ୍ୟାର ବୟସ ବିଂଶ ବର୍ଷ । ସେ ଗୋଟିଏ ଖିଗ୍ଧପୋଷ୍ୟା ବାଳିକାକୁ କାଖରେ ଜାକି ଅଛି ଓ ତିନିବର୍ଷର ପୁତ୍ରଟିକି ହାତଧରି ଚଲାଇ ଆଣିଅଛି । ଭାର୍ଯ୍ୟା ଦେଖିବାକୁ ଦିବ୍ୟସୁନ୍ଦରୀ ଏବଂ ସେ ଯେମନ୍ତ ପତିବ୍ରତା ସେହିପରି ଗୁଣବତୀ । ସେ ସୁନ୍ଦର ମୁଖମଣ୍ଡଳ ପତି–ଦୁଃଖସମ୍ବାଦରେ ପ୍ରାତଃକାଳୀନ ଚନ୍ଦ୍ର ପ୍ରାୟ ମଳିନ ଦିଶୁଅଛି । ଚକ୍ଷୁର୍ଦ୍ଦୟରୁ ବିନ୍ଦୁ ବିନ୍ଦୁ ହୋଇ ଅଶ୍ରୁବାରି ଗଳିପଡ଼ି ଗଣ୍ଡଦେଶକୁ ଆବିଳ କରିଅଛି । ପୁତ୍ରଟି ଚାଲୁ ଚାଲୁ ଥରେ ଥରେ ପଚାରୁଅଛି ‘‘ବୋଉ, ବୋପା କାହିଁ ?’’ ଆଉ ମାତା ଅଶ୍ରୁଧାରା ସହିତ ‘‘ସର୍ଦ୍ଦାରଙ୍କ ଘଟି ଅଛନ୍ତି, ଚାଲ୍‌ ଦେଖିବୁ’’ ଇତ୍ୟାଦି ପ୍ରବୋଧ ବାକ୍ୟ କହି ତାହାକୁ ଘେନି ଯାଉଅଛି । ଏଥିରୁ ପାଠକମାନେ ବୁଝି ନିଅନ୍ତୁ ଏମାନଙ୍କର କେତେ ସରିକି ଦୁଃଖ ହୋଇଅଛି ଏବଂ ଯାହାର ଏପରି ମାତା ଏବଂ ଭାର୍ଯ୍ୟାଦି ଘେନି ସଂସାର ତାହାର ଅକାରଣ ବନ୍ଦିବାସରେ ଯେ ମନରେ କି କଷ୍ଟ ଅନୁଭୂତ ହେଉଥିବ ତାହା ବର୍ଣ୍ଣନାତୀତ । ତହିଁରେ ପୁଣି ଦୁଃଖର ସଂସାର ! ଘରେ ପାଞ୍ଚପଇସା ଥିଲେ ପେଟଭାତର ଚିନ୍ତା ନ ଥାନ୍ତା ମାତ୍ର ଖାଡ଼ଙ୍ଗାର ସେପରି ସଂସାର ନୁହେ । ତହିଁ ଉପରେ ଦୁର୍ଭିକ୍ଷର ଦାଉ । ଏପରି ଅବସ୍ଥାରେ ପିଲାପିଲି ଓ ମାତାଙ୍କ କଥା ମନେ ପଡ଼ିଲା ବେଳକୁ ଖାଡ଼ଙ୍ଗାର ହୃଦୟ ଦହିହୋଇ ଯାଉଅଛି ।

 

ସର୍ଦ୍ଦାର ସିଂହ ପ୍ରାତଃକାଳ ଦୁଇଘଡ଼ି ସମୟରୁ ଆରମ୍ଭ କରି ବେଳ ଛ’ ଘଡ଼ି ପର୍ଯ୍ୟନ୍ତ ନବଗ୍ରାମ ଏବଂ ନିକଟବର୍ତ୍ତୀ କେତେକ ଗ୍ରାମର ଲୋକମାନଙ୍କଠାରୁ ପ୍ରମାଣ ନେଲେ । ଆମ୍ଭେମାନେ ପୂର୍ବେ କହିଅଛୁଁ ଏସବୁ କେବଳ ଲୋକଙ୍କୁ ଦେଖାଇବା କାରଣ ସର୍ଦ୍ଦାର ସିଂହ କରୁଅଛନ୍ତି । ଲୋକେ ମଧ୍ୟ କେହି କିଛି ବିଶେଷ କହି ପାରିଲେ ନାହିଁ ଏବଂ ଦାସ ଖାଡ଼ଙ୍ଗାକୁ ଘଟନା ସ୍ଥଳରେ ଆଦୌ ଉପସ୍ଥିତ ଥିବାକୁ ଦେଖିଥିବାର କେହି କହିଲେ ନାହିଁ । ତଥାପି ସର୍ଦ୍ଦାରସିଂହଙ୍କୁ ଛାଡ଼ିଦେବାର ଅଧିକାର ନ ଥିଲା । ସେ ଖାଡ଼ଙ୍ଗାର ବୃଦ୍ଧାମାତା ଓ ଭାର୍ଯ୍ୟାଙ୍କୁ ଡକାଇ ଖାଡ଼ଙ୍ଗା ଦୋଷୀ ଥିବାର ପ୍ରମାଣ ହେଉ ନ ଥିବାର ବୁଝାଇ ଦେଇ କେତେ ସାନ୍ତ୍ୱନା ପ୍ରଦାନ କଲେ ଓ ସେମାନଙ୍କ ଅନାହାରକ୍ଲିଷ୍ଟ ଅବସ୍ଥା ଦେଖି ଆପଣା ନବରରୁ ଖାଇବାର ଦ୍ରବ୍ୟାଦି ମଧ୍ୟ ଅଣାଇ ଦେଲେ । ମାତ୍ର ଖାଇବ କିଏ ? ସେମାନଙ୍କର ମନ ତ ପୋଡ଼ି ଯାଉଅଛି; କ୍ରୋଧାନ୍ୱିତ ନିର୍ଦ୍ଦୟ ସୁବାଦାର କି କରିବେ ଭାବି ତାଙ୍କର ପିଣ୍ଡରୁ ପ୍ରାଣ ବାହାରି ଯାଉଅଛି । ସେମାନେ ଖାଇବେ କିସ ? ପୁତ୍ର ଦେଖି ବୃଦ୍ଧା ଯେ କେତେ ବାହୁନି କାନ୍ଦିଲା ତାହା ଲେଖିବାକୁ ହାତ ଚାଲୁ ନାହିଁ–ଯେ ବୃଦ୍ଧାର କ୍ରନ୍ଦନ ଶୁଣିଅଛି ତାହାର ଚକ୍ଷୁରୁ ବାରିଧାରା ବିଗଳିତା ହୋଇଅଛି । ଏପରି ଅବସ୍ଥାରେ ସ୍ୱାମୀ ଦର୍ଶନରେ ଭାର୍ଯ୍ୟାର ମନ ଯାହା ହୁଏ ତାହା ଅବା ପାଠକଙ୍କୁ କିରୂପେ ଜଣାଇବୁ ସ୍ଥିର କରି ପାରୁନାହୁଁ । ଭାର୍ଯ୍ୟା ଥରେ ସ୍ୱାମୀ ମୁଖକୁ ଅନାଇ ମୁଖ ପୋତି ନୀରବରେ ଅଶ୍ରୁ ବିସର୍ଜ୍ଜନ କରେ ଆଉ ଥରେ ପୁତ୍ରଶୋକବିହ୍ୱଳା ରୋଦନ ପରାୟଣା ବୃଦ୍ଧା ଶାଶୁର ଚକ୍ଷୁର ଅଞ୍ଚଳରେ ଲୋତକ ପୋଛି ଦିଏ । ତେଣେ ବାଳକଟି ‘‘ମା, ହେଇ ବାପା’’ ବୋଲି ଆନନ୍ଦରେ ଡେଇଁଉଠି ଖଡ଼ଙ୍ଗା ଆଡ଼କୁ ଧାଇଁ ଯିବା ପାଇଁ ଉଦ୍ୟତ ହେଲେ ତାକୁ କଷ୍ଟରେ ସମ୍ବରଣ କରି ପ୍ରବୋଧ ଦେଇ ରଖେ ! –ଖାଡ଼ଙ୍ଗାର କଥା ଅବା କି ବୋଲିବୁଁ ? ସେ ଈଶ୍ୱରଙ୍କଠାରେ ଆତ୍ମସମର୍ପଣ ଓ ପିଲାପିଲିଙ୍କି ଅର୍ପଣ କରିଦେଇ ଛାତିକି ପଥର କରି ଦେଇଅଛି; ତଥାପି ରକ୍ତମାଂସର ଶରୀରରୁ ଯେ ବେଳେ ବେଳେ ଭାର୍ଯ୍ୟା ଓ ମାତା ଏବଂ ସନ୍ତାନଙ୍କର ଅବସ୍ଥା ଦେଖି ଶୋକଭାବ ଜନ୍ମି ଅଶ୍ରୁବିନ୍ଦୁ ଦେଖା ଯାଉଅଛି ତାହା କେବଳ ସ୍ୱାଭାବିକ ।

 

ସର୍ଦ୍ଦାର ସିଂହ ବହୁକଷ୍ଟରେ ଖଡ଼ଙ୍ଗାର ମାତା ଓ ଭାର୍ଯ୍ୟାକୁ ଆପଣା ନବର ନିକଟରେ ରଖାଇ ସେମାନଙ୍କୁ ନିଜେ ତତ୍ତ୍ୱାବଧାରଣ କରି ଖୁଆଇଲେ । ଖାଡ଼ଙ୍ଗା ପୂର୍ବ କୋଠରିରେ ବାସ ଲଭିଲା ସତ୍ୟ ତଥାପି ବେଳେ ବେଳେ ମାତା ଓ ପିଲାପିଲିଙ୍କି ଦେଖିବା କାରଣ ଯାଇ ଆସି ପାରୁ ଥିଲା ।

 

ଯଦ୍ୟପି କି ସର୍ଦ୍ଦାରସିଂହଙ୍କୁ ନବଗ୍ରାମର ଡକାୟତି ବୃତ୍ତାନ୍ତ ଉତ୍ତମରୂପେ ଜଣାଥିଲା ତଥାପି ସେ ଏକ ଦିନରେ ତଦନ୍ତ କାର୍ଯ୍ୟ ଶେଷ କଲେ ନାହିଁ । କାରଣ ତାହା କଲେ ସୁବାଦାରଙ୍କ ମନରେ ସନ୍ଦେହ ହୁଅନ୍ତା । ସୁତରାଂ ତଦନ୍ତ କାର୍ଯ୍ୟରେ ଆଠଦିନ ଅତିବାହିତ କରିଦେଲେ । ତତ୍ପରେ ଖାଡ଼ଙ୍ଗା ଦୋଷୀ ନଥିବା ଓ ଡକାୟତିର ଠିକଣା ହେବା ଅସମ୍ଭବ ଥିବାଦି ମର୍ମ୍ମରେ ରିପୋଟ ଲେଖି ଖାଡ଼ଙ୍ଗାର ମାତା ଓ ଭାର୍ଯ୍ୟାଙ୍କୁ ବୁଝାଇ ଦେଇ ସେହି ରିପୋଟ ସହିତ ଖାଡ଼ଙ୍ଗାକୁ ପ୍ରହରୀସମଭିବ୍ୟାହାରେ ସୁବାଦାରଙ୍କ ନିକଟକୁ ପଠାଇ ଦେଲେ । ପଛେ ପଛେ ଖାଡ଼ଙ୍ଗାର ବୃଦ୍ଧା ମାତା ଓ ଭାର୍ଯ୍ୟା ପିଲାପିଲି ଘେନି ଗମନ କଲେ ।

Image

 

ଅଷ୍ଟାବିଂଶ ପରିଚ୍ଛେଦ

ରୋଗ–ଶଯ୍ୟା

 

ପୁତସଲିଳା ମହାନଦୀର ଗର୍ଭରୁ କନ୍ୟାରୂପେ ବିଚିତ୍ରଜଳମୟୀ ଚିତ୍ରୋତ୍ପଳା ଜାତ ହୋଇ କିଛିଦୂର ଗମନ କଲାପରେ ଉଭୟ ତୀରସ୍ଥ ପୂଣ୍ୟତ୍ମା ସାଧୁମାନଙ୍କ ଅବ୍ୟର୍ଥ ବରରେ କନ୍ୟା ପ୍ରାପ୍ତ ହୋଇ ଧରଣୀରୂପ ଦୋଳାରେ ସ୍ୱଚ୍ଛନ୍ଦ ମନରେ ଖେଳାଉଅଛି । ଏହାର ନାମ ଲୁଣାନଦୀ । ଲୁଣା ବାସ୍ତବରେ ମହାନଦୀର ନାତୁଣୀ ଅଟେ । ପ୍ରସାର ଅତି ଅଳ୍ପ ଏବଂ ସେହି ହେତୁରୁ ଅମିତତେଜରେ କଳ କଳ ହୋଇ ନାନା ଭଙ୍ଗୀରେ ବହିଯାଉଅଛି । ତୀରସ୍ଥା ବୃକ୍ଷାବଳୀ ବନ୍ଧୁବର୍ଗ ରୂପେ ସମାସୀନା ହୋଇ ମହାନଦୀର ନାତୁଣୀର କ୍ରୀଡ଼ା ଦେଖି ଆନନ୍ଦରେ ଗଦ୍‌ଗଦ୍‌ ହୋଇ ପଡ଼ିବାରୁ ଏଡ଼େ ପ୍ରସନ୍ନା ଦିଶୁଅଛନ୍ତି ଆଉ ଯାହାର ମାତା ଚିତ୍ରୋତ୍ପଳା ଏବଂ ମାତାମହୀ ମହାନଦୀ ସେ ଯେ ସ୍ୱଭାବତଃ ଆନନ୍ଦମୟୀ ଓ କ୍ରୀଡ଼ାସର୍ବସ୍ୱା ହେବ ଏଥିରେ ସନ୍ଦେହ କି ଅଛି ? ତାହାର ଜଳ ଦେଖିଲେ ବାସ୍ତବରେ ହାସ୍ୟ ଜଳରୂପେ ବହି ଯାଉଥିବାର ପ୍ରତୀୟମାନ ହେବ–ସୁତରାଂ ଚତୁର୍ଦ୍ଦିକ ହସିବାର ଆଉ ବାକୀ କି ରହିଲା ? ତେଜଃପୂର୍ଣ୍ଣ–ବିବିଧବୃକ୍ଷଶାଳିନୀ ପ୍ରକୃତିର ଶସ୍ୟଶ୍ୟାମଳା ପ୍ରସନ୍ନମୟୀ ମୂର୍ତ୍ତି ମଧ୍ୟରେ ଲୁଣାନଦୀ ପ୍ରବାହିତା ହୋଇ ଚତୁର୍ଦ୍ଦିକ ହାସ୍ୟରେ ପରିପୂରିତ କରିଅଛି, ମହାନଦୀର ଦୌହିତ୍ରୀ ରୂପରେ ଥାଇ ସଦା ସୁମିଷ୍ଟଜଳରେ ପ୍ରକୃତିସନ୍ତାନ ଜୀବମାନଙ୍କର ଚିତ୍ତ ବିନୋଦନ କରିବାରେ ତ୍ରୁଟି କରୁ ନାହିଁ ଏବଂ ଯେ କେହି ପଥ ଅତିକ୍ରମ କରିବା କାରଣ ତାହାଠାରେ ପହୁଞ୍ଚୁଅଛି ତାହାକୁ ନାନାଭଙ୍ଗୀରେ ଖେଳାଇ ଦ୍ରୁତବେଗରେ ଘେନିଯିବା ଦ୍ୱାରା ଯେଉଁ ସୁଖ ଜନ୍ମାଉଅଛି ତଦ୍ଦ୍ୱାରା ଆୟୁଚତୁର୍ଗୁଣ ବୃଦ୍ଧି ହେଲା ପ୍ରାୟ ବୋଧ ହେଉଅଛି । ତହିଁରେ ପୁଣି ସୁଖ ବୃଦ୍ଧି କରିବାରେ ଯତ୍ନବତୀ ଥାଇ କଳ କଳ ସ୍ୱନରେ ଲୁଣାନଦୀ ଈଶ୍ୱରଙ୍କର ଅପାର ମହିମା ଗାନ କରି ଦିଗ୍‌ବିଦିକ୍‌ ମତାଇ ଅଛି,–ନ ମତାଇବ କାହିଁକି, ଯେ ଦର୍ଶନପାନ-ଯାନାଦି ସର୍ବ ପ୍ରକାରରେ ମନୁଷ୍ୟଙ୍କୁ ସୁଖ ପ୍ରଦାନ କରୁଅଛି ତାହାଠାରେ କୃତଜ୍ଞତା-ପାଶରେ ବନ୍ଧ ଥାଇଁ ଈଶ୍ୱର-ମହିମା-କୀର୍ତ୍ତନ ଶ୍ରବଣ କରିବାରେ ଯେ ଅପରିମିତ ଆନନ୍ଦ ଜାତ ହେବ ଏଥିରେ ସନ୍ଦେହ କି ଅଛି ? ବାସ୍ତବରେ ସେହି ମହିମାକୀର୍ତ୍ତନରେ ଉନ୍ମତ୍ତ ହୋଇ ଉଭୟ ତୀରସ୍ଥ ଲୋକେ ଈଶ୍ୱର-ନାମ-କୀର୍ତ୍ତନକରି ଆପଣାକୁ ଧନ୍ୟ ମଣୁ ଅଛନ୍ତି ଏବଂ ସେହିହେତୁ ଲୁଣାନଦୀର ଉଭୟ ପାର୍ଶ୍ୱ ଏତେ ମଠଦେବାଳୟାଦିରେ ପୂର୍ଣ୍ଣ ହୋଇ ରହିଅଛି ।

 

ପାଠକେ ! କିମ୍ବଦନ୍ତୀ କହେ ଯେ ପାଣ୍ଡବମାନେ ନିର୍ବାସିତ ହୋଇ ଥରେ ଏଥିର କୂଳରେ ପହୁଞ୍ଚିଲା ବେଳକୁ ସନ୍ଧ୍ୟା ହୋଇଗଲା । ଯେଉଁ ତୁଠରେ ସନ୍ଧ୍ୟାକୃତ୍ୟାଦି କରି ସେମାନେ ନଦୀ ଅତିକ୍ରମ କରିଥିଲେ ସେହି ତୁଠର ନାମ ସନ୍ଧ୍ୟାତୁଠ ହୋଇଅଛି । ଆମ୍ଭମାନଙ୍କ ପୂର୍ବକଥିତ ବଟେଶ୍ୱର-ଭଗବତୀର ଆହୁରି କ୍ରୋ ୬ ଶ ପୂର୍ବରେ ଏହା ଅବସ୍ଥିତ । ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ ସେତେବେଳେ ଏହି ସନ୍ଧ୍ୟାତୁଠ ନିକଟରେ ଏକ ସୁନ୍ଦର ଉଦ୍ୟାନ ପରିବେଷ୍ଟିତ ପ୍ରସ୍ତରମୟ ଗୃହ ବିଦ୍ୟମାନ ଥିଲା । ପାଠକେ ! ଆସନ୍ତୁ ତହିଁର ଏକ ପ୍ରକୋଷ୍ଟରେ କି ଘଟନା ହେଉଅଛି ଦେଖିବେ ।

 

ପୌଷପୂର୍ଣ୍ଣିମା ଅତୀତା ହୋଇ ଆଜି କୃଷ୍ଣପକ୍ଷର ଅଷ୍ଟମୀତିଥି ଲୋକରେ ପ୍ରବେଶ କରିଅଛି । ଘୋର-ଅନ୍ଧକାରମୟୀ ଦୀନା ପୃଥିବୀକି ଅଳ୍ପମାତ୍ର ଉଲ୍ଲସିତା କରିବା କାରଣ କ୍ଷୀଣାଶାଧାରୀ ଚନ୍ଦ୍ର ଦେବ ସ୍ୱଳ୍ପପ୍ରଫୁଲ୍ଲ ପୂର୍ବାକାଶକ୍ରୋଡ଼ରେ ଦଣ୍ଡେ ହେଲା ଉଦିତ ହୋଇ ଅଛନ୍ତି । ଶୀତ-ପୀଡ଼ିତା ନିସ୍ତବ୍ଧା ନିଶା ଅତି ଭୟଙ୍କର ଗର୍ଜ୍ଜନ ଛାଡ଼ି ଲୋକଙ୍କୁ ଭୟବିହ୍ୱଳିତ କରିଅଛି ଏବଂ ତହିଁ ମଧ୍ୟରେ ଶୃଗାଳଗୁଧ୍ରପେଚକଙ୍କର ବିକଟ ସ୍ୱନ ସମୟ ସମୟରେ କର୍ଣ୍ଣକୁହରରେ ପତିତ ହୋଇ ସ୍ୱଭାବ ଭୟଙ୍କରୀ ନିଶୀଥିନୀକୁ ଆହୁରି ଭୟଙ୍କରୀ କରାଇ ଲୋକଙ୍କର ଜୀବନ ଶୋଷଣ କଲା ପ୍ରାୟ ଜଣା ଯାଉଅଛି । –ପାଠକେ ! ଏସବୁ ନ ମାନି ଦେଖନ୍ତୁ ଜଣେ ଯୁବକ କ୍ଷୀଣ ପ୍ରଦୀପାଲୋକଦୀପ୍ତ ସେହି ପ୍ରକୋଷ୍ଠରେ ଏକଦୃଷ୍ଟିରେ ରୋଗଶଯ୍ୟାଶାୟିତା ରମଣୀର ମୁଖାବଲୋକନ କରି ବସି ଅଛନ୍ତି । ଗଣ୍ଡଦ୍ୱୟରୁ ଅଶ୍ରୁମୁକ୍ତ ହେବାର ଚିହ୍ନରେ ମୁଖ ଆବିଳ ହୋଇ ପ୍ରାତଃକାଳୀନ ଅସ୍ତଗାମୀ ଚନ୍ଦ୍ରମଣ୍ଡଳ ପ୍ରାୟ ଦିଶୁଅଛି ଏବଂ ମନୋବେଗ ସତତ ରମଣୀ ଆଡ଼କୁ ଧାବିତ ହେଉଥିବାରୁ ରୋଗପୀଡ଼ିତା ରମଣୀର ଅବସ୍ଥାରେ କ୍ଷୁବ୍ଧ ମନରେ ଏକଦୃଷ୍ଟିରେ ଅବସ୍ଥା ପରିଦର୍ଶନ କରି ଆରୋଗ୍ୟ ନିମିତ୍ତ ସତତ ଜଗଦୀଶ୍ୱରଙ୍କୁ ଧ୍ୟାନ କରୁଅଛନ୍ତି । ସେ ଅଧୋବଦନ ଜୀବନସର୍ବସ୍ୱ ସୂର୍ଯ୍ୟଦେବଙ୍କୁ ହରାଇ ମୃଣାଳବୃନ୍ତରେ ପଙ୍କଜ ଅଧୋମୁଖ ହୋଇ ପଡ଼ିଲା ପ୍ରାୟ ଦେହବୃନ୍ତରେ ଦିଶି ଯାଉଅଛି–ପୁଣି ସୂର୍ଯ୍ୟ ଉଦିତ ହେଲେ, ପୁଣି ରମଣୀ ଆରୋଗ୍ୟ ଲାଭ କଲେ ମୁଖ ଟେକିବେ, ନାହିଁ ତ ନାହିଁ !

 

ଘରେ ସପ୍ତସପ୍ତତିବର୍ଷ ବୟସ୍କା ବୃଦ୍ଧା ମାତା ଛଡ଼ା ଆଉ କେହି ନାହିଁ । ସେ ମଧ୍ୟ ନିତାନ୍ତ ଜରାଜୀର୍ଣ୍ଣା ଏବଂ ତାଙ୍କର ସେବା ମଧ୍ୟ ଏହାଙ୍କୁ କରିବାକୁ ପଡ଼ଇ । ଘରକରଣା ବୃଦ୍ଧା ଏକମନରେ ସମ୍ପନ୍ନ କରି ପୁତ୍ରକୁ ତହିଁରୁ ବିରତ ହେବାକୁ ସହସ୍ରଥର ନିଷେଧ କଲେ ସୁଦ୍ଧା ପୁତ୍ର ନାନାପ୍ରକାର କାର୍ଯ୍ୟ ମାତାଙ୍କ ନିମିତ୍ତ ସମ୍ପନ୍ନ କରି ମାତାଙ୍କୁ ନାନା ରୂପରେ ସାହାଯ୍ୟ କରନ୍ତି ଏବଂ ଯତ୍ନପୂର୍ବକ ମାତାଙ୍କ ନିକଟରେ ବସି ଭୋଜନାଦିର ବ୍ୟବସ୍ଥା କରି ମାତାଙ୍କୁ ନାନା ପ୍ରକାର ସନ୍ତୋଷ ପ୍ରଦାନ କରନ୍ତି । ପାଠକେ ! ଆଜିକାଲି ପତ୍ନୀର କାଳ । ଯେ ପର୍ଯ୍ୟନ୍ତ ଲୋକ ବିବାହ କରି ନ ଥାନ୍ତି ସେ ପର୍ଯ୍ୟନ୍ତ ମାତାକୁ ମନେ କରନ୍ତି ମାତ୍ର ବିବାହ କଲା ଉତ୍ତାରୁ ପତ୍ନୀଗତପ୍ରାଣ ହୋଇ ମାତାଙ୍କୁ ଆଉ ମନେ ରଖି ପାରନ୍ତି ନାହିଁ । ଗୋଟିଏ ମନରେ ଏବେ କେତେ କଥା ରଖିବେ ! ଯେପର୍ଯ୍ୟନ୍ତ ପତ୍ନୀ ନ ଥିଲେ ସେ ପର୍ଯ୍ୟନ୍ତ ତାଙ୍କୁ ମନେ ରଖୁଥିଲେ ମାତ୍ର ଯେତେବେଳେ ମାତା ପତ୍ନୀ ଆଣି ପୁତ୍ରକୁ ଦେଲେ ସେତେବେଳେ ଆଉ ମାତାଙ୍କୁ ପଚାରିବାର ଆବଶ୍ୟକତା କି ଅଛି ? ଏଣୁ ମାତାଙ୍କୁ ସେବା କରିବା ତେଣିକି ଥାଉ ଅନେକ ସ୍ଥଳରେ ଏବେ ଅନ୍ନବିନା ମାତାଙ୍କର ମୃତ୍ୟୁପର୍ଯ୍ୟନ୍ତ ସଂଘଟିତ ହେଉଥିଲେହେଁ ପୁତ୍ରମାନେ ପଚାରନ୍ତି ନାହିଁ । ହାୟ ! କି କାଳରେ ଆମ୍ଭେମାନେ ପ୍ରବେଶ କରିଅଛୁଁ-! କାହିଁ ଜନ୍ମଦାତ୍ରୀ ମାତାଙ୍କ ସେବା କରିବା ଦ୍ୱାରା ଆପଣାର ଜନ୍ମ ସାର୍ଥକ କରିବୁ ନା ତାଙ୍କୁ ଏକାବେଳକେ ପାସୋରି ଯିବାକୁ ହେଲା ! ମାତାଙ୍କଠାରୁ ପତ୍ନୀ କି ଏତେ ଅଧିକ ସ୍ନେହମୟୀ ?

 

ଥାଉ, ସେ କଥାରେ ପ୍ରୟୋଜନ ନାହିଁ । ଆମ୍ଭମାନଙ୍କର କଥିତ ଯୁବକ ମାତାଙ୍କ ସେବାରେ ଅତ୍ୟନ୍ତ ନିରତ ଥିଲେ ଏବଂ ମାତାଙ୍କ ସେବା କରିବାଦ୍ୱାରା ଆପଣାର ଜୀବନ ସାର୍ଥକ ବୋଲି ମନେ କରୁଥିଲେ । ମାତା ସୁଦ୍ଧା ସେବାରେ ସନ୍ତୁଷ୍ଟ ଥାଇ ସତତ ଈଶ୍ୱରଙ୍କଠାରେ ପୁତ୍ରର ଆୟୁ ଏବଂ ମଙ୍ଗଳ କାମନା କରୁଥିଲେ । ପୁତ୍ରର ମଧ୍ୟ ଅଭାବ କିଛି ନ ଥିଲା । ଈଶ୍ୱର ଧନଦ୍ରବ୍ୟରେ ତାଙ୍କୁ ସୁଖୀ କରିଥିଲେ ଏମନ୍ତ କି ଖାଇ ପିଇ ପର ପ୍ରତିପୋଷଣ ଏବଂ ଧର୍ମ୍ମାଚରଣ କରିବାକୁ ତାହା ଯଥେଷ୍ଟ ଥିଲା । ଦୁଃଖ ମଧ୍ୟରେ କେବଳ ପତ୍ନୀ ନାଶ । ତାହା ଆଜକୁ ପାଞ୍ଚବର୍ଷ ହେଲା ହୋଇଅଛି-। ପତ୍ନୀଟି ଅତୀବ ଗୁଣବତୀ ଥିଲେ । ଶାଶୁର ଏକମାତ୍ର ବୋହୂ ହୋଇ ଅତ୍ୟନ୍ତ ଆଦରଣୀୟା ଥିଲେ ସୁଦ୍ଧା ଗର୍ବକରି ପାଟିରେ ସାତପର ଉଠାଉ ନ ଥିଲେ ବରଂ ଅଧିକତର ଆଦର ପ୍ରାପ୍ତ ହୋଇ କିରୂପେ ତାହା ପରିଶୋଧ କରିବେ ଜାଣି ନ ପାରି ସତତ ଶାଶୁଙ୍କୁ ସନ୍ତୁଷ୍ଟା କରିବାରେ ନିରତା ଥିଲେ । ଦିନେ ନୋଟିଏ ପାଣି ଶାଶୁଙ୍କ ନିକଟରେ ଆଣିଦେବାକୁ ଶାଶୁଙ୍କୁ କହିବାକୁ ହୋଇ ନାହିଁ । ବେଳ ଜାଣି ଶାଶୁଙ୍କୁ ସମୁଦାୟ ଯୋଗାଇ ଦେଉଥିଲେ ଏବଂ ଘର କରି କେବେ କୌଣସି କଥାରେ ଦୋଷ ହେଲେ ଶାଶୁଙ୍କ ଗୋଡ଼ଧରି କ୍ଷମା ପ୍ରାର୍ଥନା କରୁଥିଲେ । ପାଠକପାଠିକାମାନେ ଆମ୍ଭ ଉପରେ ବିରକ୍ତ ହେବେ ନାହିଁ ମାତ୍ର ଆଜି କାଲିର ବୋହୂମାନେ ଶାଶୁଙ୍କ ଗୋଡ଼ ଧରିବା ତେଣିକି ଥାଉ ଶାଶୁଙ୍କ ମୁଣ୍ଡରେ ନିଜ ନିଜ ପଦରଜ ଦେବାକୁ ଛାଡ଼ନ୍ତି ନାହିଁ ! ସେମାନେ ପ୍ରକୃତି ପୁରୁଷର ଅନନ୍ତଲୀଳା ମନେ କରି ଆପଣାକୁ ଘରର ସର୍ବସ୍ୱ ବୋଲି ଜ୍ଞାନ କରନ୍ତି ଏବଂ ତାଙ୍କ ମତରେ ବୃଦ୍ଧା ମାତା ତାଙ୍କର ସେବା କରିବା କାରଣ ଈଶ୍ୱରାଦେଶରେ ବଞ୍ଚିଅଛନ୍ତି ଏତିକି ମାତ୍ର !! ସେ ଯାହା ହେଉ ବୃଦ୍ଧା ଏପରି ବଧୂହରାଇ ଯେ ଅତ୍ୟନ୍ତ ଶୋକବିହ୍ୱଳିତା ହୋଇଥିଲେ ବୋଲିବା ଅଧିକ । ଯୁବକ ମଧ୍ୟ ଗୁଣବତୀ ଭାର୍ଯ୍ୟା ହରାଇ ନିତାନ୍ତ ଶୋକବିହ୍ୱଳିତ ହୋଇଥିଲେ । ବିବାହ ଦିନଠାରୁ ପତ୍ନୀ ସ୍ୱାମୀସେବାରେ ନିୟତ ନିଯୁକ୍ତା ଥିଲେ । ଶାଶୁ ଆଉ ସ୍ୱାମୀ ଭିନ୍ନ ତାଙ୍କର ଇହସଂସାରରେ ଆଉ କେହି ନ ଥିଲା ପ୍ରାୟ ତାଙ୍କୁ ଜଣାଥିଲା ଏବଂ ଶାଶୁ ଓ ସ୍ୱାମୀର ସନ୍ତୋଷସାଧନ କରିପାରିଲେ ସେ ସ୍ୱର୍ଗକୁ ଯିବେ ବୋଲି ଯେମନ୍ତ ରୁଝି ରଖିଥିଲେ । ସେ ଯେପରି ଭାବରେ ସ୍ୱାମୀଙ୍କର କାର୍ଯ୍ୟ ଚଳାଉଥିଲେ ଆଜ୍ଞାକାରିଭୃତ୍ୟ ସୁଦ୍ଧା ସେପରି ମନ ଯୋଗାଇ ପାରିବ ନାହିଁ । ସଂସାରରେ ଈଶ୍ୱରଙ୍କ ମାୟା ବୁଝିବା କଠିନ । ମାତା କି ପୁତ୍ର କେହି ଥରେ ଭାବି ନ ଥିଲେ ଯେ ଏପରି ଗୁଣବତୀ ରମଣୀ ତାଙ୍କୁ ଛାଡ଼ି ଚିରକାଳ ନିମନ୍ତେ ଚାଲିଯିବେ । ଉଭୟେ ରମଣୀଙ୍କ ସେବାରେ ସନ୍ତୁଷ୍ଟ ଥାଇ ତାଙ୍କୁ ସର୍ବଦା ସୁଖରେ ରଖିବା ନିମିତ୍ତ ପ୍ରୟାସ ପାଉଥିଲେ । ମାତ୍ର ମନୁଷ୍ୟର ଚେଷ୍ଟା ବା ଇଚ୍ଛାରେ ଜଗତରେ କିଛି ହୁଅଇ ନାହିଁ । ହଠାତ୍‌ କାଳ ଉପସ୍ଥିତ ହୋଇ ଜ୍ୱରରୋଗର ବାହାନାରେ ଶୋକସନ୍ତପ୍ତ ଭୂମି ବିଲୁଣ୍ଠିତ ସ୍ୱାମୀ ଓ ଶାଶୁଙ୍କ ନିକଟରୁ ତାଙ୍କୁ ଘେନି ଚାଲିଗଲା ! କାହାରି ଆୟତ୍ତ ନାହିଁ ! ସେ କାଳ ଅତି ଦୁର୍ଦ୍ଦମନୀୟ ! ସେ କାହାରି କଥା ଶୁଣଇ ନାହିଁ-! କେବେ ଉତ୍କୋଚ ନେଇ ଦଣ୍ଡେ ସୁଦ୍ଧା ଅପେକ୍ଷା କରଇ ନାହିଁ ! ଏପରି ଗୋଟାକୁ ଯେ ବିଧାତା କାହିଁକି ସଂସାରରୁ ରତ୍ନବୃନ୍ଦ ହରଣ କରିବା କାରଣ ନିଯୁକ୍ତ କରିଅଛନ୍ତି ତାହା ତାଙ୍କୁ ଗୋଚର ! ଅଥବା ସେ ଅତ୍ୟନ୍ତ ପ୍ରଭୁଭକ୍ତ ! ପ୍ରଭୁର ଆଜ୍ଞାପାଳନରେ ଦଣ୍ଡେ ସୁଦ୍ଧା ହେଳା କରଇ ନାହିଁ । କିଅବା କାର୍ଯ୍ୟଭିଡ଼ରୁ କାହାରି କଥା ଶୁଣଇ ନାହିଁ ! ବୃଦ୍ଧା ଓ ଯୁବକ କେତେ ଅବା ମନେକରି ନ ଥିଲେ ଯେ ଆଉ ଦଣ୍ଡେ ହେଲେ ରମଣୀ ବଞ୍ଚି ରହନ୍ତୁ । ମାତ୍ର ନିର୍ଦ୍ଦୟ କାଳ ତାହା ଶୁଣିଲା ନାହିଁ । ପ୍ରଭୁର ଆଦେଶରେ ତାହାର ହୃଦୟ ବଜ୍ରରୁ ବଳି କଠିନ ହୋଇ ଯାଇଅଛି ! ତାଙ୍କର ମୃତ୍ୟୁରେ ଘର ଅନ୍ଧକାର ହୋଇଗଲା ! ବୃଦ୍ଧାର ଶୋକ ସମ୍ଭାଳି ହେଲା ନାହିଁ ! ପୁତ୍ର ମନର ଶୋକ ମନରେ ମାରି ମାତାଙ୍କୁ କେତେ ମତେ ବୁଝାଇ ନିଜବସନରେ ମାତାର ଅଶ୍ରୁପ୍ରୋଞ୍ଛନ କଲେ । ମାତ୍ର ସେ ଅଶ୍ରୁ ବନ୍ଦ ହେବାର ନୁହଇ ! ବର୍ଷାକାଳୀନ ନିର୍ଝର ପ୍ରାୟ ଅନବରତ ନେତ୍ରଦ୍ୱୟରୁ ଅଶ୍ରୁଧାରା ବିଗଳିତ ହେଉଅଛି–ସଂସାରର ସାନ୍ତ୍ୱନା ବୃଦ୍ଧା ମାତାଙ୍କୁ ଅଣ୍ଟିଲା ନାହିଁ ! ଅଣ୍ଟିବ ଅବା କିପରି ? ବୃଦ୍ଧା ତ ଏ ବୟସରେ ବୋହୂକୁ ଗଣ୍ଠିଧନ କରି ରଖିଥିଲା ତାହା ଚୋରି ଯିବା କି ସାମାନ୍ୟ କଥା ! ସେ ତ ବୃଦ୍ଧାର ନୟନ ପିତୁଳା ହୋଇଥିଲେ–ତାଙ୍କୁ ହରାଇବାରୁ ବାସ୍ତବରେ ଦୃଷ୍ଟିଶକ୍ତି ଅଧିକକ୍ଷୀଣା ହୋଇଗଲା ! ସେତ ବୃଦ୍ଧାର ଜୀବନ ହୋଇ ରହିଥିଲେ–ତାଙ୍କ ବିନା ବୃଦ୍ଧାର ଅଣ୍ଟା ଭାଙ୍ଗିଗଲା ? ସେ ତ ବୃଦ୍ଧାର ଯଷ୍ଟି ହୋଇ ରହିଥିଲେ–ତାଙ୍କୁ ଦେଖିବାକୁ ନ ପାଇ ବୃଦ୍ଧା ବିଛଣାରୁ ଉଠିଲେ ନାହିଁ ! ବୃଦ୍ଧାର ଏ ଶୋକ ଅନୁଭବୀ ବିନା ଆନ କେହି ବୁଝି ପାରିବେ ନାହିଁ । ବୃଦ୍ଧା ବୋହୂକୁ ହରାଇ ଶର୍ଯ୍ୟାରୁ ଉଠିବାର ଆଶା ଚିରକାଳ ନିମନ୍ତେ ତ୍ୟାଗ କରିଥିଲେ ।

 

କିନ୍ତୁ କି ହେବ ? ଶୋକ କଲେ କି ମୃତବ୍ୟକ୍ତି ଫେରି ଆସଇ ! ବୃଦ୍ଧା କେତେ ଅବା ବାହୁନାଇ କାନ୍ଦି ନ ଥିଲେ । ତାଙ୍କ କ୍ରନ୍ଦନରେ ଗଛପତ୍ର ସୁଦ୍ଧା ଝଡ଼ି ପଡ଼ି ଥିଲା ମାତ୍ର କାଳକୁ ସେ ସବୁ ଅଣ୍ଟିଲା ନାହିଁ । ତାହାକୁ କିଛିହିଁ ଫେରାଇ ପାରିଲା ନାହିଁ । ବୃଦ୍ଧା ଶଯ୍ୟାରୁ ନ ଉଠିଲେ କାଳର କି ଯାଏ ! ସୁଃଖଦୁଃଖରେ ସେ ସତତ ରଙ୍ଗ ଦେଖୁଅଛି । ତୁମ୍ଭେ କାନ୍ଦି ଗଡ଼ିଗଲେ ସୁଦ୍ଧା କାଳ ନଇବାର ପାତ୍ର ନୁହଇ । ତୁମ୍ଭେ ନିଜେ ମରି ଯାଇ ପାର ମାତ୍ର କାଳ ସେଥିପାଇଁ ମୃତବ୍ୟକ୍ତିକି ଆଣି ଦେବ ନାହିଁ । ଏ କିଛି ନୂତନକଥା ନୁହଇ । ଚିରକାଳ ଏହା ଆମ୍ଭେମାନେ ଦେଖି ଆସୁଅଛୁଁ ମାତ୍ର ରକ୍ତମାଂସର ଶରୀର ବୁଝିବ କି ? ଯୁବକଙ୍କୁ ଏ କଥା ଉତ୍ତମରୂପେ ଜଣାଥିଲା । ତଥାପି ତାଙ୍କୁ ଶୋକ କି ଊଣା ହେଲା ? କିନ୍ତୁ ଶୋକ କରିବାକୁ ଅବସର ପାଇଲେ ନାହିଁ ପତ୍ନୀବିୟୋଗ ରୂପ ଶୋକ ସୁଦ୍ଧା ମାତାଙ୍କ ନିମିତ୍ତ ସହିବା କର୍ତ୍ତବ୍ୟ ଜ୍ଞାନକରି ହୃଦୟର ନିଭୃତତମ କନ୍ଦରରେ ଶୋକକୁ ଘୋଡ଼ାଇ ରଖି ମାତାର ସାନ୍ତ୍ୱନାରେ ନିଯୁକ୍ତ ହେଲେ । କାଳକ୍ରମେ ମାତା ଶାନ୍ତ ହେଲେ ସତ୍ୟ ମାତ୍ର ଆଉ ଶଯ୍ୟାରୁ ଉଠି ପାରିଲେ ନାହିଁ । କେବେ ଉଠି ପୁତ୍ର ପାଇଁ କ୍ଷଣେ କାର୍ଯ୍ୟ କଲେ ପରକ୍ଷଣରେ ଅଣ୍ଟା ପିଠି ଲାଗି ଯାଏ -ସୁତରାଂ ଶଯ୍ୟାରେ ବାଧ୍ୟହୋଇ ପଡ଼ି ରହନ୍ତି । ପୁତ୍ର ମଧ୍ୟ ସେବାର ତ୍ରୃଟି କରନ୍ତି ନାହିଁ । ମାତା ତାଙ୍କର ସର୍ବସ୍ୱ-ଇଶ୍ୱର ରୂପରେ ତାଙ୍କ ନିକଟରେ ମାତା ବର୍ତ୍ତମାନ ବୋଲି ତାଙ୍କୁ ଜଣାଥିଲା ଏବଂ ଦଣ୍ଡେ ହେଲେ ମାତାଙ୍କ ନିକଟରେ ଥାଇ ସେବାରେ ତ୍ରୁଟି କରୁ ନ ଥିଲେ । ଆହା ! ମାତୃସେବାରେ ଯାହାର ଜୀବନ ତିଳକ ନିମନ୍ତେ ସୁଦ୍ଧା ଅତିବାହିତ ହୁଏ ସେ କେଡ଼େ ଧନ୍ୟ-! ସେ କେଡ଼େ ମହାନ୍‌ ! ତାହାର ଗୁଣ ବାସୁକୀ ସହସ୍ର ମୁଖରେ କି ଗାଇ ପାରିବେ ?

 

ତେବେ ଗୋଟିଏ କଥା । ମାତାଙ୍କ ସେବାରେ ଜୀବନ ଅତିବାହିତ କଲେ ସୁଦ୍ଧା ଗୁଣବତୀ ଭାର୍ଯ୍ୟା ହରାଇ ଯୁବକର ଆଉ ଦାରପରିଗ୍ରହ କରିବା କାରଣ ମତି ବଳିଲା ନାହିଁ । ମାତ୍ର ମାତାଙ୍କର ଇଚ୍ଛା ଯେ ପୁତ୍ର ଆଉ ଗୋଟିଏ ବିବାହ କରୁ । ମାତାପୁତ୍ରରେ ବେଳେ ବେଳେ ତର୍କବିତର୍କ ହୁଅଇ । ପୁତ୍ର ଅତୀବ ନମ୍ରଭାବରେ ମାତାଙ୍କୁ ବୁଝାଇ ଦିଅନ୍ତି ଯେ ଆର ବହୂଟି ଆସିଲେ ସେ ଯଦି ମୁଖରା କି ଅବାଧ୍ୟା ହେବ ତେବେ ପୁତ୍ରର ପାପ ଭିନ୍ନ ପୂଣ୍ୟ ନାହିଁ । ମାତା ଏଥିର ମର୍ମ୍ମ ବୁଝି ପାରନ୍ତି ସତ୍ୟ ମାତ୍ର ଘର ତ କରିବାକୁ ହେବ–ଏହେତୁ ପୁତ୍ରକୁ ନାନାପ୍ରକାର ବୁଝାନ୍ତି । ଏହି ରୂପରେ ପାଞ୍ଚବର୍ଷ ଅତୀତ ହୋଇଅଛି । ତହିଁ ଉତ୍ତାରୁ ପୁତ୍ର ଦିନେ ଏହି ରୋଗଶଯ୍ୟାଶାୟିତା ରମଣୀ ଘେନି ଘରେ ଉପସ୍ଥିତ ।

 

ପୁତ୍ରକୁ ବୟସ ତ୍ରିଂଶଦ୍‌ବର୍ଷ । ଯେଉଁ ରମଣୀଟି ଘରକୁ ଆନୀତା ହେଲେ ସେ ଯୁବତୀ । ବିବାହ ନ କରି ଘରକୁ ରମଣୀଟିଏ ଆଣିବା ଅନୁଚିତ । ଏ ହେତୁ ମାତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ପୁଣି ମନେ କଲେ ପୁତ୍ର ଅବା ତୋଳାକନ୍ୟା କରି ମାତାଙ୍କୁ ନ ଜଣାଇ ଘରକୁ ରମଣୀଟିଏ ଆଣିଅଛି । ହେଉ, କୌଣସି ମତେ ବିବାହ କଲେ ହେଲା । ମାତ୍ର ରମଣୀ ଯେ ରୋଗ-ପୀଡ଼ିତା ! ମାତା ଆଉ ସମ୍ଭାଳି ପାରିଲେ ନାହିଁ- ପୁତ୍ରକୁ ତହିଁର କାରଣ ପଚାରିଲେ । ପୁତ୍ର ମାତାଙ୍କୁ ବୁଝାଇ ଦେଲେ ଯେ ରମଣୀ ରୋଗରେ ଅଯତ୍ନ ଭାବରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିଲେ । ତାଙ୍କୁ ସେବାକରି ଯଦି ବଞ୍ଚାଇ ପାରନ୍ତି ଏହେତୁ ସ୍ଥାନାଭାବରେ ଘରକୁ ଘେନି ଆସି ଅଛନ୍ତି । ମାତା କୁଳଶୀଳର କଥା ପଚାରିଲେ ଏବଂ ପୁତ୍ରଠାରୁ ଯେଉଁ ଉତ୍ତର ପାଇଲେ ତହିଁରେ ଜାତିମର୍ଯ୍ୟାଦାରେ ଊଣା ନ ଦେଖି ଆଶ୍ୱସ୍ତା ହେଲେ ଏବଂ ରମଣୀର ରୋଗପୀଡ଼ାରେ ସୁଦ୍ଧା ଯେ ଟିକିଏ ସୌନ୍ଦର୍ଯ୍ୟ ଥିଲା ତାହା ମଧ୍ୟ ବୃଦ୍ଧାର ମନୋହରଣ କରିବାକୁ ଅରୋଗ୍ୟ ହେଲେ ଏହି ରମଣୀକି ପୁତ୍ରକୁ ବିବାହ ଦେବେ ବୋଲି ସ୍ଥିର କରି ବୃଦ୍ଧା ଟିକିଏ ଚେଇଁ ଉଠିଥିଲେ ! ଯୁବକ ମଧ୍ୟ ନିର୍ବିବାଦରେ ଏହିରୂପେ ରମଣୀକି ଆପଣା ଘରେ ରଖି ବୈଦ୍ୟ ଲଗାଇ ସେବାରେ ନିଯୁକ୍ତ ହେଲେ ।

 

ଦୁଇଦିନ ତଳେ ରମଣୀର ବଞ୍ଚିବାର ଆଶା ନ ଥିଲା । ମୃତ୍ୟୁର ପୂର୍ବଗାମୀ ସନ୍ନିପାତ ସର୍ବାଙ୍ଗ ଘୋଟି ଯାଇଥିଲା । ଯୁବକ ଈଶ୍ୱରଙ୍କଠାରେ କେତେ ମତେ ପ୍ରାର୍ଥନା କରିଥିଲେ ମାତ୍ର କିଛି ଫଳ ହୋଇ ନ ଥିଲା । ଆଜି ପ୍ରାତଃକାଳରୁ କିଞ୍ଚିତ୍‍ ପରିବର୍ତ୍ତନ ଦେଖାଗଲା ଏବଂ ସନ୍ଧ୍ୟାକୁ ଦୁଇପଣରେ ରୋଗ ଊଣା ହୋଇଥିବାର ସ୍ଥିର ଜଣାଗଲା । ସୁତରାଂ ଯୁବକ ପୂର୍ବଠାରୁ କିଞ୍ଚିତ୍‌ ଆଶ୍ୱସ୍ତ ମନରେ ରୋଗୀର ସେବା କରୁଅଛନ୍ତି । ଆଜି ସନ୍ଧ୍ୟା ଉତ୍ତାରୁ ରୋଗୀ ଥରେ ଦୁଇଥର ଚକ୍ଷୁ ଫେଡ଼ି ଅନାଇଥିଲେ । ସାତଦିନ ହେଲା ତାଙ୍କର ଚକ୍ଷୁ ଉନ୍ନୀଳିତ ହୋଇ ନ ଥିଲା ଏବଂ ଆଜି ଚକ୍ଷୁରୁନ୍ନୀଳନରେ ଯୁବକ ଆକାଶର ଚାନ୍ଦ ହାତରେ ପାଇ ପରମେଶ୍ୱରଙ୍କଠାରେ କୃତଜ୍ଞତା ଜ୍ଞାପନ ପୂର୍ବକ ସମଧିକ ଉତ୍ସାହରେ ରୋଗୀର ସେବା କରୁଅଛନ୍ତି । ସାତଦିନ ହେଲା ରୋଗୀର ଜ୍ଞାନ ହୋଇ ନ ଥିଲା ଏବଂ ସାତ ଦିନ ଯୁବକର ଚକ୍ଷୁରେ ନିଦ୍ରା ନାହିଁ ସେ ପରିତପ୍ତ ମନରେ ଆହାରନିଦ୍ରା ପରିତ୍ୟାଗ ପୂର୍ବକ ରୋଗୀର ସେବାରେ ନିଯୁକ୍ତ ଅଛନ୍ତି ।

 

ଅର୍ଦ୍ଧରାତ୍ରରୁ ଅଧିକ ଅତୀତ ହୋଇଅଛି । ରୋଗୀ ସନ୍ଧ୍ୟାସମୟରେ ଚକ୍ଷୁରୁନ୍ନୀଳନ କରି ଆଉ ଚକ୍ଷୁ ଫେଡ଼ି ନ ଥିଲେ ଏବଂ ରୋଗ ଦୁଇପଣରେ ଊଣା ପଡ଼ିଥିବାରୁ ରୋଗୀର ଜ୍ଞାନସଞ୍ଚାର ହୋଇଥିବାର ଉତ୍ତମ ବିଶ୍ୱାସ ଜନ୍ମିଅଛି । ସୁତରାଂ ରୋଗୀର ଭଲ ନିଦ୍ରା ହୋଇଥିବାରେ ଯୁବକର ସନ୍ଦେହ ନ ଥିଲା । ତଥାପି ନିବିଷ୍ଟ ମନରେ ରୋଗୀର ମୁଖମଣ୍ଡଳକୁ ଅନାଇ ଶରୀରଯନ୍ତ୍ରର କେତେବେଳେ କି ପରିବର୍ତ୍ତନ ହଠାତ୍ ଘଟିଯିବ ଏକ ଦୃଷ୍ଟିରେ ଦେଖୁ ଅଛନ୍ତି ।

 

କେତେକ୍ଷଣ ଉତ୍ତାରୁ ରୋଗୀ ଦୀର୍ଘନିଶ୍ୱାସ ପକାଇ ପୁନର୍ବାର ଚକ୍ଷୁ ମେଲିଲେ । ଯୁବକ ନିବିଷ୍ଟ ମନରେ ମୁଖମଣ୍ଡଳପ୍ରତି ଦୃଷ୍ଟିନିକ୍ଷେପ କରିଥିବାରେ ଛାଏଁ ରମଣୀର ଦୃଷ୍ଟି ଏକାବେଳକେ ଯୁବକର ଦୃଷ୍ଟିରେ ମିଶିଗଲା । ଯୁବକର ଆଉ ଆନନ୍ଦର ସୀମା ରହିଲା ନାହିଁ ଏବଂ ମନେ ମନେ ଈଶ୍ୱରଙ୍କୁ ପ୍ରଭୁତ ଧନ୍ୟବାଦ ଦେଲେ । ଯୁବକର ମୁଖମଣ୍ଡଳ ସମ୍ପୂର୍ଣ୍ଣରୂପେ ଯୁବତୀର ଚକ୍ଷୁରେ ଅଙ୍କିତ ହେବା ସଙ୍ଗେ ସଙ୍ଗେ ଯୁବତୀ ଚକ୍ଷୁ ମୁଦି ଦୃଷ୍ଟିରୁ ଅନ୍ତର କରିଦେଲେ ଏବଂ ପରକ୍ଷଣରେ ଶରୀରରେ ସାମାନ୍ୟରୂପେ ଯେଉଁ କ୍ରିୟା ପ୍ରକାଶ କଲେ ତହିଁରେ ରମଣୀ କିଞ୍ଚିତ୍‌ ଲଜ୍ଜାସଙ୍କୁଚିତା ହେବାର ଜଣାଗଲା ।

 

ଜ୍ଞାନ ହୋଇଥିବାର ଆଉ ପ୍ରମାଣର ପ୍ରୟୋଜନ ନାହିଁ । ଯୁବକ ମନରେ ସହସ୍ରଥର ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ । ତାଙ୍କର ହୃଦୟ ଆନନ୍ଦରେ ନୃତ୍ୟ କଲା । ଆନନ୍ଦ ଶରୀରରେ କମ୍ପ ଜାତକଲା ଏବଂ ଯୁବକ ସେ ଆନନ୍ଦରେ ବିହ୍ୱଳ ହୋଇ ନିଦ୍ରା ପାସୋରି ପୁଣି ଯୁବତୀର ମୁଖମଣ୍ଡଳକୁ ଅନାଇ ରହିଲେ ।

 

ପୁଣି କିୟତ୍‌କାଳ ପରେ ରମଣୀ ଚକ୍ଷୁରୁନ୍ନୀଳନ କଲେ । ପୁଣି ସେ ଚକ୍ଷୁରେ ଯୁବକର ପ୍ରଫୁଲ୍ଲ ବଦନମଣ୍ଡଳ ଅଙ୍କିତ ହେଲା । ସଙ୍ଗେ ସଙ୍ଗେ ରମଣୀ ଚକ୍ଷୁ ମୁଦିଲେ ଏବଂ ସଙ୍ଗେ ସଙ୍ଗେ ଲଜ୍ଜାସଙ୍କୁଚିତା ହୋଇଥିବାର ଭାବ ଶରୀରରେ ଜାତ ହେଲା । ଏବଂ ଧୀରେ ଧୀରେ ହସ୍ତ ଚାଳନପୂର୍ବକ ବସ୍ତ୍ର ସଜାଡ଼ି ଦେଇ ଅତି ମୃଦୁସ୍ୱରରେ କହିଲେ ‘‘କିଏ’’ ।

 

ଯୁବକ ଦେଖିଲେ ରମଣୀର ସମ୍ପୂର୍ଣ୍ଣ ଜ୍ଞାନର ବିକାଶ ହୋଇଅଛି ଆଉ ଜୀବନର ଭୟ ନାହିଁ । ଅପରିଚିତ ଲୋକ ନିକଟରେ ଥିବାରୁ ରମଣୀର ଲଜ୍ଜାଭାବ ପର୍ଯ୍ୟନ୍ତ ଜାତ ହୋଇଅଛି ଏବଂ ବାକ୍‌ଶକ୍ତି ପୂର୍ବଭାବରେ ଉପସ୍ଥିତ ହୋଇ ନ ଥିବାରୁ କେବଳ ‘‘କିଏ’’ ବୋଲି ଜାଣିବା କାରଣ ବ୍ୟକ୍ତ କଲେ । ଯୁବକର ମନ ମୋହିତ ହୋଇଗଲା । ଯୁବତୀ ଯେ ବଞ୍ଚିବେ ତହିଁରେ ଯୁବକର ଦିନେ ଆଶା ହଜି ଯାଇଥିଲା । ଆଜି ‘‘କିଏ’’ ଶବ୍ଦର ଉଚ୍ଚାରଣରେ ଯୁବକର ବଳ ସାତଗୁଣ ହୋଇଗଲା । ସେ ‘‘କିଏ’’ ଶବ୍ଦ କେଜାଣି କେତେ ଅମୃତ ଆଣିଥିଲା ଯେ ଯୁବକର ମୃତପ୍ରାୟ ଶରୀର ଜୀବନସ୍ଫୁର୍ତ୍ତିରେ ନୃତ୍ୟ କଲା । ‘‘କିଏ’’ ଶବ୍ଦ ଅନେକ ଥର ଅନେକ ଲୋକଙ୍କ ମୁଖରୁ ଯୁବକ ଶୁଣି ଅଛନ୍ତି ମାତ୍ର ବର୍ତ୍ତମାନ ଯେଉଁ ‘‘କିଏ’’ ଶବ୍ଦ ଶ୍ରବଣେନ୍ଦ୍ରିୟରେ ସୁଧାଧାରା ଢାଳି ଦେଲା ତାହା ଜୀବନରେ କେବେ ଶୁଣି ନାହାନ୍ତି କି କେବେ ଭୁଲିବେ ନାହିଁ ।

 

ଯୁବକ ମନେ କଲେ ଉତ୍ତର ନ ଦେଲେ ରମଣୀର ମନ ଚଞ୍ଚଳ ହୋଇ ଅଧିକ ମନ୍ଦ ହୋଇ ପାରେ ତେଣୁ ଧୀରେ ଧୀରେ କହିଲେ ‘‘ତୁମ୍ଭେ ସ୍ଥିର ହୋଇ ଶୁଅ । କିଛି ମାତ୍ର ଚିନ୍ତା ନ କର-। ଏ ତୁମ୍ଭର ଘର । ମୋହର ନାମ ରଘୁନାଥ ପଟ୍ଟନାୟକ ।’’

 

ଉତ୍ତର ଶୁଣିବା ମାତ୍ରକେ ରମଣୀର ଗାତ୍ର ରୋମାଞ୍ଚିତ ହୋଇ ଇଷତ୍‌ କମ୍ପିତ ହେଲା ମାତ୍ର ଶରୀରରେ ବଳ ନ ଥିବାରୁ ଆଉ କିଛି କହି ପାରିଲେ ନାହିଁ । ରଘୁନାଥ ମଧ୍ୟ ନୀରବ ହୋଇ ନିବିଷ୍ଟ ମନରେ ରମଣୀର ମୁଖମଣ୍ଡଳ ଧ୍ୟାନ କରୁ କରୁ ପୂର୍ବବତ୍‌ ଶୁଶ୍ରୂଷାରେ ବ୍ରତୀ ହେଲେ ।

Image

 

ଊନତ୍ରିଂଶ ପରିଚ୍ଛେଦ

ଅନ୍ତଃପୁର

 

ରସକଳା ଷଣ୍ଢରାଜାଙ୍କ ନବରକୁ ପ୍ରେରିତା ହେବା ଉତ୍ତାରୁ ଆଉ ଆମ୍ଭମାନଙ୍କ ସହିତ ତାଙ୍କର ଦେଖା ହୋଇନାହିଁ । ତାଙ୍କର ମୂର୍ଚ୍ଛାଗ୍ରସ୍ତ ହତଚେତନ ଶରୀରକୁ ଡକାୟତମାନେ ଚଉଧୁରିଙ୍କ ଘରୁ ନେଇ ନୌକାରେ ପକାଇଥିଲେ ଏବଂ ସେହିରୂପ ଅଚେତନ ଅବସ୍ଥାରେ ସେ କୁଜଙ୍ଗର ବିଶାଳ ନବରକୁ ନୀତା ହେଲେ । ସେ ନବରରେ ସ୍ତ୍ରୀଲୋକଙ୍କର ସୀମା ନାହିଁ । ଦେଖିଲେ ମନେ ହୁଏ ଯେପରି ଷଣ୍ଢରାଜା ଈଶ୍ୱରସୃଷ୍ଟ ସମୁଦାୟ ରମଣୀରତ୍ନ ଭୋଗ କରିବାରେ କୃତସଂକଳ୍ପ ହୋଇ କ୍ରମେ କ୍ରମେ ଏତେ ରମଣୀ ଠୁଳ କରିଅଛନ୍ତି । ମାତ୍ର ପୃଥିବୀର ରତ୍ନରାଜି ଜଣେ ଭୋଗ କରିବା ଯେରୂପ ଅସମ୍ଭବ ସେହିପରି ପୃଥିବୀର ଯାବତୀୟ ରମଣୀ ଏକ ଲୋକକୁ ଭୋଗହେବା ଅସମ୍ଭବ । ଯାହାହେଉ ପାଶବକାମପ୍ରକୃତିର ଚରିତାର୍ଥତା ହେତୁ ଷଣ୍ଢଙ୍କ ନବରରେ ଦିବାରାତ୍ର ଚନ୍ଦ୍ରମାର ହାଟ ବସିଅଛି । ଦିବାରାତ୍ର ରୂପଲାବଣ୍ୟରେ ଚନ୍ଦ୍ରମା ବିକ୍ରୀତ ହେଉଅଛି ଏବଂ ଦିବାରାତ୍ର ବେଶଭୂଷାର ଆଡ଼ମ୍ବରରେ ଦୃଷ୍ଟିଶକ୍ତିର ବାଧା ଜନ୍ମୁଅଛି । ବାସ୍ତବରେ ଷଣ୍ଢଙ୍କ ଅନ୍ତଃପୁରର ରମଣୀବୃନ୍ଦ ଦେଖିବାକୁ ବଡ଼ ସୁନ୍ଦରୀ । ବଡ଼ରାଣୀ ପାଟମହାଦେଈ ନାମରେ ବିଖ୍ୟାତା ଏବଂ ଅପର ରମଣୀମାନେ ମହାଦେଈ ନାମ ଧାରଣ କରିଅଛନ୍ତି । ତହିଁଉତ୍ତାରୁ କେତେ ପୁଷ୍ପବିବାହିତା ରାଣୀ ନାମ ଧାରଣ କରି ରମଣୀ ରୂପ ଉଦ୍ୟାନରେ ଫୁଲ ଫୁଟାଇ ବାସ ଚହଟାଇ ଅଛନ୍ତି ତହିଁର ସୀମା ନାହିଁ । ଏ ଛଡ଼ା କେହି ଥରେ ରାଜାଙ୍କ ସ୍ପର୍ଶଭାଗନୀ ହୋଇ ତହିଁ ମଧ୍ୟରେ ଫୁଟି ରହି ଅଛନ୍ତି । ଏପରି ରମଣୀର ସଂଖ୍ୟା ମଧ୍ୟ ଅଳ୍ପ ନୁହେ । ଏକ ଏକ ରାଣୀଙ୍କ ନିକଟରେ ଦଶଜଣ ପରିଚାରିକା ଅଛନ୍ତି ଏବଂ ମହାଦେଈ ଓ ପାଟମହାଦେଈଙ୍କ ନିକଟରେ ଜଣକେ ତ୍ରିଂଶତ୍‌ କି ଚତ୍ୱାରିଂଶତ୍‌ ପରିଚାରିକାରୁ ଊଣା ନାହାନ୍ତି । ଏପରେ ରାଜାଙ୍କର ଧାଈମା ପ୍ରଭୃତି ଓ ବଡ଼ ବଡ଼ ରାଜାଙ୍କର ରାଣୀ ପ୍ରଭୃତି ପରିଚାରିକା ସହିତ ଅଛନ୍ତି । ଏହିରୂପେ ରାଜାଙ୍କର ନବର ସାତଖଣ୍ଡି ଗ୍ରାମରୂପରେ ବିରାଜିତ ଅଛି । ରମଣୀବୃନ୍ଦ ରାଜାଙ୍କ ନୀତରେ ଖଞ୍ଜା ଅଛନ୍ତି । ଯେତେବେଳେ ଯାହାଙ୍କର ପାଳି ପଡ଼ଇ ସେତେବେଳେ ସେ ସଜ ହୋଇ ରାଜାଙ୍କ ସେବାରେ ଉପନୀତା ହୁଅନ୍ତି ମାତ୍ର ସମସ୍ତେ ସନ୍ଧ୍ୟା ସମୟରେ ବେଶ ବାନ୍ଧନ୍ତି ଏବଂ ଯେତେବେଳେ ସେମାନେ ବେଶ ବାନ୍ଧିଲା ଉତ୍ତାରୁ ଶୀତଳ-ଶୁକ୍ଳ-ଚନ୍ଦ୍ର-କିରଣ-ଶୋଭିତ ନବରରେ ଅଙ୍ଗଭଙ୍ଗୀ କରି ଭ୍ରମଣ କରନ୍ତି ସେତେବେଳେ ତାହା ଅପ୍‌ସରା–ପରିବେଷ୍ଟିତ ନନ୍ଦନକାନନ ପ୍ରାୟ ଶୋଭା ପାଏ । ସେମାନେ ମନେ କରନ୍ତି ତାଙ୍କ ରୂପ-ଶୋଭାକୁ ଚନ୍ଦ୍ର ସମକକ୍ଷ ହୋଇ ନ ପାରି ଲଜ୍ଜାରେ କଳଙ୍କରୂପ ବସନ ଦ୍ୱାରା ମୁଖ ଘୋଡ଼ାଇବାର ଚେଷ୍ଟା କରୁ ଅଛନ୍ତି । ଆଉ ଯେତେବେଳେ ଆକାଶସ୍ଥ ସକଳଙ୍କ ଚନ୍ଦ୍ରମା ଗୋଟି ଦେଖି ମନ ବିମୋହିତ ହୁଏ ସେତେବେଳେ ଷଣ୍ଢ ନବରସ୍ଥ ନିଷ୍କଳଙ୍କ ଚନ୍ଦ୍ରମାମାଳା ଦେଖି ଯେ ମନ ସ୍ଥିର ହେବ ଏହା ଆଶା କରିବା ଦୂରାଶା ମାତ୍ର । ସେହି ରମଣୀବୃନ୍ଦ ବିଚରଣ କରିବା ସମୟରେ ଯେତେବେଳେ ପଦସ୍ଥ ନୂପୁରଝୁଣ୍ଟିଆ ପ୍ରଭୃତି ‘‘ଝମ’’ ‘‘ଝମ’’ ଶବ୍ଦ କରି ଅରସିକର ଦୃଷ୍ଟି ସୁଦ୍ଧା ଫେରାଇବାର ପଣ କରେ ଏବଂ ତହିଁ ସଙ୍ଗେ ଯେତେବେଳେ କଟିରସନା ‘‘କିଣି କିଣି’’ ନାଦରେ ମନଃପ୍ରାଣ କିଣି ନେବାର ପ୍ରତିଜ୍ଞା କରେ ସେତେବେଳେ ଭାରୀ ଭାରୀ ଯତିଙ୍କର ଯେ ମତି ଟଳିଯିବ ଏଥିରେ ସନ୍ଦେହ କି ଅଛି ? ପାଠକେ ! ସେ ଶୋଭା, ସେ ବାଦ୍ୟ ଏବଂ ତହିଁ ସଙ୍ଗେ ଗମନଭଙ୍ଗୀରୂପ ନୃତ୍ୟ ଓ ସୁକୋମଳ କାକଳୀରୂପୀ କଥା-ସଙ୍ଗୀତ ହାବଭାବ ବେଶଭୂଷା ସହିତରେ ଷଣ୍ଢ-ନବରକୁ ଗନ୍ଧର୍ବ-ପୁରୀରେ ପରିଣତ କରଇ ଏବଂ ତହିଁରେ ଅଳ୍ପକେ ସୁଦ୍ଧା ଲୋକ ବିମୋହିତ ହୋଇଯିବା ଆଶ୍ଚର୍ଯ୍ୟର ବିଷୟ ନୁହଇ ।

 

ଏବମ୍ଭୁତ ନବରକୁ ରସକଳା ଆନୀତା ହେଲେ । ସେଠାରେ ସେ ଦୁଇଦିନ ଅଚେତନାବସ୍ଥାରେ ଥିଲେ । ପାଟମହାଦେଈ ତାଙ୍କୁ ଦେଖିଲାକ୍ଷଣି ବିଧିବଶରେ ଅନୁରାଗିଣୀ ହୋଇଥିଲେ ଏବଂ ସେହି ଅନୁରାଗର ବଶବର୍ତ୍ତିନୀ ହୋଇ ସେ ରସକଳାଙ୍କର ଅନେକ ସେବା କଲେ । ଦୁଇଦିନ ଉତ୍ତାରୁ ରସକଳାଙ୍କର ଜ୍ଞାନ ହେଲା ଏବଂ ସପ୍ତାହ ମଧ୍ୟରେ ରୋଗ ହଟି ଯିବାରୁ ଷଣ୍ଢନବରରେ ସେ ବିଚରଣ କରିବାକୁ ସକ୍ଷମା ହୋଇଥିଲେ । କ୍ରମେ ଷଣ୍ଢନବରରେ ତାଙ୍କର ବନ୍ଧୁଭାବ ଜାତ ହେଲା । ପଟମାହାଦେଈ ଯତ୍ନବତୀ ହୋଇ ବିଶେଷ ସେବାଶୁଶ୍ରୂଷାଦ୍ୱାରା ଆରୋଗ୍ୟ କରିଥିବାରୁ ରସକଳା ତାଙ୍କୁ ମାତା ବୋଲି ସମ୍ବୋଧନ କଲେ ଏବଂ ପାଟମହାଦେଈ ତ ଆଗହୁଁ ‘‘ଝିଅ’’ ‘‘ଝିଅ’’ ବୋଲି ଡାକୁଥିଲେ–ଏ ସମ୍ବୋଧନରେ ତାଙ୍କର ଅନ୍ତରାତ୍ମା ଉତ୍‌ଫୁଲ୍ଲ ହୋଇ ଉଠିଲା ଏବଂ ସ୍ନେହରସାର୍ଦ୍ଦ୍ର ହୃଦୟ ଓ କମ୍ପିତ କଳେବରରେ ରସକଳାର ମୁଖ ଚୁମ୍ବନ କରୁ କରୁ କହିଲେ ‘‘ରସ, ତୁ ମୋର ପୂର୍ବକାଳରେ ଝିଅ ଥିଲୁ ବୋଲି ବିଧାତା ପୁଣି ଆସି ତୋତେ ମୋ ଅଙ୍କରେ ସ୍ଥାପିଛନ୍ତି’’ । ରସକଳା ଏ ଭାବରେ ତରଳି ଯାଉଥିଲେ–ତରଳି ନ ଯିବେ କାହିଁକି ? –ପିଲାଟିଦିନରୁ ତ ସେ କେବେ ମାତାର ଏତାଦୃଶ ସ୍ନେହ ପାଇ ନ ଥିଲେ । ଅପର ରମଣୀଠାରୁ ଏବମ୍ଭୁତ ଅପୂର୍ବ ସ୍ନେହରସ ପାଇ ବରଫବତ୍‌ କଠିନ ହୃଦୟ ସୁଦ୍ଧା ଯେ ଦ୍ରବୀଭୂତ ହୋଇଯିବ ଏଥିରେ କିଛି ମାତ୍ର ସନ୍ଦେହ ନାହିଁ–ତହିଁରେ ପୁଣି ରସକଳା ଶିଶିର-କୋମଳ-ହୃଦୟା । ଏହି ସମ୍ୱନ୍ଧରୁ କ୍ରମେ କ୍ରମେ କେତେ ଯେ ବିଧାତାଭିଆଣ ମାଉସୀ, ଭଉଣୀ ଆଈ ପ୍ରଭୃତି ସମ୍ୱନ୍ଧ ପଡ଼ିଗଲା ତାହାର ଇୟତ୍ତା ନାହିଁ ଏବଂ ଏହିରୂପେ ସ୍ନେହବିବର୍ଜ୍ଜିତ ସଂସାର ସାଗରରୁ ଆସି ରସକଳା ସୁକୋମଳ ସ୍ନେହତରଙ୍ଗଶାଳିସମୁଦ୍ରରେ ପଡ଼ି ସେହି ତରଙ୍ଗରେ ଆତ୍ମା ଶୀତଳ କରି ବର୍ଦ୍ଧିତା ହେଲେ ।

 

ଷଣ୍ଢ-ନବରରେ ସମୁଦାୟ ରମଣୀ ବୃନ୍ଦରେ ପାଟମହାଦେଈ ଏକ ଅପୂର୍ବ ରତ୍ନ । ବିଧାତା ତାଙ୍କୁ ଯେରୂପ ସୌନ୍ଦର୍ଯ୍ୟ ପ୍ରଦାନ କରିଅଛନ୍ତି ସେହିରୂପ ଅପୂର୍ବ ମନ ମଧ୍ୟ ପ୍ରଦାନ କରି ଅଛନ୍ତି । ବାସ୍ତବରେ ରାଜରାଣୀ ହୋଇ ଏଡ଼େ ସ୍ନେହମୟୀ ରମଣୀ ଧରାପୃଷ୍ଠରେ ଦେଖିବା ଦୁର୍ଲ୍ଲଭ-। ସେ ପଶୁପକ୍ଷୀକି ଆପଣାର ପୁତ୍ରକନ୍ୟା ପ୍ରାୟ ସ୍ନେହ କରନ୍ତି–ରସକଳା ତ ମାନବୀ ରସକଳା ସେ ସ୍ନେହରେ ଯେ ସୁଖରେ ପରିବର୍ଦ୍ଧିତା ହେବେ ଏଥିରେ ସନ୍ଦେହ କିଛିନାହିଁ । ତଥାପି ରସକଳା ଯେ କଳାବତୀଙ୍କି କି ତାଙ୍କର ସ୍ନେହକୁ ପାସୋରି ଯିବେ ଏହା କେତେବେଳେ ସମ୍ଭବପର ନୁହଇ ମାତ୍ର ପାଟମହାଦେଈ ପ୍ରାୟ ସବୁ ସମୟରେ ‘‘ଏଟା ଆଣ’’ ‘‘ସେଟା ଆଣ’’ ‘‘ୟା ଦିଅ’’ ‘‘ତା ଦିଅ’’ କହି ରସକଳାଙ୍କର ମନକୁ ଏପରି ଭୁଲାଇ ରଖିଥିଲେ ଯେ କଳାବତୀଙ୍କ ବିଷୟ ଚିନ୍ତା କରିବାକୁ ତାଙ୍କର ଅଳ୍ପ ଅବସର ରହୁଥିଲା । ପାଟମହାଦେଈଙ୍କ ଇଚ୍ଛାମତ ଏବଂ ରସକଳାଙ୍କ ଗୁଣରେ ଆକୃଷ୍ଟ ହୋଇ ଅପର ରମଣୀବୃନ୍ଦ ପ୍ରାୟ ସର୍ବସମୟରେ ରସକଳାଙ୍କ ନିକଟରେ ଉପସ୍ଥିତ ରହୁଥିଲେ ଏବଂ ରସକଳା ବାସ୍ତବରେ ରାଜଜେମାରୂପେ ଜନ୍ମ ହୋଇଥିଲା ପରି ସେ ଘରେ ବଢ଼ିଲେ । ବସ୍ତ୍ରାଳଙ୍କାର ଆଦି କୌଣସି ବିଷୟରେ ତାଙ୍କର ଊଣା ନ ଥିଲା । ଷଣ୍ଢେ ଯାହା ଦେଇଥିଲେ ପାଟମହାଦେଈ ତହିଁର ଚତୁର୍ଗୁଣ ଅଳଙ୍କାର ନାଇ ଦେଲେ । କଳାବତୀ-ଶୋକରେ ସନ୍ତପ୍ତ ଥିଲାବେଳେ ରସକଳା ସ୍ୱଭାବତଃ ସେ ସବୁ ପିନ୍ଧିବାକୁ ନାସ୍ତି କଲେ କିନ୍ତୁ ପାଟମହାଦେଈଙ୍କ କଥା ଏଡ଼ିଦେବା ତାଙ୍କର ସାଧ୍ୟାତୀତ । ଅଗତ୍ୟା ସେ ସବୁ ନାଇବାକୁ ପଡ଼ିଲା ଏବଂ ଯେତେବେଳେ ମଣିରତ୍ନ ବିମଣ୍ଡିତ ଦିବ୍ୟ-ବସ୍ତ୍ରାଳଙ୍କାରରେ ବିଭୂଷିତା ହୋଇ ରସକଳା ଷଣ୍ଢ-ନବରରେ ବିଚରଣ କଲେ ସେତେବେଳେ ଗନ୍ଧର୍ବପୁରୀରେ ସକ୍ଷାତ୍‌ ଦେବକନ୍ୟା ଆବିର୍ଭୂତା ହୋଇଥିବାର ଶୋଭା ପ୍ରକଟିତା ହୋଇଗଲା ।

 

ଷଣ୍ଢେ ମଧ୍ୟ ରସକଳାଙ୍କୁ ଦେଖି ପାରୁଥିଲେ । ଯେତେବେଳେ ସେ ନବରକୁ ଆନୀତା ହେଲେ ସେତେବେଳେ ତାଙ୍କର ଚେତନା ନ ଥିଲା । ସେହି ସମୟରୁ ବିଶେଷ ଚିକିତ୍ସା କରିବାର ପ୍ରୟୋଜନ ହୋଇଥିଲା । ରାଜବୈଦ୍ୟ ମଧ୍ୟ ସେଠାରେ ବଡ଼ ନିପୁଣ ଥିଲେ ଏବଂ ରାଜାଙ୍କ ଆଦେଶକ୍ରମେ ଭଲ ଭଲ ତୈଳ ଏବଂ ଔଷଧର ଅଭାବ ରହିଲା ନାହିଁ । ରାଜା ଘେନି ବିଦ୍ୟା ଏବଂ ବ୍ୟବସାୟ । ଆଜିକାଲି ଆମ୍ଭେମାନେ ଇଂରାଜରାଜଙ୍କ ଅଧୀନସ୍ଥ ହୋଇ ଥିବାରୁ ଆମ୍ଭମାନଙ୍କର ଶାସ୍ତ୍ରୀୟ ଔଷଧ ଆଦିର ହ୍ରାସ ହୋଇ ଯାଇଅଛି ଏମନ୍ତ କି ଭଲ ବୈଦ୍ୟ ଏବଂ ଭଲ ଔଷଧ ଖୋଜି ପାଇବା ଦୁଷ୍କର । ମାତ୍ର ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ ସେତେବେଳେ ଯେମନ୍ତ ଆମ୍ଭମାନଙ୍କର ଶାସ୍ତ୍ରୀୟ ଚିକିତ୍ସାର ଆଦର ଥିଲା ତେମନ୍ତ ଭଲ ଭଲ ଔଷଧ ମଧ୍ୟ ମିଳୁଥିଲା । ରାଜା ସ୍ୱୟଂ ବୈଦ୍ୟରାଜଙ୍କ ସହିତରେ ରସକଳାଙ୍କୁ ଦେଖି ଔଷଧ ଓ ପଥ୍ୟର ନିୟମ କରି ଆସିଲେ ଏବଂ ସେହି ସମୟରୁ ତାଙ୍କର ରସକଳାଙ୍କ ପ୍ରତି ଅଭୁତ-ପୂର୍ବ ଅନୁରାଗ ଏବଂ ସ୍ନେହ ଜାତ ହୋଇଥିଲା । ରସକଳାଙ୍କର ବଞ୍ଚିବାର ଆଶା ନ ଥିଲା । ରାଜା ବୈଦ୍ୟରାଜଙ୍କୁ ବିଶେଷ ଯତ୍ନ ଘେନିବା କାରଣ ଆଦେଶ କଲେ ଏବଂ ଘଡ଼ିକି ଘଡ଼ି ଯାଇ ରସକଳାଙ୍କର ତତ୍ତ୍ୱ ଘେନୁଥିଲେ । ଅଧିକ କି ବୋଲିବୁଁ ସେ ରସକଳାଙ୍କୁ ଆପଣାର କନ୍ୟାଠାରୁ ସମଧିକ ସ୍ନେହ କଲେ ଏବଂ ମନେ ମନେ ପାଞ୍ଚି ରଖିଲେ ଯେ ରସକଳା ଆୟୁଷ୍ମତୀ ହୋଇ ବଞ୍ଚିଲେ ରଘୁନାଥଙ୍କ ସହିତରେ ତାଙ୍କର ପାଣି-ଗ୍ରହଣ କ୍ରିୟା ସମ୍ପନ୍ନା କରିବେ । ରସକଳା କିଞ୍ଚିତ୍‌ ଆରୋଗ୍ୟ ହେଲାରୁ ରାଜା ପାଟମହାଦେଈଙ୍କି ଆପଣାର ଅଭିପ୍ରାୟ ଜଣାଇଥିଲେ ଏବଂ ପାଟମହାଦେଈ ପ୍ରସ୍ତାବ ଶୁଣି ପ୍ରଫୁଲ୍ଲ ମନରେ ସମ୍ମତି ଜ୍ଞାପନ କଲେ-

 

ଏହିରୁପେ ଷଣ୍ଢନବରରେ ରସକଳା ରାଜା-ରାଣୀଙ୍କର ପ୍ରିୟତମା କନ୍ୟାରୂପେ ବିଚରଣ କଲେ । ରଘୁନାଥଙ୍କ ସହିତ ତାଙ୍କର ସକ୍ଷାତ୍‌ ହୋଇନାହିଁ ଏବଂ ରଘୁନାଥ କିଏ ତାଙ୍କୁ ଜଣା ନ ଥିଲା-। ଡକାୟତିଦ୍ୱାରା ସେ ଯେ ସେଠାକୁ ଆନୀତା ହୋଇ ଅଛନ୍ତି ତାହା ମଧ୍ୟ କେହି ଜାଣନ୍ତି ନାହିଁ-। ସେଦିନରେ ରୋଷନୀ ଯେ ଡକାୟତି କାଣ୍ଡ ତାହାବି ରସକଳାଙ୍କୁ ଜଣା ନଥିଲା । ରସକଳା ଜାଣନ୍ତି ରୋଷନୀ ହେଉଥିଲା ଏମନ୍ତ ସମୟରେ ଚୌଧୁରୀଙ୍କ ଘରର କାନ୍ଥମାନ ପଡ଼ିଲା ଏବଂ ଡକାୟତଙ୍କଦ୍ୱାରା ଏ କାଣ୍ଡ ସମ୍ଭବ ବୋଲି ଅନୁମିତ ହେବା ସଙ୍ଗେ ସଙ୍ଗେ ସେ ଅଚେତନ ହୋଇ ପଡ଼ିଥିଲେ, ତାଙ୍କୁ ଆଉ କିଛି ଜଣା ନାହିଁ । ଯେତକ ଜାଣି ଥିଲେ ସେତକ ନବରରେ ମାତା ପ୍ରଭୃତି ନାନା ରମଣୀଙ୍କି ଜଣାଇଥିଲେ ଏବଂ ଯାହା ଜଣାଇଲେ ତାହା କ୍ରମେ କ୍ରମେ ନାନା ରୂପେ ବିକଶିତ ହୋଇ ଏକ ଅପୂର୍ବ କାହାଣୀ ରୁପେ ଷଣ୍ଢ-ନବରରେ ବିଚରଣ କଲା । ଫଳତଃ ନବରର ରମଣୀଙ୍କ ମଧ୍ୟରେ କେହି ରସକଳା କିଏ ଏବଂ କିରୂପେ ଆନୀତା ହେଲେ ଜାଣି ନ ଥିଲେ । ସୁତରାଂ ରସକଳାଙ୍କର ରଘୁନାଥଙ୍କୁ ଜାଣିବାର ଉପାୟ ନ ଥିଲା । ରାଜାଙ୍କ ନିକଟରେ ସ୍ନେହମୟୀ କନ୍ୟା ବିଶେଷ ଅନୁରୋଧ କଲା ପ୍ରାୟ ରସକଳା ଆପଣା କଥା ଜାଣିବାକୁ ଚାହିବାରେ ରାଜା କେବଳ ଏତିକି କହିଲେ ଯେ ଡକାୟତମାନେ ଚୌଧୁରୀଙ୍କ ଘର ଲୁଟପାଟ କରିବା ସମୟରେ ସେ ଅଚେତନ ହୋଇ ପଡ଼ିଥିଲେ–ରାଜାଙ୍କ ଲୋକେ ତାଙ୍କୁ ଘେନି ଆସିଲେ । ରାଜାଙ୍କୁ ଅବା ଅଧିକ ଜିଦିକରି ସେ କିରୂପେ ପଚାରିବେ ? ସୁତରାଂ ଯେତିକି ଜାଣିଲେ ସେତିକି ! ପିତାମାତାଙ୍କର ତାଙ୍କ ପ୍ରତି ତିଳମାତ୍ର ସ୍ନେହ ନ ଥିଲା । ତଥାପି ଅପୂର୍ବ ସଂସାର ମାୟାବନ୍ଧନରେ ବଦ୍ଧ ଥାଇ କେଉଁ ପାଷାଣ ମନ ପିତାମାତାଙ୍କୁ ଭୁଲି ପାରିବ ? କାଳକ୍ରମେ ସେ ଏ ବିଷୟ ରାଜାଙ୍କୁ ପଚାରିଥିଲେ ଏବଂ ରାଜା ନାନାମତେ ତାଙ୍କର ପିତାମାତାଙ୍କ ଅସାର ହୃଦୟ ଓ ନିର୍ଦ୍ଦୟତା ବିବୃତ କରି ପରିଶେଷରେ ଉକାୟତଙ୍କ କର୍ତ୍ତୃକ ହତ ହୋଇଥିବାର ଜଣାଇଲେ । ପିତାମାତା ହଜାର ଅମନୁଷ୍ୟ ହେଲେ କନ୍ୟା ତ ସ୍ନେହମୟୀ । ରସକଳାଙ୍କ ଚକ୍ଷୁରୁ ଏ ବାର୍ତ୍ତା ଶ୍ରବଣରେ ଅଶ୍ରୁଧାରା ବିଗଳିତା ହୋଇଥିଲା । ରାଜା ଓ ରାଣୀ ଉଭୟେ ନାନାମତେ ତାଙ୍କୁ ବୁଝାଇ ପ୍ରବୋଧ ଦେଲେ । ଆଉ ରସକଳା ବର୍ତ୍ତମାନ ସ୍ନେହପାରାବାରରେ ସେ ଭାବ ଅଧିକ କାଳ ପୋଷି ପାରିଲେ ନାହିଁ ।

 

ବାକୀ ରହିଲା କଳାବତୀଙ୍କର କଥା । ଅନେକ ସମୟରେ ରାଜାରାଣୀଙ୍କି ରସକଳା କଳାବତୀଙ୍କ କଥା ପଚାରନ୍ତି ଏବଂ ସେମାନେ ମଧ୍ୟ କଳାବତୀ ଭଲ ଥିବାର କହି ଅଚିରେ ତାଙ୍କ ସହିତ ସାକ୍ଷାତ୍‌ ହେବାର ଜଣାଇ ପ୍ରବୋଧ ଦିଅନ୍ତି । ରସକଳାଙ୍କ ମନ କଳାବତୀଙ୍କ ଅଦର୍ଶନରେ ଫାଟି ଯାଉଥିଲେ ସୁଦ୍ଧା ଆଉ ଉପାୟ କି ଅଛି ? ବିଧାତା ତ ସୁକୋମଳ ସ୍ନେହବାରିସିକ୍ତ ଅପୂର୍ବ କାରାଗାରରେ ଆବଦ୍ଧ କରି ଅଛନ୍ତି–ତାଙ୍କର ଯେତେବେଳେ କୃପା ହେବ ସେତେବେଳେ ସେ କଳାବତୀଙ୍କି ଦେଖିବେ, ତାହା ଭିନ୍ନ ଉପାୟ ନାହିଁ । ଏହିପରି ଆପଣା ମନକୁ ପ୍ରବୋଧ ଦେଇ ଷଣ୍ଢ ନବରରେ ବର୍ଦ୍ଧିତା ହେଲେ ।

 

ରସକଳାଙ୍କ ଶରୀର ଉତ୍ତମରୂପେ ଆରୋଗ୍ୟ ଲାଭ କରି ଦିବ୍ୟତେଜଃ ଷଣ୍ଢନବରରେ ପ୍ରକାଶ କଲା ଏବଂ ଷଣ୍ଢ-ନବରରେ ଏଘେନି ସ୍ନେହାନନ୍ଦର ଉତ୍ସବ ଲାଗିଗଲା । ରାଜା ଓ ରାଣୀ ସେ ଉତ୍ସବରେ ପ୍ରମତ୍ତ ହୋଇ ରଘୁନାଥଙ୍କ ମନୋଭାବ ଜାଣିବା କାରଣ ତାଙ୍କୁ ଆମନ୍ତ୍ରଣ କରି ପଠାଇଲେ ।

Image

 

ତ୍ରିଂଶ ପରିଚ୍ଛେଦ

ମାୟାଧର

 

ଷଣ୍ଢଙ୍କ ମାମୁଙ୍କୁ ବୋଧହୁଏ ପାଠକମାନେ ଭୁଲି ନାହାନ୍ତି । ସେ ଭୁଲିବାର ଦ୍ରବ୍ୟ ନୁହନ୍ତି-। ସଂସାରରେ ଯୋଡ଼ିଏ ବସ୍ତୁ ପାସୋର ଯାଏ ନାହିଁ–ଏକ ଅତି ଭଲ ଏବଂ ଅପର ଅତି ମନ୍ଦ-। ଯେ ଅତି ଭଲ ଲୋକ ସେ ନାନା ସତ୍‌କାର୍ଯ୍ୟ କରି ଭୂମଣ୍ଡଳରେ ଯଶଃକୀର୍ତ୍ତି ରଖିଯାନ୍ତି ଏବଂ ଯେ ନିତାନ୍ତ ମନ୍ଦ ସେ ମଧ୍ୟ ଅତୀବ ମନ୍ଦ ଏବଂ ଭୀଷଣ କାଣ୍ଡ ଭିଆଇ ଜଗତରେ ନାମ ରଖେ । ବିଚିତ୍ର ପୃଥିବୀରେ ଏହିପରି ଯୋଡ଼ିଏ ସୀମା ଅଛି । ଆମ୍ଭମାନଙ୍କର ମାୟାଧର ତହିଁର ଏକ ସୀମା ଅବଲମ୍ୱନ କରି କାଳଚକ୍ରରେ ଭ୍ରମଣ କରୁଅଛନ୍ତି ଏବଂ ନାନାବିଧ କୁଚକ୍ର ମନୋମଧ୍ୟରେ ଅହର୍ନିଶ ବୁଲୁ ଅଛି । ଯେତେବେଳେ ବିଚିତ୍ର ମହାଭାରତରେ ଅତି ନିନ୍ଦନୀୟ ହୃଦୟ ବିଦାରକ କାଣ୍ଡ ଭିଆଇ ଶକୁନି ମାମୁ ନାମ ରଖିଗଲେ ସେତେବେଳେ ଯେ ଷଣ୍ଢଙ୍କର ମାୟାଧର ମାମୁ ଅସତ୍‌କାର୍ଯ୍ୟରେ କିଞ୍ଚିତ୍‌ ନାମ ରଖିଯିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିମାତ୍ର କାରଣ ନାହିଁ । ମାୟାଧର ସତତ ଯଶଃପ୍ରାର୍ଥୀ । ଯଶ ଘେନି ଯେ ତାଙ୍କର କି ହେବ ତାହା ସେ ଜାଣି ନ ଥିଲେ–ତଥାପି ଯଶରୁପାର୍ଜନ କରିବା ସକାଶେ ସେ ନିତାନ୍ତ ବ୍ୟସ୍ତ । ପାଠକେ ! ଆସନ୍ତୁ ଥରେ ମାୟାଧର ମାମୁଙ୍କ କାଣ୍ଡ ଦେଖିବେ ।

 

କଳାବତୀ ଓ ରସକଳାଙ୍କ ମୂର୍ଚ୍ଛାଗ୍ରସ୍ତ ଶରୀର ଯେତେବେଳେ ଚଉଧୁରିଙ୍କ ଘରୁ ନୌକାକୁ ଆନୀତ ହେଲା ସେତେବେଳୁଁ ମାୟାଧର ସେ ରମଣୀଦ୍ୱୟଙ୍କୁ ଦେଖିଥିଲେ । ଦିବ୍ୟସୁନ୍ଦରୀ ରମଣୀ ଦେଖି ପାପିଷ୍ଠ ଲୋଭଗ୍ରସ୍ତ ହୋଇଥିଲେ । ମାତ୍ର ହେଲେ କି ହେବ, ସେ ତ ସର୍ଦ୍ଦାର ନୁହନ୍ତି । ରଘୁନାଥଙ୍କ ଆଦେଶ ତାଙ୍କର ସର୍ବଥା ପାଳନୀୟ । ରଘୁନାଥଙ୍କୁ ନ ଜଣାଇଲେ ରମଣୀ-ରତ୍ନ ପାଇବା ତାଙ୍କ ପକ୍ଷେ କଦାଚ ଘଟିବ ନାହିଁ ଏବଂ ମାଗିଲେ ଯେ ପାଇବେ ସେ ଆଶା ତାଙ୍କର ଆଦୌ ନ ଥିଲା । ସେ ମନେ କଲେ ରଘୁନାଥ ଯେ ଏଡ଼େ ସୁନ୍ଦରୀ ରମଣୀ ଛାଡ଼ିଦେବେ ଏହା କଦାଚ ସମ୍ଭବ ନୁହଇ, ତେବେ କଳେବଳେ ଗୋଟିକୁ ହସ୍ତଗତ ନ କଲେ ଉପାୟ ନାହିଁ । ଏହା ଭାବି ସେହି ସମୟରୁ କୌଶଳ ଉଦ୍ଭାବନ କରିବାରେ ବ୍ରତୀ ହେଲେ ।

 

ଯେତେବେଳେ ପାରାଦ୍ୱୀପଠାରେ ଜାଲିୟାମାନ ପହୁଞ୍ଚିଲା ସେତେବେଳେ ରଘୁନାଥ ଏ ରମଣୀଦ୍ୱୟଙ୍କୁ ଘେନି କି କରିବେ ତହିଁର ଅପେକ୍ଷା କରି ରହିଥିଲେ । ଜାଲିୟାମାନ ପହୁଞ୍ଚିଲା ଉତ୍ତାରୁ ରାଜଙ୍କ ସଙ୍ଗେ ସମସ୍ତେ ସାକ୍ଷାତ୍‌ କଲେ । ତତ୍‌ପରେ ରଘୁନାଥ ତ ଗୋଟିଏ ରମଣୀ ନବରକୁ ପଠାଇ ଦେଇ ଆରଟିକୁ ଘେନି ଚାଲିଗଲେ । ମାୟାଧରଙ୍କ ପ୍ରତି ବାହାବଳୀନ୍ଦ୍ର ଓ ବଳିଆର ସିଂହଙ୍କ ସହିତରେ ଲୁଣ୍ଠିତ ଦ୍ରବ୍ୟାଦି ବଣ୍ଟନ କରିବାର ଭାର ରହିଗଲା । ସେତେବେଳେ ତ କିଛି କରିବାକୁ ଅବସର ନାହିଁ । ଅଗତ୍ୟା ବାଧ୍ୟ ହୋଇ ଦ୍ରବ୍ୟାଦି ବଣ୍ଟନ କରି ଯଥାସ୍ଥାନରେ ସମସ୍ତ ରକ୍ଷାକଲେ ଏବଂ ପ୍ରକାଣ୍ଡ ଉକାୟତୀ ପରେ ଶ୍ରମ ଦୂରୀକରଣାର୍ଥ ପଞ୍ଚଦଶ ଦିନ ଅବସର ମିଳିଥିବାରୁ ଗ୍ରାମକୁ ଚାଲି ଗଲେ । ଗ୍ରାମରେ ମନ ଲାଗିଲା ନାହିଁ । ପାପପ୍ରବୃତ୍ତିରେ ମନ ବଳିଥିଲେ ପାପିର ସ୍ତ୍ରୀ ସନ୍ତାନାଦିରେ ସୁଦ୍ଧା ମନ ରହଇ ନାହିଁ । ତରତର ହୋଇ ରାଜାଦେଶ ବାହାନାରେ ଘରୁ ପୁଣି କୁଜଙ୍ଗାଭିମୁଖେ ଯାତ୍ରା କଲେ ।

 

ଘରୁ ସଂଙ୍କଳ୍ପ ହୋଇଥିଲା ଯେ ଯିବା ସମୟରେ ରଘୁନାଥଙ୍କ ଘର ହୋଇଯିବେ ଏବଂ ରଘୁନାଥଙ୍କ ମନୋଭାବ ଜାଣି ପରେ ଆବଶ୍ୟକମତେ ଉପାୟ ଅବଲମ୍ୱିତ ହେବ । ଯଦି ରଘୁନାଥ ତାଙ୍କ ପ୍ରସ୍ତାବରେ ସମ୍ମତ ହୋଇ ଗୋଟିଏ ରମଣୀରତ୍ନ ପ୍ରଦାନ କରନ୍ତି ତାହାହେଲେ ତ ଅତି ଉତ୍ତମକଥା, ନୋହିଲେ ରଘୁନାଥଙ୍କୁ ବିପଦରେ ପକାଇ ସୁଦ୍ଧା ଯଦି ରମଣୀରତ୍ନ ଲାଭ ହୁଏ ତାହା କରିବାକୁ ମଧ୍ୟ କୃତସଂକଳ୍ପ ହୋଇ ଘରୁ ବହିର୍ଗତ ହେଲେ ।

 

ଏହିରୂପରେ ମାୟାଧର ଦିନେ ଦିବା ଦୁଇପ୍ରହର ସମୟରେ ରଘୁନାଥଙ୍କ ଘରେ ଉପସ୍ଥିତ । ଏତେବେଳଯାଏ ସୁଦ୍ଧା ରଘୁନାଥ ସ୍ନାନାହାର କରି ନାହାନ୍ତି । ରୋଗପୀଡ଼ିତା ରମଣୀର ଶଯ୍ୟାରେ ଏକଭାବରେ ବସି ନିବିଷ୍ଟମନରେ ରୋଗୀର ମୁଖମଣ୍ଡଳକୁ ଅନାଇ ରହି ସତତ ସେବାରେ ନିଯୁକ୍ତ ଅଛନ୍ତି । ଆହା ! କେତେଜଣ ଲୋକଙ୍କ ଘରରେ ରୋଗୀର ସେବା ଦେଖାଯାଏ-? ବିପଦ ସମୟରେ ବନ୍ଧୁହିଁ ବନ୍ଧୁ । ସମ୍ପଦ ସମୟର ବନ୍ଧୁ ଅନେକ ଏବଂ ସେ ବନ୍ଧୁ ସମ୍ପଦ୍‌ରୂପ ଦିବାଭାଗରେ ସୂର୍ଯ୍ୟପ୍ରାୟ ଉଦିତ ହୋଇ ତହିଁ ସଙ୍ଗେ ସଙ୍ଗେ ଅସ୍ତଗତ ହୁଅନ୍ତି । ମାତ୍ର ରଜନୀରେ ପୃଥିବୀ ତମୋଗ୍ରସ୍ତା ହେଲାରୁ ଯେଉଁ ନକ୍ଷତ୍ର ଅସମର୍ଥ ହେଲେ ସୁଦ୍ଧା ଆପଣାର କ୍ଷୀଣାଲୋକ ଦ୍ୱାରା ବିପନ୍ନିବାରଣ କରିବାକୁ ଚେଷ୍ଟାକରି ବହୁଦୂର ଆକାଶପଥରେ ମଧ୍ୟ ଜଗି ରହନ୍ତି ସେହି ପ୍ରାୟ ସେହି ପ୍ରାୟ ବନ୍ଧୁହିଁ ପ୍ରକୃତ ବନ୍ଧୁ । ପାଠକେ ! ରଘୁନାଥ ଆପଣା ମନୋଗୁଣରେ ଏସମୟରେ ରୋଗ-ପଡ଼ିତା ରମଣୀର ସେବାରେ ଅକାତରରେ ବ୍ରତୀ ଅଛନ୍ତି ମାତ୍ର ମାୟାଧର ପ୍ରାୟ ତାଙ୍କର ମନ ହୋଇଥିଲେ ପୀଡ଼ିତା ରମଣୀର ପ୍ରାଣ ଏପର୍ଯ୍ୟନ୍ତ ରହି ନ ଥାନ୍ତା ।

 

ସେ ଯାହାହେଉ କଳାବତୀ ଯେ ରଘୁନାଥଙ୍କ ଘରେ ଏପରି ପୀଡ଼ିତାବସ୍ଥାରେ ଅଛନ୍ତି ଏବଂ ରଘୁନାଥ ତାଙ୍କର ସେବାରେ ଦିବାରାତ୍ର ଆହାରନିଦ୍ରା ପରିତ୍ୟାଗ କରତଃ ନିଯୁକ୍ତ ଅଛନ୍ତି ଏ କଥା ମାୟାଧରଙ୍କୁ ଆଦୌ ଜଣା ନାହିଁ କି ସେ ବିଷୟ ତଦନ୍ତ କରିବା ଉଚିତ ବୋଲି ଆଦୌ ତାଙ୍କ ମନୋମଧ୍ୟରେ ଉଦିତ ହୋଇ ନାହିଁ । ମାୟାଧର ରଘୁନାଥଙ୍କ ଘରେ ପହୁଞ୍ଚି ଦ୍ୱାର ରୁଦ୍ଧଥିବା ଦେଖିଲେ । ତହୁଁ ବାହାରେ ଶ୍ରମ ନିବାରଣାର୍ଥ କିଞ୍ଚତ୍‍କ୍ଷଣ ବସିଅଛନ୍ତି ଏମନ୍ତ ସମୟରେ ରଘୁନାଥ ତୈଳାକ୍ତ ହୋଇ ସ୍ନାନାର୍ଥ ବହିର୍ଗତ ହେଲେ ଏବଂ ଦ୍ୱାର ଫିଟାଇ ଦେଖିଲେ ଯେ ମାୟାଧର ଦ୍ୱାରେ ଉପସ୍ଥିତ । ମାୟାଧରଙ୍କୁ ଦେଖିବାମାତ୍ରକେ ବ୍ୟସ୍ତସମସ୍ତ ହୋଇ ରଘୁନାଥ ତାଙ୍କର ସ୍ନାନାହାରର କଥା ପଚାରିଲେ ଏବଂ ମାୟାଧର ପ୍ରାତଃକାଳରୁ ସ୍ନାନାହାର କରି ଘରୁ ବାହାରିଥିବାର ଅବଗତ ହୋଇ ବେଳ ଅଧିକ ହୋଇଥିବା ଦୃଷ୍ଟିରେ ତାଙ୍କ ଘରେ କିଞ୍ଚିତ୍‌ ଶାକାନ୍ନ ଭୋଜନ କରିବା କାରଣ ମାୟାଧରଙ୍କୁ ଅନୁରୋଧ କଲେ । ମାୟାଧରତ ଶାକାନ୍ନ ଭୋଜନ କରିବା କାରଣ ଆସି ନାହାନ୍ତି । ସେ କହିଲେ ଯେ ତହିଁରେ ତାଙ୍କର କିଛି ଆପତ୍ତି ନାହିଁ, ମାତ୍ର ଛାମୁରୁ ଡାକରା ହୋଇଥିବାରୁ ସେ ତର-ଭର ହୋଇ ସେଠାକୁ ଯାଉଅଛନ୍ତି, କେବଳ ଗୋଟିଏ କଥା ପଚାରିବାର ଥିବାରୁ ସେ ଏ ବାଟରେ ଆସିଲେ । ତହୁଁ ରଘୁନାଥ ସେ କି କଥା ପଚାରନ୍ତେ ମାୟାଧର କହିଲେ ଯେ ‘‘ଚୌଧୁରୀଙ୍କ ଘରୁ ଯେ ଯୋଡ଼ିଏ ରମଣୀ-ରତ୍ନ ଲାଭ ହେଲା ତହିଁରୁ ଗୋଟିଏ ମୋତେ ଦିଅ । ଗୋଟିଏ ପଛକେ ତୁମ୍ଭେ ରଖ’’ । ରଘୁନାଥ ମାୟାଧରଙ୍କ ମନୋଭାବ ବୁଝିପାରି ତତ୍‌କ୍ଷଣାତ୍‌ କହିଲେ ‘ଗୋଟିଏ ତ ଛାମୁଙ୍କ ନଅରରେ ଅଛି ଏବଂ ମୋହ ନିକଟରେ କେବଳ ଗୋଟିଏ ଅଛି–ସେହିଟି ତୁମ୍ଭେ ନେବ ?’

 

ମାୟାଧର ଉତ୍ତର କଲେ ‘ତୁମ୍ଭେ ସର୍ଦ୍ଦାର । ତୁମ୍ଭେ ବଡ଼ଟିକି ରଖ । ଯେଉଁଟି ନଅରରେ ଛାଡ଼ିଆସିଲ ସେହୁଟିକି ମୋତେ ଦିଅ । ମୁଁ ଆଗହୁଁ ସେହିଟି ନେଇଥାନ୍ତି ମାତ୍ର ତୁମ୍ଭେତ ହଠାତ୍‌ ନଅରକୁ ପଠାଇ ଦେଲ । ଏବେ ଛାମୁଙ୍କୁ ଲେଖିଦେଲେ ମୁଁ ସେ ରମଣୀକି ଘେନିଯିବି । ’’

 

ରଘୁନାଥ ମାୟାଧରଙ୍କ କଥାରେ ବିରକ୍ତ ହୋଇ ମନେ କଲେ ଲୋକଟା କି ସେ ରମଣୀକି ଦେଖି ମୋହିତ ହୋଇଅଛି–ନୋହିଲେ ଏତେ ଦିନଯାଏ ସେ ରମଣୀର କଥା ଭୁଲିଯାଇ ନାହିଁ ଏବଂ ଛାମୁରୁ ଡକରା ହୋଇଥିଲେ ସୁଦ୍ଧା ଏ ବାଟେ ସେ କଥା ପକାଇ ଯିବାକୁ ଛାଡ଼ୁ ନାହିଁ ! ତଥାପି ବିରକ୍ତି ଭାବ ପ୍ରକାଶ ନ କରି କହିଲେ ‘‘ମୁଁ ଯେତେବେଳେ ତାକୁ ନଅରକୁ ପଠାଇ ଦେଇଛି ସେତେବେଳେ ଆଉ ଛାମୁଙ୍କୁ ସେ ବିଷୟରେ କିଛି ଲେଖି ନ ପାରେଁ । ତୁମ୍ଭର ନେବାର ଥିଲେ ତୁମ୍ଭେ ଛାମୁକୁ ଜଣାଇ ନେଇ ପାର’’ ।

 

ମାୟାଧର ଆଶା ବିଫଳ ହେବାର ଜାଣି ମନେ ମନେ କୁପିତ ହେଲେ ଏବଂ କିଞ୍ଚିତ୍‌ ରାଗଭାବ ପ୍ରକାଶ କରି କହିଲେ ‘‘କାହିଁକି ହୋ, ତୁମ୍ଭେ ଗୋଟିଏ ରମଣୀକି ଛାମୁରେ ନ ଜଣାଇ ଆପଣା ଘରକୁ ନେଇ ଆସିଲ–ଆମ୍ଭମାନଙ୍କୁ କି କେତେବେଳେ ପଚାରିଥିଲ ? ତୁମ୍ଭେ ସର୍ଦ୍ଦାର ବୋଲି ସିନା ଆପଣା କଥାକୁ ଆପେ ଜଗିଲ, ଆଉ ଆମ୍ଭମାନଙ୍କୁ ପଚାରିଲ ନାହିଁ ! –ସେ ଯାହାହେଉ ଯେବେ ତୁମ୍ଭେ ଛାମୁଙ୍କୁ ଚିଟାଉ ନ ଦେବ ତୁମ୍ଭେ ସ୍ୱେଚ୍ଛାକ୍ରମେ ଗୋଟିଏ ରମଣୀ–ରତ୍ନ ଛାମୁରେ ନ ଜଣାଇ ଘେନି ଆସିଥିବାର ଆମ୍ଭେ ଛାମୁରେ ଜଣାଇବୁଁ’’ ।

 

ଯାହାର ଯେପରି ମନ ତାହାର ସେପରି କଥା । ରଘୁନାଥ ସମ୍ମତ ହେବେ ନାହିଁ ଏ କଥା ମାୟାଧର ବୁଝି ରଖିଥିଲେ ଏବଂ ପଛକୁ ଏହିପରି ଭଙ୍ଗୀରେ କଥା କହିବା ନିମିତ୍ତ ମିଥ୍ୟାରେ ରଘୁନାଥଙ୍କ ନିକଟରେ ଷଣ୍ଢରାଜାଙ୍କ ଛାମୁରୁ ଡାକରା ହୋଇଥିବାର କହିଥିଲେ । ରଘୁନାଥ ଅନ୍ୟାୟ କଥାରେ ଡରିବାର ପାତ୍ର ନୁହନ୍ତି । ରାଜାଙ୍କୁ କି ସକାଶେ ସେ କଳାବତୀଙ୍କ କଥା ଜଣାଇ ନାହାନ୍ତି ତାହା ତାଙ୍କୁ ଉତ୍ତମରୂପେ ଜଣା ଅଛି ଏବଂ କଥା ପଡ଼ିଲେ ସେ ସମ୍ୱନ୍ଧରେ ସନ୍ଦେହ ଦୂର କରିବାକୁ ସେ ସର୍ବଦା ପ୍ରସ୍ତୁତ ଅଛନ୍ତି । ସୁତରାଂ ଭୟ କରିବାର କାରଣ ନାହିଁ । ତେଣୁ ମାୟାଧରଙ୍କ କଥାରେ ତିଳେ ମାତ୍ର ବିଚଳିତ ନ ହୋଇ ଦମ୍ଭଭାବରେ କହିଲେ ‘‘ଇଚ୍ଛା ଥିଲେ ଛାମୁରେ ଜଣାଇ ପାର’’ । –ଏହା କହି ରଘୁନାଥ ତରତର ହୋଇ ସ୍ନାନାର୍ଥ ନଦୀକୁ ଗମନ କଲେ । ମାୟାଧର ବିଫଳ ମନୋରଥ ହୋଇ ଆପଣାର କୋପଭାବ ଜ୍ଞାପନାର୍ଥ ଦ୍ରୁତପଦବିକ୍ଷେପରେ କୁଜଙ୍ଗାଭିମୂଖେ ବାହାରିଲେ ।

Image

 

Unknown

ଏକତ୍ରିଂଶ ପରିଚ୍ଛେଦ

ଆମନ୍ତ୍ରଣ

 

ମାୟାଧରଙ୍କ କଥାରେ ରଘୁନାଥ ଯେମନ୍ତ ଆଶ୍ଚର୍ଯ୍ୟାନ୍ୱିତ ତେମନ୍ତ ଦୁଃଖିତ ହୋଇଥିଲେ-। ସେ ତ ମାୟାଧରଙ୍କୁ ଆଗହୁଁ ଜାଣିଥିଲେ । କେତେବେଳେ କେତେ କୁଟିଳ ଭାବ ଜାତ କରାଇ କାହାର କେତେ ଅନିଷ୍ଟ କରିବ ଏ ଘେନି ସତତ ଜଗି ଚାଲିବାକୁ ହେଉଥିଲା । ମାତ୍ର କିଏ ଜାଣିଥିଲା ଯେ ପାପିଷ୍ଠ ରସକଳାଙ୍କୁ ହସ୍ତଗତା କରିବା କାରଣ ଇଚ୍ଛୁକ ହେବ ? ଦୁଷ୍ଟ ଲୋକ ସିନା ନିଆଁ ଗିଳନ୍ତି ! ଯାହା ହେଉ ମାୟାଧର ଯେ ରସ-କଳାଙ୍କୁ ପାଇବା କାରଣ ଏତେ ବ୍ୟସ୍ତ ଏହା ଦେଖି କିଏ ହାସ୍ୟ ସମ୍ୱରଣ କରି ପାରିବ ?

 

ରଘୁନାଥ ସପ୍ତାହକାଳ କଳାବତୀଙ୍କି ରୋଗଶଯ୍ୟାରେ ଜଗି ଜଗି ନିତାନ୍ତ ବ୍ୟସ୍ତ ଅଛନ୍ତି ଏବଂ ଗତକାଲିଠାରୁ କଳାବତୀଙ୍କର ଜ୍ଞାନ-ସଞ୍ଚାର ହୋଇଥିବାରୁ ବ୍ୟସ୍ତତା ଅନେକ ପରିମାଣରେ ହ୍ରାସ ହୋଇଥିଲେ ହେଁ ଚିନ୍ତା-ସ୍ରୋତ ନିବାରିତ ହୋଇ ନାହିଁ । ତଥାପି ପୂର୍ବଠାରୁ କଥଞ୍ଚିତ୍‌ ଶାନ୍ତ ମନରେ ତେଲ ଲଗାଇ ସ୍ନାନାର୍ଥ ଯିବା ସମୟରେ ମାୟାଧରଙ୍କୁ ଦେଖି ଆନନ୍ଦିତ ହୋଇ ତାଙ୍କ ସଙ୍ଗେ ଦୁଇ ଚାରିଟା ମିଷ୍ଟାଳାପ କରି ଚିନ୍ତିତ ମନକୁ ଆହୁରି ଶାନ୍ତ କରିବାର ଯାହା ଆଶା କରିଥିଲେ ତାହାତ ମୟାଧରଙ୍କ ସଙ୍ଗେ କଥାବାର୍ତ୍ତା ହେଲା ଉତ୍ତାରୁ ଏକାବେଳକେ ଅସମ୍ଭବ ହୋଇଗଲା ଏବଂ ମାୟାଧର ଯେ ତାଙ୍କର କିଛି ଅନିଷ୍ଟ କରି ପାରିବେ ଏହା ଆଦୌ ବିଶ୍ୱାସ ନ କରି ବରଂ ପର ପାଇଁ ଗର୍ତ୍ତ ଖୋଳି ତହିଁରେ ପଛକୁ ମାୟାଧର ନିଜେ ନ ପଡ଼ନ୍ତି ଏହି ଭାବନାରେ କିଞ୍ଚିତ୍‌ ବ୍ୟସ୍ତ ହେଲେ ମଧ୍ୟ ମାୟାଧର ଦ୍ରୁତପଦବିକ୍ଷେପରେ ଗମନ କରୁଥିବା ଦେଖି ଲୋକଟାର ଦୁର୍ଭାବନା ଚିନ୍ତା କରତଃ ମନେ ମନେ ହସିଥିଲେ ।

 

ସପ୍ତାହକାଳ କଳାବତୀଙ୍କ ମୁଖରେ ପଥ୍ୟ ଗଳିବା ତେଣିକି ଥାଉ ଔଷଧ ଗଳିବା କଠିନ ହୋଇଥିଲା । ଖାଇବା ମଧ୍ୟରେ କେତେ କେତେବେଳେ କିଛି କିଛି ଜଳ ଏବଂ କେତେବେଳେ ଅବା କିଞ୍ଚିତ ଦୁଗ୍ଧ ଦିଆ ଯାଉଥିଲା । ମାତ୍ର ଗତରାତ୍ରିରୁ ରୋଗ ହଟିବାର ଆରମ୍ଭ ହୋଇ ଆଜି ଦୁଇପ୍ରହରସୁଦ୍ଧା ଚାରିପଣ ରୋଗ ଭଲ ହୋଇଅଛି ଏବଂ ରୋଗୀକି ଭାତର ମଣ୍ଡ ଦୁଗ୍ଧବିମିଶ୍ରିତ କରି ଆଜି ସକାଳେ ଦିଆଯିବା ପର ଗାଢ଼ ନିଦ୍ରାରେ ରୋଗୀ ଶୋଇବାର ଦେଖି ଅଚିରେ ଆରୋଗ୍ୟ ହେବାର ଆଶା ଜନ୍ମିଅଛି । ସୁତରାଂ ଆଜି ରଘୁନାଥଙ୍କୁ ଭାତ ରୁଚିଲା । ପ୍ରତ୍ୟହ ଯେଉଁ ଅନ୍ନବ୍ୟଞ୍ଜନ ତାଙ୍କୁ ଅସୁଖକର ଏବଂ ସ୍ୱାଦୁବିହୀନ ବୋଲି ଜଣାଯାଉଥିଲା ଆଜି କେଜାଣି ବିଧି ତହିଁରେ କି ସୁଧା ମିଶ୍ରିତ କରି ରଘୁନାଥଙ୍କ ସମକ୍ଷରେ ଉପସ୍ଥିତ କରାଇ ଅଛନ୍ତି ଯେ ତାହା ତାଙ୍କୁ ଅଭାବନୀୟରୂପେ ଭଲ ଲାଗିଲା । ରଘୁନାଥ ଖାଇବାରେ ଏତେ ତୃପ୍ତି ବୋଧ କଲେ ଯେ ଜନ୍ମକାଳରୁ ଏ ପର୍ଯ୍ୟନ୍ତ ଏରୂପ ସୁଭୋଜନ କେବେ କରିଥିବାର ତାଙ୍କ ସ୍ମୃତିପଥରେ ଉଦିତ ହେଲା ନାହିଁ । ରଘୁନାଥଙ୍କ ମାତା ମଧ୍ୟ ନିତି ପୁତ୍ର ନିକଟରେ ବସି ତାହାର ଖାଇବା ଭଲ ହେଉ ନ ଥିବାର ଦେଖି ବଡ଼ ଉଦ୍‌ବିଗ୍ନା ଥିଲେ, ଆଜି ପୁତ୍ର ଚାରୋଟି ଭଲ ଖାଇଥିବା ହେଖି କିଞ୍ଚତ୍‌ ଆଶ୍ୱସ୍ତା ହେଲେ ଏବଂ ରୋଗୀର ଅବସ୍ଥା କିଞ୍ଚିତ୍‌ ଭଲ ହୋଇଥିବାର ଏଥୁଁ ଅନୁମାନ କରି ପଚାରିଲେ ‘ରଘୁ, ରୋଗୀ କିପରି ଅଛି ?’ ରଘୁନାଥ ବିନୀତ ଭାବରେ ଉତ୍ତର କଲେ ‘ଆଜି ଚାରିପଣରେ ରୋଗ ହଟି ଯାଇଛି’-। ବୃଦ୍ଧା ଏ ଉତ୍ତରରେ ଅତ୍ୟନ୍ତ ଆହ୍ଲାଦିତା ହୋଇ ଜଗଦୀଶ୍ୱରଙ୍କଠାରେ ପୁତ୍ରର ମଙ୍ଗଳକାମନା କଲେ ଏବଂ ତହିଁ ସଙ୍ଗେ ସଙ୍ଗେ କିରୂପେ ଶୀଘ୍ର ତାଙ୍କର କଠିନ ଜୀବନର ଅବସାନ ହୁଏ ତାହା ମଧ୍ୟ ଜଣାଇଲେ ।

 

ସଂସାର ବଡ଼ କଠିନ । ମଲେ ଭଲ, ନ ମଲେ ଗତି ନାହିଁ । ପୁତ୍ର ନିକଟରେ ମାତାର ମୃତ୍ୟୁ କେଡ଼େ ବାଞ୍ଚ୍ଥନୀୟ ! ମାତା ପୁତ୍ର ଥାଉଁ ଥାଉଁ ମରିବା ନିମିତ୍ତ ଈଶ୍ୱରଙ୍କୁ କେତେ ଅବା ହୃଦୟର ନିଭୃତତମ ସ୍ଥାନରୁ ପ୍ରାର୍ଥନା ନ କରେ ! କେତେ ବିନୀତଭାବରେ ଅବା ପୃଥିବୀର ସୁଖସର୍ବସ୍ୱ–ଆପଣାର ଜୀବନ ଅର୍ପଣ ନ କରେ ! ମାତ୍ର ବେଳେ ବେଳେ କଠିନ କାଳ ଯେ ସେହି ଜୀବନଠାରୁ ଅଧିକ ବହୁମୂଲ୍ୟ ପ୍ରିୟତମ ପୁତ୍ରକୁ ମାତା ଅନାଇ ଥାଉଁ ଥାଉଁ ଘେନି ଚାଲିଯାଏ ତାହା କାହା ହୃଦୟରେ ସହିବ ? ସେ ଦୃଶ୍ୟରେ ଛାତି କି ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇ ଯାଏ ନାହିଁ ? ସେ ଦୃଶ୍ୟରେ ଆପଣାରେ ଜୀବନକୁ ଅତି ଅକିଞ୍ଚିତ୍କର ଜ୍ଞାନ କରି ମନୁଷ୍ୟ କି ମରିବାକୁ ନିତାନ୍ତ ଇଚ୍ଛୁକ ହୁଏ ନାହିଁ ? ମାତ୍ର କି ହେବ ? କାଳ ଆପଣାର କାର୍ଯ୍ୟ ଚିରକାଳ ସାଧନ କରିବ । ତୁମ୍ଭ ଆମ୍ଭର ମୁଖ ଅପେକ୍ଷା କରିବା ତାହାର କାର୍ଯ୍ୟ ନୁହେଁ । ଯେତେବେଳେ ପ୍ରାଣଠାରୁ ପ୍ରିୟତମ ପୁତ୍ର ବିୟୋଗରେ ମାତା ଅତୀବ ଶୋକବିହ୍ୱଳା ହୋଇ ଛାତିରେ ଘନ ଘନ ହାତ ମାରୁଥିବ–କାହିଁକି ଛାତିଫାଟି କଠିନ ପ୍ରାଣ ବାହାରି ଯାଉ ନାହିଁ ବୋଲି ଉଚ୍ଚସ୍ୱରେ ଆର୍ତ୍ତନିନାଦ କରି କ୍ରନ୍ଦନ କରୁଥିବ–ସେତେବେଳେ କାଳ ବିନା ଆଉ କିଏ ଛାତିକି ପ୍ରସ୍ତରଠାରୁ ଅଧିକତର କଠିନ କରେ ? ଯେଉଁ ଛାତି ସୁକୋମଳ କୁସୁମ ସ୍ପର୍ଶରେ ଫାଟିଯାଏ ସେତେବେଳେ କିଏ ତାକୁ ଲୌହାଠାରୁ ଅଧିକ କଠିନ କରାଏ ଯେ ଶତ ଶତ ବଳପୂର୍ଣ୍ଣ କରାଘାତରେ ସୁଦ୍ଧା ତାହାର କିଛିହିଁ ଇତରବିଶେଷ ହୁଅଇ ନାହିଁ ? ସାମାନ୍ୟ ମର୍ମ୍ମବେଦନାରେ ଲୋକ ସଂସାରରୁ ଚାଲିଯିବାର ଦେଖା ଯାଉଅଛି । ମାତ୍ର ଏଡ଼େ ବେଗବତ୍‌ଶୋକରେ ସୁଦ୍ଧା କଠିନ ସଂସାର ଛାଡ଼ିବାକୁ ବାଟ ଖୋଜି ଖୋଜି ମାତାକୁ ମିଳଇ ନାହିଁ ! କାଳ କଠିନ ହୋଇ ମାତାକୁ ସଂସାରରେ ରଖି ଗଲା ଏବଂ କଠିନ ସଂସାର ସେ ମାତାଠାରୁ ସୁଦ୍ଧା ଆପଣାର କାର୍ଯ୍ୟ କରାଇ ନେବାକୁ ଛାଡ଼ଇ ନାହିଁ ! ଯେତେବେଳେ ମରିବାକୁ ଚିତ୍ତ ସତତ ଧାବମାନ ସେତେବେଳେ ମରିବାକୁ ନ ପାରି ବଞ୍ଚିଅଛ ବୋଲି ସଂସାର କ୍ଷମା କରଇ ନାହିଁ–ବରଂ ପୂର୍ବଠାରୁ ସମଧିକ ବଳ ପ୍ରୟୋଗପୂର୍ବକ କାର୍ଯ୍ୟ ନିଅଇ ! ପାଠକେ ! ଏ ସଂସାର କଠିନ ନୁହେ ତ କିସ ?

 

ରଘୁନାଥଙ୍କ ମାତା ଅପରିସୀମ ଦୁଃଖ ସହ୍ୟ କରି ସୁଦ୍ଧା ସଂସାରରେ ରହି ଅଛନ୍ତି । ଦୁଃଖମୟ ଜୀବନ ବୋଲି ସଂସାର ତାଙ୍କ ପ୍ରତି ଦୟା ବହି କୋମଳଭାବରେ କାର୍ଯ୍ୟ ନେଉ ନାହିଁ । ସେ ଏକଭାବରେ ଥାଇ ଯାହାଠାରେ ଯେଉଁରୂପ କର ପ୍ରାପ୍ୟ ତାହା ଆଦାୟ କରି ଚାଲି ଯାଉଅଛି । ରାଜ-କର କଂସାନୋଟା ବିକ୍ରୟରେ ଶେଷ ହୁଅଇ ମାତ୍ର ସଂସାରକରକୁ ପ୍ରାଣଦାନ ସୁଦ୍ଧା ଅଣ୍ଟଇ ନାହିଁ ! –ସେ ଯାହାହେଉ ରଘୁନାଥଙ୍କ ମାତା ଇହଜୀବନ ଶେଷ କରିବାକୁ ପ୍ରାର୍ଥନା କରିବାରେ ଊଣା ନ ଥିଲେ ସୁଦ୍ଧା ଯେ ପର୍ଯ୍ୟନ୍ତ ତାଙ୍କର ଇହଲୀଳା ଶେଷ ହୋଇ ନାହିଁ ସେପର୍ଯ୍ୟନ୍ତ କାଳ ତାଙ୍କୁ ଛୁଇଁବ କାହିଁକି ? ଏହିରୂପେ କାଳକୁ ସତତ ପ୍ରାର୍ଥନା କରୁ କରୁ ଯେର୍ଯ୍ୟନ୍ତ ବଞ୍ଚିଅଛନ୍ତି ସେ ପର୍ଯ୍ୟନ୍ତ ଯେ ପୁତ୍ର ମୁଖ ଦେଖୁଅଛନ୍ତି ଏହାକୁ ବହୁମାନ୍ୟ କରିବା ଉଚିତ ଏବଂ ରଘୁନାଥଙ୍କ ମାତା ମଧ୍ୟ ତଦ୍ଧେତୁ ଜଗଦୀଶ୍ୱରଙ୍କଠାରେ କୃତଜ୍ଞତା ଜଣାଇବାକୁ ଊଣା ନ ଥିଲେ । ଏହିରୂପେ ପୁତ୍ରର ଶୁଭକାମନା କରି ପୁତ୍ରର ସୁଭୋଜନ ଓ ଶ୍ରମ-ସଫଳତାରେ ଆନନ୍ଦିତା ହୋଇ ଯତ୍‌କିଞ୍ଚିତ୍‌ ଖାଦ୍ୟ ବିଷ୍ଣୁଙ୍କୁ ଅର୍ପଣ କରଣାନନ୍ତର ଭୋଜନ କରି ଶଯ୍ୟାଶାୟିନୀ ହେଲେ । ରଘୁନାଥ ମାତାଙ୍କ ନିକଟରେ ବସି ତାଙ୍କୁ ଭୋଜନ କରାଇ ଦେଇ ଶେଯ ବିଛାଇ ଦେଲେ ଏବଂ ପୁତ୍ରର ସେବାଶୁଶ୍ରୁଷାରେ ମାତା ସାତିଶୟସନ୍ତୁଷ୍ଟା ହୋଇ ଯେଉଁ ଆଶୀର୍ବାଦ କଲେ ତହିଁରେ ଶତଗୁଣ ସୁଖାୟୁ ବର୍ଦ୍ଧିତ ନ ହେବ କି ?

 

ହାୟ ହାୟ ! କିଏ ଏପରି ମାତୃସେବା କରି ପାରେ ? କିଏ ସେ ଅପରିଶୋଧନୀୟ ଋଣ ପରିଶୋଧ କରିବାକୁ ଏପରି ଭାବରେ ଚେଷ୍ଟା କରିପାରେ ? କିଏ ଅଦୃଶ୍ୟରୂପି ଈଶ୍ୱରଙ୍କର ସାକ୍ଷାତ୍‌ମୂର୍ତ୍ତି ଦେଖି ପୂଜା କରିବା ଦ୍ୱାରା ଆପଣାର ଜୀବନକୁ ଧନ୍ୟ କରିପାରେ ? ହାୟ ! ଆମ୍ଭେମାନେ ବଡ଼ ବିଷମ ସମୟରେ ଉପସ୍ଥିତ ହୋଇଅଛୁଁ । ପୁରାଣ–ପୃଷ୍ଠାରେ ମାତୃଭକ୍ତିର ଲକ୍ଷ ଲକ୍ଷ ଉଦାହରଣ ଥିଲେ ସୁଦ୍ଧା ଆମ୍ଭେମାନେ ତାହା ଫେଡ଼ି ଦେଖୁ ନାହୁଁ ଏବଂ ଦେଖିଲେ ସୁଦ୍ଧା କାଳଗତିରେ ତାହା ବିସ୍ମୃତ ହେଉଅଛୁଁ । ଆଜି ମାତାକୁ ପୁତ୍ର ପ୍ରହାର କରୁଥିବାର ଦେଖାଯିବ, ମାତାକୁ ପୁତ୍ର ଅନ୍ନ ବିନା ପୀଡ଼ା ଦେଉଥିବାର ଦେଖାଯିବ, ମାତାକୁ ପୁତ୍ର ତ୍ୟାଗ କରି ଅଭାବନୀୟ କଷ୍ଟ ଦେଉଥିବାର ଦେଖାଯିବ, ମାତ୍ର ପାଠକେ ! କହନ୍ତୁ ତ କେତେ ସ୍ଥାନରେ ମାତୃ-ପୂଜାଦ୍ୱାରା ପୁତ୍ର-ସଂସାରର କଥା ତେଣିକି ଥାଉ–ଆପଣାର କୁଳ ଉଜ୍ଜ୍ୱଳ କରୁଥିବାର ଦେଖାଯିବ ? ଯେଉଁ ବିଷମ କାଳ ଆମ୍ଭମାନଙ୍କୁ ସ୍ୱଧର୍ମରୁ ସୁଦ୍ଧା ଅନ୍ତର କରାଉ ଅଛି ସେ କାଳ ମାତୃପୂଜାଦ୍ୱାରା ଧର୍ମ ରକ୍ଷା, କୁଳ ଉଦ୍ଧାର ଅଥବା ସଂସାର ପବିତ୍ର କରିବାକୁ ଦେବାର ଆଶା କରିବା ବୃଥା । ଯେଉଁ ଲୋକ ଏ କାଳରେ ସୁଦ୍ଧା ମାତୃପୂଜାଦ୍ୱାରା ନିଜ ଜୀବନକୁ ଧନ୍ୟ କରତଃ କୁଳ ଉଜ୍ଜ୍ୱଳ କରି ସଂସାରରେ ଅପୂର୍ବ ଦୃଷ୍ଟାନ୍ତ ରଖି ଯାଉଅଛନ୍ତି ତାହାଙ୍କୁ ଅତୀବ ସୌଭାଗ୍ୟଶାଳୀ ବୋଲିବାକୁ ହେବ-

 

ଏହିରୂପେ ପୁତ୍ରର ଅମୃତମୟ ହସ୍ତ ପ୍ରସାରିତା ଶଯ୍ୟାରେ ଅପୂର୍ବ ଶାନ୍ତିର ସଂପୂର୍ଣ୍ଣ ହୃଦୟରେ ମାତା ଶୟନ କଲାରୁ ରଘୁନାଥ କଳାବତୀଙ୍କ କକ୍ଷକୁ ଗମନ କଲେ । କଳାବତୀ ଅଦ୍ୟାପି ଶୟନ କରି ଅଛନ୍ତି । ତିନି ଘଣ୍ଟାରୁ ଅଧିକକାଳ ଗାଢ଼ ନିଦ୍ରାରେ ଶୟନ କରିଥିବାର ଦେଖି ଭାବୀ ମଙ୍ଗଳ ଆଶାରେ ରଘୁନାଥ ପ୍ରଫୁଲ୍ଲ ହୃଦୟରେ ରୋଗୀର ଶଯ୍ୟାପାର୍ଶ୍ୱରେ ଶେଯ ପକାଇ ଶୟନ କଲେ । ଇତଃସ୍ତତଃ ଭାବୁଁ ଭାବୁଁ ତାଙ୍କୁ ମଧ୍ୟ କିଞ୍ଚିତ୍‌ ନିଦ୍ରା ହୋଇଗଲା । ମାତ୍ର କଳାବତୀଙ୍କ ଶରୀର ଉତ୍ତମରୂପେ ଆରୋଗ୍ୟ ଲାଭ କରି ନ ଥିବା ହେତୁ ମନ କିଞ୍ଚିତ୍‌ ଚଞ୍ଚଳ ଥିବାହେତୁ ହଠାତ୍‌ ନିଦ୍ରା ଭଙ୍ଗ ହୋଇଗଲା । ଉଠି ଦେଖିଲେ କଳାବତୀ ଚେଇଁ ଅଛନ୍ତି । ଏହା ଦେଖି ରଘୁନାଥ ନିଜେ ଶୋଇପଡ଼ି ଥିବାର ଜାଣି କିଞ୍ଚିତ୍‌ ଲଜ୍ଜିତ ହେଲେ । ଏହା ରଘୁନାଥଙ୍କ ଭଳି ଲୋକଙ୍କ ପକ୍ଷେ ସ୍ୱଭାବିକ ଏବଂ ସର୍ବଥା କ୍ଷମନୀୟ ଅଟଇ । ସାତ ସାତ ଦିନ ଦିବାରାତ୍ର ଜଗିଲା ଉତ୍ତାରୁ ରୋଗୀର ଅବସ୍ଥା କଥଞ୍ଚିତ୍‌ ଭଲ ହୋଇଥିବାର ଜାଣି ରୋଗୀ ଶୋଇଥିବା କାଳରେ ଗଡ଼ପଡ଼ ହେଉଁ ହେଉଁ କିଞ୍ଚିତ୍‌ ଶୋଇପଡ଼ିବା ବଡ଼ ଗୁରୁତର କଥା ନୁହଇ ବଂର ନ ଶୋଇଲେ ତାକୁ ଲୋକେ ପାଗଲ ହୋଇଥିବାର ବୋଲି ପାରନ୍ତି । ତଥାପି ସରଳସ୍ୱଭାବସମ୍ଫନ୍ନ ରଘୁନାଥ କିଞ୍ଚିତ୍‌ ଲଜ୍ଜିତ ହୋଇ ହଠାତ୍‌ ଶଯ୍ୟାରୁ ଉଠି ରୋଗୀନିମିତ୍ତ ଦୁଧ ଆଉଟା ହୋଇ ରଖାଯାଇଥିବା ଶିକା ନିକଟକୁ ଯାଇ ତାଟିଆରେ କିଞ୍ଚିତ୍‌ ଦୁଧ ନେଇ ଆସି କଳାବତୀଙ୍କ ଶଯ୍ୟାପାର୍ଶ୍ୱରେ ତାଙ୍କୁ ଖୁଆଇବା ଅଭିଳାଷରେ ଉପବେଶନ କଲେ ।

 

କାଲିରାତ୍ରରୁ ଅନାଇବା ଉତ୍ତାରୁ ରଘୁନାଥ ପଟ୍ଟନାୟକ ନାମରେ କଳାବତୀଙ୍କ ମନରେ କେତେ କେତେ ଚିନ୍ତା ଉଦିତ ହୋଇଥିଲା । ମୃତସ୍ୱାମୀ ପୁନର୍ଜୀବିତ ହୋଇ ଆସିବାର ଆଜିକାଲି ସଂସାରରେ ଦେଖା ନାହିଁ । ସାବିତ୍ରୀ ପ୍ରାୟ କେହି ଅବା ସତୀ ଥାଇପାରନ୍ତି ମାତ୍ର ମୃତସ୍ୱାମୀକି ଏ କାଳରେ ଶମନ-ହସ୍ତରୁ ଫେରାଇ ଆଣିବା ଦୁଃସାଧ୍ୟ । ପୁଣି ସ୍ୱାମୀ ନ ହେଲେ ଅପରିଚିତ ଲୋକ ଏତାଦୃଶ ସେବା କରିବାର କାହିଁ ଦେଖା ନାହିଁ ଏବଂ ସ୍ୱାମୀ–ନାମ ଧାରଣ କରିଥିବା ଅପରିଚିତ ଜଣେ ଲୋକକୁ ଏତେଦୂର ଆପଣାର ପରି ସଂସାରରେ ପାଇବା ମଧ୍ୟ ସ୍ୱପ୍ନପ୍ରାୟ । ଏସବୁ ଆନ୍ଦୋଳନ କରି କଳାବତୀଙ୍କ ମନରେ ନାନା ପ୍ରକାର ଭାବ ଉଦିତ ହେବା କେବଳ ସ୍ୱାଭାବିକ । ଆଜି ସକାଳରୁ ଶତଥର ରଘୁନାଥଙ୍କ ମୁଖକୁ ଅନାଇ ଦେଖୁଅଛନ୍ତି । କାଲି ସିନା ନାମ ଶୁଣିଥିଲେ ମାତ୍ର ଆଜି ଦୃଷ୍ଟିଶକ୍ତିର ସମଧିକ ସଞ୍ଚାରରେ ଶତଥର ରଘୁନାଥଙ୍କୁ ଆପଣା ସ୍ୱାମୀ ପ୍ରାୟ ରୂପ ଧରି ପାର୍ଶ୍ୱେ ବସି ନିରନ୍ତର ସେବା-ନିରତ ଥିବାର ଦେଖୁଅଛନ୍ତି । ସେ ଦୃଷ୍ଟି ଆଉ ତୃପ୍ତିଲାଭ କରିପାରୁ ନାହିଁ । ଯେତେଥର ଦେଖୁଅଛନ୍ତି ସେତେଥର ଅଧିକାଧିକ ରୂପରେ ରଘୁନାଥ ଆପଣା ସ୍ୱାମୀ ତୁଲ୍ୟ ପ୍ରତୀୟମାନ ହେବାରୁ ନବ ନବ ଭାବରେ ମନ ମୋହିତ ହେଉଅଛି । ଅଧିକ ଆଉ କି ବୋଲିବୁଁ ଯାଦୁକର ଯେପରି ଯାଦୁବିଦ୍ୟାଦ୍ୱରା ଲୋକଙ୍କୁ ମୋହିତ କରି ଆପଣା ମନୋଽଭିମତ ଆଡ଼କୁ ଧାବିତ କରାଏ ସେହିପରି ରଘୁନାଥଙ୍କଠାରେ ତାଙ୍କର ରୂପ, ଗୁଣ ଓ କ୍ରିୟାକଳାପରେ କଳାବତୀ ମୋହିତା ହୋଇଗଲେ ଏବଂ ଯାହା କରିବାକୁ ଇଚ୍ଛା କରିବେ ତହିଁକି ଲେଶମାତ୍ର ଆପତ୍ତି କରିବାର ଶକ୍ତି କଳାବତୀଙ୍କର ରହିଲା ନାହିଁ ।

 

ରଘୁନାଥ କଳାବତୀଙ୍କ ଶଯ୍ୟାପାର୍ଶ୍ୱରେ ବସି କଳାବତୀଙ୍କ ହସ୍ତଧାରଣପୂର୍ବକ ତାଙ୍କୁ ଧୀରେ ଧୀରେ ଉଠାଇ ଆପଣା ବାମସ୍କନ୍ଧରେ ତାଙ୍କର ମସ୍ତକ ରକ୍ଷା କରି ଦୁଗ୍ଧପାନ କରାଇଦେଲେ-। କଳାବତୀ କୃତଜ୍ଞତା ପାଶରେ ନିତାନ୍ତ ଆବଦ୍ଧ ଥାଇ ମୁଗ୍ଧମନରେ ଅମୃତ ପାନ କଲେ ଏବଂ ସେ ମନରୁ ରଘୁନାଥଙ୍କର ମଙ୍ଗଳନିମିତ୍ତ ଇଶ୍ୱରଙ୍କଠାରେ ଯେଉଁ ନୀରବ ପ୍ରାର୍ଥନା ହେଲା ତାହା ଅତି ଅମୂଲ୍ୟ ।

 

ଦୁଗ୍ଧପାନ ଉତ୍ତାରୁ କଳାବତୀଙ୍କି ଶଯ୍ୟାରେ ଶୟନ କରାଇଦେଲାରୁ ସେ ପୁଣି ଶୟନ କଲେ ଏବଂ ଦେଖୁଁ ଦେଖୁଁ ଗାଢ଼ ନିଦ୍ରାରେ ଅଭିଭୂତା ହୋଇଗଲେ । ରଘୁନାଥ ଶଯ୍ୟାପାର୍ଶ୍ୱରେ ବସି ରୋଗୀର ରୋଗ କଥଞ୍ଚିତ୍‌ ଆରୋଗ୍ୟ ହୋଇଥିବାରୁ ଈଶ୍ୱରଙ୍କୁ ଶତ ଧନ୍ୟବାଦ ପ୍ରଦାନ କଲେ ଏବଂ ରୋଗୀର ମୁଖମଣ୍ଡଳକୁ ନିବିଷ୍ଟ ମନରେ ଅନାଇ ରହିଅଛନ୍ତି ଏମନ୍ତ ସମୟରେ ଦ୍ୱାରଦେଶରେ କରାଘାତ ହେବାର ଶବ୍ଦ ଶ୍ରୁତିଗୋଚର ହେଲା ।

 

ରଘୁନାଥ ତରତର ହୋଇ ଯାଇ ଦ୍ୱାର ଫିଟାଇଦେଲେ ଏବଂ କୁଜଙ୍ଗରାଜାଙ୍କ ଲୋକ ଦ୍ୱାରଦେଶରେ ସମୁପସ୍ଥିତ ଥିବାର ଦେଖାଗଲା । ତାକୁ ରଘୁନାଥ ଭିତରକୁ ଡାକି ଦ୍ୱାର ଲଗାଇଦେଲେ । ଲୋକଟା ରଘୁନାଥଙ୍କୁ ଛାମୁଙ୍କଠାରୁ ଆସିଥିବାର କହି ଚିଟାଉ ଖଣ୍ଡିଏ ବଢ଼ାଇଦେଲା । ରଘୁନାଥ ଚିଟାଉ ପଢ଼ି ଅବଗତ ହେଲେ ଯେ ତାଙ୍କର ବହୁକାଳ ଅଦର୍ଶନରେ ରାଜା ଦୁଃଖିତ ହୋଇଅଛନ୍ତି ଏବଂ ଶୀଘ୍ର ଛାମୁଙ୍କ ନବରକୁ ଯାଇ ଭୋଜନ କରିବା ସକାଶେ ରାଜା ସେହି ପତ୍ରଦ୍ୱାରା ଆମନ୍ତ୍ରଣ କରି ପଠାଇଅଛନ୍ତି । ରଘୁନାଥ ପତ୍ରପଠାନ୍ତେ ସେ ଲୋକକୁ ଖାଇବାକୁ ଦେଇ ଏବଂ ଘରେ ଏକ ରୋଗୀ ପଡ଼ିଥିବା ଓ ସେ ଆରୋଗ୍ୟ ଲାଭ କରିଆସୁଥିବା ଓ ଚାରିଦିନ ମଧ୍ୟରେ ଛାମୁରେ ଉପସ୍ଥିତ ହୋଇ ପାରିବା ମର୍ମ୍ମରେ ଖଣ୍ଡିଏ ନମ୍ରଭାବ ବ୍ୟଞ୍ଜକ ପତ୍ର ଲେଖି ତତ୍ସହିତ ଲୋକକୁ ବିଦାୟ କରିଦେଇ ପୁଣି କଳାବତୀଙ୍କ କକ୍ଷରେ ଉପନୀତ ହେଲେ ।

Image

 

ଦ୍ୱାତ୍ରିଂଶ ପରିଚ୍ଛେଦ

ଖାଡ଼ଙ୍ଗା

 

ତଦନ୍ତ ଉତ୍ତାରୁ ଡୁମନସର୍ଦ୍ଦାରଙ୍କ ଦ୍ୱାରା ପ୍ରେରିତ ହୋଇ ଦାସ ଖାଡ଼ଙ୍ଗା ସୁବାଦାରଙ୍କ ସମକ୍ଷରେ ଉପନୀତ ହେଲା । ସେ ମନେ ମନେ ଆପଣାକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷୀ ବୋଲି ଜାଣେ ଏବଂ ସର୍ଦ୍ଦାର ମଧ୍ୟ ସୁବାଦାରଙ୍କୁ ସେ ନିର୍ଦ୍ଦୋଷୀ ଥିବାର ଜଣାଇଅଛନ୍ତି । ଏଥୁଁ ଏହା ମନରେ ମୁକ୍ତି ପାଇବାର ସମ୍ପୂର୍ଣ୍ଣ ଆଶା ଜାଗରିତ ହୋଇଅଛି ଏବଂ ସେହେତୁ ମନ ମଧ୍ୟ ବିଶେଷ ଦମ୍ଭ ଅଛି । ତେଣେ ମାତା ଆଉ ପତ୍ନୀ ସନ୍ତାନଗଣ ସଙ୍ଗେ ସଙ୍ଗେ ଆସିଅଛନ୍ତି । ସେମାନଙ୍କୁ ଦେଖି ମଧ୍ୟ ଚିତ୍ତ ଆଶ୍ୱସ୍ତ ଅଛି । ସ୍ୱଭାବତଃ ମନୁଷ୍ୟର ମନକୁ ପାପ ଆଗେ ସ୍ପର୍ଶ କରେ । ବେଳେ ବେଳେ ହଠାତ୍‌ କାଳେ ସୁବାଦାର ଶାସ୍ତି ପ୍ରଦାନ କରିବେ ଓ ତାହାହେଲେ ବୃଦ୍ଧ ଆଉ ପତ୍ନୀ ଓ ସନ୍ତାନଗଣର କି ଦଶା ହେବ ଏହା ମନ ମଧ୍ୟରେ ଉଦିତ ହୋଇ ଚିତ୍ତ ଅଲୋଡ଼ିତ କରି ମସ୍ତକ ଭ୍ରମାଇ ଦେଉଅଛି ଏବଂ ସଙ୍ଗେ ସଙ୍ଗେ ମନକୁ ଦମ୍ଭ କରି ଈଶ୍ୱରଙ୍କଠାରେ ପୂର୍ବଠାରୁ ଅଧିକରୂପେ ଆତ୍ମ-ସମର୍ପଣ କରୁଅଛି ।

ମାତା ଆଉ ପତ୍ନୀର ଚକ୍ଷୁର ଅନବରତ ଅଶ୍ରୁଧାରା ବହି ମୁଖମଣ୍ଡଳ ଆବିଳ ହୋଇଅଛି-। ସେମାନେ ତ କୌଣସି ମତେ ମନକୁ ପ୍ରବୋଧ ଦେଇପାରୁ ନାହାନ୍ତି । ସର୍ପପ୍ରାୟ ଦୂରନ୍ତ ସୁବାଦାରଙ୍କ ଗ୍ରାସରୁ ରକ୍ଷା ପାଇବା ସପ୍ତଜନ୍ମର ତପସ୍ୟାର ଫଳ ବୋଲି ଦୁଷ୍କର ଜ୍ଞାନ କରିଅଛନ୍ତି ଏବଂ ସର୍ଦ୍ଦାର ତାଙ୍କୁ ନିର୍ଦ୍ଦୋଷୀ କରି ରଖିଥିଲେ ସୁଦ୍ଧା ଯେପର୍ଯ୍ୟନ୍ତ ସୁବାଦାର ଖାଡ଼ଙ୍ଗାକୁ ଛାଡ଼ି ଦେଇ ନାହାନ୍ତି ସେପର୍ଯ୍ୟନ୍ତ ସେମାନେ ଖାଡ଼ଙ୍ଗାର ମୁକ୍ତିପକ୍ଷରେ ବିଶ୍ୱାସ କରିପାରୁ ନାହାନ୍ତି ।

ଏଆଡ଼େ ସୁବାଦାର ଚୌଧୁରୀଙ୍କ ସର୍ବନାଶ-ବାର୍ତ୍ତା ଶୁଣି ଆଗହୁଁ କୋପରେ ଅଗ୍ନିପ୍ରାୟ ହୋଇଯାଇଥିଲେ । ତହିଁଉତ୍ତାରୁ ତାଙ୍କର ମୃତ୍ୟୁବାର୍ତ୍ତା ଶୁଣି ଅତିକୋପରେ ଏକ ପ୍ରକାର ପାଗଳ ହୋଇଗଲେ ଏବଂ ବାସ୍ତବରେ ତାହା ଶାନ୍ତ କରିବା ଉଦ୍ଦେଶ୍ୟରେ ଦେଶସୁଦ୍ଧା ଲୋକଙ୍କୁ ମାରି ପକାଇବା କାରଣ ଶତଥର ଶପଥ କରିଥିଲେ । ସୁବାଦାର କୋପାନ୍ୱିତ ହୋଇଥିବା ସମସ୍ତଙ୍କୁ ଏକପ୍ରକାର ଜଣାଥିଲା ମାତ୍ର ସେ କୋପର ମାତ୍ରା ଯେ ଏତେ ଅଧିକ ହୋଇଥିଲା ଏହା ସତତ ନିକଟରେ ନ ଥିବା ଲୋକଙ୍କୁ ଜଣାଯିବା ଅତ୍ୟନ୍ତ ଅସମ୍ଭବ । ରାଜା ହୋଇ ବିଚାରର ପକ୍ଷପାତୀ ହେବା ସର୍ବଥା ଶ୍ରେୟସ୍କର ମାତ୍ର ରାଜା ଯେ ବିଚାରକୁ ଜଳାଞ୍ଜଳି ଦେଇ ଯାହା ଇଚ୍ଛା ତାହା କରି ଚାଲିଯିବେ ଏ କଥା ସମସ୍ତେ ସହଜରେ ବିଶ୍ୱାସ କରିପାରିବେ ନାହିଁ । ତେବେ ଜନ୍ତୁମୁଖରୁ ଆହାର ଛଡ଼ାଇ ନେଲେ ସେ କି କରି ନ ପାରେ ? ଯେତେବେଳେ ସୁବାଦାରଙ୍କୁ ପ୍ରଚୁର ଆହାର ଦେଉଥିବା ଲୋକଙ୍କୁ ଆହାର ଯୋଗାଇବାର ପଥ ଆହୁରି ପରିଷ୍କୃତ କରିବା ସମୟରେ ଦେଶଲୋକେ ମୃତ୍ୟୁମୁଖରେ ପାତିତ କଲେ ସେତେବେଳେ ସୁବାଦାର କି ସେ ଦେଶଲୋକଙ୍କର କିଛି ବାକୀ ରଖିବେ ? ପ୍ରକୃତକଥା କହିବାକୁ ଗଲେ ସେତ ଦୁର୍ଭିକ୍ଷପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବାର କଳ୍ପନା ସ୍ୱପ୍ନରେ ସୁଦ୍ଧା ନ କରି ଦେଶଲୋକଙ୍କୁ ମାରି ରଖିଅଛନ୍ତି–ତହିଁ ଉପରେ ଅବା ଆଉ କି ସମ୍ଭବି ପାରେ ? ବାକୀ କେବଳ ଖଡ଼ଗାଘାତରେ ସୁବାଦାରଙ୍କ କୋପ ଶାନ୍ତିହେତୁ ବଳିଦାନ ଏବଂ କାଳକୁ ତାହା ଅନେକେ ଶ୍ରେୟସ୍କର ମଣିଅଛନ୍ତି ।

ଏହିରୂପେ ଅତି କୋପାବିଷ୍ଟ ଆରକ୍ତ ଚକ୍ଷୁବିଶିଷ୍ଟ ସୁବାଦାରଙ୍କ ନିକଟରେ ଦାସ ଖାଡ଼ଙ୍ଗା ବଳିଦାନର ଛାଗଳ ପରି ସମୁପସ୍ଥିତ ହେଲା । ଏହାର ଦେହର ରକ୍ତ ଭୟରେ ଶୁଖି ଯାଉଅଛି ମାତ୍ର ସୁବାଦାରଙ୍କ ରକ୍ତ ତେଜୋମୟ ହୋଇ ଅଗ୍ନିସ୍ଫୁଲିଙ୍ଗରୂପେ ଚକ୍ଷୁର୍ଦେଶରୁ ବାହାରି ପଡ଼ୁଅଛି ଏବଂ ତାହା ଦେଖି ଖାଡ଼ଙ୍ଗାର ରକ୍ତ ଆହୁରି ଶୁଖିଯାଉଅଛି । ବୃଦ୍ଧା ମାତା ଓ ପତ୍ନୀ ଅନତିଦୂରେ ବୃକ୍ଷମୂଳରେ ଠିଆ ହୋଇଅଛନ୍ତି ଏବଂ ଖାଡ଼ଙ୍ଗାର ଶରୀରର ଦୁର୍ଦ୍ଦଶା ଦେଖି ସେମାନଙ୍କ ଜୀବନ ନ ଥିଲା ପରି ଜଣାଯାଉଅଛି । ଖାଡ଼ଙ୍ଗା ଆସିବା ସଙ୍ଗେ ସଙ୍ଗେ ବ୍ୟାପାର ଦେଖିବା କାରଣ କେତେକ ଜଣ ଦର୍ଶକ ମଧ୍ୟ ରୁଣ୍ଡ ହୋଇଅଛନ୍ତି କାରଣ ସେ ଦିନକୁ ଚୌଧୁରୀଙ୍କ ଡକାୟତି ଓ ମୃତ୍ୟୁବାର୍ତ୍ତା ଏବଂ ଖାଡ଼ଙ୍ଗାର ଦୁର୍ଦ୍ଦଶା ଚତୁର୍ଦ୍ଦିକରେ ରାଷ୍ଟ୍ର ହୋଇଯାଇଅଛି । ଭୁୟାଁମାନେ ଡକାୟତି କରିଥିବାର ମଧ୍ୟ ଚତୁର୍ଦ୍ଦିଗରେ ଚହଳ ପଡ଼ିଅଛି ଏବଂ ତହିଁ ସଙ୍ଗେ ସଙ୍ଗେ ଖାଡ଼ଙ୍ଗା ଡକାୟତି କରି ନ ଥିବାର ରାଷ୍ଟ୍ର ହୋଇ ତାହାର ଅକାରଣ ବନ୍ଦିବାସରେ ସମସ୍ତଙ୍କର ସହାନୁଭୂତି ଆକର୍ଷିତ ହୋଇଅଛି ।

ସୁବାଦାରଙ୍କୁ ସେ ସବୁ ସ୍ପର୍ଶ କରିପାରି ନାହିଁ । ସେ ତ ଲୋକଙ୍କ ମଧ୍ୟରେ ନ ଥାନ୍ତି କିମ୍ୱା ତାଙ୍କ ସଙ୍ଗେ ମିଶିବା ଅଥବା ତାଙ୍କ କଥା ଶୁଣିବାକୁ ଚାହାନ୍ତି ନାହିଁ । ଏ ସବୁ ତାଙ୍କୁ ସ୍ପର୍ଶ କରିବ କାହିଁକି ? ଏହା ଯେ କେମନ୍ତ ରାଜଧର୍ମ ତାହା ସୁବାଦାରଙ୍କୁ ଏକା ଜଣାଥିବ ଅଥବା ନିତାନ୍ତ ଲୋଭୀ ହେଲେ ଏହିପରି ଅମନୁଷ୍ୟତା ସଞ୍ଜାତ ହୁଅଇ । ସେ ଯାହା ହେଉ ଖାଡ଼ଙ୍ଗାକୁ ଦେଖିବା ମାତ୍ରକେ କୁପିତ ସୁବାଦାର ‘‘ଏହି ଲୋକଟା ଚୌଧୁରୀର ମୃତ୍ୟୁର କାରଣ’’ ବୋଲି ବଜ୍ରନିନାଦରେ କହି ଉଠି ଶତଗୁଣ କୁପିତ ହୋଇଗଲେ । ଆଉ ସମ୍ଭାଳେ କିଏ ? ଡୁମନ ସର୍ଦ୍ଦାରଙ୍କ ରିପୋର୍ଟ ଖଣ୍ଡିକ ବଢ଼ାଇ ଦେବାକୁ ସୁଦ୍ଧା ପ୍ରହରୀର ସାହସ ହେଲା ନାହିଁ । କିଞ୍ଚିତ୍‌କ୍ଷଣ ପରେ ସୁବାଦାର ଗମ୍ଭୀର ସ୍ୱରରେ ପ୍ରକାଶ କଲେ ‘‘ଡୁମନ ସର୍ଦ୍ଦାର ଲେଖା ଦେଇଛନ୍ତି କି ନାହିଁ ?’’ ପ୍ରହରୀ କିଛି ନ କହି ରିପୋର୍ଟ ଖଣ୍ଡିକ ସୁବାଦାରଙ୍କ ହାତକୁ ବଢ଼ାଇଦେଲା ।

ସୁବାଦାର ରିପୋର୍ଟକୁ ସାତଥର କରି ପାଠ କଲେ । ସାତ ଥର ପାଠ କରି ସୁଦ୍ଧା ରାଗଶାନ୍ତ ହେଲା ନାହିଁ ବରଂ ହନ୍ତାରକକୁ ଦେଖି ସର୍ପର କୋପ କ୍ରମେ କ୍ରମେ ଅଧିକ ହେଲା ପ୍ରାୟ ତାଙ୍କର କୋପ ବୃଦ୍ଧି ହେବାରେ ରହିଲା । ଅନନ୍ତର ଅତି କୁପିତଚିତ୍ତରେ ଘୋର ଗର୍ଜନରେ ‘ଡୁମନ ସର୍ଦ୍ଦାର’, ‘‘ଅତି ଅକର୍ମଣ୍ୟ ଲୋକ’’ ଇତ୍ୟାଦି ସ୍ପଷ୍ଟ ଏବଂ ଅସ୍ପଷ୍ଟ କେତେ କଥା କହି ପ୍ରହରୀକି ଡାକି କହିଲେ ‘‘ଏ ଲୋକକୁ ଶୂଳୀ ଦିଅ’’ ।

ସର୍ବନାଶ ! ବଜ୍ର ପତନ ହେବା କଥା ଲୋକଙ୍କୁ ଜାଣିବାକୁ ବିଳମ୍ୱ ହୁଅଇନାହିଁ ଏବଂ ଜାଣିବା ସଙ୍ଗେ ସଙ୍ଗେ ଲୋକେ ସ୍ତବ୍ଧ ହୋଇଯାନ୍ତି । ଆଉ ଯାହା ଉପରେ ବଜ୍ର ପଡ଼ଇ ତାହା କଥା ଅବା କି କହିବା ! ସୁବାଦାରଙ୍କ ମୁଖରୁ ସେ ନିଷ୍ଠୁର ଆଦେଶ ବାହାରିବା ମାତ୍ରକେ ଖାଡ଼ଙ୍ଗା କାଷ୍ଠବତ୍‌ ହୋଇଯାଇ ପଛକୁ ଟଳି ପଡ଼ିଲା ଏବଂ ସେ ଟଳିପଡ଼ିବା ସଙ୍ଗେ ସଙ୍ଗେ ଅନତିଦୂରବର୍ତ୍ତୀନୀ ତାହାର ମାତା ଓ ପତ୍ନୀ ସୁଦ୍ଧା ଟଳିପଡ଼ିଲେ ! ଛୁଆ ଦିଓଟି କିଛି ନ ଦେଖି କାଷ୍ଠପ୍ରାୟ ହୋଇ ଟିକିଏ ରହିଯାଇ ଚିତ୍କାର କଲେ । ସେ ଚିତ୍କାର ଏ ଦୁର୍ଘଟନାକୁ ଆହୁରି ଭୟଙ୍କର କରିଦେଲା ଏବଂ ଲୋକେ ଏହା ଦେଖି ଯତ୍ପରୋନାସ୍ତି ବ୍ୟଥିତ ହେଲେ । ସଙ୍ଗେ ସଙ୍ଗେ ଲୋକଙ୍କ ମଧ୍ୟରେ ଭୟାନକ ଚହଳ ପଡ଼ିଗଲା । ‘‘ଉଠାଅ’’ ‘‘ଉଠାଅ’’ ବୋଲି ସୁବାଦାର ଭାରୀ ତେଜରେ ଆଦେଶ ପ୍ରଦାନ କଲେ ଏବଂ ପ୍ରହରୀମାନେ ତିନିଜଣଙ୍କୁ ଉଠାଇବାକୁ ଯାଇ ସେମାନଙ୍କର ଇହଲୀଳା ସାଙ୍ଗ ହୋଇଥିବାର ଦେଖିଲେ ।

ଏ କଥା ସୁବାଦାରଙ୍କୁ ଗୋଚର ହେଲା । ସେ ଆଦେଶ କଲେ ‘‘ନଦୀରେ ଲାସ୍‌ ପକାଇ ଦିଅ’’ । ଏହି ଆଦେଶ କରି କଚେରୀ ବନ୍ଦ କରତଃ ଅନ୍ତଃପୁରକୁ ବିଜେ ହେଲେ ।

ବାହାରେ ଭାରୀ ଗୋଳମାଳ । ଆଉ କିଞ୍ଚିତ୍‌କ୍ଷଣ ବାହାରେ ଥିଲେ ସୁବାଦାରଙ୍କ କପାଳରେ ପ୍ରହାର ପର୍ଯ୍ୟନ୍ତ ଘଟିଥାନ୍ତା । ଲୋକେ ମନୋନିବେଶପୂର୍ବକ ଏକ ନିର୍ଦ୍ଦିଷ୍ଟ ମୀମାଂସାରେ ଉପନୀତ ହେବା ପୂର୍ବରୁ ସୁବାଦାର ଦେହୁଡ଼ି ବନ୍ଦ କରିଦେଲେ । ବାହାରର ଲୋକେ ବାହାରେ ଅନେକ କ୍ଷଣ ଗୋଳମାଳ କରି ଚାଲିଗଲେ ଏବଂ ପ୍ରହରୀମାନେ ମୃଦାରକୁ ନେଇ କାଠଯୋଡ଼ୀର ପବିତ୍ର ଜଳରେ ନିକ୍ଷେପ କଲେ । ଯେଉଁ ସନ୍ତପ୍ତ ହୃଦୟରେ ଖାଡ଼ଙ୍ଗା ଓ ତାହାର ମାତା ଏବଂ ଭାର୍ଯ୍ୟା ଇହଲୀଳା ସମ୍ୱରଣ କଲେ, ଯେଉଁ ଶୋକାନଳ ସମଧିକ ପ୍ରଜ୍ଜ୍ୱଳିତ ହୋଇ ତାଙ୍କର ଅନ୍ତରାତ୍ମାକୁ ଦଗ୍ଧ କରତଃ ଇହସଂସାରରୁ ସେମାନଙ୍କୁ ଅନ୍ତର କଲା ତାହା କାଠଯୋଡ଼ୀର ସ୍ୱଚ୍ଛ ଶୀତଳ ଜଳରେ ନିର୍ବାପିତ ହେଲା ନାହିଁ । ସେ ଜଳ ମୃତ ଶରୀରମାନଙ୍କୁ ନଚାଇ ନଚାଇ ସଂସାରରେ ରଙ୍ଗ ଦେଖାଇ ଘେନି ଚାଲି ଗଲା ମାତ୍ର ଯେତେଦୂର ଗଲା ସେତେଦୂର ଲୋକମାନଙ୍କର ଦୃଷ୍ଟି ଓ ସହାନୁଭୂତି ଆକର୍ଷଣ କରି ସୁବାଦାରଙ୍କର ସର୍ବନାଶର କାରଣ ହେଲା ।

ଆଉ ପିଲାଦ୍ୱୟ ? ସେହି ଦୋଷ-ଶୂନ୍ୟ ପ୍ରକୃତିର ସରଳ ପ୍ରତିମାଦ୍ୱୟ ? ସେ ଯେ କିଛି ବୁଝି ନ ପାରି କେତେବେଳଯାଏ ଛଳ ଛଳ କରି ଅନାଇ ରହି ବର୍ତ୍ତମାନ ଅଜସ୍ର ଅଶ୍ରୁ ତ୍ୟାଗପୂର୍ବକ କ୍ରନ୍ଦନ କରୁଅଛନ୍ତି ! ହାୟ ! ବିଧାତଃ ! ଏ ଅଜ୍ଞାନ ପ୍ରତିମାଦ୍ୱୟଙ୍କ କପାଳରେ କି ଏହା ଲିହିଥିଲେ ? ପିଲାଟିଦିନରୁ କି ଦୋଷରୁ ଏତେ କଷ୍ଟ ସହିବାକୁ ବ୍ୟବସ୍ଥା କରିଥିଲେ ? କିଏ ଆମ୍ଭମାନଙ୍କୁ ଏଥିର ଉତ୍ତର ଦେବ ? ପୂର୍ବଜନ୍ମର ବାସନା କି ଏହିରୂପେ ଚରିତାର୍ଥ ହୁଅଇ ? ପୂର୍ବଜନ୍ମର ସଂସ୍କାରରୁ ଜୀବ କି ଏ ଫଳ ଭୋଗ କରଇ ? ତାହା ନ ହେଲେ ଆଉ ଉତ୍ତର ନାହିଁ । କି ଅବା ଶାନ୍ତି ନାହିଁ । ବିଧାତାଃ ! ଲୋକେ ତୁମ୍ଭଙ୍କୁ ମଙ୍ଗଳମୟ କହନ୍ତି ମାତ୍ର ଆମ୍ଭମାନଙ୍କର ତାହା ବୁଝିବାକୁ କ୍ଷମତା ନାହିଁ-

ପାଠକେ ! ଆଉ ପିଲାଦ୍ୱୟଙ୍କ କଥା କହି କି ହେବ ? ଜନୈକ ପ୍ରହରୀ ଏକମାତ୍ର ପୁତ୍ରକୁ ଅଳ୍ପ ଦିନ ହେଲା ହରାଇ ଅତ୍ୟନ୍ତ ଶୋକବିହ୍ୱଳ ହୋଇଥିଲା । ସେହି ଲୋକ ଦୟା ବହି ପିଲାଙ୍କୁ ଘେନି ଯାଇ ଶୋକପୀଡ଼ିତା ପତ୍ନୀର ଶୋକାପନୋଦନାର୍ଥ ଘରକୁ ପଠାଇ ଦେଲା ।

Image

 

ତ୍ରୟତ୍ରିଂଶ ପରିଚ୍ଛେଦ

ସୁସଂଯୋଗ

 

ପାଠକେ ! ଲାଲବାଗ କଳଙ୍କକାରୀ ପିଶାଚପ୍ରତିମ ହୃଦୟଶୂନ୍ୟ ନିଷ୍ଠୁର ସୁବାଦାରଙ୍କ ନିକଟରେ ଆଉ ଆପଣମାନଙ୍କର ରହିବାର ବାଞ୍ଛା ନାହିଁ । ଆସନ୍ତୁ ପୂଣ୍ୟସଲିଳା ଲୁଣା ନଦୀର ପୂଣ୍ୟ-ତୀରସ୍ଥ ରଘୁନାଥଙ୍କ ପବିତ୍ର ପୁରୀରେ ପୁଣି ପଦାର୍ପଣ କରିବେ । ବିଚିତ୍ର ସଂସାରରେ ଭଲମନ୍ଦ ସମସ୍ତ କାର୍ଯ୍ୟ ଈଶ୍ୱରଙ୍କ ଆଦେଶରେ ତାଙ୍କର ଅଭିଳାଷମତ ସମ୍ପନ୍ନ ହେଉଅଛି ସତ୍ୟ, ମାତ୍ର ହୃଦୟ ବିଦାରକ ନିଷ୍ଠୁର କାର୍ଯ୍ୟ ଦେଖିବା ରକ୍ତମାଂସ ନିର୍ମ୍ମିତ ଶରୀରର କାର୍ଯ୍ୟ ନୁହଇ ! –ବାସ୍ତବରେ ଯେ ଦେଖିପାରେ ତାହାର ଶରୀର ପ୍ରସ୍ତରରେ ଗଠିତ ଆଉ ଯେ ଘଟାଇ ପାରେ ତାହାର କଥା ବୋଲିବାର ପ୍ରୟୋଜନ ନାହିଁ ।

 

ଆମ୍ଭେମାନେ ଯେଉଁଠାରେ କଳାବତୀଙ୍କି ଛାଡ଼ି ଆସିଅଛୁଁ ତହିଁର ଦୁଇଦିନ-ମଧ୍ୟରେ କଳାବତୀ ଉତ୍ତମରୂପେ ରୋଗରୁ ମୁକ୍ତ ହେଲେ । ଶରୀର-ଦୌର୍ବ୍ବଲ୍ୟ କେବଳ ବାକୀ ରହିଲା ମାତ୍ର ଏଭଳି ରୋଗୀଙ୍କର ଦୁର୍ବଳତା ଆରୋଗ୍ୟ ହେବା ଅବଶ୍ୟ ସମୟସାପେକ୍ଷ । ତଥାପି ରଘୁନାଥଙ୍କ ଅଜସ୍ର ସେବା ଓ ଚିକିତ୍ସାଗୁଣରେ ଆଉ ଦୁଇଦିନ ମଧ୍ୟରେ ଅନପେକ୍ଷିତରୂପେ ଶରୀରର ଅନେକ ବଳ ସଞ୍ଚରଣ କଲା ଏମନ୍ତ କି କଳାବତୀ ନିଜେ ଉଠି ଚାଲି ବୁଲି ପାରିଲେ । ଧନ୍ୟ ସେ ଔଷଧ ! ଧନ୍ୟ ସେ ପଥ୍ୟ ! ଆଉ ଧନ୍ୟ ସେ ସେବା ! କେବଳ ଔଷଧଦ୍ୱାରା କିଛି ହେବ ନାହିଁ ଯଦି ପଥ୍ୟର ସୁବ୍ୟବସ୍ଥା ନ ଥିବ, ପୁଣି ପଥ୍ୟ, ଏବଂ ଔଷଧର ବ୍ୟବସ୍ଥା ଥିଲେ ସୁଦ୍ଧା ସେବା ଅଭାବରେ ଫଳଲାଭ ସୁକଠିନ ମାତ୍ର ଯେଉଁଠାରେ ଔଷଧ ଓ ପଥ୍ୟ ସହିତରେ ଅପୂର୍ବସ୍ନେହ-ସଞ୍ଚାଳିତସେବା ସମ୍ମିଳିତ ଅଛି ସେଠାରେ ବଡ଼ ବଡ଼ ରୋଗ ସୁଦ୍ଧା କରପତ୍ର ଯୋଡ଼ି ଅଚିରେ ପଳାୟନ କରେ । କଳାବତୀ କିଞ୍ଚିତ୍‌ ଭଲ ହୋଇ ଆସିଲାରୁ ରଘୁନାଥଙ୍କ କଥାବାର୍ତ୍ତା ଓ ସେବାଶୁଶ୍ରୂଷାରୁ ସେ ଘରେଥିବା ବୃଦ୍ଧାକୁ ରଘୁନାଥଙ୍କର ମାତା ବୋଲି ଜାଣି ପାରିଥିଲେ ଏବଂ ନିଜେ ଚାଲବୁଲ କରିବାକୁ ସମର୍ଥ ହେବା ମାତ୍ରକେ ସ୍ୱତଃପ୍ରବୃତ୍ତ ହୋଇ ବୃଦ୍ଧାସମୀପେ ସମୁପସ୍ଥିତା ହେଲେ ଓ ତାଙ୍କୁ ମାତୃସମ୍ୱୋଧନ କରି ତାଙ୍କର ପଦଧୂଳି ମସ୍ତକରେ ଲଗାଇ ସ୍ତ୍ରୀଜନୋଚିତ ଅଭିବାଦନରେ ଦଣ୍ଡବତ ହେଲେ ଏବଂ ଆପଣାକୁ କନ୍ୟା ପ୍ରାୟ ଦେଖିବାକୁ ଅନୁନୟ ବିନୟ କରି ଯଥାଶକ୍ତି ବୃଦ୍ଧାର ସେବାରେ ନିଯୁକ୍ତା ହେଲେ । ରଘୁନାଥଙ୍କ ସଙ୍ଗେ ଯେତେଦିନ ଚଳତ୍‌ଶକ୍ତି ଜନ୍ମି ନ ଥିଲା ସେତିକିଦିନ ମାତ୍ର ପୃଥକ୍‌ କଥାବାର୍ତ୍ତା ହୋଇଥିଲା ମାତ୍ର ଚଳତ୍‌ଶକ୍ତି ଜାତ ହେଲାରୁ ସେ ତ ବୃଦ୍ଧାର ସେବାରେ ନିଯୁକ୍ତା ହେଲେ, ରଘୁନାଥଙ୍କ ସଙ୍ଗେ ଅଲଗା ଦେଖା କେବେ କେମନ୍ତେ ।

 

କଳାବତୀଙ୍କର ଏ ଅମାୟିକ ଭାବ ଦେଖି ରଘୁନାଥ ଅତୀବ ସନ୍ତୁଷ୍ଟ ହେଲେ ଏବଂ ଚତୁର୍ଥଦିନ ରାତ୍ରରେ ଭୋଜନ କରିବା ସମୟରେ ତାଙ୍କୁ କୁଜଙ୍ଗର ରାଜା ନିମନ୍ତ୍ରଣ କରିବାର ବିଷୟ ମାତା ଓ କଳାବତୀଙ୍କି ଜଣାଇ ତହିଁ ଆରଦିନ ଅତି ପ୍ରାତଃକାଳରେ କୁଜଙ୍ଗାଭିମୁଖେ ଯାତ୍ରା କଲେ ।

 

ତେଣେ କୁଜଙ୍ଗର ଷଣ୍ଢେ ଯେଉଁ ବ୍ୟକ୍ତିର ହାତରେ ରଘୁନାଥଙ୍କ ନିକଟକୁ ପତ୍ର ଦେଇଥିଲେ ତାହାଠାରୁ ଉତ୍ତରପତ୍ର ଖଣ୍ଡିକ ନେଇ ଚାରିଦିନପରେ ରଘୁନାଥଙ୍କ ସହିତ ସାକ୍ଷାତ୍‌ ହେବାର ଅବଗତ ହୋଇ ପାଟମହାଦେଈଙ୍କି ଜଣାଇଥିଲେ ଏବଂ ଚାରିଦିନ ପରେ ରଘୁନାଥଙ୍କୁ ଉତ୍ତମରୂପେ ଭୋଜନ କରାଇବା କାରଣ ନାନା ଆୟୋଜନରେ ରାଜାରାଣୀ ଉଭୟେ ବ୍ୟସ୍ତ ହୋଇଗଲେ ।

 

ରସକଳା ଏ ସବୁ କିଛି ଜାଣନ୍ତି ନାହିଁ । ସେ ଗନ୍ଧର୍ବକନ୍ୟା ପ୍ରାୟ ଅନ୍ତଃପୁର ଉଜ୍ଜ୍ୱଳ କରି ବିଚରଣ କରୁଅଛନ୍ତି । ନବର ମଧ୍ୟରେ ଏମନ୍ତ କେହି ନ ଥିଲା ଯେ ରସକଳାଙ୍କୁ ସ୍ନେହଚକ୍ଷୁରେ ଦେଖେ ନାହିଁ ଏବଂ ଏମନ୍ତ ରମଣୀ ନ ଥିଲା ଯାହା ସହିତ ପ୍ରତିଦିନ ପଦେ ହେଲେ ରସକଳା ମିଷ୍ଟାଳାପ କରନ୍ତି ନାହିଁ । ସେ ନିଜଗୁଣରେ ସମସ୍ତଙ୍କୁ ବଶ କରିଥିଲେ । ଏମନ୍ତ କି ବେଳେ ରାଜାଜ୍ଞା-ପାଳନରେ ବିଳମ୍ୱ ହୋଇ ପାରିବ ମାତ୍ର ରସକଳାଙ୍କ କଥା ତଳେ ପଡ଼ୁ ନ ଥିଲା ।

 

ଏହିରୂପେ ଚାରିଦିନ କଟିଗଲା । ପଞ୍ଚମ ଦିନ ଷଣ୍ଢରାଜା ଅନୁକ୍ଷଣ ରଘୁନାଥଙ୍କୁ ଅପେକ୍ଷା କରି ରହିଅଛନ୍ତି । ଅନାବଶ୍ୟକ ଥିଲେ ସୁଦ୍ଧା ଦ୍ୱାରପାଳପ୍ରତି ରଘୁନାଥ ପହୁଞ୍ଚିବା ମାତ୍ରକେ ଛାମୁରେ ତୁରନ୍ତ ଜଣାଇବାର ଆଦେଶ ହୋଇଅଛି ଏବଂ କ୍ଷଣେ କ୍ଷଣେ ପାଟମହାଦେଈ ରଘୁନାଥ ଆସିଲେ କି ନା ତତ୍ତ୍ୱ ଘେନୁଅଛନ୍ତି, ଏମନ୍ତ ସମୟରେ ପ୍ରାୟ ଘ ୧୦ ଡ଼ି ଦିନ ଠାରେ ରଘୁନାଥ ଷଣ୍ଢନବରରେ ପ୍ରବେଶ କଲେ-

 

ରଘୁନାଥଙ୍କର ଆଗମନରେ ନବରର ସିଂହଦ୍ୱାରଠାରୁ ଅନ୍ତଃପୁରର ଅପର ପାର୍ଶ୍ୱ ପର୍ଯ୍ୟନ୍ତ ଚହଳ ପଡ଼ିଗଲା । ଅନ୍ତଃପୁରରେ ଅନ୍ୟ କେହି ଆଗହୁଁ ରଘୁନାଥଙ୍କ ଆସିବା କଥା ଜାଣି ନ ଥିଲେ; ରାଜା ଜଣକୁ ନିମନ୍ତ୍ରଣ କରିଅଛନ୍ତି, ସେ ତାଙ୍କର ପରମ ବନ୍ଧୁ ଓ ରାଜା ଭୋଜନ କରିବା ସମୟରେ ସେ ଓ ରାଜା ଏକା ଘରେ ଭୋଜନ କରିବେ ଏବଂ ସେଯୋଗୁଁ ରନ୍ଧାବଢ଼ାର ବିଶେଷ ଆୟୋଜନ ଓ ସେ ସମସ୍ତ ପାଟମହାଦେଈ ନିଜେ କରୁଅଛନ୍ତି ଏହା ଦେଖି ସମସ୍ତେ ଲୋକଟିକି ଜାଣିବା କାରଣ କୌତୂହଳାକ୍ରାନ୍ତ ହୋଇଥିଲେ ଏବଂ ରଘୁନାଥଙ୍କ ଆଗମନବାର୍ତ୍ତା ପାଇ ପାଟମହାଦେଈ ଆନନ୍ଦରେ ବିହ୍ୱଳି ହୁଅନ୍ତେ ନବରର ସମସ୍ତେ ଜାଣିଗଲେ ଆଉ ବନ୍ଧୁଟି କିଏ ଏବଂ କିରୂପ ଭୋଜନ କରିବେ ଦେଖିବାପାଇଁ ଉତ୍ସୁକ ହୋଇ ବାହାରିଲେ । ଠିକ୍‌ ଯେପରି ବର ଆସିବାର ବାଜା ଶୁଣି ସ୍ତ୍ରୀଲୋକେ ଉତ୍‌କଣ୍ଠିତା ହୋଇ ଧାବନ୍ତି ସେହିପରି ଚହଳ ଷଣ୍ଢ-ଅନ୍ତଃପୁରରେ ପଡ଼ିଗଲା-

 

ରଘୁନାଥ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଯଥାବିଧି ଅଭିବାଦନ କଲେ । ରାଜା ତାଙ୍କୁ ଦେଖି କୋଟିନିଧି ପାଇଲା ପ୍ରାୟ ଏକାବେଳକେ ଆସନରୁ ଉଠି ଆଲିଙ୍ଗନ କରି ଆପଣା ନିକଟରେ ବସାଇ ନାନା କଥା ପଚାରିଲେ । ରଘୁନାଥ ଆଜି ରାଜାଙ୍କର ତାଙ୍କ ପ୍ରତି ବିଶେଷ ସ୍ନେହ ଓ ଅନୁଗ୍ରହ ହୋଇଥିବାର ଜାଣିପାରି ଆପଣାକୁ ଅତି ଧନ୍ୟ ମନେ କରି ଆମନ୍ତ୍ରଣର କାରଣ ପଚାରିଲେ । ରାଜା କହିଲେ–ନାହିଁ କେବଳ ପାଟମହାଦେଈଙ୍କ ଅନୁରୋଧରେ ମଧ୍ୟ ତାଙ୍କର ସେହିପରି ଅଭିମତ ଥିବାରୁ ସେ ଏକାସଙ୍ଗେ ଭୋଜନ କରିବାକାରଣ ଡକାଇ ପଠାଇଥିଲେ । ଏକେ ରାଜାଙ୍କ ଅନୁରୋଧ ତହିଁରେ ପୁଣି ପାଟମହାଦେଈଙ୍କ ଅଭିଳାଷ–ଏଥିରେ ରଘୁନାଥ ଷଣ୍ଢନବରରେ ଆପଣାକୁ ବିକ୍ରୀତ ହୋଇଥିବାର ମନେ କରି ବନ୍ଦିପ୍ରାୟ ଆଜ୍ଞାପାଳନରେ ପ୍ରୟାସୀ ହେଲେ । ରାଜା ପଚାରିଲେ ‘‘ଚାଲ ଭୋଜନ କରିବା !’’ ରଘୁନାଥ ଉତ୍ତର କଲେ ‘‘ଛାମୁରୁ ଯେ ଆଦେଶ । ମୋ ପାଇଁ ଛାମୁ ଏତେବେଳଯାଏ ଭୋଜନ କରି ନାହାନ୍ତି, ମୁଁ କି ଆନ କହି ପାରେଁ ?’

 

ଠା କରିବା କାରଣ ଭିତରକୁ ଆଦେଶ ଗଲା ଏବଂ ଅନ୍ତଃପୁରରେ ସ୍ୱୟଂ ପାଟମହାଦେଈଙ୍କ ଘରେ ପିଢ଼ାପାଣିର ଆୟୋଜନ ହେଲା । ହାୟ ହାୟ ! ପଦେ ଅଧେ ଏଠାରେ ପାଠକଙ୍କୁ ନ କହି ରହିପାରିଲୁ ନାହିଁ । ଯେଉଁମାନେ ସତତ ରାଜଭୋଗରେ ରତ ଅଛନ୍ତି କେବେ କି ତାଙ୍କୁ ପାଟମହାଦେଈଙ୍କ ଘରେ ଏରୂପ ଭୋଜନ କରିବାକୁ ମିଳଇ ? ପାଟମହାଦେଈଙ୍କ ଅଲଗା ଖନ୍ଦା ଏବଂ ରାଜାଙ୍କର ଅଲଗା ଖନ୍ଦା । ପାଟମହାଦେଈଙ୍କ ଘରେ ଭୋଜନ କରିବା କଥା ତେଣିକି ଥାଉ ରାଜା ଭୋଜନ କରିବା ସମୟରେ ପାଟମହାଦେଈ ଉପସ୍ଥିତ ସୁଦ୍ଧା ରହି ପାରନ୍ତି ନାହିଁ । ଆମ୍ଭେମାନେ ଏ ଭୋଗରେ ପକ୍ଷପାତୀ ନୋହୁଁ । ଏ ରାଜଭୋଗକୁ ଦୂରୁଁ ଜୁହାର ! ଏହାଠାରୁ ମଧ୍ୟବର୍ତ୍ତୀ ଲୋକ-ମଧ୍ୟବର୍ତ୍ତୀ କାହିଁକି–ଗରିବ ଲୋକଙ୍କ ଭୋଗ ସୁଦ୍ଧା ଶତ ଗୁଣେ ଭଲ । ଯେତେବେଳେ ଭୋଜନ ସମୟରେ ସ୍ନେହମୟୀ ଭାର୍ଯ୍ୟା ବେଲାରେ ଦୁଧ ବାଢ଼ି ଆଣି ପଙ୍ଖା ଖଣ୍ଡିକ ଧରି ଦୁଧ ଶୀତଳ କରୁ କରୁ ବେଳେ ବେଳେ ସେହି ପଙ୍ଖାକୁ ଅଳ୍ପରୂପେ ବ୍ୟବହାର କରତଃ ଦୁଷ୍ଟ ମାର୍ଜାରକୁ ତାଟିଆରୁ ମାଛ ଝାମ୍ପି ନେବା କ୍ରିୟାରୁ ରହିତ କରାଇ ସୁଧାମୟ ବଚନକାଳ ବିସ୍ତାରପୂର୍ବକ ଦୁଇ ଗ୍ରାସ ଅଧିକ ଭୋଜନ କରିବାର ପଥ ପରିଷ୍କାର କରନ୍ତି ଅଥବା ସକାଳୁଁ ବେଳ ଦୁଇପ୍ରହର ପର୍ଯ୍ୟନ୍ତ ମୂଲଲାଗି ସ୍ୱାମୀ ଘରକୁ ଫେରି ଆସି ହେବାଗେବା ତେଲ ଲଗାଇ ସ୍ନାନାନ୍ତେ ଘରେ ପହୁଞ୍ଚିବା ମାତ୍ରକେ ଅତି ଯତ୍ନରେ କଂସା ଖଣ୍ଡିକରେ ପରିଷ୍କାର ତୋରାଣୀ ବାଢ଼ି ଆଣି ପତ୍ରଖଣ୍ଡିକରେ ଦିଶୁ ଲୁଣ ଆଉ ମେଞ୍ଚାଏ ଶାକଭାଜି ରଖିଦେଇ ନିକଟରେ ବସି ଆଉ ଗଣ୍ଡାଏ ଭାତ ଦିଏଁ ଦିଏଁ ବୋଲି କଟାଳ କରେ, ପାଠକେ ! ସେତେବେଳେ ମନ କି ଇନ୍ଦ୍ରପଦ ଲାଭ କରଇ ନାହିଁ-? ସେତେବେଳେ ଲୋକ କି ରାଜାଙ୍କ ଅଧୀନ ବୋଲି ବିସ୍ମୃତ ହୁଅଇ ନାହିଁ ? ସେତେବେଳେ ମୁଲିଆ କି ନିଜର ମୂଲିଆତ୍ୱ ଭୁଲି ଯାଏ ନାହିଁ ? ପାଠକେ ! ରାଜଭୋଗ ଏହାଠାରେ କିବା ଛାର ! ରାଜାଏ ଚିରକାଳ ସେ ରାଜ-ଭୋଗ ଘେନି ରହନ୍ତୁ । ଆମ୍ଭେମାନେ ତାହା ନ ଚାହୁଁ !

 

ପିଢ଼ାପାଣିର ଆୟୋଜନ ହେଲାରୁ ପାଟମହାଦେଈଙ୍କ ସନ୍ଦେଶ ମତେ ରାଜା ନବରକୁ ବିଜେ କଲେ । ସଙ୍ଗେ ସଙ୍ଗେ ରଘୁନାଥ ମଧ୍ୟ ପାଟମହାଦେଈଙ୍କ ଘର ଭିତରକୁ ଆସିଲେ । ଭିନ୍ନ ଭିନ୍ନ ଆସନରେ ଉଭୟେ ବସିଲେ । ପାଟମହାଦେଈଙ୍କ ନିର୍ଦ୍ଦେଶ ମତେ ରସକଳା ସ୍ୱୟଂ ଭୋଜନପତ୍ରାଦିରେ ଅନ୍ନ ବ୍ୟଞ୍ଜନାଦି ଆଣି ରାଜା ଓ ରଘୁନାଥଙ୍କ ସମକ୍ଷରେ ଥୋଇଦେଲେ । ଆଉ ଦୋହରା ପରିବେଶନ ଆବଶ୍ୟକ ହେବ ନାହିଁ ଏହି ରୂପରେ ରାଜନବରରେ ଅନ୍ନବ୍ୟଞ୍ଜନାଦି ବଢ଼ା ହେବାର ରୀତି ଅଛି, ଏମନ୍ତ କି ବେଳେ ବେଳେ ଯାହା ବଢ଼ା ହୋଇଥାଏ ତାହା ଚାରିଜଣ ଲୋକ ସ୍ୱଚ୍ଛନ୍ଦରେ ଭୋଜନ କରିପାରିବେ । ପାଟମହାଦେଈ ଅନ୍ୟ ସମୟରେ ଅବା ନିଜେ ନିମନ୍ତ୍ରଣ କରିଥିବା ହେତୁ ଓ ଷଣ୍ଢ ରାଜାଙ୍କ ନବରର ବିଶେଷରୀତି ଅନୁସାରେ ରାଜାଙ୍କ ନିକଟରେ ବସିଥାନ୍ତେ ମାତ୍ର ଭାବୀ ଜାମାତା ଭୋଜନ କରିବାକୁ ଆସିଥିବା ହେତୁ ସ୍ୱଭାବସୁଲଭ-ଲଜ୍ଜାରେ ସେ ଘରେ ନ ରହି ତାହାକୁ ଲାଗିଥିବା ଅନ୍ୟ ଘରେ କପାଟ ଦରଆଉଜା କରି ବସି ଦେଖୁଥିଲେ ଏବଂ ରସକଳା ପ୍ରତିଦିନ ରାଜାଙ୍କ ଭୋଜନ ସମୟରେ ଯେପରି ବସନ୍ତି ସେହିପରି ଆଜି ମଧ୍ୟ ଅନତିଦୂରେ ବସି ଦୁଷ୍ଟମାର୍ଜାରକୁ ସମୟେ ସମୟେ ତାଡ଼ନା କରୁଥିଲେ ।

 

ରାଜାଙ୍କର ନିମନ୍ତ୍ରଣ, ରାଜଘରେ ଭୋଜନ, ରାଜ-ଜେମାଙ୍କ ପରିବେଷଣ ଏବଂ ପାଟମହାଦେଈଙ୍କ ଅନୁରୋଧ ଏ ସମସ୍ତ ଏକତ୍ରିତ ହୋଇ ରଘୁନାଥଙ୍କୁ ଭୁଲାଇ ଦେଇଥିଲା । ରଘୁନାଥ ରସକଳାଙ୍କୁ ଅଚେତନାବସ୍ଥାରେ ଆଣି ନବରରେ ପହୁଞ୍ଚାଇ ଦେଇ ଚାଲି ଯାଇଥିଲେ । ଭଲ କରି ଦେଖି ନାହାନ୍ତି । ତହିଁଉତ୍ତାରୁ ପୁଣି ରାଜଭବନରେ ରାଜ-ଭୋଗରେ ଥାଇଁ ରାଜଭବନର ଉପଯୁକ୍ତ ବସ୍ତ୍ରାଳଙ୍କାରରେ ବିଭୂଷିତା ଥିବାରୁ ତାଙ୍କୁ ରଘୁନାଥ ଚିହ୍ନି ପାରି ନ ଥିଲେ ଏବଂ ରାଜଜେମା ବୋଲି ଅନୁମାନ କରିଥିଲେ । ମାତ୍ର ରାଜଜେମାଙ୍କୁ ରାଜ-ନିମନ୍ତ୍ରଣରେ କଟାକ୍ଷ କରିବାର ଅତି ଅନ୍ୟାୟ ବୋଲି ଜାଣୁଥିଲେହେଁ ରାଜଜେମାର ରୂପଲାବଣ୍ୟ, ଅଙ୍ଗଭଙ୍ଗୀ ଏବଂ ବସ୍ତ୍ରାଳଙ୍କାରରେ ମୋହିତ ହୋଇଯାଇ କେବଳ ସୌନ୍ଦର୍ଯ୍ୟ ଥରେ ଦେଖି ନେବା ମାନସରେ ବେଳେ ବେଳେ ଜେମାଙ୍କ ଆଡ଼ଙ୍କୁ ଦୃଷ୍ଟି ପକାଇଥିଲେ । ଦୃଷ୍ଟି ତହିଁରେ ପରିତୃପା ହେବାର ନୁହଇ–ଯେତେଥର ଦୃଷ୍ଟି ପକାନ୍ତି ସେତେଥର ନୂଆ ପରି ଦେଖନ୍ତି । –ସେ ଅସୀମ ନବତ୍ୱ ରଘୁନାଥଙ୍କ ଚକ୍ଷୁଃ ଶେଷ କରି ପାରିଲା ନାହିଁ !

 

ସେ ଯାହା ହେଉ ରାଜା ଓ ରଘୁନାଥ ଏହିପରି ଭୋଜନ କରିବାକୁ ବସିଲେ । ରାଜା ପଚାରିଲେ ‘‘ପଟ୍ଟନାୟକେ ! ତୁମ୍ଭ ଘରେ ରୋଗୀ କିଏ ଥିଲା ? ତୁମ୍ଭ ମାତାଙ୍କ ଶରୀର କିଛି ହୋଇଛି କି ?’’ ରଘୁନାଥ ଉତ୍ତର କଲେ ‘‘ନା, ମାତାଙ୍କର ଶରୀର ଭଲ ଅଛି । ଆଉଜଣେ ସ୍ତ୍ରୀଲୋକ କଠିନ ରୋଗରେ ପଡ଼ିଥିଲେ ।’’

 

ରାଜା ପୁନର୍ବାର ପଚାରିଲେ ‘‘ତୁମ୍ଭ ଘରେ ଆଉ ଗୋଟିଏ ସ୍ତ୍ରୀଲୋକ କିଏ ?

 

ରଘୁନାଥ କହିଲେ ‘‘ଛାମୁଙ୍କୁ ଜଣା ନାହିଁ । ନବଗ୍ରାମରୁ ଆଉ ଗୋଟିଏ ରମଣୀଙ୍କି ଆଣିଥିଲି ।’’

 

ରସକଳା ସଜାଡ଼ି ହୋଇ ବସିଲେ । କଥାଭଙ୍ଗୀରୁ ମନେକଲେ ନିଶ୍ଚୟ ଅପାର କଥା ପଡ଼ିଅଛି ଏବଂ ସେହି ହେତୁରୁ ଘନ ଘନ ସୋତ୍ସୁକଚିତ୍ତରେ ରଘୁନାଥଙ୍କ ମୁଖକୁ ଅନାଇ ରହିଥିଲେ । ରାଜା ପୁଣି ପଚାରିଲେ ‘‘କାହିଁ ମୋତେ ତ ଆର ରମଣୀର କଥା କହି ନାହ ? ତୁମ୍ଭେ ଚିହ୍ନୁଛ ତ ତୁମ୍ଭେ ଯେଉଁ ରମଣୀଙ୍କି ଆଣି ଆମ୍ଭ ନବରରେ ଛାଡ଼ି ଦେଇଥିଲ ସେ ଏହି ରସକଳା ।’’

 

ରସକଳା ଟିକିଏ ଲଜ୍ଜାଯୁତା ହୋଇ ମୁଖ ଉପରକୁ କିଞ୍ଚିତ୍‌ ବସନ ଟାଣି ଆଣିବା ସଙ୍ଗେ ସଙ୍ଗେ ମାର୍ଜ୍ଜାରକୁ ତାଡ଼ନା କରିବା ଦ୍ୱାରା ମନୋଭାବ ଗୋପନ କଲେ । ରାଜା ବାକ୍ୟ ଶେଷ କରି ନ ଥିଲେ, କହିଲେ ‘‘ରସ ଅନେକ ସମୟରେ କଳାବତୀ ବୋଲି ତାଉ ଅପା ଅଛି କହେ ଆଉ ମୋତେ ଓ ପାଟମହାଦେଈଙ୍କି ତାହା କଥା ପଚାରେ ମାତ୍ର ଆମ୍ଭେମାନେ କିଛି ବୁଝି ନ ପାରି ତାକୁ ମିଥ୍ୟା ପ୍ରବୋଧ ଦେଉଁ । ସେହି ରମଣୀର ନାମ କଳାବତୀ ? ସେ ଭଲ ଅଛି ତ ?’’

 

ରଘୁନାଥ ଉତ୍ତର କଲେ ‘‘ଦୁଇଜଣ ରମଣୀଙ୍କି ଏକସ୍ଥାନରେ ରଖିବା ଭଲ ବିବେଚନା ନ କରି ମୁଁ ଛାମୁଙ୍କୁ ନ ଜଣାଇ ତାକୁ ଘେନି ଯାଇଥିଲି । ଏହାଙ୍କଠାରୁ ତାଙ୍କର କିଛି ଅଧିକ ରୋଗ ହୋଇଥିଲା ମାତ୍ର ଈଶ୍ୱରଙ୍କ ଇଚ୍ଛାରୁ ସେ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଛନ୍ତି । ଆଉ ଯେ ଅଳ୍ପ ଦୁର୍ବଳତା ଅଛି ତାହା ଅଳ୍ପ ଦିନେ ଭଲ ହୋଇଯିବ ।’’

 

କଳାବତୀଙ୍କର ରୋଗ-ବାର୍ତ୍ତା ଶୁଣି ରସକଳାଙ୍କ ହୃଦୟ ଫାଟି ଆସୁଥିଲା ମାତ୍ର ସଙ୍ଗେ ସଙ୍ଗେ ଆରୋଗ୍ୟବାର୍ତ୍ତା ଶ୍ରବଣ କରି ମନ ଆଶ୍ୱସ୍ତ ହେଲା । ତଥାପି ତାଙ୍କୁ ଦେଖିବା କାରଣ ପୂର୍ବଠାରୁ ମନ ଅଧିକ ଉତ୍ସୁକ ହେଲା । ରାଜା ପଚାରିଲେ ‘ରସ, ତୋର ଅପାର କଥା ଶୁଣିଲୁ ? ଦେଖିବାକୁ ମନ ହେଉ’ଛି କି ?’’

 

ରସକଳା ଅଧୋବଦନରେ ଉତ୍ତର କଲେ ‘‘ଆପଣ ଅନୁଗ୍ରହ କଲେ ଦେଖିବି ।’’

 

ରାଜା ରସକଳାଙ୍କର ସରଳ ଉତ୍ତରରେ ଭୋଳ ହୋଇଗଲେ । କହିଲେ ପଟ୍ଟନାୟକେ ! କଳାବତୀର ଶରୀରରେ ଆଉ ଟିକିଏ ବଳ ହୋଇଗଲେ ସପ୍ତାହ ମଧ୍ୟରେ ତାକୁ ଏଠାକୁ ପଠାଇ ଦେବ । ଏତେବେଳେ ଦୁଇ ଭଉଣୀଙ୍କ ଦେଖା ହେବା ଉଚିତ । ଆଉ ପାଟମହାଦେଈଙ୍କ ଅନୁରୋଧ ମଧ୍ୟ ମୋହର ଆନ୍ତରିକ ଅଭିଳାଷରୁ ମୁଁ କହୁ’ଛି–ତୁମ୍ଭେ ରସକଳାକୁତ ଦେଖିଲ, ସେତ ମାନବୀ ନୁହେ–ସାକ୍ଷାତ୍‌ ଗନ୍ଧର୍ବକନ୍ୟା–ତାହାକୁ ଆମ୍ଭେମାନେ କନ୍ୟା ପ୍ରାୟ ପାଳନ କରୁଛୁଁ, ତୁମ୍ଭର ମଧ୍ୟ ସ୍ତ୍ରୀ ନାହିଁ ଆଉ ରସ ମଧ୍ୟ ରୂପଗୁଣରେ ଲକ୍ଷ୍ମୀ–ତୁମ୍ଭେ ତାକୁ ବିବାହ କରି ଆମ୍ଭମାନଙ୍କ ଚିତ୍ତାଭିଳାଷ ଚରିତାର୍ଥ କରାଇ ନିଜେ ସୁଖୀ ହୁଅ ଓ ବୃଦ୍ଧା ମାତାର ମନୋଽଭିଳାଷ ପୂରଣ କର ।’’

 

ରଘୁନାଥଙ୍କୁ ଏ କଥା ଅଡ଼ୁଆ ହେଲା । ରଘୁନାଥ କଳାବତୀଙ୍କି ବିବାହ କରିବାର ସିଦ୍ଧାନ୍ତ କରିଅଛନ୍ତି । ତହିଁରେ ପୁଣି ରାଜା ଏତେ ଆଗ୍ରହ କରି ଏ କଥା ପକାଇଲେ । ରାଜାରାଣୀଙ୍କ ସମ୍ମୁଖରେ ଏ କଥାରେ ଅସ୍ୱୀକାର ପ୍ରକାଶ କରିବା ନିତାନ୍ତ ଅମନୁଷ୍ୟତା ବୋଲି ବିବେଚନା କରି କହିଲେ ‘‘ଦେଖାଯିବ’’ ।

 

ରାଜା ସେ ଉତ୍ତରରେ ସନ୍ତୁଷ୍ଟ ନ ହୋଇ କହିଲେ ‘‘ପଟ୍ଟନାୟକେ ! ତାହା ହେବ ନାହିଁ । ଦେଖାଯିବାର କଥା ନୁହେ । ତୁମ୍ଭେ ବିବାହ କରିବ ବୋଲି ସ୍ୱୀକାର ନ କଲେ ଆମ୍ଭେମାନେ ଛାଡ଼ୁ ନାହୁଁ ।’’

 

କି ଆପଦ ! ମନୁଷ୍ୟର ଇଚ୍ଛା ଏକ ମାତ୍ର ଈଶ୍ୱରଙ୍କ ଇଚ୍ଛାହିଁ ଫଳବତୀ ହୁଅଇ । ରଘୁନାଥ ଇତସ୍ତତଃ ହୋଇ ବିଚାର କଲେ କପାଳରେ ଯାହା ଥାଉ ଏଭଳି ରାଜାରାଣୀଙ୍କ କଥାତ ଟାଳିଦେଇ ନ ପାରୁଁ । ବାଧ୍ୟ ହୋଇ କହିଲେ ‘‘ଛାମୁରୁ ସେତେବେଳେ ଆଦେଶ ହେଉ’ଛି ମୁଁ କି ଅନ୍ୟଥା କରିପାରେ’’ ।

 

ନବରର ଯାବନ୍ତ ସ୍ତ୍ରୀଲୋକ ଜଳା ଇତ୍ୟାଦି ବାଟେ ଭୋଜନକ୍ରିୟା ଦେଖୁଥିଲେ–ଏ କଥା ଶୁଣି ନବରରେ ‘‘ରସର ବର’’ ବୋଲି ଶବ୍ଦ ଚହଳି ପଡ଼ିଲା ।

 

ଆଉ ରସକଳା । ପାଠକଙ୍କର ମନେ ଅଛିତ କଳାବତୀ ଓ ରସକଳାଙ୍କର ପ୍ରଥମ କଥାବାର୍ତ୍ତାରେ କଳାବତୀ ଟାହୁଲି କରି କହିଥିଲେ ‘‘ଦେଖିଲେ ବାହା ହେବାକୁ ମନ ହେବ’’ । ଆଉ ପ୍ରକୃତରେ ରଘୁନାଥଙ୍କୁ ଦେଖି ରସକଳା ବିମୋହିତା ହୋଇଥିଲେ । ଏ ବିବାହପ୍ରସଙ୍ଗ ଶୁଣି ନ ଶୁଣିଲା ପ୍ରାୟ ଫଳରେ ମାର୍ଜ୍ଜାରକୁ ସ୍ନେହଭାବରେ ଦୁଇ କାଠ ଦେଇଥିଲେ ।

 

ଭୋଜନ ସାରି ରାଜା ଓ ରଘୁନାଥ ତାମ୍ୱୁଳ ନେଇ ଅନ୍ତଃପୁରରୁ ବାହାରକୁ ଗମନ କଲେ ଏବଂ ସ୍ତ୍ରୀ ଲୋକମାନେ ଅନ୍ତଃପୁରରେ ଅଶେଷ ମଙ୍ଗଳ ମନାସି ହୁଳହୁଳୀଦ୍ୱାରା ରସକଳାଙ୍କ ବିବାହର ମଙ୍ଗଳାଚରଣ କରି ଚତୁର୍ଦ୍ଦିକ କମ୍ପାଇ ଦେଇଥିଲେ ।

Image

 

ଚତୁତ୍ରିଂଶ ପରିଚ୍ଛେଦ

ଏକାକିନୀ

 

ରଘୁନାଥ ବିଦାୟ ହୋଇ କୁଜଙ୍ଗ ଗଲା ଉତ୍ତାରୁ କଳାବତୀ ଆଉ ରଘୁନାଥଙ୍କ ମାତା ତାଙ୍କ ଘରେ ରହିଗଲେ । ଆମ୍ଭେମାନେ ପୂର୍ବରୁ କହିଅଛୁଁ ଯେ କଳାବତୀ ଟିକିଏ ଆରୋଗ୍ୟ ହେଲା ମାତ୍ରକେ ବୃଦ୍ଧାର ସେବା କରିବାରେ ନିରତା ହୋଇଥିଲେ । ବର୍ତ୍ତମାନ ରଘୁନାଥ ଘରେ ନ ଥିବା କାଳରେ ସେ ବିଶେଷରୂପେ ସେବାକଲେ ଏମନ୍ତ କି ବୃଦ୍ଧା ଦେଖିଲେ ଯେ ସେବା କରିବାରେ କଳାବତୀ ରଘୁନାଥଙ୍କୁ ବଳିଗଲେ । ବୃଦ୍ଧା ସେ ସେବାରେ ପରମାପ୍ୟାୟିତା ହେଲେ ଏବଂ ପୂର୍ବରୁ ତାଙ୍କୁ ବଧୂରୂପେ ଗ୍ରହଣ କରିବାର ମାନସ ଥିବାରୁ ସେ ରଘୁନାଥଙ୍କ ହସ୍ତ ଗ୍ରହଣ କଲେ ପରମ ମଙ୍ଗଳ ହେବ ବୁଝିପାରିଲେ । ଏଣୁ କଳାବତୀଙ୍କ ଇତିହାସ ଜାଣିବା କାରଣ ବୃଦ୍ଧା କଳାବତୀଙ୍କି ଏକାକିନୀ ପାଇ ଅନେକ କଥା ପଚାରିଲେ ଏବଂ କ୍ରମେ କଳାବତୀଙ୍କର ଇତିହାସ ଜାଣିବା ସଙ୍ଗେ ସଙ୍ଗେ ସେ ଆଶା ବିଦୂରିତା ହେଲା ।

 

କଳାବତୀ ବିଧବା । ବୃଦ୍ଧା କେତେ ମନେ ମନେ କଲେ ‘ଆହା ! ଏହୁଟି ବିଧବା ନୋହିଥାନ୍ତା କି ! ରଘୁନାଥ ପ୍ରାଣପରି ଏହାକୁ ଦେଖିପାରେ- ବୋଧହୁଏ ଏ ବିଧବା ବୋଲି ରଘୁନାଥକୁ ଜଣା ନାହିଁ । ହାୟ ! କାହିଁକି ବିଧାତା ଏପରି ରମଣୀଙ୍କି ବିଧବା କରନ୍ତି ?’ ବୃଦ୍ଧା ଏହିପରି ଚିନ୍ତା କରି ନାନା ମତେ ବିଧାତାଙ୍କୁ ନିନ୍ଦା କଲେ ଏବଂ ପୁତ୍ର ଫେରି ଆସିଲେ ଏହାଙ୍କ ସମ୍ୱନ୍ଧେ ବିଶେଷ ବିଚାର କରିବାର ମନାସି ରହିଲେ ।

 

ବିଧବା ବିବାହ ଶାସ୍ତ୍ର ନିଷିଦ୍ଧ । ପ୍ରାଣ ଥାଉଁ ବୃଦ୍ଧା ପୁତ୍ରକୁ ବିଧବା-ବିବାହ କରିବାକୁ ଦେବେ ନାହିଁ । ତଥାପି ମନ ଜାଣିବା କାରଣ ବୃଦ୍ଧା କଳାବତୀଙ୍କି ବିବାହ କରିବାର ଇଚ୍ଛା ଅଛି କି ନାହିଁ ପଚାରିଲେ । କଳାବତୀ କହିଲେ ‘ମୁଁ ଆପଣଙ୍କ କନ୍ୟା, ରଘୁନାଥ ମୋର ଭାଇ । ଆଉ ବିଧାତା ତ ମୋତେ ବିଧବା କରିଚନ୍ତି–ବିବାହର କଥା ପଚାରିବାରେ ପ୍ରୟୋଜନ ନାହିଁ ! ବୃଦ୍ଧା କଳାବତୀଙ୍କଠାରୁ ଏ ଉତ୍ତର ପାଇ ବଡ଼ ଆନନ୍ଦିତା ହେଲେ । ପୁତ୍ରବଧୂ ରୂପରେ ତାହାଙ୍କୁ ପାଇଥିଲେ ଅବଶ୍ୟ ବିଶେଷ ଆନନ୍ଦର କଥା ହୋଇଥାନ୍ତା । ମାତ୍ର କଳାବତୀ ଅଳ୍ପବୟସରେ ବିଧବା ହୋଇ ଯେ ଏ ଉତ୍ତର ପ୍ରଦାନ କଲେ ଏଥିରେ ତାଙ୍କର ବାସ୍ତବିକ ଅପରିସୀମ ଆନନ୍ଦ ହୋଇଥିଲା ।

 

କଳାବତୀ ସ୍ୱାମୀ ହରାଇ ରସକଳାଙ୍କୁ ଆପଣା ସଙ୍ଗିନୀ କରି ପାଇଥିଲେ ଏବଂ ମନେ କରିଥିଲେ ରସକଳାଙ୍କୁ ବିବାହ ଦେଇ ସୁଖିନୀ ହେବେ । ମାତ୍ର ବିଧାତା ସେ ସୁଖରେ ବାଧା ଘଟାଇ ପୁଣି ସଂସାର-ସାଗରେ ତାଙ୍କୁ ଏକାକିନୀ କରି ପକାଇଲେ । ବୃଦ୍ଧାର ସେବା କରିବାକୁ ଥିବାରୁ ସମୟ କଥଞ୍ଚିତ୍‌ କଟି ଯାଉଅଛି ମାତ୍ର ଆଶାଭରସା ନ ଥିଲେ ସଂସାରରେ ବଞ୍ଚିବାକୁ କାହାର ଇଚ୍ଛା-? ତେଣେ ରଘୁନାଥଙ୍କ ମନୋଭାବରୁ ସେ ରଘୁନାଥଙ୍କର ପ୍ରେମଚକ୍ଷୁରେ ପଡ଼ିଥିବାର ଜଣା ଯାଉଥିଲା । ଏ ହେତୁରୁ ଆପଣାର ସ୍ୱାମୀର ରୂପ ଧାରଣ କରି ସ୍ୱାମୀର ନାମ ଏବଂ ଭାବଭଙ୍ଗୀ ଓ ସ୍ୱର ଗ୍ରହଣ ପୂର୍ବକ କଳାବତୀଙ୍କ ନିକଟରେ ଉପସ୍ଥିତ ହୋଇଥିଲେ ସୁଦ୍ଧା ସେ ଭାବ ତାଙ୍କୁ ବିଷବତ୍‌ ଜଣା ଯାଉଥିଲା ।

 

ହାୟ ! ମୃତସ୍ୱାମୀ ଜୀବିତ ହେଉଥିଲେ ସଂସାର କେଡ଼େ ସୁନ୍ଦର ହୋଇଥାନ୍ତା । ସରଳା ବିଧବାମାନେ ମୃତସ୍ୱାମୀ ପାଇ ଈଶ୍ୱରଙ୍କ ଠାରେ ଅଶେଷ କୃତଜ୍ଞତା ପାଶରେ ଆବଦ୍ଧା ହୋଇ କେତେ ପ୍ରକାର ମଙ୍ଗଳ ବାଞ୍ଛା କରୁଥାନ୍ତେ ! ଏବଂ ଈଶ୍ୱରଙ୍କର ତହିଁରେ ଅବା କ୍ଷତି କି ଥିଲା ? ମାତ୍ର ତାହା ସଂସାରରେ ହେବାର ନୁହଇ । ବାସ୍ତବରେ ସତ୍ୟବାନ ପରି ଆପଣା ସ୍ୱାମୀ ଫେରି ଆସିଥିଲେ କଳାବତୀ ରଘୁନାଥଙ୍କୁ ନେଇ ସଂସାର କରିବାରେ କ୍ଷତି ନ ଥିଲା । କ୍ଷତି କାହିଁକି–ତାହା କରିବା ତ ଉଚିତ ଥିଲା ଏବଂ ତାହା ହୋଇଥିଲେ କେତେ ସୁଖର କଥା ହୋଇଥାନ୍ତା ! ମାତ୍ର ସ୍ୱାମୀତ ଫେରି ଆସି ନାହାନ୍ତି ଏବଂ ଅନ୍ୟ ଲୋକ ରୂପଗୁଣାଦି ସର୍ବପ୍ରକାରରେ ସମାନ ହେଲେ ସୁଦ୍ଧା ତାଙ୍କୁ ପତିରୂପରେ କି ରୂପେ ଗ୍ରହଣ କରାଯାଇ ପାରେ ? ଆଉ ବିଧବାର ଅନ୍ୟ ପତିଗ୍ରହଣଠାରୁ ବିଷପାନଦ୍ୱାରା ମରିବା ଲକ୍ଷଗୁଣେ ଶ୍ରେୟସ୍କର ବୋଲି କଳାବତୀ ବୁଝି ରଖିଥିଲେ । ତେଣୁ ରଘୁନାଥଙ୍କ ପ୍ରେମଚକ୍ଷୁରୁ କିରୂପେ ଅନ୍ତର ହେବେ ତହିଁର ଉପାୟ ଉଦ୍ଭାବନରେ ବଡ଼ ବ୍ୟସ୍ତ ହୋଇଗଲେ ।

 

ରଘୁନାଥ କଳାବତୀଙ୍କ ସେବାଶୁଶ୍ରୂଷା ଯେପରି ଭାବରେ କରି ତାଙ୍କର ପ୍ରାଣ ବଞ୍ଚାଇ ଅଛନ୍ତି ତହିଁରେ ଆପଣାର ଜୀବନସର୍ବସ୍ୱ ଦେବା କର୍ତ୍ତବ୍ୟ । ମାତ୍ର ଧର୍ମ୍ମତ୍ୟାଗ କଦାପି କର୍ତ୍ତବ୍ୟ ନୁହଇ-। ରଘୁନାଥ ପାଣିଗ୍ରହଣ କରିବାକୁ ଚାହିଁଲେ ସେ ପାଣିରେ ପଶିବେ ମାତ୍ର ସେ ପାଣିରେ ପଶି ରଘୁନାଥଙ୍କ ମୃତ୍ୟୁର କାରଣ ହେବେ ତାହା ହେଲେ ତ ତାହା ବଡ଼ କଠିନକଥା ହେବ । ଉଦ୍ଧାରକର୍ତ୍ତା ମରଣର କାରଣ ହେବାଠାରୁ ଆଉ ପାପ କି ଅଛି ? ଏହି ରୂପେ କଳାବତୀଙ୍କ ମନ ବିଶେଷରୂପେ ଆଲୋଡ଼ିତ ହୋଇଥିଲା ।

 

ତେଣେ ରଘୁନାଥ ମନେ ମନେ ପାଞ୍ଚି ଅଛନ୍ତି କଳାବତୀଙ୍କି ବିବାହ କରିବେ । ସେ କଳାବତୀଙ୍କ ଇତିହାସ ଡକାୟତି କରିବାକୁ ଗଲା ପୂର୍ବରୁ ଜାଣିଥିଲେ ଏବଂ ଆମ୍ଭମାନଙ୍କର ଆଧୁନିକ ନବ୍ୟ ଯୁବକଙ୍କ ପ୍ରାୟ ତାଙ୍କର ବିଧବା ବିବାହ କରିବାକୁ ମନା ନ ଥିଲା । ବିଶେଷରେ କଳାବତୀ ଏକପ୍ରକାର ବାଳବିଧବା ଏବଂ ତହିଁ ସଙ୍ଗେ ତାଙ୍କର ଆଚରଣ, ବ୍ୟବହାର, କଥାବାର୍ତ୍ତା ଏବଂ ଚାଲିଚଳନ ମନୁଷ୍ୟରୁ ବାହାର ଅଟଇ । ଏଭଳି ରତ୍ନ କେବଳ ଅସ୍ଥାନରେ ଅଯତ୍ନଭାବରେ ପଡ଼ିଥିବାର ରଘୁନାଥଙ୍କୁ ଜଣାଗଲା ଏବଂ ଅସ୍ଥାନରୁ ରତ୍ନଲାଭ କରିବାରେ କ୍ଷତି ନ ଥିବା ସେ ବୁଝିଥିଲେ । ଏଣୁ କେତେମତେ କେହି ମନା କଲେ ସୁଦ୍ଧା ସେ ଏଭଳି ରମଣୀରତ୍ନକୁ ଛାଡ଼ି ଅନ୍ୟ କାହାରିକି ବିବାହ କରିବେ ନାହିଁ ବୋଲି କୃତସଂକଳ୍ପ ହୋଇଥିଲେ । ଷଣ୍ଢେ ନିତାନ୍ତ ବାଧ୍ୟ କଲେ ବୋଲି ରସକଳାଙ୍କ ସମ୍ୱନ୍ଧରେ ସେ ସେପରି ଉତ୍ତର ଦେଇଥିଲେ ମାତ୍ର କଳାବତୀ ଥାଉଁ ସେ ରସକଳାଙ୍କୁ ଛୁଇଁବେ ନାହିଁ ବୋଲି ପଣ କରିଥିଲେ ।

 

ଆଉ ମାତା ? ମାତା ଅଧିକଦିନ ବଞ୍ଛିବେ ନାହିଁ । ବଞ୍ଚିଲେ ସୁଦ୍ଧା କଳାବତୀଙ୍କ ସେବାରେ ସେ ସନ୍ତୁଷ୍ଟା ଅଛନ୍ତି । ସୁତରାଂ ମାତା ବୋଧ ହୁଏ ଅମତ କରିବେ ନାହିଁ । ଅମତ କଲେ ମାତାଙ୍କ ମୃତ୍ୟୁ ଉତ୍ତାରୁ କଳାବତୀଙ୍କି ବିବାହ କରିବା ଶ୍ରେୟଃ ତଥାପି ଅନ୍ୟ ରମଣୀ ଗ୍ରହଣ କରିବେ ନାହିଁ ବୋଲି ସ୍ଥିର ସିଦ୍ଧାନ୍ତ କରି ରଖିଲେ ।

 

ହାୟ ! ଏକଥା ରସକଳା ଜାଣିଥିଲେ କାହିଁକି ରଘୁନାଥଙ୍କୁ ଦେଖିଲା ମାତ୍ରକେ ତାଙ୍କଠାରେ ମନଃପ୍ରାଣ ଅର୍ପଣ କରିଥାନ୍ତେ । ଯଉ ସେ କଥାରେ ବର୍ତ୍ତମାନ ଆମ୍ଭମାନଙ୍କର ପ୍ରୟୋଜନ ନାହିଁ । ରଘୁନାଥ କୁଜଙ୍ଗରୁ ଫେରିଆସି ଅଧିକକ୍ଷଣ କଳାବତୀଙ୍କ ସଙ୍ଗେ ଦେଖା କରି ମନର ଅଭିଳାଷ ପୂରଣ କରିବାର କେତେ ସୁବିଧା ଖୋଜୁଥିଲେ ମାତ୍ର କଳାବତୀ ତ କେତେବେଳେ ବୃଦ୍ଧାର ସେବାରୁ ଅନ୍ତର ହୋଇ ରହନ୍ତି ନାହିଁ । ସୁତରାଂ ଏକାନ୍ତରେ ଦେଖାହେବା ଏକପ୍ରକାର ଅସମ୍ଭବ ହୋଇ ପଡ଼ିଲା ।

 

ଦିନେ କଳାବତୀ ସ୍ୱୟଂ ଉପରୋକ୍ତ ରୂପ ଚିନ୍ତାଜାଲରେ ବିଶେଷ ଆନ୍ଦୋଳିତା ହୋଇ ଦିବା ଦୁଇପ୍ରହର ସମୟରେ ରଘୁନାଥଙ୍କ ମାତା ଶୋଇଲା ଉତ୍ତାରୁ ଏକାକିନୀ ବାହାରକୁ ଯାଇ ନଦୀତୀରସ୍ଥ ଉପବନରେ ବସି ଦୂରସ୍ଥ ଜଳରେଖା ଓ ତତ୍‌ସନ୍ନିକଟସ୍ଥ ମରୀଚିକାର ସୁନ୍ଦର ଖେଳା ଦେଖି ଚିନ୍ତାମଗ୍ନା ଅଛନ୍ତି ଏମନ୍ତ ସମୟରେ ବିଧି ନିର୍ଦ୍ଦେଶ ମତେ ପଛରୁ ରଘୁନାଥ ଯାଇ ନିକଟରେ ଠିଆ ହୋଇ କହିଲେ, ‘‘କଳାବତୀ !’’

Image

 

ପଞ୍ଚତ୍ରିଂଶ ପରିଚ୍ଛେଦ

ହୃଦୟୋଦ୍‌ଘାଟନ

 

କଳାବତୀ ଚମକି ପଡ଼ି ପଛକୁ ଅନାଇ ଦେଖିଲେ ଯେ ଯାହା ମନେ କରିଥିଲେ–ସ୍ୱୟଂ ରଘୁନାଥ ଆସି ଦଣ୍ଡାୟମାନ । ହାୟ ! ନିର୍ଦ୍ଦୟ ବିଧି ସ୍ୱାମୀରୂପରେ ସୃଷ୍ଟିକରି କାହିଁକି ଏହାକୁ ଅନ୍ୟ ସ୍ଥାନରେ ସ୍ଥାପିତ କଲେ ? ଏହାଙ୍କୁ ସ୍ୱାମୀରୂପରେ ସୃଷ୍ଟି କରିବାର ଅବା ତାତ୍ପର୍ଯ୍ୟ କିସ ? ଏଥିରେ ମନରେ ଯେ କଷ୍ଟ ହୁଅଇ ତାହା କି କାଗଜକଲମରେ ଲେଖାଯାଇ ପାରେ ? ସମ୍ମୁଖରେ ଭୋଜନପାତ୍ର ଥାଉଁ ଯେ କ୍ଷୂଧାର୍ତ୍ତ ଭୋଜନ କରି ନ ପାରେ ତାହାର କଷ୍ଟ କି ବର୍ଣ୍ଣନୀୟ ? ପାଠକେ-! କଳାବତୀ ବିଷମ ସମସ୍ୟାରେ ପଡ଼ିଲେ ଏବଂ କାହିଁକି ଏମନ୍ତ ସମୟରେ ଏକାକିନୀ ହୋଇ ଆସୁଥିଲେ ଏ ହେତୁ ଆପଣାକୁ ଶତଧିକ୍କାର ପ୍ରଦାନପୂର୍ବକ କହିଲେ ‘‘ଭାଇ ! ଏତେବେଳେ ଏରୂପରେ ଏଠାରେ କାହିଁକି ?’’

 

ଏ ସମ୍ୱୋଧନରେ ରଘୁନାଥଙ୍କ ଭେଳା ବୁଡ଼ିଗଲା । କଳାବତୀ ସ୍ଥିରବୃଦ୍ଧିଶାଳିନୀ ରମଣୀ ବୋଲି ତାଙ୍କୁ ଜଣାଅଛି । ଏପର୍ଯ୍ୟନ୍ତ ସେ ମନେ କରିଥିଲେ କଳାବତୀ ତାଙ୍କୁ ବିବାହ କରିବାକୁ ଅସମ୍ମତା ନ ଥିବେ । ମାତ୍ର ଆଜି ଏକାବେଳେ ‘ଭାଇ’ ସମ୍ୱୋଧନରେ ସବୁ ଆଶା ଶେଷ ହେଲା । ଅନପେକ୍ଷିତ ରୂପେ ଏ ସମ୍ୱୋଧନ ତାଙ୍କ କର୍ଣ୍ଣକୁହରରେ ପ୍ରବିଷ୍ଟ ହେବାରୁ ମସ୍ତକ ଭ୍ରମିଗଲା ଏବଂ ଦୀର୍ଘନିଶ୍ୱାସ ତ୍ୟାଗ କରି କଳାବତୀଙ୍କ ନିକଟରେ ବସି କହିଲେ ‘‘କଳାବତୀ ! ସତେ କି ମୋତେ ସେ ଆଶା ତ୍ୟାଗ କରିବାକୁ ହେବ ?’’

 

କଳାବତୀ ସେ ସମ୍ୱୋଧନରେ ଆଶା ଫଳବତୀ ହୋଇଥିବାର ଜାଣି ମନେ ମନେ ଆନନ୍ଦିତା ହୋଇ ପଚାରିଲେ ‘‘କି ଆଶା ?’’

 

ରଘୁନାଥ ଧୀରେ ଧୀରେ ଅଧୋବଦନରେ ଉତ୍ତର କଲେ ‘‘କଳାବତୀ ! ତୁମ୍ଭେ ଜାଣିଛ ମୋହର ଭାର୍ଯ୍ୟା ନାହିଁ । ତୁମ୍ଭଠାରେ ମୁଁ କି କପଟ କରିବି ? ମୁଁ ତୁମ୍ଭଙ୍କୁ ଦେଖିଲା କ୍ଷଣି ମନେ କରିଥିଲି ତୁମ୍ଭଙ୍କୁ ବିବାହ କରି ମୋର ଏବଂ ମାତାଙ୍କର ଦୁଃଖ ମୋଚନ କରିବି ! ମୋର ଆଉ ସଂସାରରେ କିଏ ଅଛି ? ମୋର ଗୁଣବତୀ ଭାର୍ଯ୍ୟା ସଂସାର ତ୍ୟାଗ କରିଗଲା ଦିନରୁ ଆଉ କାହାରିକି ମୁଁ ଆପଣା ପରି ଦେଖୁ ନ ଥିଲି ! କଳାବତୀ ! ଅଧିକ କି କହିବି ମୋର ଭାର୍ଯ୍ୟାର ରୂପ ଗୁଣ ତୁମ୍ଭଠାରେ ଦେଖି ମୁଁ ମନେ କରିଥିଲି ବିଧି ତୁମ୍ଭଙ୍କୁ ମୋ ପାଇଁ ଗଢିଛନ୍ତି !’’ –କହୁଁ କହୁଁ ରଘୁନାଥ କାନ୍ଦି ପକାଇଲେ ।

 

କଳାବତୀ ତତ୍‌କ୍ଷଣାତ୍‌ ଅଧୀରା ହୋଇ ବସ୍ତ୍ରାଞ୍ଚଳରେ ରଘୁନାଥଙ୍କ ଲୁହ ପୋଛି ଦେଇ କହିଲେ ‘‘କାନ୍ଦ ନାହିଁ । ବର୍ତ୍ତମାନ ଉପଯୁକ୍ତ ସମୟ ମିଳିଛି–ପରସ୍ପର ମନ ଖୋଲି କଥା କହି ହୃଦୟ ଶାନ୍ତ କରିବୁ ।’’ ରଘୁନାଥ ଏ ସୁଧାମୟ କଥାରେ କଥଞ୍ଚିତ୍‌ ଆଶ୍ୱସ୍ତ ହୋଇ କହିଲେ ‘‘ତୁମ୍ଭପରି ରମଣୀ ଘରଣୀ ହେଲେ ମୋର ସବୁ ଦୁଃଖ ପାସୋର ଯିବ ବୋଲି ମନେ କରିଥିଲି, ମାତ୍ର ତୁମ୍ଭେ ତ ମୋତେ ଆଜି ଭାଇ ବୋଲି ଡାକିଲ ! କଳାବତୀ ! କପଟ ନ କରି ଯଥାର୍ଥ କହ ତୁମ୍ଭର ଅଭିପ୍ରାୟ କିସ ?

 

କଳାବତୀ କହିଲେ ‘‘ଭାଇ ! ମୁଁ ଅନେକ ଭାବି ଚିନ୍ତି ତୁମ୍ଭଙ୍କୁ ଭାଇ ବୋଲି ଡାକିଚି । ବିଧାତା ମୋତେ ତୁମ୍ଭଙ୍କୁ ଭାର୍ଯ୍ୟାର ରୂପଗୁଣ ଦେଇ ଗଢ଼ିଥିବା ସମୟରେ ତୁମ୍ଭଙ୍କୁ ମଧ୍ୟ ମୋହର ସ୍ୱାମୀର ରୂପଗୁଣ ଏବଂ ନାମ ପର୍ଯ୍ୟନ୍ତ ଦେଇ ଗଢ଼ିଛନ୍ତି । ମାତ୍ର ବିଧବାର ବିବାହ କି ରୂପରେ ସମ୍ଭବ ହୋଇପାରେ ? କିରୂପରେ ଜଣକୁ ମନଃପ୍ରାଣ ସମର୍ପଣ କରି ସାରି ଧର୍ମତଃ ଅନ୍ୟକୁ ସମର୍ପଣ କରାଯାଇ ପାରେ ? ନୋହିଲେ ତୁମ୍ଭେ ମୋତେ ଯେ ସଙ୍କଟରୁ ଉଦ୍ଧାର କରି ଆଣି ବଞ୍ଚାଇଚ ତୁମ୍ଭର ଘରଣୀ ହୋଇ ସେ ଋଣ କିଛି ହେଲେ ପରିଶୋଧ କରିବାକୁ ମୁଁ ନାସ୍ତି କରି ନ ଥାନ୍ତି ।’’ କହୁଁ କହୁଁ କଳାବତୀ ମଧ୍ୟ କାନ୍ଦି ପକାଇଲେ ! ରଘୁନାଥ ନିଜ ବସ୍ତ୍ରରେ କଳାବତୀଙ୍କ ଚକ୍ଷୁରୁ ଅଶ୍ରୁ ପ୍ରୋଞ୍ଛନ କରି କହିଲେ ‘‘କଳାବତୀ ! ବିଧବାର ବିବାହରେ ଦୋଷ କି ଅଛି ? ବିଧି ଯେବେ ଆଶ୍ଚର୍ଯ୍ୟ ପ୍ରକାରରେ ଆମ୍ଭମାନଙ୍କୁ ସ୍ତ୍ରୀ ସ୍ୱାମୀ ରୂପରେ ଗଢ଼ିଛନ୍ତି ବିଧିଙ୍କ ବାଞ୍ଛା ପୂରଣ କରିବାକୁ ହେବ ।’’

 

କଳାବତୀ ଧୀରଭାବରେ ଉତ୍ତର କଲେ ‘‘କିଏ କହି ପାରିବ ଯେ ବିଧିବାଞ୍ଛା ମୁଁ ତୁମ୍ଭଙ୍କୁ ପତି ରୂପରେ ଗ୍ରହଣ କରେ ? ମୋହର ସ୍ୱାମୀ ସଂସାରରୁ ତିରୋହିତ ହୋଇଥିଲେ ସୁଦ୍ଧା ଧର୍ମତଃ ମରି ନାହାନ୍ତି । ଲୋକେ ଧର୍ମତଃ ମରନ୍ତି ନାହିଁ । ମୁଁ ମନେ ମନେ ବେଶ ବୁଝି’ଛି ମୋର ସ୍ୱାମୀ ସ୍ୱର୍ଗରେ ଅଛନ୍ତି । ପୃଥିବୀରେ ମୋହର କାର୍ଯ୍ୟ ଶେଷ ହୋଇନାହିଁ । ତାହା ଶେଷ ହେଲେ ବିଧିନିର୍ଦ୍ଦେଶମତେ ମୁଁ ପ୍ରବାସରୁ ଯାଇଁ ନିଜ ଘରେ ସ୍ୱାମୀ ପ୍ରାପ୍ତ ହେବି । ତୁମ୍ଭଙ୍କୁ ପତିରୂପରେ ଗ୍ରହଣ କଲେ ମୋର ସେ ଅଭିଳାଷ ସିଦ୍ଧ ହେବ ନାହିଁ କିମ୍ୱା ତାହା ଈଶ୍ୱରଙ୍କ ଅଭିପ୍ରେତ ନୁହଇ ।’’

 

ଆଉ ଉତ୍ତର ନାହିଁ । ଧର୍ମରେ ଯାହାର ଆସ୍ଥା ଅଛି ତାହାର ଆଉ ଏଥିକି ଉତ୍ତର ନାହିଁ । ରଘୁନାଥ ପୁଣି ଏକ ଦୀର୍ଘନିଶ୍ୱାସ ପକାଇ କହିଲେ ‘‘କଳାବତୀ ! ଆଉ ମୁଁ ସେ କଥା କହିବି ନାହିଁ । ମୁଁ ତୁମ୍ଭପରା ଲୋକର ମନରେ ଆଘାତ ପ୍ରଦାନ କରିବାକୁ ତିଳେମାତ୍ର ବଞ୍ଛା ନ ରଖେ । ତୁମ୍ଭେ ଏତେ କଷ୍ଟ ସହିଲା ଉତ୍ତାରୁ ସୁଖରେ କେତେକ ଦିନ ଅତିବାହିତ କର ଏହା ମୋହର ଏକାନ୍ତ ଅଭିଳାଷ । ତୁମ୍ଭର ଯେବେ ତାହା ଅଭିମତ ନୁହେ ମୁଁ ମଧ୍ୟ ତାହା ବଳରେ କରିବାକୁ ଯାଇଁ ତୁମ୍ଭ ମନରେ କଷ୍ଟ ଦେବାକୁ ବାଞ୍ଛା ନ କରେ ।’’ କଳାବତୀ ଏରୂପ କଥାରେ ପରମାହ୍ଲାଦିତା ହୋଇ କହିଲେ ‘‘ଭାଇ ! ତୁମ୍ଭଙ୍କୁ ଦେଖି ଓ ତୁମ୍ଭର କଥା ଶୁଣି ପ୍ରଥମରୁ ମୋହର ସ୍ୱାମୀ ବୋଲି ଭ୍ରମ ହୋଇଥିଲା ମଧ୍ୟ କେତେମତେ ମନେ କରିଥିଲି ଈଶ୍ୱର ବୋଧହୁଏ ଆମ୍ଭଙ୍କୁ ସ୍ୱାମୀ ଫେରାଇ ଦେଲେ । ମାତ୍ର ସଂସାରରେ ସବୁକଥା ଏକଆଡ଼େ ଆଉ ଧର୍ମ ଅନ୍ୟଆଡ଼େ । ଧର୍ମହୀନ ହୋଇ ବଞ୍ଚିବାଠାରୁ ମରିବା ଶତଗୁଣେ ଭଲ । ତୁମ୍ଭେ ମନରେ ଚିନ୍ତା ନ କର । ଧର୍ମ ଲୋଡ଼ୁଥିଲେ ଈଶ୍ୱର ଅବଶ୍ୟ ଆମ୍ଭମାନଙ୍କର ମଙ୍ଗଳ ସାଧନ କରିବେ ।’’

 

ଏଥି ଉତ୍ତାରୁ ଉଭୟେ କିୟତ୍‌କାଳ ନୀରବ ହୋଇ ରହିଲେ । ଉଭୟଙ୍କ ସ୍ଥାନରେ ଧର୍ମ ଗୁରୁତରରୂପେ କାର୍ଯ୍ୟକରି ଆପଣା ମହତ୍ୱ ଠିକ୍‌ ରଖିଲା ଏବଂ ମ୍ଲାନହେବା ଦୂରେ ଥାଉ ଧର୍ମଜୀବନରେ ଉଦ୍ଦୀପିତ ହୋଇ ଉଭୟଙ୍କ ମୁଖମଣ୍ଡଳ ପ୍ରସନ୍ନ ଦିଶିଲା । ପରେ କଳାବତୀ ଖଣ୍ଡିଏ କୁଟାରେ ଭୂମିରେ ଗାର କାଟୁ କାଟୁ କହିଲେ ‘‘ଭାଇ ! ମୋର ଗୋଟିଏ ଭଉଣୀ ଥିଲା–ତାହାର ନାମ ରସକଳା । –ତାହା ବିନା ମୋର ମନ ବଡ଼ ଘାଣ୍ଟି ହେଉ’ଚି । ତୁମ୍ଭେ ତାହାର ଠିକଣା କିଛି କହି ପାରିବ ?’

 

ରଘୁ । –ସେ କୁଜଙ୍ଗ ରାଜାଙ୍କ ଅନ୍ତଃପୁରରେ ଅଛନ୍ତି ।

 

କଳା । –ରାଜାଙ୍କ ଅନ୍ତଃପୁରରେ ଥିବାର ତୁମ୍ଭେ କିରୂପେ ଜାଣିଲ ? ଶୁଣିଚ ? ଶୁଣିବା କଥା କେତେ ସତ, କେତେ ମିଛ !

 

ରଘୁ । –ମୁଁ ଦେଖିଆସି’ଛି !

 

କଳା । –ତୁମକୁ ରାଜା ଆମନ୍ତ୍ରଣ କରିଥିବାର କହିଯାଇଥିଲ–ତୁମେ କି ଅନ୍ତଃପୁର ଭିତରକୁ ଯାଇଥିଲ ? ଭାଇ ! ସତକରି କହିଲ ତୁମେ ରସକୁ ଦେଖିଚ ?

 

ରଘୁ । –ମୋତେ ରାଜା ନଅର ଭିତରକୁ ଘେନି ଯାଇଥିଲେ–ଦୁହେଁ ସଙ୍ଗ ହୋଇ ଖାଇଲୁଁ । ରସକଳା ନିଜେ ପରିବେଷଣ କରିଥିଲେ ଆଉ ଆମ୍ଭେମାନେ ଖାଇଲା ବେଳେ ନିକଟରେ ବସି ବିଲେଇ ତଡ଼ୁଥିଲେ ।

 

କଳା । –ରସ ମୋର ଭଲ ଅଛି ?

ରଘୁ । –ଭଲ ଅଛନ୍ତି ? ରାଜା ତାଙ୍କୁ ବଡ଼ ଦେଖିପାରନ୍ତି ।

 

କଳାବତୀ ରସକଳାଙ୍କର ଶୁଭସମ୍ୱାଦ ପାଇ ଅତୀବ ଆନନ୍ଦିତା ହେଲେ ମାତ୍ର ସଙ୍ଗେ ସଙ୍ଗେ ଭାଇଙ୍କ ବିଷୟରେ ସନ୍ଦେହ ଜାତ ହେଲା । ନବଗ୍ରାମଆଡ଼େ ଭୂୟାଁମାନେ ବେଳେ ବେଳେ ଡକାୟତି କରନ୍ତି ଏବଂ ପୌଷପୂର୍ଣ୍ଣିମା ରାତ୍ରରେ କାନ୍ଥ ପଡ଼ିବା ଶବ୍ଦ ଶୁଣିବା ମାତ୍ରକେ ଭୂୟାଁଙ୍କ କର୍ତ୍ତୃକ ଡକାୟତି ଘଟିବାର ଅନୁମିତ ହେବା ସଙ୍ଗେ ସଙ୍ଗେ କଳାବତୀ ଓ ରସକଳା ମୂର୍ଚ୍ଛିତା ହୋଇ ପଡ଼ିଥିଲେ–ଆଉ କିଛି ତାଙ୍କୁ ଜଣା ନାହିଁ । ବର୍ତ୍ତମାନ ଆରୋଗ୍ୟ ଲାଭକରି କଳାବତୀ ମନେ ମନେ ଭଉଣୀଙ୍କି ଖୋଜି ମନୋମଧ୍ୟରେ ନାନାପ୍ରକାର ତର୍କ ପାଞ୍ଚୁ ଥିଲେ ଏବଂ ରସକଳା କୁଜଙ୍ଗ ନବରରେ ଥିବାର ଜ୍ଞାତ ହୋଇ ଭୂୟାଁମାନେ ଡକାୟତି କରି ରସକଳାଙ୍କୁ କୁଜଙ୍ଗରାଜାଙ୍କୁ ଭେଟିଥିବାର ସହଜରେ ବିଶ୍ୱାସ ହୋଇଗଲା । ମାତ୍ର ନିଜେ କିପରି ରଘୁନାଥଙ୍କ ଘରକୁ ଆସିଲେ ? ରଘୁନାଥ କି ଡକାୟତଙ୍କ ମଧ୍ୟରେ ଜଣେ ? ଏଭଳି ସୁନ୍ଦର ଦୟା-ରସ-ପୂର୍ଣ୍ଣ ପୁରୁଷ କି କେବେ ଡକାୟତି କାଣ୍ଡରେ ଲିପ୍ତ ଥିବାର ସମ୍ଭବ ହୋଇପାରେ ? ଅଥବା ପୃଥିବୀରେ କିଛି ଅସମ୍ଭବ ନାହିଁ-!-–ଏହିପରି ନାନାପ୍ରକାର ତର୍କ କଳାବତୀଙ୍କ ମନରେ ଉଦିତ ହେଲା । କଳାବତୀ ଡକାୟତକର୍ତ୍ତୃକ ଆନୀତା ହୋଇ ଡକାୟତଘରେ ଥାଇ ଡକାୟତଠାରେ କୃତଜ୍ଞତା ପାଶରେ ଜଡ଼ିତା ହୋଇଅଛି ! ଅହୋ ! ପୁଣି କ’ଣନା ସେହି ଡକାୟତ ହସ୍ତ ଧାରଣ କରିବାର ପ୍ରସ୍ତାବ କରୁଥିଲା ! ଏବଂ କୃତଜ୍ଞତା ପାଶରେ ନିତାନ୍ତ ଜଡ଼ିତା ହୋଇ ଡକାୟତକୁ ଭାଇ ବୋଲି ଡାକିବାକୁ ହେଲା ! କଳାବତୀ ଡକାୟତର ଭଉଣୀ ! ଏବଂ ଡକାୟତର ସେବାକାରିଣୀ !! –ଏହିରୂପେ ନାନା ଚିନ୍ତା ମନୋମଧ୍ୟେ ଛାଗରିତା ହୋଇ କଳାବତୀଙ୍କ ରକ୍ତ ଉଷ୍ଣ କରିଦେଲା । କଳାବତୀ କହିଲେ ‘‘ଭାଇ ! ମୁଁ ଗୋଟିଏ କଥା ପଚାରିବି ମନରେ ଆନ ନ ଭାବି ନିଷ୍କପଟ ହୋଇ ଯଥାର୍ଥ ଉତ୍ତର ଦେବ ଟିକି-?’’

 

ରଘୁନାଥ ଚତୁର ଲୋକ । ପୁଣି ଚୋରର ମନ ଗଣ୍ଠିରିରେ । କଳାବତୀଙ୍କ ଭାବଭଙ୍ଗୀରୁ ସେ ଅନୁମାନ କରିଥିଲେ ଯେ ସେହି କଥା ପଚାରିବାକୁ କଳାବତୀ ଯାଉ ଅଛନ୍ତି ଏବଂ ସାହସ ବାନ୍ଧ ନିଷ୍କପଟ ଭାବରେ ସମୁଦାୟ ଯଥାଯଥ ବ୍ୟକ୍ତକରି କଳାବତୀଙ୍କ ମନୋଭାବ ଜାଣିବା କାରଣ ଚେଷ୍ଟିତ ହୋଇ କହିଲେ ‘‘ତୁମ୍ଭଠାରେ ମୁଁ କପଟ କରି ମିଥ୍ୟାକଥା କାହିଁକି କହିବି ? ଏ ଦେହକୁ ଏପର୍ଯ୍ୟନ୍ତ ମିଥ୍ୟାକଥାରୂପ ପାପ ସ୍ପର୍ଶ କରି ନାହିଁ ।’’

 

କଳା । –ଭାଇ ! ମୋ ମନରେ ହେଉଚି, ତୁମେ ଡକାୟତଙ୍କ ମଧ୍ୟରେ ଥିଲ ।

ରଘୁ । –କି ରୂପେ ?

 

କଳା । –ନୋହିଲେ, ମୁଁ ଏଠାକୁ ଆସିଲି କି ରୂପେ ? ରସ ଆଉ ମୁଁ ଦୁହେଁ ଏକାଠି ଥିଲୁଁ-। ରସକୁ ଭୂୟାଁଏ ଆଣି ମୋତେ କି ଛାଡ଼ି ଆସନ୍ତେ ? ଭୂୟାଁଙ୍କ ଠାରୁ ମଧ୍ୟ ତୁମ୍ଭେ ଛଡ଼ାଇ ଆଣି ପାରି ନ ଥାନ୍ତ ।

 

ରଘୁ । –ମୋ ଦେହରେ କି ଅଳ୍ପ ବଳ ଅଛି ?

 

କଳା । –ନା, ତୁମ ଦେହରେ ହଜାର ବଳ ଥାଉ ଭୂୟାଁଙ୍କ ବଳ କାହାରିଠି ନାହିଁ । ଆଉ ଛଡ଼ାଇ ଆଣିଥିଲେ ରସକୁ କି ଛଡ଼ାଇ ଆଣି ନ ଥାନ୍ତ ?

 

ରଘୁ । –ମୋର ଯେବେ ଜଣକୁ ଛଡ଼ାଇ ଆଣିବାକୁ ମନ ହେଲା ?

 

କଳାବତୀ ଟାହୁଲି ବୁଝି ପାରି ମୃଦୁମଧୁର ଭାବରେ ହସି କହିଲେ ‘‘ଭାଇ ! ତୁମେତ କହିଲ ନାହିଁ, କପଟ କଲ, ମୁଁ ଆଉ ପଚାରିବି ନାହିଁ ।

 

ରଘୁନାଥ ମଧ୍ୟ ମୃଦୁହାସ୍ୟ କରି କହିଲେ ‘‘କହ କହ, ମୁଁ ଆଉ ସେପରି କହିବି ନାହିଁ । –ତୁମ୍ଭେ ତ କାହା ଆଗେ କହିବ ନାହିଁ ?’’

 

କଳା । –ମୋର ଆଉ ଏ ସଂସାରରେ କିଏ ଅଛି ଯେ କାହାଆଗେ କହିବି–ଆଉ ତୁମେ ପୁଣି ତହିଁରେ ମୋର ପ୍ରାଣ ବଞ୍ଚାଇ ମୋତେ କିଣି ନେଇଚ ।

 

ରଘୁ । –ମୁଁ ଡକାୟତଙ୍କ ମଧ୍ୟରେ ଥିଲି ।

 

କଳା । –ରୋଷନୀ କାହାର ହୋଇଥିଲା ? –ନାଏବ କି ସତେ ଅଭିଷେକ–ରୋଷନୀ କରୁଥିଲେ ?

 

ରଘୁ । –ମୁଁ ନାଏବ ହୋଇଥିଲି । ରୋଷନୀ ଆମ୍ଭର ।

କଳା । –ରୋଷନୀ କରି ଡକାୟତି କରିବାର ଅଭିପ୍ରାୟ କିସ ?

 

ରଘୁ । –ଯେଉଁ ଶ୍ରମଜୀବିମାନେ କାର୍ଯ୍ୟ ବିନା ଗଡ଼ି ମରୁଥିଲେ ସେମାନଙ୍କୁ ପ୍ରଚୁର ଅର୍ଥ ସାହାଯ୍ୟ କରି କାର୍ଯ୍ୟ ନେବାହିଁ ରୋଷନୀର ଅଭିପ୍ରାୟ ।

 

କଳା । –ତୁମେ କିପରି ନାଏବ ହେଲ ?

 

ରଘୁ । –ଯେଉଁ କାର୍ଯ୍ୟ ସୁବାଦାର କଲେ ନାହିଁ ମୁଁ ପ୍ରକାରାନ୍ତରେ ସେ କାର୍ଯ୍ୟ କଲେ ତାଙ୍କର ନାଏବ ନ ହୋଇ ଆଉ କି ହେଲି ?

 

କଳା । –ସୁବାଦାର କି ଡକାୟତି କରିଥାନ୍ତେ ?

 

ରଘୁ । –ସୁବାଦାର ଉତ୍ତମରୂପେ ନ୍ୟାୟଭାବରେ ଦେଶ ଶାସନ କରିଥିଲେ ଆମ୍ଭେମାନେ ଡକାୟତି କରି ନଥାନ୍ତୁ । ସୁବାଦାରଙ୍କ କାର୍ଯ୍ୟ ଦେଶଲୋକଙ୍କର ପ୍ରାଣ ବଞ୍ଚାଇବା । ଆମ୍ଭେମାନେ ତାଙ୍କ ନିମିତ୍ତ ଘୋର ଦୁର୍ଭିକ୍ଷରୁ ଦେଶଲୋକଙ୍କର ପ୍ରାଣ ବଞ୍ଚାଇବା ପାଇଁ ଡକାୟତି କଲୁଁ ।

 

କଳା । –ଉଦ୍ଦେଶ୍ୟ ଭଲ ହେଲେ ମଧ୍ୟ ଯାହାର ସର୍ବନାଶ କଲ ତାହାର କି ହେଲା ?

 

ରଘୁ । –ଯାହାର ସର୍ବନାଶ କଲୁଁ ତାହାର ସର୍ବନାଶ ହେବା ବିଧି-ନିର୍ଦ୍ଦିଷ୍ଟ । –କଳାବତୀ ! ତୁମ୍ଭର ପିତା ଅମନୁଷ୍ୟ ! ସେ ବଞ୍ଚିଥିଲେ ଲୋକର କୌଣସି ଉପକାର ନାହିଁ । –ଯେଉଁ ଘୋର ଦୁର୍ଭିକ୍ଷ ଶୀଘ୍ର ଲକ୍ଷ ଲକ୍ଷ ମହାପ୍ରାଣୀଙ୍କି ନଷ୍ଟ କରିବ ତହିଁ ମଧ୍ୟରୁ କାହାରି ମୁଠାଏ ସୁଦ୍ଧା ତୁମ୍ଭ ପିତାଙ୍କଠାରୁ ପାଇବାର ଆଶା ନ ଥିଲା । –ତାଙ୍କ ଧନରେ ଏରୂପେ କେତେ କେତେ ମହାପ୍ରାଣୀଙ୍କ ଜୀବନ ରକ୍ଷା ହେବ !

 

କଳା । –ବିଧିନିର୍ଦ୍ଦିଷ୍ଟ ବୋଲି ତୁମେ ଜାଣିଲ କିରୂପେ ?

 

ରଘୁ । –କଳାବତୀ ! ଭଲମନ୍ଦ ବିଚାର କରିବାର ମନୁଷ୍ୟର କ୍ଷମତା ଅଛି । ଆମ୍ଭେମାନେ ବିଚାର କରି ଯାହା ନିଷ୍ପତ୍ତି କଲୁଁ ତୁମ୍ଭର ହନୁମାନ ଦାସ ଓ ଗିରିଧାରୀ ଦାସ ବାବାଜୀମାନେ ତାହା ସମର୍ଥନ କଲେ । ଆଉ ପଞ୍ଚଙ୍କ ମତହିଁ ପରମେଶ୍ୱରଙ୍କ ମତ । –କଳାବତୀ ! ଆହୁରି ଗୋଟିଏ କଥା ଜାଣି ରଖ, ଚୋର କି ଡକାୟତମାନେ ଭଲଲୋକର ସର୍ବନାଶ କରନ୍ତି ନାହିଁ-

 

କଳା । –‘ସେ ବାବାଜୀ ଆମ୍ଭମାନଙ୍କର ପିତା ଓ ଗୁରୁ ।-’ ଏହା କହି ଯୋଡ଼ହସ୍ତ ହୋଇ ବାବାଜୀଙ୍କ ଉଦ୍ଦେଶ୍ୟରେ ଦଣ୍ଡବତ୍‌ ହୋଇ କହିଲେ ‘ତାଙ୍କ କଥାରେ କାହାରି କଥା କହିବାର ଶକ୍ତି ନାହିଁ । ମାତ୍ର ଦୁର୍ଭିକ୍ଷ ଈଶ୍ୱର ପ୍ରେରିତ କି ନା ?’

 

ରଘୁ । –ଈଶ୍ୱରପ୍ରେରିତ ।

 

କଳା । –ତେବେତ ଲକ୍ଷ ଲକ୍ଷ ମହାପ୍ରାଣୀ ମରିବା ଈଶ୍ୱରଙ୍କ ଅଭିପ୍ରେତ । ତୁମ୍ଭେମାନେ ଡକାୟତି କରିବାଦ୍ୱାରା ଯଦି କୌଣସି ପ୍ରାଣୀଙ୍କି ବଞ୍ଚାଇବ ତେବେ ଈଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରି ପାପର ଭାଗୀ ହେବ ନାହିଁ କି ?

 

ରଘୁ । –ଠିକ୍‌ ତର୍କ କରିଛ, କଳାବତୀ ! ଆମ୍ଭେମାନେ ସେ ସବୁ କଥା ବିଚାର କରିଥିଲୁ-। କୌଣସି ଉଦ୍ଦେଶ୍ୟ ବିନା ଈଶ୍ୱରଙ୍କର କିଛି କାର୍ଯ୍ୟ ହୁଅଇ ନାହିଁ । ସେ ଲୋକରେ ପ୍ରଭୂତ ଶିକ୍ଷା ଦେବା କାରଣ ଦୁର୍ଭିକ୍ଷରୂପେ କରାଳକାଳକୁ ପୃଥିବୀକୁ ପ୍ରେରଣ କରନ୍ତି । ଆମ୍ଭେମାନେ ଯାହା କରୁଛୁଁ ତାହା ସୁଦ୍ଧା ଏଥିର ଅନ୍ତର୍ଗତ । ଯେଉଁମାନଙ୍କର ବଞ୍ଚିବାର ଥିବ ସେମାନେ ଏତଦ୍ଦ୍ୱାରା ସାହାଯ୍ୟ ପାଇ ବଞ୍ଚିଯିବେ ।

 

କଳା । –ମୁଁ ବୁଝିଲି । –ରସର ଘରବି ତୁମ୍ଭେମାନେ ଲୁଟିପାଟି ଆଣିଚ ?

 

ରଘୁ । –ତାଙ୍କର ପିତାମାତା ମନୁଷ୍ୟ ହୋଇ ନୃଶଂସତାରେ ପଶୁଠାରୁ ବଳି ତାଙ୍କର ଘରଦ୍ୱାର ଲୁଟିନେଇ ପିତାମାତାଙ୍କୁ ଇହଲୋକରୁ ବିଦାୟ ଦେଇ ତାଙ୍କୁ ଆଣି ରାଜନବରରେ ଛାଡ଼ିଛୁଁ– । ସେ ରାଜନବରର ସମ୍ପୂର୍ଣ୍ଣ ଉପଯୋଗିନୀ ସେଠାରେ ଗନ୍ଧର୍ବକନ୍ୟା ରୂପରେ ପରମାନନ୍ଦରେ ରସକଳା ଦିନାତିପାତ କରୁ’ଛନ୍ତି ।

 

କଳା । –ଏହା ଶୁଣି, ଭାଇ, ମୋର ବାସ୍ତବରେ ଆନନ୍ଦ ଜାତ ହୋଇଚି । ରସର ପିତାମାତାଙ୍କର ଏହିରୂପେ ଜୀବନଲୀଳା ଶେଷ ହେବା ବାଞ୍ଛନୀୟ । ଆଉ ମୋର ପିତା ଭଙ୍ଗା ଘରଦ୍ୱାର ଦେଖିଲା ମାତ୍ରକେ ଜୀବନ ଛାଡ଼ିଥିବେ ।

 

ରଘୁ । –ସେ ମଧ୍ୟ ନରାଧମ । ସୁବାଦାରଙ୍କ କୁମନ୍ତ୍ରଣାରେ ରହି ବିପୁଳ ବିଭବ ଥିଲେ ସୁଦ୍ଧା ତଣ୍ଡ ନେବାକୁ ଅଗ୍ରସର । ତାଙ୍କର ବାସ୍ତବରେ ସେହି ରୂପରେ ଜୀବନ ଯାଇଛି ।

 

କଳା । –ତୁମ୍ଭେ ଠିକ୍‌ ଜାଣ ?

ରଘୁ । –ହଁ, ମୁଁ ସେ ସମ୍ୱାଦ ପାଇଛି ।

 

କଳାବତୀଙ୍କ ଅନ୍ତଃକରଣ ବଡ଼ କୋମଳ । ତିତାର ଓ ଆତ୍ମୀୟ ଲୋକର ମୃତ୍ୟୁସଂବାଦ ଶୁଣି କିଞ୍ଚିତ୍‌ ଅଶ୍ରୁ ବିସର୍ଜ୍ଜନ କଲେ । ରଘୁନାଥ ‘‘କି କାନ୍ଦିଲ ଯେ’’ କହି ଆପଣା ବସ୍ତ୍ରରେ ଲୋତକ ପ୍ରୋଞ୍ଛନ କରି ଦେଲେ । କଳାବତୀ କହିଲେ ‘‘ଭାଇ, ଯେତେ ହେଲେ ସେ ପରା ଏତେ ଦିନ ମୋତେ ପାଳିଥିଲେ’’ ।

 

ରଘୁନାଥ ପ୍ରବୋଧ ଦେଇ କହିଲେ ‘‘ସେ ପାଳିବେ କାହିଁକି ? ଈଶ୍ୱରଙ୍କର ତାଙ୍କଠାରୁ ଅର୍ଥଦଣ୍ଡ ନେବାର ଥିଲା ବୋଲି ଈଶ୍ୱର ତୁମ୍ଭଙ୍କୁ ସେଠାରେ ବଢ଼ାଇଥିଲେ । ନୋହିଲେ ପାଷଣ୍ଡ ତୁମ୍ଭଙ୍କୁ ସେତେ ଦେଖିପାରୁ ନ ଥିଲା କି ତୁମ୍ଭେ ତାହା ଘରକୁ ଯୋଗ୍ୟା ନ ଥିଲ । ଅଧିକ କି କହିବି ଆପଣାର ସର୍ବନାଶ ଶୁଣିଲାଠାରୁ କଟକରୁ ନବଗ୍ରାମ ଯାକେ ଆସିବାଯାଏ ପାପିଷ୍ଠ କେବଳ ଧନଚିନ୍ତା କରୁଥିଲା । ତୁମ୍ଭଙ୍କୁ ଟିକିଏ ସୁଦ୍ଧା ମନେ ପକାଇ ନାହିଁ’’ ।

 

କଳାବତୀ ସେ କଥାମାନ ଏଡ଼ିବା ବାଞ୍ଛନୀୟ ଜ୍ଞାନ କରି ରଘୁନାଥଙ୍କ ହସ୍ତ ଧରି କହିଲେ ‘‘ଭାଇ, ମୋତେ ଆପଣାର ଭଉଣୀ ପରି ଦେଖିବ ଆଉ ମୁଁ ଯାହା କହିବି ତାହା କରିବାକୁ କେବେ ଅନ୍ୟଥା କରିବ ନାହିଁ’’ ।

 

ରଘୁନାଥ ଅକପଟ ହୃଦୟରେ କହିଲେ ‘‘କଳାବତୀ ! ମୁଁ ଆଜିଠାରୁ ତୁମ୍ଭଙ୍କୁ ସାନ ହେଲେ ସୁଦ୍ଧା ମୋର ଗୁରୁପ୍ରାୟ ମଣିଲି । ତୁମ୍ଭେ ପୂର୍ବଜନ୍ମରେ ମୋର ଭଉଣୀ ଥିଲ–ଏ ଜନ୍ମରେ ସୁଦ୍ଧା ଭଉଣୀ ରୂପରେ ଦେଖା ଦେଇ ସତ୍‌ଶିକ୍ଷା ଦେଲ । ତୁମ୍ଭ କଥା ମୁଁ ପ୍ରତିଜ୍ଞା କରି କହୁଛି କେବେ ଅନ୍ୟଥା କରିବି ନାହିଁ ।’’

 

କଳାବତୀ ମନେ ମନେ ପରମାନନ୍ଦିତା ହୋଇ କହିଲେ ‘‘ଭାଇ, ଏ କଥା ଶୁଣି ମୋ ମନ ତରଳିଗଲା । ଭାଇ, ମୋର ଏକାନ୍ତ ବାସନା–ତୁମ୍ଭ ଘରେ କେହି ନାହିଁ–ତୁମ୍ଭେ ରସକଳାକୁ ବିବାହ କରି ମୋର ଆନ୍ତରିକ ବାସନା ଚରିତାର୍ଥ କର ।’’

 

ରଘୁନାଥ ବାଧ୍ୟ ହୋଇ ରାଜାଙ୍କଠାରେ ପ୍ରତିଜ୍ଞା କରି ଆସିଥିଲେ । କୋମଳାନ୍ତଃକରଣା କଳାବତୀ ପୁଣି ସେକଥା ପକାଇଲେ । ତଥାପି ସେ ବିଷୟ ଏଡ଼ି ଦେବା ଉଚିତ ମନେ କରି କହିଲେ ‘‘ରସକଳା ତୁମ୍ଭକଥା ପଚାରୁଥିଲେ ଏବଂ ତୁମ୍ଭେ ଆମ୍ଭ ଘରେ ଥାଇଁ ଆରୋଗ୍ୟ ଲାଭ କରୁଥିବାର ଶୁଣି ବଡ଼ ଆନନ୍ଦିତା ହେଲେ । ରାଜା ଆଉ ରସକଳା ଦୁହେଁ ତୁମ୍ଭଙ୍କୁ ଡାକିଛନ୍ତି ସପ୍ତାହ ମଧ୍ୟରେ କୁଜଙ୍ଗକୁ ଯିବ ।’’

 

କଳାବତୀ କଟାଳକରି କହିଲେ ‘‘ତୁମେ ରସକଳାକୁ ବିବାହ ନ କଲେ ମୁଁ ତ ଜୀବନ ରଖିବି ନାହିଁ–କୁଜଙ୍ଗ ଯିବା କଥା କାହିଁକି କହୁଚ ? –ତୁମେ ପ୍ରତିଜ୍ଞା କର ରସକଳାକୁ ବିବାହ କରିବ, ମୁଁ ତୁମ କଥାରେ କଦାପି ଅବାଧ୍ୟ ହେବି ନାହିଁ ।’’

 

ରଘୁନାଥ ଅକଳରେ ପଡ଼ିଲେ । ସେ ସରଳ ଅମୃତମୟ ବାକ୍ୟ ଅନ୍ୟଥା କରିବା ରକ୍ତମାଂସ ଗଠିତ ଶରୀରର କାର୍ଯ୍ୟ ନୁହଇ । ରଘୁନାଥ କଳାବତୀଙ୍କର ହସ୍ତ ଧାରଣ କରି କହିଲେ ‘‘ଭଉଣୀ ! ତୁମ୍ଭ କଥାରେ ରଘୁନାଥ ଚିରକାଳ ବାଧ୍ୟ ।’’

 

କଳାବତୀଙ୍କ ମନସ୍କାମନା ପୂର୍ଣ୍ଣହେଲା । ସେତେବେଳକୁ ବେଳ ଗଡ଼ିଯାଇଥିଲା ମାତା ଉଠିବାର କହି ଉଭୟେ ଉପବନ ତ୍ୟାଗକରି ଘରକୁ ବାହୁଡ଼ିଲେ । ପରେ ସେହି କଥା ସ୍ମରଣ ରଖି ରସକଳାର ପାଣିଗ୍ରହଣ ନିଶ୍ଚୟ କରିବେ ବୋଲି ଆଉଥରେ ପ୍ରତିଜ୍ଞା କରାଇ ନେଇ କଳାବତୀ ସନ୍ଧ୍ୟା ସମୟରେ ଗୋଟିଏ କ୍ଷୂଦ୍ର ସୁବର୍ଣ୍ଣ ନିର୍ମିତ କରାଟ ରଘୁନାଥଙ୍କ ହସ୍ତରେ ଦେଇ କହିଲେ ‘‘ଭାଇ, ଏହାକୁ ଅଣ୍ଟାରେ ଖୋସିଥାଅ । ରସକଳାକୁ ବିବାହ କରି ସାରି ଉଭୟେ ବସି ଏହାକୁ ଖୋଲିବ ।’’ ରଘୁନାଥ କରାଟଟି ନେଇ ମସ୍ତକ ହଲାଇ ସମ୍ମତି ଜ୍ଞାପନ ପୂର୍ବକ ଅଣ୍ଟାରେ ଖୋସିଲେ-

Image

 

ଷଟ୍‌ତ୍ରିଂଶ ପରିଚ୍ଛେଦ

ପୁଣି ଦୁଇ ଭଗିନୀ

 

ପୌଷପୂର୍ଣ୍ଣିମାର ଡକାୟତି ପରେ ଷଣ୍ଢଙ୍କଠାରୁ ଯେଉଁ ପାଞ୍ଚଦଶ ଦିନ ଅବସର ମିଳିଥିଲା ତାହା ଅତୀତ ହେଲା । ପୁଣି ଷଣ୍ଢରାଜାଙ୍କ ଦରବାର ଗୃହ ସମ୍ମୁଖରେ ତାଳ ଠୁଙ୍କ ବାହାବଳୀନ୍ଦ୍ର ଓ ବଳିଆର ସିଂହ ପ୍ରଭୃତି ଉପସ୍ଥିତ ହେଲେ । ପୁଣି ଜାଲିୟା ଓ ନୌକାମାନଗଡ଼-ପରିଖାରେ ସଜ୍ଜୀଭୂତା ହୋଇ ରହିଲେ ଓ ନାବିକମାନେ ଆହୁଲା ଇତ୍ୟାଦି ଠିକ୍‍କରି ନେଇ ବାହୁରେ କେତେ ବଳ ଅଛି ଦେଖିବା କାରଣ ଯେ ଯାହାର ବାହୁ ମୋଡ଼ିଲେ । ରାଜା ମଧ୍ୟ ସେଦିନ ଡକାୟତଙ୍କ ଅଭିଯାନ ହେବାର ଜାଣି ସମୁଦାୟ ଉଦ୍ୟୋଗ ଠିକ୍‌ କରିବା ନିମିତ୍ତ ଆଦେଶ ଦେଇ ରଘୁନାଥଙ୍କୁ ଅପେକ୍ଷା କରି ରହିଲେ ।

 

ସେତେବେଳକୁ ବେଳ ତିନିପ୍ରହର । ରଘୁନାଥ ସେଦିନ ଅଭିଯାନ ହେବାର ଜାଣି ଅତି ପ୍ରାତଃକାଳରୁ ଉଠି ନିତ୍ୟକର୍ମାଦି ଶେଷ କଲେ ଏବଂ ଷଣ୍ଢରାଜାଙ୍କ ନିମନ୍ତ୍ରଣବାର୍ତ୍ତା ମାତାଙ୍କୁ ଜଣାଇ କଳାବତୀଙ୍କି ସଙ୍ଗେ ନେଇ କୁଜଙ୍ଗ ଯାତ୍ରା କଲେ । କଳାବତୀଙ୍କି ଶୀଘ୍ର ଫେରି ପଠାଇବା କାରଣ ମାତା ବାରମ୍ୱାର ପୁତ୍ରକୁ ଅନୁରୋଧ କରି ତେବେ କଳାବତୀଙ୍କି ଛାଡ଼ିଥିଲେ । ଏହିରୂପେ ରାଜା ଏବଂ ଡକାୟତଦଳ ଅପେକ୍ଷା କରି ରହିଥିବା ସମୟରେ କଳାବତୀଙ୍କି ଘେନି ରଘୁନାଥ ପାରାଦ୍ୱୀପରେ ପ୍ରବିଷ୍ଟ ହେଲେ ।

 

କଳବତୀ ଶିବିକାରେ ଷଣ୍ଢରାଜାଙ୍କ ସିଂହଦ୍ୱାରରେ ପହୁଞ୍ଚିବା ମାତ୍ରକେ ରାଜାଙ୍କ ଆଦେଶକ୍ରମେ ଶିବିକାଟି ଅନ୍ତଃପୁରମଧ୍ୟକୁ ନୀତା ହେଲା ଏବଂ ରଘୁନାଥ ଶିବିକାରୁ ଓହ୍ଲାଇବା ମାତ୍ରକେ ଡକାୟତ ଦଳରୁ ‘‘ଜୟ ମହାବୀରକି ଜୟ’’ ଶବ୍ଦ ଘୋର ନିନାଦରେ ଉଥିତ ହୋଇ ସମଗ୍ର ପାରାଦ୍ୱୀପକୁ କମ୍ପିତ କଲା ।

 

ରଘୁନାଥ ଶିବିକାରୁ ଓହ୍ଲାଇ ରାଜାଙ୍କ ପଦଧୂଳି ମସ୍ତକରେ ଦେଇ ରାଜାଦେଶକ୍ରମେ ପରିଖାର ଯେଉଁଠାରେ ଜାଲିୟାମାନ ପ୍ରସ୍ତୁତ ହୋଇଥିଲା ସେଠାକୁ ଦଳବଳ ସହିତ ଗମନ କଲେ ଏବଂ ବେଳ ଅତୀତ ହେଉଥିବାର ଜାଣି ରାଜାଙ୍କଠାରୁ ବିଦାୟ ନେଇ ଦଳବଳ ସହିତ ଜାଲିୟାରେ ଚଢ଼ିଲେ । ସମସ୍ତେ ଜାଲିୟାରେ ଚଢ଼ିଲା ଉତ୍ତାରୁ ରଘୁନାଥ ଜାଲିୟା ଖୋଲିବା କାରଣ ଆଦେଶ ଦେଲେ ଏବଂ ଜାଲିୟା ଖୋଲାହେବା ସଙ୍ଗେ ସଙ୍ଗେ ‘‘ଜୟ ମହାବୀର କି ଜୟ’’ ଘୋଷଣା କରିବାକୁ ଆଦେଶ ଦେଲେ । ସଙ୍ଗେ ସଙ୍ଗେ ଜୟ ନିନାଦ ଉଥିତ ହୋଇ ଗଗନମାର୍ଗ ବିଦୀର୍ଣ୍ଣ କଲା ଏବଂ ପ୍ରତିଧ୍ୱନି ଶାନ୍ତ ହେଉଁ ନ ହେଉଁ ପବନ ବେଗରେ ଜାଲିୟାମାନ ଗତିବିସ୍ତାର କରି ଦୃଷ୍ଟି ପଥର ଅତୀତ ହେଲା । ରାଜା ଡକାୟତମାନଙ୍କ ଆସ୍ଫାଳନ ଏବଂ ସ୍ଫୁର୍ତ୍ତି ଦେଖି ଅତି ଆନନ୍ଦିତ ମନରେ ନିଜ ପ୍ରାସାଦକୁ ପ୍ରତ୍ୟାବର୍ତ୍ତିତ ହେଲେ ।

 

ତେଣେ କଳାବତୀଙ୍କ ଶିବିକା ଅନ୍ତଃପୁରରେ ପ୍ରବିଷ୍ଟା ହେବା ମାତ୍ରକେ ରସକଳା ଓ ପାଟମହାଦେଈ ପ୍ରଭୃତି ରମଣୀବୃନ୍ଦ ଦଉଡ଼ି ଆସି ଶିବିକାରୁ କଳାବତୀଙ୍କୁ ବାହାର କରିନେଲେ । ପାଟମହାଦେଈ ତାଙ୍କର ଡାହାଣ ହାତ ଓ ରସକଳା ବାମହାତ ଧରିଥିଲେ । ଶିବିକାରୁ ବାହାରିବା ସଙ୍ଗେ ସଙ୍ଗେ କଳାବତୀ ରସକଳାଙ୍କର ହସ୍ତ ଉପରେ ମସ୍ତକ ରଖି କାନ୍ଦି ପକାଇଲେ ଏବଂ ରସକଳା ମଧ୍ୟ କାନ୍ଦୁ କାନ୍ଦୁ ତାଙ୍କର ଲୁହ ପୋଛି ଦେଇ କହିଲେ ‘‘ଅପା, ଆଉ କାନ୍ଦୁଚୁ କାହିଁକି–ବିଧାତାଙ୍କ ଇଚ୍ଛାରେ ଆମେମାନେ ଅରଣ୍ୟରୁ ଆସି ଘରେ ପହୁଞ୍ଚିଚୁଁ-ତୁ କାନ୍ଦ ନାହିଁ’’ । କଳାବତୀ ପ୍ରଥମତଃ କିଛି କହି ପାରିଲେ ନାହିଁ । କ୍ରମେ ବେଗ ଶାନ୍ତ ହୋଇ ଆସିଲାରୁ କହିଲେ ‘‘ରସ, ମୁଁ ତୋତେ ପୁଣି ଦେଖିବି ଏ ଆଶା କରି ନ ଥିଲି ।’’

 

ପାଟମହାଦେଈ କିପରି ଲୋକ ତାହା ପାଠକମାନଙ୍କୁ ଉତ୍ତମରୂପେ ଜଣାଅଛି । ସଂସାରରେ ଯେ ଯେତେ ବଡ଼ ଦୁଃଖରେ ନ ପଡ଼ୁ କାହିଁକି ପାଟମହାଦେଈ ତାଙ୍କର ଦୁଃଖ ରଖିବାକୁ ଦେବେ ନାହିଁ । ତାଙ୍କର ସ୍ନେହରସସିକ୍ତ ବାକ୍ୟ, ତାଙ୍କର ସୁକୋମଳା ସ୍ନେହଦୃଷ୍ଟି ଆଉ ତାଙ୍କର ନମ୍ରସ୍ୱଭାବ ଅତି କଠିନ ମନକୁ ସୁଦ୍ଧା ତରଳାଇ ଦିଅଇ–କଳାବତୀ ତ ସରଳ କୋମଳା ବାଳିକା । ଫଳତଃ ଏମନ୍ତ ଯତ୍ନରେ ପାଟମହାଦେଈ କଳାବତୀଙ୍କି ଆପଣା କୋଠରୀକି ଘେନିଯାଇ ରସକଳା ସହିତରେ ନାନାପ୍ରକାର ରସାଳ ଖାଦ୍ୟ ଖୁଆଇ ନିଜ ହାତରେ ତାମ୍ୱୁଳ ପ୍ରସ୍ତୁତ କରି ଦେଇ ନାନାପ୍ରକାର କଥାରେ ମୋହିତ କରିଥିଲେ ଯେ କଳାବତୀ କହିଲେ ‘‘ମାତା ବିନା ପ୍ରକୃତରେ ତାହା ଅନ୍ୟତ୍ର ସମ୍ଭବି ନ ପାରେ’’ ଏବଂ ରସକଳା ମାତା ବୋଲି ପାଟମହାଦେଈଙ୍କି ଡାକୁ ଥିବାରୁ ସେହି ସମୟରୁ କଳାବତୀ ମଧ୍ୟ ପାଟମହାଦେଈଙ୍କି ମାତା ବୋଲି ଡାକିଲେ ।

 

ପାଟମହାଦେଈତ ପଶୁପକ୍ଷୀକି ଆପଣାର ପୁତ୍ରକନ୍ୟାରୂପେ ପାଳନ କରନ୍ତି । କଳାବତୀଙ୍କି କନ୍ୟାରୂପରେ ପାଇ ତାଙ୍କର ଅତୀବ ଆନନ୍ଦ ଜାତ ହୋଇଥିଲା । ଏହି ରୂପେ କଳାବତୀ ପାଟମହାଦେଈଙ୍କି ମାତୃରୂପେ ପାଇବାରୁ ନବରର ଅନ୍ୟ ରମଣୀମାନଙ୍କ ସହିତ ସମ୍ୱନ୍ଧ ସ୍ଥାପିତ ହୋଇଗଲା ଏବଂ କ୍ରମେ ରସକଳାପ୍ରାୟ କଳାବତୀ ମଧ୍ୟ ଷଣ୍ଢ-ନବରରେ ଜନ୍ମଗ୍ରହଣ କରିଥିଲା ପରି ଅନନ୍ୟ ଭାବରେ ବିଚରଣ କଲେ ।

 

ରସକଳାଙ୍କୁ ପାଇ କଳାବତୀଙ୍କ ଆନନ୍ଦ ସୀମା ଅତିକ୍ରମ କରିଥିଲା । ରସକଳା ଛଡ଼ା କଳାବତୀଙ୍କର ସଂସାର ନାହିଁ ବୋଲି ବୋଇଲେ ଅତ୍ୟୁକ୍ତି ହେବ ନାହିଁ । ସେ ସରଳା ପ୍ରତିମାକୁ ହରାଇ ପ୍ରକୃତରେ କଳାବତୀଙ୍କର ଜୀବନ ନ ଥିଲା ପରି ହୋଇ ଯାଇଥିଲା ଏବଂ ଯେ ସମୟରୁ ପୁଣି ରସକଳାଙ୍କ ସଙ୍ଗେ ଦେଖା ହେଲା ସେ ସମୟରୁ ଦଣ୍ଡେ ସୁଦ୍ଧା କେହି ସେମାନଙ୍କୁ ଅନ୍ତର ଥିବାର ଦେଖି ନାହାନ୍ତି ।

 

ନାନାପ୍ରକାର କଥା-ରସରେ ରସକଳାଙ୍କ ସହିତ କଳାବତୀ ଷଣ୍ଢ-ନବରରେ ଦିନଯାପନ କରୁଥିଲେ । ସେହିଠାରେ କଳାବତୀ କଥାଚ୍ଛଳରେ ରସକଳାଙ୍କଠାରୁ ତାଙ୍କ ସହିତ ରଘୁନାଥ ପାଣିଗ୍ରହଣ କରିବାର ପ୍ରତିଜ୍ଞା କରି ଥିବାର ଅବଗତ ହୋଇ ଅତୀବ ଆନନ୍ଦିତା ହୋଇଥିଲେ । ଏତେବେଳକୁ ବିଗତ ରୋଷନୀ ଓ ଡକାୟତିର ସମୁଦାୟ କାଣ୍ଡ କଳାବତୀଙ୍କଠାରୁ ରସକଳା ଜ୍ଞାତ ହୋଇଥିଲେ ଏବଂ ରଘୁନାଥଙ୍କ ବିବାହ ସମ୍ୱନ୍ଧୀୟ କଥା ଶୁଣି ସେତେବେଳେ ରସକଳାଙ୍କୁ କଳାବତୀ କହିଲେ ‘‘ରସ ମୁଁ ପରା କହିଥିଲି, ଦେଖିବୁ ନାଏବ କେମନ୍ତ ସୁନ୍ଦର’’ ସେତେବେଳେ ରସକଳା ମୃଦୁମଧୁରଭାବରେ ହସି ଗଡ଼ି ଯାଇଥିଲେ ।

 

ଏତେ ଆନନ୍ଦରେ ଥିଲେ ସୁଦ୍ଧା କଳାବତୀଙ୍କି ଅଧିକଳାଳ ଷଣ୍ଢ-ନବରରେ ରହିବାକୁ ହେଲା ନାହିଁ । ରଘୁନାଥଙ୍କ ବୃଦ୍ଧା ମାତା ଏକାକିନୀ ଥିବାରୁ ଦୁଇ ଦିନ ମାତ୍ର ସେଠାରେ ରହି ପୁଣି ରଘୁନାଥଙ୍କ ଘରକୁ ଆସିଥିଲେ ଏବଂ କେତେକ ଦିନ ରଘୁନାଥଙ୍କ ଘରେ ଓ କେତେକ ଦିନ ଷଣ୍ଢନବରରେ ରହି ଜୀବନର ଏ ଅଂଶକୁ ରମଣୀୟ କରିଥିଲେ ।

Image

 

ସପ୍ତତ୍ରିଂଶ ପରିଚ୍ଛେଦ

ଦୁର୍ଭିକ୍ଷ

 

ଏହିରୂପେ କେତେକ ଦିନ ଅତୀତ ହେଲା । ଡକାୟତମାନେ ଯେମନ୍ତ ଦିନକୁଦିନ ପ୍ରଭୃତ ଧନଧାନ୍ୟ ଏକତ୍ରିତ କରିବାକୁ ସମର୍ଥ ହୋଇଥିଲେ ତେମନ୍ତ ଦିନକୁଦିନ ବର୍ଷାକାଳର ମେଘ ପ୍ରାୟ କରାଳକାଳରୂପି ଦୁର୍ଭିକ୍ଷ ଚତୁର୍ଦ୍ଦିକରୁ ଘୋଟି ଆସିଲା, ଏମନ୍ତ କି ମାଘମାସ ଶେଷ ହେବା ସଙ୍ଗେ ସଙ୍ଗେ ମୂଲିଆ ପ୍ରଭୃତି ଅତି ଦୁଃଖିଲୋକେ ଘରଦ୍ୱାର ଛାଡ଼ି ପଦାରେ ଅନ୍ନ ବିନା ହାହାକାର କଲେ !

ହାୟ ! ଅନ୍ନର କି ମାହାତ୍ମ୍ୟ ! ଉଦରର ମହିମା ଅବା କେଡ଼େ । ଯେତେବେଳେ ଯାଏ ଅନ୍ନରେ ଉଦର ପୂର୍ଣ୍ଣ ଅଛି ସେତେବେଳେଯାଏ ସଂସାର ଅତୀବ ସୁନ୍ଦର ଦିଶଇ ମାତ୍ର ଉଦର ଅନ୍ନହୀନ ହେଲେ ସଂସାରକୁ ଅନାଇବାକୁ ଯାଏ ନାହିଁ । ଉଦରଶୂନ୍ୟ ହେବା ସଙ୍ଗେ ସଙ୍ଗେ ସଂସାର ଶୂନ୍ୟ ହୁଅଇ, ମାୟାମମତା ଶୂନ୍ୟହୁଅଇ ଓ ସ୍ତ୍ରୀପୁତ୍ର ପରିବାରାଦି ଜ୍ଞାନ ଶୂନ୍ୟ ହୁଅଇ । ଅଧିକ କି କହିବୁଁ ଶୂନ୍ୟୋଦର ଲୋକ ଆପଣାକୁ ତୁଚ୍ଛ ବୋଧ କରି ଅହଂଜ୍ଞାନ ଶୂନ୍ୟ ହୋଇ ସର୍ବଦା ମୃତ୍ୟୁ କାମନା କରଇ । ଯେତେବେଳେ ଲୋକେ ପଦାକୁ ବାହାରିଲେ ସେତେବେଳେ ଭିକ୍ଷା ଦ୍ୱାରା କିଞ୍ଚିତ୍‌ ତଣ୍ଡୁଳ ଲାଭ କଲେ ହାତେ ହାତେ ସ୍ୱର୍ଗ ପାଇବା ପରି ମନେ କଲେ ଏବଂ ତଣ୍ଡୁଳ ପାଇବା ପର୍ଯ୍ୟନ୍ତ ବେଳେ ବେଳେ ସ୍ତ୍ରୀ ପୁତ୍ରାଦି ପ୍ରତି ମାୟାମମତା କିଞ୍ଚିତରେ ଅବା ଥିଲାପରି ଜଣା ଯାଉଥିଲା । ମାତ୍ର ଦେଖୁଁ ଦେଖୁଁ ଭିକ୍ଷୁକ ସଂଖ୍ୟା ବୃଦ୍ଧି ହେଲା ଏବଂ ସେ ସଂଖ୍ୟାବୃଦ୍ଧି ହେବା ସଙ୍ଗେ ସଙ୍ଗେ ଭିକ୍ଷା ମଧ୍ୟ ଦୁଷ୍ପ୍ରାପ୍ୟା ହୋଇ ଆସିଲା ।

ଏହିରୂପେ ଜୀବନ ଧାରଣ କରିବା କଠିନ ହୋଇଗଲା ଏବଂ ଗ୍ରାମଗ୍ରାମରେ ପଲ ପଲ ହୋଇ କଙ୍କାଳହୀନ ଲୋକେ ପରିଦୃଶ୍ୟମାନ ହେଲେ । କ୍ରମେ ମାୟାମମତା ହ୍ରାସ ହୋଇ ଆସିଲା ଏବଂ ସ୍ତ୍ରୀଠାରୁ ଛଡ଼ାଇ ନେଇ ସ୍ୱାମୀ ଅତିଯତ୍ନଲବ୍ଧ ଅନ୍ନ ଭୋଜନ ପୂର୍ବକ କିଞ୍ଚିନ୍ନାତ୍ର ଉଦର-ପୂରଣକୁ ସ୍ୱର୍ଗ-ସୁଖ-ସମ୍ଭୋଗ ତୁଲ୍ୟ ଜ୍ଞାନ କରିବା ସଙ୍ଗେ ସଙ୍ଗେ ପୁତ୍ରର ହାତ ବନ୍ଦ କରି ମାତା ଦଗ୍ଧୋଦର ପୂରଣ କରିବାରେ ବ୍ରତିନୀ ହେଲେ ।

ହାୟ ! ‘ଅସ୍ୟ ଦଗ୍ଧୋଦରସ୍ୟର୍ଥେକଃ କୁର୍ଯ୍ୟାତ୍‌ ପାତକଂ ମହତ୍‌’– ହିତୋପଦେଶକର୍ତ୍ତା ଏକଥା କହିବା ସମୟରେ ଦୁର୍ଭିକ୍ଷ କଥା ତାଙ୍କୁ ଜଣା ନ ଥିଲା ! ଜଣା ନ ଥିବାର କଥା । ସେତେବେଳେ ରାଜା ନୀତିପରବଶ ହୋଇ ରାଜ୍ୟ ଶାସନ କରୁଥିଲେ, ପ୍ରଜାର ମଙ୍ଗଳକାମନାରେ ପ୍ରଜାକୁ ଶାସିତ କରି ପୃଥିବୀରେ ଶାନ୍ତିରସ ସେଚନ କରୁଥିଲେ, ଅକ୍ଷୂର୍ଣ୍ଣ ଭାବରେ ଧର୍ମ ପାଳନ କରି ଈଶ୍ୱରଙ୍କ ସୃଷ୍ଟିର ସମଧିକ ଉନ୍ନତି ସାଧନ କରୁଥିଲେ । ରାଜାର ଧର୍ମରେ ପ୍ରଜାର ମଙ୍ଗଳ ଏବଂ ପ୍ରଜାର ମଙ୍ଗଳରେ ରାଜ୍ୟର ଶାନ୍ତି । ଯେତେବେଳେ ରାଜା ଧର୍ମ-ନିରତ, ଯେତେବେଳେ ପ୍ରଜାଙ୍କର ସମସ୍ତ ବିଷୟରେ କୁଶଳ ଏବଂ ଯେତେବେଳେ ରାଜ୍ୟ ଶାନ୍ତ ସେତେବେଳେ ସେଭଳି ମହାବାକ୍ୟ ଶୁଣିବାକୁ ସୁଖକର ଏବଂ ଶୁଣି ମଧ୍ୟ କର୍ଣ୍ଣ ପବିତ୍ର ହୁଅଇ । ମାତ୍ର ଯେତେବେଳେ ରାଜା ଅଧର୍ମନିରତ, ଯେତେବେଳେ ରାଜା ଧର୍ମ ଛାଡ଼ି ପ୍ରଜାଙ୍କ ସୁଖ ଲୋଡ଼ନ୍ତି ନାହିଁ ଏବଂ ଯେତେବେଳେ ସେ ମହାପାପରେ ଈଶ୍ୱର ସୁଦ୍ଧା କ୍ରୁଦ୍ଧ ହୋଇ ଦୁର୍ଭିକ୍ଷ ରୂପ ଶସ୍ତ୍ରଦ୍ୱାରା ପରମଶିକ୍ଷାର ଉପାୟ କରନ୍ତି ସେତେବେଳେ ସେ ମହାବାକ୍ୟର ମୂଲ୍ୟ କେଉଁଠାରେ ? ସେତେବେଳେ ଆପଣାର ପ୍ରିୟତମ ପୁତ୍ରକୁ ମାରି ତାହାର ମାଂସ ଭୋଜନରେ ପିଶାଚଠାରୁ ବଳି ସମଧିକ ଶ୍ରଦ୍ଧା ହୁଅଇ ! ମହାବାକ୍ୟର ଆଦର କେଉଁଠାରେ ରହିବ ? ଯେଉଁ ଦୁର୍ଭିକ୍ଷର କରାଳ ସ୍ପର୍ଶ ପ୍ରଥମରେ ପୁତ୍ରର ଦକ୍ଷିଣ ହସ୍ତ ବନ୍ଦକରି ଆପଣା ଉଦର ପୂରଣ କରିବାର ଚେଷ୍ଟା ଜାତ କରାଇ ପରେ ପୁତ୍ରର ମାଂସଭୋଜନରେ ପ୍ରବୃତ୍ତ କରାଏ ସେ କି ହିତୋପଦେଶକର୍ତ୍ତାଙ୍କ ମହାବାକ୍ୟର ମୂଲ୍ୟ ରଖି ଦେବ ? ହାୟ ! ଇତିହାସ-ପୃଷ୍ଠାରେ କେତେ ଅବା ଦେଖା ଯାଇ ନାହିଁ ଯେ ଲୋକେ ଦୁର୍ଭିକ୍ଷ-ପୀଡ଼ିତ ହୋଇ ଅଶ୍ୱମାଂସଠାରୁ ନର-ମାଂସପର୍ଯ୍ୟନ୍ତ ଭୋଜନ କରି ଆତ୍ମା ଚରିତାର୍ଥ କରିଅଛନ୍ତି ! ଏବେ ମଧ୍ୟ ବେଳେ ବେଳେ ତାହା ପୃଥିବୀରେ ଦୃଷ୍ଟ ହୁଅଇ । ମାତ୍ର ସେଥିପାଇଁ ଦାୟୀ କିଏ ? ଆମ୍ଭେମାନେ ସାହସ କରି କହିପାରୁଁ ରାଜା ଧର୍ମଚ୍ୟୁତ ହେଲେ ସେ ବିପଦ ଲୋକରେ ଉପସ୍ଥିତ ହୁଅଇ ଏବଂ ଶାସ୍ତ୍ର ତହିଁକି ଜ୍ୱଳନ୍ତ ପ୍ରମାଣ ।

ସୁବାଦାର ଲାଲବାଗ ପ୍ରାସାଦରେ ନିଶ୍ଚିନ୍ତ ହୋଇ ଶୋଇ ଅଛନ୍ତି । ତାଙ୍କ ରାଜ୍ୟର ପ୍ରାଣୀମାନେ ଯେ ହାହାକାର କରି ବୁଲୁ ଅଛନ୍ତି ତାହା ତାଙ୍କର କର୍ଣ୍ଣ-କୁହରରେ ପ୍ରବେଶ କରୁ ନାହିଁ । ସେ ସ୍ତ୍ରୀଲୋକ ପ୍ରାୟ ପ୍ରାସାଦରୁ ଆଉ ବାହାରିବାକୁ ନାହିଁ । ଚୌଧୁରୀ ଯେମନ୍ତ ତାଙ୍କର ଅଣ୍ଟା ଭାଙ୍ଗି ଦେଇ ଯାଇ ଅଛନ୍ତି । ଏଭଳି ଅଧର୍ମଶୀଳକୁ ଯେ ଚଉରାଶୀ ନର୍କ ଯଥେଷ୍ଟ ହେବ ନାହଁ ବୋଲିବା ବାହୁଲ୍ୟ ।

ଦେଖୁଁ ଦେଖୁଁ ଫାଲ୍‌ଗୁନ ମାସ ଶେଷ ହେଲା ଏବଂ ସେ ସମୟକୁ ଅନାହାର ଓ କଦର୍ଯ୍ୟ ଆହାରରୁ ଦେଶରେ ମଡ଼କ ଜାତ ହେଲା । ଅଗ୍ନିକି ପବନ ପ୍ରାୟ ମଡ଼କ ଅନାହାରର ସଙ୍ଗୀ ହୋଇ ଲକ୍ଷ ଲକ୍ଷ ଲୋକଙ୍କୁ ପୃଥିବୀରୁ ଅନ୍ତର କରିବାକୁ ବସିଲା । ଏତେବେଳେ ଯେଉଁ ଲୋକ ଦୁଃଖୀଙ୍କ ବନ୍ଧୁ ହୋଇ ବାହାରକୁ ବାହାରେ ତାହାଠାରୁ ଅଧିକ ପୂଣ୍ୟବାନ ଆଉ କିଏ ଅଛି ? ଏପରି ଦୁର୍ଭିକ୍ଷ ଓଡ଼ିଶାରେ ପୂର୍ବେ ପଡ଼ି ନ ଥିଲା ଏବଂ ସୁବାଦାର ଘୋର ଗର୍ଜ୍ଜନରେ ନାସିକା ଡକାଇ ଶୋଇଥିବା କାଳରେ କିଏ ଆଉ ଦୁର୍ଭିକ୍ଷ-ପୀଡ଼ିତ ଲୋକଙ୍କର ବନ୍ଧୁ ହୋଇ ଉପନୀତ ହେବ ? ନା, ଈଶ୍ୱରଙ୍କ ବିଚାରକୁ କେହି ଲାଗଇ ନାହିଁ । ସେ ଯେମନ୍ତ ଲୋକଙ୍କୁ ନଷ୍ଟ କରିବାକୁ ବସନ୍ତି ତେମନ୍ତ ଇଚ୍ଛାମତ ବଞ୍ଚିବା ଯୋଗ୍ୟ ଲୋକମାନଙ୍କୁ ବଞ୍ଚିବାର ମଧ୍ୟ ଉପାୟ କରି ଦିଅନ୍ତି । ଓଡ଼ିଶାରେ ତହିଁକି ଏକମାତ୍ର ଉପାୟ-କର୍ତ୍ତା ଡକାଏତ-ଦଳପତି ରଘୁନାଥ ପଟ୍ଟନାୟକ । ସେ ତ ଡକାଏତଙ୍କ ଦଳପତି ନୁହନ୍ତି–ସେ ଦେଶୋଦ୍ଧାରକାରିଙ୍କ ଦଳପତି । ଆମ୍ଭମାନଙ୍କ ଦୟାଶୀଳ ଇଂରେଜ ଗବର୍ଣ୍ଣମେଣ୍ଟ ବ୍ରହ୍ମରାଜ୍ୟ ଜୟକଲା ଉତ୍ତାରୁ ସେ ଅଞ୍ଚଳରେ ଯେପରି ଡକାଏତ ଶବ୍ଦ ପ୍ରଚଳିତ କରିଥିଲେ ସେହିପରି ଏମାନଙ୍କୁ ଡକାଏତ ବୋଲାଯାଇ ପାରେ ମାତ୍ର ଏହାଙ୍କଦ୍ୱାରା ଯେ ଦେଶରକ୍ଷା ହେଲା, ଏହାଙ୍କ ଯତ୍ନରୁ ଯେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରୁ ବଞ୍ଚି ଆସିଲେ ବୋଲିବା ଅଧିକ ।

ପ୍ରକୃତରେ ଫାଲ୍‌ଗୁନ ମାସର ମଧ୍ୟଭାଗରେ ଦେଶର ନାନା ସ୍ଥାନରେ ବଡ଼ ବଡ଼ ଆଠଚାଳିମାନ ନିର୍ମିତ ହୋଇ ଅନ୍ନଛତ୍ରର ଆୟୋଜନ ହେଲା । ଡକାଏତି ହୋଇ ଯେତେ ଧାନ୍ୟ ସଂଗୃହୀତ ହୋଇଥିଲା ଏବଂ ଦୟାଶୀଳ ବଡ଼ ବଡ଼ ଲୋକମାନଙ୍କ ଧାନ-ଅମାରରୁ ଯେତକ ସୁଲଭ ମୂଲ୍ୟରେ କିଣିବାକୁ ମିଳିଲା ଏବଂ ଯେଉଁମାନେ ସୁଲଭ ମୂଲ୍ୟରେ ଦେବାକୁ ନାସ୍ତି କଲେ ସେମାନଙ୍କର ପ୍ରାଣ ମାତ୍ର ରକ୍ଷାକରି ଯେତେ ଧାନ ଲୁଟି ହୋଇ ଆସି ପାରିଲା ସମସ୍ତ ଅନ୍ନଛତ୍ରମାନଙ୍କରେ ଗଦା ହେଲା । ଡକାଏତମାନେ ମଧ୍ୟ ଅନେକ ଭାଗ ପାଇ ଥିଲେ ଏବଂ ତାହା ସୁଦ୍ଧା ସେମାନେ ଅଧିକାଂଶ ଦୀନଦୁଃଖିଙ୍କି ଦାନକରି ଜୀବନ ସାର୍ଥକ କରିଥିଲେ ।

ଅନ୍ନଛତ୍ରମାନଙ୍କର ପ୍ରଧାନ ତତ୍ତ୍ୱାବଧାରକ ପଦରେ ଆମ୍ଭମାନଙ୍କର ପୂର୍ବ କଥିତ ହନୁମାନ ଦାସ ଓ ଗିରିଧାରୀ ଦାସ ବାବାଜୀଦ୍ୱୟ ନିଯୁକ୍ତ ହୋଇଥିଲେ ଏବଂ କଳାବତୀ ରାଣୀ ନାମରେ ଅଭିହିତା ହୋଇ ତାଙ୍କରି ନାମରେ ଅନ୍ନଛତ୍ରମାନ ଖୋଲା ଯାଇ ସୁନିୟମରେ ଅନ୍ନଦାନ କାର୍ଯ୍ୟ ଚଳିଥିଲା । ଏ କାର୍ଯ୍ୟଠାରୁ ପରୋପକାରସାଧନର ଆଉ ଗୁରୁତର କାର୍ଯ୍ୟ ନାହିଁ ଏବଂ କଳାବତୀ ଏ ସମ୍ମାନ ସନ୍ତୋଷ ସହିତରେ ଗ୍ରହଣ ପୂର୍ବକ କାର୍ଯ୍ୟର ଗୁରୁତ୍ୱ ଉପଲବ୍ଧି କରି ଦିବାରାତ୍ର ତହିଁରେ ଲାଗିଗଲେ । ବାବାଜୀଦ୍ୱୟ କଳାବତୀଙ୍କି ଆଗହୁଁ ଜାଣିଥିଲେ, ସେହିମାନେ ତାଙ୍କୁ ରାଣୀ କରିବାର ପ୍ରସ୍ତାବ କରିଥିଲେ ଏବଂ ଷଣ୍ଢରାଜା ପ୍ରଭୃତି ସମସ୍ତେ ତହିଁରେ ସମ୍ମତ ହୋଇ ବାବାଜୀଦ୍ୱୟଙ୍କୁ ଆଶୀର୍ବାଦ କରଣାର୍ଥ ପ୍ରସ୍ତାବ କଲାରୁ ବାବାଜୀ-ଦ୍ୱୟ ଆପଣାର ଚରଣଧୂଳି କଳାବତୀଙ୍କ ମସ୍ତକରେ ଦେଇ ଈଶ୍ୱରଙ୍କ କାର୍ଯ୍ୟରେ ବରଣ କଲେ ଏବଂ ନିଜେ ମଧ୍ୟ ତାଙ୍କୁ ଯଥୋଚିତ ସାହାଯ୍ୟ କରିବାରେ ତ୍ରୁଟିକଲେ ନାହିଁ ।

ବିଧିମତ ହୋମ ଆଦି ହୋଇ ଅନ୍ନଛତ୍ରମାନ ଖୋଲା ହେଲା ଏବଂ ବିଦ୍ୟୁତ୍‌ପ୍ରାୟ ତହିଁର ବାର୍ତ୍ତା ଚାରିଆଡ଼େ ଚମକି ଚାଲିଗଲା ଆଉ ଶତ ଶତ ଅନାହାର-କ୍ଲିଷ୍ଟ ଲୋକେ ଆସି ଅନ୍ନପ୍ରାର୍ଥୀ ହୋଇ ରୁଣ୍ଡ ହେଲେ । ପାଚକମାନେ ଅନ୍ନ, ଡାଲି ଏବଂ ତରକାରୀ ପାକକରତଃ ପରିମିତରୂପେ ସେମାନଙ୍କୁ ଦାନକରି ଅନେକ ମହାପ୍ରାଣୀଙ୍କି ମୃତ୍ୟୁମୁଖରୁ ବଞ୍ଚାଇବାର କାରଣ ହେଲେ ଆଉ ଅନାହାର-କୃଶ ପ୍ରାଣୀ ଅନ୍ନ ପ୍ରାପ୍ତ ହୋଇ ଯେତେବେଳେ ଈଶ୍ୱରଙ୍କୁ ଡାକି ରାଣୀଙ୍କି ଆଶୀର୍ବାଦ କଲେ ସେତେବେଳେ ଈଶ୍ୱରଙ୍କର ଆସନ ସୁଦ୍ଧା ଦୋହଲି ଯାଇଥିଲା !

ଏଛଡ଼ା ଡୁମନସର୍ଦ୍ଦାର ଓ ରଘୁନାଥ ପଟ୍ଟନାୟକ ପ୍ରଭୃତି କେତେଜଣ ତଣ୍ଡୁଳ ନେଇ ଦୂରବର୍ତ୍ତୀ ଗ୍ରାମମାନଙ୍କରେ ଖୋଜି ଖୋଜି ବିତରଣ କରିବାରେ ସୁଦ୍ଧା ତ୍ରୁଟି କଲେ ନାହିଁ । ଯେଉଁମାନେ ଅନାହାର ଏବଂ ରୋଗପୀଡ଼ିତ ହୋଇ ଚଳଚ୍ଛକ୍ତିବିହୀନ ହୋଇଥିଲେ ସେମାନେ ଏତଦ୍ଦ୍ୱାରା ବିଶେଷ ଉପକାର ପ୍ରାପ୍ତ ହୋଇ ସାଶ୍ରୁନୟନରେ ଦୀନବନ୍ଧୁଙ୍କୁ ସାହାଯ୍ୟଦାତାର ପରମ ମଙ୍ଗଳ ସାଧନାର୍ଥ ଡାକ ଛାଡ଼ିଲେ !

ଏହିରୂପେ ଡକାୟତଦଳ ଯେତେଦୂର ପାରନ୍ତି ଲୋକଙ୍କ ଅଭାବମୋଚନରେ ତ୍ରୁଟି କଲେ ନାହିଁ ଏବଂ ରାଜା ନିଜେ ଚେଷ୍ଟା କରି ଯେତେ ଦୂର ସାହାଯ୍ୟ ଦାନ କରନ୍ତେ ତହୁଁ ଚତୁର୍ଗୁଣ ଅଧିକ ସାହାଯ୍ୟଦାନର ବ୍ୟବସ୍ଥା ହୋଇଗଲା । ତଥାପି ଯେତେବେଳେ ଦେଶଯାକରେ ଦୁର୍ଭିକ୍ଷ ଉପସ୍ଥିତ ହୋଇ ଅଛି ଯେତେ ସାହାଯ୍ୟ କଲେ ସୁଦ୍ଧା ମୃତ୍ୟୁ ନିବାରଣ କିଏ କରିବ ? ସହସ୍ର ସହସ୍ର ଲୋକେ ପ୍ରତିଦିନ ମୃତ୍ୟୁମୁଖରେ ପତିତ ହେଲେ ! ଗ୍ରାମଗ୍ରାମକେ ଏତେ ମରି ଗଲେ ଯେ ତାଙ୍କୁ ଉଠାଇବାକୁ ଲୋକ ମିଳିଲା ନାହିଁ । ଶ୍ମଶାନକୁ ଯିବାର ତେଣିକି ଥାଉ ଅନେକ ସ୍ଥଳରେ ଘରର ମୃଦାର ଘରେ ପଡ଼ିରହି ଅନ୍ୟ ଲୋକର ମୃତ୍ୟୁର କାରଣ ହୋଇଥିଲା । ଆଉ ଶ୍ମଶାନରେ ତ ସ୍ଥାନ ମିଳିଲା ନାହିଁ । ଗୃଧ୍ରଶୃଗାଳଙ୍କର ବିକଟ ସ୍ୱନରେ ଚତୁର୍ଦ୍ଦିକ ଭୟଙ୍କର ହୋଇଉଠିଲା ଏବଂ ଜଣାଗଲା ଯେମନ୍ତ ଜଗଦୀଶ୍ୱର ପୃଥିବୀକି ଶ୍ମଶାନମୟ କରିବାକୁ ସଂକଳ୍ପ କରିଅଛନ୍ତି !

ନିରାଶାର ପୃଥିବୀ ବାସ୍ତବରେ ଶ୍ମଶାନମୟ । ଯେଉଁମାନଙ୍କର ଆଶାଭରସା ଶେଷ ହୋଇଅଛି ସେମାନଙ୍କୁ ପୃଥିବୀ ଶ୍ମଶାନ ରୂପରେ ପ୍ରତୀୟମାନ ହେଲା ଏବଂ ଶୀଘ୍ର ସେମାନେ ଶ୍ମଶାନଶାୟୀ ହୋଇ ଗୃଧ୍ରଶୃଗାଳଙ୍କର ଆନନ୍ଦର କାରଣ ହେଲେ । ମାତ୍ର ବିଧି-ଅନୁଗ୍ରହରୁ ଯାହାଙ୍କର ଆଶା ଫଳବତୀ ହେଲା ଶ୍ମଶାନର ଆକାର ପୃଥିବୀ ଧରିଥିଲେ ସୁଦ୍ଧା ତାଙ୍କୁ ବିଚିତ୍ରମୟୀ ଜଣାଯାଇ ବଞ୍ଚାଇ ରଖିଲା । ମନ ଘେନି ସଂସାର ଏବଂ ଆଶା ଓ ନିରାଶାରେ ପଡ଼ିଥିଲେ ଏକ ବସ୍ତୁ ଜୀବକୁ ବହୁପ୍ରକାରରେ ଦେଖା ଦିଅଇ । କ୍ରମେ ଗ୍ରୀଷ୍ମକାଳ ଦାରୁଣ ହୋଇ ବୈଶାଖ ମାସକୁ ପୃଥିବୀରେ ଆନୀତ କଲା ଏବଂ ସଙ୍ଗେ ସଙ୍ଗେ ଚାଉଳ ଟଙ୍କାକୁ ଦୁଇ ସେର ସୁଦ୍ଧା ମିଳିଲା ନାହିଁ । ଏହି ବୈଶାଖ ଓ ପରବର୍ତ୍ତି ଜ୍ୟେଷ୍ଠମାସରେ ଲକ୍ଷ ଲକ୍ଷ ଲୋକେ ପ୍ରାଣ ହରାଇଲେ ବୋଲିବା ଅଧିକ-କେତେକ ଅନାହାରରେ ଓ କେତେକ ଅସଂସ୍କୃତ ମୃତଦେହର ପୁତିଗନ୍ଧ ଜନିତ ମଡ଼କରେ ।

Image

 

ଅଷ୍ଟତ୍ରିଂଶ ପରିଚ୍ଛେଦ

ସୁବାଦାର

 

ସୁବାଦାର ଶମ୍ଭୁଜୀ ଗଣେଶ ଯେ ଅତି ନୃଶଂସ ଓ ନରାଧମ ତାହା ପାଠକେ ବିଲକ୍ଷଣ ରୂପେ ଉପଲବ୍ଧି କରି ଅଛନ୍ତି । ଚୌଧୁରୀଙ୍କି ହରାଇ ତାଙ୍କର ଏକ ପ୍ରକାର ଅଣ୍ଟା ଭାଙ୍ଗି ଯାଇଥିଲା ଏବଂ ଖାଡ଼ଙ୍ଗାକୁ ବିନାଦୋଷରେ ବଧ କରିବା ସଙ୍ଗେ ଅକାରଣ ଦୁଇଜଣ ରମଣୀର ମୃତ୍ୟୁର କାରଣ ହେଲାରୁ ତାଙ୍କ ମନରେ କି ରୂପ ଗୋଟାଏ ଗ୍ଲାନି ଉପସ୍ଥିତ ହୋଇଗଲା ଯେ ସେହେତୁ ସେ ଆଉ ବାହାରକୁ ବାହାରି ଲୋକରେ ମୁଖ ଦେଖାଇବା କାରଣ ସାହସ କଲେ ନାହିଁ । ଏହିରୂପେ ଯେଉଁ ଅକର୍ମଣ୍ୟତା ଜାତ ହେଲା ତହିଁରୁ ତାଙ୍କର ସୁଖଶାନ୍ତି ଇହଲୋକରେ ଏକପ୍ରକାର ଶେଷ ହେଲା ବୋଇଲେ ଅତ୍ୟୁକ୍ତି ହେବ ନାହିଁ । ଏଭଳି କଠିନ ଲୋକର ଆଜ୍ଞା ପ୍ରଚଳିତ ହେବାର ବନ୍ଦ ହେବା ସଙ୍ଗେ ସଙ୍ଗେ କଚେରିର ଆମଲାମାନେ ବେତନାଭାବେ କଚେରିକି ଆସିଲେ ନାହିଁ ଏବଂ କଚେରି ଏକ ପ୍ରକାର ବନ୍ଦ ହୋଇଗଲା । ଫଳତଃ ରାଜକାର୍ଯ୍ୟ ସମସ୍ତ ଡୁମନ ସର୍ଦ୍ଦାରଙ୍କ ଘରେ ହେଲା ଏବଂ ଶମ୍ଭୁଜୀ ନାମତଃ ସୁବାଦାର ଥିଲେ ସୁଦ୍ଧା ସେ ଆପଣା ମହଲରେ ଥାଇ ନର୍କଭୋଗ କଲେ ଆଉ ରଘୁନାଥ କାର୍ଯ୍ୟତଃ ରାଜା ହୋଇ ହନୁମାନ ଦାସଙ୍କ ବାକ୍ୟ ସଫଳ କଲେ ।
 

କ୍ରମେ ଦୁର୍ଭିକ୍ଷ ଯେତେବେଳେ ଘୋରତର ହୋଇ ଆସିଲା ସେତେବେଳେ ଲୋକେ ସମ୍ଭାଳି ନ ପାରି ସୁବାଦାରଙ୍କ ଘରେ ଅଗ୍ନି ଲଗାଇବାର ମନ୍ତ୍ରଣା କଲେ । କେତେ ସ୍ଥାନରେ ଅନାହାରକ୍ଳିଷ୍ଟ ଲୋକେ ଥିଲାଲୋକଙ୍କ ଘରେ ଅଗ୍ନି ଲଗାଇ ମୁଠାଏ ଚାଉଳ ପାଇବାର ପଥ ପରିଷ୍କାର କରୁଥିଲେ ଏବଂ ପାଆନ୍ତୁ ଅବା ନ ପାଆନ୍ତୁ ଅଗ୍ନିକାଣ୍ଡରେ ଚତୁର୍ଦ୍ଦିକ ଚମକି ରହିଥିଲା ଏବଂ ପ୍ରଚଣ୍ଡ ସୂର୍ଯ୍ୟତାପରେ ତାପିତା ପୃଥିବୀକି ତାହା ଅତ୍ୟନ୍ତ ଭୟଙ୍କର କରିଥିଲା । ଚାଉଳ ଛଡ଼ା ଲୋକେ ସୁନାରୂପାକୁ ସୁଦ୍ଧା ଆଦର କଲେ ନାହିଁ,–ଆଦର କରିବେ କିରୂପେ–ପେଟ ସିନା ସବୁର ମୂଲ କରାଏ, ପେଟ ପୂରିଥିଲେ ସିନା ସୁନା ରୂପା ସୁନ୍ଦର ଦିଶିବାରୁ ତାହାର ମୂଲ୍ୟ ଚାଉଳ ବିନିମୟରେ ଲୋକେ ଧାର୍ଯ୍ୟ କରନ୍ତି ଅର୍ଥାତ୍‌ ଖାଇବାଠାରୁ ଯାହା ବଞ୍ଚି ପଡ଼ିଲା ତହିଁର କେତେ ଗୁଣରେ ସୁନାରୂପାର ସିନା ମୂଲ୍ୟ ହୁଅଇ, ମାତ୍ର ପେଟ ପୋଡ଼ୁଥିବା ସମୟରେ ସୁନାରୂପାକୁ ପଚାରେ କିଏ ? ସୁନାରୂପାରେତ ପେଟ ପୂରିବ ନାହିଁ–ସେତେବେଳେ ତଣ୍ଡୁଳର ମୂଲ୍ୟ ହେଲା ସୁନାରୂପାଠାରୁ ଲକ୍ଷେ ଗୁଣ ଅଧିକ । ଲୋକେ ଯେତେବେଳେ ଉଦରକ୍ଳେଶରେ ନିତାନ୍ତ ବ୍ୟସ୍ତ ହେଲେ ଓ ସୁବାଦାରର ଅମନୁଷ୍ୟତା ଉତ୍ତମରୂପେ ହୃଦୟଙ୍ଗମ କରି ପ୍ରତିଶୋଧ ନେବାର ସୁଯୋଗ ପାଇଲେ ସେତେବେଳେ ତାଙ୍କ ଘରେ ଅଗ୍ନି ଲଗାଇ ତାଙ୍କୁ ଆକ୍ରମଣ କରିବା କାରଣ କେତେକ ଜଣ କଟକବାସୀ ପଣ କଲେ ।

 

ପାଠକେ ମାୟାଧର ମାମୁଙ୍କୁ ପାସୋରି ନାହାନ୍ତି । ସେ ରଘୁନାଥ ନିକଟରୁ ରସକଳାଙ୍କୁ ପାଇବାର ଆଶାରେ ବିଫଳପ୍ରଯତ୍ନ ହୋଇ କୁଜଙ୍ଗକୁ ଗମନ କଲେ । ସେଠାରେ ପ୍ରଥମେ ରାଜାଙ୍କୁ ନ କହି ଅନ୍ତଃପୁରର ଦ୍ୱାରିଙ୍କ ଦ୍ୱାରା ରସକଳାଙ୍କୁ ଚୋରାଇ ନେବାର ଉପାୟ ଖୋଜିଲେ । ମାତ୍ର ଷଣ୍ଢନବରର ସମସ୍ତେ ରସକଳାଙ୍କ ଗୁଣରେ ନିତାନ୍ତ ଆବଦ୍ଧ ହୋଇଥିବାରୁ ସେ ଉପାୟ ସଫଳ ହେଲା ନାହିଁ । ଏବଂ ସଙ୍ଗେ ସଙ୍ଗେ ଷଣ୍ଢରାଜା ରସକଳାଙ୍କୁ ରଘୁନାଥଙ୍କ ସହିତ ବିବାହ ଦେବାର ବାର୍ତ୍ତା ଚତୁର୍ଦ୍ଦିକରେ ପ୍ରକାଶ ହେଲାରୁ ସମସ୍ତେ ଭୀତ ହୋଇ ଆଉ ରାଜାଙ୍କ ଛାମୁରେ କିଛି ଜଣାଇ ପାରିଲେ ନାହିଁ । ତହୁଁ ବିଫଳୀକୃତା ଆଶାରେ ରଘୁନାଥଙ୍କୁ ବିପଦରେ ପକାଇ ତହିଁର ପ୍ରତିଶୋଧ ନେବେ ଏହିଚିନ୍ତାରେ ନିରତ ହେଲେ । ଏହିରୂପ ମନ୍ଦ ଆଶାର ବଶବର୍ତ୍ତୀ ହେବାରୁ ଡକାୟତ ଦଳର କାର୍ଯ୍ୟରେ ବିଶେଷ ମନୋଯୋଗ ପ୍ରଦାନ କରି ପାରିଲେ ନାହିଁ ଏବଂ ଦଳର ଲୋକେ ତାଙ୍କୁ ଅମନୋଯୋଗୀ ଦେଖି ଛାଡ଼ ଛାଡ଼ କଲେ । ମାୟାଧର ମଧ୍ୟ ଉପାୟାନ୍ତର ନ ପାଇ ସୁବାଦାରଙ୍କଠାରେ ନବଗ୍ରାମ ଡକାୟତିରେ ରଘୁନାଥ ଲିପ୍ତ ଥିବାର ପ୍ରକାଶ କରି ତାଙ୍କୁ ଧରାଇ ଦେବାର ଉପାୟ ପ୍ରକୃଷ୍ଟ ବୋଲି ସ୍ଥିର କଲେ ।

 

ଦୁର୍ଭିକ୍ଷରୂପି କରାଳକାଳର ବିଶେଷ ସାହାଯ୍ୟକାରୀ ବୈଶାଖମାସ ଓଡ଼ିଶାରେ ସମୁପସ୍ଥିତ । ସେହି ବୈଶାଖ ମାସର ଅତି ଭୟଙ୍କରୀ ଅମାବାସ୍ୟାର ରଜନୀରେ ମାୟାଧର ସୁବାଦାରଙ୍କ ପ୍ରକୋଷ୍ଠରେ ଉପବେଶନ କରି ନବଗ୍ରାମର ଡକାୟତି କାଣ୍ଡ ଆମୁଳବର୍ଣ୍ଣନା କରୁଅଛନ୍ତି-। ସୁବାଦାର ସେ ଲୋମହର୍ଷଣ କାଣ୍ଡ ଶୁଣି ରାଗରେ କମ୍ପିଯାଉ ଅଛନ୍ତି ଏବଂ ବେଳେ ବେଳେ ଦନ୍ତ କିଡ଼ିମିଡ଼ି କରି ରଘୁନାଥଙ୍କୁ ପାଇଲେ ଚୋବାଇ ଯିବାର ପଣ କରୁଅଛନ୍ତି । ସେହି ରାତ୍ରରେ ସୁବାଦାରଙ୍କ ସହିତ ଏହା ସ୍ଥିର ହେଲା ଯେ ରଘୁନାଥ ଓ କଳାବତୀଙ୍କି ଧରି ଆଣି ବନ୍ଦିବାସରେ ଅଶେଷ କ୍ଳେଶ ପ୍ରଦାନ କରି ଶେଷରେ ଶୁଳିରେ ଚଢ଼ାଇଲେ ଚୌଧୁରୀଙ୍କ ମୃତ୍ୟୁର ସମୁଚିତ ପ୍ରତିଫଳ ନିଆଯିବ । ବୋଲିବା ଅଧିକ ଯେ ମାୟାଧର ତହିଁରେ ଲିପ୍ତ ଥିବାର ପ୍ରକାଶ ନ କରି ଗୋପନରେ ଡକାୟତଙ୍କ ମୁଖରୁ ତାହା ଶୁଣି ଥିବାର ବ୍ୟକ୍ତ କରିଥିଲେ ।

 

ଚୋରର ଚୋରର ଭାରୀ ମନ ମିଳେ । ପରାମର୍ଶ ସିଦ୍ଧ ହେଲାରୁ ସେ ରାତ୍ରି ତାଙ୍କ ପ୍ରାସାଦରେ ଯାପନ କରିବା କାରଣ ସନ୍ତୁଷ୍ଟ ମନରେ ସୁବାଦାର ମାୟାଧରଙ୍କୁ କହିଲେ ଏବଂ ମାୟାଧର ମଧ୍ୟ ତହିଁରେ ପରମାପ୍ୟାୟିତ ହୋଇ ସମ୍ମତି ଜଣାଉଅଛନ୍ତି ଏମନ୍ତ ସମୟରେ ସୁବାଦାରଙ୍କ ବାହାର ଘର ଧୁ ଧୁ ହୋଇ ଜ୍ୱଳି ଉଠିଲା । ଲୋକଙ୍କ ଚିତ୍କାର ରବ ସଙ୍ଗେ ବଂଶଖଣ୍ଡର ଠୋ ଠା ଶବ୍ଦ ସୁବାଦାରଙ୍କ ଅନ୍ତଃପୁର ପର୍ଯ୍ୟନ୍ତ କମ୍ପାଇ ଦେଲା ଏବଂ ବ୍ୟସ୍ତ ସମସ୍ତ ହୋଇ ମାୟାଧର ସହିତରେ ସୁବାଦାର ପ୍ରାଣରକ୍ଷାର୍ଥ ବାହାରକୁ ବାହାରି ପଡ଼ିଲେ ମାତ୍ର ଶତ ଶତ ଲୋକେ ଠେଙ୍ଗାବାଡ଼ି ଘେନି ସେମାନଙ୍କୁ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିବାର ଦେଖି ଦ୍ୱାର ରୁଦ୍ଧ କଲେ ।

 

ସେତେବେଳକୁ ଅନ୍ତଃପୁରର ସ୍ତ୍ରୀଲୋକମାନେ ହାହାକାରରେ ଗଗନମାର୍ଗ ବିଦୀର୍ଣ୍ଣ କରୁଅଛନ୍ତି । ସୁବାଦାର ଓ ମାୟାଧର ଅନ୍ତଃପୁରର ଖିଡ଼ିକି ବାଟେ ଅନ୍ତଃପୁରରସ୍ଥ ସ୍ତ୍ରୀଲୋକମାନଙ୍କୁ ନେଇ ପଳାୟନ କଲେ । ସୁବାଦାର କେତେ ଜଣ ସ୍ତ୍ରୀଲୋକ ନେଇ କାଠଯୋଡ଼ୀ ପାରିହୋଇ ନରାଜବନରେ ଆଶ୍ରୟ ନେଲେ ଆଉ ମାୟାଧର ଅନ୍ଧକାରରେ ରାତ୍ରରେ ନଦୀ ସନ୍ତରଣ କରି ପଳାଇବା ସମୟରେ ଦୁର୍ଭାଗ୍ୟ କ୍ରମେ ନଦୀଜଳରେ ଆତ୍ମବିସର୍ଜ୍ଜନ କରି ଲୋକଙ୍କୁ ସମ୍ୟକ୍‌ରୂପେ ବୁଝାଇ ଦେଲେ ଯେ ପରର ମନ୍ଦ କରିବାକୁ ଯାଇ କାହାରି ଭଲ ହୋଇନାହିଁ ।

Image

 

ଊନଚତ୍ୱାରିଂଶ ପରିଚ୍ଛେଦ

ଶାନ୍ତି

 

ନିଦାରୁଣ ଗ୍ରୀଷ୍ମକାଳ ଶେଷ ହୋଇ କ୍ରମେ ବର୍ଷାକାଳ ସମୁପସ୍ଥିତ ହେଲା ଏବଂ ମୂଷଳଧାରରେ ମେଘଦୃଷ୍ଟି ହୋଇ ପୃଥିବୀର ତାପ ନିବାରିତ ହେବା ସଙ୍ଗେ ସଙ୍ଗେ ଦୁର୍ଭିକ୍ଷର ଦାଉ ଊଣା ହୋଇ ଆସିଲା । ଓଡ଼ିଶା ତ ଏକରୂପ ପଦା ହୋଇ ଯାଇଥିଲା ଏବଂ ବର୍ଷାରମ୍ଭରେ ହଳପାଇଟି ଲାଗିଯିବାରୁ ଆଉ ସାହାଯ୍ୟର ଆବଶ୍ୟକତା ସେତେ ରହିଲା ନାହିଁ । କଳାବତୀ ଏହା ଦେଖି ଦିନେ ରଘୁନାଥଙ୍କୁ କହିଲେ ‘‘ରଘୁନାଥ ! ବୃଷ୍ଟିହୋଇ ପୃଥିବୀର ତାପଶାନ୍ତି ହେଲା, ତୁମ୍ଭେ ପରିଶ୍ରମ-ଶାନ୍ତି କରି ଟିକିଏ ବିଶ୍ରାମ କର ।’’ ଆହା ! ଏଭଳି କାର୍ଯ୍ୟର ପରିଶ୍ରମ ଉତ୍ତାରୁ ଏ କଥା କେଡ଼େ ମଧୁର ଶୁଭଇ ! ରଘୁନାଥ ତହିଁରେ ସମ୍ମତି ଜ୍ଞାପନ କରି ଷଣ୍ଢ ରାଜାଙ୍କ ନବରକୁ ପରାମର୍ଶ ନିମିତ୍ତ କଳାବତୀଙ୍କ ସହିତ ଗମନ କଲେ ।

 

ଏଣେ ଦୁର୍ଭିକ୍ଷ ଘୋର ଆକାର ଧାରଣ କରିଥିବା ସମୟରେ ଦେଶଲୋକଙ୍କ ପକ୍ଷରୁ ନାନା ଆବେଦନ ପତ୍ର ଡୁମନ ସର୍ଦ୍ଦାର ଏକାବେଳଳେ ନାଗପୁର ଭୋଁସଲାଙ୍କ ସମୀପକୁ ପଠାଇ ଥିଲେ । ସେଠାରୁ ମଧ୍ୟ ଦୁର୍ଭିକ୍ଷ ଶେଷରେ ତଦନ୍ତ କରିବା ନିମିତ୍ତ ଜନୈକ କର୍ମଚାରୀ ଆସି ଉପସ୍ଥିତ ହେଲା । ପାଠକେ ! ଏହା ଶୁଣି ହସୁଥିବେ ପରା ! ଦୁର୍ଭିକ୍ଷ ଶେଷରେ ଦେଶର ଅବସ୍ଥା ତଦନ୍ତ କରିବାକୁ କର୍ମଚାରୀ ଆସିବା ବଡ଼ ରହସ୍ୟଜନକ ଅଟଇ ! ରହସ୍ୟ ନୁହେ ତ କିସ ? ଯେଉଁମାନେ ଦେଶ ଶାସନ କରନ୍ତି ସେମାନେ ତ ସବୁ କଥାକୁ କୌତୁକ ମଣନ୍ତି ! ସୁଖର ଦୋଳାରେ ଦୋହଲୁ ଥିଲେ କେତେଜଣ ଲୋକେ ପର-ଦୁଃଖରେ କାତର ହୁଅନ୍ତି ? ସେ ଯାହାହେଉ ଏ କର୍ମଚାରୀ ଆସି ଦେଶ ଦୁର୍ଭିକ୍ଷଯୋଗେ ପଦା ଆଉ ଶ୍ମଶାନପ୍ରାୟ ହୋଇ ଯାଇଥିବାର ଦେଖିଲେ ଏବଂ ଶମ୍ୱୁଜୀ ଗଣେଶଙ୍କର ଅର୍କମଣ୍ୟତା ସ୍ଥିର କରି ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିକାର ଦ୍ଭୋଁସଲାଙ୍କୁ ଜଣାଇଲେ । ଦେଶଲୋକଙ୍କ ବିଚାରରେ ଶମ୍ଭୁଜୀ ତ ଆପଣା କର୍ମରୁ ପଦଚ୍ୟୁତ ହୋଇ ବନବାସୀ ହୋଇଥିଲେ–ଏ କର୍ମଚାରୀଙ୍କ ରିପୋର୍ଟ କେବଳ ସରକାରୀ ଆଡ଼ମ୍ୱର ମାତ୍ର ହୋଇ ରହିଲା !

 

ରଘୁନାଥ ଷଣ୍ଢରାଜାଙ୍କ ନବରରେ ଉପସ୍ଥିତ ହୋଇ ରାଜାଙ୍କ ଅନୁମତିକ୍ରମେ ଡୁମନ ସର୍ଦ୍ଦାର ଓ ହନୁମାନ ଦାସ ଏବଂ ଗିରିଧାରୀ ଦାସ ବାବାଜୀଦ୍ୱୟଙ୍କୁ ଡକାଇ ପଠାଇଲେ । ରାଣୀ କଳାବତୀଙ୍କ ଇଚ୍ଛାମତ ମହାନଦୀର ନନ୍ଦିକେଶ୍ୱରୀ ପଠାରେ ବୃହତ୍‌ ଭୋଜିର ଆୟୋଜନ ହେବାର ପ୍ରସ୍ତାବ ଧାର୍ଯ୍ୟ ହେଲା ଏବଂ ତହିଁ ନିମିତ୍ତ ଦିନ ସ୍ଥିର କରି ବାବାଜୀଦ୍ୱୟ ସହିତରେ ଡୁମନ ସର୍ଦ୍ଦାର ଓ ରଘୁନାଥ ଭୋଜିର ଦ୍ରବ୍ୟାଦି ସଂଗ୍ରହ ପୂର୍ବକ ପଠାଇବାରେ ରତ ହେଲେ ।

 

ଷଣ୍ଢରାଜା ପରାମର୍ଶ ସ୍ଥିର ହେଲା ପରେ ଅନ୍ତଃପୁରକୁ ବିଜେ ହେଲେ । ପାଟମହାଦେଈ ଭୋଜିର କାଣ୍ଡ ଶୁଣି ପାରି ସେଠାକୁ ଯିବାପାଇଁ ମାନସ ବଳାଇଲେ । କଥାପ୍ରସଙ୍ଗରେ କଳାବତୀ କହିଲେ ଯେ ‘‘ରଘୁନାଥ ତ ରସକଳାକୁ ବିବାହ କରିବା ନିମିତ୍ତ ପଣ କରିଚନ୍ତି–ସେହି ଭୋଜିରେ ଉଦ୍‌ବାହକାର୍ଯ୍ୟ ଶେଷ ହେଲେ କେମନ୍ତ ହେବ ?’’

 

ଏକଥା ସମସ୍ତଙ୍କ ମନକୁ ଆସିଲା । ରାଜା, ପାଟମହାଦେଈ ଓ ନବରର ସମସ୍ତ ସ୍ତ୍ରୀଲୋକମାନେ ପରମାନନ୍ଦରେ ଏକଥା ଗ୍ରହଣ କଲେ ଏବଂ ପରକ୍ଷଣରେ ମଙ୍ଗଳସୂଚକ ହୁଳହୁଳୀ ଓ ଶଙ୍ଖନାଦରେ ଅନ୍ତଃପୁର ପୂର୍ଣ୍ଣ ହୋଇଗଲା । କଳାବତୀ ପ୍ରାଣଠାରୁ ପ୍ରିୟତମା ରସକଳାଙ୍କର ଭାବିମଙ୍ଗଳର ନିଦାନ ସ୍ୱରୂପ ଉଦ୍‌ବାହକାର୍ଯ୍ୟରେ ପରମାନନ୍ଦିତା ହୋଇ ରସକଳାଙ୍କର ଗଳାରେ ମୃଣାତବତ୍‌ ଭୁଜଦ୍ୱୟ ବେଷ୍ଟନ କରି ଗଣ୍ଡଦେଶରେ ଅତୀବ ସ୍ନେହଭାବରେ ଚୁମ୍ୱ ପ୍ରଦାନ କଲେ ଏବଂ ସେ ସ୍ନେହରେ ରସକଳାଙ୍କ ହୃଦୟ ବିଗଳିତ ହୋଇ ପଦ୍ମବତ୍‌ ଚକ୍ଷୁର୍ଦ୍ୱୟରୁ ଆଶ୍ରୁ ବିସର୍ଜାଇ ଥିଲା ।

 

ସଂସାର ବିଷମ ସ୍ଥାନ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେତେବେଳେ କି ଘଟନା ହେବ ତାହା କେହି କହି ପାରଇ ନାହିଁ । ମଙ୍ଗଳମୟ ଈଶ୍ୱରଙ୍କ ମଙ୍ଗଳେଚ୍ଛା ସର୍ବଦା ସାଧିତ ହୁଅଇ ଏବଂ ଯେ ତାହାଙ୍କୁ ମଙ୍ଗଳମୟ ବୋଲି ବୁଝିଥିବ ସେହି ଏକା ଶାନ୍ତିରସରେ ସନ୍ତରଣ କରି ସଂସାରକୁ ସୁଖର ଅଗାର କରିଦେବ । ଅନ୍ୟଥା କ୍ଳେଶ ବିନା କିଛି ନାହିଁ ।

 

ଆମ୍ଭମାନଙ୍କ କଥିତ ନନ୍ଦିକେଶ୍ୱରୀ ପଠା ବର୍ତ୍ତମାନ ଯାହା ଦୃଶ୍ୟ ହୁଅଇ ପୂର୍ବେ ତହିଁର ପରିସର ଦ୍ୱିଗୁଣ ଅଧିକ ଥିଲା । ସୁତରାଂ ବୃହତ୍‌ ଭୋଜିକି ତାହା ସେ ଅନୁପଯୁକ୍ତ ଏହା କେବେହେଁ ବୋଲାଯାଇ ନ ପାରେ । ଯାହାହେଉ ହନୁମାନ ଦାସ ଓ ଗିରିଧାରୀ ଦାସ ବାବାଜୀଦ୍ୱୟ, ରଘୁନାଥ ପଟ୍ଟନାୟକ, ଡୁମନ ସର୍ଦ୍ଦାର ଓ ବାହାବଳୀନ୍ଦ୍ର ପ୍ରଭୃତି ଅନ୍ୟାନ୍ୟ ଡକାୟତମାନେ ଭୋଜିର ଆୟୋଜନ କରିବାରେ ବ୍ୟସ୍ତ ହେଲେ ଏବଂ ଷଣ୍ଢରାଜା, ପାଟମହାଦେଈ, କଳାବତୀ ଓ ଷଣ୍ଢନବରର ଅନ୍ୟ ସ୍ତ୍ରୀଲୋକମାନେ ରସକଳାଙ୍କର ବିବାହର ସାମଗ୍ରୀମାନ ସଂଗ୍ରହ କରି ଭୋଜିଦିନ ତତ୍‌ସହିତ ନନ୍ଦିକେଶ୍ୱରୀ ପଠାରେ ଉପସ୍ଥିତ ହେବାର ବନ୍ଦୋବସ୍ତରେ ବ୍ରତୀ ହେଲେ ।

Image

 

ଚତ୍ୱାରିଂଶ ପରିଚ୍ଛେଦ

ବିବାହ ଓ ବିସର୍ଜ୍ଜନ

 

ଆଜି ଆଷାଢ଼ ଶୁକ୍ଳ–ଦ୍ୱିତୀୟ । ଆଜି ପୁରୁଷୋତ୍ତମ କ୍ଷେତ୍ରରେ ନିଳାଦ୍ରିବିହାରିଦିବ୍ୟପୁରୁଷ ଶ୍ରୀ ଶ୍ରୀ ଜଗନ୍ନାଥ ଦେବଙ୍କ ଗୁଣ୍ଡିଚାଯାତ୍ରା । ଭାରତର ଲକ୍ଷ ଲକ୍ଷ ଲୋକେ ଆଜି ଜଗନ୍ନାଥଦେବଙ୍କୁ ରଥରେ ଦେଖି ଇହଜୀବନ ସାର୍ଥକ କରିନେବା ହେତୁ ବହୁଦୂରବର୍ତ୍ତୀ ସ୍ଥାନମାନଙ୍କରୁ କ୍ଷୂଧାତୃଷା ନ ମାନି ଆସି ସେଠାରେ ରୁଣ୍ଡ ହୋଇ ଅଛନ୍ତି । ବହୁଦୂରରୁ ଅସୀମ ପରିଶ୍ରମ ଏବଂ ଅସହନୀୟ କଷ୍ଟ ସହ୍ୟକରି ଚକାଡ଼ୋଳାର ସଦାବିସ୍ଫାରିତ ଅମୃତମୟ-ଦୃଷ୍ଟି ସମ୍ପନ୍ନ ଚକ୍ଷୁର୍ଦ୍ୱୟ ଦେଖି ନୟନ ସାର୍ଥକ କରୁ ଅଛନ୍ତି । ଏହି ଶୁଭ ଦିନରେ ନନ୍ଦିକେଶ୍ୱରୀ ପଠାରେ ଦୁର୍ଭିକ୍ଷରୂପ କାଳାନଳ ନିର୍ବାପିତ ହେଲାପରେ ଦକ ଓ ପରିଶ୍ରମ ଜନିତ ଦେହର ବ୍ୟଥା ମାରିବା ହେତୁ ଶାନ୍ତିସୂଚକ ମହୋତ୍ସବର ଧୂମ ଲାଗି ଯାଇ ଅଛି ।

 

ନନ୍ଦିକେଶ୍ୱରୀ ପଠା ଆଉ ଚିହ୍ନା ଯାଉ ନାହିଁ । ଆଜି ଅପୂର୍ବବେଶ ଧାରଣ ପୂର୍ବକ କେବଳ ଲୋକଙ୍କୁ ଅପୂର୍ବସୁଖ ପ୍ରଦାନାର୍ଥ ଅନବରତ ଇଙ୍ଗିତ କରୁଅଛି । ଆଠଦିନ ହେଲା ପରିଷ୍କାର ପରିଚ୍ଛନ୍ନ ହୋଇ ସେ ଯେଉଁ ଶ୍ରୀ ଧାରଣ କରିଅଛି ଭଲ ଭଲ ଗ୍ରାମ ନଗର ସେ ଶୋଭା କଦାପି ପାଇ ପାରିବ ନାହିଁ । ଜିନିଷପତ୍ରାଦି ଆଠ ଦିନରୁ ବୁହାବୋହି ଲାଗିଅଛି ଓ ମଧ୍ୟସ୍ଥଳରେ ବୃହତ୍‌ ଛାମୁଣ୍ଡିଆ ନିର୍ମିତ ହୋଇଅଛି ଏବଂ ତାହା ଉତ୍ତମରୂପେ ଛାଉଣି ହୋଇ ଥିବାରୁ ଆଉ ତିନ୍ତିବାର ଭୟ ନାହିଁ । ଏହି ଛାମୁଣ୍ଡିଆ ଏତେ ବୃହତୀ ଯେ ତହିଁତଳେ ଅକ୍ଳେଶରେ ଦଶସହସ୍ର ଲୋକ ଏକତ୍ରରେ ବସି ପାରିବେ । ଏଛଡ଼ା ପଠାଟିର ଏ ମୁଣ୍ଡରୁ ଆର ମୁଣ୍ଡ ପର୍ଯ୍ୟନ୍ତ ଅସଂଖ୍ୟ କ୍ଷୂଦ୍ର କ୍ଷୂଦ୍ର ଛାମୁଣ୍ଡିଆମାନ ନିର୍ମିତ ହୋଇ ଅଛି ଏବଂ ତହିଁ ତଳେ ଦଳେ ଲୋକମାନେ ବସି ଯାଇ ଯେ ଯାହା ଇଚ୍ଛାମତ ଖେଳ ବା ସଙ୍ଗୀତରେ ଉନ୍ମତ୍ତ ହୋଇ ଅଛନ୍ତି ଏବଂ ପଶ୍ଚିମ ପ୍ରାନ୍ତସ୍ଥ କେତେଗୁଡ଼ିଏ ନାହାଚାଳିଆ ଘରେ ବୃହତ୍‌ ଖନ୍ଦା ଖୋଳା ହୋଇ ଅନ୍ନ ଏବଂ ମିଷ୍ଟାନ୍ନ ପ୍ରସ୍ତୁତ ହେଉ ଅଛି ।

 

ଯେତେଲୋକ ସେଦିନ ନନ୍ଦିକେଶ୍ୱରୀ ପଠାରେ ସମବେତ ହୋଇଥିଲେ ସେମାନଙ୍କୁ ଗଣିବା ସହଜ ନୁହଇ । ସ୍ଥୂଳରେ ପଠାଟି ନାନାପ୍ରକାର ଲୋକରେ ପୂର୍ଣ୍ଣ ହୋଇ ଯାଇଥିଲା ଏବଂ ହନୁମାନ ଦାସ ଓ ଗିରିଧାରୀ ଦାସ ବାବାଜୀଦ୍ୱୟ ସେମାନଙ୍କୁ ଉତ୍ତମରୂପେ ଭୋଜନ କରାଇବା ନିମିତ୍ତ ପ୍ରାତଃକାଳରୁ ଅନ୍ନପୂର୍ଣ୍ଣାଙ୍କର ପୂଜାକରି ରନ୍ଧନକାର୍ଯ୍ୟର ତତ୍ତ୍ୱାବଧାନରେ ବ୍ରତୀ ହୋଇଥିଲେ-। ଛାମୁଣ୍ଡିଆର ମଧ୍ୟଭାଗକୁ ଷଣ୍ଢରାଜା ଓ ରଘୁନାଥ ଏବଂ ଡୁମନ ସର୍ଦ୍ଦାର ପ୍ରଭୃତି ବସି ନାନା ବିଷୟରେ ଆଲୋଚନା କରୁଅଛନ୍ତି ଏବଂ ଚତୁର୍ଦ୍ଦିକରେ ପୋତା ହୋଇଥିବା ପତାକାଶ୍ରେଣୀ ବାୟୁରେ ଉଡ୍ଡୀନ ହୋଇ ସେ ବିଷୟ ସମର୍ଥନ କଲାପରି ଜଣା ଯାଉଅଛି ।

 

ପଠାର ଉତ୍ତର ଦିକରେ ଛାମୁଣ୍ଡିଆର କିଞ୍ଚିତ୍‌ ଛଡ଼ାରେ ଚିକଟଣା ହୋଇ ସ୍ତ୍ରୀଲୋକମାନଙ୍କର ରହିଥିବାର ସ୍ଥାନ ନିର୍ଦ୍ଦିଷ୍ଟ ହୋଇଅଛି ଏବଂ ସେଠାରେ ପାଟମହାଦେଈ, କଳାବତୀ ଓ ରସକଳା ମନକୁ ମନ ମିଳାଇ ଭାବୀ ଆନନ୍ଦର ଆଲୋଚନାରେ ନାନା ରହସ୍ୟକଥାମାନ କହି ପଠାର ବାଲୁକା ଓ ପ୍ରସ୍ତରମୟ କଠିନ ପ୍ରାଣକୁ ସୁଦ୍ଧା ରସମୟ କରି ପକାଇ ଅଛନ୍ତି ।

 

ରନ୍ଧନର ଆୟୋଜନ ଶେଷ ହେଲା । ହନୁମାନ ଦାସ ଓ ଗିରିଧାରୀ ଦାସ ବାବାଜୀଦ୍ୱୟ ଆସି ପୂର୍ବ ନିର୍ଦ୍ଦେଶମତେ ଷଣ୍ଢରାଜାଙ୍କ ନିକଟରେ ପହୁଞ୍ଚନ୍ତେ ରାଜା ଉଠିଯାଇ ସେମାନଙ୍କୁ ସମାଦର କରି ଆଣି ଆପେ ବସିବାସ୍ଥାନରେ ବସାଇ ନମ୍ର ଭାବରେ ସମ୍ମୁଖରେ ଉପବେଶନ କଲେ ଏବଂ କଥାପ୍ରସଙ୍ଗରେ ରାଜ୍ୟରେ ଦୁର୍ଭିକ୍ଷ ଉତ୍ତାରୁ ଉତ୍ତମ ଶାନ୍ତି ବିଚରଣ କରୁଥିବା ଓ ବଞ୍ଚିଥିବା ଦେଶଲୋକେ ନିଶ୍ଚିନ୍ତ ହୋଇ ପୁଣି ଭୂମିକର୍ଷଣାଦି କାର୍ଯ୍ୟରେ ଲିପ୍ତ ହୋଇ ଥିବା ଚର୍ଚ୍ଚାକରି ପରମ ଆନନ୍ଦିତ ହେଲେ । ଯେତେବେଳେ ଠିକ୍‌ ଦୁଇପ୍ରହର ଉପସ୍ଥିତ ସେତେବେଳେ କଳାବତୀ ମୃଦୁ ମନ୍ଦଗତିରେ ରମଣୀ ମହଲରୁ ସେଠାରେ ଉପନୀତ ହୋଇ କରଯୋଡ଼ି କହିଲେ ‘‘ମହାରାଜ ! ଆଜି ଆମମାନଙ୍କର ଭାଗ୍ୟ ଯେ ଈଶ୍ୱରଙ୍କ କୃପାରୁ ସମସ୍ତେ ସୁଖମୟ କାର୍ଯ୍ୟରେ ଏକତ୍ରିତ ହୋଇଚୁଁ-। ଏତେ ସୁଖରେ ଆମମାନଙ୍କର ପ୍ରଧାନ ଉଦ୍ୟୋଗକର୍ତ୍ତା ରଘୁନାଥ ମହା ମହା ବିପଦ ନ ମାନି ଲକ୍ଷ ଲକ୍ଷ ପ୍ରାଣୀଙ୍କର ଉଦ୍ଧାରାର୍ଥ ଯେପରି ଶ୍ରମ କରିଥିଲେ ତାଙ୍କର ମନରେ ତିଳ ମାତ୍ର ଦୁଃଖ ରଖିଦେବା ଆମମାନଙ୍କର ଉଚିତ ନୁହଇ । ଆଜ୍ଞା ହେଲେ ରସକଳାଙ୍କୁ ଆଣି ଏହିଠାରେ ତାଙ୍କର ପ୍ରତିଜ୍ଞାତ ଉଦ୍‌ବାହକାର୍ଯ୍ୟ ସମ୍ପନ୍ନ କରାଇବୁ ।’’

 

ପ୍ରସ୍ତାବ ହେବା ସଙ୍ଗେ ସଙ୍ଗେ କଥା ସମସ୍ତଙ୍କ ମନକୁ ଆସିଲାରୁ ଅଦୂରେ ଠିଆ ହୋଇଥିବା ବାହାବଳୀନ୍ଦ୍ର ଓ ବଳିଆର ସିଂହ ମହା ଅସ୍ଫାଳନ କରି ‘‘ଜୟ ମହାବୀରକି ଜୟ’’ ଶବ୍ଦରେ ଗଗନମାର୍ଗ କମ୍ପାଇ ଦେଲେ ଏବଂ ସଙ୍ଗେ ସଙ୍ଗେ ମୃଦଙ୍ଗ କରତାଳାଦି ନାନା ଯନ୍ତ୍ର ନାନା ଦଳରୁ ବାଜିଉଠି ମହାମୋଦ ଘୋଷଣା କରିଦେଲା । ସେ ମଧୁର ରବ ଆକାଶରୁ ଉଠି ଚତୁର୍ଦ୍ଦିକ ପରିପୂରିତ କରିବା ସଙ୍ଗେ ସଙ୍ଗେ ରମଣୀମଣ୍ଡଳରୁ ଶୁଭସୂଚକ ହୁଳହୁଳୀ ଓ ଶଙ୍ଖଧ୍ୱନି ସଞ୍ଜାତ ହେଲା ଏବଂ ଦେଖୁଁ ଦେଖୁଁ ନନ୍ଦିକେଶ୍ୱରୀ ପଠା ଆମୋଦାର୍ଣ୍ଣବରେ ଭାସମାନ ହୋଇ ସମସ୍ତଙ୍କ ମନଃ ପ୍ରୀତି-ରସରେ ପୂର୍ଣ୍ଣକଲା ।

 

ସ୍ତ୍ରୀଲୋକେ ରସକଳାଙ୍କୁ ସୁସଜ୍ଜିତା କଲେ । ବାବାଜୀଦ୍ୱୟ ଛାମୁଣ୍ଡିଆ ତଳେ ବେଦୀ ନିର୍ମାଣ କରି ରଘୁନାଥଙ୍କୁ ବରବେଶ ପିନ୍ଧାଇ ସେଠାରେ ଉପସ୍ଥିତ କରଣାନ୍ତେ ସ୍ତ୍ରୀମାନେ ରସକଳାଙ୍କୁ ସେ ବେଦିକି ଘେନି ଆସିଲେ ଏବଂ ନାନା ବାଦ୍ୟ ବାଜଣା ଏବଂ ହୁଳହୁଳୀ ଓ ଶଙ୍ଖଧ୍ୱନି ମଧ୍ୟରେ ବିଧିମତେ ରସକଳା ଓ ରଘୁନାଥ ପଟ୍ଟନାୟକଙ୍କ ଉଦ୍‌ବାହକ୍ରିୟା ସମ୍ପନ୍ନ ହୋଇଗଲା ।

 

ତହିଁ ଉତ୍ତାରୁ ଭୋଜନ । ଯେ ଯାହାର ଇଚ୍ଛାମତ ପଠାଟିର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଲୋକମାନେ ପତ୍ର ବିଛାଇ ବସିଗଲେ ଏବଂ ନାନାବିଧି ଅନ୍ନ ବ୍ୟଞ୍ଜନ ଓ ମିଷ୍ଟ ପ୍ରଭୃତି ଖାଇ ସୁଖରେ ଭୋଜନ କଲେ । ଭୋଜନ ଶେଷ ହେଉଁ ହେଉଁ ଦିବା ପ୍ରାୟ ଅବସାନ ହୋଇ ଆସିଥିଲା ଏବଂ ଲୋକମାନେ ଭୋଜନ ସାରି ହରିନାମକୀର୍ତ୍ତନରେ ଦଳେ ଦଳେ ପଠାରେ ବସିଗଲେ ।

 

କଳାବତୀ କିଛି ଭୋଜନ କରି ନାହାନ୍ତି । ତାଙ୍କର ଆଜି ବ୍ରତୋଦ୍‌ଯାପନ ହେବ ବୋଲି କହି ରାତ୍ରକୁ ଆବଶ୍ୟକ ହେଲେ ଫଳାହାର କରିବାର କହିଥିଲେ । ବର୍ତ୍ତମାନ ବେଳ ଜାଣି ରସକଳାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କ ଗଳଦେଶରେ ମସ୍ତକ ରକ୍ଷାକରି କେତେ କାନ୍ଦିଲେ ଏବଂ ପରିଶେଷରେ ରଘୁନାଥଙ୍କ ମନ ରକ୍ଷାକରି ଜୀବନ ଯାପନ କରିବା ନିମିତ୍ତ କହି ତାଙ୍କର ଗଣ୍ଡଦେଶରେ ଚୁମ୍ୱନ ପ୍ରଦାନ ପୂର୍ବକ ରଘୁନାଥଙ୍କ ନିକଟରେ ସମୁପସ୍ଥିତା ହେଲେ । ରଘୁନାଥ ରସକଳାଙ୍କର ପାଣିଗ୍ରହଣ କରି ନବଜୀବନରେ ସମୁପସ୍ଥିତ ହୋଇଥିବାର ହୃଦୟଙ୍ଗମ କରି କିରୂପେ ସୁଖରେ ତାଙ୍କୁ ଚଳାଇ ନେବେ ତହିଁର ଚିନ୍ତାରେ ନିମଗ୍ନ ଅଛନ୍ତି । କଳାବତୀ ଆସି ହଠାତ୍‌ ହସ୍ତ ଧାରଣ କରି କହିଲେ ‘‘ଭାଇ ! ରସ ତୁମକୁ ଲାଗିଲା । ମୋର ଚିରକାଳର ତାପିତ ପ୍ରାଣ ରସକଳା ହେତୁ ଶାନ୍ତି ପାଇ ରହି ଅଛି । ସଂସାରରେ ତୁମେ ରସକଳାକୁ ସୁଖରେ ନିଭାଇ ନେଲେ ମୋର ତାପିତ ପ୍ରାଣ ଶୀତଳ ହୋଇ ରହିଥିବ ।’’ ଏହା କହି ରଘୁନାଥଙ୍କଠାରୁ ଆଶାଜନକ ବାକ୍ୟମାନ ଶୁଣି ସ୍ନାନାର୍ଥ ମହାନଦୀ-ଜଳରେ ପ୍ରବେଶ କଲେ ।

 

ସମସ୍ତେ ଦେଖୁଅଛନ୍ତି କଳାବତୀ ସ୍ନାନ କରିବା କାରଣ ମହାନଦୀ ଜଳରେ ଅବତରଣ କଲେ । ଆଣ୍ଠୁଏ ଅଣ୍ଟାଏ ହେଉଁ ହେଉଁ ବେକେ ପାଣି ପର୍ଯ୍ୟନ୍ତ କଳାବତୀ ଜଳରେ ପ୍ରବେଶ କଲେ ଏବଂ ସେଠାରେ କିଞ୍ଚିତ୍‌କାଳ ଠିଆ ହୋଇ ଆକାଶ ଓ ଚତୁର୍ଦ୍ଦିକ ସନ୍ଦର୍ଶନ ପୂର୍ବକ ଈଶ୍ୱରଙ୍କୁ କରଯୋଡ଼େ ଦଣ୍ଡବତ୍‌ କରି ଆଗଭର ହୋଇ ଯେ ଜଳରେ ବୁଡ଼ିଗଲେ ଆଉ ଉଠିଲେ ନାହିଁ !

 

ଏହା ଦେଖି ତୁମୂଳ ଗୋଳମାଳ ଲାଗିଗଲା । ରାଣୀ ବୋଲି ଦେଶରେ ତାଙ୍କର ପରିଚୟ ହୋଇ ଯାଇଥିଲା ଏବଂ ରାଣୀ ବୁଡ଼ିମଲେ ବୋଲି ଶବ୍ଦ ଉଠିବା ମାତ୍ରକେ ରାତ୍ରି ପ୍ରହରେ ପର୍ଯ୍ୟନ୍ତ ଜାଲ ପକାଇ ତାଙ୍କୁ ଖୋଜା ଲାଗିଲା ମାତ୍ର କିଛି ଠିକଣା ମିଳିଲା ନାହିଁ । ସୁଖମୟ ବିବାହାନ୍ତେ କଳାବତୀଙ୍କ ଜୀବନ ବିସର୍ଜ୍ଜନରେ ଯେମନ୍ତ ସୁଖମନରେ ସମସ୍ତେ ପଠାକୁ ଯାଇଥିଲେ ତେମନ୍ତ ସନୁପ୍ତମନରେ ସେଠାରୁ ବାହୁଡ଼ି ଆସିଲେ ।

Image

 

ଏକଚତ୍ୱାରିଂଶ ପରିଚ୍ଛେଦ

ପ୍ରୀତ୍ତ୍ୱପହାର

 

କଳାବତୀଙ୍କ ଦେହବିସର୍ଜ୍ଜନରେ ରଘୁନାଥ ଓ ରସକଳାଙ୍କର ଯେ କେତେଦୂର ଦୁଃଖ ହୋଇଥିଲା ତାହା ବର୍ଣ୍ଣନାତୀତ । କାଳସହକାରେ ସେ ଦୁଃଖ କିଞ୍ଚିତ୍‌ ଶାନ୍ତ ହୋଇ ଆସିଲାରୁ ଦିନେ ରଘୁନାଥ ଓ ରସକଳା ରଘୁନାଥଙ୍କ ଘରସଂଲଗ୍ନ ଉପବନରେ କି ଯେଉଁଠାରେ ଦିନେ କଳାବତୀ ଓ ରଘୁନାଥ ବସି ହୃଦୟୋଦ୍ଘାଟନ କରିଥିଲେ ସେଠାରେ ବସି କଳାବତୀଙ୍କି ସ୍ମରଣ କରି ତାଙ୍କ ଗୁଣରାଶି ଗୁଣୁ ଅଛନ୍ତି ଏମନ୍ତ ସମୟରେ ରଘୁନାଥ ହଠାତ୍‌ କହିଲେ ‘‘ପ୍ରିୟେ ! କଳାବତୀ ଆମ୍ଭଙ୍କୁ ତୁମ୍ଭର ପାଣିଗ୍ରହଣ କରିବାକୁ ଏହିଠାରେ ପ୍ରତିଜ୍ଞା କରାଇ ନେଇ ସ୍ମରଣାର୍ଥ ଯେଉଁ ସୁବର୍ଣ୍ଣ କରାଟଟି ପ୍ରୀତିପୂର୍ବକ ଉପହାର ଦେଇଥିଲେ ତାହା ଅଦ୍ୟାପି ଆମ୍ଭେ ଖୋଲି ନାହୁଁ । ବିବାହ ପରେ ଖୋଲିବା କାରଣ ସେ କହିଥିଲେ–ତୁମ୍ଭେ ଅନୁଜ୍ଞା କଲେ ଆମ୍ଭେ ଖୋଲିବୁଁ’’ ।

 

ରସକଳା ସମ୍ମତା ହେଲେ ଏବଂ ରଘୁନାଥ କରାଟଟି ଅଣ୍ଟାରୁ ବାହାର କରି ଦେଖିଲେ ଯେ ତହିଁ ମଧ୍ୟରେ ଏକଖଣ୍ଡ କାଗଜରେ ଗୋଟିଏ ବୃହତ୍‌ ହୀରକ ରକ୍ଷିତ ହୋଇଅଛି । କାଗଜ ଖଣ୍ଡିକ ସାଧା ନୁହେ–ତହିଁରେ କଳାବତୀଙ୍କ ସ୍ୱହସ୍ତଲିପି ରହିଅଛି । କୌତୂହଳାବିଷ୍ଟ ହୋଇ ତାକୁ ପଢ଼ିବାକୁ ଯାଇ ଦେଖନ୍ତି ଯେ ତହିଁରେ ତାଙ୍କୁ ଉଲ୍ଲେଖ କରି ଲେଖା ହୋଇଅଛି । ରସକଳା ରଘୁନାଥଙ୍କ ଗଳଦେଶରେ ମସ୍ତକ ରକ୍ଷାକରି ଶୁଣୁ ଅଛନ୍ତି, ରଘୁନାଥ ନିମ୍ନଲିଖିତରୂପେ ପତ୍ରଖଣ୍ଡି ପାଠକଲେ ।

 

‘‘ଭାଇ,

 

ସଂସାର ବଡ଼ ବିଷମ । ଚତୁର୍ଦ୍ଦିକ ବୁଝି ସୁଝି ଚଳିଲେ ଏହାଠାରୁ ରମଣୀୟ ପଦାର୍ଥ ଆଉ ନାହିଁ ମାତ୍ର ଟିକିଏ ହୁଡ଼ିଲେ ମନଃକ୍ଷୂର୍ଣ୍ଣହେବା ସଙ୍ଗେ ସଙ୍ଗେ ସଂସାର ଅରଣ୍ୟବତ୍‌ ବୋଧହେବ । ଏଭଳି ସଂସାରରେ, ଜୀବନକୁ ସରସ କରିବା କାରଣ ବିଶୁଦ୍ଧ ପ୍ରେମସଞ୍ଚୟହିଁ ଏକମାତ୍ର ଉପାୟ ଏବଂ ଈଶ୍ୱରୋଦ୍ଦେଶରେ ସେ ପ୍ରେମ ସମୁଚିତ ରୂପେ ସଞ୍ଚାରିତ କରିବା କାରଣ ସଙ୍ଗେ ପତ୍ନୀଥିବା ନିତାନ୍ତ ଆବଶ୍ୟକ ।

 

ଈଶ୍ୱର ସଂସାରର କର୍ତ୍ତା । ସ୍ଥୂଳରେ ବିଶ୍ୱରୂପରେ ସେ ନିଜେ ବିକଶିତ ହୋଇ ଅଛନ୍ତି । ତାଙ୍କଠାରେ ପ୍ରେମକରି ଆତ୍ମାର ପରମ ଉତ୍କର୍ଷ ସାଧନ କରିବା ଜୀବର ପରମ ପ୍ରୟୋଜନ । ତୁମ୍ଭେ ସମୁଚିତରୂପେ ତହିଁର ଭାଜନ ହୋଇ ଜୀବନ ସାର୍ଥକ କର ।

 

ଆମ୍ଭେ ବୁଝିଅଛୁଁ ବିକାରମୟ ଜଗତ୍‌ ପରମ ପ୍ରବାସ ଅଟଇ । ବିକାରଗତ ଜୀବ ସ୍ୱଦେଶରୁ ଦୂରୀକୃତ ହୋଇ ଜଗତରେ ଥାଇଁ ଈଶ୍ୱରଙ୍କଠାରେ ପ୍ରେମ କଲେ ପୁଣି ସ୍ୱଦେଶକୁ ଯାଇପାରେ ଏବଂ ସୁବାସକୁ ଯିବାହିଁ ଜୀବର ଧର୍ମ । ସେ ଧର୍ମ ପାଳନ କରିବା ନିମିତ୍ତ ଜଗତର ସମସ୍ତ ବସ୍ତୁରେ ପ୍ରେମ ପ୍ରୟୋଜନୀୟ ଅଟଇ ।

 

ଆମ୍ଭର ଜୀବନର ବ୍ରତ ସମ୍ପୂର୍ଣ୍ଣ ହେଲେ ଆମ୍ଭେ ଆପେ ତାହା ଉଦ୍‌ଯାପନ କରିବୁଁ । ତୁମ୍ଭେ ଆଗହୁଁ ତାହା ଜାଣି ପାରିବ ନାହିଁ । ପରନ୍ତୁ ରସକଳାର ପାଣିଗ୍ରହଣ କରି ତାକୁ ସୁଖରେ ରଖିଲେ ମୋହର ପ୍ରାଣ ଶୀତଳ ହେବ ଓ ଜଗଦୀଶ୍ୱର ତୁମ୍ଭର ପରମ ମଙ୍ଗଳ ସାଧନ କରିବେ ।

 

ଆଉ କି କରିବୁଁ । ଏହି ହୀରକ ଖଣ୍ଡି ଆମ୍ଭେ ଅତି ଯତ୍ନରେ ରଖି ଅଛୁଁ । ଏହା ତୁମ୍ଭର ଓ ରସକଳାର ବିବାହକୁ ଆମ୍ଭର ପ୍ରୀତ୍ୟୁପହାର । ଆମ୍ଭେ ପ୍ରବାସରୁ ଗଲୁଁ ବୋଲି ଦୁଃଖିତ ହେବ ନାହିଁ । ସୁମନରେ ସ୍ମରଣ ରଖିଥିଲେ ପରକାଳରେ ମଧ୍ୟ ଆମ୍ଭର ଶାନ୍ତି ଅଛି । ତୁମ୍ଭେ ରସକଳାକୁ କହିବ ଆମ୍ଭେ ନିମ୍ନଲିଖିତ ଯେଉଁ ଶ୍ଳୋକଟି ଭାଗବତରୁ ପାଠକରି ତାକୁ ଅନେକଥର ପଢ଼ି ଶୁଣାଇ ଦେଇଅଛୁଁ ତାହା ସେ ଚିରକାଳ ସ୍ମରଣ ରଖିବ–

 

‘‘ଯା ପତିଂ ହରିଭାବେନ ଭଜେତ୍‌ ଶ୍ରୀରିବତତ୍‌ପରା ।

ହର୍ଯ୍ୟାତ୍ମନା ହରେର୍ଲୋକେ ପତ୍ୟା ଶ୍ରୀରିବମୋଦତେ ।’’

କିମଧିକଂ ।

ତୁମ୍ଭରି

ବିବାସିନୀ’’ ।

 

ଶୁଣୁ ଶୁଣୁ ରସକଳା ଅଧୀର ହୋଇ କ୍ରନ୍ଦନ କରି ରଘୁନାଥଙ୍କ ଗଳଦେଶ ଭସାଇ ଦେଲେ । ରଘୁନାଥ ଅଶ୍ରୁ-ପୂରିତ ଲୋଚନରେ ତାଙ୍କର ଗଳଦେଶରେ ଭୁଜଦ୍ୱୟ ବେଷ୍ଟନ ପୂର୍ବକ ଓଷ୍ଠ ଧରି ଅର୍ଦ୍ଧ-ଉଚ୍ଚାରିତ ସ୍ୱରରେ କହିଲେ ‘‘ପ୍ରିୟେ ! ଆଉ କାନ୍ଦିଲେ କି ହେବ ? ବିବାସିନୀ ସୁଖରେ ସ୍ୱଧାମକୁ ଗମନ କଲେ, ଏହା ଜାଣି ସୁଖରେ ସ୍ୱଦେଶକୁ ଗମନ କରିବା କାରଣ ଯତ୍ନବତୀ ହୁଅ’’ !

Image